ଏମିତି କେମିତି ହେଲା
ଏମିତି କେମିତି ହେଲା
ପ୍ରେମର ଅଳିନ୍ଦରେ ପାର୍କ ଭିତରେ ସୁନୀଲ ଓ ଜ୍ୟୋସ୍ନା । ପ୍ରେମ ନାମରେ ଅଶ୍ଳୀଳତା । ସୁନ୍ଦର ମଳୟ ସାଙ୍ଗକୁ ପାର୍କର କୃତ୍ରିମ ବୃକ୍ଷରେ କୋକିଳର କୁହୁତାନ ପ୍ରେମ ନାମରେ ଅଶ୍ଳୀଳତାକୁ ସତେ ଯେମିତି ଆହୁରି ରମଣୀୟ କରି ଗଢ଼ି ତୋଳିଥିଲା । ଟିକେ ଲାଜେଇ ଯାଉଥିଲେ କିଛି ପ୍ରେମୀଯୁଗଳ ଏମାନଙ୍କ ଅଶ୍ଳୀଳତା ଦେଖି,ଆଉ କିଛି ପ୍ରୋତ୍ସାହିତ ହୋଇ ଆଉ ପାଦେ ଆଗକୁ ମାଡ଼ି ଯାଉଥିଲେ । ଏସବୁ ଦୂରରୁ ଲକ୍ଷ୍ୟ କରୁଥିଲା ଶୋଭନ ।
ଛୋଟ ବେଳୁ ଜ୍ୟୋସ୍ନାକୁ ଦେଖି ଆସିଛି ଶୋଭନ । ତାଙ୍କରି ସାହିର ଗରୀବ ଘରର ଝିଅ । କେଜାଣି କେମିତି ଘର ବାରଣ୍ଡାରେ ଦୋଳିରେ ଝୁଲିଲା ବେଳେ ଶୋଭନ ଜ୍ୟୋସ୍ନାକୁ ବସାଇ ଝୁଲାଇ ଦିଏ, ବାପାମାଆଙ୍କ ଅଲକ୍ଷ୍ୟରେ । ଖୁସିରେ ଖିଲି ଖିଲି ହୋଇ ହସିଉଠେ ଜ୍ୟୋସ୍ନା । ଶୋଭନ ଖୁସିରେ ଆତ୍ମହରା ହୋଇଯାଏ, ଜ୍ୟୋସ୍ନାର ଖୁସି ଦେଖି । କେଜାଣି କେମିତି ଅନାବିଳ ପ୍ରେମ ଛୋଟବେଳୁ । ହେଲେ ଜ୍ୟୋତ୍ସ୍ନା...!
ମନେ ମନେ ସବୁବେଳେ ଭାବେ ଶୋଭନ, ଏ କ'ଣ ତା'ର ଏକତରଫା ପ୍ରେମ । ହଁ, ଜ୍ୟୋସ୍ନା ବଡ଼ ହେଲେ ବଳେ ବୁଝିଯିବନି ଭାବି ନିଜ ମନକୁ ବୁଝାଇ ନିଏ ସେ । ହେଲେ, ଆଜି ପର୍ଯ୍ୟନ୍ତ ନିଜର ପ୍ରେମ ସମ୍ପର୍କ ବିଷୟରେ ସୂଚେଇବାର ସୁଯୋଗ ପାଇ ନାହିଁ ଶୋଭନ । ଆଉ ଆଜିର ଏ ଦୃଶ୍ୟ! ଶୋଭନର ପାଦତଳେ କଣ୍ଟା ଫୁଟି ଲହୁଲୁହାଣ ହେଲା ପରି ଲାଗୁଥିଲା ତାକୁ । ଧିରେ ଧିରେ ଲକ୍ଷ୍ୟ କଲା ଦୁହିଙ୍କର ଅସଂଯତାର ମାତ୍ରା ଏତେ ବଢିଗଲାଣି ଯେ ପାର୍କ ସାରା ଏହି ପ୍ରେମୀଯୁଗଳଙ୍କୁ ହିଁ ଏକ ଲୟରେ ଅନାଇ ରହି ଆନନ୍ଦ ଉଠେଇବା ସହ ଟୁପୁରୁ ଟାପୁରୁ ହେବାରେ ଲାଗିଛନ୍ତି ।
ପାଖରୁ ଶୁଣୁଥିଲା ଶୋଭନ, ଜ୍ୟୋତ୍ସ୍ନା କହୁଥିଲା,ଏ... ସୁନିଲ....! ମୋର ସର୍ବସ୍ୱ ସମର୍ପି ଦେଇଛି । ମୋର ଭରସା ଅଛି ଆମେ ଦୁହେଁ ଦୁହିଙ୍କ ବିନା ବଞ୍ଚିପାରିବାନି । ହେଲେ ଗୋଟିଏ ଭୟ ମୋ ମନକୁ ଘାରି ଦେଉଛି;
ସତରେ କ'ଣ ଆମ ଦୁଇଜଣଙ୍କ ପୁନର୍ଜନ୍ମ ହେବ? ପୁଣି ଆମେ ଦୁହେଁ ଏ ସୁନ୍ଦର ପୃଥିବୀର ସନ୍ଦେହୀ ପୁରୁଷ ଆଉ ସୁନ୍ଦରୀ ନାରୀ ହୋଇ ଆଉଥରେ ଜନ୍ମ ନେବା ? ଶୁଣିଛି, ପୁଣ୍ୟାତ୍ମା ପୁରୁଷ ଓ ସତୀ ସାଧ୍ୱୀ ନାରୀ ପର ଜନ୍ମରେ ମଣିଷ ହୋଇ ଜନ୍ମ ନିଅନ୍ତି । କିନ୍ତୁ ମୋ ଦୁଇ ହାତ ପାପୁଲିରେ ଯେ ପାପର କାଳିମା! ତମ ହାତର କଲମରେ ବି ପାପର କାଳି । ଠୋ ଠୋ ହସିଉଠିଲା ସୁନୀଲ । ଜ୍ୟୋସ୍ନାର ଓଠରେ ଚୁମ୍ୱନଟିଏ ଆଙ୍କି ଦେଇ କହିଲା, ଚୁପ୍ ଦାର୍ଶନିକ ପ୍ରେମିକା । ଏ ଜନ୍ମରେ ସୁଖ ସାଉଁଟି ନିଅ । ପର ଜନ୍ମକୁ କିଏ ଦେଖିଛି ଯେ? ଆଜି କ'ଣ ଆକାଶ ମେଘାଚ୍ଛନ୍ନ କି? ନା ତ କହିଲା ଜ୍ୟୋତ୍ସ୍ନା । ମୁଣ୍ଡଟେକି ଅନେଇଲା ସୁନୀଲ,ତା ଚାରିପଟେ ପ୍ରେମୀ ଯୁଗଳ ବେଢି ରହିଛନ୍ତି, ତେଣୁ ଅନ୍ଧକାର ହୋଇ ମେଘର ଭ୍ରମ ସ୍ରୁଷ୍ଟି କରୁଛି ।
ଲାଜେଇ ଗଲେ ଦୁହେଁ । ମୁଣ୍ଡପୋତି କ୍ଷୀପ୍ର ଗତିରେ ସେହିଠାରୁ ଅଦୃଶ୍ୟ ହୋଇଗଲେ । ଭାରାକ୍ରାନ୍ତ ମନରେ ଫେରିଲା ଶୋଭନ । ଛାତି ଭିତରଟା କୋରି ହୋଇଯାଉଥିଲା । ବ୍ୟସ୍ତ,ବିବ୍ରତ ହୋଇ ଘର ଭିତରକୁ, ବାହାରକୁ ହେଉଥିଲା । ମାଆ,ପୁଅର ଏପରି ଆଚରଣରେ ବ୍ୟସ୍ତ ବିବ୍ରତ ହୋଇ ପଡୁଥିଲେ । ପଚାରିବସିଲେ; କ'ଣ ହେଇଛିକି ପୁଅ? ସମ୍ଭ୍ରାନ୍ତ ପରିବାରର ହେଲେ ବି ମାଅ ପୁଅ ଭିତରେ ଥିଲା ସୁନ୍ଦର ବୁଝାମଣା ।
ମାଆଙ୍କୁ ସବୁ କଥା ଖୋଲି କହିଲା ଶୋଭନ । ମୁଁ ଜ୍ୟୋତ୍ସ୍ନା ବିନା ବଞ୍ଚିପାରିବିନି ମାଆ,କହିଲା ଶୋଭନ । ପୁଅର ମୁହଁ ପୋଛି ଦେଉ ଦେଉ ମାଆ କହିଲେ,ବାବୁରେ ! ଏ ସବୁରେ ଜୀବନ ରଥ ଅଟକିଯାଏନା । ତା ଛଡା ସେ ଝିଅଟି ଭଲ ନୁହେଁ । ସବୁଦିନ ଗୋଟିଏ ଟୋକା ତାକୁ ଗାଡ଼ିରେ ଛାଡ଼ିଦେଇ ଯାଏ ।
ହେ ମାଆ ! ହୋଇପାରେ ଜ୍ୟୋସ୍ନା ଗରିବ , କିନ୍ତୁ ତା ଉପରେ ଏମିତି ଲାଞ୍ଛନା ଲଗାଅ ନାହିଁ, ପାପ ଲାଗିବ । ମନେ ରଖ ଯଦି ମୁଁ ତାକୁ ସ୍ତ୍ରୀ ରୂପେ ନପାଏ, ଜୀବନସାରା ବାହା ହେବି ନାହିଁ । ଚୁପ୍ ରହିଥାଆନ୍ତି ମାଆ ।
ବ୍ୟସ୍ତ ବିବ୍ରତ ଲାଗୁଥିଲା ଶୋଭନ । ଦେଖାପାଉନଥିଲା ଜ୍ୟୋତ୍ସ୍ନାର । ହଠାତ୍ ଦିନେ ଲକ୍ଷ୍ୟ କଲା ଜ୍ୟୋତ୍ସ୍ନା ଚାଲି ଚାଲି ଯାଉଛି । ପଛେ ପଛେ ଚାଲିଲା ଶୋଭନ । ଅଟକି ଗଲା ଜ୍ୟୋତ୍ସ୍ନା । ପଚାରିଲା କ'ଣ ଶୋଭନ କିଛି କହିବ? ଶୋଭନ କହିଲା ଦେଖ ଜ୍ୟୋତ୍ସ୍ନା ତମେ ଯାହା କରୁଛ ଠିକ୍ କରୁ ନାହଁ । ଚିହିଁକି ଉଠିଲା ଜ୍ୟୋତ୍ସ୍ନା । ଆରେ ନିଜେ ଠିକ୍ ଭାବରେ ଠିଆ ହୋଇପାରୁନ । ପଦେ କଥା ହେଲାବେଳେ ନଖରେ ଗାର ଟାଣୁଛ ଝିଅଙ୍କପରି । ମାଇଚିଆ, କ'ଣ କହିବାର ଅଛି ସିଧା ସିଧା କୁହ । ଟିକେ ସହଜ ହୋଇଯାଇଥିଲା ଶୋଭନ । କହିଉଠିଲା,ନା ଜ୍ୟୋତ୍ସ୍ନା ତମର ସୁନିଲ୍ ସହ ମିଳାମିଶା ଠିକ୍ ହେଉନି । ତା ଛଡ଼ା ବାହାରେ ପାଶ୍ଚାତ୍ୟ ସଂସ୍କୃତିର ବ୍ୟବହାର ତମ ପରି ମେଧାବୀ ଝିଅକୁ ଶୋଭା ପାଉନାହିଁ । ସୁନିଲଟା ଭଲ ନୁହଁ । ରାଗିଗଲା ଜ୍ୟୋତ୍ସ୍ନା,ଏ.. ଚୁପ୍ ! ସୁନିଲ୍ ମୋର ଈହକାଳ ପରକାଳର ଦେବତା । ତାଙ୍କରି ବିଷୟରେ ମୁଁ ପଦୁଟିଏ ବି ଶୁଣିବାକୁ ପ୍ରସ୍ତୁତ ନୁହଁ କହି ସେଠାରୁ ଚାଲିଗଲା ଜ୍ୟୋତ୍ସ୍ନା । ସ୍ଥାଣୁବତ ଠିଆ ହୋଇଥିଲା ଶୋଭନ । ନିଜ ଭଲପାଇବା କଥା ବି ପ୍ରକାଶ କରିବାର ସାହସ ନଥିଲା ତା'ର ।
ସବୁବେଳେ ଅନ୍ୟମନସ୍କ ରହିବା ଲକ୍ଷ୍ୟ କରି ବାପା ମାଆ ତାକୁ ପାଠପଢିବାକୁ ବାହାରକୁ ପଠାଇ ଦେଲେ ।
ପାଠସାରି ଭୁବନେଶ୍ୱର ରେ ପୁଲିସ ଚାକିରୀ ଆରମ୍ଭ କଲା ଶୋଭନ । ମାଆ ଖୁସିରେ ଦିନେ ଫୋନକରି ଶୋଭନକୁ କହିଲେ ବାବୁରେ! ଚାକିରୀ ତ କଲୁ । ଏଥର ତୋ ବାହାଘର ପାଇଁ ଝିଅ ଦେଖିବୁ କି? ଶୋଭନ କହିଲା ମାଆ,ମତେ ଟିକେ ସମୟ ଦିଅ । ମାଆ କହିଲେ ଆରେ ଶୋଭନ, ଜ୍ୟୋତ୍ସ୍ନାର ବାପାଙ୍କ ଦେହାନ୍ତ ପରେ ତା ପରିବାର ଗାଆଁ ଛାଡି ଚାଲିଗଲେ । କୁଆଡେ ଗଲେ, କ'ଣ କଲେ ଜଣାନାହିଁ ।
ଦିନେ ହଠାତ୍.....
ଶୋଭନ ଥାନା ଭିତରେ ପ୍ରବେଶ କରୁ କରୁ ଦେଖିଲା ସ୍ତ୍ରୀ ଲୋକଟିଏ ମୁଣ୍ଡ ପୋତି ବସିଛି । ଶୋଭନ କନଷ୍ଟେବଲ ରାମନାରାୟଣକୁ ପଚାରିଲା,ଏଇ ସ୍ତ୍ରୀ ଲୋକଟିର କ'ଣ ହୋଇଛି? ରାମନାରାୟଣ କହିଲା ସାର୍! ବହୁତ ଦିନ ହେଲା ନଜର ରଖିଥିଲୁ ,ଆଜି ପ୍ରମାଣ ସହ ଧରାପଡିଛି, ରାଜଧାନୀର ରାଣୀ ମହୁମାଛି । ପାଖକୁ ଗଲା ଶୋଭନ । ଆରେ ଏ ତ ଜ୍ୟୋତ୍ସ୍ନା!
ଶୋଭନକୁ ଦେଖି କଇ କଇ ଛୁଆଙ୍କ ପରି କାନ୍ଦି ଉଠିଲା ଜ୍ୟୋତ୍ସ୍ନା ଓ କହିଲା,ଶୋଭନ , ସୁନିଲ୍ ମୋତେ ବାହାହେବ କହି ପ୍ରତାରଣା କରି ମୋତେ ସଜାଇଦେଲା ବାରାଙ୍ଗନା ଓ ନିଜେ ଦେହ ଦଲାଲ ପ୍ରତିଦିନ ବଞ୍ଚି ବଞ୍ଚି ମରୁଛି ମୁଁ ।
ହସି ଉଠିଲା ଶୋଭନ; ଶୁଣ ଜ୍ୟୋତ୍ସ୍ନା !
ମୋ ଶକ୍ତିର ସୀମାବଦ୍ଧତା କଥା ତମ ଠାରେ କିମ୍ବା ଅନ୍ୟ କାହାରି ପାଖରେ ଗୋପନ ରଖି ନାହିଁ । ଜୀବନରେ ମୁଁ ଚାହିଁଥିଲି ଏହିଭଳି ଜଣେ ସହଯାତ୍ରିଣୀ ଯେ ଜୀବନର ବନ୍ଧୁର ପଥରେ ମୋ ସହିତ ପାଦ ମିଳାଇ ଚାଲିଲାବେଳେ ପଛକୁ କିମ୍ବା ଦୁଇକଡକୁ ସନ୍ଦେହୀ ଅତୃପ୍ତ ମନ ନେଇ ଛନଛନ ହୋଇ ଚାହିଁବ ନାହିଁ । କିନ୍ତୁ ତମଠାରେ ସାମ୍ନାକୁ ଚାହିଁ ବାର ଏକାଗ୍ରତା ନଥିଲା । ତେଣୁ ତମେ ବିପଥଗାମୀ ହେଲ । ମୁଁ ତୁମକୁ ଭଲ ପାଉଥିଲି । ହେଲେ ଏହି ପରିପ୍ରେକ୍ଷୀରେ ଉଦାରମନା ପୁରୁଷ ପରି ତୁମକୁ ଛାତିରେ ଜାବୁଡ଼ି ଧରି ତୁମ ପ୍ରଶ୍ୱ । ସବୁ ଅନୁଭବ କରି ତୁମକୁ ଆପଣେଇ ନେଇ କାହାଣୀ ଅନ୍ତ କରିଦେବା ପରି ମହାପୁରୁଷ ମୁଁ ନୁହେଁ ।
ଧଡ କରି ବାହାରକୁ ଚାଲିଗଲା ଶୋଭନ ।
କିଛି ସମୟ ପରେ....
ହାତରେ ହାତକଡି ପିନ୍ଧାଇ ବ୍ରାହ୍ମଣ ସହ ସୁନିଲକୁ ନେଇ ଥାନାରେ ପହଞ୍ଚିଲା ଶୋଭନ ।
ବାହା କରାଇଲା ଜ୍ୟୋତ୍ସ୍ନା ସହ ସୁନିଲର । ସୁନିଲ୍ ରାଜି କି ଅରାଜି କିମ୍ବା ବାଧ୍ୟବାଧକତାରେ ବାହାଘର ଜଣା ନଥିଲା ।
କହିଉଠିଲା କଲେଜ ସମୟର ଭଲପାଇଥିବା କିଛି ଦିନର ଋଣ ପରିଶୋଧ କରିବା ସାଙ୍ଗକୁ ମୋର କର୍ତ୍ତବ୍ୟ ସମ୍ପାଦନ ହୋଇଗଲା ।
ଦେଖଣାହାରୀ କହୁଥିଲେ;
*ଏମିତି କେମିତି ହେଲା*!!!
ଦେଖୁ ଦେଖୁ ଘୋଟି ଆସିଲା କଳା ବାଦଲ । ସୁନିଲ୍ ଅନେଇଥିଲା ଶୋଭନକୁ । ଭୟଙ୍କର ଲାଗୁଥିଲା ଶୋଭନ । ପର୍ଶୁରାମ ପରି । କଟମଟ କରି ଅନେଇଲା ଶୋଭନ ଦୁହିଁଙ୍କୁ । ଜ୍ୟୋତ୍ସ୍ନାକୁ ଦେଖି ମନ ବିଚଳିତ ହେଲା । ଛିଃ,ସେ ପରା ବାରାଙ୍ଗନା । ତା'ପରେ ବିବାହିତା । ପାପ! ଘୋର ପାପ,କହି କହି ଆଗକୁ ବଢୁଥିଲା କାରରେ । କାରଟି ଲୁଚି ଲୁଚି ଯାଉଥିଲା ବର୍ଷା ଆଢ଼ୁଆଳରେ । ତା ପରଠୁ ଆଉ ଦେଖାଯାଉନି ଶୋଭନ!!!
*ଏମିତି କେମିତି ହେଲା । ଓଃ ଏହି ପରା ମିଛ ମାୟା ସଂସାରରେ*

