Madhu mita

Romance Classics Inspirational

3  

Madhu mita

Romance Classics Inspirational

ହୁକା ପାଣି

ହୁକା ପାଣି

15 mins
211



ଖରାରେ ମୁଣ୍ଡଟା ଟାଇଁ ଟାଇଁ ହେଇ ବିନ୍ଧିଲାଣି। ପାଟିଟା ବି ଶୁଖି ଗଲାଣି।ହେଲେ ଏବେ ଯଦି ଏଇ ଲାଇନ ଛାଡ଼ି ପଳେଇବ ହେଲେ ତା ପାଳି ଆସିଲା ବେଳକୁ କେଜାଣି କେତେ ସମୟ ହେବ । ହାଣ୍ଡିଏ ପାଣି ନେଇ ଥୋଇ ଆସିଛି।ଏଇ ହାଣ୍ଡିଟା ନେଇ ଘରକୁ ଗଲା ପରେ ପୁଣି ରୋଷେଇ କାମ ସାରିବାକୁ ହେବ। ନ ହେଲେ ଭୋକ ବିକଳରେ ଆସିଥିବା ତା ମରଦ ମାଧିଆ କଣ ଖାଇବ ।


ଝାଳୁଆ କାନିଟାକୁ ଉଠେଇ ମୁହଁ କଡ଼ରୁ ବାହାରି ଆସୁଥିବା ଝାଳ ଧାର ପୋଛି ତାକୁ ଗୋଲ କରି ମୁଣ୍ଡ ଉପରେ ପକେଇଲା ସାବି।ଏମିତି ମଳା କରିଦେଲେ ତା ଉପରେ ପାଣି ହାଣ୍ଡି ରଖିବାକୁ ସୁବିଧା ହବ।ଆଜି ସେ ହାଣ୍ଡି ସହିତ ଆଉ ଗୋଟିଏ ବାଲ୍ଟି ମଧ୍ୟ ଆଣିଛି।ସେଇଟା ହାତରେ ନେଇକି ଯିବ ଆଉ ମୁଣ୍ଡରେ ହାଣ୍ଡି ଥୋଇବ। ନ ହେଲେ କାଖରେ ହାଣ୍ଡିଟା ନେଇ ପଳେଇଥାନ୍ତା ।


ଆଉ ତିନିଜଣ ଆଗରେ ଅଛନ୍ତି।ଗତକାଲି ସେ ସଞ୍ଜ ବେଳକୁ ପାଣି ନବାକୁ ଆସି ପାରିନି।ତେଣୁ ତାକୁ ଆଜି ଅଧିକା ମିଳିବ।ସକାଳୁ ଆଉ ସନ୍ଧ୍ୟାରେ ଘର ପିଛା ଦୁଇହାଣ୍ଡି ଲେଖାଏଁ ପାଣି ମିଳେ ସେମାନଙ୍କୁ। ହାଣ୍ଡିଏ ନେଇଗଲା ପରେ ଆଉ ଅଧିକ ପାଣି ନେବାକୁ ହେଲେ ପୁଣି ଆରମ୍ଭରୁ ଲାଇନ ଲଗେଇ ଆସିବାକୁ ହୁଏ।ପାଣି କଳ ପାଖରେ ସେ ପଡାର ସାଉକାରର ଗୁମାସ୍ତା ଚଉକି ଆଉ କାଠ ଟେବୁଲ୍ ପକେଇ ବସିଥାଏ।କିଏ ଆସି କେତେ ପାଣି ନେଲା କା'ର କେତେ ବାକି ରହିଲା ସବୁ ହିସାବ ତା' ପାଖରେ ଥାଏ।ଏଇ ତିରିଶ ଘର ପାଇଁ ସାଉକାର ତାକୁ ଦାୟିତ୍ଵ ଦେଇଛି।ଏମିତିକା କୁଆଡେ ସାଉକାରର ତିନିଟା ମିସ୍ତ୍ରୀପଡ଼ା ଅଛି। ସବୁ ପଡ଼ାରେ ତିରିଶ ଲେଖାଏଁ ଖୋଲି ଅଛି।ସେ ପଡ଼ାଗୁଡ଼ିକୁ ସେ କଣ ତ ଗୋଟେ କହେ ହଁ ଏରିଆ ଏରିଆ ବୋଲି କୁହେ।ଆଉ ସାଉକାରକୁ ବି ଏଇଠି ଲୋକମାନେ ଠିକାଦାର ନା କଣ ଗୋଟେ କୁହନ୍ତି ସାବିର ମନେ ପଡୁନି ଠିକ୍ ରେ ।


ତା ଗାଆଁରେ ଏମିତି କିଛି ନ ଥିଲା। ମାଧିଆର ହାତ ଧରିଲା ଆଗରୁ ସିଏ ପାଖ ଗାଆଁରେ ତା ପରିବାର ସହିତ ରହୁଥିଲା।ବିଧବା ମା ଆଉ ବଡ ଭାଇ ପାଖରେ ଖୁସିରେ ଥିଲା ସେ।ହଁ...ଖୁସି ନାଇ ତ ଆଉ କଣ ?ମା ସବୁବେଳେ ବିଛଣା ଧରି ପଡ଼ିଥାଏ। ସାବିର ମନେ ଅଛି ସିଏ ପିଲା ଥିବା ବେଳେ ତା ବାପା ଦୁନିଆ ଛାଡ଼ି ଚାଲିଗଲେ।ସେତେବେଳକୁ ତା ମା କୁଆଡେ ଛ ମାସର ପେଟରେ ଥିଲା।ଆଉ ପେଟ ଭିତରେ ହିଁ ସେ ପିଲାଟା ମରିଯାଇ ସଢ଼ି ଯାଇଥିଲା। ଓଷଦ ଦେଇ ସେଇଟାକୁ ବାହାର କଲା ପରଠୁ ମା ବିଛଣା ଧରିଛି।ସକାଳୁ ଭାଇ ଭଉଣୀ ସାଙ୍ଗ ହେଇ ତାର ଦାନ୍ତ ଘଷା,ଗାଧୁଆ କାମ କରି ଦିଅନ୍ତି।ବଡ ଭାଇ ସାଙ୍ଗରେ ମିଶି ସାବି କିଛି ରୋଷେଇ ବି ସାରି ଦିଏ।ଭାଇ ତା ପରେ କାମକୁ ଯାଏ।ଆଉ ସାବି ମା'କୁ ଜଗି ଘରେ ରୁହେ।ବାରି କଡ଼କୁ ଲାଗି ରହିଥିବା କୂଅ ମୂଳେ ଯାଇ ମାଆର କପଡ଼ା ସବୁ ଧୁଏ।ବିଛଣାରେ ପଡି ପଡି ମା ବେଳେବେଳେ ଝାଡ଼ା ପରିସ୍ରା ମଧ୍ୟ କରି ଦେଇଥାଏ। ସାବି ତାକୁ ମଧ୍ୟ ଧୁଆଧୋଇ କରି ଶୁଖେଇ ଦିଏ।କୂଅ ମୂଳେ ପାଣି ପାଇଁ ସ୍ତ୍ରୀଲୋକମାନେ କଜିଆ କରନ୍ତି।ବେଳେବେଳେ ଚୁଟି ଧରି ଘୋଷଡା ଘୋଷଡି ବି କରନ୍ତି।ହେଲେ ସାବି ଫାଙ୍କା ଦେଖି ତା କାମ ସାରିଦିଏ।ତା ଭାଇ କେଉଁଦିନ ମୂଲ ଲାଗେ ତ କେଉଁ ଦିନ କାହାକୁ ଚାଷବାସରେ ସାହାଯ୍ୟ କରି ଘରକୁ ଡାଲି,ଚାଉଳ,ପରିବା ଆଉ ମା ପାଇଁ ପଥି କି ଓଷଦ କିଛି ନେଇ ଆସେ। ସାବିକୁ ସେ ବହୁତ୍ ଭଲ ପାଏ।ସବୁବେଳେ କୁହେ "ବିଚାରୀ। କେତେଦିନ ତୋର ଏମିତି ଦୁଃଖ ଭୋଗ କରିବାକୁ ଦଇବ ଲେଖିଛି କେଜାଣି।ତୋ ଘରକୁ ତୋତେ ହାତକୁ ଦି ହାତ କରି ଛାଡ଼ିଦେଲେ ମୋ କାମ ଖତମ୍।ସିଏ ତୋତେ ଗୋଟେ ଭଲ ଜୀବନ ନିଶ୍ଚୟ ଦବ।"ଏମିତି କଥା ଶୁଣି ସାବି ମିଛ ରାଗ ଦେଖେଇ ସେଉଠୁ ପଳାଏ ଆଉ ଭବିଷ୍ୟତ କଥା ଭାବି ମନେ ମନେ ଲାଜ କରେ।କିଏ କେଜାଣି ତା ହାତ ଧରିବ ।


ପର ମୁହୂର୍ତ୍ତରେ ପୁଣି ମୁଣ୍ଡ ହଲାଏ।ନା ନା...ସିଏ କେମିତି ବାହା ହେଇ ପଳେଇବ ?ମା ଆଉ ଭାଇ ତା ଗଲା ପରେ କେମିତି ଚଳିବେ ?ସ୍ବପ୍ନ ଦେଖିବାକୁ ହେଲେ ଶୋଇବାକୁ ତ ହେବ।ଆଉ ଏତେ ଦାୟିତ୍ଵ ଭିତରେ ନିଦ କୁଆଡୁ ଆସିବ ଯେ ତା' ଆଖି ପଲକକୁ ?


ଅଧ ରାତିରେ ବେଳେବେଳେ ମା ବାଉଳି ହୁଏ ! ଚେଇଁଥିଲା ବେଳେ ନିଜେ ନିଜେ ଯିଏ ଉଠି ପାରେନି ଶୋଇବା ଅବସ୍ଥାରେ ସିଏ ହଠାତ୍ ଉଠି ବସେ !ଜୋରରେ ନିଶ୍ବାସ ନିଏ ଆଉ ଦୁମ୍ କିନା ପୁଣି ବିଛଣା ଉପରେ ପଡ଼ିଯାଏ।ସେତେବେଳେ ସାବିକୁ ଜଗିବାକୁ ହୁଏ।ଥରେ ତାକୁ ନିଦ ହେଇ ଯାଇଥିଲା।ମା ଏମିତି ବସି ପୁଣି କଚାଡି ହେଇ ପଡ଼ିଗଲା।ଆଉ ତା ମୁଣ୍ଡ ଫାଟି ରକ୍ତ ବାହାରି ଯାଇଥିଲା।ସେ ଦିନଠାରୁ ସାବି ମା ବିଛଣାକୁ ଲାଗିକି ଶୁଏ।


ଶୋଇବ କଣ ଅନେଇଥାଏ କେବେ ରାତି ପାହିବ?


ଦିନେ ମା ସେମିତି ହଠାତ୍ ରାତି ଅଧିଆ ଉଠି ବସିଲା। ସାବି ତା ଗୋଡ଼ ହାତ ଆଉଁଶି ପକେଇଲା।ତାର ପାଟି ଶୁଖି ଯାଇଥିବାର ଦେଖି ପାଖ ସୁରେଇରୁ ପାଣି ଟିକେ ଆଣିବାକୁ ଗଲା।ମା ପାଣି ଢୋକେ ପିଇଛି କି ନାହିଁ ଦୁମ କରି ପଡ଼ିଗଲା।ଆଉ ଯେତେ ଡାକିଲେ ବି ଶୁଣିଲାନି।ସିଧା ଯାଇ ଯୁଇରେ ଚଢ଼ିଲା।


ମା ଯିବା ପରେ ଘରଟା ତାକୁ ମାଡ଼ି ବସିଲା।ଯାହା ହେଲେ ବି ଜଣେ ଥିଲା ନା ଘରେ।ଏତେ ଏକୁଟିଆ ଲାଗିଲା ଯେ ସାବି କାନ୍ଦି ପକାଉଥିଲା ବେଳେବେଳେ।


ଭାଇ ସେତେବେଳକୁ ଏଇ ଠିକା କାମ ପାଇଁ ମୂଲ ଲାଗିବା ଆରମ୍ଭ କରିଥିଲା।ଏଇଠି ଗୋଟିଏ ବଡ ଫ୍ୟାକ୍ଟ୍ରି ତିଆରି ହେଉଥିଲା।ଆଉ ତା ସହିତ ସେହି ଫ୍ୟାକ୍ଟ୍ରିରେ କାମ କରିବାକୁ ଥିବା ସବୁ କର୍ମଚାରୀଙ୍କ ପାଇଁ ରହିବାକୁ ଘର ବି ତିଆରି ହେଉଥିଲା।ଆଉ ସେହି କାମ କରୁ କରୁ ମାଧିଆ ସହିତ ତାର ଦେଖା ହୋଇଥିଲା।


ମାଧିଆ ଅନ୍ୟ ମାନଂକ ଅପେକ୍ଷା ଅଲଗା ଥିଲା।ଟିକେ ପାଠ ବି ପଢିଥିଲା। ସେ ମିସ୍ତ୍ରୀ କାମ କରୁଥିଲା।ଠିକାଦାର ତାକୁ ତାର ସବୁ ପ୍ରୋଜେକ୍ଟରେ ନିହାତି ଡାକୁଥିଲା।ତା ବାପା କୁଆଡେ଼ ରାଜମିସ୍ତ୍ରୀ ଥିଲେ।ଏଣୁ ସେ ତାଙ୍କଠୁ ବହୁତ୍ କାମ ଅତି ଅଳ୍ପ ବୟସରୁ ଶିଖି ଯାଇଥିଲା।ଅକାଳରେ ବାପା ଚାଲିଗଲା ପରେ ପାଠପଢ଼ାରେ ଡୋରି ବାନ୍ଧି ଯେତିକି ଶିଖିଥିଲା ସେତିକିରେ ଆଗକୁ ବାଟ ଚାଲିଲା। ମାଧିଆର ଆଗକୁ ପଛକୁ ଆଉ କିଏ ନ ଥିଲେ।ମରଦ ସହିତ ଖୁସିରେ ଘର କରିବ ବୋଲି ବିଚାର କରି ଭାଇ ଏଇ ଗଲା ମାସରେ ସାବିକୁ ମାଧିଆ ହାତରେ ଟେକି ଦେଇଛି !ଆଉ ସାବି ଭାଇର ଗାଁରୁ ବିଦା ହୋଇ ଆସି ଏଇଠି ମାଧିଆ ଖୋଲିରେ ରହୁଛି।


ଏତିକି ଭାବିଲା ବେଳକୁ ସାବିର ପାଳି ଆସିଲା।ହାଣ୍ଡି ବସେଇ ଭର୍ତ୍ତି ହେବାକୁ ଜଗିଲା।ପାଣିର ଧାର ନୁହେଁ ତ ସତେ ଯେମିତି ପତଳା ସୂତାଟେ! ହାଣ୍ଡିଏ ପାଣି ଭରିଲା ଭିତରେ ଭାତ ପାଇଁ ପାଣି ଫୁଟିଯିବ ବୋଧେ।ତା ପାଖରେ ଆଉ ଗୋଟିଏ ବାଲ୍ଟି ଦେଖି ଠିକାଦାରର ଗୁମାସ୍ତା ଚଷମା ତଳୁ ତାକୁ ନାଲିଆଖି ଦେଖେଇ ଚାହିଁଲା !


"ମାଲିକେ କାଲି ସଂଜରେ ପାଣି ନେଇନି।ତେଣୁ ଆଣିଚି।ଆଜି ମୋର ଦିଟା ଅଧିକା ପାଣି ହଉଚି"ହାତ ଯୋଡିବା ପରି ସାବି କହିଲା !


ପାନପିକ ଥୁ କରି ପକେଇ ଗୁମାସ୍ତା କହିଲା"ହଉ ନବୁ ଯେ ହେଲେ ପାଣି ହାଣ୍ଡି ଖୋଲିରେ ଥୋଇ ଦେଇ ଆସେ।ତା ପରେ ଏଇଟା ଭରିବୁ।ତୋର ଅଠେଇଶ ନମ୍ବର ଖୋଲି।ତୋ ଆଗରେ ଯଦି ଆଉ କିଏ ନ ଥିବେ ହେଲେ ସଙ୍ଗେ ସଙ୍ଗେ ପାଇଯିବୁ ହେଲା ?"


"ହୁଁ"ଅସ୍ପଷ୍ଟ ଭାବରେ କହି ମୁହଁ ବୁଲେଇଦେଲା ସାବି।କାଲିର ବକେୟା ପାଣି ପାଇଁ ମଧ୍ୟ ଆଉଥରେ ଲାଇନ !ତାଙ୍କ ଗାଆଁରେ କୂଅ ଥିଲା।ଏମିତି ପାଣି ପାଇଁ ଲାଇନ ଲାଗୁ ନ ଥିଲା।ହେଲେ ଏଇଠି ଖୋଲି ହିସାବରେ ଲାଇନ ଲାଗେ।ଆଉ ତା ପାଳି ଶେଷ ଆଡ଼କୁ ପଡ଼େ।କଣ ଆଉ କରିବ ?ଆଉ କିଛି ରାସ୍ତା ବି ନାହିଁ ତା ପାଖରେ।କାଲି ସଂଜରେ ପାଣି ନ ନେବାରୁ ଲୁଗାପଟା ସବୁ ଅଧୁଆ ପଡ଼ିଛି।ଆଜି ଯଦି ସେଗୁଡା କାଚି ଶୁଖେଇବନି ହେଲେ କାଲି ଫେରେ ଏତେ ହେଇଯିବ ଯେ ତାକୁ ଧୋଇବାକୁ ପାଣି କେମିତି ପାଇବ ?ସକାଳୁ ସେ ଯେଉଁ ପାଣି ନିଏ ସେଥିରେ ରୋଷେଇ କାମ ହୁଏ।ସଞ୍ଜ ପାଣିରୁ ଅଧା ମାଧିଆ କାମରୁ ଆସିଲେ ଗାଧୋଇ ପକାଏ ଆଉ ଅଧା ସାବି ସକାଳୁ ଗାଧୋଇବା ପାଇଁ ରଖେ।ସେଥିରୁ ଟିକେ ବଳେଇ ଲୁଗାପଟା ସଫା କରେ।ହେଲେ ଗୁମାସ୍ତା କଥା ଶୁଣି ତା ପାଖରେ ବାଲ୍ଟିଟା ଥୋଇ ପାଣି ହାଣ୍ଡି ମୁଣ୍ଡରେ ଧରି ଘରେ ରଖିବାକୁ ଗଲା ସାବି !


ଏକ...ଦୁଇ... ତିନ୍ !


ତିନି ନମ୍ବର ଖୋଲି ଆଗରେ ଟିକେ ରହି ସେଆଡେ ଦେଖିଲା ସାବି।ଏଇ ତିନି ନମ୍ବର ଖୋଲି ଯାଏଁ ମେନ୍ ପାଇପ୍ ରୁ ଗୋଟିଏ ଲେଖାଏଁ କନେକ୍ସନ୍ ଆସିଛି ଘର ଭିତରକୁ।ମାନେ ଏଇ ତିନିଟା ଖୋଲିର ଲୋକେ ସେମାନଙ୍କ ଘର ଭିତରେ ପାଣି ପାଆନ୍ତି।ପାଣି ପାଇଁ ଏମିତି ଲାଇନ ଲଗେଇବାକୁ ହୁଏନି ସେମାନଙ୍କୁ।ବାକି ଦିଟା ଖୋଲିରେ ସଂସାରୀ ଲୋକ ରହିଥିଲା ବେଳେ ତିନି ନମ୍ବର ଖୋଲିରେ ଶମ୍ଭୁ ଏକୁଟିଆ ରୁହେ।ଶମ୍ଭୁ ହାତକୁ ଦି ହାତ ହେଇନି। ମାଧିଆକୁ ସେ ବହୁତ୍ ଭଲ ପାଏ।ଏଣୁ ମାଧିଆ ସାବି ସହିତ ଖୋଲିକି ଆସିଲା ବେଳେ ସେ ପାଖରେ ହିଁ ଥିଲା।ସାବି ପାଦର ଅଳତା ନ ଲିଭୁଣୁ ପାଣି ପାଇଁ ଲାଇନ ଲଗାଇବାକୁ ଆସିଥିବା ଦେଖି ଶମ୍ଭୁ ତା ଖୋଲିରୁ ପାଣି ନେଇ ଯିବାକୁ କହିଥିଲା।ହେଲେ ଏମିତି ଗୋଟେ ଅଭିଆଡି ମରଦ ଘରୁ ଏକୁଟିଆ ନୂଆ ବୋହୂଟେ ପାଣି ଆଣିବା କଣ ଭଲ ହୁଅନ୍ତା? ଆଉ ଶମ୍ଭୁ ଖୋଲିରୂ କଳ ବା କେତେ ଦୁର କି?ଏଇ ଦୁଇ ବଖରା ଏତିକି ବାଟ।


କିନ୍ତୁ ଶମ୍ଭୁ ପାଖରେ ଆଉ ଗୋଟିଏ ଉପାୟ ବି ଥିଲା।


ଶମ୍ଭୁ ତା ଖୋଲି ସହିତ ମାଧିଆର ଖୋଲି ବଦଳ ପାଇଁ ତୟାର୍ ଥିଲା।ଏମିତି କରନ୍ତି ସେମାନେ।ନିଜ ସୁବିଧା ଦେଖି ଖୋଲି ବଦଳାନ୍ତି।ହେଲେ ତା ଖୋଲି ମାଧିଆକୁ ଦବାକୁ ତାର ଗୋଟିଏ ସର୍ତ୍ତ ଥିଲା।ସେଇଟା ହେଲା ମାଧିଆର ହୁକା ପାଇପ୍ !ସିଏ ହରଦମ୍ ନିଶା କରେ।ଆଉ ସେଥିପାଇଁ ତାର ଖୋଲି ବଦଳ କରିବାକୁ ଦରକାର ଏଇଟା !


ମାଧିଆ ବାପା ଅମଳରୁ ଏଇ ହୂକା ପାଇପ୍ ତା ପାଖରେ ଅଛି।ଏକ ପ୍ରକାର ତା ବାପାଙ୍କର ସମ୍ପତ୍ତି କହିଲେ ଚଳିବ।ମାଧିଆ ନିଶା କରେନି।ହେଲେ ସେଇ ହୁକା ପାଇପ୍ ଧରି ସେ ମିଛିମିଛିକା ଜମିଦାରଙ୍କ ପରି ଗୋଡ଼ ଉପରେ ଗୋଡ଼ ଦେଇ ନିଶ ମୋଡି ବସେ।ସାବି ତାର ଏମିତି ଢଙ୍ଗ ଦେଖି ମନେ ମନେ ଭାରି ଖୁସି ହେଇଯାଏ।ତା ବର କଉ ଜମିଦାରଠୁଁ କମ୍ କି ?ସାବି କଣେଇ କଣେଇ ଦେଖିବାଟା ମାଧିଆ ଆଖିରୁ ଲୁଚି ଯାଏନି।ଆଉ ଖାଇବା ଥାଳିଠୁ ବେଶୀ ଲୋଭ ସାବିର ଗୋଲାପି ଓଠାଛୁଆଁରୁ ପାଇବାକୁ ସେ ଉଚ୍ଛନ୍ନ ହେଇଯାଏ।ନୂଆ ନୂଆ ଦାମ୍ପତ୍ୟ ଜୀବନର ଗରମ ଭିତରେ ଭାତ ଥାଳି କେତେବେଳେ ଥଣ୍ଡା ହେଇଯାଏ ସେମାନେ ଜାଣି ପାରନ୍ତିନି !ଆଉ ସାବି ତା କାମରେ ଲାଗି ପଡ଼ିଲେ ମାଧିଆ ଯାଇ ସେ ହୁକା ପାଇପକୁ ଟିକେ ସଫା କରି ପକାଏ।ସିଏ ପୁଣି ସେଇ ପାଇପକୁ ଦବ ଏଇ ଖୋଲି ବଦଳ ପାଇଁ ?


ହଁ ସିଏ କେମିତି ଜାଣିବ କେତେ କଷ୍ଟ ହେଉଛି ଏଇ ପାଣି ପାଇଁ ?


ହାଣ୍ଡିଟାକୁ ତଳେ ଥୋଇଦେଇ ଘୋଡେଇ ଦେଲା ସାବି। ଅଣ୍ଟା ସଳଖି ଠିଆ ହେଲା।ଦି ହାଣ୍ଡି ପାଣି ଆଣି ଦେଲାଣି। କାଲି ସଂଜରୁ କେମିତି କେଜାଣି ଦିହଟା ଦୂର୍ବଳିଆ ଲାଗୁଛି। ବୈଶାଖ ଝାଞ୍ଜି ପାଇଁ ଲାଗୁଛି କି କଣ କେଜାଣି !ଗୋଡ଼ ଜମାରୁ ଉଠୁନି କାମ କରିବାକୁ।ରାତିରେ ବି ଖାଇବାକୁ ଇଚ୍ଛା ହେଲାନି କିଛି।ମାଧିଆ ବଳେଇ କରି ଖୁଏଇ ଦେଇଥିଲା ଦି ଗୁଣ୍ଡା।ହେଲେ ରାତି ଅଧରେ ପେଟ ଘାଣ୍ଟି ଗୋଳେଇ ହେଲାରୁ ବାଡ଼ିରେ ଯାଇ ବାନ୍ତି କରିଦେଲା ସାବି।ମାଧିଆ କିନ୍ତୁ ଏକଥା ଜାଣିନି !


ଶୁଖିଲା ଆଖିରେ ସାବି ଥରେ ସୂର୍ଯ୍ୟକୁ ଦେଖିଲା। ଚୂଲା ଆଡେ ଦେଖିଲା ଆଉ ମଇଳା ଲୁଗା ଆଡେ ଚାହିଁଲା।ନା...ବରଂ ସେ ଗୁମାସ୍ତା ପାଖରେ ରଖିଥିବା ବାଲ୍ଟିଟା ପାଣି ଆଗ ଆଣିବ।ତା ପରେ ଝଅଟ ରୋଷେଇ କରିଦେବ।ଛେପ ଢ଼ୋକିଲା ଆଉ ବାହାରିଗଲା ଗୋଟିଏ ଗୋଟିଏ ପାଦ ଆଗକୁ ବଢେଇ।ଆଗରେ ଆଉ ଛଅଜଣ ଥିଲେ।ବାଲ୍ଟି ପାଣି ଭରି ଆସିଲା ବେଳକୁ ପୁଣିଥରେ ତିନି ନମ୍ବର ଖୋଲି ଆଡେ ବିକଳ ହେଇ ଚାହିଁଲା।


ମନେ ମନେ କେତେକଣ କହିଗଲା।ଏଇ ପାଣି ପାଇଁ ଦିନର ଦି ତିନି ଘଂଟା ବରବାଦ ହେଇ ଯାଉଛି।ଫେରେ ସଂଜକୁ ଆସି ଲାଇନ ଲଗେଇବାକୁ ହେବ। ନ ହେଲେ କାମରୁ ଆସିଲା ପରେ ସେ ସିମେଣ୍ଟ ବାଲି ମିଶା ମାଟିଆ ଦେହଟାକୁ ମାଧିଆ କେମିତି ଧୋଇବ?ପଡ଼ାର ଅନ୍ୟ ଖୋଲି ମାନଙ୍କରେ ପାଣି ଅସୁବିଧା ହେଲେ ମଧ୍ୟ ସେମାନେ ଚଳି ଯାଆନ୍ତି। ସାବିକୁ କିନ୍ତୁ ବେଶୀ ଅସୁବିଧା ହୁଏ।କାହିଁକି ନା ସେ ଭାରି ସଫା ସୁତୁରା ରହେ।ସକାଳୁ କେବଳ ତାଙ୍କରି ଘର ଦୁଆର ମୁହଁରେ ଗୋବରପାଣି ପକାଯାଇ ଝୋଟି ଚିତା ପଡ଼ିଥାଏ।ଧୂପ ଦୀପ ଦେଇ ସାବି ଶଙ୍ଖ ଫୁଙ୍ଖିଲା ବେଳକୁ ଅନ୍ୟ ସ୍ତ୍ରୀ ଲୋକମାନେ ପାଣି ପାଇଁ ଚାଲି ଯାଇଥାନ୍ତି।ମାଧିଆ କାମକୁ ନ ଗଲା ଯାଏଁ ସେ ଘରୁ ବାହାରେନି।ଆଉ ତା ପରେ ପାଣି ଆଣି ଯାବତୀୟ କାମ କରେ।ଅନ୍ୟମାନେ ହାଣ୍ଡିଏ ଲେଖାଏଁ ପାଣିରେ ଲୁଗାଧୁଆ,ବାସନ ମଜା କରି ଦେଉଥିଲା ବେଳେ କିନ୍ତୁ ତା ହାତରେ ଏତିକି କମ୍ ପାଣିରେ କାମ ହୁଏନି।ତା ଗାଆଁରେ ଥିଲା ବେଳେ ସେ ଏମିତି ମାପି ଚୁପି ପାଣିର ବ୍ୟବହାର କରିବା ଶିଖିନି।ଆଉ ଏବେ ହଠାତ୍ ଏସବୁ କଲା ବେଳେ ତାକୁ କଷ୍ଟ ହୁଏ।ହେଲେ ଆଉ କିଏ ତା ଅସୁବିଧା କେମିତି ବୁଝିବ ଯେ ?


ଚୁଲି ପାଖରେ ବସି ଭାତ ପାଣି ବସେଇଲା।ପରିବା ଦିଟା କାଟିବାକୁ କାଢ଼ିଛି ପୁଣି ଆମ୍ବିଳା ହେକୁଟି ଆସିଲା।ପେଟ ଘାଣ୍ଟି ହେଲା। ବାଡ଼ିକୁ ଯାଇ ଅ ଅ କରି ଛେପ ପକେଇଲା।ପେଟରେ କିଛି ଥିଲେ ତ ବାହାରିବ!ଘରକୁ ଆସି ପାଣି ଢୋକେ ପିଇଛି କି ନାହିଁ କେମିତି ଆଖି ଅନ୍ଧାର ହେଇଗଲା ଆଉ ସିଏ ସେମିତି ମୁହଁକୁ ଆଣ୍ଠୁରେ ଜାକିଦେଇ ଘୁମେଇ ପଡ଼ିଲା !


ଖାଇବା ଛୁଟିରେ ମିସ୍ତ୍ରୀମାନେ ଘରକୁ ଆସିବାରୁ ସେମାନଙ୍କ କୋଳାହଳରେ ସାବିର ନିଦ ଭାଙ୍ଗିଲା।"ସାବି ଏ ସାବି"କହି ମାଧିଆ ଦୁଆର ମୁହଁରୁ ଡାକ ପକେଇଲା।ତରତର ହୋଇ ପାଣି ଢାଳେ ନେଇ ସେ ବଢେଇ ଦେଲା।ସବୁଦିନ ପରି ମାଧିଆ ଗୋଡ଼ ହାତ ଧୋଇ ଭିତରକୁ ଆସି ନିଜ ଝାଳୁଆ କୁର୍ତ୍ତା ଆଉ ଗଞ୍ଜି ବାହାର କରି କବାଟ ଉପରେ ଟଙ୍ଗେଇ ଦେଇ ବସି ପଡ଼ିଲା ଖାଇବାକୁ !କାମ କରି ହାଲିଆ ହେଇ ଏମିତି ସେ ଆସି ବସିଲା ପରେ ସାବି ଯାହା ପରଷି ଦିଏ ତାକୁ ଅମୃତ ଭାବି ଗିଳି ପକାଏ ମାଧିଆ !


ହେଲେ ଆଜି ?


"ଆଲୋ ଚାହିଁଛୁ କଣ ? ବାଢୁନୁ ଖାଇ ଦେଇ ପୁଣି ଯିବାକୁ ହେବ ନା ନାଇ?"


ରାତିର ବଳକା ପଖାଳ କଂସାଏ ଆଉ ଲଙ୍କା ଲୁଣ ପିଆଜ ଆମ୍ବୁଲ ଚକଟା ତାଟିଏ ବାଢ଼ି ଦେଇ କାନ୍ଦୁରା ସ୍ଵରରେ ସାବି କହିଲା.."ଆଜି ତବତ କି ତିଅଣ ରାନ୍ଧି ପାରିନି ଗୋ !"


"କଣ କହିଲୁ ? ରାନ୍ଧିନୁ ?କାହିଁକି ଲୋ ?କଣ ଏମିତି ଘନକାର୍ଯ୍ୟ କରୁଥିଲୁ ଟିକେ ଶୁଣେ "ପଖାଳ କଂସା ଟିକେ ଘୁଂଚେଇ ଦେଇ ପଚାରିଲା ମାଧିଆ।


"ଦିହଟା ଟିକେ ଭଲ ଲାଗୁନି।ଆଉ ଏମିତିରେ ଖାଲି ପାଣି ଆଣୁ ଆଣୁ ଦିନ ଯାଉଛି ମୋର…"ଅଳ୍ପ ଚଢ଼ା ଗଳାରେ କହିଲା ସାବି ।


"ଦିହ ଭଲ ଲାଗୁନି ତ ସୁନା ମାଉସୀକୁ ଦେଖେଇ ଦେ।ତା ହାତ ବାଜିଲେ ମୂର୍ଦାର ବି କାଳେ ଗୋଡହାତ ହଲାଏ।ଆଉ ହଁ...ତୁ ଜଣେ ପାଣି ଆଣୁଛୁ ନା କଣ କି ଲୋ ?କେତେ ଦୂରରୁ ଏମିତି ପାଣି ଆଣୁଛି ଯେ କେତେ ହାଲିଆ ହେଇ ଯାଉଛି ରୋଷେଇ ଟିକେ ବି କରି ପାରୁନି !"


"ନିଜେ ଏ ଖରା ଦିପହରରେ ପାଣି ପାଇଁ ଲାଇନ ଲଗେଇ ଆଣିଥିଲେ ଜାଣିଥାନ୍ତ...ହେଲେ ତମେ କେମିତି ବୁଝିବ ମୋତେ କଣ ହଉଛି !"


"ଖରାରେ ପିଠି ଅଣ୍ଟା ଭାଙ୍ଗି କାମ କରି ଆସିଲା ବେଳକୁ କଣ ନା ରୋଷେଇ ହେଇନି ବାସି ପଖାଳ ଦଉଚି ଆଉ ଘରେ ମାଇପି ରହି ଲାଭ କଣ ?"


"ହଁ...ସେଇ ହୂକା ପାଇପ୍ ଟା ଘରେ ରହି ବଡ କାମରେ ଲାଗୁଛି ନାଇ ?ତାକୁ ଦେଇ ସେ ତିନି ନମ୍ବର ଖୋଲିକୁ ବଦଳ ଯାଇଥିଲେ ହୁଅନ୍ତାନି ?ପାଣି ହଇରାଣ ପଳାନ୍ତା ନା ?ସେ ସମୟରେ ଅନ୍ୟ କାମ ସବୁ କରି ହୁଅନ୍ତା ମଣିଷ ଟିକେ ଶାନ୍ତିରେ ହେଲେ ବଞ୍ଚି ପାରନ୍ତା !"


"ହଁ ତୋତେ ପାଣି ଆଣିବାକୁ କଷ୍ଟ ହଉଚି ବୋଲି ମୋ ବାପର ଶେଷ ନିଶାନି ଦେଇଦେବି ନାଇ ? ଆଛା କଥା କହୁଚୁ !"


"ବାପ ତ ନାହାନ୍ତି ନା ମୁଁ କିନ୍ତୁ ବଞ୍ଚିଛି ଏବେ ! ନିଶାନୀ ପାଇଁ କେତେ ଦରଦ ମୋ କଥାକୁ ପଚାରେ କିଏ ? ମଲି କି ଗଲି କା'ର କଣ ଗଲା ! ହଉ ରାଗନି ଆଉ।ଟିକେ ପାରି ହେଲାନି ବୋଲି କହିଦେଲି।ଛାଡ଼ ପଖାଳଟା ଖାଇ ଦିଅ।ସବୁଦିନ ତ ତବତ ଖାଉଚ !ଆଜି ଚଳେଇ ଦିଅ "


"ଥାଉ...ତୁ ଜାଣିଚୁ ନା ପଖାଳ ଖାଇଲେ ମୋ ଆଖିକି ନିଦ ଘୋଟିକି ଆସେ।ଆଉ କାମକୁ କେମିତି ଯିବି ?ତୁ ତୋର ପଖାଳ ଖାଇ ଆରାମରେ ଶୋଇ ପଡ଼।ଦିହ ଏକା ଥରେ ଭଲ ହେଇଯିବ।ମୁଁ ଯାଉଚି ମାରିଆମା ଚାଳିରେ ଖାଇବି ଆଉ ଖରାରେ ଖଟିବି …"କହି ପୁଣି ଝାଳୁଆ ଗଞ୍ଜିଟା ଗଳେଇ ଦେଇ କୁର୍ତ୍ତାକୁ କାନ୍ଧରେ ପକେଇ ମାଧିଆ ପଛକୁ ନ ଅନେଇ ବାହାରି ଗଲା ଖୋଲିରୁ ।


ପେଟ କାଟୁଥିଲା ସାବିର।କିଛି ବି ପାଟିରେ ଦବାକୁ ଇଚ୍ଛା ହଉ ନ ଥିଲା।ଏମିତିରେ ମାଧିଆଟା ବି ଭୋକରେ ପଳେଇଲା !ଜିଭ କାମୁଡି ଗାଲକୁ ଦି ତିନିଟା ଚାପୁଡ଼ା ପକେଇଲା।ଛିଃ ଛିଃ...କେମିତିକା ମାଇପ କେଜାଣି ସିଏ !ନିଜ ମରଦକୁ ଭାତ ଦିଟା ଫୁଟେଇ ଦେଇ ପାରିଲାନି ? କାନ୍ଦ ଲାଗୁଥିଲା ତାକୁ।ମାଧିଆ ଚାଳିରେ ଖାଇ ଥିବ ତ?ଅବଶ୍ୟ ଶମ୍ଭୁ ଆଉ ବାକି ଏକୁଟିଆ ପୁରୁଷମାନେ ସେଇ ମାରିଆମା ଚାଳିରେ ଖାଆନ୍ତି।ମାରିଆ ମୂଲ କାମ କରେ।ଆଉ ତା ମା ସେଇ ଚାଳିରେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦିଏ।ଅବଶ୍ୟ ସେଇଥିପାଇଁ ସେ ପଇସା ବି ନିଏ।କିନ୍ତୁ ଠିକାଦାର ତାକୁ ମନା କରେନି। ଚାଳିରେ ଖାଇଲେ ମୂଲିଆ ମିସ୍ତ୍ରୀ ମାନେ ଆଉ ଟିକେ ଜଲଦି କାମକୁ ଫେରି ଯାଆନ୍ତି।ଆଗରୁ ମାଧିଆ ବି ସେଇଠି ଖାଇ ଦଉଥିଲା।କିନ୍ତୁ ସାବି ଆସିବା ପରେ ସେ କେବଳ ଘର ଖାଇବା ହିଁ ଖାଉଛି। ଦିପହର ବେଳେ ଥରେ ତା ସହ ଦେଖା ହେଇଗଲେ କୁଆଡେ ତା ଦିହରେ ଅଧିକ ବଳ ପଳେଇ ଆସେ।ଛିଃ...କଣ କଲା ସତେ ସେ ! ଅନ୍ୟ ସ୍ତ୍ରୀଲୋକମାନେ ତ ମୂଲିଆ କାମ ବି ଲାଗିଛନ୍ତି ଆଉ ଘରେ ରନ୍ଧାବଢ଼ା ବି କରୁଛନ୍ତି !ଆଉ ସିଏ ଖାଲି ଘରକାମ ଟିକେ କରି ପାରିଲାନି?


କିନ୍ତୁ ତା'ର କଣ ହେଇଚି କେଜାଣି?ସେ କେବେ ତ ଏତେ ହାଲିଆ ହେଇ ନ ଥିଲା। ମାଧିଆ କହିଲା ପରି ସୁନା ମାଉସୀଙ୍କୁ ପଚାରି ଦବ କି ଟିକେ?ଏତେ ଦୁର୍ବଳ ଲାଗୁଛି ଯେ ଉଠି ହବନି ବସିବା ଜାଗାରୁ ।ମାଧିଆ ଅଖିଆ ଗଲା ପରେ ତା ପାଟିକୁ କଣ ଖାଇବା ରୁଚନ୍ତା? ହେଲେ ଭୋକରେ ରହିଲେ ସେ ଜର କି ବାଧକି ପଡ଼ିବ।ଆଉ ତା ଦିହମୁଣ୍ଡ କଣ ହେଲେ ମାଧିଆ କଣ କରିବ ।ମାଧିଆ ପାଇଁ ତାକୁ ଭଲରେ ରହିବାକୁ ହବ ।ଏକଥା ଭାବି ମାଧିଆ ପାଇଁ ବାଢିଥିବା ପଖାଳ କଂସାକୁ ପାଖକୁ ଆଣିଲା।ହେଲେ...କେଜାଣି କାହିଁକି ସେଇ ପିଆଜ ଚକଟାରେ ଆଉ ଟିକେ ତେନ୍ତୁଳି ରସ ପକେଇ ମନ୍ଥି ଖାଇବାକୁ ମନ ହେଲା ।


କେତେ ଖରାପ୍ କାମ କଲା ସତରେ ଆଜି ସେ ।ରୋଷେଇ ତ କରି ପାରିଲାନି ଆଉରି ପୁଣି ହୁକା ପାଇପ୍ କୁ ଦେଇ ଖୋଲି ବଦଳ କରିବାକୁ କଡା କଥା କହିଲା।ସରଗରେ ଥାଇ ତା ଶଶୁର କଣ ଭାବୁଥିବେ କେଜାଣି ।ତାଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ଜୁହାର ହେଲା ଆଉ କାନ ମୋଡି ହୁକା ପାଇପକୁ ମୁଣ୍ଡିଆ ମାରିଲା।ମନ ଟାଣ କଲା।ସେ ଆଗ ସୁନା ମାଉସୀ ପାଖକୁ ଯିବ।ତା ପରେ ପାଣି ଆଣିବ ଆଉ ବେଳାବେଳି ରୋଷେଇ ସାରି ମାଧିଆ ଆସିବା ଆଗରୁ ଲୁଗା ବଦଳେଇ ମୁଣ୍ଡ କୁଣ୍ଡେଇ ସଜବାଜ ହେଇ ତା ବାଟ ଚାହିଁବ। ରାତିରେ ତା ପାଦ ଧରି ଭୁଲ୍ ମାଗିବ ।ଆଉ କେବେ ଏମିତି ଅଲକ୍ଷଣା କଥା ତୁଣ୍ଡରେ ଧରିବନି ।


ଘର ବାହାରକୁ ବାହାରିଲା ବେଳେ ସାବି ଦେଖିଲା...ସୁନାମାଉସୀ ତା ଖୋଲିକୁ ନିଜେ ଆସୁଛନ୍ତି ।ମାଧିଆ ଗଲାବେଳେ ତତେ ଦେଖିଯିବାକୁ କହିଛି ଲୋ ସାବି।କଣ ଲାଗୁଚି ତତେ କହିଲୁ ।"କହି ମାଉସୀ ତା ଖୋଲି ଭିତରକୁ ପଶି ଆସିଲେ ।


ଭୋକରେ ପେଟ ମାରିଲା ବେଳକୁ ମାଧିଆ ମୁଣ୍ଡଟା ଖରାପ୍ ହୋଇଯାଏ। ମାରିଆମା ଚାଳିରେ ଶମ୍ଭୁ ଆଉ ଅନ୍ୟ ଲୋକେ ଖାଉଥିଲେ।ସିଏ ବି ବସି ପଡ଼ିଲା ଆଉ ଗରମ ଗରମ ଭାତ, ଆଳୁ ଭଜା ଆଉ ଆମ୍ବିଳ ମାଗି ପେଟେ ଖାଇ ହେକୁଟି ମାରିଲା।ଓହୋ...ଏବେ ଯାଇ ତା ପିଣ୍ଡରେ ପ୍ରାଣ ପଶିଲା।


ଖାଇ ସାରି ସବୁ ମୂଲିଆ ମିସ୍ତ୍ରୀ ଟିକେ ଗୋଡ଼ ଲମ୍ଵେଇ ବସନ୍ତି।କିଏ କିଏ ଅଳପ ନିଶା ପାଣି ବି କରନ୍ତି।ଆଉ ତା ପରେ କାମକୁ ଫେରନ୍ତି।ମାଧିଆର ପେଟ ସିନା ପୁରିଗଲା ହେଲେ ତା ମନରେ ଛାତିରେ କଉଠି କିଛି ଖାଲି ହେଇଗଲା ଭଳିଆ ଲାଗୁଥିଲା।ଛିଃ...କେମିତିକା ମରଦ ସିଏ. ?ଦିନେ କି କାଳେ ସାବି କଉ କାମକୁ ଡରିନି।କରି ପାରିବିନି କହିନି।ଆହୁରି ନିଜ ମନକୁ ଦିନସାରା ଘରେ ବସି ନଡ଼ିଆ କତା, ବେତ ସବୁକୁ ଯୋଡାଯୋଡ଼ି କରି ଗୁନ୍ଥି ପକେଇ କେତେ ସୁନ୍ଦର ଘରସଜା ସାମାନ ସବୁ ତିଆରି କରି ପକାଏ ।ତା ମା ବିଛଣାରୁ ସିନା ଉଠି ପାରୁ ନ ଥିଲା ହେଲେ ଶୋଇ ଶୋଇ ଝିଅକୁ ସବୁ ଶିଖେଇ ଦେଇଥିଲା ।ତାଙ୍କ ଏରିଆରେ ସମସ୍ତେ ସାବିକୁ ଲକ୍ଷ୍ମିବନ୍ତିଆ କୁହନ୍ତି।ସାବି ଆସିବା ପରେ ତା ଘର ଅନ୍ୟମାନଂକଠାରୁ ଅଲଗା ଦିଶୁଥିଲା।ଖୋଲି ଭିତରୁ ବଢିଆ ବଢିଆ ବାସନା ସବୁ ଆସୁଥିଲା।ଧୂପ ଝୁଣା ସହିତ ଭଳିକି ଭଳିକି ରୋଷେଇର ଛୁଙ୍କ ବି। ସେଇଥିପାଇଁ ତ ମାରିଆମା ହାତ ରନ୍ଧା ତା ପେଟ ସିନା ଚିହ୍ନିଲା ହେଲେ ମନକୁ ଛୁଇଁ ପାରିଲାନି…!ଏତେ ସବୁ ତ କରୁଥିଲା ସାବି ।


ହେଲେ ଆଜି ଗୋଟେ ଦିନ ଯଦି କିଛି ଭୁଲ କରିଦେଲା ତେବେ ସିଏ ଏମିତି ପଶୁ ପରିକା ରାଗିବା କଣ ଠିକ୍ ଥିଲା କି ?ବିଚାରୀ...ଖରା ତରାରେ ପାଣି ଆଣିବାକୁ କେତେ କଷ୍ଟ ପଡୁଛି।ତା ସଫା ସୁତୁରା ପଣିଆ ଯୋଗୁଁ ତ ବେଶୀ ପାଣି ଦରକାର ପଡେ।ଆଉ ମାଧିଆର ଲୁଗାପଟା ଅନ୍ୟ ମାନଙ୍କ ପରି ଗନ୍ଧାଏନି..!!ସାବି ହାତ ବାଜି ତା ଘର ଆଉ ସେ ସଫା ତୋଫା ଦିଶନ୍ତି।କେତେ କଷ୍ଟ ହେଉଥିବ ନା ସାବିକୁ ସବୁଦିନ ଅଧିକା ପାଣି ପାଇଁ ଲାଇନ ଲଗାଇବାକୁ ।ସେଇଥିପାଇଁ ତ ଆଜି ତିନି ନମ୍ବର ଖୋଲି କଥାଟି ଉଠେଇଲା ।ଆଜି ଫେରେ ତା ଦିହ ଭଲ ଲାଗୁନି କହୁଥିଲା ।ଯୋଗକୁ ସିନା ସୁନା ମାଉସୀ ତା ଦୁଆର ମୁହଁରେ ବସି ଘଷି ପାରୁଥିବା ଦେଖି ମାଧିଆ ତାକୁ ଖୋଲିକି ଯିବାକୁ କହିଲା...ହେଲେ ମାଉସୀ ଯାଇଥିବ କି?ଆଉ କଣ ହେଇଥିବ ତା ସାବିର ।


ମାଧିଆ ପାଖକୁ ଲାଗି ଆସି ପାଟିରେ ଭର୍ତ୍ତି କରିଥିବା ବିଡି ଧୂଆଁ ଭକ୍ ଭକ୍ କରି ଛାଡ଼ି ଶମ୍ଭୁ ପଚାରିଲା.."କଣ ହେଇଚି କିରେ ତୋର?ଆଜି ଚାଳିରେ ଖାଇଲୁ?ସାବି ନୁଆଉ କଣ ରାଗିକି ଖାଇବାକୁ ଦେଲେନି କି ??" ଆଉ ତା ପରେ ପାନ ଗୁଟଖାଖିଆ ଦାନ୍ତ ଦେଖେଇ ନିର୍ଲଜ୍ଜ ମାନଂକ ପରି ହସିଲା ବହେ…!!


କଣ ତାକୁ କହନ୍ତା ମାଧିଆ..!!??ନିଜ ସ୍ତ୍ରୀ ଦିନେ ରାନ୍ଧି ପାରିନି ବୋଲି ସେ ପଖାଳ ଟିକେ ଖାଇ ଦେଇ ପାରିଲାନି..!!ଏଡେ ମରଦ ପଣିଆ ତାର..??ନିଜକୁ ନିଜେ ପୁଣି ମନେ ମନେ ଧିକ୍କାରି ଶମ୍ଭୁକୁ ମାଧିଆ କହିଲା…"ଆଛା ଖୋଲି ବଦଳ କରିବୁ କି ତୁ ଏବେ?"


"ମୁଁ କେତେବେଳେ ମନା କଲି?ତୁ ଏଇ ହାତରେ ତୋ ହୁକା ପାଇପ୍ ଦେ ଆଉ ସେଇ ହାତରେ ମୋ ଖୋଲି ର ଦରଜା ପେଲିକି ଭିତରକୁ ପଶି ଯା.."ବେପରୁଆ ହୋଇ କହିଲା ଶମ୍ଭୁ।


"ଠିକ୍ ଅଛି।ଆଜି ସଞ୍ଜ ବେଳକୁ ତୋ ଜିନିଷପତ୍ର ନେଇ ତୁ ପଳେଇ ଆ ତା ହେଲେ…!!"ଆଶାୟୀ ହୋଇ କହିଲା ମାଧିଆ..


"ମୋ ଜିନିଷ ଆଉ କଣ? ଅଲଗୁଣି ଗୋଟେ,ଦି ଚାରି ହଳ ଲୁଗା,ଦି ଟା ରସ ଡେକଚି କଡ଼େଇ ଆଉ ଦିଟା ହାଣ୍ଡି ବାଲ୍ଟି..ନେଇକି ଆସିଯିବି ଆଉ କ'ଣ…?"ଠିଆ ହେଇ ଅଣ୍ଟା ସଳଖୁ ସଳଖୁ ହାତ ଆଙ୍ଗୁଠି ସବୁ ଫୁଟେଇ ଫୁଟେଇ କହିଲା ଶମ୍ଭୁ…


ଯା ହଉ ଶମ୍ଭୁଟା ରାଜି ହେଇଗଲା।ସାବି ଘରେ କେତେ ମନ ଦୁଃଖରେ ଥିବ. ।ସିଏ ଏତେ କଡା କଥା କହିକି ନ ଖାଇକି ଆସି ଯାଇଛି। ଖୋଲିକୁ ଫେରିଲା ପରେ ସାବିକୁ ଏଇ ଖବରଟା ଦେଲେ ସିଏ କେତେ ଖୁସି ହେଇଯିବ ସତରେ ।ଧୁଆଧୁଇ ହେଇ ଲୁଗା ପାଲଟି ଆଗ ସାବିକୁ କୁଣ୍ଡେଇ ଧରିବ ଆଉ ନିଜ ଭୁଲ୍ ମାଗିନେବ ।


ସଞ୍ଜ ହେବା ଆଗରୁ ପାଣି ପାଇଁ ଲାଇନ ଲାଗି ଯାଇଥିଲା।ସାବି ହାଣ୍ଡି ଧରି ଅଠେଇଶ ନମ୍ବର ଖୋଲିରୁ ବାହାରି ପାଞ୍ଚ ନମ୍ବର ଖୋଲି ଯାଏଁ ଆସିଲା ପରେ ସୁନା ମାଉସୀ ତାକୁ ଦେଖିଦେଲେ ।ଦୌଡ଼ି ଆସି ତା ହାତ ଧରି ଟାଣି ନେଲେ ଭିତରକୁ. ।


"ମାଉସୀ... ମତେ କାଇଁକି ଟାଣିଲ ଯେ ? ମୋ ଲାଇନ ପଳେଇଲେ ଗୁମାସ୍ତା ବାବୁ ଆଉଥରେ ପଛରୁ ଆସିବାକୁ କହିବେ …"ବିକଳ ହୋଇ କହିଲା ସାବି।


"ଆଲୋ ପାଗଳୀ...ତୁ ପରା ପେଟରେ ଅଛୁ।ଆଉ ମୁଁ ଜଣେ ଧାଈ ହେଇକି ଏ ଦି ମାସ ତତେ ପାଣି ବୋହି ନବାକୁ କେମିତି ରାଜି ହେବି କହିଲୁ…?"


ଲାଜେଇ ଯାଇ ସାବି କହିଲା.."ସତ କଥା ଯେ ମାଉସୀ... ମତେ ତ କରିବାକୁ ପଡ଼ିବ ନା... ନ ହେଲେ ଘରେ ଟୋପେ ପାଣି ଆଉ ରହିବନି ଯେ…!!"


"ଆଲୋ ମା...ମୁଁ ପରା ଅଛି।ଦି ହାଣ୍ଡି ପାଣି ଭରି ଦେଇ ମୋ ଖୋଲିରେ ରଖିଦେଇଥିବି।ମାଧିଆ ଆସିଲେ ନେଇଯିବନି...ତୁ ମନ ଖୁସିରେ ରହ …"ସାବି ମୁଣ୍ଡ ଆଉଁସି ଦେଇ ସୁନା ମାଉସୀ କହିଲେ।


"ହେଲେ ମାଉସୀ...ମୋ ପାଇଁ ତମେ ଏତେ କଷ୍ଟ…"କହୁଥିଲା ସାବି ହେଲେ ଅଧାରୁ କାଟି ସୁନା ମାଉସୀ କହିଲେ…"ବିଧବା ଏକୁଟିଆ ବୁଢୀଟେ ମୁଁ।ମୋ ପୁଅ କାମ କରୁଥିବା ଅବସ୍ଥାରେ ମରିଗଲା ବୋଲି ମାଲିକ ମତେ ଖୋଲି ଖାଲି କରିବାକୁ କହିଲାନି।ଏଇ ପଥି ପାଞ୍ଚଣ କାମ ଜାଣିଛି ବୋଲି ଏ ସମସ୍ତଙ୍କୁ ନିଜ ପିଲା ପରି ଓଷଦ ପତ୍ର ଦେଇ ଦିନ ସାରିଲା ବେଳକୁ ତୁ ଦିନେ ଆସିଲୁ। ବୁଢ଼ୀ ଲୋକ ତଳେ ଶୋଉଛି କହି ମୋ ପାଇଁ ହେଂସ ମସିଣା ଖଣ୍ଡେ ବୁଣିଦେଲୁ।ବେତରେ ବୈଠକୀଟେ ତିଆରି କରିଦେଲୁ।ଆଉ ଏସବୁ ତୁ ପଇସା କି ଆଉ କିଛି ଲୋଭରେ କରିଥିଲୁ କି?"


"ଛିଃ ମାଉସୀ…"କହିଲା ସାବି.."ତମେ ତ ମୋ ମା ପରି।ମା ଚାଲିଗଲା ପରେ ତମଠୁ ମୁଁ ସେ ସ୍ନେହ ପାଉଛି…"


"ଆଉ ଏବେ ଏ ମା ତା ଝିଅ ପାଇଁ ଏତିକି କଣ କରି ପାରିବନି..?"ହସି କହିଲେ ମାଉସୀ।


ତାଙ୍କ କଥା କାଟିବାକୁ ଆଉ ଇଚ୍ଛା କି ବଳ ନ ଥିଲା ସାବି ପାଖରେ।ହାଣ୍ଡି ଥୋଇ ଦେଇ ଫେରି ଆସିଲା ଖୋଲିକୁ।


"ଶମ୍ଭୁ... ଏ ଶମ୍ଭୁ…"ଛୁଟି ହେବା ପରେ ପାଟି କରି କହିଲା ମାଧିଆ…"ଏବେ ଖୋଲି ବଦଳ ପାଇଁ ଆସିବି ରେ…"


"ହଉ ହଉ ଆ…"କହି ଗାମୁଛାରେ ମୁଣ୍ଡ ଦିହ ପୋଛି ପୋଛି ଆଗକୁ ଗଲା ଶମ୍ଭୁ…


"ମାଧିଆ…"ତାଙ୍କ ଖୋଲି ଦେଇ ସେ ଗଲାବେଳେ ଡାକିଲେ ସୁନା ମାଉସୀ…"ତୋର ଏ ଦି ହାଣ୍ଡି ପାଣି ନେଇଯା ରେ…!!"


"ମୋ ପାଣି..?"ଆଶ୍ଚର୍ଯ୍ୟ ହେଇ ପଚାରିଲା ମାଧିଆ.."ମାଉସୀ...ସାବି ଦିହ ଭଲ ନାଇ କି ?ତମେ କାଇଁକି ଆମ ପାଇଁ ପାଣି ରଖିଚ..?"


"କଣ କରିବାରେ ପୁଅ…?ତୋ ଘରଣୀ ଦିହ ବହୁତ୍ ଖରାପ।ଆଉରି ନ ମାସ ଧରି ତା ଦିହ ବେଶୀ ବେଶୀ ଖରାପ୍ ହବ।"ଗମ୍ଭୀର ହୋଇ କହିଲେ ସୁନା ମାଉସୀ


"କଣ..?"ମୁଣ୍ଡରେ ହାତ ଦେଇ ପଚାରିଲା ମାଧିଆ…"ସାବି ଦିହ ଏତେ ଖରାପ?ମାଉସୀ ତୁ କିଛି ଓଷଦ ଦେଇ ତାକୁ ଭଲ କରି ଦଉନୁ…!!"


"କରିଦେବି ଯେ...ହେଲେ ନାହି କାଟିଲା ପରେ ନୂଆ ସମ୍ବଲପୁରୀ ଶାଢ଼ୀଟେ ଦବୁ ହେଲା..?"କହି ହସିଲେ ମାଉସୀ।


ମାଧିଆ ବୁଝି ନ ବୁଝି ଆଁ କରି ଚାହିଁଥିବା ଦେଖି ମାଉସୀ ପୁଣି କହିଲେ…"ଆରେ ମୂରୁଖ ...ତୋ ସାବିର ପାଦ ଭାରି ହେଇଚି।ସେ ପେଟରେ ଅଛି ବୁଝିଲୁ…?"


ଖୁସିରେ ସୁନା ମାଉସୀକୁ ମୁଣ୍ଡିଆଟିଏ ମାରିଲା ମାଧିଆ।ପାଣି ହାଣ୍ଡି ଦିଟା ଦି ହାତରେ ଧରି ଏକ ରକମ ଦୌଡ଼ି ଆସିଲା ସାବି ପାଖକୁ ।


ଅଳ୍ପ ହସି ସାବି ପାଣି ଢାଳେ ବଢେଇ ଦେଲା ତା ଆଡେ।ସେ ବି ଅଳ୍ପ ହସି ଗୋଡ଼ ହାତ ମୁହଁ ଧୋଇଲା ଆଉ ଭିତରକୁ ଆସି କିଛି କହିବା ଆଗରୁ ସାବି ଚଟ କିନା ତା ଗୋଡ଼କୁ ଧରି ପକେଇଲା...ସାବିକୁ ଛାତି ଉପରକୁ ଟାଣି ମାଧିଆ ସକାଳର ବ୍ୟବହାର ପାଇଁ ଭୁଲ ମାଗିଲା ଆଉ "କେବେ ଏମିତି ହବନି... ରାଣ ଖାଉଚି" କହିଲା।


"ହଉ...ସକାଳୁ ଭୋକରେ ଯାଇଚ...ରାତି ଖାଇବାକୁ ଆଉରି ବେଳ ଅଛି।ମୁଁ ଟିକେ ମସଲା ମୁଢ଼ି ଦଉଚି।ଆଗ ଖାଇଦିଅ…"କହି ପିଆଜ କାଟିବାକୁ ବସିଲା ସାବି।


ତାକୁ ସେ ଜାଗାରୁ ଉଠେଇ ମାଧିଆ କହିଲା…"ଏ ଅବସ୍ଥାରେ ଆଉ ପାଣି ଆଣିବାକୁ ଯିବୁନି ଲୋ ତୁ...ମୁଁ ସେ ଯୋଗାଡ଼ କରି ଦେଇଚି…"


"ହେଇଟି...ମୋ ସପନ ଭାଙ୍ଗିବନି କିନ୍ତୁ...ତମ ପୁଅ ଠିକ୍ ତମ ପରି ଜମିଦାରୀ ଢଙ୍ଗରେ ବସି ହୁକା ପାଇପ୍ ଧରିବ ଆଉ ତାକୁ ଦେଖି ମୋ ଛାତି କୁଣ୍ଢେମୋଟ ହେଇଯିବ…"ସାବି ଆଖି ଲୁହ ପୋଛି କହିଲା।


"ନା ସାବି...ତୋ ପୁଅ ମିଛ ସପନ ଦେଖିବନି।ଏମିତି ହୁକା ପାଇପ୍ ଧରି ଗୋଡ଼ ଉପରେ ଗୋଡ଼ ଦେଇଦେଲେ କିଏ ଜମିଦାର ହେଇ ଯାଏନି।ଆମ ପୁଅ ତା ପାରିବାର ପଣିଆ ଯୋଗୁଁ ସତ ସତିକା ଜମିଦାର ପରି ହବ ...ଆଉ ଆମେ ତାକୁ ସେଇଆ ଶିଖେଇବା ଲୋ…ମୁଁ ଶମ୍ଭୁ ସହିତ କଥା ହେଇଯାଇଚି।ଏଇ ପୁରୁଣା ଜିନିଷଟା ବଦଳରେ ଆମେ ନୂଆ ଜୀବନଟେ ଆରମ୍ଭ କରିବା…"ତା ମୁହଁକୁ ଦୁଇ ପାପୁଲିରେ ଧରି କହିଲା ମାଧିଆ…


"ସକାଳେ ଟିକେ ମନ ବିସ୍ତାପରେ କଣ କହିଦେଲି ବୋଲି ତମେ ଏତେ ମନକୁ ନେଇଗଲ ?ବାପର ନିଶାନୀ ଏମିତି କିଏ କଣ ଦେଇ ପକାଏ ।ସରଗରେ ଥାଇ ଆମ ଉପରେ କୋପ କରିବେ ବଡ ବଡୁଆ ।କୋହ ଢ଼ୋକି କହିଲା ସାବି।


"ସାବି ଲୋ...ଗୋଟେ କଥା ଜାଣିଚୁ? ଆଜି ସକାଳେ ଯାହା ହେଲା ସେଇଟା କିଛି ବଡ କଥା ନାଇ।ମୁଁ ବହୁତ୍ ଭାବି ଚିନ୍ତି ଶମ୍ଭୁ ସହିତ ଖୋଲି ବଦଳ ପାଇଁ କଥା ହେଲି।ହେଲେ ଏବେ ଜାଣି ପାରୁଚି ଆମ ପିଲା ପାଇଁ ଏଇଟା ବହୁତ୍ ଦରକାରୀ…"କହି ବାକ୍ସ ଭିତରେ ଲୁଗା ରଖିବା ଆରମ୍ଭ କଲା ମାଧିଆ…


"ପିଲା ପାଇଁ ଦରକାରୀ?ମୁଁ ବୁଝି ପାରୁନି ଗୋ…"ତା ହାତ ଧରି ବିକଳ ହୋଇ ପଚାରିଲା ସାବି…


"ଦେଖ...ମୋ ବାପା ଏଇ ହୁକା ପାଇପ୍ ରଖିଥିଲେ ବୋଲି ତ ମୁଁ ମିଛି ମିଛିକା ହଉ ପଛେ ତାକୁ ଧରି ବସୁଚି।ଆଉ ମୁଁ ସିନା ବିନା ନିଶାରେ ଏଇୟା କରୁଚି ହେଲେ ଯଦି ଆମ ପିଲା ଏଇ ମିଛ ଖେଳକୁ ସତ କରିବାକୁ ଆରମ୍ଭ କରେ ।ନା ସାବି...ଏମିତି କିଛି ଜିନିଷ ଆମେ ତା ହାତକୁ କେବେ ଦବାନି ଯାହା ତା ପାଇଁ ଅସୁବିଧା ହବ ଲୋ...କଥା ମୋର କି ତୋର ନାଇ...କଥା ଆମ ଭବିଷ୍ୟର। ଆଉ ବାପା ମା ନିଜ ପିଲା ସହିତ ସବୁବେଳେ ଥାଆନ୍ତି।କଉ ନିଶାନୀ ଭିତରେ ନୁହେଁ…ଆମେ ଏଇ କାମ କଲେ ସରଗରେ ଥିବା ବଡ ବଡୁଆ ବି ଖୁସି ହେବେ..."ବୁଝେଇ କହିଲା ମାଧିଆ…


"ମାଧିଆ... ସଇଲା କି ଜିନିଷ ବନ୍ଧା..? ମୁଁ ଆସିଗଲି। ନୂଆଉ...ପାଣି ଦି ହାଣ୍ଡି କିନ୍ତୁ ରଖିଦେଇ ଯିବ ଲୋ...ତମେ ସିନା କଳ ଥିବା ଖୋଲିକୁ ଯିବ ହେଲେ ମୁଁ ଏତେ ରାତିରେ କୁଆଡୁ ପାଣି ଆଣିବି ।"କହି ଖୋଲି ବାହାରେ ଆସି ପହଂଚି ଯାଇଥିଲା ଶମ୍ଭୁ…


"ଆ ଶମ୍ଭୁ...ଆଜିଠୁ ଏ ଖୋଲି ତୋର…"କହି ହସିଲା ମାଧିଆ ।


ନୂଆ ଜୀବନର ନୂଆ ସପନ ଟିକେ ମୁଠାରେ ମୁଠେଇ ହାତରେ ହାତ ଛନ୍ଦି ତିନି ନମ୍ବର ଖୋଲି ପାଇଁ ଆଗେଇ ଯାଉଥିଲେ ସାବି ଆଉ ମାଧିଆ...ପଛରେ ରହି ଯାଇଥିଲା ହୁକା ପାଇପ୍ ଆଉ ଦି ହାଣ୍ଡି ପାଣି ।



Rate this content
Log in

Similar oriya story from Romance