ଦୁଇ ଭଉଣୀ
ଦୁଇ ଭଉଣୀ
ଆମୁଖ :-
ପ୍ରେମ ! ସଜାଡ଼ିଦିଏ ସଂସାର, ଉଜାଡ଼ି ଦିଏ ସଂସାର। ଭରିଦିଏ ଅଫୁରନ୍ତ ଖୁସି। ଛଡେଇନିଏ ଶାନ୍ତି। ଭାବୁଛନ୍ତି କି ଏ ସିଦ୍ଧାର୍ଥ ତ୍ରିପାଠୀ ପାଗଳ ହୋଇଗଲା ନା ଶସ୍ତା ଲୋକପ୍ରିୟତା ପାଇଁ ଯାହା ଇଚ୍ଛା ଲେଖିଛି।
ଆଜ୍ଞା ନା । ଏମିତି ହିଁ ହୁଏ। ପ୍ରେମ କରି ବାହା ହୋଇପାରିଲେ ପ୍ରେମସୁନ୍ଦର , ସଜାଡି ହୁଏ ସଂସାର। ପ୍ରେମ କରି ବିଛଣାରେ ନୀଳ ଚୁଡ଼ିର ଭଗ୍ନାଂଶ ଖୋଜି ସାଇତି ରଖି ଅନ୍ୟ ପୁରୁଷକୁ ବାହାହେଲେ ଉଜୁଡ଼ି ଯାଏ ସଂସାର।
ପ୍ରେମ ସଫଳ ହେଲେ ଅଫୁରନ୍ତ ଖୁସି, ଅସଫଳ ହେଲେ ଛଡେଇନିଏ ଶାନ୍ତି।
ଆମ ସମୟରେ ମାନେ ବହୁତ ବର୍ଷ ତଳେ ନୁହଁ ସୀମିତ ଆଶା ସୀମିତ ସ୍ବପ୍ନ ଥିଲା ଓ ଜୀବନ ଥିଲା ସରସ, ସୁନ୍ଦର। ପ୍ରେମ ଥିଲା ଅଜର।
କୁଆଡେ଼ ଗଲା ସେ ଅଫେରା ଦିନ ମନେପଡେ
" ଆମ ସମୟର କଥା "
ସ୍କୁଲ ନିଜେ ନିଜେ ହିଁ ଯିବାକୁ ପଡୁଥିଲା ଚାଲିଚାଲି କାଁ ଭାଁ ଜଣେ ଦି'ଜଣ ସାଇକେଲରେ ହିଁ ଯାଉଥିଲେ ଗାଁ ସ୍କୁଲ କିମ୍ବା ପାଖ ଗାଁ ସ୍କୁଲକୁ l ବସ୍ ରେ ଛାଡ଼ିବା ପରମ୍ପରା ନଥିଲା।
ସ୍କୁଲ ପଠେଇବା ପରେ କିଛି ଭଲ ମନ୍ଦ ହେଇଯିବ....., ଆମ ବାପା ମାଆ ଏମିତି କେବେ ଚିନ୍ତା ହିଁ କରୁ ନଥିଲେ l ସେମାନଙ୍କୁ କୌଣସି ବିଷୟରେ ଭୟ ବି ନଥିଲା l
ପାସ / ଫେଲ... କେବଳ ଏତିକି ହିଁ ଆମକୁ ଜଣାଥିଲା..% ରେ ଆମର କେବେ ସମ୍ବନ୍ଧ ହିଁ ନଥିଲା l
ଟିଉସନ ହେଉଥିଲେ କହିବାକୁ ଲାଜ ଲାଗୁଥିଲା,
କାରଣ ଆମକୁ ମୂର୍ଖ / ଗଧ ଭାବିବେ ।
ବହି ଭିତରେ ଓସ୍ତ ପତର ଓ ମୟୂର ପୁଚ୍ଚ ରଖିଲେ ପାଠ ଭଲ ହେବ ଏମିତି ଧାରଣା ଆମର ଥିଲା ।
କପଡା ବ୍ୟାଗ , ଅଖା ବ୍ୟାଗ ଏବଂ ପରେ ଟିଣ / ଆଲୁମିନିୟମ ଟ୍ରଙ୍କରେ ବହି ଖାତା ନେଇ ସ୍କୁଲ ଯାଉଥିଲୁ l
ପ୍ରତି ବର୍ଷ ନୂଆ କ୍ଲାସକୁ ଯିବା ପୂର୍ବରୁ ବହି ଓ ଖାତାରେ ମୋଟା ମାଟିଆ କାଗଜର ମଲାଟ ମଡ଼ାଇ ନେଉଥିଲୁ । ଏହି କାମ ଏକ ବାର୍ଷିକ ଉତ୍ସବ ଭଳି ଲାଗୁଥିଲା.... ।
ବର୍ଷ ସାରିବା ପରେ ବହି ବିକିବା ଏବଂ ନୂଆ କ୍ଲାସ ପାଇଁ ଗତ ବର୍ଷର ପୁରୁଣା ବହି କାହା ଠାରୁ କିଣିବା ପାଇଁ ଆମକୁ ଲାଜ ଲାଗୁନଥିଲା l
ଆମକୁ ପାଠ ପଢେଇବା ଏକ ବୋଝ ବୋଲି ଆମ ବାପା ମାଆଙ୍କୁ ଏମିତି କେବେ ଲାଗୁନଥିଲା l
ସ୍କୁଲରେ ସାର କିମ୍ବା ଦିଦିଙ୍କ ହାତରୁ ମାଡ଼ ଖାଇବା, ସ୍କୁଲ ବାରଣ୍ଡାରେ ଆଣ୍ଠେଇବା କାନ ଧରି ଏକ ଗୋଡ଼ିକିଆ ଛିଡ଼ାହେବା କଷ୍ଟ ଲାଗୁଥିଲେ ମଧ୍ୟ
ଇଗୋ ପ୍ରୋବ୍ଲେମ " ନଥିଲା..., ସତ କହିବାକୁ ଗଲେ " ଇଗୋ " କ'ଣ ଆମକୁ ଜଣା ହିଁ ନଥିଲା ...।
ଘରେ ଆଉ ସ୍କୁଲରେ ମାଡ଼ ଖାଇବା ଆମର ଦୈନିକ ଜୀବନର ଏକ ସାଧାରଣ ଘଟଣା ଥିଲା l
ମାଡ଼ ଦେଲାଵାଲା ଓ ମାଡ଼ ଖାଇବାଵାଲା ଦୁହେଁ ହିଁ ଖୁସିରେ ରହୁଥିଲେ , ମାଡ଼ ଖାଇବାଵାଲା ଏଥିପାଇଁ ଖୁସି ଯେ କାଲି ଠାରୁ ଆଜି ଟିକିଏ କମ ମାଡ଼ ହେଇଛି ଏବଂ ମାଡ଼ ଦେଲାଵାଲା ଏଇଥିପାଇଁ ଖୁସି ଯେ ଆଜି ପୁଣି ଦେଇଛି।
କାଠ ପଟାରେ ବ୍ୟାଟ ତିଆରି କରି ଜରି ଓ କନାରେ ରବର ଟ୍ୟୁବ ବାନ୍ଧି ବଲ ବନେଇ ଖାଲି ପାଦରେ କ୍ରିକେଟ ଖେଳିବାର ମଜା ଆମକୁ ହିଁ ଜଣା l
ଜଣେ ସାଙ୍ଗକୁ ସାଇକେଲର ଆଗ ଦଣ୍ଡାରେ ଓ ଆଉ ଜଣକୁ ପଛରେ କ୍ୟାରିୟରରେ ବସେଇ ସାଇ ସାଇ କେତେ ଯେ ବୁଲିଛୁ... ତା'ର ହିସାବ ନାହିଁ l ସତରେ ସାଇକେଲ ଚଲେଇବା ମଜା ହିଁ ନିଆରା....
ସାଇକେଲ ଚଲେଇବାକୁ ମିଳିଗଲେ ବହୁତ ଖୁସି ଲାଗୁଥିଲା l
ଆମେ କେବେ ହାତ ଖର୍ଚ୍ଚ ( ପକେଟ ମନି ) କେବେ ବି ମାଗିନୁ କିମ୍ବା କେବେ ମଧ୍ୟ ମିଳିନାହିଁ..., ଏଥିପାଇଁ ଆମର ଆବଶ୍ୟକତା ବି ବହୁତ କମ ଥିଲା..., କେବେ କେବେ ହାଟ ପାଳିରେ ଗାଣ୍ଠିଆ, ସେଉ, ବୁଟ ମିକ୍ସଚର କିମ୍ବା ମୁଡୁକି ପାଇଁ ୧ଟଙ୍କା ମିଳିଯାଉଥିଲା ତ ବହୁତ ଖୁସି ।
ଛୋଟମୋଟ ଆବଶ୍ୟକତା ତ ଘରେ ଯିଏ କେହି ବି ପୂରଣ କରିଦେଉଥିଲେ କାରଣ ଯୌଥପରିବାର ଥିଲା...।
ଆମେ... ଆମର ବାପା ମାଆଙ୍କୁ କେବେ କହି ପାରିଲୁନି କି ଆମେ ତୁମକୁ କେତେ ଭଲ ପାଉଛୁ, କାରଣ ଆମକୁ I love you କହିବା ଜଣା ହିଁ ନଥିଲା ।
ଆଜି ଆମେ ଦୁନିଆଁରେ ଅନେକ ଧୋକ୍କା ଏବଂ ଦୁଃଖ କଷ୍ଟ ପାଇ ସଂଘର୍ଷ କରି କରି ଗୋଟିଏ ଯାଗାରେ ଯାଇ ପହଞ୍ଚି ଯାଇଛୁ କେତେଜଣଙ୍କୁ ଯିଏ ଯାହା ଚାହୁଁଥିଲା ତାହା ତାଙ୍କୁ ମିଳିଯାଇଛି ଏବଂ ଆଉ କାହାକୁ କିଛି ବି ମିଳିନି... !
ଆମେ ଦୁନିଆଁର ଯେ କୌଣସି ସ୍ଥାନରେ ବି ରହୁ, କିନ୍ତୁ ଏହା ସତ୍ୟ ଆମେ ବାସ୍ତବିକ ଦୁନିଆଁରେ ବଡ଼ ହେଇଛୁ ଏବଂ ଆମର ବାସ୍ତବିକତା ସହିତ ସାମନା ବାସ୍ତବରେ ହେଇଛି ।
ଆମେ ଭଲ ଥିଲୁ କି ଖରାପ ଥିଲୁ ଜଣା ନାହିଁ କିନ୍ତୁ ଆମର ବି ଏକ ସମୟ ଥିଲା, ଆଉ ଠିକ ଥିଲା ।
କାହାଣୀର ପୃଷ୍ଠଭୂମିକୁ ଯିବା ;
ଖରସ୍ରୋତା ନଦୀ ପରି ଗାଆଁରୁ ସହର ସାମାଜିକ ମାଧ୍ୟମ ( ସୋସିଆଲ ମିଡ଼ିଆ) ପରିବ୍ୟାପ୍ତ। ଅନଲାଇନ ପ୍ରଥା ଆବାଳବୃଦ୍ଧ ବନିତାଙ୍କ ଆକର୍ଷଣ। ଆମ କାହାଣୀର ନାୟିକା ରାନୁ ସେଥିରୁ ବାଦ୍ ପଡ଼ନ୍ତା ବା କେମିତି ?
ପାରାଦ୍ଵୀପର ମଧୁବନ। କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ମିତ ସୁନ୍ଦର କୋଠା। ପାରାଦ୍ଵୀପବନ୍ଦର ଚାକିରିଆଙ୍କ ପାଇଁ। ସୌମ୍ୟ ବାବୁଙ୍କ ଦୁଇ କଲେଜ ପଢୁଆ ଝିଅ ରାନୁ ଓ ସାନୁ। ବର୍ଷେ ଛୋଟ ବଡ। ଦୁହେଁ ପାରାଦ୍ଵୀପ କଲେଜର ଛାତ୍ରୀ।
ରାନୁର ଅନଲାଇନରେ ଦେଖା ରେଭେନ୍ସା ଛାତ୍ର ଆକୁଳ ସହ। ପ୍ରେମରେ ବିଶ୍ଵାସ କରେନା ରାନୁ। ତେଣୁ ଔପଚାରିକ କଥାବାର୍ତ୍ତା ଆକୁଳ ସହ। ସାନ ଭଉଣୀ ଚାଲାକ୍ ଓ ରାନୁର ମାର୍ଗଦର୍ଶନକାରି ।
ସନ୍ଦେହରେ ରାନୁକୁ ପଚାରେ , ନାନୀ ! କାହାସହ ଅନଲାଇନରେ ଗପୁଛୁ । ହସିଦେଇ ରାନୁ କୁହେ ନା ମ ସେ ଭଲ , ମୁଁ ଭାଇ ଡାକେ। ଚୁପ ହୋଇଯାଇ ତା ସହ କଥା ହୁଏ ସାନୁ ବି।
କିନ୍ତୁ ସାନୁ ତାଗିଦ୍ କରେ ନାନୀ ଲୋ ! ଚିହ୍ନା ନାହିଁ, ଜଣା ନାହିଁ ଏମିତି ଗପନି ଇତରଲୋକଙ୍କ ସହ। ପ୍ରେମ ଅନ୍ଧ, ପାଣି ଅନ୍ଧ। ଗପୁ ଗପୁ ରାନୁ ପ୍ରେମରେ ପଡ଼ିଯାଏ ଆଉ ଭଉଣୀରୁ ବନିଯାଏ ପ୍ରେମିକା।
ତାପରେ ମୋବାଇଲରେ ତାଲା। ସାନୁ ବି ଦେଖିବାକୁ ସୁଯୋଗ ପାଇନି ଭଉଣୀର ମୋବାଇଲ୍ । ବାଇଶି ବର୍ଷର ସମ୍ପର୍କ ବି ଫିକା ପଡ଼ିଯାଏ ବାଇଶି ଦିନର ପ୍ରେମ ଆଗରେ।
ଧିରେ ଧିରେ ଭୟ କରୁଥିବା ଝିଅ ରାନୁ ପ୍ରେମର ପରଶରେ ନିର୍ଭୟ ହୋଇ ପଦାକୁ ଗୋଡ଼ କାଢେ ସଭିଙ୍କ ଅଜାଣତରେ। ମିଳନ ହୁଏ ଦୁଇଟି ଆତ୍ମାର ମନର, ଶରୀରର ବି।
ବାପା ମାଆ ଚାକିରୀ ଜଞ୍ଜାଳରେ । ସାନୁ ଲକ୍ଷ୍ୟ କରୁଥାଏ ନାନୀର ପରିବର୍ତ୍ତନ। ଆକଟ ବି କରେ କିନ୍ତୁ ଫଳଘର ଶୂନ।
ପ୍ରେମର ପରଶରେ କାମର ବାସନାରେ ଛନ୍ଦି ହୋଇପଡନ୍ତି ରାନୁ ଓ ଆକୁଳ। ଆକୁଳର ଆକୁଳତାରେ ଆକୁଳ ହୋଇ ଉତଫୁଲ୍ଲିତ ହୋଇଉଠେ ଅନଭିଜ୍ଞ ପ୍ରେମିକା ରାନୁ।
କାମର କଢ଼ ବାସ ଚହଟାଇ ପୁଷ୍ପରେ ପରିଣତ ହେବାପରେ ଝାଡ଼ିବା ଆରମ୍ଭ କରେ ପୁତିଗନ୍ଧଯୁକ୍ତ ମାଟି ଉପରେ।
ଜୀବନରୁ ଅଧିକ ଭଲ ପାଉଥାଏ ରାନୁ କିନ୍ତୁ ଆକୁଳ ଖୋଜିବୁଲେ ନୂତନ ପୁଷ୍ପ।
କୌଣସି କାରଣରୁ ସାନୁସହ ବାର୍ତ୍ତାଳାପ ଆରମ୍ଭ କରେ ଆକୁଳ। ଚାଲାକ୍ ତଥା ସ୍ପଷ୍ଟବାଦି ସାନୁ ତରଳିଯାଏ ଆକୁଳର ଆକୁଳ ନିବେଦନରେ । ପ୍ରେମୀଯୁଗଳ ପ୍ରେମର ଅମୃତ ପାନ କଲାବେଳେ ହଳାହଳ ବିଷରେ ଯୁଡୁବୁଡୁ ହୋଇ ପ୍ରେମ ତଥା ଭାଗ୍ୟକୁ ନିନ୍ଦୁଥାଏ ରାନୁ।
ଆକାଶରେ ଇନ୍ଦ୍ରଧନୁ ଅଦିନରେ ଦିଶୁଥାଏ ସାନୁକୁ କିନ୍ତୁ ରାନୁକୁ ରଙ୍ଗୀନ ଆକାଶ ବି ଲାଗେ ଫଟା ବାଦଲ। ସାନୁ ଆଉ ଆକୁଳର ପ୍ରେମର ଟେର ପାଏନାହିଁ ରାନୁ।
ଦିନେ ଏକାନ୍ତ ମିଳନ ପାଇଁ ଆକୁଳ ଅନୁରୋଧ କଲା ସାନୁକୁ । ନିଜକୁ ସଜେଇବାରେ ଲାଗିଲା ସାନୁ ।
କିନ୍ତୁ.....
ଚୋରଘର ସଦା ଅନ୍ଧାର ନଥାଏ। ଛୋଟ ଭଉଣୀର ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ରାନୁ। ହାତରେ ପଡିଲା ସାନୁର ମୋବାଇଲ୍ । ଚମକି ଉଠିଲା ରାନୁ। ଆକୁଳ ସହ ସାନୁ।ସାନୁକୁ ଆକଟ କଲା ରାନୁ।
ସାନୁ କହିଲା ନାନୀ ! ଆଜିଯାଏଁ ମୁଁ ତତେ କିଛି କହିନଥିଲି। ତୁ ପ୍ରତାରକ। ଅଖିଳ ପରି ପୁଅର ପ୍ରେମକୁ ପଦାଘାତ କରି ତୁ ଅନ୍ୟ ପୁଅ ସହ ପ୍ରେମ ରଚିଲୁ। ରାନୁ ଆଖିରେ ଆଖିଏ ଲୁହ। ସମସ୍ତ ତଥ୍ୟ ପ୍ରମାଣ ଦେଖେଇବା ସହ କହିଲା ମୋର ସର୍ବସ୍ବ ଲୁଟିନେଲା ସେ। ରାଗରେ ଗର୍ଜନ କରିଉଠିଲା ସାନୁ।
ସେତେବେଳେ ଅଖିଳ ଫୋନ କଲା। ସମସ୍ତ ବିଷୟ କହିଲା ସାନୁ । ପଟିଶୁଣି ସୌମ୍ୟବାବୁ ପହଞ୍ଚି ସମସ୍ତ ବିଷୟ ଶୁଣି ସାରିଥିଲେ। ସେ ଚୁପଚାପ୍ ଅଖିଳକୁ ଘରକୁ ଡାକିବାକୁ ଅନୁରୋଧ କଲେ।
ପହଞ୍ଚିଲା ଅଖିଳ। ପୋଲିସ ପ୍ରସ୍ତୁତ ଥିଲା। ବନ୍ଧାହେଲା ଅଖିଳ। କାନ୍ଦୁଥିଲେ ଦୁଇ ଭଉଣୀ ଓ ନିନ୍ଦୁଥିଲେ ପ୍ରେମକୁ। ନିଷ୍ପତ୍ତି କଲେ, ଘରେ ଯେଉଁଠି ସ୍ଥିର କରିବେ ସେଇଠି ବାହାଘର ହେବ।
ହସୁଥିଲେ ସୌମ୍ୟ, ହସି ଉଠିଲା ସଂସାର। ବୁଝାଉଥିଲେ ନା ଲୋ ଝିଅ, ପ୍ରେମ ସୁନ୍ଦର କିନ୍ତୁ ବୁଝି ବିଚାରୀ କାମ କଲେ ପ୍ରମାଦ ନପଡ଼ଇ ଭଲେ। ହସି ହସି କହୁଥିଲା ସାନୁ, ନା ପାପା, ବାହାଘର ଯାଏଁ ଆମେ ଦୁଇ ଭଉଣୀ ଦୁହିଁଙ୍କ ପ୍ରେମିକା। ପ୍ରେମ କ'ଣ କେବଳ ପୁଅଙ୍କ ସହ ହୁଏ ? ପାରିବାର ପ୍ରେମ ସବୁଠୁ ଉର୍ଦ୍ଧ୍ବରେ।।

