Prakash Sahoo

Abstract Fantasy

4  

Prakash Sahoo

Abstract Fantasy

ଗାଁ କଥା (ଏକ ଅନୁଭୂତି ର କଥା)

ଗାଁ କଥା (ଏକ ଅନୁଭୂତି ର କଥା)

5 mins
323



ଗାଁର ଅନୁଭୂତି କେବଳ ସେହିଁ କହିପାରିବ ଯେ ଗାଁର ପାଣି ପବନରେ ବଢିଛି। ପ୍ରକୃତରେ ଗାଁ ଆଉ ମା ପ୍ରାୟ ତ ଗୋଟେ ଚଢେଇର ଦୁଇଟି ଡେଣା ପରି। ଯାହାର ବର୍ଣ୍ଣନାର ଆରମ୍ଭ ନାହିଁ କି ଶେଷ ନାହିଁ।


କାହିଁକି କେଜାଣି ଆଜି ଡାକ୍ତର ଦାସ ବାବୁଙ୍କ ସ୍ମରଣ ଉଜ୍ଜୀବିତ ହୋଇଯାଇଛି ଗାଁ କଥା। ନିର୍ଦ୍ଧାରିତ ସମୟର ଅବଧି ସରିବା ପରେ ଭାରତକୁ ଫେରିବା ସମୟ ରେ ତାଙ୍କର ଗାଁ କଥା ମନେପଡିଛି ସୁଦୂର ଆମେରିକାର ନୁୱର୍କ ସହରରେ । ଭାରତକୁ ପ୍ରତ୍ୟାବର୍ତ୍ତନ କରୁଥିବା ବିମାନରେ ନିଜ ସିଟରେ ବସି ସୁରକ୍ଷା ବେଲ୍ଟକୁ ଭଲ ଭାବେ ଅଣ୍ଟାରେ ଭିଡ଼ି ନିଚିନ୍ତ ହେବା ପରେ ବିମାନର ଗୋଳିଆ ଝରକାରେ ବାହାର ର ଦୃଶ୍ୟ କୁ ଅବଲୋକନ କରୁଛନ୍ତି ଡାକ୍ତର ଦାସ ବାବୁ ପରେ ବ୍ୟକ୍ତିଗତ କମ୍ପୁଟର କୁ ବନ୍ଦ କରି ଭାବନା ର ଦୁନିଆକୁ ଚାଲିଯାଇଛନ୍ତି ଦାସ ବାବୁ। ଫେରିଯାଇଛନ୍ତି ସେହି ଦୁନିଆକୁ ଯେଉଁ ଦୁନିଆରେ ପ୍ରଥମେ ପାଦ ରଖିଥିଲି ସେହି ଗାଁ ଯେଉଁଠି ରହିଛି ତାଙ୍କ ଷଠିଘର, ଯେଉଁଠି କଟିଥିଲା ତାଙ୍କର ପିଲା ଦିନ।


ତାଙ୍କ ର ମନେ ପଡିଛି ସେହି ଦୀର୍ଘ କୋଡିଏ ବର୍ଷ ତଳର କଥା।ଦେହ ସାରା ତାଙ୍କର ରୋମାଞ୍ଚ ଖେଳି ଯାଇଛି।ମନ ରେ ଏକ ଅଜଣା ଖୁସି ର ଲହଡି କୁଳ ଲଙ୍ଘିଛି।ଭୁଲି ଯାଇଛନ୍ତି ନିଜ କର୍ମ କ୍ଷେତ୍ର ବିଷୟ ରେ ଏବେ ମନ ରେ ତାଙ୍କର କେବଳ ଗାଁ ର କଥା ଆଉ ଗାଁ ର ପରିବେଶ।ଗାଁ ପ୍ରତେକ ମଣିଷ ଥିଲେ ଗୋଟିଏ ମା ର ଛୁଆ ପରି।ସେଥି ପାଇଁ ତ ଗାଁ ଆଉ ମା ର ତଫାତ କଣ?ମା ପିଲା କୁ ଜନ୍ମ ଦେଇଛି ହେଲେ ଗାଁ ର ପରିବେଶ,ବଣ,ଝରଣା, ନଦୀ,ମାଟି ରେ ଖେଳିବୁଲି ମଣିଷ ହୋଇଛି।


ଅନେକ ଡାକ୍ତର, ପଣ୍ଡିତ,କବି ଲେଖକ ନିଜ କଲମ ମୁନ ରେ ଗାଁ କୁ କେତେ କଣ ଆଖ୍ୟା ଦେଇଯାଇଛନ୍ତି।ପ୍ରତେକ ପରିବାର ଏକାଠି ବାସ କରୁଥିବେ ସଭିଏଁ ସଭି ଙ୍କ ସୁଖ ଦୁଃଖ ରେ ଭାଗିଦାର ହେଉଥିବେ।ଗାଁ ର ଶେଷ ମୁଣ୍ଡ ରେ ଥିବା ଇଷ୍ଟ ଦେବୀ ଗ୍ରାମ ବାସୀ ଙ୍କ ଯେତେ ହାରି ଗୁହାରି ଶୁଣୁଥିବେ।ବିପଦ ଆପଦେ ଗାଁ ବାଲା ଦୌଡ଼ି ଯାଉଥିବେ।ଏ ସବୁ ଢଳ ଢଳ କରି ଦେଖା ଯାଉଥିଲା ଡାକ୍ତର ଦାସ ବାବୁ ଙ୍କ ଆଖି ସାମ୍ନା ରେ।


ଗାଁ ର ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଉ.ପ୍ରା. ବିଦ୍ୟାଳୟ ରେ ପ୍ରଥମ କରି ଶିକ୍ଷା ଗ୍ରହଣ କରି ନିଜର ମୂଳଦୁଆ ସୁଦୃଢ଼ କରିଥିଲେ।ଅବଶ୍ୟ ସେତେବେଳେ ଗାଁ ର ଏତେ ଉନ୍ନତି ହୋଇନଥିଲା ତଥାପି ସେହି ଗାଁ ଭିତରେ କଟିଥିବା ଦିନ ଗୁଡି ଆଜି ତାଙ୍କ ପାଇଁ ଅବିସ୍ମରଣୀୟ।ବର୍ଷା ଦିନ ର ଝିପି ଝିପି ବର୍ଷା ରେ ଗାଁ ନାଲି ମାଟି ରାସ୍ତା ରେ ବହି ବସ୍ତାନି କୁ ମୁଣ୍ଡ ଉପରେ ରଖି ସହଳ ସହଳ ବିଦ୍ୟାଳୟ କୁ ଯିବା।ବିଦ୍ୟାଳୟ କୁ ବିଳମ୍ବ ରେ ପହଞ୍ଚି ଶିକ୍ଷ୍ୟକ ଙ୍କ ଠାରୁ ମାଡ଼ ଖାଇବା।ଅପରାହ୍ନ ସମୟରେ ବହି ବସ୍ତାନି କୁ ବିଦ୍ୟାଳୟ ବେଞ୍ଚ ତଳେ ରଖି ନଦୀ ଜଳ ରେ ସନ୍ତରଣ କରିବା। ଗଣେଷ ପୂଜା,ସ୍ୱାଧୀନତା ଦିବସ ପରି ବିଭିନ୍ନ ପର୍ବ ରେ ନୂଆ ହାଫ ପାନ୍ତ ଆଉ ସାର୍ଟ ପିନ୍ଧି ବିଦ୍ୟାଳୟ କୁ ଯିବା ଏ ସବୁ ଭାବି ମନେ ସ୍ମିତହାସ୍ୟ କରିଛନ୍ତି ଦାସ ବାବୁ।


ପରେ ତାଙ୍କର ମନେ ପଡିଛି ଗାଁ ର ପ୍ରାକୃତିକ ସୌନ୍ଦର୍ଯ୍ୟ ର କଥା।ଆଲୁଅ ରାଜା ପାହାଡ଼ କୋଣ ରୁ ଛପି ଛପି ବାହାରିବା ପୂର୍ବ ରୁ ଗଞ୍ଜା ମାନ ଙ୍କ ଡାକ ରେ ସମସ୍ତ ଙ୍କ ନିଦ ଭାଙ୍ଗି ସାରିଥାଏ।ଗାଁ ଦାଣ୍ଡ ରେ କୁନି କୁନି ବାଛୁରୀ ର ହମ୍ବା ରଡି ଆଉ ଦିଆ ଦିଇଁ ରେ ସଖାଳ ର ନୀରବତା ଭାଙ୍ଗି ଯାଏ।ବୁଢ଼ୀ ମା ଘର ଅଗଣା କୁ ଛାଡୁ ମାରୁ ମାରୁ ପୂର୍ବ ଦିଗ କୁ ମୁହଁ କରି ହସ୍ତ ଯୋଡି ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରୁଥାଏ।ଗ୍ରାମ ଦେବତୀ ଙ୍କ ସଖାଳ ପୂଜା ପାଇଁ ଗୋସେଇଁ ମନ୍ଦିର ପାର୍ଶ୍ଵରେ ଫୁଲ ତୋଳୁ ଥାନ୍ତି।ସଖାଳୁ ସଖାଳୁ ବୁଢ଼ୀମା ନିଜ କୋଳ ରେ ଦୁଷ୍ଟ ନାତି କୁ ଟୀକା ଦେଉ ଥାଏ।କୁନି ଛୁଆ ମଙ୍ଗୁ ଅର୍ଧ ନଗ୍ନ ଅବସ୍ଥା ରେ ନାଲି ରଙ୍ଗ ଚା ପିଇ ମୁଢି ଭଜା ଖାଉଥାଏ ପିଣ୍ଡା ରେ ବସି ବେଳେବେଳେ ତା ନାକ ଗଙ୍ଗା ପୋଛି ପୁଣି ଥରେ ମୁଢି ମୁଠା କୁ ମୁହଁ ର ଲଗାଉ ଥାଏ।ଚାଷୀ ଭାଇ ଦୁଇ ରୁ ତିନି ପଣ ଛଣ ଘାସ ବଳଦ ଙ୍କୁ ଦେଇ ସେମାନଙ୍କ ଗଳା କୁ ଆଉଁସି ଦେଉଥାଏ।


ଓଃ ଗାଁ ର ସେ ଶୀତ ଦିନ, ଶୀତ ଦିନର କଅଁଳ ଖରା ରେ ଗ୍ରାମବାସୀ ଏକାଠି ବସି ନିଆଁ ଜାଳିବାର ଦୃଶ୍ୟ।ଅଗ୍ନିପୁର୍ଣିମା ରେ କାଳୀସି ଲାଗିବାର ପର୍ବ । ଗ୍ରୀଷ୍ମ ପ୍ରବାହ ରେ କୁନି କୁନି ପିଲାଙ୍କ ର ନଦୀକ୍ରୀଡା ର ଦୃଶ୍ୟ।ଅମ୍ବ ବଣ ରେ କୋଇଲି ନିଜ ମଧୁର କଣ୍ଠ ରେ ଗୀତ ଗାଉଥିବ। କେଉଟ ଭାଇ ମାଛ ଧରୁଥିବ। ମଝି ପୋଖରୀ ରେ ମାଛରଙ୍କା ଚଢେଇ ଧ୍ୟାନମଗ୍ନ ଥିବ।ରଜ ଦୋଳି,ଗୁଡ଼ି ଉଡା।ଏ ସବୁ ଦାସ ବାବୁ ଙ୍କ ଆଖି ଆଗରେ ଚଳଚିତ୍ର ପରି ଲାଗୁଥିଲା।


ଶିତ ସଖାଳ ର କଅଁଳ ଖରା ରେ ଗାଁ ଦାଣ୍ଡ ହୋଇଉଠେ ବେଶ ସତେଜ।ଖୁହୁଡ଼ି ଭରା ସଖାଳ ରେ ଚାରିଆଡେ ଥାଏ ଖାଲି ଧୁଆ ଆଉ ଧୁଆ ମନେ ହୁଏ ଧରିତ୍ରୀ ମା ଆଜି ଧଳା ଶାଢ଼ୀ ପରିଧାନ କରିଛନ୍ତି।ଘର ଅଗଣା ର ଗେଣ୍ଡୁ ଫୁଲ ,ତୁଳସୀ ଗଛ,ଘାସ ଉପରେ କାକର ବିନ୍ଦୁ ମାନେ କଅଁଳ ଖରା ରେ ଚମକି ଉଠନ୍ତି ସତେ ଯେପରି ହୀରା ଛାଉଣୀ ହୋଇଯାଇଛି ଚାରିଆଡେ।କୁହୁଡି ସାମାନ୍ୟ କମିଯିବା ପରେ ଗାଁ ମୁଣ୍ଡ ବର ଗଛ ପାଖରେ ଟୋକା କୁ ବୁଢା ସମସ୍ତ ଙ୍କ ର ସମାଗମ।



ଚିର ସବୁଜିମା ରେ ପରିପୂର୍ଣ୍ଣ ,ସୌନ୍ଦର୍ଯ୍ୟ ର ଗନ୍ତାଘର ସେହି ଗାଁ। ନଦୀତଟରେ ଖେଳୁଥିବା କାଶତଣ୍ଡି, ପଳାସର ଫୁଲ। ବିସ୍ତୀର୍ଣ୍ଣ ସବୁଜ କ୍ଷେତ ରେ ଖିଲି ଖିଲି ହସୁଥିବା ଧାନ ଗଛ।ପୋଖରୀ ହୁଡା ରେ ଥିବା କଣ୍ଟେଇ ବାଉଁଶ ବଣ, ଶିଝୁ ବାଡ଼,ଆମ୍ବ ବଣ, ଆଖୁ କିଆରୀ ସଭି ଙ୍କ ମନ ବିମୋହିତ କରୁଥିଲା।ସେହି ପ୍ରକୃତି ର କୋଳ ରେ ଗାଁ ମାଟି ରେ ଆମ୍ବ କିମ୍ବା ବରଗଛ ମୂଳେ ପଥିକ କ୍ଲାନ୍ତ ହୋଇ ସାମାନ୍ୟ ବିଶ୍ରାମ ର ସୁଖ ସ୍ଵଗୀୟ ସୁଖ ପରି ଅନୁଭୂତ ହୁଏ।ଗାଁ କୁ ଲାଗି ଥିବା ପାହାଡ଼ ବୁକୁ ରୁ ଛୋଟ ଝରଣା ଟି ଗୀତ ଗାଇ ଗାଇ ବହି ଯାଉଥିବ।ଅନେକ ପକ୍ଷୀ ଙ୍କ କଳରାବ ଶୁଭୁଥିବ, ଅନେକ ଜାତି ର ଫୁଲ ଖେଳୁଥିବେ। ସେହି ଗାଁ ର ଭିଜା ମାଟିର ବାସ୍ନା ଆଜି ବି ଅନେକ ଙ୍କୁ ନିଜ ଜନ୍ମଭୂମିକୁ ଟାଣିନିଏ।


ଆଉ ବାକି ରହିଲା ସଂଧ୍ୟା ସମୟ।ଗାଁ ର ସେହି ସନ୍ଧ୍ୟା ସମୟ ଅବର୍ଣ୍ଣନୀୟ।ସନ୍ଧ୍ୟା ର ଆକାଶ,ସନ୍ଧ୍ୟା ର ରମଣୀ କବି ,ଲେଖକ ଙ୍କ ତୁଳି ତାହା ଜୀବନ୍ତ ପରି ମନେ ହୁଏ।ଗ୍ରାମ ଦେବତୀ ସନ୍ଧ୍ୟା ଆଳତି ଦେଖିବା ପାଇଁ ମନ୍ଦିର ଆଖପାଖ ରେ ଗ୍ରାମବାସୀ ଙ୍କ ସମାଗମ ହୁଏ।ଶଙ୍ଖ ଆଉ ମୃଦଙ୍ଗ ର ନାଦ ରେ ଗାଁ ପ୍ରକମ୍ପିତ ହୋଇଉଠେ।


ଏତେ ସବୁ ପରେ ପରିଶେଷରେ ରେ ଡାକ୍ତର ଦାସ ବାବୁ ଙ୍କ ର ମନେ ପଡିଛି ତାଙ୍କ ମା'ଙ୍କ କଥା। ଚାରି ସନ୍ତାନ ମଧ୍ୟ ରୁ ଡାକ୍ତର ଦାସ ବାବୁ ଥିଲେ ସର୍ବ କନିଷ୍ଠ। ତାଙ୍କ ମା ଥିଲେ ନିରକ୍ଷର କିନ୍ତୁ ଶିକ୍ଷାର ମହତ୍ତ୍ୱ ସେ ଜାଣିଥିଲେ। ଡାକ୍ତର ଦାସ ବାବୁ ଥିଲେ ମେଧାବୀ ଛାତ୍ର ଯାହା ଜଣା ଥିଲା ତାଙ୍କ ମା ଙ୍କୁ ସେଠି ପାଇଁ ତାଙ୍କ ପାଠ ପଢା ରେ କୌଣସି ଅବହେଳା ହେଉ ତାହା ତାଙ୍କ ମା ଚାହୁଁ ନଥିଲେ। ସେହି ମାର ସ୍ନେହ, ପ୍ରେମ, ଶ୍ରଦ୍ଧା ଆଉ ସମର୍ଥନ ପାଇଁ ଡାକ୍ତର ବାବୁ ଆଜିର ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି।


"ସାର ସାର... ଆପଣ ଏବେ ନୂଆଦିଲ୍ଲୀ ରେ ପହଞ୍ଚି ସାରିଛନ୍ତି" ଏମିତି କେହି ନିଜ ପାଖ ରେ ଛିଡା ହୋଇ ଚିତ୍କାର କରୁଥିବାର ଶୁଣି ଡାକ୍ତର ଦାସ ବାବୁ ସାମାନ୍ୟ ଅନ୍ୟମନସ୍କ ହୋଇ ନିଜର ଉପସ୍ଥିତି କୁ ଜାହିର କରିଲେ। ଗାଁ କଥା ଭାବୁ ଭାବୁ କାହିଁ କେତେବେଳୁ ତାଙ୍କ ଆଖି ରେ ନିଦ ଲାଗିଯାଇଛି।


ଗାଁ ଆଉ ମା କଥା ଭାବି ଦାସ ବାବୁ ଙ୍କ ଆଖି ରେ ଲୁହ ଆସିଯାଇଥିଲା।ମା ତାଙ୍କର ଆଜି ଆଉ ଏହି ଦୁନିଆ ରେ ନାହାଁନ୍ତି।ଅନେକ ବର୍ଷ ତଳେ ମା ତାଙ୍କୁ ଏକା ଛାଡି ଦେଇଛନ୍ତି ଏହି ସଂସାର ରେ ଆଉ ଦେଖେଇ ଦେଇଛନ୍ତି ଜିଇଁ ବାର ରାହା। ବିମାନରୁ ବାହାରି ଡାକ୍ତର ଦାସ ବାବୁ ସ୍ଥିର କରିସାରିଥିଲେ ଯେ କେଉଁ ଏକ ଦିନ ପାଇଁ ଗାଁ କୁ ସେ ଯିବେ ଆଉ ଗାଁ କଥା ବୁଝି ଆସିବେ।



Rate this content
Log in

Similar oriya story from Abstract