ଖାଲି ବାପା
ଖାଲି ବାପା
ଟିହିଁକା ଆଠ ଦିନ ହେବ ଟିହିଁକିବାରେ ଲାଗିଛି। ଦିନ ରାତି ଖାଲି ସ୍ଵପ୍ନରେ ବିଭୋର ହୋଇଛି କେମିତି ଭୋବନେଶ୍ୱର ଯିବ ସେଠାରେ କାମ କରିବ କି କୋଉଠି ଚାକିରୀ କରିବ। କେତେ ଦିନ ଆଉ ପାଣିକି ଚାହିଁ ଚାହିଁ ଭାଗ ଚାଷକୁ ଚାହିଁଥିବ। ବର୍ଷା ତ ଠିକରେ ହେଉନାହିଁ ଫସଲ ହେବ କେମିତି!
ଟିହିଁକା ଭୋବନେଶ୍ୱର ଯିବା କଥା ଶୁଣି ସୁଶିଳା ଆଖିରେ ନିଦ ନାହିଁ । ଟିହିଁକା ତ ଶ୍ରୀ ଅକ୍ଷର ବିବର୍ଜିତ ପୁଣି ମଫସଲିଆ ଲୋକ ସେଠାରେ ଯଦି କିଛି ଅସୁବିଧା ହେବ କିଏ ତା କଥା ବୁଝିବ।
ଟିହିଁକାର ଏକା ଜିଦ ସେ ଭୋବନେଶ୍ୱରରେ କାମ କରିବ । ଟ୍ରେନ ତ ଯାଉଛି ଆସୁଛି ସବୁଦିନ ଯିବ ଆସିବ, ଏତେ ଡର କାହାକୁ । ସେ କଣ ଏକା ଯାଉଛି ଯେ ଡର ତା ସହିତ ରାମ,ଦାମ,ଗୋପାଳ, ମଧୁହରି ତ ପୁଣି କାମ କରି ସେଠାରେ ଅଛନ୍ତି।
ସେ ଗାଁକୁ ଆସିଲେ ଭାରି ସମ୍ମାନ ସେମାନଙ୍କୁ ସେମାନେ କୁଆଡେ ଫାଷ୍ଟ ଫୁଡ଼ ଖାଉଛନ୍ତି, ପୁଣି କୁଆଡେ ଗୋଟେ ଦୋସା ଜିନିଷଟେ ଖାଉଛନ୍ତି।
ଟିହିଁକା କହିଲା, ଆଲୋ ମା ଏଇ ଦୋସା କଣ କହିଲୁ ସେଇଟା କେମିତିକା ଖାଇବା ଯିଏ ଭୋବନେଶ୍ୱର ଯେଉଛି ସେ କହୁଛି ଇଟିଲି, ଦୋସା,ମୋମୋ ଖାଉଛନ୍ତି ପୁଣି ଲେମନ ଟି ପିଉଛନ୍ତି ସେଗୁଡା ସବୁ କଣ ?
ସୁଶିଳା ତ ଗାଁ ଛଡା କିଛି ବି ଦେଖିନି ଏ ନାଁ ଗୁଡା ଶୁଣି ସେ ବି ବହେ ହସିଲା।
କହିଲା, ଏଇ ଖାଲି ବାପା ତୁମେ ସେଠି କାମକୁ ଗଲେ ନା ମୋ ପାଇଁ ଗୋଟେ ମୋ ମୋ ଆଣିବ ନ ହେଲେ ତୁମ ସହିତ ମୋର ଥୋକୋଲି।
ହଁ ଲୋ ହଁ ତୁ ପରା ମୋର ଗୋଟାଏ ବୋଲି ଭାରିଜା ତୋ ପାଇଁ ମୋ ମୋ ଆଣିବି ଗାମୁଛାରେ ବାନ୍ଧି ଆସିଲେ ଏକାଠି ଖାଇବା।
ସୁଶିଳା ମସ୍ତ ବଡ ହଁ ଟାଏ ମାରି କହିଲା, ବୁଝିଲ ଖାଲି ବାପା ପୁଣି ସେ ନୁଖୁରା କହୁଥିଲା ଭୋବନେଶ୍ୱରରେ କୁଆଡ଼େ ଦୋସା ମିଳୁଛି,ସେଗୁଡା କଣ ?
କିଲୋ ସେଗୁଡା କଣ କେବେ ଦେଖିଛି ନା ଖାଇଛି ଯେ ତତେ କହିବି ତୁ ତ ଯୋଉଠି ମୁଁ ତ ସେଇଠି ମୁଁ ଗଲେ ତୋ ପାଇଁ ସେଇଥିରୁ ଗୋଟାଏ ଆଣିବି ସୁଶିଳା ମନ କୁଂଢ଼େ ମୋଟ ହୋଇଗଲା ଭାରି ଗେହ୍ଲେଇ ହୋଇ କହିଲା , ହେଇଟି ଖାଲି ବାପା ସିଆଡ଼େ କୁଆଡେ ଝିଅ ଗୁଡା ଶାଢ଼ୀ ପିନ୍ଧୁ ନାହାନ୍ତି କଣ ଜିନ୍ସ ବୋଲି ଗୋଟେ ଅଣ୍ଡିରା ପେଣ୍ଟ ପିନ୍ଧୁଛନ୍ତି ତାଙ୍କ ଆଡେ ଜମାରୁ ଚାହିଁବନିଟି !
ଟିହିଁକା ହଁ ଭରିଲା । ରବିବାର ସକାଳୁ ଟ୍ରେନରେ ବସି ଚାଲିଲା ଭୋବନେଶ୍ୱର ଷ୍ଟେସନରେ ଲୋକ ଗହଳି ଦେଖି ତାକୁ ଲାଗିଲା ଏଠାରେ ଗୋଟେ ଯାତ୍ରା ଫାତ୍ରା ହେଉଛି ବୋଧେ ଆଗରୁ ସେ କେବେ ଆସିନି କଣ କରିବ ସାଥି ଲୋକଙ୍କ ସହିତ କାମକୁ ଗଲା ବଡ଼ ବଡ଼ କୋଠା ଦେଖି ତାକୁ ଆବା କାବା ଲାଗୁଥାଏ। ସେଇ କୋଠାରେ ବାଲି ସିମେଣ୍ଟ କାମ। ଦିନ ଯାକ ପରିଶ୍ରମ କରି ପାଂଚ ଶହ ଟଙ୍କା ଧରିଲା ଟିହିଁକା ଚାରିଟା ନ ବାଜୁଣୁ ଛୁଟି ପୁଣି ଛଅଟାରେ ଟ୍ରେନ ଧରି ଘରକୁ ଫେରିବାକୁ ପଡିବ।
ସୁଶିଳା କହୁଥିଲା ରାଜଧାନୀରେ କୁଆଡେ ଜିନ୍ସ ପିନ୍ଧା ଝିଅ ଗୁଡା ଯାଦୁ ଜାଣିଛନ୍ତି। ସେ ଝିଅଗୁଡାକୁ ଦେଖି ତାଟକା ହୋଇଗଲା।ଏଗୁଡା ନଳୀ ପେଅଂଟ ପିନ୍ଧି ଓଟଙ୍କ ଭଲି ଚାଲୁଛନ୍ତି।ସେମାନେ କୁଆଡେ ଯାଦୁ ଜାଣିଛନ୍ତି।ସିଆଡେ ନଜର ନ ଦେଇ ଟିହିଁକା ଷ୍ଟେସନ ପାଖରେ ଥିବା ଗୋଟେ ହୋଟେଲକୁ ଯାଇ କହିଲା, ଭାଇ ଯୋଡ଼େ ଦୋସା ଆଉ ଚାରିଟା ମୋ ମୋ ଦିଅ ଘରକୁ ନେବି।
ଦୋକାନୀ କହିଲା,୩ଶ ଦିଅ ଆଉ ଏଇଠି ଛିଡ଼ା ହୁଅ ଦେଉଛି।
ତିନି ଶହ ଶୁଣି ତା ମୁଣ୍ଡ ଘୁରେଇବାକୁ ଲାଗିଲା ମଜୁରୀ ପାଞ୍ଚ ଶହ ଦିଟା ଦୋସା ଚାରିଟା ମୋମୋ ମିଶି ତିନି ଶହ।
ଖାଲି ମାଆ ସୁଶିଳା କହିଛି ଗୋଟିଏ ବୋଲି ସ୍ତ୍ରୀ ଯଦି ସେ ଏଇ ଦୋସା କି ମୋମୋ ଖାଇଲେ ପୁରା ମାଆ ହୋଇଯିବ । ୩ଶ ଗଲେ ଯାଉ ଗୋଟିଏ ବୋଲି ସ୍ତ୍ରୀ ଇଚ୍ଛା ପୂରଣ ହେଉ।
ତିନି ଶହ ଦେଇ ଟିହିଁକା ଅପେକ୍ଷା କଲା ଦୋକାନୀ ଦିଟା ପୁଡ଼ିଆ ଦେଲା ତାକୁ ଗାମୁଛାରେ ବାନ୍ଧି ଟ୍ରେନ ପାଖକୁ ଧଇଁସଇଁ ହୋଇ ଧାଇଁଲା।
ଟ୍ରେନ ଛାଡିବା ପରେ ତାକୁ ଲାଗିଲା ଯେମିତି ଏଟା ଶଗଡ଼ ଭଳି ଚାଲୁଛି। ସୁଶିଳା ଅନେଇ ଥିବ ଦୋସା ଖାଇବ ବୋଲି ଟ୍ରେନଟା ଏମିତି ଚାଲୁଛି।
ଯା ହେଉ ରାତି ଆଠଟାରେ ସେ ଘରେ ପହଁଚିଲା ରାତିରେ ରୋଷେଇ ବନ୍ଦ। ହାତ ଗୋଡ଼ ଧୋଇ ସୁଶିଳାକୁ ଡାକିଲା ଟିହିଁକା, ଏ ଖାଲି ମାଆ ଆ ଏଠିକୁ ନୂଆ ଜିନିଷଟା ଏକାଠି ଖାଇବା।
ଲଣ୍ଠନ ଆଲୁଅରେ ମୁହଁକୁ ମୁହଁ ଦେଇ ବସିଲେ ଦୁଇଜଣ । ଟିହିଁକା ବଡ଼ ଯତ୍ନର ପୁଡ଼ିଆ ଦିଟା ଖୋଲି ଦେଲା ଆଉ ତାକୁ ଦେଖିବା ମାତ୍ରେ ସୁଶିଳା ହେଁ ହେଁ ହୋଇ ହସିବାକୁ ଲାଗିଲା ଆଉ ଏମିତି ହସି ହସି ତଳେ ବି ଗଡୁଥିଲା ନା ହସ ବନ୍ଦ ହେଉଥିଲା ନା କିଛି କହୁଥିଲା।
ତାକୁ ଦେଖି ଟିହିଁକା ବି ହସୁଥିଲା। ସୁଶିଳା କେତେ ପରେ କହିଲା, ହେଇଟି ଖାଲି ବାପା ସରୁ ଚକୁଳି ଗୁଡ଼ାକ ଆଣି ମୋତେ କହୁଛ ଦୋସା ପୁଣି ହସିଲା ଆଉ ମଣ୍ଡା ପିଠା ଗୁଡା ଆଣି ମୋତେ କହୁଛ ମୋମୋ। ଭଲ କରି ଟିହିଁକା ଦେଖିଲା ପୁଡ଼ିଆକୁ ଆଉ କହିଲା ଆଲୋ ଖାଲି ମାଆ ସତ ଲୋ ତୋର ସରୁ ଚକୁଳିକୁ ଏଗୁଡ଼ା କହୁଛନ୍ତି ଦୋସା ଆଉ ଏ ମଣ୍ଡା ପିଠାକୁ ମୋମୋ।
ଦୁହେଁ ଖୁବ ଜୋରରେ ହସିବାକୁ ଲାଗିଲେ ହସି ହସି ତଳେ ଗଡି ଯାଉଥାନ୍ତି।
ଆରେ କେଡେ ବୋକା ଏ ଭୋବନେଶ୍ୱର ଲୋକ ଘରେ ସରୁ ଚକୁଳି ଖାଉ ନାହାଁନ୍ତି ଦୋକାନରେ ସରୁ ଚକୁଳି ଖାଇ କହୁଛନ୍ତି ଦୋସା ଖାଇଛୁ ଦୋସା ଆଉ ମଣ୍ଡା ପିଠାକୁ କହୁଛନ୍ତି ମୋମୋ କହିଲା ସୁଶିଳା।
ଟିହିଁକା କହିଲା, ହଁ ଲୋ ଏଗୁଡ଼ା ସହରି ପାଠ ପୁଣି ହସ। ବୁଝିଲୁ ନା ଇଂରେଜ ମାନେ କାହିଁ କେତେ କାଳୁ ଦେଶ ଛାଡି ଗଲାଣି ଗାନ୍ଧୀ ବୁଢା ଠେଙ୍ଗାକୁ ଡରି ଗଲେ ସିନା ଏ ଲୋକଗୁଡ଼ା ଇଂରେଜ ହେବେ ହେବେ ବୋଲି ହୋଇପାରୁନାହାନ୍ତି। ଆଉ ଗୋଟେ କଥା କହିବି କାନ ଦେଖା ଚୁପକିନା କହି ଦେବି ଏ କାନକୁ ଦି କାନ କରିବୁନିଟି କହିଲା ଟିହିଁକା।
ସୁଶିଳା କାନଟାକୁ ଟିହିଁକା ପାଟି ପାଖକୁ ନେଇ ଗଲା।
ଟିହିଁକା କହିଲା ଶୁଣିଲୁଣି ସେଠି ବାପା ନାହାଁନ୍ତି କି ଛୁଆଙ୍କର ମାଆ ନାହାନ୍ତି। ଆଲୋ, ଏ ମୋ ମାଆ ଲୋ କୁଆଡେ ଗଲେ । ଧୀରେ ଧୀରେ କିଏ ଶୁଣିବଟି ଗାଁରୁ ସହରକୁ ଗଲେ ବାପା ମାଆଙ୍କୁ ମାରି ଦେଉଛନ୍ତି କହିଲା ଟିହିଁକା।
ଛାତିରେ ଛେପ ପକେଇ ଦେଲା ସୁଶିଳା କହିଲା ସେତିକି ଥାଉ ଆଉ ସେ ଭୋବନେଶ୍ୱର ନାଁ ଧରିଲେ ହେଇଟି ମୋ ଚଣ୍ଡି ରୂପ କାଢିବି।
ଟିହିଁକା କହିଲା ନାହିଁ ନାହିଁ ସେଠାରେ ନା ବାପା ମାଆଙ୍କୁ ମାରି ଦେଇ ନୂଆ ନାଆଁ ଦେଉଛନ୍ତି ବାପାଙ୍କୁ ଡାଡି ଆଉ ମାଆକୁ ମମି।
ନାଇଁ ଖାଲି ବାପା।ମୋ କୋଳ ଖାଲି ଥାଉ ପଛେ ମୋ ଡାଡି ଦରକାର ନାହିଁ ମୋର ବାଆ କି ବାପା ଦରକାର।
ଦୁହେଁ ପୁଣି ହସି ଉଠିଲେ।
