Sriman Bapu

Drama Action Thriller

4.1  

Sriman Bapu

Drama Action Thriller

ଦିଲ୍ଲୀ ଯାତ୍ରା

ଦିଲ୍ଲୀ ଯାତ୍ରା

11 mins
12.6K



ଗୁଜୁରାଟର ବରୋଦା ସହରକୁ ଦେଶର ସବୁ ରାଜ୍ୟରୁ କିଏ ବରୋଦା ଫାଇନ୍ ଆର୍ଟରେ ପଢ଼ିବା ପାଇଁ‌ ତ , କିଏ ରହି କଳା ଅଭ୍ୟାସ ପାଇଁ ଆଉ କିଛି ବରୋଦାର କଳା ଆଉ କଳାକାରଙ୍କ ସୁନ୍ଦର ମାହୋଲରେ ଆକର୍ଷିତ ହୋଇ ଆସିଥାନ୍ତି । ସେମିତି ଓଡ଼ିଶାରୁ ବି କିଛି ଯୁବ କଳାକାର ଦେଖିବାକୁ ମିଳନ୍ତି ସେଠାରେ । ତନ୍ମଧ୍ୟରୁ ଦୁଇଜଣ‌ ହେଲେ ରାଜା ଆଉ ବାବୁ । ରାଜା ଜଣେ ଛଅ ଫୁଟ୍ ଲମ୍ବା ଚଉଡ଼ା ଆଉ ସବଳ ଯୁବକଟିଏ ତା'ର ଥାଟ ଆଉ ଢ଼ଙ୍ଗ ବି ରାଜା ଭଳି , ବୟସ ଏକତିରିଶ କି ବତିଶି ହେବ । ବାବୁ ରାଜାର ବିପରୀତ ପାଞ୍ଚ ଫୁଟ୍ ଦୁଇ ଇଞ୍ଚ ଉଚ୍ଚତାର କ୍ଷୀଣ ଦେହର ସତେଇଶି କି ଅଠେଇଶି ବର୍ଷର ଯୁବକଟିଏ ‌। ନାମ ବାବୁ ହେଲେ ଜୀବନ ଶୈଳୀ ଫକିର ଭଳି । ଦୁହିଁଙ୍କ ବନ୍ଧୁତା ଓଡ଼ିଶାର ଭୁବନେଶ୍ୱରର ଧଉଳି ଚାରୁକଳା ମହାବିଦ୍ୟାଳୟରୁ ହୋଇଥିଲା । ଦୁହେଁ ତଳ ଉପର ହୋଇ ପଢୁଥିଲେ , ରାଜା ବୟସରେ ବଡ଼ ଆଉ ଗୋଟିଏ ବର୍ଷ କ୍ଲାସରେ ସିନିୟର୍ ଥିବାରୁ ବାବୁ ରାଜାକୁ ଭାଇ ବୋଲି ଡ଼ାକେ ।


ଜାନୁଆରୀ ମାସ ଶେଷ ଆଉ ଫେବୃଆରୀ ମାସ ଆରମ୍ଭ ମଧ୍ଯରେ ଦିଲ୍ଲୀରେ ସେବେ ଦ୍ୱିତୀୟ Art Submit ଅନୁଷ୍ଠିତ ହେବାକୁଥାଏ । ବିଶ୍ୱର ପ୍ରସିଦ୍ଧ ଆଧୁନିକ ଆଉ ସମସାମୟିକ କଳାକାରଙ୍କ କଳାକୃତି ସବୁ ଜୀବନ୍ତ ଆଉ ସ୍ବଚକ୍ଷୁରେ ଦେଖିବାର ଏକ ସୁବର୍ଣ୍ଣ ସୁଯୋଗ ଥିଲା । ସମସାମୟିକ କଳାକାର ମାନଙ୍କ ପାଇଁ ଏହା କୁମ୍ଭମେଳା ତୁଲ୍ୟ । ଖାଲି ଭାରତ କାହିଁକି ବିଶ୍ୱର ବିଭିନ୍ନ ଦେଶରୁ କଳାକାର ଆଉ କଳାପ୍ରେମିମାନଙ୍କ ବିଶାଳ ଜନ ସମାଗମ ହୋଇଥାଏ ।


ବାବୁ ପ୍ରଥମ ବର୍ଷର Art Submit ଦେଖିବାରେ ବଞ୍ଚିତ ହୋଇଥିଲା ଏଥର ସେ ଏ ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନଥିଲା । ରାଜାକୁ ତ ଯିବାରେ ଥାଏ ତେଣୁ ଦୁହେଁ ସାଥି ହୋଇ ଯିବେ ବୋଲି ସ୍ଥିର କଲେ । ରାଜା ଯିବା ଆସିବା ଟିକେଟ କରିଦେଲା । ନିର୍ଦ୍ଦିଷ୍ଟ ଦିନରେ ଦୁହେଁ ବାହାରି ଟ୍ରେନ ଯୋଗେ ବରୋଦାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ରାସ୍ତାସାରା କଳା , କଳାକାର ,ସିନେମା , ନିର୍ଦ୍ଦେଶକ , ଅଭିନେତା ଅଭିନେତ୍ରୀ , ଧର୍ମ ,ରାଜନୀତି ରାଜନେତା , ସମାଜ ଏମିତି ଆହୁରି କେତେ କ'ଣ ବିଷୟରେ ଘଣ୍ଟା ଘଣ୍ଟା ଆଲୋଚନାରେ ତାଙ୍କର ସମୟ ବିତିଗଲା । ରାସ୍ତା କେତେବେଳେ ସରିଗଲା ଜଣା ପଡ଼ିଲାନି । 


ଦିଲ୍ଲୀରେ ସେବେ ପ୍ରବଳ ଶୀତର ପ୍ରକୋପ ଥାଏ , ଗାଧୋଇବା କଥା କେହି ଚିନ୍ତା କରି ପାରିଲେନି । ଏପଟେ ସେମାନଙ୍କୁ ସମୟ ନଷ୍ଟ ନକରି ଗନ୍ତବ୍ୟରେ ଯଥା ଶୀଘ୍ର ପହଞ୍ଚିବାର ଥିଲା ତେଣୁ  ବଜେଟରୁ ଅଧିକ ପଇସା ଖର୍ଚ୍ଚ କରି  ଅଟୋ ରିକ୍ସାଟିଏ ଭଡ଼ା କରି ସିଧା ବାହାରିଗଲେ ଓଖଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ।


ସେଠି ପହଞ୍ଚିଲା ପରେ ଦୁହେଁ ଅଲଗା ହୋଇଗଲେ । ଏକ ତ ଦୁହେଁ ଏକାନ୍ତରେ କଳାକୃତି ସବୁ ଦେଖିବାକୁ ଚାହୁଁଥିଲେ , ଦ୍ୱିତୀୟରେ ରାଜାକୁ କିଛି କ୍ଲାଏଣ୍ଟଙ୍କ ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାରେ ଥାଏ । ତେଣୁ ଗଲାବେଳେ ଦେଖା ହେବ କହି ଦୁହେଁ ନିଜ ନିଜ ଉଦ୍ଦେଶ୍ୟ ପ୍ରତିପାଦନ ଅଭିମୁଖେ ଯାତ୍ରା କଲେ । 


ବାବୁର ଥିଲା ଏହା ପ୍ରଥମ ଦିଲ୍ଲୀ ଦର୍ଶନ ତାହା ସହ ପ୍ରଥମ Art Submit ପରିଦର୍ଶନ । ସେଠାକାର ଆଭିଜାତ୍ୟପୁର୍ଣ୍ଣ ଚାକଚକ୍ଯ , ସାଜସଜ୍ଜା , ବନ୍ଦୋବସ୍ତ , ସୁରକ୍ଷାକର୍ମୀ ଆଉ ଲୋକମାନଙ୍କୁ ଦେଖି ସେ ଅନୁଭବ କଲା ସେ ଯେମିତି ରାଜମହଲରେ , ରାଜକୀୟ ସଂଭ୍ରାନ୍ତ ଆଉ ସଭ୍ଯ ଲୋକଙ୍କ ମଧ୍ଯରେ ଜଣେ ଦରିଦ୍ର ମଳିନ ଭିକାରୀ ମାତ୍ର ‌ । ଦିଲ୍ଲୀର ରାଜକୁମାର ନାମକ ଜଣେ ସାଙ୍ଗଠାରୁ VIP ପାସ୍ ଖଣ୍ଡେ ତାକୁ ମିଳିଗଲା , ପାସ୍ ଖଣ୍ଡିକ ଧରି ଏକା ପ୍ରବେଶ କରିବାର ସାହାସ ପାଇଲାନି ତେଣୁ ଅନ୍ୟ କିଛି ସାଙ୍ଗଙ୍କ ସହିତ ଗଲା । ତା'ର VIP ପାସ୍ ଆଉ ବେଶଭୂଷା ଦେଖି ଗେଟ୍ ପାଖେ ଥିବା ସୁରକ୍ଷା କର୍ମୀ ଆଉ ସୁନ୍ଦରୀ ପରିଚାରିକା ତା'ର ପାଦରୁ ମୁଣ୍ଡ ଯାଏ ଦେଖିନେଲେ ତା'ପରେ ଯାଞ୍ଚ କରି ଗୋଟିଏ ପ୍ଲାଷ୍ଟିକ୍ ହସର ଅଭିବାଦନ ଦେଇ ଛାଡ଼ି ଦେଲେ ।


Art Submit ର ବହୁ କଳାକୃତି ବାବୁକୁ ଅଭିଭୂତ କଲା । ହେଲେ ତା'କୁ କେବେ ଅନୁଭବ ହେଲାନି କି ସେ ଏ ଦୁନିଆର ଅଂଶ ନା ଭବିଷ୍ୟତରେ କେବେ ହେବାର କୌଣସି ଇଚ୍ଛା କି ସ୍ୱପ୍ନ ତା'ର ଅଛି । କଳାକୁ ନେଇ ତା'ର ବିଚାର ସହ ସେଠାକାର ଚିକ୍କଣ , ରାଜକୀୟ , ଆଭିଜାତ୍ୟପୁର୍ଣ୍ଣ‌ ମାହୋଲର କୌଣସି ତାରତମ୍ୟ ନଥିଲା । କଳା ସେଠାରେ ଥିବା ବାଲାଙ୍କର କେବଳ ଭୋଗ୍ଯ ଆଉ ସାଜସଜ୍ଜାର ବସ୍ତୁଟିମାନ ଭଳି ପ୍ରତୀତ ହେଲେ । ଯେମିତି କଳାକୃତି ନୁହେଁ ତ ଅଗଣିତ ବେଶ୍ୟା ମାନଙ୍କ ଭିତରେ ତଣ୍ଟିକଟା ପ୍ରତିଯୋଗିତା ଲାଗିଛି । ନିଜ ନିଜ କ୍ଯାବିନରେ ନିଜର ଚାଲାକ୍ ଦଲାଲ ସାହାଯ୍ୟରେ ମହଙ୍ଗା ଆଉ ଆକର୍ଷଣୀୟ ଫ୍ରେମ୍ ପିନ୍ଧି ଆଉ ଆସ୍ଥାନରେ (pedestal) ଠିଆହୋଇ ଧନିକ ଗ୍ରାହକଙ୍କ ବାଟକୁ ଚାହିଁ ବସିଛନ୍ତି ଅର୍ଥ ଆଉ ମିଛ ଯଶର ପରିବର୍ତ୍ତେ ନିଜର ସୌନ୍ଦର୍ଯ୍ୟ ଆଉ ସତକୁ ସବୁଦିନ ପାଇଁ ଲୁଟିନେବାକୁ ଆଉ ମାଲିକତ୍ୱ ଜାହିର କରିବାକୁ ଛାଡ଼ିଦେବେ । ବୋଧହୁଏ ଏହିଭଳି ଅବାସ୍ତବ ଚିନ୍ତାଧାରା ପାଇଁ ସେ ଅଧିକ ଦିନ କଳା ଦୁନିଆରେ ରହିପାରିଲା ନାହିଁ ।


ସେ ଯାହାହେଉ Art Submit ର ଅସଂଖ୍ୟ କଳାକୃତି ସବୁ ଧଯ୍ଯର ସହ ବୁଲି ବୁଲି ସେ ଦେଖିଲା । ମଝିରେ ମଝିରେ ପରିଚିତ କଳାକାର ବନ୍ଧୁ ଭେଟିଯାଉଥିଲେ ତ ଟିକିଏ ବିରତି ମିଳିଯାଉଥିଲା କିନ୍ତୁ ଅଧିକ କଥା ନହୋଇ ପରେ କଥା ହେବା କହି ସେ ଆଗେଇ ଯାଉଥିଲା । ସେଇଠି ତା'ର ପଢା ସମୟର ଘନିଷ୍ଠ ବନ୍ଧୁ କାର୍ତ୍ତିକେୟ ଆଉ ଅମରେନ୍ଦ୍ର ସହ ଭେଟ ହୁଏ । ସନ୍ଧ୍ୟାରେ ମୟୁରବିହାରରେ କାର୍ତ୍ତିକ ଘରେ ରାତ୍ରି ଭୋଜନ କରି ଲକ୍ଷ୍ମୀବିହାରରେ ରହୁଥିବା ସାଙ୍ଗ ଅମରେନ୍ଦ୍ର ଘରକୁ ଫେରିଆସେ । ପରଦିନ ପାଖାପାଖି ରହୁଥିବା ଆଉ କିଛି କଳାକାର ବନ୍ଧୁମାନଙ୍କ ସହ ଭେଟହୁଏ । ତା ପର ଦୁଇଦିନ କାର୍ତ୍ତିକ ସହ  ଦିନେ ଆଉ ଅମରେନ୍ଦ୍ର ସହ ଦିନେ ବୁଲି ଦିଲ୍ଲୀର ଇଣ୍ଡିଆ ଗେଟ୍ ,ମଣ୍ଡିହାଉସ୍ ,NGMA ,ହିମାୟୁନ ଟୋମ୍ ,କୁତୁବ୍ ମିନାର , ଚାନ୍ଦିନୀ ଚୌକ ,ଲାଲକିଲ୍ଲା , ଲୋଟସ୍ ଟେମ୍ପଲ୍ ଆଉ ଅକ୍ଷରଧାମ ଦେଖିଲା ଆଉ ସନ୍ଧ୍ୟାରେ ସାଙ୍ଗ ମାନଙ୍କ ସହ ଭୋଜିରେ ଯୋଗ ଦେଲା । ଦିଲ୍ଲୀରେ ତିନି ଦିନ କୁଆଡ଼େ ଯେ ପଳେଇଗଲା ଜାଣି ହେଲା ନାହିଁ । ଚତୁର୍ଥ ଦିନ ଦିଲ୍ଲୀର ସାଙ୍ଗମାନଙ୍କଠାରୁ ବିଦାୟ ନେଇ ବାହାରିଗଲା । ପୂର୍ବ ଯୋଜନା ଅନୁଯାୟୀ ରାଜିବଚୌକରେ ରାଜାସହ ଦେଖାହେଲା ,ସାଥିରେ କାର୍ତ୍ତିକ ଆଉ ତା'ର ସ୍ତ୍ରୀ ଆସିଥିଲେ ବାଟେଇ ଦେବାପାଇଁ । ବିଦାୟ ନେଇ ଦୁହେଁ ପୁଣି ସାଥି ହୋଇ ବାହାରି ଗଲେ ନୂଆଦିଲ୍ଲୀ ଷ୍ଟେସନ ,ବରୋଦା ଅଭିମୁଖେ ।


ନୂଆଦିଲ୍ଲୀ ଷ୍ଟେସନରେ ସେମାନଙ୍କୁ ଅପେକ୍ଷା କରିଥିଲା ଆଉ ଗୋଟିଏ ଅପ୍ରତ୍ୟାଶିତ ଘଟଣା । ଶୁଣିଲେ , ତାଙ୍କ ଗାଡ଼ିର ନମ୍ୱର ଆଉ ନାମ ନେଇ କିଛି ଗୋଟାଏ ଜରୁରୀ ସୂଚନା ଦିଆଯାଉଛି । ଭିଡ଼ ଆଉ ଅତ୍ୟଧିକ କୋଳାହଳ ଯୋଗୁଁ ପ୍ରଥମେ ବୁଝିବାକୁ କଷ୍ଟ ହେଲା ପରେ ଯାହା ଶୁଣିଲେ ବିଶ୍ୱାସ କରି ପାରିଲେ ନାହିଁ । ଦୁହେଁ ଦୁହିଁଙ୍କ ମୁହଁକୁ ଚାହଁଲେ ! ନିଶ୍ଚିନ୍ତ ହେବାପାଇଁ ରାଜା ପଚାରିଲା ବାବୁ ! ଶୁଣିଲୁ , କ'ଣ ଆନାଉନ୍ସ କରୁଛିକିରେ ? କ'ଣ କହୁଛି ଆମ ଟ୍ରେନ୍ ବାତିଲ ହୋଇଗଲା , ଷ୍ଟାଇକ୍ ଯୋଗୁଁ ! ବାବୁ ବି ନିଜ କାନ ଉପରେ ବିଶ୍ୱାସ କରିପାରୁ ନଥିଲା । ପରେ ପାଖରେ ଥିବା ଜଣେ ରେଳ ପୋଲିସକୁ ପଚାରି ନିଶ୍ଚିନ୍ତ ହେଲେ । ସମସ୍ୟା ହେଲା ଏବେ କରିବେ କ'ଣ ? ଦୁହିଁଙ୍କର ବରୋଦା ପହଞ୍ଚିବା ଜରୁରୀ ,ବାବୁର ଟିକିଏ ବିଳମ୍ବ ହେଲେ ଚଳିବ ହେଲେ ରାଜାର କିଛି ଜରୁରୀ କାମ ଥାଏ ।


ରାଜା ବାବୁକୁ କହିଲା , ଆବେ ! ତୁ କହୁଥିଲୁ ବା ତୋର ସାଙ୍ଗ କାର୍ତ୍ତିକର ମା ରେଲୱେର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ । କାର୍ତ୍ତିକକୁ ଫୋନ୍ କରି କହୁନୁ ସେ ତା ମାଆକୁ କହି କିଛି ବ୍ୟବସ୍ଥା କରେଇବ । 


ବାବୁକୁ ସାହାଯ୍ୟ ମାଗିବାକୁ ଖରାପ ଲାଗେ , କାର୍ତ୍ତିକ ଆଉ ତା ବନ୍ଧୁତ୍ୱ ଅଲଗା ପ୍ରକାରର । କେହି କାହାର ଅସୁବିଧା କୁହନ୍ତି ନାହିଁ କି କେବେ କାହାରିକୁ ସାହାଯ୍ୟ ଭିକ୍ଷା କରନ୍ତି ନାହିଁ । ଦୁଃଖ ଜଣାଇ ସାଙ୍ଗ ଉପରେ ନିଜର ବ୍ୟକ୍ତିଗତ ବୋଝ ଲଦିବାକୁ ପସନ୍ଦ କରନ୍ତି ନାହିଁ । ହଁ ! ଯଦି ସହଯୋଗର ହାତ ନମାଗି ନିସର୍ତ୍ତ ଭାବେ ବଢ଼ାଇ କିଏ ଦିଏ ତେବେ ଅଲଗା କଥା । ତେଣୁ ବାବୁ କୁନ୍ଥେଇଲା ରାଜାର ଏହି ପନ୍ଥା ବିଷୟରେ ଶୁଣି । ରାଜା ବିରକ୍ତ ହେଲା କହିଲା , ଆବେ ଗୋଟିଏ ଅସୁବିଧାରେ ପଡ଼ିଛୁ ,ଆଉ ଜଣେ ଅଛନ୍ତି ଆମକୁ ସାହାଯ୍ୟ କରିପାରିବେ ତେବେ ସାହାଯ୍ୟ ମାଗିଦେଲେ ତୁ କ'ଣ ଛୋଟ ହେଇଯିବୁ ? ଅନ୍ଯୋପାୟ ନପାଇ ବାବୁ ବାଧ୍ୟ ହୋଇ କାର୍ତ୍ତିକକୁ ଫୋନ୍ କଲା । କାର୍ତ୍ତିକ ତତ୍ କ୍ଷଣାତ ତା ମାଆଙ୍କୁ ଫୋନ୍ ହସ୍ତାନ୍ତର କଲା ।


କାର୍ତ୍ତିକର ମାଆ ସବୁ କଥା ଶୁଣିଲେ ହେଲେ ନିରୁପାୟ କାରଣ ନିର୍ଦିଷ୍ଟ ରାସ୍ତାରେ ଧର୍ମଘୋଟ ଯୋଗୁଁ ଗାଡ଼ି ସବୁ ବାତିଲ୍ କରାଯାଇଛି । ଶେଷରେ କହିଲେ ତୁମେ ଷ୍ଟେସନ ମାଷ୍ଟର ପାଖକୁ ଯାଇ ନିଜର ଅସୁବିଧା ଜଣାଅ । ଯେହେତୁ ମୋର କର୍ମକ୍ଷେତ୍ର ନୂଆଦିଲ୍ଲୀ ରେଳଷ୍ଟେସନ ନୁହେଁ ତେଣୁ ଅଧିକ ମୋତେ ଏ ବାବଦରେ ଜଣାନାହିଁ । ଅନ୍ୟ ଟ୍ରେନ ସେଇ ରୁଟ୍ ଦେଇ ଯାଉଥିଲେ ମୁଁ କିଛି ସାହାଯ୍ୟ କରି ପାରିଥାନ୍ତି । ସରି ବେଟା ! ଷ୍ଟେସନ ମାଷ୍ଟର ପାଖକୁ ଯାଅ ଆଉ କ'ଣ ହେଲା ସୁବିଧା ଅସୁବିଧା ମୋତେ ଜଣାଅ ।


ଏବେ ରାଜା ଆଉ ବାବୁ ଚାଲିଲେ ଷ୍ଟେସନ ମାଷ୍ଟର ପାଖକୁ । ଖୋଜି ଖୋଜି ଯାଇ ପହଞ୍ଚି ଦେଖିଲେ ସେଠି ତାଙ୍କରି ଭଳି ହତଭାଗା ଯାତ୍ରୀଙ୍କ ପ୍ରବଳ ଗହଳି ! ସମସ୍ତେ ବ୍ୟଥିତ ,କ୍ରୋଧିତ ,ଅସହାୟ ଆଉ ଚିନ୍ତିତ ! ହୋ ହାଲ୍ଲା କରି ଲୋକେ ଟିକେଟର ପଇସା ଫେରସ୍ତ ମାଗୁ ଥାଆନ୍ତି । ଷ୍ଟେସନ୍ ମାଷ୍ଟର ପଇସା ଫେରି ପାଇବା ପାଇଁ କାଉଣ୍ଟରକୁ ଯିବାକୁ କହିଲେ । ଭିଡ଼ ହୋ ହୋ ହୋଇ କାଉଣ୍ଟର ଆଡ଼େ ମାଡ଼ିଗଲା । କେବଳ ରାଜା ଆଉ ବାବୁ ଠିଆ ହୋଇ ରହିଲେ , ତାଙ୍କୁ କୌଣସି ଉପାୟରେ ଗନ୍ତବ୍ୟରେ ପହଞ୍ଚିବାର ଅଛି । ଟ୍ରେନ୍ ମାଷ୍ଟରକୁ ପାଠ ପଢ଼ାପିଲା ,ପରୀକ୍ଷା ଅଛି ଏଇଭଳି ବାହାନା ଦେଖାଇ ସାହାଯ୍ୟ ପାଇଁ ନେହୁରା ହେଲେ । ଷ୍ଟେସନ୍ ମାଷ୍ଟର ଶେଷରେ ବହୁ ଚିନ୍ତା କରି ,କାଗଜ ପତ୍ର ଖେଳେଇ ଏକମାତ୍ର ବଞ୍ଚିଥିବା ଉପାୟଟି କହିଲେ । ଏକ ରସିଦ୍ ସହ ଟିକେଟରେ ନିଜର ସ୍ୱତନ୍ତ୍ର ମୋହର ଆଉ ହସ୍ତାକ୍ଷର ଦେଲେ । କହିଲେ , ରାତି ଆଠ ପଚାଶରେ ଏକ ସ୍ୱତନ୍ତ୍ର ଗାଡ଼ି ଅଛି ଯେଉଁଥିରେ ସେମାନେ ଯାଇ ପାରିବେ ହେଲେ ସିଟ୍ ମିଳିବାର ତିଳେ ହେଲେ ଆଶା ନାହିଁ । ଗାଡ଼ିଟି ବରୋଦା ଯିବ ନାହିଁ , ମଝିରେ ଏକ ଷ୍ଟେସନରେ ସେମାନଙ୍କୁ ଓଲ୍ହେଇ ଅପେକ୍ଷା କରିବାକୁ ହେବ ବରୋଦା ପାଇଁ ଆଉ ଏକ ଗାଡ଼ିକୁ । ଦୁହିଁଙ୍କ ପାଖରେ ଅନ୍ୟୋପାୟ ନଥିଲା ତେଣୁ ଷ୍ଟେସନ୍ ମାଷ୍ଟରକୁ ଧନ୍ୟବାଦ ଜଣାଇ ନିର୍ଦ୍ଦିଷ୍ଟ ପ୍ଲେଟଫର୍ମକୁ ଚାଲିଗଲେ ।


 ପର୍ଯ୍ୟାୟ ସମୟ ଥିଲା ବାହାରକୁ ଯାଇ ରାତ୍ରୀ ଭୋଜନ କରି ଫେରି ଆସି ପାରିଥାନ୍ତେ ହେଲେ କାହାର ଇଚ୍ଛା ନଥିଲା । ବିସ୍କୁଟ୍ ଖାଇ ପାଣି ପିଇ ଟ୍ରେନକୁ ଅପେକ୍ଷା କଲେ । ଏବେ ଆସିବା ଦିନର ଉତ୍ସାହ ଆଉ ନଥିଲା କି ଅସରନ୍ତି ଗପ ସେମାନେ କରିପାରୁ ନଥିଲେ କେବଳ ମଝିରେ ମଝିରେ ପଦେ ଦୁଇପଦ ଆବଶ୍ୟକ କଥା । ରାଜା ବହୁତ ଚିନ୍ତିତ ଥିଲା ,କାରଣ ଘରେ ପିଲା ସ୍ତ୍ରୀ ଅଛନ୍ତି । ସ୍ତ୍ରୀ ବାରମ୍ବାର ଫୋନ୍ କରି ଖବର ବୁଝୁଥିଲେ । ବାବୁ ଏ ବିଷୟରେ ଘରେ ଜଣାଇ ନଥିଲା କି ତା'ର ସ୍ତ୍ରୀ ନଥିଲା ତେଣୁ ତା ମୁହଁରେ ତିଳେ ହେଲେ ଚିନ୍ତାର ଛାପ ନଥିଲା ଓଲଟା ସେ ଉତ୍ସାହିତ ଥିଲା ଦେଖିବ , ଆଗକୁ କ'ଣ ହେଉଛି ? 


ଟ୍ରେନ୍ ଆସିଲା , ପ୍ରବଳ ଭିଡ଼ ! ସେଇଥିରେ ସେମାନେ ଚଢ଼ିଗଲେ । ବସିବା ପାଇଁ ଛାଡ଼ ଠିଆ ହେବାକୁ ଯାଗା ନଥିଲା । ବୈଷ୍ଣୋଦେବୀ ଫେରୁଥିବା ଦଳେ ପୁରୁଷ ଲୋକଙ୍କ ଦଳ ଗୋଟାଏ ପୁରା ବଗି ମାଡ଼ି ବସିଥିଲେ । ଦୁହେଙ୍କୁ ବହୁ ସମୟ ଏମିତି ଠିଆହୋଇ ରହିବାକୁ ପଡ଼ିଥିଲା । ଗୋଟିଏ ଯାଗାରେ ଦଳେ ଲୋକ ନଶୋଇ ବସି ତାସ୍ ଖେଳୁଛନ୍ତି । ସେମାନଙ୍କୁ ରାଜା ଆଉ ବାବୁ ଦୁହେଁ ଅନୁରୋଧ କରେ ଉପରେ ସାମାନ୍ ରଖାଯାଇଥିବା ସ୍ଥାନରେ କିଛି ସମୟ ବସିବା ପାଇଁ । ତାଙ୍କ ଭିତରୁ କିଛି ଲୋକ ମନାକଲେ । କିଛି ଶୁଣିଲେ ନାହିଁ । ଜଣେ ମଧ୍ୟ ବୟସ୍କ ସେମାନଙ୍କୁ ଦେଖିଲା ଆଉ ବସିବାକୁ ଅନୁମତି ଦେଲା । ଦୁହିଁଙ୍କୁ ଯେମିତି କୋଟିନିଧି ମିଳିଗଲା !


ରାତି ବାରଟା ପରେ ମାହୋଲ ଅପେକ୍ଷାକୃତ ଶାନ୍ତ ହୋଇ ଯାଇଥିଲା । ଏଇଭିତରେ ବହୁତ ଲୋକ ଓଲ୍ହେଇ ଯାଇଥିଲେ ଆଉ କିଛି ଲୋକ ଚଢ଼ିଥିଲେ । ବଗି ପୂର୍ବ ଅପେକ୍ଷା ଖାଲି ହୋଇ ଯାଇଥିଲା । କେବଳ ସେଇ ଆଠ ଦଶଜଣ ଦଳକୁ ଛାଡ଼ିଦେଲେ ପୁରା ବଗିରେ ମାହୋଲ ଶାନ୍ତ ଥିଲା । ତାସ୍ ଖେଳ ଚାଲିଥାଏ , ତାସହ ଲୁଚେଇ ସୁରା ପାନ ବି । ମଦ ପେଟରେ ପଡ଼ିଲା ପରେ ସେମାନେ ଆହୁରି ଅଧିକ ବନ୍ଧୁତ୍ବପୂର୍ଣ୍ଣ ଆଚରଣ କଲେ ଉପରେ ବସିଥିବା ରାଜା ଆଉ ବାବୁ ସହ । ରାଜାକୁ ଏମିତି ଟ୍ରେନରେ ବସି ମଦ ପିଇବା ଦୃଶ୍ୟଟି ଭଲ ଲାଗୁନଥାଏ ତେଣୁ ସେମାନଙ୍କ ସହ ବାର୍ତ୍ତାଳାପରେ ନିଜକୁ ନିବୃତ ରଖୁଥିଲା । ତା'ର ମୁଖ୍ୟ ଚିନ୍ତା ଥିଲା କେମିତି ସେ ଘରେ ପହଞ୍ଚିବ । ବାବୁ ସେମାନଙ୍କ ଖୋଲା ଆଚରଣରେ ଖୁସି ହୋଇ ତାଙ୍କ ସହ ଗପରେ ମାତିଗଲା । ସେମାନେ ସବୁ ମଧ୍ୟପ୍ରଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ବିଭିନ୍ନ ପ୍ରକାର ବ୍ୟବସାୟୀ ,ସାଥି ହୋଇ ବାହାରିଥିଲେ ତୀର୍ଥ ଯାତ୍ରାରେ । ତାଙ୍କ ମଧ୍ୟରୁ ଜଣେ ମୋଟା , ଲମ୍ବା ଆଉ ଗୋରା ହୋଇ , ବୟସ ଚାଳିଶରୁ ଉର୍ଦ୍ଧ୍ବ ହେବ ଯିଏକି ସବୁଠୁ ଅଧିକ ଖୋଲା ପ୍ରକୃତିର ଥିଲା ଆଉ ଯିଏ ସେମାନଙ୍କୁ ବସିବା ପାଇଁ ଅନୁମତି ଦେଇଥିଲା । ବ୍ୟକ୍ତି ଜଣକ ଉପରୁ ଯଥା ସମ୍ଭବ ସାମାନ କାଢ଼ି କହିଲା , ତୁମେ ମାନେ ଆରମସେ ବସ ! କିଛି ଚିନ୍ତା ନାହିଁ ଆମେ ଅଛୁ । ହେଲେ ତୁମେ ମାନେ ଓଲ୍ହେଇବ କେଉଁଠି ?


ଲୋକଟିର ଏ ପ୍ରଶ୍ନର ଉତ୍ତର ବାବୁ ଦେଇ ପାରିଲା ନାହିଁ , ତା'ର ମନେ ପଡ଼ିଲା ନାହିଁ । ସେ ରାଜାକୁ ପଚାରିଲା , ଭାଇ ସେ ଷ୍ଟେସନ ମାଷ୍ଟର କେଉଁ ଷ୍ଟେସନରେ ଓହ୍ଲାଇବାକୁ କହିଥିଲା ? ରାଜା କିଛି ସମୟ ଚୁପ୍ ରହି କହିଲା , କ'ଣ ଗୋଟାଏ ନାଁ କହିଥିଲା.....ମନେ ପଡୁନି ବେ ! ଆରମ୍ଭ ହେଲା ଆଉ ଏକ ସମସ୍ୟା ! ଦୁହେଁ ଯେତେ ଚେଷ୍ଟା କଲେ ବି ଷ୍ଟେସନ୍ ମାଷ୍ଟର କହିଥିବା ଷ୍ଟେସନ ନାଁଟି କାହାର ବି ମନେ ପଡ଼ିଲା ନାହିଁ । ଲଜ୍ୟାରେ ଏ ସମସ୍ୟା‌ ସେ କାହାରିକୁ କହିପାରୁ ନାହାଁନ୍ତି ,ପଚାରିଲେ କ'ଣ ପଚାରିବେ ? ସେଠୁ ଦୁହେଁ ଲାଗିଗଲେ ଅ ଠୁ କ୍ଷ ଯାଏଁ ,ଏ ରୁ ଜେଡ୍ ଯାଏଁ ସବୁ ଅକ୍ଷରର ସାହାଯ୍ୟରେ ମନେପକାଇବା ପାଇଁ । ସତଲମ୍ ,ଫତଲମ୍ ,ବତଲମ୍ କ'ଣ ଗୋଟାଏ ନାମ ଯାହାର ଶେଷରେ ଲମ୍ ଅଛି ହେଲେ ଆଗ ଦୁଇ କି ତିନି ଅକ୍ଷର ତାଙ୍କର ଜମା ମନେ ପଡ଼ିଲା ନାହିଁ । ଧିରେ ଧିରେ ଗୋଟିଏ ପରେ ଗୋଟିଏ ଷ୍ଟେସନରେ ଲୋକ ଖାଲି ହେବାକୁ ଲାଗିଲେ । ସାହାଯ୍ୟ କରିଥିବା ଲୋକ ଜଣକ ଦୁହିଁଙ୍କ ଅବସ୍ଥା ଲକ୍ଷ୍ୟ କରି ପଚାରିଲା , ତୁମେ ମାନେ ଯିବ କେଉଁଠି କି କୁହ ? ବରୋଦା ଦୁହେଁ ଏକା ସ୍ୱରରେ କହିଲେ ,ସେଠୁ ସମସ୍ତେ ଏ ବିଷୟରେ କଥା ହେଲେ ,ବହୁ ଆଲୋଚନା ପରେ ଜଣେ ଓଲ୍ହୋଉଥିବା ବ୍ଯକ୍ତି ଯିଏକି ଏ ଆଲୋଚନା କିଛି କିଛି ଶୁଣିଥିଲା କହିଲା ,ବରୋଦା ଯିବାକୁ ହେଲେ ରତଲାମରେ ଓଲ୍ହେଇ ଅନ୍ୟ ଗାଡ଼ି ଧରିବାକୁ ହେବ । ରତଲାମ୍ ଶୁଣି ଦୁହିଁଙ୍କୁ ଯେମିତି ହଜେଇ ଥିବା ବହୁମୂଲ୍ୟ ରତ୍ନ ମିଳିଗଲା , ସେମିତି ଖୁସି ହୋଇଗଲେ ! ସେତେବେଳକୁ ଭୋର୍ ହେଇ ଯାଇଥିଲା ,ଅନ୍ତିମ ଷ୍ଟେସନ ରତଲାମ୍ । ଦୁହେଁ ତଳକୁ ଓଲ୍ହେଇ ପଡ଼ି ପ୍ରସ୍ତୁତ ହେଲେ । କିଛି ସମୟ ପରେ କାନକୁ ଅତିପ୍ରିୟ ଶୁଣା ଯାଉଥିବା ରତଲାମ୍ ଷ୍ଟେସନରେ ଗାଡ଼ି ଲାଗିଲା । ରାଜା ଆଉ ବାବୁ ଖୁସିହୋଇ ସାହାଯ୍ୟ କରିଥିବା ବ୍ୟକ୍ତିଟିକୁ ଆଉ ଦଳର ବାକି ଲୋକଙ୍କୁ କୃତଜ୍ଞତା ଜଣାଇ ରତଲାମରେ ପାଦ ରଖିଲେ ।  


ରତଲାମରେ ସବୁ ଲୋକ ଓଲ୍ହେଇ କିଛି ସମୟ ମଧ୍ୟରେ କିଏ କୁଆଡ଼େ ଉଭେଇ ଗଲେ । ରାଜା ଆଉ ବାବୁ ଛଡ଼ା ଷ୍ଟେସନରେ ଥିଲେ କେବଳ ଯୋଡେ ତିନିଟି ରେଳ ପୋଲିସ୍‌ , ଚାରି ପାଞ୍ଚଟି ଦୋକାନ , ଛଅ ସାତଟି ଭିକାରୀ ଆଉ କିଛି ବୁଲା କୁକୁର । ଏପଟେ ସେପଟ ଖୋଜିଲେ ଦେଖିଲେ ସବୁ ବନ୍ଦ୍ । ଇନକ୍ୱେରିରେ ଯାଇ ପଚାରିଲେ ସନ୍ଧ୍ୟା ସାତଟାରେ ଗୋଟିଏ ଗାଡ଼ି ଅଛି ବରୋଦା ପାଇଁ । ରାଜା ଶୁଣି ହତାଶ ହୋଇଗଲା ସକାଳ ଛଅଟାରୁ ସନ୍ଧ୍ୟା ସାତଟା କରିବା କ'ଣ ? ବାବୁର ଚିନ୍ତା ନଥିଲା କହିଲା , ଚାଲ୍ ରତଲମ୍ ଏକ୍ସପ୍ଲ୍କୋର କରିବା । ରାଜା ପାଖରେ ଅନ୍ଯୋପାୟ ନଥିଲା , ଷ୍ଟେସନରେ ଗୋଟିଏ ଚା ପିଇ ରତଲମ୍ ପରିଦର୍ଶନରେ ବାହାରିବେ ବୋଲି ସ୍ଥିର କଲେ । ସେହି ସମୟରେ ଚା ପାଞ୍ଚଟଙ୍କା ଥିଲା । ଦୋକାନୀ କହିଲା , ଚା ଗୋଟା ଦଶ ! ହଉ ଦେଦୋ ଭାଇ । ଗୋଟିଏ ଢୋକ ନେଇ ଚା ଫିଙ୍ଗିଦେଲେ ଦୁହେଁ ପାଣିରେ ପଢିଲା କୋଡ଼ିଏ ଟଙ୍କା ! ରାଜା କହିଲା, ହେ ଭଗବାନ ! ଜଣା ନାହିଁ ସନ୍ଧ୍ୟା ଯାଏଁ ସମୟ କେମିତି ବିତିବ ଏହି ରତଲମରେ ?  


ଦୁହେଁ ଷ୍ଟେସନ ବାହାରେ ଟିକିଏ ଆଗକୁ ଯାଏ ଭଲ ଚା ଟିକିଏ ପିଇବାର ଆଶା ନେଇ ଆଉ ଏକ ଦୋକାନକୁ ଗଲେ ସେଠି ତଦ୍ରୁପ ଅବସ୍ଥା । କିଛି ସୁସ୍ଥ ଖାଦ୍ୟର ସନ୍ଧାନ ନପାଇ ବାଧ୍ୟ ହୋଇ ପୁରୀ ଆଉ ଆଳୁ ତରକାରୀ ଖାଇବାକୁ ଗଲେ । ମଇଦା ପୁରୀକୁ ଲାଲ୍ ଦେଖାଯାଉଥିବା ଲୁଣ ,ତେଲ ଆଉ ପାଣିରେ ବୁଡ଼ି ରହିଥିଲା ତିନି ଚାରିଖଣ୍ଡ ଆଳୁର ତରକାରୀ । ବଡ଼ କଷ୍ଟରେ ଦୁଇପଟ ଖାଇ ପଟେ ଛାଡ଼ିଲେ । ପଇସା କେତେ ? ଷାଠିଏ ! ହତାଶ ହୋଇ ପଇସା ବଢାଇ ଦେଇ ବାହାରି ଆସିଲେ । ଗୋଟିଏ ପାନ ଦୋକାନରେ ପଚାରିଲେ ଭାଇ ପାଖରେ ଦେଖିବାକୁ କ'ଣ ଭଲ ଅଛି ? ପାର୍କ , ସିନେମା ହଲ ଉତ୍ତର ଦେଲା ଦୋକାନୀ । ନା ରତଲାମର ବଗିଚା ଦେଖିବାର ଇଚ୍ଛାଥିଲା ନା ସଲମାନ୍ ଖାନର ବାଜ୍ଯ ସିନେମା ଦେଖିବାକୁ । କ'ଣ କରିବେ ?


ବାବୁ କହିଲା , ରାଜା ଭାଇ ଆସ ! ଅଟୋ ରିକ୍ସାବାଲାକୁ ବାବୁ ପଚାରିଲା ଏଠି କେଉଁଠି ବିଅର ବାର୍ ଅଛି ? ରିସ୍କାବାଲା ହଁ ଭରିଲା , ଦୁଇ କିଲୋମିଟର ଦୂରରେ ଥିବା ଗୋଟିଏ ବେକାର ବାରରେ ପହଞ୍ଚାଇବା ପାଇଁ ନେଲା ଶହେ ଟଙ୍କା । ବିଅର ଗୋଟାଏ ଥିଲା ତିନିଶହ ଟଙ୍କା । ବମ୍ବେରେ ବାବୁ ତା'ଠୁ ଅପେକ୍ଷାକୃତ ଭଲ ବାରରେ ଦୁଇଶହ ଟଙ୍କାରେ ପିଇଥିଲା । ରାଜା ତ ପିଏ ନାହିଁ ତାହା ପାଇଁ ଦଶ ଟଙ୍କାର ଥଣ୍ଡା ପାନୀୟକୁ କୋଡ଼ିଏ ଟଙ୍କା ଦେଇ ଆଉ ତା ପାଇଁ ବିଅରଟିଏ ମଗେଇଲା । ସେ ଯାହା ହେଉ ଦୁଇଜଣକୁ କିଛି ସମୟ ବସିଗଲା ପରେ ଭଲ ଲାଗିଲା । ଘଣ୍ଟାଏ ବସିଲେ , ପଇସା ପଇଠ କରି ଚାଲି ଚାଲି ଷ୍ଟେସନ୍ ପାଖକୁ ଆସିଲେ । ଶୀତ ଦିନ ଥିଲା ହେଲେ ରତଲମ୍ ରେ ଖରା ଅସହ୍ୟ ତାଙ୍କୁ ଲାଗୁଥିଲା । ସମୟ ଗୋଟାଏ ବାଜି ଯାଇଥିଲା , ବାବୁର ବିରିୟାନି ଖାଇବାକୁ ଇଚ୍ଛା ହେଲା ରାଜା ମନା କରୁଥିଲା ହେଲେ ବାବୁର ଇଚ୍ଛାକୁ ସମ୍ମାନ ଜଣାଇବା ପାଇଁ ହଁ ଭରିଲା । 


ଷ୍ଟେସନ ପାଖ ଗୋଟାଏ ହୋଟଲେରେ ବସିଲେ ଯେଉଁଠାରେ ଦମ୍ ବିରିୟାନି ମିଳେ ବୋଲି ଲେଖାଯାଇଥିଲା । ଶହେ କୋଡ଼ିଏ ପ୍ଲେଟ୍ ଦୋକାନୀ କହିଲା । ଅଧଘଣ୍ଟାଏ ଅପେକ୍ଷା କଲାପରେ ବହୁ ଉପେକ୍ଷିତ ବିରିୟାନି ପହଞ୍ଚି ଗଲା ।ଭାତରେ ଚିକେନ ତରକାରୀ ଗୋଳା ଯାଇଥିଲା । ସମୟ ଖରାପ୍ କାହାକୁ କ'ଣ କହିବେ । ଯେତିକି ପାରିବେ ଖାଇଲେ । କାନ ମୋଡ଼ି ଦୁଇଶହ ଚାଳିଶ ଟଙ୍କା ଦେଇ ଷ୍ଟେସନକୁ ଫେରି ଆସିଲେ ।


ଷ୍ଟେସନରେ ବସିଥିବା ବେଳେ ଗୋଟାଏ ବୁଢ଼ା ପେଟୁଆ ପୋଲିସ ତାଙ୍କ ପାଖକୁ ଆସିଲା ସେ ବି ଏକା ଏକା ବିରକ୍ତ ହେଉଥିଲା । ନୂଆ ଦୁଇ ଲୋକଙ୍କୁ ପାଇ ତାକୁ ଟିକିଏ ଭଲ ଲାଗିଲା । ଇଆଡୁ ସିଆଡୁ ଦୁନିଆ କଥା ହେଲା ପରେ ତାଙ୍କ ଫଟା ଫେଡେଡ୍ ଜିନ୍ସକୁ ଲକ୍ଷ୍ୟ କରି ପଚାରିଲା , ତୁମେ ତ ଶିକ୍ଷିତ ପିଲା ଏ ଫଟା ପ୍ୟାଣ୍ଟ୍ କାହିଁକି ପିନ୍ଧିଛ ? ଦୁହେଁ ତାଙ୍କୁ ଜିନ୍ସର ମହତ୍ୱ  ବୁଝାଇବାକୁ ବହୁତ ଚେଷ୍ଟା କଲେ । ଶେଷରେ ସବୁ ଶୁଣି ଆଉ ଥରେ ଭଲସେ ଦେଖି ବୁଢା କହିଲା , ନା ! ଯାହା କୁହ ଏ ତୁମକୁ ଶୋଭା ଦେଉନି । 


ସେ ଯାହା ହେଉ ବୁଢ଼ା ପୋଲିସ ସହ କଥା ହୋଇ ସେମାନେ ତାଙ୍କର ସବୁ କଷ୍ଟ ଭୁଲି ଯାଇଥିଲେ । ବୁଢ଼ା ଯିବା ପରେ ଏପଟ ସେପଟ ହୋଇ ଛଅଟା ପଚାଶ ବାଜିଗଲା । ବେଲ୍ ବାଜିଲା , ହୁଇସିଲ୍ ବାଜିଲା ! ତାଙ୍କର ବହୁ ଉପେକ୍ଷିତ ଟ୍ରେନ ଆସି ଲାଗିଲା । ଦୁହେଁ ରତଲାମକୁ ମୁଣ୍ଡିଆଟିଏ ମାରି ଗାଡ଼ି ଚଢିଲେ ବରୋଦା ଅଭିମୁଖେ ।


  



Rate this content
Log in

Similar oriya story from Drama