Ashok Moharana

Comedy

3  

Ashok Moharana

Comedy

ଡାଲି ହେଲା ଲୁଣିଆ

ଡାଲି ହେଲା ଲୁଣିଆ

3 mins
144



 ହଁ ବହୁତ ଦିନପରେ କାକୁଡ଼ିଖାଈର ବାହାଘର ହେବ। ଏ କଥା ଶୁଣିବା ବେଳୁ କାକୁଡିଖାଈର ଗୋଡ଼ ତଳେ ଲାଗୁନାହିଁ।ଏଇ ଥରକୁ ମିଶାଇ ସେ ଶହେ ଆଠ ପୁଅ ଦେଖିଲାଣି କେଉଁ ପୁଅଟା ତା ଛାତିକୁ ହଟ କରିପାରୁନି। 

ଏଥର କିନ୍ତୁ ଠିଆଚୁଟିକୁ ଦେଖି କାକୁଡ଼ି ଖାଈର ମନ ଉଚ୍ଚାଟ ଧରିଛି । ଚୁଟି ଗୁଡା ଠିଆ ହୋଇଛି ଗୋରା ତକତକ ଚେହେରାକୁ ଚୁଟି ଦେଖି ତାର ଚୁଟି ଗୁଡ଼ାକ ଠିଆ ହୋଇ ପଡ଼ିଲା।ନା ଏଥର ସୁଯୋଗ ଛାଡିଲେ ଆଉ ମିଳିବେନି, କଥାରେ ଅଛି କାନ୍ଦୁଥିବ ଯାହା ପାଇବ ବାନ୍ଧୁଥିବ ଏୟାକୁ ହିଁ ହାତକୁ ଦି ହାତ ହେବାକୁ ପଡିବ।

ଠିଆଚୁଟିକୁ ବି ଝିଅ ମିଳୁନଥିଲେ କାକୁଡି ଖାଇକୁ ଦେଖିବା ମାତ୍ରେ ତା ଆଖି ଦୁଇଟା ଯେମିତି ରଥ ଦଉଡି ଟାଣିଲା ଭଳି ଟାଣି ହୋଇଗଲା।

ବାହାଘର ଦିନ ଠିକ ହୋଇଗଲା। ପୁଣି ବାହାଘର ବି...ଝିଅ ବାହା ପୂର୍ବରୁ ମାଆ ଝିଅକୁ କହିଲେ, ଶୁଣ କାକୁଡ଼ିଖାଈ ମୋ କଥାକୁ କାନିରେ ଗଣ୍ଠି ପକେଇ ରଖିବୁ ତ ଶାଶୁଘରେ ଭଲରେ ରହିବୁ।

ଶାଶୁଘରେ ଶାଶୁଙ୍କୁ କେବେ ଉତ୍ତର ଦେବୁ ନାହିଁ, ଶଶୁରଙ୍କ ଆଗରେ ଓଢଣା ଖସେଇବୁ ନାହିଁ, ସ୍ୱାମୀକୁ ଘର କଥା କହିବୁ ନାହିଁ, ସବୁବେଳେ ତାଙ୍କ କଥା ମାନି ଚାଲିବୁ, ଭୋକ ହେଲେ ମାଗିବୁ ନାହିଁ କି ଆଗ ଖାଇଦେବୁ ନାହିଁ।

କାକୁଡିଖାଈ ହଁ ଭରିଲା.... ଭଲରେ ଭଲରେ ଶାଶୁଘରକୁ ଚାଲିଗଲା।

ବୋହୁକୁ ସମସ୍ତେ ଦେଖି କହିଲେ ବୋହୁ ଖଣ୍ଡେ ହୀରା ।

ଏ କଥା ଶୁଣି କାକୁଡ଼ିଖାଈର ଛାତି ଆହୁରି ଫୁଲି ଗଲା।

ସ୍ୱାମୀ ଠିଆଚୁଟିକୁ ସବୁବେଳେ ଘର ଭିତରେ ପୁରେଇ ଚୁପ ଚୁପ କଥା ହେଲା।

ଏମିତି କିଛି ଦିନ ଗଲା, ମାଆର କଥାକୁ କାକୁଡ଼ିଖାଈ ମନେ ରଖିଥାଏ।

 ପ୍ରଥମ କଥା ହେଲା ମାର କଥା ଭୋକ ହେଲେ ଆଗ ଖାଇବୁ ନାହିଁ, କିରେ ଭୋକ ହେଲେ କିଏ ସମ୍ଭାଳିବ... ମାଆ ତ ଖାଇବାକୁ ମନା କରିଛନ୍ତି ହେଲେ ପିଇବାକୁ ନୁହେଁ। ସବୁଦିନ ଶାଶୁ ହରଡ଼ ସହିତ ଭିନ୍ନ ଭିନ୍ନ ଡାଲି କରିବାକୁ ଦିଅନ୍ତି।ଭଲ ଭାବରେ ଡାଲି କରି ଫୁଟଣ କରି ରଖାହୁଏ।ସମସ୍ତେ ଆସିଲେ ଖଇବା କଥା।କାକୁଡ଼ିଖାଈକୁ ଭୋକ ହେବା ମାତ୍ରେ ଗ୍ଲାସରେ ଡାଲି ଆଣି ପିଇ ପକାଏ ଆଉ ସେଥିରେ ପାଣି ମିଶେଇ ଦିଏ।ଖାଇବା ବେଳକୁ ଡାଲି ପାଣିଆ, ପଚାରିଲେ ବୋହୁ ଉଁ କି ଚୁଁ କିଛି ଉତ୍ତର ଦିଏନା।

ସତକୁ ସତ ମାଆ କଥାକୁ ଅକ୍ଷରେ ପାଳନ କରୁଛି, ଭୋକ ହେଲେ ଖାଇବାକୁ ମାଗୁନାହିଁ ଡାଲି ପିଏ ପେଟ ପୁରି ଯାଉଛି ତ ମାଗିବ କାହିଁକି ? 

ଶାଶୁ ଡାଲି କେମିତି ପାଣିଆ ହେଉଛି ପଚାରିଲେ କିଛି ଉତ୍ତର ଦେଉନି ଚୁପଚାପ ରହୁଛି।

ଏକଥା ସ୍ୱାମୀ ଠିଆଚୁଟିକୁ ଶାଶୁ କହିବାରୁ କାକୁଡ଼ିଖାଈ କିଛି ଉତ୍ତର ଦେଲାନାହିଁ।

ସବୁବେଳେ ହାତେ ଓଢଣା ଦେଇ ଚଳପ୍ରଚଳ କରିଲା।

ବୋହୁର ସ୍ଵଭାବ ଦେଖି ସମସ୍ତଙ୍କ ମୁଣ୍ଡ ଗରମ ହୋଇଗଲା। କଥା କଣ ବୋହୁ ଶାଶୁଙ୍କୁ କିଛି ଉତ୍ତର ଦେଉନାହିଁ। ଖାଇବାକୁ ମାଗୁନାହିଁ।କଥା କଣ ?

ଶାଶୁ ଦିନେ ଏ ଗୁମର ଜାଣିବାକୁ ଡାଲି ଫୁଟେଇ ଗାଧୋଇବା ନାମରେ ଚାଲିଗଲେ।ଆଟୁ ଉପରେ ବସି ଭାବିଲେ ବୋହୁର କଣ କାରନାମା ଧରିବାକୁ ପଡିବ।

ଶାଶୁ ଲୁଚି ଦେଖୁଥାନ୍ତି, ସମସ୍ତେ ଘରୁ ଚାଲିଯିବା ପରେ ଗ୍ଲାସରେ ଡାଲି ନେଇ ପେଟ ପୁରେଇ ପିଇ ଦେଲା ଆଉ ସେଥିରେ ପାଣି ମିଶେଇ ଦେଲା।

ଅଜାଗା ଘାଆ କହିବେ କାହାକୁ, ସମୁଦୁଣୀଙ୍କୁ ଡକେଇ ପଠେଇଲେ।

ସମୁଦୁଣୀ ଆସିବା ପରେ ଝିଅର ଗୁଣ ସବୁ କହିଲେ, ଏ କଥା ଶୁଣି ସମୁଦୁଣୀ ଠୋ ଠୋ ହୋଇ ହସିଲେ କହିଲେ ସମୁଦୁଣୀ ଝିଅକୁ କହିଥିଲି ଭୋକ ହେଲେ ଆଗ ଖାଇବୁ ନାହିଁ, ମୋ ଝିଅ କଣ ଖାଉଛି...ସେ ପରା ପିଉଛି।କହିଥିଲି ଶାଶୁକୁ ଉତ୍ତର ଦେବୁ ନାହିଁ, ମାନେ ବଡ ଲୋକଙ୍କୁ ସମ୍ମାନ ଦେବୁ ଆଉ ତାଙ୍କ କଥା ମାନି ଚଳିବୁ । ଶଶୁର ଆଗରେ ଓଢଣା ଦେବୁ ତା ମାନେ ଘର ଭିତରେ ଦିନ ତମାମ ସେମିତି ଟାଣିଥିବୁ ନୁହେଁ । ସ୍ୱାମୀ ଆଗରେ ଘର କଥା କହିବୁ ନାହିଁ ତା ଅର୍ଥ କଣ ଭଲ ମନ୍ଦ କଥା କହିବୁ ନାହିଁ। ବୁଝିଲ ସମୁଦୁଣୀ ମୋ ଝିଅ ଏବେ ତୁମ ବୋହୁ ତାକୁ ବୁଦ୍ଧି ଶିଖେଇବା ତୁମ କାମ।

ଏଥର ଶାଶୁ ଗୋଟେ ଫନ୍ଦି କଲେ, ସବୁବେଳେ ଡାଲି କରି ସେଥିରେ ମେଞ୍ଚେ ଲେଖାଏଁ ଲୁଣ ପକେଇ ଦେଲେ ସବୁଦିନେ ଆଉ ଡାଲି ପାଣିଆ ହେଲା ନାହିଁ।

ଦିନକର କଥା, କାକୁଡ଼ିଖାଈ ମନ ଦୁଃଖରେ ବସିଛି...ମୁହଁଟି ସୁଖୀ କଳା କାଠ ପଡିଯାଇଛି।

ଲୁଚେଇ ଲୁଚେଇ ଡାଲି ପିଇ ଦିଏ ବୋଲି ଭୋକ ହୁଏନି। ଏବେ କଣ କରିବ ମାଆ ଆସିଥିଲା ବି କିଛି କହିଲା ନାହିଁ।ଓଲଟା କହିଲା ଝିଅ ଦେଖିକି ଚଳିବୁ।

ଦିନକର କଥା କାକୁଡ଼ିଖାଈକୁ ଭାରି ଭୋକ ହେଲା କଣ କରିବ ମାଆ କହିଛି ସମସ୍ତେ ଖାଇ ସାରିବା ପରେ ଖାଇବୁ ଆଗୁଆ ଖାଇବୁ ନାହିଁ।କଣ କରିବ ଭୋକରେ ପେଟ ଜଳୁଛି ବାଡିରୁ ପିଜୁଳି ଦିଟା ତୋଳି କଞ୍ଚା ପିଜୁଳିକୁ ଚୋବେଇବାରେ ବ୍ୟସ୍ତ।

ଶାଶୁଙ୍କ ଦୃଷ୍ଟି ପଡିଗଲା, ସେ ଜାଣିଲେ ଯେ ବୋହୁକୁ ବହୁତ ଭୋକ ହେଲାଣି । ନିଜେ ଯାଇ ଆଉ ଦିଟା ପିଜୁଳି ତୋଳି ବୋହୁକୁ ଦେଲେ କାକୁଡ଼ିଖାଈ ସେତକ ବି ଉଦରସ୍ଥ କରିଦେଲା।

ହେଲେ ଏ ପିଜୁଳି କେତେ ସମୟ ପେଟରେ ରହିବ । କାହାରିକୁ କିଛି କହିପାରିଲା ନାହିଁ । ଶାଶୁ କହିଲେ ଆଲୋ ବୋହୁ ମୋତେ ବହୁତ ଭୋକ ହେଲାଣି ଆଣ ଖାଇବା।

କାକୁଡ଼ିଖାଈ ଭାତ ତରକାରୀ ଦେଲା ହେଲେ ନିଜେ ଖାଇବାକୁ ଆଣିଲା ନାହିଁ । ଶାଶୁ ଖାଈ ବସିଲେ, ଦେଖିଲେ ବୋହୁ ତାଙ୍କ ଖାଇବା ଥାଳିକୁ ଚାହିଁଛି । କିଛି ନକହି ବୋହୁ ହାତକୁ ଧରି ପାଖରେ ବସେଇ ଖୋଇଦେଲେ ଆଉ କହିଲେ ଆଲୋ ମାଆ ଶାଶୁ କିଏ ମାଆ କିଏ ତୋ ମାଆ କହିଥିଲା ଆଗ ଖାଇଦେବୁ ନାହିଁ ତା ଅର୍ଥ ତୁ ଏୟା ବୁଝିଲୁ ଶାଶୁଘରେ କଥା ଅଲଗା ବାପା ଘରେ କଥା ଅଲଗା । ତୋତେ ଭୋକ ହେଲେ ମାଗିବୁ ନାହିଁ କି ଖାଇବୁ ନାହିଁ ଏ କଥା କିଏ କହିଲା। ବୋହୁ କିଏ ଝିଅ କିଏ ସବୁ ଭୁଲ ବୁଝି ପାରିଲା କାକୁଡିଖାଈ ଆଉ ଭୋ ଭୋ ହୋଇ କାନ୍ଦି ଉଠିଲା।

ଶାଶୁ କହିଲେ ଆଲୋ ଖାଇଦେ ନହେଲେ ତଣ୍ଟିରେ ଠାକିବ।।


Rate this content
Log in

Similar oriya story from Comedy