Prakash Sahoo

Others

2.4  

Prakash Sahoo

Others

ମୋ ଆପଣାର ଗାଁ

ମୋ ଆପଣାର ଗାଁ

4 mins
736


ରୋଷେଇ ଘରୁ ଶୁଣାଗଲା "ଆରେ ପୁଅ ଦେଖିଲୁ ସେ ଫୋନ ଟା କାହାର ଆସିଛି?"ହଁ ବୋଉ ମୁଁ ଦେଖୁଛି ।ଫୋନ ରେ କଲ କୁ ରିସିଭ କରିବା ପରେ ଫୋନ ରେ କେହି ଜଣେ କହୁଥିଲା "ମଉସା ନମସ୍କାର ମୁଁ ଆଲୋକ କହୁଛି ପ୍ରକାଶ ର ସାଙ୍ଗ। ପ୍ରକାଶ ଏବେ ଘରେ ଅଛି କି?"

"ଆରେ ଆଲୋକ ମୁଁ ପ୍ରକାଶ ହିଁ କହୁଛି ।କଣ ହେଲା କହl

ତୁ ରିଜଲ୍ଟ ଦେଖିଲୁ?ତୋର ସିଲେକ୍ସନ ହୋଇଛି।ଆଉ ଦୁଇ ମାସ ପରେ ତୁ ସେନା ରେ ଯୋଗ ଦାନ କରିବୁ।

ଆଲୋକ ର କଥା ଶୁଣି ମୁଁ ଖୁସି ହୋଇଗଲି କିଛି କ୍ଷଣ ପାଇଁ ସେନା ବାହାନି ରେ ପ୍ରବେଶିକା ପରୀକ୍ଷା ଦେଇଥିଲି।ସଫଳ ହେଲି।ହେଲେ ଏହି ଖୁସି ସେତେବେଳେ ଧୀରେ ଧୀରେ କମିଆସିଥିଲା ଯେତେବେଳେ ମୋ ମନ କହୁଥିଲା ଆରେ ତୁ ଏ ଗାଁ ଛାଡି ଦୂର ଦେଶ କୁ ଯାଇପାରୁବୁ ତ।ହସ ଖୁସି ର ଯୌବନ ଅବସ୍ଥା କୁ ଜଳାଞ୍ଜଳି ଦେଇ ସେନା ରେ ରହିପାରିବୁ ତ।ହଁ ମୁଁ ଯିବି ଦେଶ ପାଇଁ ଗାଁ ପାଇଁ ମୁଁ ସୀମା ରେ ଶତ୍ରୁ ମାନ ଙ୍କ ସହିତ ଲଢେଇ କରିବାର ଶପଥ ନେଲି।

କିନ୍ତୁ ମୋତେ ଏବେ ଗାଁ ଛାଡିବାକୁ ହେବ।ଆଗରୁ କେବେ ନୂଆ ଜାଗା କୁ ଯାଇନି।ଏବେ ସବୁକିଛି ମୋ ପାଇଁ ନୂଆ ହେବ।ନୂଆ ସହର,ନୂଆ ପରିବେଶ ଚାଲିଚଳନ,ନୂଆ ବନ୍ଧୁ।ଆଉ ମୋ ବୋଉ ର ପୁଅ ଡାକ ଶୁଣିବାକୁ ମିଳିବନି।ବୋଉ ହାତ ରନ୍ଧା ଶାଗ ପଖାଳ ଆଉ ମିଳିବନି।ଦିପହର ରେ ଖାଇ ସାରିବା ପରେ ମୁହଁ ପୋଛି ବାକୁ ଆଉ ବୋଉ ର ପଣତାକାନି ମିଳିବନି।ନିରୀମାଖୀ ସାନ ଭଉଣୀ ର ଅଳିଅଝଟ ମୋ ପାଇଁ ସ୍ବପ୍ନ ହୋଇ ରହିଯିବ।ବଜାର ଆଡ଼େ ଗଲେ"ଭାଇ ମୋ ପାଇଁ ପେନସିଲ ଟେ ଆଣିବୁ ବୋଲି ଆଉ କେହି କହିବେନି"।ମୋ ଜୀବନ ର ସବୁଠୁ ନିଆରା ମଣିଷ ମୋ ବାପା।ମୋ ବାପା ଙ୍କ ର ସେହି ତାଗିଦ"ଆରେ କେତେ ନଈ ରେ ପହଁରିବୁ କେତେ ଖେଳିବୁ କେବେ ତ ବହି ଟିକେ ଦେଖ"ଆଉ ଶୁଣିବାକୁ ମିଳିବନି।

ମନେ ରହିଯିବ ଆମ ଗାଁ ର ସେହି ନଈ ତୁଠ ଯେଉଁଠି ଖରବର୍ଷା ସବୁଦିନେ ସାଙ୍ଗ ସାଥି ରେ ଦିଆଦିଇଁ କରିଛି।ଆମ୍ବ ତୋଟା ଯେଉଁଠି ପୁରା ଖରାଦିନ ଆମ୍ବ କଷି ଝଡେଇ ଝଡେଇ ଯାଇଛି।ଗାଁ ର କୋଠଘର ଯେଉଁଠି ସଞ୍ଜ ହେଲେ ଘଣ୍ଟମୃଦଙ୍ଗ ତାଳରେ ଭଜନ ଗାଇଛି।ଗାଁ ର ଦୋଳ ପୂର୍ଣ୍ଣିମା,ଭୋଜି ଘର ସବୁ ମୋ ପାଇଁ ମଧୁର ସ୍ମୃତି ପାଲଟି ଯିବ।

ଏତେ ସବୁ ଭାବନା ମୋ ମନ କୁ ଆନ୍ଦୋଳିତ କରୁଥିବା ବେଳେ ଆଲୋକ ସେପଟ ରୁ କହୁଥିଲା।ଆରେ ପ୍ରକାଶ ଆମେ କେହି ତ ପାଇଲିନୁ,ତୁ ପାଇଗଲୁ ତେଣୁ ରବିବାର ଦିନ ତୋ ତରଫ ରୁ ଗୋଟେ ବଣ ଭୋଜି ।ସବୁ ଖର୍ଚ୍ଚ ତୋର।ମୁଁ ଅନ୍ୟମନସ୍କ ହୋଇ ହଁ ମାରିଦେଲି।

ମୋ ରିଜଲ୍ଟ କଥା ଶୁଣି ପରେ ସମସ୍ତେ ଖୁସି ହୋଇଯାଇଥିଲେ ।ସେଦିନ ଘରେ ଏକ ପ୍ରକାର ଉତ୍ସବ ହୋଇଯାଇଥିଲା କହିଲେ ଚଳେ।ମାମୁଁ ,ମାଇଁ,ମାଉସୀ,ମାଉସ ସାହି ପଡ଼ିଶା ସମସ୍ତେ ଫୋନ୍ ରେ ଶୁଭେଛା ଜଣାଇ ଥିଲେ।ହେଲେ ବୋଉ ର ମୁହଁ ଟିକେ ଶୁଖିଲା ଦିଶୁଥିଲା ତଥାପି ସମସ୍ତ ଙ୍କୁ ଖୁଆଇ ପିଆଇ ସେ ପୁଅ ପାଇଁ ଗର୍ବ କରିବା କଥା କହୁଥିଲା।

ଦେଖୁ ଦେଖୁ କେମିତି ଯେ ଦୁଇ ମାସ ବିତି ଗଲା ଜଣା ପଡିଲା ନାହିଁ।ଶେଷ ରେ ସେହି ଦିନ ବି ଆସିଲା ଯେଉଁ ଦିନ ମୋତେ ଗାଁ ଛାଡି ବାକୁ ପଡିଲା।

ସାଙ୍ଗ ସାଥି ମାନେ ମୋ ବ୍ୟାଗ ବସ୍ତାନି ଧରି ଗାଁ ଠୁ ଅନତି ଦୂର ରେ ଥିବା ବସ ଷ୍ଟାଣ୍ଡ ଯାଏ ଆସିଲେ।ସାଙ୍ଗ ରେ ସାନ ଭଉଣୀ,ବାପା,ବୋଉ ଆଉ କିଛି ପଡୋଶୀ ବି ଆସିଥିଲେ।ବୋଉ ମୋ ସାଥି ରେ ଚାଲିଥିଲା ଆଉ କହୁଥିଲା ପୁଅ ରେ ଠିକ ସମୟ ରେ ପେଟ ଭରି ଖାଇବୁ।ଦେହ ର ଯତ୍ନ ନେବୁ।ଠିକ ସମୟ ରେ ପଢା ପଢି କରିବୁ।ଖାଇବା ରେ ଆଉ ବାଛ ବିଚାର କରିବୁନି।ଯାହା ମିଳିବ ଖାଇବୁ।ଭଲ ଲୋକ ହେଲେ ଗାଁ ରେ ତୋ ବାପା ଛାତି ଫୁଲେଇ ଚାଲିବେ।ଏମିତି କହୁ କହୁ ବୋଉ ଆଖି ରେ ଲୁହ ଯକେଇ ଆସିଥିଲା।ପଣତାକାନି ତା ମୁହଁ କୁ ଲୁଚାଇବାକୁ ଚେଷ୍ଟା କରୁଥିଲା।

ଗାଁ ରାସ୍ତା ରେ ଚାଲି ଚାଲି ଆସିବା ବେଳେ ମୁଁ ପଛ କୁ ଚାହିଁ ଦେଖୁଥିଲି ମୋ ଗାଁ ର ଚିତ୍ର କୁ ,ଗଛ ଲତା କୁ ସବୁ ମୋ ଠାରୁ ଦୂରେଇ ଦୁରେଇ ଯାଉଥିଲା ଯେମିତି।ସଭିଏଁ ହାତ ଠାରି କହୁଥିଲେ ଯା ତୁ ଏହି ଗାଁ ର ପୁଅ ତୁ ଏହି ଗାଁ ପାଇଁ ନାଁ କରିବୁ କିନ୍ତୁ କେବେହେଲେ ଭୁଲିଯିବୁନି।ଫେରିଆସିବୁ ଆମ କୋଳ କୁ।ଆମେ ସଭିଏଁ ଅପେକ୍ଷା କରିଥିବୁ ତୋତେ।

ବାସଷ୍ଟାଣ୍ଡ ରେ ଅପେକ୍ଷା କରୁଥିବା ବେଳେ ଲମ୍ବା ହରଣ ମାରି ବସ ପହଁଚିଲା।ସାଙ୍ଗମାନେ ବସ ରେ ମୋ ବ୍ୟାଗ ରଖାଇ ଦେଲେ।ବସ ର ଝରକା ପାଖ ସିଟ ରେ ବସି ଦେଖୁଥିଲି ମୋ ଗାଁ ର ମନଲୋଭା ଦୃଶ୍ୟ କୁ ସେହି ମଂଦିର ଚୁଳ, ସବୁଜ ଧାନ ବିଲ,ବର ଓହଳ,ସେହି ବଡ ପୋଖରୀ ଆଉ ଗାଁ ର ଧୂଳିଧୁସରତ ରାସ୍ତା।ସତ ରେ କେଡେ ସୁନ୍ଦର ସେ ଦୃଶ୍ୟ।

ମୋତେ ସମସ୍ତେ ବ୍ୟାକୁଳ ହୋଇ ଚାହିଁ ରହିଥିଲେ।ସାନ ଭଉଣୀ ବହୁତ ଖୁସି ଥାଏ ତା ଭାଇ ନୂଆ ଚାକିରୀ ପାଇଛି ଖୁସି ରେ ହାତ ହଲାଇ ସେ କହୁଥିଲା ଭାଇ ଛୁଟି ରେ ଆସିଲେ ମୋ ପାଇଁ ଭଲ ସ୍କୁଲ ବ୍ୟାଗ ଟେ ଆଣିବୁ।ସାଙ୍ଗ ମାନେ ସରକାରୀ କ୍ୟାଣ୍ଟିନ ରୁ ଶସ୍ତା ରେ କଣ କଣ ସବୁ ଆଣିବାକୁ କହୁଥିଲେ ମୋତେ କିଛି ଶୁଭୁନଥିଲା।ବାପା ସାନ୍ତ୍ୱନା ଦେଇ କହୁଥିଲେ "ଛଅ ମାସ ର ପରମ୍ଭିକ ପ୍ରଶିକ୍ଷଣ ଟିକେ କଷ୍ଟ ହେବ ସବୁ ସହିଯିବୁ।ଭାଙ୍ଗି ପଡ଼ିବୁନି।ସାହସ ଆଉ ଧର୍ଯ୍ୟ ର ସହିତ ସବୁ କରିବୁ।ମଝି ମଝି ରେ ଘର କୁ ଫୋନ କରିବୁ।ସମୟ ହେଲେ ମୁଁ ଯାଇ ତୋତେ ଦେଖା କରିବି।

ବାପା ଙ୍କ ର ଆଖି ମଧ୍ୟ ଛଳ ଛଳ ହୋଇ ଉଠିଥିଲା।

ଗାଡି ରେ ବସିବା ପରେ ଗାଡି ଯେବେ ଆଗକୁ ଆଗକୁ ବଢୁ ଥିଲା ମୋତେ ମୋ ଗାଁ ଠାରୁ ଦୂରେଇ ନେବା ଭଳି ଭ୍ରମ ସୃଷ୍ଟି ହେଉଥିଲା।ଆମ ଗାଁ କୁ ଆଗରୁ କେବେ ଏମିତି ଦୂର ରୁ ଦେଖି ନ ଥିଲି।କେବେ ବାହାରକୁ ଯିବା କଥା ଚିନ୍ତା କରି ନଥିଲି।ଆଜି ଗାଁ ଠାରୁ ଯେତେବେଳେ କିଛି ମାସ ,ବର୍ଷ ବାହାର କୁ ଯିବା କଥା ଜାଣିସାରିଥିଲି ସେତେବେଳେ ମୋ ଗାଁ ମୋତେ ସ୍ୱର୍ଗ ପରି ଲାଗୁଥିଲା।

ଧୀରେ ଧୀରେ ବସ ଗାଁ ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତା କୁ ମୁହାଁଇଲା ।ମୋ ଗାଁ ର ସୁନ୍ଦର ଛବି କ୍ରମଶଃ ଝାପସା ହେବାକୁ ଲାଗିଲା ଆଉ ମୋ ଗାଁ କାହିଁ କେଉଁ ଆଡେ ହଜିଗଲା।ମୋ ଆଖି ରୁ ଦୁଇ ଧାର ଲୁହ ଅଜ୍ଞାତ ରେ ବହିଗଲା।ଯେଉଁ ଗାଁ ରେ ମୋର ପିଲା ଦିନ ବିତିଗଲା ସେହି ମୋ ଆପଣା ର ଗାଁ କୁ ଛାଡି ଦୂର କୁ ଯିବା କେତେ କଷ୍ଟ ମୁଁ ସେହିଦିନ ଅନୁଭବ କରିଥିଲି।

ପ୍ରକାଶ ସାହୂ


Rate this content
Log in