ଠେଲାପେଲା ଭୋଜି
ଠେଲାପେଲା ଭୋଜି
ରାଧୁ ଅଜା ସବୁଠାରେ ଢୋଲ ଅଜା ଭାବରେ ବେଶ ପରିଚିତ । ଏଇ ନାଁରେ ଯଦି କିଏ ଡାକିଲା କି ତାଳିଟାଏ ମାରିଦେଲା ତ କଥା ସରିଲା । ଅଜାଙ୍କ ଶ୍ରୀମୁଖରୁ ସଂସ୍କୃତ ସହିତ ଇଂରାଜୀ ଭାଷାର ଗାଳିରେ ଚତୁର୍ଦ୍ଦିଗ ପଵିତ୍ର ହେବା ସହିତ କାନ ବି ପବିତ୍ର ହୋଇଯାଏ ।
ତାଳି ସହିତ ଗାଳି ଆଉ ଢୋଲ ସହିତ ଥାଳି କହିଦେଲ ତ ଅଜା ଚଉଦ ପୁରୁଷ ଉଝାଳି ପକାଇବେ । ଗାଆଁରେ ଦୁଷ୍ଟ ଟୋକାମାନେ ଅଜାଙ୍କୁ ଚିଡ଼େଇ ମଜା ଦେଖିବାକୁ ଭାରି ଭଲ ପାଆନ୍ତି ।
ୟା ଭିତର ରହସ୍ୟ ସମସ୍ତଙ୍କୁ ଜଣା । ଅଜାଙ୍କ ପେଟଟି ହାଣ୍ଡି ପରି ବଡ଼ ଆଉ ଖାଇବା ସମୟରେ ସେ ବାଛ ବିଚାର କରନ୍ତି ନାହିଁ ଏକା ନିଃଶ୍ଵାସରେ ଦୁଇ କେଜି ଚାଉଳର ଭାତ, ମାଛ କୋଡିଏ ଖଣ୍ଡ, ଚିକେନ୍ ହେଲେ ଦୁଇ କେଜି, ଖାସି ମାଂସ ହେଲେ ସେଇ ଦୁଇ କେଜି, ଏମିତି ଏମିତି ପେଟ ଫୁଲ କରି ଲାଉ ତୁମ୍ବା କି ଢୋଲ ଭଳି କରି ପେଟକୁ ଆଉଁସି ଆଉଁସି ହେକୁଟି ମାରି ଖୁସିରେ ଗାଆଁ ଦାଣ୍ଡରେ ଚାଲି ଚାଲି ଗଲାବେଳେ ତାଙ୍କୁ ଦୁଷ୍ଟ ଟୋକା ମାନେ ଢୋଲ ଢୋଲ ଡାକି ଚିଡ଼ାନ୍ତି ।
ଆଉ ବିଭିନ୍ନ ସମୟରେ ମେଳା ମହୋତ୍ସବକୁ ଆଗୁଆ ବାହାରି ପଡନ୍ତି । ସଭା ସମିତିରେ ବସିଥିବେ କିଛି ବୁଝ କି ନ ବୁଝ ସମସ୍ତେ ନିରବରେ ବସିଥିବେ ଏହି ସମୟରେ ଅଜା ହଠାତ ତାଳି ମାରିଦେବେ । ସେଇଦିନୁ ତାଙ୍କର ଆଉ ଗୋଟେ ନାଁ ତାଳି.....ଟୋକାଏ ତାଙ୍କୁ ଦେଖିଲେ ତାଳି ମାରି ଦିଅନ୍ତି ଆଉ ତା ପରେ ତ ଅଜାଙ୍କ ଉତ୍ପାତ ଆରମ୍ଭ ହୁଏ ।
ଅଜା କିନ୍ତୁ ଆଈକୁ ଭାରି ଭଲ ପାଆନ୍ତି । ଆଈ ଆମର ଭାରୀ ଆମିଷ ରଙ୍କୁଣୀ । ଅଜା ଆଈଙ୍କ ପାଇଁ ଯେମିତି ହେଲେ ଲୁଗା ଭିତରେ ପୁରେଇ କିଛି ନା କିଛି ଆଣିବା ସାର....ଆଈ ବି ଅଜାଙ୍କ ବାଟକୁ ଚାହିଁ ରହିଥିବେ । ସେ ଆସିଲେ ପାଟିକୁ ଖାଦ୍ୟ ଯିବ ।
ଅଜାଙ୍କୁ ମଜା ଚଖେଇବା ପାଇଁ ଟୋକାଏ ସର୍ବଦା ବାଟ ଖୋଜୁଥାନ୍ତି ।
ଦିନକର କଥା ଗାଆଁ ମହାଜନ ଘର ଝିଅ ବାହାଘର । ମହାଜନ ଵିଷ୍ଣୁ ସାହୁ ମାଛ, ମାଂସ, ଚିକେନ୍ ସବୁ କିଛି ପ୍ରସ୍ତୁତ କରିଛନ୍ତି । ବାହାଘର ଆଉ ଆଠ ଦଶ ଦିନ ବାକି ଅଛି । ଏଇ ବାହାଘରରେ ପାନେ ଦେବାକୁ ପଡ଼ିବ, ଏମିତି ଟୋକାମାନେ ଚିନ୍ତା କରି ଯୋଜନା ପ୍ରସ୍ତୁତ କଲେ ।
ଅଜା ବି ଭାରି ମଜାଳିଆ । ଟୋକା ସଙ୍ଗେ ଟୋକା ଆଉ ବୁଢା ସଙ୍ଗେ ବୁଢା । ହେଲେ କଥା ଭିତରେ ଯଦି ତାଳି କି ଢୋଲ କଥା କହିଲ ଆଉ ସମ୍ଭାଳି ହୁଏନା ।
ଦିନେ ଗାଆଁ ଚଉପାଢ଼ୀରେ ଆଠ ଦଶ ଟୋକା ବସିଥାନ୍ତି । ଏହି ସମୟରେ ପଦନ ଅଜାଙ୍କୁ ଦେଖି ଡ଼ାକ ଛାଡିଲା...ଅଜା ହୋ ଅଜା ୟାଡେ ଟିକେ ଆସିବା ହେଉ....ଅଜା ଏପଟ ସେପଟ ଚାହିଁଲେ....ଟୋକାମାନେ ଡାକୁଛନ୍ତି ଜାଣି ନିଜ ବାଟରେ ଚାଲି ଯାଉଥିଲେ । ଏହି ସମୟରେ ଡ଼ାକ ଦେଲା ରସା...ହୋ ଅଜା ଆସ ଆସ କଥା ଅଛି ।
ଅଜା କହିଲେ... ନା ନା ତୁମଠି କୋଉ ଭରସା... ସବୁବେଳେ ମୋତେ ଥଟ୍ଟା କରୁଛ...ବଡ଼ ସାନ ଜାଣିନ... କି ସମୟ ଜ୍ଞାନ ତୁମର ନାହିଁ କି ସ୍ଥାନ କାଳ ପାତ୍ର ନାହିଁ... ଖାଲି ଥଟ୍ଟା କରିବା ତୁମର ଗୋଟେ ଅଭ୍ୟାସ । ମୋର ତୁମ ନିକଟରେ ବସିବାର ନାହିଁ ।
ରସିକ...ହଠାତ ଉଠିପଡ଼ି.... ଅଜାଙ୍କ ହାତ ଧରି ପକେଇଲା.... ବୁଝିଲ ଅଜା ଆମେ ନାତି ଗୁଡା କେତେବେଳେ କଣ କହିଦେଲୁ ଯେ ସେଇ କଥା ଧରି ବସୁଛ । ଛାଡ଼ ମ ତୁମ ସହ ଗୋଟେ କଥା ଅଛି ।
ସେ ଯୋଉ ବିଷ୍ଣୁ ସାହୁ ମ.... କାମ୍ପିଟା ଏଥର ଝିଅ ବାହାଘର କରୁଛି....ସେଦିନ ଅଜା ତୁମେ ଆମ ସହିତ ନାଚିବ... ଆଉ ଏକାଠି ଖାଇବ ।
ନା ନା ତୁମେ ବଗୁଲିଆ ଗୁଡ଼ାକ...ଏତେ ଲୋକ ଭିତରେ ମୋ କଛା ଟାଣି ଦେଵ ଯଦି ମୋ ଇଜ୍ଜତ ହା ହୋଇଯିବ । ତୁମ ସହ କିଏ ଯିବ ।
ନାଇଁ ମ ଅଜା ତୁମ ସହ ଖାଇଲେ ଆମକୁ ଅଧିକା ଦିଖଣ୍ଡ ମାଛ ମିଳିବ । ସେଇଥିପାଇଁ କହୁଥିଲୁ ନା...
କିରେ ଆଉ କଣ ସେ ଯୁଗ ଅଛି । ଏକାଠି ବସି ଭାଗବତ ପଢି...ପଂକ୍ତି ଭୋଜନ ନାହିଁ । ମୋତେ କିଏ କହୁଥିଲା ମହାଜନ କଣ ଠେଲାପେଲା ଭୋଜି ଦେଉଛି ।
କିହୋ ଅଜା....ଠେଲାପେଲା ଭୋଜି କଣ... ଆମେ ତ କାନ ଉଠିଲା ଦିନୁ ଶୁଣି ନଥିଲୁ...ପଚାରିଲା ମାଧିଆ ।
ହଁରେ ନାତିଆ... ସେଇଟା କୁଆଡେ ବଫେ ବଫେ ଆଉ ତାକୁ ମୁଁ କହୁଛି ଠେଲାପେଲା ଭୋଜି । ଏଇଟା କଣ ଭୋଜି ଯିଏ କହୁଣୀ ଖେଞ୍ଚି, ଡିହ ମାରି, ଉପରେ ପଡି ଖାଇବା ଆଣିଲା ତା ପେଟ ପୁରିଲା ଆଉ ଯିଏ ଭିଡକୁ କି ଠେଲାପେଲାକୁ ଯାଇ ନପାରିଲା ସେ ଅଧା ପେଟରେ ଘରକୁ ଫେରିଲା ।
ଠିକ ଅଛି ଅଜା ତୁମେ ଆମ ପାଖରେ ରହିବ ଆମେ ଏକାଠି ରହିଲେ କିଛି ଅସୁବିଧା ହେବ ନାହିଁ ।
ଟୋକାଙ୍କ କଥାରେ ହଁ ଭରି ଅଜା ଧୀରେ ଧୀରେ ସେଠାରୁ ଫେରିଲେ ହେଲେ ତାଙ୍କ ମନ ମାନିଲା ନାହିଁ... ତାଙ୍କୁ ଡାକିଲେ କଣ ପାଇଁ ।
ବାହାଘର ଦିନ ସନ୍ଧ୍ୟାରେ ଅଜା ନୁଆ ଲୁଗା ପିନ୍ଧି...ଖୋର୍ଦ୍ଧା ଗାମୁଛା କାନ୍ଧରେ ପକେଇ ଚାଲିଲେ ଚଉପାଢ଼ୀ ନିକଟକୁ ଆଜି ଟୋକାଙ୍କ ସହିତ ଯିବେ ..ଏକୁଟିଆ ଗଲେ ସେ ଖାଇପାରିବେ ନାହିଁ ।
ସମସ୍ତେ ଏକାଠି ହୋଇ ଚାଲିଲେ । ଭୋଜି ବାସ୍ନାରେ ପେଟ ପୁରି ଯାଉଥାଏ । ହେଲେ ସେଠାରେ ପହଞ୍ଚି ଅଜାଙ୍କ ଅକଲ ଗୁଡୁମ । ଲୋକ ହାଉ ଯାଉ....ତା ଉପରେ ତା ଉପରେ ପଡି ଭୋଜି ଖାଇବାକୁ ତତ୍ପର । ସେ କୋଉଠି ଭୋଜି ଖାଇବେ । ଧାଡି ତ ଲମ୍ବା ଛିଡ଼ା ହେଲେ ଘଣ୍ଟାଏ ଲାଗିବ ।
କିଛି ନଭାବି ଟୋକାଙ୍କ ମଝିରେ ଛିଡ଼ା ହେଲେ... ଧୀରେ ଧୀରେ ଧାଡି ଭୋଜି ନିକଟରେ ପହଞ୍ଚିଲା....ଗୋଟେ ପ୍ଲେଟ ଧରି ଅଜା...ଭୋଜି ଆଣିଲେ...ଯେତିକି ରାଇସ, ତରକାରୀ, ମାଛ, ଚିକେନ୍, ସବୁ ଦେଲେ ଅଜା ତାକୁ ଦେଖି ଖାଇବେ କଣ... ମୁଣ୍ଡ ଘୁରେଇ ଦେଲା.... ଏତିକି ଜିନିଷ ତ ପେଟର ଗୋଟେ କୋଣକୁ ନିଅଂଟ ।
ଅଜାଙ୍କ ମନ ଖଟା ହୋଇଗଲା । ସେତିକି ଭିତରୁ ସେ ଖାଇବେ କେତେ ଆଉ ଆଈ ପାଇଁ ନେବେ କେତେ...ନା ସେ ନଖାଇଲେ ନାହିଁ... ବୁଢୀଟା ଚାହିଁଥିବ....ଅଣ୍ଟି ଭିତରୁ ପଲିଥିନ ବାହାର କରି ମାଛ ଖଣ୍ଡକ...ଖଣ୍ଡେ ତ ନୁହଁ... ଗୋଟେ ମାଛ ଖଣ୍ଡର ଅଧାକୁ ପୁରେଇ ଅନ୍ୟ ତକ ଖାଇଦେଲେ ।
ଏତିକି ଖାଇବା ମାତ୍ରେ ଭୋକ ଆହୁରି ବଢ଼ିଗଲା । ପ୍ଲେଟ ତାକୁ ଧରି ଖାଇବା ଆଣିବାକୁ ଯିବାକୁ ଚାହିଁବା ବେଳକୁ କୋଉଠିକୁ ଯିବେ....ତିନି ଚାରି ଜାଗାରେ ଚେଷ୍ଟା କଲେ....ଠେଲାପେଲାରେ ଆଉ ଖାଇବା ନିକଟକୁ ଯାଇ ପାରିଲେ ନାହିଁ ।
ମନ ଦୁଃଖରେ ଅଜା ଗୋଟେ କୋଣରେ ଛିଡ଼ା ହେଲେ ।
ସାଥିରେ ଆସିଥିବା ମାଧିଆକୁ ଅଜା ଖୋଜି ଖୋଜି ପାଇଲେ ଆଉ ଭୋଜି ଖାଇବା କଥା କହିଲେ.... ମାଧିଆ କହିଲା... ଅଜା ଆମେ ପରା ଏଯାଏଁ ଖାଇନୁ...ରୁହ ଆମେ ଦେଖୁଛୁ ।
ଅଜା ସେମିତି ଛିଡା ହୋଇ ରହିଲେ ଭୋଜି ପାଖକୁ ଯିବାବାକୁ ସାହସ ପାଇଲା ନାହିଁ । ଥରେ ଭିଡ଼ ଠେଲି ଗଲେ ଯେ କିଏ ଗୋଟେ ତାଙ୍କୁ ଠେଲି ଦେଲା..ଆଉ କିଏ ଭୋଜି ଗୁଡା ତାଙ୍କ ଉପରେ ଢାଳି ଦେଲା । ଅଜାଙ୍କ ଦେହ ସାରା ଭାତ, ଡାଲି ତରକାରୀରେ ଅସନା କରିଦେଲା ।
ସେତିକି ବେଳୁ ଅଜା ଛିଡ଼ା ହୋଇଛନ୍ତି କୋଉଠି ଟିକେ ଫାଙ୍କା ହେଲେ ନିଜେ ଖାଇବେ ଆଉ ଆଈ ପାଇଁ ନେବେ ।
କିଏ ଗୋଟେ କହିଲା....ଭୋଜି ଆଉ ନାହିଁ ରେ....ସରିଗଲା ଚାଲ ଚାଲ ଫେରିଚାଲ । ଅଜାଙ୍କ ମୁଣ୍ଡ ଘୁରିଗଲା । ସେ ତ କିଛି ଖାଇ ନାହାନ୍ତି... କରିବେ କଣ.... ଢୋଲ ପେଟଟା ଏଯାଏଁ ଭୋକରେ ଭିଡି ମୋଡି ହେଉଛି ।
କିଛି ଆଉ ନ ଭାବି ଅଜା ଘରକୁ ଫେରିଲେ ।
ଅଜା ଭୋଜି ଆଣିଥିବେ ଜାଣି....ଆଈ ଥାଳି, ଗିନା ସବୁ ଥୋଇଦେଲେ ।
ଅଜା ଅଣ୍ଟି ତଳୁ ମାଛ ଖଣ୍ଡକ କାଢି ଥାଳିରେ ପକେଇ ଦେଲେ.... ଏଡିକି ଟିକିଏ ମାଛ ଖଣ୍ଡକୁ ଦେଖି ଆଈ ମୁଣ୍ଡ ଗରମ ହୋଇଗଲା ।
ମାଛ ଖଣ୍ଡକ ଧରି ଦୁଆରକୁ ଫୋପାଡ଼ି ଦେଲେ ।
କୋଉଠି ବିଲେଇ ଟା ଥିଲା ଟକ କରି ମାଛ ନେଇ ପଳାଇଲା ।
ଅଜା ଆଈକୁ ବଫେ ଭୋଜିର ହଟହଟା କଥା କହିଲେ । ଆଈ ଆଉ କରିବେ କଣ ଶେଷରେ ପାଣି ପିଇ ଶୋଇଗଲେ ।
ସେଇ ଦିନୁ ବଫେ କଥା ଶୁଣିଲେ ଅଜା ଭୋଜି ହେଉଥିବା ଜାଗା ମାଡନ୍ତି ନାହିଁ ।