ହଳେ ନୀଳ ଆଖି
ହଳେ ନୀଳ ଆଖି
ଆଜିକାଲି ସେ ମୋର ଖୁବ୍ ମନେ ପଡୁଛି ।
ପ୍ରଥମେ କିନ୍ତୁ ତାକୁ ଦେଖି ମୋତେ ବିସ୍ମୟ ଓ ଭୟ ଲାଗୁଥିଲା । ଯେତେ ଯେତେ ତାକୁ ଦେଖୁଥିଲି ସେତେ ସେ ମୋତେ ଆହୁରି ଭୟଙ୍କର ଓ ଅଦ୍ଭୁତ ଲାଗୁଥିଲା । ପଛକୁ ଚାହିଁଲେ ସେ ଓ ଆଗକୁ ଚାହିଁଲେ ବି ସେ ଦିଶୁଥିଲା । ଆସ୍ତେ ଆସ୍ତେ ମୋତେ ଲାଗିଲା ମୋ ଚାରିପାଖେ, ଉପରେ, ତଳେ କେବଳ ସେ ହିଁ ସେ ।
ଥରେ ଥରେ ସେ ମୋ ଭିତରେ ବି ଦେଖାଗଲା । ମୁଁ ଚମକି ପଡିଲି । ଆରେ... ଆରେ ଚିହ୍ନା ନାହିଁ ଜଣା ନାହିଁ କେତେବେଳେ ମୋ ଭିତରେ ଧସେଇ ପଶି ମୋତେ କବ୍ଜା କରି ନେଲାଣି!ହେ.....ଯାଆମ । ମୁଁ ତାକୁ ଯେତେ ଠେଲିଲି ସେ ଆଦୌ ଇଞ୍ଚେ ବି ଘୁଞ୍ଚିଲା ନାହିଁ । ମୁଁ ହଡ଼ବଡେଇ ଗଲି । ଇଏ କଣ ଏମିତି ହେଉଛି!
ସେ ମୋ ଅବସ୍ଥା ଦେଖି ଦାନ୍ତ ନେଫେଡେଇଲା । ମୋତେ ଗୋଟାପଣେ ଜାବୁଡି ଧରିଲା ତା ଛାତି ପେଟକୁ ମୋ ଛାତି ପେଟରେ ଲଗାଇ । ତା ଦୀର୍ଘଶ୍ଵାସ ମୋ ଦେହରେ ବାଜିଲା । ମୁଁ ହତଭମ୍ୱ ହୋଇଗଲି । ଚିନ୍ତା ଚେତନା ହରାଇଲି । ସେ ଆହୁରି ଜୋରରେ ମୋତେ ଭିଡି ଧରିଲା । ଖର ତତଲା ନିଃଶ୍ୱାସ ମୋତେ ଅସହ୍ୟ ଲାଗୁଥିଲା । ମୁଁ ଛାଟି ପିଟି ହେଲି । ସେ କିନ୍ତୁ ମଜା ନେଉଥିଲା ।
ବୋଧହୁଏ ମୋର ହୋସ୍ ଉଡ଼ିଗଲା । ସେ ମୋତେ ଛାଡିଦେଲା । ମୁଁ ନଥ୍ କରି କଚାଡି ପଡିଲି । ମୋ ହୋସ୍ ଚାଲି ଆସିଲା । ତାକୁ ଖୋଜିଲି । ଖୋଜିଲି ତାର ଜାଵ ପକା ଧରିବା । ଖୋଜିଲି ତାର ତତଲା ପବନ ନିଃଶ୍ୱାସ । ତା ଅନୁପସ୍ଥିତ ମୋତେ ଆନମନା କଲା । ମୁଁ ତାକୁ ଖୋଜିଲି......ଖୋଜିଲି ଆଉ ଖୋଜିଲି ।
ସିଏ ମୋ ଆଖିରୁ ନିଦ, ଖାଇବାରୁ ଭୋକ, ପିଇବାରୁ ତୃପ୍ତି, କାମରୁ ଆଗ୍ରହ, ସାଙ୍ଗ ମେଳରେ ଏକା, ବସିବାରେ ମାଟି ଗଦାଟିଏ କରିଦେଲା । କେବଳ ତାକୁ ଭାବିବାରେ ଦିନ ଯାଇ ରାତି, ପୁଣି ରାତି ଯାଇ ଦିନ ହେଲା ଜଣା ପଡ଼ିଲାଣି । ଏଇ କିଛି ଦିନ ସମ୍ପୂର୍ଣ୍ଣ ଅନ୍ୟମନସ୍କ ହୋଇଗଲି ଏକବାର । ନିଜକୁ ଦର୍ପଣରେ ଦେଖିଲେ ସେ ହିଁ ଦିଶିଲା । ସେ ମୋତେ ଗୋଟା ପଣେ ଅଜଗର ପରି ଗିଳି ଦେଇଥିଲା । ମୁଁ ନିଜ ଅକ୍ତିଆରରେ ନଥିଲି । ତା ଭିତରେ ଅଣନିଃଶ୍ୱାସୀ ହୋଇ ଭିଡି ମୋଡି ହେଉଥିଲି ।
ଜଣଙ୍କ ଅନୁପସ୍ଥିତି ଏମିତି ପାଗଳା କରେ ! ମୁଁ ଆଶ୍ଚର୍ଯ୍ୟ ହେଲି । ପ୍ରତି ମୁହୂର୍ତ୍ତ, କ୍ଷଣ ତାକୁ ପାଖରେ ପାଇବାକୁ ବ୍ୟାକୁଳ ହେଲି । ସବୁ ଦିନେ ତାକୁ ଅପେକ୍ଷା କଲି । ୟାକୁ ତାକୁ ପଚାରିଲି । କୁହ ହେ ତାକୁ ଦେଖିଛ କେହି?
ସମସ୍ତେ ପଚାରିଲେ ଆରେ ସେ କିଏ, ତା ନାଁ, ଗାଁ, ଠିକଣା କଣ?
ମୁଁ କହିଲି ଯାହାର ନୀଳ ଡବ ଡବ ଆଖି, ମୋତେ ଯିଏ ଜାବୁଡି ଧରିଥିଲା, ନିଜ ଦେହରେ ଗୁଡେ଼ଇ, ମୋତେ ତା ଶରୀରରେ ମିଶେଇ, ସେଇ ମ, କଣ ଜାଣି ପାରୁନ!!
ସମସ୍ତେ ହସିଲେ । କି ପାଗଳାଟା କି.......ନାଁ, ଠିକଣା କିଛି ନାହିଁ ଖାଲି ସିଏ.. ସିଏ ହେଉଛି । ତୁଚ୍ଛା ଅଲଣା କଥା । ଚାଲ....ଚାଲ ଏଇଟାର କାମ ନାହିଁ ବୋଲି ଆମର ନାହିଁ ନା କଣ । ଛୋପରାଟା । ଭଜୁଥା ମାଳା ଗଡେଇରେ ପୁଅ । ଏମିତି ଟାହି ଟାପରା କରି କିଏ କୁଆଡେ ଗଲେ ।
ଆରେ ବାଃ କିଛି ଦିନ ଅନ୍ତରେ ସେ ପୁଣି ଦେଖାଦେଲା । ଏଥରକ ସେ ଟିକେ ମୋତେ ଦେଖି ବି ନଦେଖିଲା ଢଙ୍ଗ କାଢ଼ିଲା । ଜାଣିଗଲା କି କଣ ମୁଁ ତାକୁ ଖୋଜୁଛି ପାଣି ପକେଇ । ଭାଉ ଖାଇଲା ଭାରି ।
ତାକୁ ଦେଖି ମୋତେ ଆଉ ଡର ଲାଗିଲା ନାହିଁ । ବରଂ କେମିତି ଗୋଟେ ଆକର୍ଷଣ ଶକ୍ତି ମୋତେ ତା ଆଡ଼କୁ ଟାଣୁଥିଲା । ରହସ୍ୟମୟ ଲାଗିଲା ସେ । ମୁଁ ପଢିବାକୁ ଚେଷ୍ଟା କଲି । ଏତେ ଗଭୀର ସେ ପାଣି ! କାତ ଅକାତ । ଭଉଁରୀ ବି ଅଛି । ପାଦେ ପାଦେ ବିପଦ । ଜାଣି ବି ନିଆଁରେ ପତଙ୍ଗ ଝାସ ଦେଲା ପରି ମୁଁ ତାର ନିକଟତର ହେଲି । ମୋ ଆଡୁ ସମ୍ପର୍କ ଯୋଡିବାର ହାତ ବଢ଼ାଇଲି ।
ସେ ଗୋଟେ ଛୋଟ କାଟିଆ ଗୋଲାପ ଫୁଲିଆ ହସ ମୋ ଆଡ଼କୁ ଫିଙ୍ଗି ଯାଉଥିଲା ଓ ଆସୁଥିଲା କିଛି ନ କହି । ସେ ଯଦିଓ ବାର ବାର ଆସୁଥିଲା, ମୋତେ କିନ୍ତୁ ଆଉ ଜାବୁଡି ଧରୁନଥିଲା । ଯେଉଁଟା ମୁଁ ନିହାତି ଖୋଜୁଥିଲି । ମୋତେ ଯେମିତି ସେ କିମିଆଁ କରି ତାରି ଆଡକୁ ଟାଣୁ ଥିଲା । ମୁଁ ଯେତେ ପାଖକୁ ତାର ଯାଉଥିଲି ସେ ସେତେ ଇନ୍ଦ୍ରଧନୁ ପାଲଟି ଯାଉଥିଲା ।
ସାମାନ୍ୟ ଜିନିଷରେ ବି ମୋହ, ଆସକ୍ତି ଆସି ଗଲେ ମଣିଷ ଏତେ କଲବଲ ହୁଏ ! ସେ ଚିଜଟି ପାଇବାର ଝୁଙ୍କ ବଢିଯାଏ । ମୋ ପାଇଁ ସେ ସେମିତି ଅନୁଭବ ଆଣିଦେଲା । ମୁଁ ଦେଖିଲି, ପଢ଼ିଲି, ବୁଝିଲି ତାକୁ ।
ଏଣିକି ତାକୁ ବୋଧେ ମୁଁ ଭଲ ପାଇ ବସିଲି । ଡର ଉଭେଇଗଲା । ଭଲ ପାଇବାର ବୀଜଟିଏ ପୋତି ହୋଇଗଲା ତା ପାଇଁ ମୋ ଭିତରେ । ତା ଅକାତ କାତ ପାଣିରେ ମୁଁ ବୁଡିଗଲି ....ଇ । ସତେରେ ମ ଭଲ ପାଇବା ମଣିଷକୁ ଏତେ ସାହସୀ କରେ !
ତାକୁ ଛୁଇଁବା ଅପେକ୍ଷା ତା କଥା ଭାବି ହେଲି ବେଶୀ ବେଶୀ । ଇସ୍ ! କି ଅନୁଭବ ! ମନ ଉଡିଲା ଯୁଦ୍ଧ ଜାହାଜ ପରି । ମୁଁ ଗୋଟେ ବଦରାଗୀ କିନ୍ତୁ ତା କଥା ଭାବି ଭାବି କେତେବେଳେ ଯୋଗୀ ହୋଇଗଲି । ଦିନୁ ଦିନ ସେ ମୋ ଆଗରେ ଏକ ବିରାଟ ସମୁଦ୍ର ପାଲଟିଗଲା । ମୁଁ ହୋଇଗଲି ବେଳାଭୂଇଁ ପରେ ଠିଆ ନିରବ ଦର୍ଶକଟିଏ ।
ଦିନେ ଡର ଭୟ ଛାଡି ତାକୁ ପଚାରିଲି, ତୁ କିଏ ? କାହିଁକି ଏମିତି ମୋତେ ମାରୁଛୁ ! ପାରିବୁ ଯଦି ମୋ ଭିତରକୁ ସବୁଦିନେ ଚାଲି ଆ । ତୁ ଆଜିକାଲି ମୋତେ ବହୁତ ଭଲ ଲାଗୁଛୁ ମୋତେ । ମୋର ଗାଡି, ଦାଢ଼ି, ସପନ ପେଡି ସବୁ ଅଛି । ଆ...
ମୋ କଥା ଶୁଣି ସେ ଫିକ୍ କିନା ହସିଦେଲା......
କହିଲା ଉଁ...... ତୁମେ ଭାରି ଦୁଷ୍ଟ ସତରେ......ତାପରେ ପୁଣି କୁଆଡେ ଉଭେଇଗଲା । ମୁଁ ନିଦରୁ ଉଠି ପଡି ଖୋଜିଲି ସେ ହଳେ ନୀଳ ଆଖିକୁ ।
ସେ କିନ୍ତୁ ନଥିଲା । ତା ଦେହର ବାସ୍ନା ମୋ ଭିତରେ କିନ୍ତୁ ବାସୁଥିଲା । ଅଚିହ୍ନା ହଳେ ନୀଳ ଆଖି ପ୍ରେମେ ଉବୁଡୁବୁ ମୁଁ । ଜାଣେନି ତା ସହ କେବେ ଦେଖା ହେବ କି ନା ।
ତଥାପି ମୁଁ ତାକୁ ଖୁବ୍ ଭଲ ପାଏ । ସେ ଆଖିକୁ ମନେ ପକାଇ ରୋମାଞ୍ଚିତ ହୁଏ । ତା କଥା ଆଖି ବୁଜି ଭାବିଲେ ସେଇ ହଳେ ନୀଳ ଆଖି ମୋ ଆଗେ ଓଠ ଚିପି ହସନ୍ତି, ଆଖି ଖୋଲିଲା ବେଳକୁ କେବଳ ଅନୁଭବଟି ମୋ ସହ ଥାଏ ।