Prakash Sahoo

Tragedy Crime

3  

Prakash Sahoo

Tragedy Crime

ଅଳ୍ପ ଦିନ ର ଗଳ୍ପ

ଅଳ୍ପ ଦିନ ର ଗଳ୍ପ

7 mins
358



ଆଜି ସ୍କୁଲରୁ ଆସି ଏକା ବସିଛି କୁନି ଝିଅ କଣ୍ଢେଇ ତାର ସେହି ପ୍ରିୟ ସ୍ଥାନ ଝରକା ପାଖରେ । ଆଜି ବହୁତ ଶାନ୍ତ ପଡିଯାଇଛି । ନିରୀମାଖୀ ହୋଇ ଝରକା ଫାଙ୍କରେ ଦେଖୁଛି ସନ୍ଧ୍ୟା ସମୟର ବାହାର ଦୃଶ୍ୟ । ଦେଖୁଛି ରକ୍ତ ଗୋଲାପ ଆଉ ମୃଦୁ ପବନର ଦୋଳି ଖେଳ । ଦେଖୁଛି ରଜନୀର ପ୍ରାରମ୍ଭିକ ଅକ୍ତିଆର । ଝରକା ଦେଇ ଆସୁଥିବା ଧୀର ପବନରେ ଖସିଆସୁଛି ଆଖି ଉପରକୁ ଦୁଇ ଯୋଡ଼ା କେଶ । କଣ୍ଢେଇ କେଶ ଗୁଚ୍ଛକୁ ଡାହାଣ ପାଖ କାନ ଉପରକୁ ଖଞ୍ଜି ଦେଇ ଓଠ ତଳେ ହାତ ରଖି ଫେରି ଯାଉଛି ପୂର୍ବ ଅବସ୍ଥାକୁ । ଶୁଣୁଛି ସେହି ଟିକି ଟମିର ଅଝଟପଣର ସ୍ୱର ତା ମାଆ ଠାରୁ କ୍ଷୀର ପାନ କରିବା ପାଇଁ । ଦେଖୁଛି ସେହି ମନୋରମ ଦୃଶ୍ୟ ମାଆ ଆଉ ସନ୍ତାନର ସ୍ନେହ ଆଉ ଅନାବିଳ ପ୍ରେମ । ଦେଖୁଛି ଟମି ଚତୁର୍ଦ୍ଦିଗରେ କିପରି ତୀକ୍ଷ୍ଣ ନଜର ରଖିଛି ତାର ମାଆ । 


-ଆଜି ମୋ ଧନର କଣ ହୋଇଛି କି? ଏମିତି କଣ ମୁହଁ ଶୁଖେଇ ବସିଛି । ଆଜି ଖେଳିବାକୁ ଯିବନି କି ମୋ ମାଆ ଏହି ଦେଖେ ସୀମା, ରୂପା.....ସମସ୍ତେ ଡାକିଲେଣି, କଣ୍ଢେଇକୁ କୋଳକୁ ନେଇ ପଚାରିଲେ ବନ୍ଦନା ଦେବୀ । 


ହଠାତ ମାଆର ଡାକରେ ଚମକି ପଡିଛି କଣ୍ଢେଇ । ସାମାନ୍ୟ ଗଳା ଢ଼ୋକି ଅନ୍ୟମନସ୍କ ସ୍ୱରରେ କହୁଛି

-ତୁ ଏମିତି କଣ ଚମକେଇଦେଲୁ । ଦେଖୁଛୁ କେତେ ବଡ କାମଟେ କରୁଥିଲି । 

-କଣ କାମ କରୁଥିଲେ କି ମୋ ମାଆ ଓଠ ତଳେ ହାତ ଦେଇ । 

-ଦେଖୁଥିଲି ସେହି ଟମିକୁ, କେଡେ ସୁନ୍ଦର ହୋଇଛି । ସେଥି ପାଇଁ ପରା ତା ମାଆ ତାକୁ ଜମା ବି ଏକୁଟିଆ ଛାଡ଼ୁନି । ସବୁବେଳେ ତା ପାଖା ପାଖି ରହୁଛି । ତାକୁ କ୍ଷୀର ପିଆଉଛି । 

-ଓଃ ଏହି କଥା ପାଇଁ ମୋ ମାଆ ଆଜି ମୁହଁ ଶୁଖେଇ ବସିଛି । ମୋ ଧନକୁ ସେହି ଟମି ଦରକାର । କାଲି ଜେଜେଙ୍କୁ କହିବି ସେ ଟମିକୁ ନେଇଆସିବେ ଆମେ ଟମିକୁ ଘରେ ରଖିବା ତା ସହିତ ଖେଳିବା, ଖାଇବା ହେଲା । 

-ହଁ ମାଆ ବହୁତ ମଜା ହେବ ମୁଁ ଟମି ସହିତ ଖେଳିବି, ଶୋଇବି ହେଲେ ମାଆ ତୋତେ ନା ମୁଁ ଆଜି ଗୋଟିଏ କଥା ପଚାରିବି 

-କଣ ଏମିତି କଥା ଅଛି ଯେ ହଁ ମୋ ମାଆ କହ । 

-ଏହି ଦେଖ ଏ ଟମିକୁ ସମସ୍ତେ କେତେ ଭଲ ପାଉଛନ୍ତି । ମୁନା ଭାଇ, କାଳିଆ ଭାଇ, ସୀମା, ରୁପା ସମସ୍ତେ ତାକୁ ବହୁତ ଭଲ ପାଉଛନ୍ତି । ମୋତେ ବି ଆମ ଘରେ ସମସ୍ତେ ଭଲ ପାଉଛନ୍ତି । କିନ୍ତୁ ମାଆ ଜାଣିଛୁ ସୁନି ମୋ ସାଙ୍ଗ ଆମ ସ୍କୁଲରେ ପଢୁଛି ତାକୁ କେହି ଭଲ ପାଉନାହାନ୍ତି । ସେ ନା ସବୁବେଳେ ସ୍କୁଲରେ ମନ ଦୁଃଖ କରେ ଆଉ କୁହେ ସେ କୁଆଡେ ଝିଅ ଏ ବୋଲି ତାକୁ ତାଙ୍କ ଘରେ ତା ମାକୁ ଛାଡି ଆଉ କେହି ଭଲ ପାଆନ୍ତି ନାହିଁ । ସ୍ନେହ ଶ୍ରଦ୍ଧା କରନ୍ତି ନାହିଁ । 


 କଥାର ମୋଡ ବଦଳାଇବାକୁ ଯାଇ ସୁନିତା ଦେବୀ କହିଲେ, ମାଆ ତୁ ଆଗ ଗଲୁ ଟିକେ ସୀମା, ରୁପା ସହିତ ଖେଳି ଆସିବୁ ସେମାନେ କେବେଠୁ ତୋତେ ଅପେକ୍ଷା କରିଛନ୍ତି । ମୁଁ ତତେ ପରେ ସବୁ କଥା କହିଦେବି ସୁନିତା ଦେବୀଙ୍କର ଗଳାର ସ୍ୱର ସାମାନ୍ୟ ରହି ଆସିଥିଲା । 


ସୁନିତା ଦେବୀ ବୁଝିପାରୁନଥିଲେ କେମିତି ସେ ତାଙ୍କର ଏତେ କମ ବୟସର ଝିଅକୁ ବୁଝାଇବେ ଯେ କେବଳ ତା ସାଙ୍ଗ ନୁହେଁ କଣ୍ଢେଇ ନିଜେ ଯେତେବେଳେ ଜନ୍ମ ହୋଇଥିଲା ସେତେବେଳେ ତାଙ୍କୁ କେତେ କଥା ଶୁଣିବାକୁ ପଡୁଥିଲା । ଅନେକ ବାଦ ବିବାଦକୁ ଟପି କଣ୍ଢେଇ ସାତ ବର୍ଷ ବୟସରେ ପହଞ୍ଚିଛି । କମ ବୟସରେ ଦୁନିଆକୁ ବୁଝିବାକୁ ଚେଷ୍ଟା କରୁଛି । ଭାବପ୍ରବଣ, ବିଷାଦ, ଦୁଃଖ, ଘୃଣାର ପୃଷ୍ଠାକୁ ପଢିବାକୁ ଆରମ୍ଭ କରିଛି । 

   ---------x x x x x x x x---------


-ମାଆ କଣ୍ଢେଇ କୁଆଡେ ଗଲୁ ମାଆ । ଟିକେ ବେଗି ଆସ ଆଜି ମାଆ ଦୁର୍ଗା ମାତାଙ୍କ ଦଶମୀ ପୂଜା ଘର କାମ ସାରି ମେଳା ବୁଲିବାକୁ ଯିବା । ଏହି ତ ଆଉ ଅଳ୍ପ ସମୟ ପରେ ଗାଡି ଲାଗିବ । 

-ନାହିଁ ମାଆ ମୁଁ ଆଉ ଟିକେ ଖେଳି ସାରି ଯିବି । ଏବେ ଗଲେ ନା ମୁଁ ହାରିଯିବି । 

-ହଉ ମାଆ ତା ହେଲେ ଆମେ ସମସ୍ତେ ଯାଉଛୁ ସୁନିତା ଦେବୀ ଟିକେ ଅଭିମାନ ସ୍ୱରରେ କହିଲେ । 

-ଯେତେବେଳେ ମେଳା ବୁଲି ଯିବାକୁ ବର୍ତ୍ତମାନର ଖେଳ ଠାରୁ ଅଧିକା ଗୁରୁତ୍ୱ ଉପଲବ୍ଧି କରିଛି ସେତେବେଳେ କଣ୍ଢେଇ କହିଛି । ଓହୋ ମାଆ ମୁଁ ଆସୁଛି ..ମୁଁ ଆସୁଛି । 


କଣ୍ଢେଇ ଆଜି ବହୁତ ଖୁସି । ତା ଖୁସିର ଲହଡି କୁଳ ଛୁଇଁ ବନ୍ୟା ପ୍ଲାବିତ କରିଛି । ଅଜଣା ସର୍ତ୍ତ ହୀନ ଖୁସି ଦୁଆର କବାଟ ଖୋଲି ରାଜା ରାସ୍ତାରେ ଅବତୀର୍ଣ୍ଣ ହୋଇଛି । ହଳଦୀ ରଙ୍ଗର ଫ୍ରକ ପରିଧାନ କରି ମନକୁ ମନ ଫୁଲେଇ ହେଉଛି । ଅତର ଲାଗାଉଛି । ଟିକିଲି, ପାଉଁଜି, କାଚ ଆଉ ପାଉଡରରେ ବହୁତ ସଜେଇ ହେଉଛି । ବାରମ୍ବାର ଦର୍ପଣକୁ ଦେଖି ଗାଲରେ ରଙ୍ଗ ବେରଙ୍ଗର କ୍ରିମ ଲଗାଉଛି । ଓଠରେ ଲିପଷ୍ଟିକ ମାରି ବାରମ୍ବାର ମୁଣ୍ଡ କୁଣ୍ଡାଉଛି । ହଳଦୀ ରଙ୍ଗର ପୋଷାକକୁ ତା ଗୌର ବର୍ଣ୍ଣର ନିରୀହ ଚେହେରା ଖୁବ ମାନୁଛି । ନୂଆ ପୋଷାକ ପିନ୍ଧିଲେ ବଡମାନଙ୍କୁ ମୁଣ୍ଡିଆ ମାରିବାକୁ ହୁଏ । ସେ ଏହା ସର୍ବଦା ପାଳନ କରିଆସିଛି । ପ୍ରଥମେ ବାପାଙ୍କ ପାଦ ଛୁଇଁ ନମସ୍କାର ହୋଇଛି । ବାପା ତା ହାତରେ ଖୋସି ଦେଇଛନ୍ତି ଦଶ ଟଙ୍କିଆ ନୋଟଟେ । କଣ୍ଢେଇ ଏହି ଦଶ ଟଙ୍କିଆ ନୋଟର ମୂଲ୍ୟ ଜାଣିନି ଖାଲି ଏତିକି ଜାଣିଛି । ଏହି ଗାନ୍ଧୀ ଚିତ୍ର ଥିବା ମୋଟା କାଗଜଟେ ପ୍ରତିବଦଳରେ ସେ ଖାଇପାରିବା ଦୁଇଟି ଡାଇରୀମିଲ୍କର ଚକୋଲେଟ ଅବା ପାଞ୍ଚଟି ପାଣିପୁରୀ । ପରେ ସେ ତା ମାଆ ସୁନିତା ଦେବୀଙ୍କ ପାଖକୁ ଯାଇଛି । ଝରକା ପାଖରେ ଥିବା ରକ୍ତ ଗୋଲାପରୁ ଗୋଟିଏ ଆଣି କଣ୍ଢେଇ ମୁଣ୍ଡରେ ଖୋସି ଦେଇ କହୁଛନ୍ତି ସୁନିତା ଦେବୀ । 


-ଆଜି ମୋ ମାଆ କେଡେ ସୁନ୍ଦର ଦେଖାଯାଉଛି ଲୋ,ଆଉ ସବୁଠୁ ସୁନ୍ଦର ତା ହସ କହି ସ୍ନେହ ବୋଳା ଚୁମ୍ଭନଟେ ଆଙ୍କିଡେଉଛନ୍ତି ତା ଗାଲରେ ସୁନିତା ଦେବୀ । 

-ମୋ ଝିଅ ଆଜି ପୁରା କଣ୍ଢେଇ ପରି ଦେଖା ଯାଉଛି । ମାଆ ଦୁର୍ଗା ଲୋ ତୋତେ ଆଜି ଦେଖିବାକୁ ମୋ ଝିଅ ଯାଉଛି । ତା ଉପରେ ସାହା ହେବ ମାଆ । ତାକୁ କାହା ନ ନଜର ଲାଗୁ କହି ଆଖି ତଳୁ କଳା କଜଳ ଆଣି କଣ୍ଢେଇ ମଥାରେ ଲଗାଇ ଦେଇଛନ୍ତି ସୁନିତା ଦେବୀ । 


ଠିକ ଏହି ସମୟରେ ଚାରିଚକିଆ ଗାଡିଟିଏ ଅଗଣାରେ ଲମ୍ବା ହର୍ଣ୍  ମାରିଛି । ବାପା ଗାଡିର ଦୁଆର ପାଖରେ ଛିଡା ହୋଇ ଡାକୁଛନ୍ତି । କଣ୍ଢେଇ ଯାଇ ଗାଡିରେ ବସିପଡିଛି ଝରକା ପାଖ ସିଟରେ । ଗାଡି ଏବେ ଆଗକୁ ଗଡି ଚାଲିଛି । ଗାଡି ଆଗକୁ ଆଗକୁ ବଢିବା ସହିତ କଣ୍ଡେଇର ହୃଦ ସ୍ପନ୍ଦନ ବଢି ଚାଲିଛି । ଖୁବ ଉପଭୋଗ କରୁଛି ରାସ୍ତା କଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସବୁଜ ବୃକ୍ଷଲତାକୁ, ଦୂର ପାହାଡ଼ର ଅଙ୍କାବଙ୍କା ଛବିକୁ । ଏ ସବୁ ତା କୋମଳ ହୃଦୟରେ ସ୍ମୃତିର ରାଗିଣୀ ତୋଳି ଦେଉଛି । ବହିରେ ପଢିଥିବା ଧାନ ବିଲ, ଶଗଡ଼ ଗାଡ଼ି, କୃଷକ ଭାଇଙ୍କୁ ଦେଖିବାର ସୁଯୋଗ ପାଇଛି । ବେଳେ ବେଳେ ମାକୁ କହୁଛି, ମା ଏହି ଦେଖ ଏ ସେହି କୃଷକ ଭାଇ ଆମ ଅନ୍ନ ଦାତା ଯେ ଖରା, ବର୍ଷା, ଶୀତକୁ ଖାତିରି ନ କରି ପରିଶ୍ରମ କରୁଛନ୍ତି ତାଙ୍କ ପାଇଁ ଆମେ ଖାଦ୍ୟ ପାଉଛେ । ପୁଣି ଗଛରେ ବସିଥିବା ବାଇ ଚଢେଇ ଦଳକୁ ଦେଖି ଉଲ୍ଲସିତ ହୋଇପଡିଛି କଣ୍ଢେଇ, ଜେଜେମାକୁ କହୁଛି ଏ ଜେଜେମା ଦେଖ ଏ ସେହି ବାଇଚଢ଼େଇ ତମେ ସବୁବେଳେ ତା ବିଷୟରେ ଗଳ୍ପ କୁହ, ସତରେ କେଡେ ସୁନ୍ଦର ଦେଖା ଯାଉଛି ପୁଣି କେବେ କଣ୍ଢେଇ ଗୁଣୁ ଗୁଣୁ ହୋଇ ଗୀତ ଗାଉଛି । 

  ---------x x x x x x x------------

ଆସି ସାରିଛି ଏହି ଅଳ୍ପ ଦିନର ଗଳ୍ପର ଶେଷ ଭାଗ ସବୁ ଗଳ୍ପ ପରି ଏ ଗଳ୍ପର ବି ଅନ୍ତିମ ବେଳ ଆସିଯାଇଛି । ଗାଡି ପହଂଚିସାରିଛି ପୂଜା ମଣ୍ଡପ ପାଖରେ । କଣ୍ଢେଇ ଦୁର୍ଗା ମାତାଙ୍କୁ ଦର୍ଶନ କରିବା ପରେ ଖୁବ ମଜା ମସ୍ତି କରିଛି ମେଳାରେ । ପାଣିପୁରୀ, ଗୁଲଫି, ଚାଟ କିଣି ଖାଇଛି । ବିଭିନ୍ନ ପ୍ରକାରର ଖେଳନା କିଣିଛି । ସମସ୍ତେ ଗାଡିରେ ବସି ସାରିଛନ୍ତି ବାସ ଖାଲି ଯାହା ଗାଡି ଚାଳକର ଗାଡି ଷ୍ଟାର୍ଟ କରିବାର ବାକି ଅଛି । ଏବେ ମନେ ପଡିଛି କୁନି ଝିଅ କଣ୍ଢେଇ କଥା । ତାକୁ ପାଖରେ ନ ପାଇ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । 

-ଏହି ...ଏହି .....ତ ମୋ ସାଙ୍ଗରେ ଆସିଥିଲା ଏହି ଗାଡି ଯାଏ କେଉଁଆଡ଼େ ଚାଲିଗଲା । 

-ଆରେ ବୋହୁ ତମେ ତ ତାକୁ ଧରି ଥିଲ କୁଆଡେ ଗଲା

-ହଁ ...ହଁ .....ଆସିଥିଲା ଆସିଥିଲା...କୋହ ଭରା ସ୍ୱରରେ ସୁନିତା ଦେବୀ କହୁଛନ୍ତି । ସୁନିତା ଦେବୀଙ୍କ ଆଖିରେ ଲୁହ ଆସିଯାଇଛି । 

-ଆରେ ତମେ ମାନେ ଏତେ ବ୍ୟସ୍ତ ହେଲେ କଣ ହେବ ଛୋଟ ପିଲାଟା କେଉଁ ଖେଳନା ଦୋକାନ ପାଖରେ ରହିଯାଇଥିବ ଚାଲ ସମସ୍ତେ ଖୋଜିବ ଆରମ୍ଭ କର । 


ସବୁ ଆଡେ ଖୋଜା ଚାଲିଛି । ସବୁ ଦୋକାନକୁ ପଚରା ଯାଉଛି । ମେଳାର ସବୁ ଗଳି ସନ୍ଧିରେ କେବଳ ଗୋଟିଏ ନାଁ ମାଆ କଣ୍ଢେଇ ମାଆ କଣ୍ଢେଇ

.....କେଉଁଠି ଅଛୁ ମାଆ ...ପୂଜା କମିଟିର ମୁଖ୍ୟ କାର୍ଯ୍ୟାଳୟରେ ବାରମ୍ବାର ଘୋଷଣା ହେଉଛି"ଏକ ଗୌର ବର୍ଣ୍ଣର ସାତ ବର୍ଷର ଝିଅର ହଜିଯାଇଛି । ସେ ହଳଦୀ ରଙ୍ଗର ପୋଷାକ ପିନ୍ଦିଛି । ମୁଣ୍ଡରେ ରକ୍ତ ଗୋଲାପଟେ ଅଛି । ଆଉ ହାତରେ କିଛି ଖେଳନା । 

ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ସନ୍ଧାନ ପାଆନ୍ତି,ପୂଜା କମିଟିକୁ ଜଣାଇବାକୁ ଅନୁରୋଧ । 


ସାହି ପଡ଼ିଶା, ବନ୍ଧୁ ଘର ସବୁ ଆଡେ ଖୋଜା ସରିଛି ହେଲେ କେଉଁଠି ବି କଣ୍ଢେଇର ପତ୍ତା ମିଳିନି । ଶେଷରେ ନିରୁପାୟ ସୁନିତା ଦେବୀ ସ୍ଥାନୀୟ ପୋଲିସ ଷ୍ଟେସନରେ F. I. R ଦେଇଛନ୍ତି । ପୋଲିସ ତାର ତନାଘନା ଆରମ୍ଭ କରିଦେଇଛି । 

  -------x x x x x x x x-------  

ଦୀର୍ଘ ଏକ ସପ୍ତାହ ବିତି ସାରିଛି । ଏହି ସାତ ଦିନ ଯେ ତାଙ୍କୁ ସାତ ଯୁଗ ପରି ଲାଗିଛି କଣ୍ଢେଇ ବିନା । ଆଖିରୁ ଲୁହ ଅନବରତ ବହିଚାଲିଛି । ସୁନିତା ଦେବୀ ବସିଛନ୍ତି କଣ୍ଡେଇର ସେହି ପ୍ରିୟ ସ୍ଥାନ ଝରକା ପାଖରେ । କଣ୍ଢେଇ ପରି ଦେଖୁଛନ୍ତି ଝରକା ବାହାର ପାଖର ଦୃଶ୍ୟ । ହେଲେ ଆଗ ପରି ସେ ଦୃଶ୍ୟ ମନୋରମ ହୋଇ ରହି ନାହିଁ । ରକ୍ତ ଗୋଲାପ ରଅ ଗଛ ମରି ସାରିଛି । ସବୁ ଫୁଲ ଝଡି ଯାଇଛି ମାଟି ଉପରକୁ । ଧୂଳିରେ ମିଶି ଯାଇଛି ତାର ରଙ୍ଗ ଆଉ ମହକ । 

ଆଉ ସେହି ଟମି ବି ଆଉ ନାହିଁ ଏହି ଦୁନିଆରେ ବଣୁଆ ଶିକାରୀମାନଙ୍କ କବଳରୁ ଟମିକୁ ରକ୍ଷା କରିପାରିନି ତା ମାଆ । ଛୀନ ଭିନ କରି ଖାଇ ଦେଇଛନ୍ତି ତାର କୋମଳ ମାଂସକୁ । ଶେଷରେ ହାରିଯାଇଛି ଟମି । 


ହଠାତ୍ ସୁନିତା ଦେବୀ ଶୁଣିବାକୁ ପାଇଛନ୍ତି କେଉଁ ଏକ ଗାଡିର ବିକଟାୟ ଶବ୍ଦ ଦୋହଲି ଯାଇଛି ତାଙ୍କ ଅନ୍ତରାତ୍ମା । ବଢି ଯାଇଛି ରକ୍ତଚାପ । ମନେ ପଡିଛି ଠିକ ସପ୍ତାହ ତଳେ ଏହି ପରି ଏକ ଗାଡିରେ କଣ୍ଢେଇ ଯାଇଥିଲା ମେଳା ବୁଲିବାକୁ । ପୁଣି ଏହି ଗାଡି ଅଗଣାରେ, ବିରକ୍ତିଭାବ ପ୍ରକାଶ କରିଛନ୍ତି ସୁନିତା ଦେବୀ । 

ସବୁ କଳ୍ପନାର ଅନ୍ତ ଘଟାଇ । ଘର ଅଗଣାକୁ ଦଉଡି ଆସିଛନ୍ତି କାଳେ କେହି କଣ୍ଡେଇର ଠିକଣା ନେଇ ଅସିଥିବେ । ବାରଣ୍ଡାରେ ଠିଆ ହୋଇ ଦେଖୁଛନ୍ତି ମାଟିଆ ରଙ୍ଗର ସରକାରୀ ଗାଡିକୁ । ଧାଇଁ ଆସୁଛନ୍ତି ସହ ସହ ଲୋକ ଗାଡି ପାଖକୁ । ଗାଡିରୁ ଓହ୍ଲାଇଛନ୍ତି ଦୁଇ ଜଣ ମହିଳା ପୋଲିସ କର୍ମୀ । ସେମାନେ ଓଲ୍ହାଇ ଦେଉଛନ୍ତି ଧଳା କପଡା ଘୋଡା ହୋଇଥିବା ଏକ ଶବକୁ । ଧୀରେ ଧୀରେ ଗାଡିରୁ ବାହାରୁଛି ଶୁଖିଲା ରକ୍ତ ଗୋଲାପ । ପୁନଶ୍ଚ ବାହାରୁଛି କିଛି ଖେଳନା । ଶେଷରେ ବାହାରୁଛି ରକ୍ତ ଭିଜା ହଳଦୀ ରଙ୍ଗର ଫ୍ରକ । ଟଳି ପଡିଛନ୍ତି ସୁନିତା ଦେବୀ ପାଦ ତଳର ମାଟି ଆଉ ଆକାଶର ବ୍ୟବଧାନ ତାଙ୍କୁ ଜଣା ପଡୁନାହିଁ । ଆଖିରୁ ବହି ଚାଲିଛି ଅଜସ୍ର ଲୁହ ଧାର । 


ଶେଷ ହୋଇଯାଇଛି ଏହି ଅଳ୍ପ ଦିନର ଗଳ୍ପ । ସେ ଆସିଥିଲା ସମସ୍ତ ଓଠରେ ହସ ଦେଇ ଆଜି ଚାଲିଯାଇଛି ଲୁହ ଦେଇ । କୁନି ଝିଅ କଣ୍ଢେଇର ଅଳ୍ପ ଦିନର ଗଳ୍ପ ତ ସାର୍ଥକ ହୋଇଯାଇଛି ହେଲେ କଣ୍ଢେଇ କଣ ପାଇଛି ନ୍ୟାୟ, ନା ଗୋଟିଏ ମଣିଷ ଜନ୍ମର ସାର୍ଥକ । ଫୁଲ ହୋଇ ନିଜ ମହକରେ ସାରା ଦୁନିଆକୁ ମହକିତ କରିବା ଆଗରୁ କଢ଼ ହୋଇ ଝଡି ପଡିଛି ଅଦିନିଆ ମେଘ ବତାସରେ । ଆଉ ଏକ କୁତ୍ସିତ ଇତିହାସରେ ନିର୍ଭୟା, ଆସିଫ ପରି ଯୋଡି ହୋଇଛି ଆଉ ଏକ କଳଙ୍କିତ ଅଧ୍ୟାୟ । 




Rate this content
Log in

Similar oriya story from Tragedy