STORYMIRROR

Satyabati Swain

Romance

3  

Satyabati Swain

Romance

ଇଗୋ ହଟ୍

ଇଗୋ ହଟ୍

5 mins
202


ଅନୁଭବ କାନଭାସେ

କବିତାର ଚିତ୍ର

ଜୀବନ ଜୀଇଁବା ତୁଳୀ

ଆଙ୍କୁଛି ଅଦ୍ଭୁତ

କରୁଛି ବିସ୍ମିତ

ଅଙ୍ଗେ ଲିଭା ଜୀବନ ସଙ୍ଗୀତ!

କିଏ ତୁମେ ଅଦେଖା ଭାଗ୍ୟ 

ସମୟ ଓ ଷଠିଦୂତି

ଚମତ୍କାର ଲୋଭନୀୟ କରିଅଛ ଏ ସୃଷ୍ଟି

ଖୁନ୍ଦି ଦେଇ ମାୟା ମୋହ

ସମ୍ପର୍କର ସମ୍ମୋହନୀ ବଂଶୀର ସଙ୍ଗୀତ !


ଏବେ କାଇଁ ମନ ହୁଏ ହୋଇ ଯିବାକୁ ଅତୀତ ଅତୀତ

କିଏ ଆକର୍ଷି ନିଏ ମୋ ଜୀବନର ଭାସମାନ ବୋଇତ !!


ନୀଳାରୁଣ ପୁଣି କବିତା !


ସେଭିଂ ହେଉ ହେଉ ଟିକେ ନିଜକୁ ଭଲ ଭାବେ ଦେଖିଲି।ଏଇ ମୁହଁଟା ନୀଳାରୁଣର ତ ! ଭାରି ଅସହାୟ ଲାଗିଲା ସ୍କୁଲ କଲେଜର ସେ ଚକଲେଟ୍ ବଏକୁ ଖୋଜୁ ଖୋଜୁ।


ଆଃ ଚକଲେଟ୍ ବଏ ! 


ଏ ସମ୍ବୋଧନରେ ଏକ ପ୍ରବଣତା ଲୁଚି ରହିଥିଲା। ନିଜକୁ ଭାଗ୍ୟବାନ ଭାବୁଥିଲି। ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲି ଏମିତି ସୁନ୍ଦର କରି ଗଢିଛନ୍ତି ବୋଲି । ସ୍କୁଲରୁ କଲେଜ ଯାଏ କେତେ ଝିଅଙ୍କର ସ୍ୱପ୍ନ ଛଡେଇ ଆଣିଛି ମୋ ଚେହେରା ଓ ସ୍ଵଭାବ।


ମୁଁ କିନ୍ତୁ ଅଟକି ଯାଇଥିଲି ଜଣକ ପାଖେ। 


ସେ ଗର୍ବୀ ପଥର ହୃଦୟ ଝିଅଟା କିନ୍ତୁ ନୀଳାରୁଣର ଇପ୍ସିତ ଥିଲା। ଯିଏ ନିହାତି ଝଡ଼ ପରର ନିରବ ଆକାଶ ପରି ସବୁବେଳେ।


ଏବେ ପଇଁଚାଳିଶ ବର୍ଷରେ ବୟସ କଣ୍ଟା । ସୁନ୍ଦରୀ ସ୍ତ୍ରୀ ଜ୍ୟା ଓ ଏଗାର ବର୍ଷର ଝିଅ ଗ୍ୟାରା। ସେଦିନର ଚକେଲେଟ ବଏ ହିରୋ ସଭିଙ୍କ ପସନ୍ଦ ଚେହେରା ଆଉ ନାହିଁ ମୋର। ମେଦ ବୃଦ୍ଧି ହୋଇ ପେଟ ଟିକେ ବାହାରି ପଡ଼ିଲାଣି।ନାକ ଦୁଇ ପାଖେ ଦୁଇଟି ଗାର।ଦରାଣ୍ଡୁଥିଲି ହିରୋ ନୀଳାରୁଣକୁ । ଓଜନ ବଢୁଛି ବୋଲି ଜ୍ୟା ସବୁବେଳେ ଲଗେଇଛନ୍ତି ଜିମ୍ ଯାଅ ଜିମ୍ ଯାଅ। ତୁମ ସୁନ୍ଦର ଚେହେରା ଖରାପ ଦିଶିବାକୁ ବସିଲାଣି। ରିଟାୟର୍ଡ ହୋଇଥିବା ଷାଠିଏ ବର୍ଷରୁ ଅଧିକ ବୟସ୍କ ଲୋକେ ତ ଟୋକା ପରି ଦିଶୁଛନ୍ତି। ତୁମକୁ କେତେ ବୟସ ହୋଇ ଯାଇଛି କି ଏମିତି ?


ତୃପ୍ତିର ହସଟିଏ ମୋତେ ଛୁଏଁ । ଯାହା ହେଉ ଜ୍ୟା ସବୁବେଳେ ମୋ ଫିଟନେସ୍ ଓ ସୁସ୍ଥତା ପାଇଁ ଚିନ୍ତିତ।ସବୁ ସ୍ତ୍ରୀ ଏମିତି। ନିଜ ସ୍ୱାମୀ ସବୁବେଳେ ଯୁବକ ରହୁ ମହଙ୍ଗା ଇଛାଟିଏ କରନ୍ତି ।


ସଂକ୍ଷେପରେ କହିବାକୁ ଗଲେ ମୁଁ ଜଣେ ସଫଳ ସଂସାରୀ ପୁରୁଷ । ତେବେ ବି ଅସନ୍ତୁଷ୍ଟତା କେଉଁଠି ? କାହିଁକି କାଲିଠାରୁ ଏତେ ଅଶାନ୍ତ ମୁଁ ? କଣ ହୋଇଛି ମୋର ? ଡାଇରୀଟି ଧରି ବସୁ ବସୁ ଏ ବୟସରେ କବିତା ଲେଖି ହୋଇଗଲା ! କବିତା ସହ ମୋର ସମ୍ପର୍କ କେବେ ତ ନ ଥିଲା ! ଜ୍ୟା କବିତା ପଢି ହସି ହସି ଗଡି ଯାଇ କହିଲେ , ତୁମ ଭିତରେ ଏତେ ସୁନ୍ଦର ପ୍ରତିଭା ମୁଁ ତ ଆବିଷ୍କାର କରି ପାରି ନ ଥିଲି ! କଥା କଣ ଡ଼ାଇରେକ୍ଟର ବାବୁ କାହା ପ୍ରେମରେ ପଡି ଯାଇଛନ୍ତି କି ? 


ଏମିତି କାହିଁକି କହୁଛ ଜ୍ୟା ?


କୁହନ୍ତି ପ୍ରେମରେ ପଡିଲେ କାଳେ କବିତା ଲେଖି ହୋଇଯାଏ । ତୁମେ କି ସୁନ୍ଦର ଛୋଟ କବିତାଟିଏ ଲେଖିଛ!


ଆରେ ହଁ ହଁ ଜ୍ୟା ମୁଁ ବି ଆଶ୍ଚର୍ଯ୍ୟ। କବିତା ପୁଣି ମୁଁ ! କେଜାଣି କେମିତି ଲେଖି ହୋଇଗଲା। ଅଫିସରେ ପହଞ୍ଚି

ମୋ ଅନ୍ୟ ମନସ୍କ କାରଣ ଖୋଜିଲି। ଟିଭିରେ ସେ ସାକ୍ଷାତାକାରଟି ଦେଖିଲା ପରଠାରୁ ମନଟି ଅସୁସ୍ଥ ଅସୁସ୍ଥ ଲାଗୁଛି। ଯେଉଁ ଝିଅଟିର ଇଣ୍ଟରଭିୟୁ ନିଆ ଯାଉଥିଲା ସେ ମୁକ ଓ ବଧିର ! ତା ନାଁ ପରିଧି ! ସେତିକିବେଳୁ ମନଟି ଭଲ ଲାଗୁ ନାହିଁ। ଅପରାଧୀ ଅପରାଧୀ ଲାଗୁଛି।


ଫେରିଗଲି ପନ୍ଦର ଷୋହଳ ବର୍ଷ ତଳକୁ। 


ବସ୍ ଷ୍ଟପେଜ। ହଁ ବସ୍ ଷ୍ଟପେଜରେ ଦୀର୍ଘ ଏକମାସ ଧରି ଗୋଟେ ଝିଅ ସହ ଦେଖା ହେଉଥିଲା। ପାରାଦୀପ ବସ୍ ଷ୍ଟ ପେଜରୁ ସେ କଟକ ବସ୍ ଚଢ଼ିଲା ବେଳେ ମୁଁ ସେହି ବସ୍ ରେ ଯାଉଥିଲି ଜଗତସିଂହପୁର। ବାଟରେ ମୁଁ ଓହ୍ଲାଇ ପଡୁଥିଲି।କିନ୍ତୁ ଦୁଷ୍ଟ ମନଟି କଟକ ଚାଲି ଯାଉଥିଲା ସେ ଝିଅଟି ସହ। ଏମିତି ହୋଇଛି ଖାସ୍ ସେ ଝିଅଟି ପାଇଁ କେତେ ଥର ଜଗତସିଂହପୁର ନ ଓହ୍ଲେଇ କଟକ କେତେବେଳେ ପହଞ୍ଚି ଯାଇଛି ଜାଣି ପାରି ନାହିଁ। ଝିଅଟି କିନ୍ତୁ ମୋତେ ଦେଖୁ ଦେଖୁ ନିଷ୍ପାପ ହସଟିଏ ମୋ ଆଡ଼କୁ ଫୋପାଡ଼ି ଦିଏ। ଯାହାକୁ ଚଟକିନା ତଳେ ପଡିବା ପୂର୍ବରୁ ଧରି ନେଇ ଛାତିରେ ସାଇତି ଦିଏ।ତା ହସର ପତ୍ୟୁତ୍ତର ମୋ ଓଠ ଦିଏ ଲାଜ ମିଶା ହସରେ।


ଝରକା ପାଖ ସିଟ୍ ରେ ବସି ବାହାରକୁ ଚାହିଁ ଥାଏ ସିନା ମନଟି କିନ୍ତୁ ସେ ଝିଅ ପାଖେ ବସିଥାଏ। ମୋତେ ଲାଗେ ସେ ଝିଅଟି ଚୁମ୍ବକ ଆଉ ମୁଁ ଲୁହା।


କଣ୍ଡକ୍ଟର ଡାକେ ସାର୍ ଓହ୍ଲେଇବେ ନାହିଁକି ? ସମସ୍ତେ ଗଲେଣି। ମୁଁ ଭାବନା ରାଜ୍ୟରୁ ଫେରି ଆସି କୁହେ ଓଃ ଆଖିଟା ଲାଗି ଯାଇଥିଲା। ବସ୍ ରୁ ଓହ୍ଲେଇଲା ବେଳକୁ ଝିଅଟି କୁଆଡେ ହୋଇଥାଏ ଛୁ ।କାନ ମୂଳ ଆଉଁସି କଟକରୁ ଜଗତସିଂହପୁର ବସ୍ ଧରେ । ଡେରିରେ ଅଫିସ୍ ରେ ପହଞ୍ଚେ । ଷ୍ଟାପ ମାନେ ଚୁପ୍ ଚାପ୍ କଥା ହୁଅନ୍ତି ଏ ନୂଆ ଟୋକା ଅଫିସରଟାର ସମୟ ଜ୍ଞାନ ନାହିଁ।କାମ ଚୋରଟା ।ଚାକିରୀ ଆରମ୍ଭରୁ ଠକିଲେଣି । ଭାରି ଖରାପ ଲାଗେ ଏସବୁ ଶୁଣି। ମୁଁ ଆଦୋୖ ଏପରି ନୁହେଁ।ପିଲାଦିନୁ ପ୍ରତି କଥାରେ ଖୁବ୍ ସମାୟାନୁବର୍ତ୍ତି । କିନ୍ତୁ ଏ ଝିଅଟି ପାଇଁ ସବୁ ଭୁଲ୍ ଭାଲ ହୋଇ ଯାଉଛି କଣ ପାଇଁ !


ବୁଝି ପାରେ ନାହିଁ ସେ ଝିଅ ସହ ମୋର ସଂପର୍କ କଣ ? ତା ପାଇଁ ମୁଁ ଏମିତି ହେଉଛି କାହିଁକି ? ନାଁ ,ଗାଁ କିଛି ଜଣା ନାହିଁ। ଅଥଚ ମୁଁ ତାକୁ ଟିକେ ଦେଖିବାକୁ ପାଗଳ !


ପ୍ରତିଦିନ ଦେଖା ହେଉ ହେଉ ଝିଅଟି ପ୍ରତି ଅଦ୍ଭୁତ ଏକ ଆକର୍ଷଣ ବଢି ଯାଇଥିଲା ମୋ ଭିତରେ ଧୀରେ ଧୀରେ।ତାକୁ ନେଇ ଏଣିକି ସ୍ୱପ୍ନ ଦେଖିବା ବି ଆରମ୍ଭ କରିଦେଲି। ଯୁବ ମନଟିର ଲଗା କି ପଘା ନ ଥାଏ । ଯେଉଁଠି ସୁନ୍ଦରୀ ଝିଅଟିଏ ଦେଖିଲା ତ କୁରୁଳି ଉଠେ । ସେ ଝିଅଟି ବିଷୟରେ କିଛି ଜାଣି ନ ଥିଲେ ମଧ୍ୟ ତାକୁ ଦେଖିଦେଲେ ମୋ ଭିତର ଖୁସି ହୋଇଯାଏ। ଏମିତି ବି ହେଲା ତାକୁ ଦେଖିବା ପାଇଁ ଅଧ ଘଣ୍ଟାଏ ଆଗରୁ ମୁଁ ଅଫିସ୍ ବାହାନା କରି ଘରୁ ପଳାଉଥିଲି। ନୂଆ ନୂଆ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଅଫିସର ଭାବେ ଯୋଗ ଦେଇଥାଏ । ପୁଣି ପାଗଳଙ୍କ ପରି ମୋ ଷ୍ଟପେଜରେ ନ ଓହ୍ଲେଇ କଟକ ପଳାଏ !


ଦିନେ ସାହସ କରି ପଚାରିଲି ତୁମ ନାଁ କଣ ? ତୁମ ଘର କେଉଁଠି ? ପଢୁଛ ନା ?


ଆଶ୍ଚର୍ଯ୍ୟ ସେ କିଛି ବି ଉତ୍ତର ଦେଲା ନାହିଁ। ନ ଶୁଣିଲା ପରି ସେମିତି ବସିଥିଲା। ମଝିରେ ମଝିରେ ହସୁଥିଲା କେବଳ । ଏମିତି ଅନେକ ବାର ପଚାରିଛି।କିନ୍ତୁ ଉପରୁ ଏତେ ଭଲ ଲାଗୁଥିବା ଝିଅଟି ଅତି ଗର୍ବୀ ଥିଲା। ମୋର କୌଣସି ଉତ୍ତର ଦେଉ ନ ଥିଲା ସେ। ମୋ" ଇଗୋ ହଟ୍ " ହେଲା। ସ୍ୱାଭିମାନ ଉପରେ ଠେସ ଆସିଲା। ଭୀଷଣ ରାଗିଗଲି। ମୋତେ ଉତ୍ତର ଦେଉ ନାହିଁ।କଣ ଭାବୁଛି କି ଝିଅଟା ? ହୁଁ ସୁନ୍ଦରିଟା ବୋଲି ଖୁବ୍ ଭାଉ ଖାଉଛି ।ନିଜ ଉପରେ ବିରକ୍ତ ହେଲି । ତାକୁ କେତେ କଣ ମନେ ମନେ କହିଲି। ଜଣଙ୍କ ପ୍ରଶ୍ନର ଉତ୍ତର ନ ଦେବା କେଉଁ ସଂସ୍କାର,ଶିକ୍ଷାରେ ଯାଏ ? ସ୍ଥିର କଲି ଆସନ୍ତା କାଲିଠାରୁ ମୋ ଆସିବା ସମୟ ବଦଳେଇ ଦେବି।


କିନ୍ତୁ ମୋ ଅଜ୍ଞାତସାରରେ ନିର୍ଦ୍ଧାରିତ ସମୟରେ ବସ୍ ଷ୍ଟପେଜରେ ପହଞ୍ଚି ଗଲି। ମାତ୍ର ସୌଭାଗ୍ୟ କି ଦୁର୍ଭାଗ୍ୟ ତା ପରଠାରୁ ଆଉ ସେ ଝିଅଟି ସହ ଦେଖା ମିଳିନାହିଁ। ଆଶ୍ୱସ୍ତ ହେବା ପରିବର୍ତ୍ତେ ଅସୁସ୍ଥ ଓ ବ୍ୟସ୍ତ ହେଲି।ଅନେକ ଦିନ ଧରି ଖୋଜିଲି ସେ ଝିଅଟିକୁ।କିନ୍ତୁ କିଛି ସନ୍ଧାନ ପାଇଲି ନାହିଁ। ଆସ୍ତେ ଆସ୍ତେ ସେ ଝିଅଟି ମୋ ମନ ସିଲଟରୁ ଲିଭିଗଲା। ଜୀବନରେ ଆସିଲା ଜ୍ୟା।


ବାପା ମାଆ ମୋର ଜ୍ୟା ସହ ଆରେଞ୍ଜ ମ୍ୟାରେଜ କରେଇ ଦେଲେ। ସଂସାର ମାୟାରେ ଛନ୍ଦି ହୋଇଗଲି।ଚଗଲା ମନ ସଂସାର ମୁହାଁ ହେଲା। ଅଫିସରୁ ଏବେ ମୁଁ ଡ଼ାଇରେକ୍ଟର । କାଲି ଜଣେ ସମାଜ ସେବୀ ମହୀୟସୀ ମହିଳାଙ୍କ ପରିଧି ଦାଶଙ୍କ ଇଣ୍ଟରଭିୟୁ ନାସେନାଲ ଚ୍ୟାନେଲ୍ ରେ ଦେଉଥିଲା। ପ୍ରଶ୍ନଟି ସ୍କ୍ରିନ ଉପରେ ଲେଖି ହୋଇ ଯାଉ ଥିଲା।ଜଣେ ବଧିର ଓ ମୁକ ହୋଇ ବି କିପରି ଦିବ୍ୟାଙ୍ଗ ମାନଙ୍କ ଦେବୀ ସାଜିଛନ୍ତି; ତାଙ୍କର ଉତ୍ସର୍ଗୀକୃତ ଜୀବନ କାହାଣୀ, ଏଇଠି ପହଞ୍ଚି ବାର ଯାତ୍ରା କେତେ ଦୁର୍ଗମ ବନ୍ଧୁର ଥିଲା ସେ ଟାଇପି କରି ଉତ୍ତର ରଖୁ ଥାଆନ୍ତି। ଯାହା ସ୍କ୍ରିନ ରେ ଦର୍ଶକ ମାନଙ୍କୁ ଦେଖା ଯାଉଥାଏ। ଶେଷ ପ୍ରଶ୍ନ ଥିଲା ଥିଲା ତାଙ୍କୁ ଆପଣ କେବେ ପ୍ରେମ କରି ନାହାଁନ୍ତି ? 


ତାଙ୍କ ଉତ୍ତର ଥିଲା ହଁ। ଟ୍ରେନିଂ ପିରିୟଡ଼୍ ରେ ପ୍ରତିଦିନ ବସ୍ ରେ ଆସୁଥିବା ବେଳେ ଜଣେ ଯୁବକଙ୍କ ପ୍ରେମରେ ପଡି ଯାଇଥିଲି। ମାତ୍ର କଥା ଆଗକୁ ବଢିବା ପୂର୍ବରୁ

ପୂର୍ଣ୍ଣଛେଦ ପକାଇ ଯିବା ସମୟ ବଦଳେଇ ଦେଇଥିଲି। କିନ୍ତୁ ସେ ଯୁବକ ଜଣକ ମୋତେ ଜାଣି ନ ଥିଲେ କି ତାଙ୍କୁ ଜଣେଇବାର ସୁଯୋଗ ପାଇ ନ ଥିଲି ଯେ ମୁଁ ଜଣେ ମୁକ ଓ ବଧିର ଦିବ୍ୟାଙ୍ଗ ଝିଅ। ଏପରିକି ଆମେ ପରସ୍ପର ବିଷୟରେ ବିନ୍ଦୁ ବିସର୍ଗ ଜାଣି ନ ଥିଲି ।


ତା ମାନେ ସେଦିନ ମୋ ଇଗୋ ହଟ୍ କରିଥିଲା ବୋଲି ଭାବୁଥିବା ଝିଅଟା ଆଜିର ପରିଧି ଦାଶ ! ଓଃ ଭଗବାନ ।






Rate this content
Log in

Similar oriya story from Romance