Prakash Sahoo

Romance Tragedy

3.4  

Prakash Sahoo

Romance Tragedy

ଗୋଟିଏ ଅଧୁରା ପ୍ରେମ କାହାଣୀ

ଗୋଟିଏ ଅଧୁରା ପ୍ରେମ କାହାଣୀ

7 mins
221



ଆଷାଢ଼ ମାସ ର ସେହି ଝିପ ଝିପ ବର୍ଷା । ଶୀତଳ ପବନ ର ସ୍ପର୍ଶ ମଧ୍ୟରେ ଚକାଡୋଳା ବସ ଟା ପହଞ୍ଚି ସାରିଥିଲା ରାମପୁର ଗାଁ ରେ । ବସ ଟା ଜାତୀୟ ରାଜପଥ ଠାରୁ ଦୁଇ ମାଇଲ ଦୂର ଗାଁ ବସଷ୍ଟାଣ୍ଡ ର ବର ଗଛ ପାଖ ରେ ଛିଡା ହୋଇଥିଲା । ଏହି ସଂକୀର୍ଣ୍ଣ ଗ୍ରାମ୍ୟ ରାସ୍ତା ଲମ୍ବି ଯାଇଛି ପ୍ରାୟ ଚାରି ରୁ ପାଞ୍ଚ ମାଇଲ ଗାଁ ଭିତରକୁ । ରାସ୍ତା ର ଉଭୟ ପାର୍ଶ୍ଵ ରେ ଦୂର ଦିଗବଳୟ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ସବୁଜ ଧାନ କ୍ଷେତ । ତିନି ମାଇଲ ଦୁରେ ଅଛି ପୁରୁଣା ଜଗନ୍ନାଥ ଙ୍କ ମନ୍ଦିର । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରାମପୁର ଗାଁ କୁ ଦେଖି ଯେ କେହି ଖୁସି ରେ ବିଭୋର ହେବା ସ୍ବାଭାବିକ । ବର୍ଷା ଯେବେ ଠୁ ରାମପୁର କୁ ଫେରିଛି ରାମପୁର ଗାଁ ଟି ସମ୍ପୂର୍ଣ୍ଣ ସବୁଜ ହୋଇଯାଇଛି । ଅସରାଏ ବର୍ଷା ବୋଧେ ହୋଇଯାଇଛି । ତଥାପି ଆକାଶ ଟା କଳା ବାଦଲ ର ଚାଦର କୁ ବିଛେଇ ଦେଇଛି । କିଛି କ୍ଷଣ ପୂର୍ବେ ବିଜୁଳି ର ପ୍ରତିଧ୍ୱନି ସହିତ ବର୍ଷୁ ଥିବା ବର୍ଷା ଟା ଟିକେ ନରମି ଯାଇଛି । ବୋଧ ହୁଏ ସ୍ୱାଧୀନ ପାଇଁ ।


ସ୍ୱାଧୀନ ର ଘର ରାମପୁର ର ପାଖ ଗାଁ ମଖନପୁର ରେ । ସୁଦୂର ବାଙ୍ଗାଲୋର ରେ ଚାକିରୀ କରୁଛି । ରାମପୁର ଆଞ୍ଚଳିକ ମହାବିଦ୍ୟାଳୟ ରେ ପଢ଼ୁଥିବା ସମୟ ରେ ଗଢ଼ି ଉଠିଥିଲା ସ୍ୱାଧୀନ ର ସମ୍ପର୍କ ରାମପୁର ଗାଁ ସହିତ ଆଉ ଏହି ମାଟି ରେ ଆରମ୍ଭ ହୋଇଥିଲା ତା ପ୍ରେମ କାହାଣୀ । ଚକାଡୋଳା ବସ ରୁ ଓଲ୍ହାଇବା ପରେ ନିରବ ରେ ଗାଁ ର ଅଣଓସାରିୟା ରାସ୍ତା ଉପରେ ଛିଡା ହୋଇଛି ସ୍ୱାଧୀନ । କାହିଁ କେହି ତ ନେବା କୁ ଆସୁନାହାନ୍ତି?କେମିତି ବା ଆସିବେ । ଦୀର୍ଘ ଦିନ ପରେ ରାମପୁର ଗାଁ କୁ ଆସିଛି । ତା ଆସିବାର ପୂର୍ବ ସୂଚନା କାହା ପାଖ ରେ ବି ନାହିଁ । ଦୀର୍ଘ ନିଶ୍ଵାସ ଟିଏ ଛାଡି ଆକାଶ କୁ ଚାହୁଁଛି ସ୍ୱାଧୀନ ଆଉ କଣ ସବୁ ଭାବି ଭାବି ମୁରୁକି ହସି ଦେଉଛି ମନ ରେ । ଠିକ ଏହି ସମୟ ରେ ପୁଣି ଥରେ ଆକାଶ ରୁ ଖସି ପଡ଼ିଲା ଅସରାଏ ବର୍ଷା । ଭିଜିଗଲା ତା ଆଖି ଆଉ ଦେହ ବି ଶୀତଳ ବର୍ଷା ର ଛୁଆଁ ଟା କାହିଁକି କେଜାଣି ସ୍ୱାଧିନ ର ସ୍ୱାଧୀନତା ଉପଲବ୍ଧି କରାଇ ଦେଲା । ବର୍ଷା ଭିଜା ମୁହଁ ଟି ରେ ଗାଲ ଓ ଓଠ ଦେଇ ତା ଆଖି ରୁ କେତେ ଯେ ଅଶ୍ରୁ ଧାର ଝରି ପଡୁଛି ତାହା ଜଣା ପଡୁନି ।


ଏଥର ସ୍ୱାଧୀନ ନିଜ ହୃଦୟ କୁ ଦୃଢ କରି ଆଗ କୁ ଆଗ କୁ ପାଦ ବଢାଇଲା । ଆଗକୁ ଯିବା କୁ ଚାହୁଁ ନ ଥିଲା ବୋଧେ ସେ ସେଠି ପାଇଁ ସେ ବରଗଛ ଚାନ୍ଦିନୀ ଉପରେ ବସିପଡ଼ିଲା ତା ପରେ ସେ ନିଜ ବ୍ୟାଗ ରୁ କିଛି ବାହାର କରିବା ପାଇଁ ଚେଷ୍ଟା କରିଲା । ଶେଷ ରେ ମିଳିଥିଲା ତା ପ୍ରେମ କାହାଣୀ ର ସାକ୍ଷୀ ,ମାମାଲି ଦେଇଥିବା ରାଧାକୃଷ୍ଣ ଙ୍କ ର ଯୁଗଳ ମୂର୍ତ୍ତି । ଆସ୍ତେ ଆସ୍ତେ ମୂର୍ତ୍ତି କୁ ଛାତି ଉପରେ ରଖି ଅନୁଭବ କରିବାକୁ ଚେଷ୍ଟା କରୁଥିଲା ପୁରୁଣା ସ୍ମୃତିକୁ । ଆଖି ସାମ୍ନା ରେ ନାଚି ଉଠିଲା ମାମାଲି ର ମୁହଁ ।


ସେଦିନ ଠିକ ଏହି ରାମପୁର ବସଷ୍ଟାଣ୍ଡ ରେ ଶେଷଥର ପାଇଁ ମମାଲି ସହିତ ଦେଖା ହୋଇଥିଲା । ସେଦିନ ବସ ର ଯାନ୍ତ୍ରିକ ତ୍ରୁଟି ପାଇଁ ବସ ପ୍ରାୟ ଅଧ ଘଣ୍ଟା ବିଳମ୍ବ ହୋଇଥିଲା । ଏହି ଯାନ୍ତ୍ରିକ ତ୍ରୁଟି ବୋଧେ ଈଶ୍ୱର ସେ ଦୁହିଁ ଙ୍କ ପାଇଁ ହିଁ କରିଥିଲେ । ଦୁହେଁ ସେଦିନ ବରଗଛ ଚାନ୍ଦିନୀ ଉପରେ ଖୁବ ବାର୍ତ୍ତାଳାପ କରିଥିଲେ । ପରସ୍ପର ଭିତ ରେ ଥଟ୍ଟା ମଜା କରିଥିଲେ । କିନ୍ତୁ ଏହି ମିଳନ ଯେ ସେମାନ ଙ୍କ ଶେଷ ମିଳନ ହେବ ତା ସେମାନ ଙ୍କୁ ଜଣା ନ ଥିଲା । ସମୟ ସରିଗଲା ଏହି ଶେଷ ଦେଖା ର । ଶେଷ ରେ ବସ ଟି ହରନ ମାରି ସମସ୍ତ ଯାତ୍ରୀ ଙ୍କୁ ଦଶ ମିନିଟ ର ସମୟ ଦେଲା ବସ ରେ ବସିବା ପାଇଁ । କାନ୍ଦ କାନ୍ଦ ମୁହଁ ରେ ସ୍ୱାଧୀନ ର ହାତ ଧରି କହିଥିଲା ମାମାଲି "କଥା ଦିଅ ସ୍ୱାଧୀନ ଆର ଥର କୁ ତୁମ ସଙ୍ଗେ ମତେ ନେଇଯିବ ତୁମ ଘର କୁ । ତୁମ ବିନା ଏ ଜୀବନ ଅସମ୍ପୂର୍ଣ୍ଣ । ତମେ ତୁମ ବାପା ମା ଙ୍କ ଆଗରେ ଆମ ବିବାହ ର ପ୍ରସ୍ତାବ ରଖ" ମାମାଲି ର ଆଖି ରୁ ଝରି ପଡୁଥିବା ଅଶ୍ରୁ କୁ ପୋଛି ସ୍ୱାଧୀନ ବି କଥା ଦେଲା ଆର ଥର କୁ ସେ ବାପା ମା ଙ୍କୁ କହି ମାମାଲି କୁ ନିଜ ଘର କୁ ବଧୂ ବେଶେ ନେଇଯିବ ।


ସ୍ଵାଧୀନ ର ଏହି ଭାବନା ଭିତରେ ହଠାତ ଆକାଶ ଟା ଛାତି ରେ ଜାକିଥିବା ସମସ୍ତ ଜଳ କୁ ବର୍ଷାଇ ଦେଲା ରାମପୁର ଗାଁ ଉପରେ । ସତେ ଯେପରି ବର୍ଷା ର ଜଳଧାରା ବି ସ୍ୱାଧୀନ ର ପୁରୁଣା ସ୍ମୃତି କୁ ଲିଭାଇବାକୁ ଚେଷ୍ଟା କରୁଥିଲା । ଆଉ କହୁଥିଲା ଭୁଲିଯାଅ ସ୍ୱାଧୀନ ତାକୁ ଭୁଲିଯାଅ । ତା ପ୍ରେମ ର ଅଧିକାର ତୁମ ପାଇଁ ଏ ଜନ୍ମ ରେ ନ ଥିଲା । ୟା ଭିତରେ କାଳିଆ ବୁଲେଟ ର ଗର୍ଜନ ସହିତ ପାଖ ରେ ପହଞ୍ଚିଥିଲା ଦେବାଶିଷ । ଦେବାଶିଷ ସଙ୍ଗେ ସଙ୍ଗେ ଗୋଟିଏ ଛତା ସାହାଯ୍ୟ ରେ ସ୍ୱାଧୀନ କୁ ପାଖ ଚାହା ଦୋକାନ କୁ ନେଇଗଲା । ଦେବାଶିଷ ମାମାଲି ର ପଡ଼ିଶା ଘର ସାଙ୍ଗ ଥିଲା । ପ୍ରାୟ ଛଅ ବର୍ଷ ତଳେ ଦେବାଶିଷ ଆଉ ସ୍ୱାଧୀନ ପଦାର୍ଥ ବିଜ୍ଞାନ ରେ ସ୍ନାତକୋତ୍ତର କରୁଥିବା ବେଳେ ମାମାଲି ନୂଆ କରି କଲେଜ କୁ ଆସିଥିଲା । ମାମାଲି ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷ ର ଛାତ୍ରୀ ଥିଲା । ସେହି ପ୍ରେମ ର ପବିତ୍ର ବନ୍ଦନ ରେ ଆବଧ ହେବା କୁ ଯାଉଥିବା ନୂଆ ପକ୍ଷୀ ଯୁଗଳ ଙ୍କ ଦେବାଶିଷ ଥିଲା ବାର୍ତ୍ତାବହ । ସ୍ୱାଧୀନ ର ପ୍ରେମ କୁ ସାର୍ଥକ କରିବା ର ଦାୟିତ୍ୱ ନିଭାଇଥିଲା ଦେବାଶିଷ । ଦେବାଶିଷ ଙ୍କୁ ଦେଖିଲେ ଉଭୟ ଙ୍କ ମନ ରେ ଖେଳି ଯାଉଥିଲା ପ୍ରେମ ର ମୂର୍ଚ୍ଛନା ।


ଗୋଟିଏ ସିଗାରେଟ ଆଉ ଚାହା କପ ଟା ହାତ କୁ ବଢ଼ାଇ ଦେବାଶିଷ କହୁଥିଲା ସ୍ୱାଧୀନ କୁ ଆରେ ସାଙ୍ଗ ଏତେ ଦିନ ପରେ ଆମ ଗାଁ କୁ ଆସିଛୁ ଅଥଚ ଟିକେ ମେସେଜ କି କଲ ଟେ କରିପାରିଲୁନି । ତୋ ଆସିବା ର ଖବର ମୁଁ ଗାଁ ର କିଛି ଛୋଟ ପିଲା ଙ୍କ ଠାରୁ ଜାଣିବାକୁ ପାଇଲି । ଆରେ ଏ ରାମପୁର ଗାଁ ତୋତେ ଆଜି ବି ମନେ ରଖିଛି । ଏ ଗାଁ ର ଗଛ ଲତା ପାଣି ପବନ ସବୁ ତୋତେ ମନେ ରଖିଛନ୍ତି ରେ । ତୁ କଣ ଭାବିଥିଲୁ ତୁ ଆଗୁଆ ନ ଜଣାଇଲେ ମୁଁ ଜାଣିପାରିବିନି ତୋ ଆସିବା ର ଖବର । ହଉ ଛାଡ଼ ସେ କଥା ଏବେ ତୋ କଥା କହ ତୁ କେମିତି ଅଛୁ । ତୋ ଚାକିରୀ କେମିତି ଚାଲିଛି କହି ସ୍ୱାଧୀନ ର କାନ୍ଧ ଉପରେ ହାତ ରଖି ଦେଲା ଦେବାଶିଷ ।


ସ୍ୱାଧୀନ ଦେବାଶିଷ କୁ ସେମିତି ଚାହିଁ ରହିଥିଲା ତା ଆଖି ରୁ ବହି ଯାଉଥିଲା ଲୁହ ର ଧାର । ତାର ଲାଲ ଆଖି ଯୋଡିଏ ବ୍ୟକ୍ତ କରୁଥିଲା ତା ହୃଦୟରେ ଥିବା ତୁହା ତୁହା ବେଦନା । ଓଠ ତଳେ ଥିଲା ଅନେକ ପ୍ରଶ୍ନ । ଯୁକ୍ତ ତିନି ପଢିବା ସମୟ ରେ ପଦାର୍ଥ ବିଜ୍ଞାନ ର କୌଣସି ବିଷୟ ଉପରେ ଯେପରି ଭାବେ ଦେବାଶିଷ କୁ ପ୍ରଶ୍ନ ପଚାରି ନିଜ ଦ୍ୱନ୍ଦ ଦୂର କରୁଥିଲା କିନ୍ତୁ ଆଜି ସେ ଅସମର୍ଥ । ସେ କିଛି ବି ଉଚ୍ଚାରଣ କରିପାରୁନଥିଲା । ଦେବାଶିଷ ବୁଝିପାରିଲା ସ୍ୱାଧୀନ ର ମନ କଥା । ଜାଣିପାରିଲା ସ୍ୱାଧୀନ କେଉଁ ବିଷୟ ରେ ପଚାରିବାକୁ ଚାହୁଁଛି ।


ସମ୍ପୂର୍ଣ୍ଣ ଘଟଣା ବିଷୟ ରେ ଆରମ୍ଭ କରିଲା ଦେବାଶିଷ । ଗୋଟିଏ ସୁନ୍ଦର ପ୍ରେମ କାହାଣୀ କେମିତି ଅଧୁରା ରହିଗଲା । ଯେତେବେଳେ ମାମାଲି ର ପରିବାର ତୁମ ଦୁଇ ଜଣ ଙ୍କ ର ସଂପର୍କ ବିଷୟରେ ଜାଣିବାକୁ ପାଇଲେ । ତାକୁ ଖୁବ ଗାଳି ଗୁଳଜ କରିଥିଲେ । କାରଣ ତୁ ଥିଲୁ ଗରିବ ଘର ର ପୁଅ ଆଉ ସେ ଥିଲା ଧନୀ ଘର ର ଝିଅ । ତାକୁ ନଜର ବନ୍ଦୀ ରେ ରଖିଲେ । ତାକୁ ବାହାର କୁ ଛାଡିଲେ ନାହିଁ । ତାର ସମସ୍ତ ସାଙ୍ଗ ମାନ ଙ୍କ ସହିତ ତା ସମ୍ପର୍କ କୁ କାଟିଦେଲେ । ତା ଠାରୁ ମୋବାଇଲ ନେଇଗଲେ । ବିଚାରି ଆଉ କେତେ କଷ୍ଟ ସହିଥାନ୍ତା । ଶେଷ ରେ ମାମାଲି ର ବିବାହ ପାଖ ଗାଁ ଜାମିନଦାର ର ପୁଅ ସହିତ ଜବରଦସ୍ତି ଠିକ କରିଦିଆଗଲା ।


ସେଦିନ ମାମାଲି ଘର କୁ ମୁଁ ଯାଇଥିଲି ତା ହାଲଚାଲ ବୁଝିବା ପାଇଁ । ମାମାଲି ମୋତେ ଦେଖି ବହୁତ ନେହୁରା ହୋଇଥିଲା । କିଛି ଗୋଟେ ବ୍ୟବସ୍ଥା କରିବା ପାଇଁ କହିଥିଲା । ତା ବିବାହ ର ଆଉ ସାତ ଦିନ ବାକି ଥିଲା । ତାରି ଭିତରେ ମୁଁ କିଛି ଗୋଟେ ବନ୍ଦୋବସ୍ତ କରିବା ପାଇଁ କଥା ଦେଲି । ତା ପରେ ମୁଁ ତୋ ସହିତ ସମ୍ପର୍କ କରିବା ପାଇଁ ସେହି ଦିନ ଚେଷ୍ଟା କରିଥିଲି କିନ୍ତୁ ତୋ ଫୋନ ନେଟୱର୍କ ର ସୀମା ରେଖା ବାହାରେ ଥିଲା ।


ଏବେ ଦେବାଶିଷ ର ଆଖି ରୁ ଲୁହ ବହିଯାଉଥିଲା । ସେ ମାମାଲି ବିଷୟରେ କିଛି କହି ପାରୁନଥିଲା । ସ୍ୱାଧୀନ ବାରମ୍ବାର ତା କାନ୍ଧ କୁ ହଲାଇ ପ୍ରଶ୍ନ କରୁଥିଲା"ତା ପରେ କଣ ହେଲା ମାମାଲି ର କହ ସାଙ୍ଗ କହ ତା ପରେ କଣ ହେଲା?....


ଦେବାଶିଷ ଆଖି ରୁ ଲୁହ ପୋଛି ଆଉ ଗଳା ଢ଼ୋକି କହିଲା ସେଦିନ ମାମାଲି କୁ ମୁଁ କଥା ଦେଇ ଆସିଥିଲି କିଛି ଗୋଟେ ବ୍ୟବସ୍ଥା କରିବା ପାଇଁ । କିନ୍ତୁ ମୋ କଥା ରେ ତାର ଭରସା ବୋଧେ ପାଇଲା ନାହିଁ । ଠିକ ସେହି ଦିନ ରାତି ପ୍ରାୟ ଦୁଇ ଟା ସମୟ ରେ ମୁଁ ସୋଇଥିବା ବେଳେ ମତେ କିଛି ଲୋକ ଙ୍କ ର ହୋହାଲ୍ଲା ହେବା ର ଶବ୍ଦ ଶୁଣା ଗଲା । ମୁଁ କିଛି ବୁଝିପାରୁନଥିଲି । ଘଟଣା ର ମର୍ମ ବୁଝିବା ପାଇଁ ମୁଁ ଘର ବାହାର କୁ ଆସିଥିଲି । ମୁଁ ବି ସେହି ଦିଗ ଆଡ କୁ ଅଗ୍ରସର ହେଲି ଯେଉଁ ଆଡ କୁ ସାହି ପଡ଼ିଶା ଧାଇଁ ଥିଲେ । ଏ କଣ ସବୁ ମାମାଲି ଘର ଆଡ କୁ ଯାଉଛନ୍ତି । ଶେଷ ରେ ମୁଁ ମାମାଲି ଘରେ ପହଞ୍ଚିଥିଲି କିନ୍ତୁ ସେତେବେଳ କୁ ବହୁତ ଡେରି ହୋଇସାରିଥିଲା ମାମାଲି ସୁଇସାଇଡ଼ କରିଥିଲା ।


ଏ ସବୁ ଶୁଣିବା ପରେ ସ୍ୱାଦିନ ର ଶ୍ୱାସରୁଦ୍ଧ ହୋଇଗଲା । ତାକୁ ନିଶ୍ୱାସ ନେବା ରେ କଷ୍ଟ ଅନୁଭବ ହେଲା ଚତୁର୍ଦିଗ ତାକୁ ଅନ୍ଧାର ଦେଖାଗଲା । ଟଳି ପଡିଲା ସେ ଭୂଇଁ ରେ ଅଚେତ ହୋଇ । ପାରେ ସ୍ୱାଧିନ ନିଜ କୁ ପାଇଥିଲା ବରଗଛ ଚାନ୍ଦିନୀ ଉପରେ । ସ୍ୱାଧୀନ ପୁଣି ଥରେ ଦେବାଶିଷ କୁ ପଚାରିଥିଲା ସେ କାହିଁକି ତାକୁ ମିଛ କହିଥିଲା ଯେ ମାମାଲି ର ବିବାହ ସରିଛି । ମାମାଲି ବି ଏହି ବିବାହ ରେ ବହୁତ ଖୁସି ଅଛି । ଆଉ ସେ ବିବାହ କରିଥିବା ପିଲା ର ମାସିକ ଦରମା ସ୍ୱାଧୀନ ଠାରୁ ଢେର ବେଶି ।


ପରେ ଦେବାଶିଷ ତା ମୋବାଇଲ କାଢି ତା ଭତ୍ସପ୍ପ ରେ ମାମାଲି ସେହି ଦିନ ରାତି ରେ ତା ସାନ ଭାଇ ମୋବାଇଲ ରୁ ପଠାଇଥିବା ଶେଷ ମେସେଜ କୁ ଦେଖାଇଥିଲା ଯେଉଁ ଥିରେ ଲେଖା ଥିଲା ଏମିତି


"ଦେବାଶିଷ ଭାଇ ମୁଁ ଆଜି ଯାଉଛି ଏ ଦୁନିଆ କୁ ଛାଡି ତୁମ ଉପରେ ମୋ ଭରଷା ଯଥେଷ୍ଟ ଅଛି ତୁମେ ନିଶ୍ଚୟ କିଛି ଗୋଟେ ବ୍ୟବସ୍ତା କରିବ । କିନ୍ତୁ ମୋ ବିବେକ ମୋତେ ବାଧା ଦେଲା ମୋ ପାଇଁ ତୁମେ କାହିଁକି ଅସୁବିଧା ର ସମ୍ମୁଖୀନ ହେବ । ମୋ ପାଇଁ ଆମ ପରିବାର ର ନଜର ରେ ତୁମେ କାହିଁକି ଛୋଟ ହେବ ।


ମୋବାଇଲ କୁ ସ୍ୱାଧିନ ର ନଜର ରୁ ହଟାଇ ଦେବାଶିଷ କହିଲା ମିଛ ବିବାହ ର କଥା କହିବା ପାଇଁ ମମାଲି ହିଁ ତାକୁ କହିଥିଲା ।


ଶେଷ ରେ ସେ ମାମାଲି ର ଆଉ ଗୋଟିଏ ଭତ୍ସପ୍ପ ମେସେଜ ଦେଖାଇଲା ଯାହା ସ୍ୱାଧୀନ ଉଦେଶ୍ୟ ରେ ମମାଲି ଲେଖିଥିଲା


ଡ଼ିଅର ସ୍ୱାଧୀନ ତୁମ ଭଲପାଇବା ମୋ ଭାଗ୍ୟ ରେ ନାହିଁ । ତୁମ ବିନା ମୋ ଜୀବନ ମୋ ପ୍ରେମ କାହାଣୀ ଅଧୁରା । ମୁଁ ନିଜ କୁ ଆଉ କାହାର ହେବାର ଯୋଗ୍ୟ ଭାବିଲି ନାହିଁ । ମୋତେ କ୍ଷମା କରିଦେବ ସ୍ୱାଧୀନ ମୁଁ ନିରୁପାୟ ମୁଁ ଧର୍ଯ୍ୟହରା । ଅନେକ ଚେଷ୍ଟା କରିବା ପରେ ମୁଁ ବିଫଳ ହେଲି । ଯଦି ଏ ଜନ୍ମ ରେ ତୁମ କୁ ପାଇଁ ପାରିଲି ନାହିଁ ତେବେ ଏ ଜୀବନ ରଖି ଲାଭ କଣ । ମୁଁ ଆଜି ଚାଲିଯାଉଛି ବହୁ ଦୂର କୁ ସେହି ରାଧାକୃଷ୍ଣ ଙ୍କ ର ଶାଶ୍ୱତ ପ୍ରେମ ର ଦୁନିଆ କୁ ଯେଉଁଠି ପ୍ରତି ଟି ମୁହଁ ରେ ଉଚ୍ଚାରିତ ହେଉଥିବ କେବଳ ପ୍ରେମ ର ସଂଜ୍ଞା । ଆଜି ର ଏ ସଭ୍ୟ ସମାଜ ସିନା ଆମ କୁ ଅଲଗା କରିଦେଲେ । ହେଲେ ଦିନ ଆସିବ ଏ ସମାଜ ଆମ ପ୍ରେମ ର ମୂଲ୍ୟ କୁ ବୁଝିପାରିବ । ଆଉ ଯଦି କେବେ ଏ ସୃଷ୍ଟି ରେ ପ୍ରେମ ର ଇତିହାସ ରଚନା ହେବ ସେହି ଇତିହାସ ର ଗୋଟିଏ ପୃଷ୍ଠା ରେ ଲେଖା ହେବ ତୁମ ଆଉ ମୋ ଭିତରେ ଥିବା ଗୋଟିଏ ଅଧୁରା ପ୍ରେମ କାହାଣୀ....



Rate this content
Log in

Similar oriya story from Romance