Lalita Mohan Mishra

Romance Tragedy Others

4.5  

Lalita Mohan Mishra

Romance Tragedy Others

ଦିଗହରା ତରଣୀ

ଦିଗହରା ତରଣୀ

16 mins
509



ସଂସାରଟା ଏକ ନଦୀ ହେଲେ, ପ୍ରତ୍ୟେକ ମଣିଷର ଜୀବନ ସେ ନଦୀରେ ଭାସୁଥିବା ଏକ ନୌକା ପରି । ଯାହାର ମଙ୍ଗ ସେଇ ସର୍ବଶକ୍ତିମାନ ଈଶ୍ୱରଙ୍କ ହାତରେ ହିଁ ରହିଥାଏ । ସେ ଯୁଆଡ଼କୁ ମଙ୍ଗ ମୋଡିଥାନ୍ତି ନୌକାଟି ସେଇ ଆଡକୁ ହିଁ ଭାସି ଚାଲେ । କେତେବେଳେ ଏ କୂଳ ତ କେତେବେଳେ ସେ କୂଳ ଆଉ କେତେବେଳେ ମଝି ନଈର ସୁଅରେ କୁଆଡେ ଭାସିଯାଉଥାଏ ଯେ କେହିହେଲେ ତାର ଟେର ପାଇ ପାରନ୍ତି ନାହିଁ । ଆଜି ମୋର ତରଣୀଟି ଦିଗହରା । ପବନର ବେଗ ଏବଂ ଲହଡିର ଢେଉରେ ଜୀବନ ରୂପକ ତରଣୀ ଦିଗହରା ହୋଇପଡିଛି । ବର୍ଷା ଦୁଇଦିନ ହେଲା ଲାଗି ରହିଛି । ବିଭିନ୍ନ କାମସାରି ଭୁବନେଶ୍ବରରୁ ଫେରୁଛନ୍ତି ତନୁଶ୍ରୀ । କାର୍ ଟି ସର୍ପିଳ ଗତିରେ ଗଡିଚାଲିଛି । ରାସ୍ତାର ଉଭୟ ପାର୍ଶ୍ବରେ ଅଯତ୍ନ ଭାବରେ ବଢି ଚାଲିଛି ବୃକ୍ଷ ଗୁଡିକ । ବର୍ଷା ହେଉଥିବା ହେତୁ ଥଣ୍ଡା ଥଣ୍ଡା ଲାଗୁଛି । ଟିକେ ଗରମ ପକୋଡି ଏବଂ ଚା ପିଇଲେ ଭଲ ହେବ ବୋଲି ଡ୍ରାଇଭରକୁ କହିଲେ । ଡ୍ରାଇଭର ଗୋଟିଏ ଛୋଟିଆ ହୋଟେଲ ଦେଖି ରାସ୍ତା ତଳକୁ ଗାଡିଟି ନେଲା । ଓହ୍ଲାଉ ଓହ୍ଲାଉ ଡ୍ରାଇଭର ଡୋର ଖୋଲି କହିଲା - ଆସନ୍ତୁ ମ୍ୟାଡାମ୍ ! ଏଠାରେ ଗରମ ଗରମ ପକୋଡି ମିଳିବ । ଗୋଟେ ଦି ଟା ବେଳେ ଖାଇଥିଲୁ । ଏବେ ପାଞ୍ଚଟା ପରେ ହେଲାଣି । ଅଳ୍ପ ଭୋକ ଲାଗିଲାଣି । ବାଲେଶ୍ଵରରେ ପହଞ୍ଚୁ ପହଞ୍ଚୁ ରାତି ଆଠଟା କି ନଅଟା ହୋଇଯିବ । ଗାଡିରୁ ଓହ୍ଲାଇବା ମାତ୍ରେ ଦେଖିଲି ଛୋଟିଆ ଢାବା ପରି ହୋଟେଲଟି । ନଡା ଛପର ଓ ବତାରେ ଛକି ପଡିଥିବା ଘରଟି। ଘରର ଚାରିପଟେ ବାଉଁଶ ବତାଗୁଡିକ ସୁନ୍ଦର ଭାବରେ ଭିଡା ଯାଇଛି । ଭିତରେ ପ୍ଲାଷ୍ଟିକ ଚେୟାର ଓ ଟେବୁଲ କେତୋଟି । ଏଠାରେ ଚା ଏବଂ ଗରମ ଗରମ ଚଟପଟି ଖାଦ୍ୟ ମିଳୁଛି । ବର୍ଷା ଥିବା ହେତୁ ଗ୍ରାହକ ସେତେ ନାହାଁନ୍ତି । ହୋଟେଲଟି ପରିଷ୍କାର ପରିଚ୍ଛନ୍ନ । ମାଲିକଟି ଆମକୁ ଦେଖି ପାଛୋଟି ନେଲେ ଏବଂ ଚେୟାରଟି ପୋଛି ବସିବାକୁ ଅନୁରୋଧ କଲେ । ତାଙ୍କର ଭାବରୁ ଜଣା ପଡୁଥାଏ ସେ ଅଧିକ ଉତ୍ ଫୁଲ୍ଲିତ ଏବଂ କୃତଜ୍ଞ । ତନୁଶ୍ରୀ ସ୍ମିତ ହସି ବସି ପଡିଲେ । ଫୁଟନ୍ତା ଚା ର ବାସ୍ନାରେ ସ୍ନାୟୁକୁ ସତେଜିତ କରୁଥିଲା । ହୋଟେଲର ଚାରି ଆଡକୁ ଆଖି ବୁଲାଇ ଆଣିଲେ । ସମ୍ମୁଖ ବାମ କଡ ଟେବୁଲରେ ଆମକୁ ପଛ କରି ଜଣେ ବ୍ୟକ୍ତି ବସି ଥିବାର ଦେଖିଲେ । ବ୍ୟକ୍ତିର ପୃଷ୍ଠ ଭାଗରୁ ପରିଚିତ ପରିଚିତ ଲାଗୁଥାଏ । ଆଉ କଣ ସେ ତନ୍ମୟ ନୁହନ୍ତି ତ ? ଚହଲି ଗଲା ମୋ ଚେତନା । ସ୍ମୃତିମାନେ କଡ ଲେଉଟିବାକୁ ଆରମ୍ଭ କଲେ ଭୟଙ୍କର ବିଷାକ୍ତ ସରିସୃପ ପରି । ଆଖି ଆଗରେ ନାଚି ଉଠିଲା ପୁରୁଣା ସ୍ମୃତି । ମନେ ପଡିଗଲା ତନ୍ମୟର କଥା କୁହାଯାଏ ଏ ସୃଷ୍ଟି ପ୍ରେମରୁ ଆରମ୍ଭ ଆଉ ପ୍ରେମରେ ହିଁ ଶେଷ । ପ୍ରେମ ପ୍ରାପ୍ତିର ନୁହେଁ, ତ୍ୟାଗର ଅଭିବ୍ୟକ୍ତି । ପ୍ରେମ ମନୁଷ୍ୟକୁ ଅପରାଧୀ ନୁହେଁ, ଦେବତାର ମର୍ଯ୍ୟାଦା ଦେଇଥାଏ । କେହି ପ୍ରେମକୁ ସ୍ୱର୍ଗର ପାରିଜାତ ପୁଷ୍ପ ସହିତ ତୁଳନା କରିଥିଲା ବେଳେ ଆଉ କେହି ପ୍ରେମକୁ ମହାକାଳ ଫଳ ଓ ପାପର ଅନ୍ୟନାମ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ପ୍ରେମ ପରିସ୍ଥିତି ଓ ସ୍ଥଳ ବିଶେଷରେ ନିଜକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ରୂପେ ପରିପ୍ରକାଶ କରିଛି। ସେ ମାନିନାହିଁ ଜାତିଗୋତ୍ରର ରକ୍ଷଣଶୀଳତାକୁ ଅବା ଦେଖିନାହିଁ ବୟସର ତାରତମ୍ୟ । ଚାହିଁ ନାହିଁ ରୂପରଙ୍ଗ, ଜାଣିନାହିଁ ଧନୀ ଗରିବର ଭେଦଭାବ। କୁହାଯାଏ ପ୍ରେମ ଦୁର୍ବଳ ମୁହୂର୍ତ୍ତର ଏକ ସୂକ୍ଷ୍ମ ଅନୁଭବ, ଯାହା ଚାରିଚକ୍ଷୁର ମିଳନରୁ ଆରମ୍ଭ ହୋଇ କ୍ରମେ ହୃଦୟ, ମନ ଓ ମସ୍ତିଷ୍କକୁ କରିଥାଏ କବଳିତ। ବର୍ଷକ ବାରମାସ ଓ ଛଅଟି ଋତୁ ହୋଇଥିଲା ବେଳେ ପ୍ରେମଋତୁର କୈାଣସି ନିର୍ଦ୍ଦିଷ୍ଟ ସମୟ ନ ଥାଏ । କେହି ତାକୁ କୋଇଲିର କୁହୁତାନ ଓ ବଉଳର ବାସ୍ନା ମଧ୍ୟରେ ପାଇଥିଲା ବେଳେ ଆଉ କେହି ଝରା ଶ୍ରାବଣର ବର୍ଷା ବୋଲି ଅନୁଭବ କରିଥାନ୍ତି । ଆଉ କେହି ପ୍ରଚଣ୍ଡ ଗ୍ରୀଷ୍ମଋତୁରେ ପ୍ରେମର ସ୍ପର୍ଶ ପାଇଁ ହୋଇଥାନ୍ତି ଆନମନା । ଯୁଗେଯୁଗେ ପ୍ରେମର ମହାନ୍ କାହାଣୀ ଗୁଡିକୁ ନେଇ ଜନମାନସ ହୋଇଛି ପୁଲକିତ । ତନୁଶ୍ରୀ ଝିଅଟିଏ, ଦେହଟା ତାର ସୁନାରଙ୍ଗର । ଆଖି ଦୁଇଟି ଗଭୀର ନୀଳହ୍ରଦ ପରି ଅନିସନ୍ଧିତ୍ସୁ । ମନଟି ତାର ସରଳ ତରଳ । ଆଦ୍ୟ କୈଶୋରରେ ନିଷ୍କପଟ ଜୀବନ। ଶ୍ରାବଣର ଅଦିନିଆ ବର୍ଷା ପରି ରିମଝିମ ଛନ୍ଦ ଚପଳ ପୁଷ୍ଟ କୈଶୋର । ସାରାଦିନ ଲକ୍ଷ୍ୟହୀନ ପ୍ରଜାପତି ପଛରେ ଧାଇଁବା, ତୋଟା ଗହଳରେ ବୋହୁ ବୋହୁକା ଖେଳିବା, ବୁଦାରୁ କଣ୍ଟେଇ କୋଳି ତୋଳିବା, ଆମ୍ବଗଛରୁ କଷି ଆମ୍ବ ଝଡାଇବା ଏବଂ ତେନ୍ତୁଳି ଗଛରୁ ପାଚିଲା ତେନ୍ତୁଳି ନେଇ ଘରକୁ ଫେରିବା ଏ ଯେମିତି ତାର ଦୈନନ୍ଦିନ କାର୍ଯ୍ୟ । ଆଉ ସଞ୍ଜ ହେଲେ ଜେଜେ ମାଆ ଜେଜେ ବାପାଙ୍କ ସାଥିରେ ଆବୁରୁ ଜାବୁରି ଗୀତ ଗାଇ ନାଚିକୁଦି ମଜା ମଜଲିସ୍ କରିବା ତାର ଏକ ଅନନ୍ୟ ଅନୁଭୂତି । ସମୟ ବୟସ ସଦା ରହେ ନାହିଁ । ବାଲ୍ୟ ରୁ କୈଶୋର ଏବଂ କେତେ ଶୀଘ୍ର ଯୁବତୀ । ଘରେ ଯୁବତୀ ଝିଅ ପ୍ରତି ବିଭିନ୍ନ ପ୍ରତିବଦ୍ଧକ । ସ୍କୁଲ ସମାପ୍ତି ପରେ କଲେଜ ଜୀବନରେ ପ୍ରବେଶ । ମନରେ ଅଫୁରନ୍ତ ଆନନ୍ଦ, ଆଶା ଓ ସ୍ବପ୍ନ । ଜୀବନ ଯୌବନରେ ଆନନ୍ଦର ଜୁଆର । ମନ ସଦାସର୍ବଦା ଚଳଚଞ୍ଚଳ ଏବଂ ଉତ୍ ଫୁଲ୍ଲିତ । ସମୟ ସହିତ ଜୀବନ ଯୌବନର ବାସ୍ତବିକତା ଧିରେ ଧିରେ ସେ ଅନୁଭବ କଲା । ପିଲା ଦିନର ବୋହୂଚୋରି ଖେଳରୁ ତପନ ପ୍ରତି ଥିବା ଘୃଣା ଅଭିମାନ ଅପମାନ ନିଷ୍ଠୁରତା ଭିତରେ ଭଲ ପାଇବାର ଛୋଟ ଚାରାଟିଏ ଶାଖା ପ୍ରଶାଖା ମେଲାଇଲା । ତପନ ତନୁଶ୍ରୀର ଜାତିଠାରୁ ନ୍ୟୁନ କିନ୍ତୁ ସୁନ୍ଦର ସୁଗଠ ଶରୀର ଓ ତାର ନିର୍ମାୟା ମନ । ବୋହୁ ଚୋରିରୁ ସତସତିକା ଜୀବନ ସାଥି ହେବାର ସ୍ବପ୍ନ ଦେଖିଲା । ବାପା ବୋଉଙ୍କୁ ଅଛପା ରହିଲା ନାହିଁ । ବାପା ମୋର ପ୍ରେମ ବିଷୟରେ ଜାଣି ପାରିଲେ । ଘରର ସମ୍ମାନକୁ ବଜାୟ ରଖି ମୋର ବାହାଘର ଅନ୍ୟଠାରେ କରିବାକୁ ସ୍ଥିର କରିଦେଲେ । କହିଲେ ଆମେ ସରକାରୀ ଚାକିରିଆ ପିଲାଟିଏ ଦେଖି ତୋତେ ବାହାଘର କରିଦେବୁ। ସେଦିନ ବାପାଙ୍କ ଜିଦ୍‌ ଆଗରେ ହାର୍‌ ମାନିଥିଲା ତନୁଶ୍ରୀ । ଘରର ନିଷ୍ପତ୍ତି ଆଗରେ ବଳି ପଡିଯାଇଥିଲା ତାର ପ୍ରେମ। ବାପା ମାଆ ସିନା ଯାନି ଯୌତୁକ ଦେଇ ଝିଅକୁ ବିଦା କରିଦେଲେ। ତାଙ୍କ ମୁଣ୍ଡରୁ ବୋଝ ହାଲକା ହୋଇଗଲା । ତନୁଶ୍ରୀର ମନ-ଆକାଶରେ ଆଶାର ଇନ୍ଦ୍ରଧନୁ । କୁଆଁରୀ ଆଖିରେ ଚହଲା ସ୍ବପ୍ନର ଢେଉ। ଅନାଗତ ଭବିଷ୍ୟତର ଅସୁମାରୀ ଆଶାରେ ରଙ୍ଗିନ୍ ହୋଇ ଉଠିଲା ଦିନରାତି । ସେ ବୁଝିପାରୁ ନ ଥିଲା ଟୋପାଏ ସିନ୍ଦୂର, ଦୁଇପଟ ନାଲିଶଙ୍ଖା ପାଇଁ ନାରୀ ମନର ଏ ଦୂର୍ବାର ଆକର୍ଷଣ, ଅସରନ୍ତି ମମତ୍ବବୋଧ କାହିଁକି ? ହେଲେ ତନୁଶ୍ରୀ କେମିତି ପ୍ରତିକ୍ଷଣ ଦୁଃଖ ଓ ଅନୁତାପର ନିଆଁରେ ଜଳୁଛି , ସେକଥା କ'ଣ ବାପା ମାଆ ବୁଝି ପାରିଲେ । ଯାହାକୁ ବେଦି ଉପରେ ବସି ଅଗ୍ନିକୁ ସାଖି ରଖି ବିବାହ କଲା, ସେ ଦିନକ ପାଇଁ ତନୁଶ୍ରୀର ମନ ଓ ହୃଦୟର କଥା ବୁଝିଲା ନାହିଁ । ଅର୍ଥ ମୋହରେ ସେ ଯେମିତି ପାଗଳ। ତନୁଶ୍ରୀ ଠାରୁ ଅଧିକ ବୟସ ତେଜୋବନ୍ତର । ଦିନ ରାତି ଖାଲି ଟଙ୍କା ପଛରେ ଧାଇଁଛନ୍ତି। ରାତିରେ ମଦ୍ୟପାନ କରି ଗୃହ ପ୍ରବେଶ । ବାହାଘରର ଦୁଇ ବର୍ଷ ଭିତରେ କେବେ ସ୍ତ୍ରୀକୁ କେଉଁଆଡେ ବୁଲାଇ ନେଇଛନ୍ତି ନା ଭଲରେ ବସି ଦୁହେଁ ହସଖୁସି ହୋଇଛନ୍ତି । ଘରକୁ ବିଳମ୍ବିତ ରାତ୍ରିରେ ଫେରିବା ଗୋଟିଏ ଦୈନନ୍ଦିନ ଅଭ୍ୟାସ । ତନୁଶ୍ରୀର ଶରୀରକୁ ରାତିରେ ଜିବଜନ୍ତୁ ଝୁଣିଲା ପରି ଝୁଣି ଯାଆନ୍ତି ତେଜୋବନ୍ତ । ତନୁଶ୍ରୀ କେବେ ପ୍ରତିବାଦ କରିନାହି । ତନୁଶ୍ରୀ ଏବେ ମାଆ ହେବାକୁ ଯାଉଛି । ବେଦିରେ ବସିବା ପରେ ଭୁଲି ଯାଇଥିଲା ତାର ଅତୀତକୁ। କର୍ମକୁ ଆଦରି ବଞ୍ଚିବାକୁ ସେ ସ୍ଥିର କରିଥିଲା। କିନ୍ତୁ ପୁଣି ତା ଅତୀତକୁ ମନେପକାଇ ଦେଲେ ତାର ସ୍ୱାମୀ । ବାସର ରାତିରେ ସତ କଥା କହି ଦେଇଥିଲା ବୋଲି କଥା କଥାକେ ସେ ସେଇ ପୁରୁଣା ସ୍ମୃତିକୁ ଦୋହରାଉ ଥିଲେ। ତନୁଶ୍ରୀକୁ ସନ୍ଦେହ କରୁଥିଲେ। ରାତି ବାରଟା ହେଲାଣି। ସ୍ୱାମୀ ଆଜି ଅଫିସ୍‌ କାମରେ ଅଫିସ୍‌ରୁ ଫେରି ନାହାଁନ୍ତି। ତନୁଶ୍ରୀ ବସି ଅତୀତର ସ୍ମୁତିକୁ ରୋମନ୍ଥିତ କରୁଛି । ତନୁଶ୍ରୀ ଠାରୁ ଧିରେ ଧିରେ ମନ ଫେରେଇ ନେଉଛନ୍ତି ତେଜୋବନ୍ତ । ଏପଟେ ତନୁଶ୍ରୀ ତାନ୍ୟାକୁ ଜନ୍ମ ଦେବାର ଛଅ ମାସ ବିତିଗଲାଣି । ଛୁଆ ପଛରେ ଦିନରାତି ଲାଗି ତେଜୋବନ୍ତ ଙ୍କ ପ୍ରତି ଏତେଟା ଦୃଷ୍ଟି ଦେଇ ପାରି ନାହିଁ । ତେଜୋବନ୍ତ ତ ଆଗରୁ ଅବହେଳା କରିଆସୁଥିଲେ ତନୁଶ୍ରୀକୁ । ଏପରି ସମୟରେ ଆହୁରି ଅଧିକ ସୁଯୋଗ ପାଇଲେ । ତନୁଶ୍ରୀର ରୂପଲାବଣ୍ୟରେ ବିମୋହିତ ହୋଇଥିଲା ତନ୍ମୟ । ବହୁଦିନ ଆଗରୁ ନିଜ ପାଲରେ ପକାଇବା ପାଇଁ ବହୁତ ଚେଷ୍ଟା କରୁଥିଲା । କେବେ ଫେସବୁକରେ ତ କେବେ ମନ୍ଦିର ଯିବା ବାଟରେ କେବେ କେବେ ତାଙ୍କର ଘର ଦେଇ ଗଲାବେଳେ, ଦେଖା କରିବାକୁ ଇଛା କରୁଥିଲା । କିନ୍ତୁ ସୁଯୋଗ ପାଇ ପାରୁ ନ ଥିଲା । କେମିତି କେଉଁ ପରି ଭାବରେ ପ୍ରେମର ଜାଲଟି ବିଛାଇବ ସଦାସର୍ବଦା ଚେଷ୍ଟା କରୁଥିଲା । ନିଜେ ଜଣେ ସର୍ବ ଗୁଣ ସମ୍ପନ୍ନା । ପୈତୃକ ସମ୍ପତ୍ତି ଅପର୍ଯ୍ୟାପ୍ତ । ବାପାଙ୍କର ଏକ ମାତ୍ର ପୁତ୍ର । ବାପାଙ୍କର ବିଜିନେସ୍ ଅଛି । ବାପାଙ୍କର ଟଙ୍କାରେ ପୁଅ ଏସ୍ କରୁଛି । ତନ୍ମୟ ଦେଖିଲା ଯେମିତି ହେଉନା କାହିଁକି ତନୁଶ୍ରୀକୁ ପ୍ରେମର ଜାଲରେ ପକାଇବ । ସେଥିପାଇଁ ତାର ଜନ୍ମ କୁଣ୍ଡଳୀ ସଂଗ୍ରହ କଲା । ଭିତରେ ଭିତରେ ଏକ ବିରାଟ କୁହୁକ ଜାଲ ବିଛାଇଲା । ତେଜୋବନ୍ତ ମଦ ପିଉଥିବାର ଲକ୍ଷ୍ୟ କଲା । ତା ସହିତ ବାର୍ ରେ ବନ୍ଧୁତା ସୃଷ୍ଟି କଲା । ତନ୍ମୟ ପ୍ରଥମେ ପିଇବା ପାଇଁ ସମସ୍ତ ଟଙ୍କା ଦେଲା । ପ୍ରତିଦିନ ସନ୍ଧ୍ୟା ହେଲେ ଦୁଇଜଣ ଯାକ ଆଡ୍ଡାରେ ଦେଖାଦେଖି । ତାପରେ ସମ୍ପର୍କ... ପିଆପିଇ । ତେଜୋବନ୍ତ ତନ୍ମୟକୁ ଘରକୁ ଡାକିଲା । ପ୍ରଥମେ ଜାଣିଶୁଣି ମନାକଲା ତନ୍ମୟ । କିନ୍ତୁ ତାର ତ ଅସଲ ଉଦ୍ଦେଶ୍ୟ ଥାଏ ଘରକୁ ଯିବାକୁ । ଦିନେ ତନ୍ମୟକୁ ସାଥିରେ ନେଇ ଆସିଲା ତେଜୋବନ୍ତ। ପରିଚୟ କରାଇଲା ତନ୍ମୟକୁ । ତନୁଶ୍ରୀ ପରପୁରୁଷକୁ ସମ୍ମାନ ଜଣାଇ ଆଡେଇ ହୋଇ ରହିଲା । ସେଦିନ ସେ କଥାବାର୍ତ୍ତା ହେଲା ନାହିଁ । ଫେସବୁକରେ ତାନ୍ୟା ଓ ତାର ଫଟୋକୁ ପ୍ରୋଫାଇଲ୍ ରେ ସଂଯୋଗ କରିଥିଲା ତନୁଶ୍ରୀ । ରାତିରେ ସେ ଫେସ୍‌ବୁକ୍‌ରେ ଦେଖିଲା ସେ ଫଟୋକୁ ଦେଖି ଉଚ୍ଚ କୋଟୀର ମତାମତ ଦେଇଛନ୍ତି ତନ୍ମୟ । ଖୁବ୍‌ ଆଗ୍ରହ ସହକାରେ ପଢିଲା ତନୁଶ୍ରୀ - ସେଥିରେ ଲେଖିଛନ୍ତି । ପ୍ରେମ ଗୋଟେ ନିରବ କାହାଣୀ, ଆଉ ଆଖିର ଗୋଟିଏ ଅଭୁଲା ଚାହାଣୀ… ତୁମ ଆଖି ଅନେକ କଥା କହୁଛି । ସତରେ ତୁମେ କେଉଁ ଅପସରି.... ଏଭଳି ଅନେକ ଶଦ୍ଦ ସମ୍ଭାରରେ ସାମାନ୍ୟ ଫଟୋକୁ ନେଇ ମତାମତ । ନିଜର ସ୍ବାମୀ ଆଡ ଆଖିରେ ଦେଖୁନାହିଁ । ଏପଟେ ଅନ୍ୟ ଜଣେ ପ୍ରଶଂସାରେ ପୋତି ପକାଉଛନ୍ତି । ନାରୀର ସବୁଠାରୁ ଦୂର୍ବଳ ଅନ୍ୟ ଜଣେ ଯଦି ତାକୁ ପ୍ରଶଂସା କରେ, ତା ଆଡକୁ ସେ ତରଳି ଯାଏ । ଆଉ ପଢ଼ି ପାରିଲାନି। ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। କାନ୍ଥ ଘଣ୍ଟା ଗର୍ଜି ଉଠିଲା। ରାତି ପ୍ରାୟ ଦୁଇଟା , ସ୍ୱାମୀ ଏ ପର୍ଯ୍ୟନ୍ତ ଆସିନାହାଁନ୍ତି । ଆଖିରୁ ଲୁହ ପୋଛିଲା ତନୁଶ୍ରୀ । ଆଜି କେମିତି ପରିବେଶ ଅଲଗା ଅଲଗା ଲାଗୁଥିଲା । ତନୁଶ୍ରୀ ଆଖିରୁ ଯେତିକି ଲୁହ ଝରୁଥିଲା। ହୃଦୟର ବିଳାପ ସେତିକି ତୀବ୍ର ହେଉଥିଲା । ବାହାରେ ବର୍ଷା ମଧ୍ୟ ସେତିକି ପ୍ରତୀୟମାନ ହେଉଥିଲା। ପୁଣି ଫେସବୁକ ଖୋଲିଲା । ଫେସବୁକ ମେସେଞରରେ ମେସେଜ୍ ଆସିଛି ତନ୍ମୟଙ୍କର । ତୁମେ ଅନନ୍ୟା, ତୁମେ ଅପରୂପା । ତୁମକୁ ସତେ ବିଧାତା କେତେ ସୁନ୍ଦର ଭାବରେ ଗଢିଛି । ହେଲେ ତୁମର ମନଲାଖି ମନର ମଣିଷ ହେଲା ନାହିଁ । ତୁମର ପ୍ରେମ ଏବେ ବି ଜୀବନ୍ତ। ତୁମର ଦେହ ମନ ଭାଷା ଆଉ କିଛି କହୁଛି। ପ୍ରେମର ପରମ ସତ୍ୟ ତ୍ୟାଗ, ତାହା ତୁମଠାରେ ଥିବାର ଅନୁଭବ କରିପାରୁଛି.... ପ୍ରେମ ପ୍ରତିଶ୍ରୁତି । ଏତକ ପଢି ସାରି ତନୁଶ୍ରୀ ନିଜ ଭିତରେ ଏକ ଆଶ୍ୱସ୍ତି ପ୍ରେମାନୁଭାବ କଲା । ଚହଲିଗଲା ତାର ମନ ଯୌବନ। ଏପଟେ ତେଜୋବନ୍ତର ଘରକୁ ଆସିବା ଅନାଗ୍ରହ । ବେଳେ ବେଳେ ଘରକୁ ଖାଲି ଖାଇବାକୁ ଆସନ୍ତି । ସ୍ବାମୀ ସ୍ତ୍ରୀ ସମ୍ପର୍କର ସ୍ନେହ ମମତା ବେଳକୁ ବେଳ କଳଙ୍କି ଧରିଲାଣି । ସାଙ୍ଗ ସାଥିରେ ସମୟ କାଟିବା, ବିଳମ୍ବିତ ରାତିରେ ଘରକୁ ଫେରି ଶୋଇଯିବା ତନୁଶ୍ରୀକୁ ଅସହ୍ୟ ହୋଇପଡୁଥିଲା । ଏପଟେ ତନୁଶ୍ରୀ ଅସନ୍ତୁଷ୍ଟ ଥିଲେ ମଧ୍ୟ ପ୍ରତିବାଦ କରି ପାରୁ ନ ଥିଲା । ଏହାର ସୁଯୋଗ ନେଇ ତନ୍ମୟ ବାରମ୍ବାର ଘରକୁ ଆସିଲା। ତେଜୋବନ୍ତର ଉପସ୍ଥିତରେ ଅନୁପସ୍ଥିତରେ ଘରର ସମସ୍ତ ଦାୟିତ୍ବ ବୁଝିଲା ତନ୍ମୟ । ପ୍ରଥମେ ପ୍ରଥମେ ପ୍ରତିବାଦ କରୁଥିଲା ତନୁଶ୍ରୀ କିନ୍ତୁ ସ୍ବାମୀଙ୍କର ଆଚରଣରେ ବିମୁଖ ହୋଇ ଆଉ କିଛି କହିଲା ନାହିଁ । କାଳର କବଳରେ କବଳାୟିତ ମନୁଷ୍ଯ । ବୃକ୍ଷ ଲତା ଜୀବଜନ୍ତୁ ଯିଏ ହେଉନା କାହିଁକି ଯିଏ ତାଙ୍କର ଦେଖାଶୁଣା କଲା, ଭଲ ପାଇଲା । ସେମାନେ ତାଙ୍କୁ ଭଲ ପାଆନ୍ତି । ମନୁଷ୍ଯ ଅବା ସେଥିରୁ କିପରି ବାଦ୍ ଯିବ। ତନୁଶ୍ରୀ ଧିରେ ଧିରେ ଢଳି ଗଲା ତନ୍ମୟ ଆଡକୁ । ଝିଅ ତାନ୍ୟା ପାଇଁ ଖେଳନା ଆଣିବା, ପ୍ରତିଦିନ ଚକୋଲେଟ୍ ଆଣି ଦେବା ଏକ ଅଭ୍ୟାସରେ ପରିଣତ ହୋଇଗଲା । ନିଜ ଘର ଭଳି ଭାବିଲା ତନ୍ମୟ । ଏପଟେ ତେଜୋବନ୍ତ ନିଜ ମଦର ପ୍ୟାକ୍ କୁ ବଢେଇ ଦେଲା । ରାତିରେ ଅତ୍ୟଧିକ ମଦ୍ୟପାନ କରି ଆସି ସ୍ତ୍ରୀ ପିଲାକୁ ବାଡେଇବା ଆରମ୍ଭ କରିଦେଲା। ଘରେ ପ୍ରତିଦିନ ପାଟିତୁଣ୍ଡ । ପିଇବାକୁ ଅର୍ଥ ପ୍ରଦାନ କରୁଥିଲା ତନ୍ମୟ । ଏ କଥା କିନ୍ତୁ ଜାଣି ପାରୁ ନ ଥାଏ ତନୁଶ୍ରୀ । ଏମିତିକି ଦୁଇଜଣ ଯାକ ମଦ ପିଇ ଘରେ ଆସି ଶୁଅନ୍ତି । ତନ୍ମୟ ରୀତିମତ ଘରକୁ ଆସିବାର ଅଭ୍ୟାସ ହୋଇଗଲା । ପ୍ରତିବାଦ କରିବାର କେହି ନାହିଁ । ଘରର ସମସ୍ତ ଦାୟିତ୍ବ ବୁଝିବା ଆରମ୍ଭ କରିଦେଲା ତନ୍ମୟ । ଏହା ଭିତରେ ଅତ୍ଯଧିକ ମଦ୍ୟପାନ କରି ତେଜୋବନ୍ତର କିଡନୀ ଫେଲୋର ହୋଇଗଲା । ଭୁବନେଶ୍ବର ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା ଚାଲିଲା । ଅପରିର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହେଲା । ତନ୍ମୟ ପ୍ରାୟ ଅର୍ଥ ଖର୍ଚ୍ଚ କଲା କିନ୍ତୁ ଶେଷରେ ତେଜୋବନ୍ତ ଆରପାରିକୁ ଚାଲିଗଲା । ତନୁଶ୍ରୀର ବାପା ମାଆ ବ୍ୟଥିତ ହେଲେ କିନ୍ତୁ ତାଙ୍କ ପାଖରେ ଆଉ ଉପାୟ କ'ଣ ଅଛି । ତାନ୍ୟା ସେତେବେଳକୁ ଛଅ ବର୍ଷର । ତନ୍ମୟ ତନୁଶ୍ରୀକୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଲା । ତନୁଶ୍ରୀ ଅବିଶ୍ବାସ କଲା । କିନ୍ତୁ ତନ୍ମୟ ବିଶ୍ବାସ ଜନ୍ମାଇ ବିବାହର ପ୍ରତିଶ୍ରୁତି ଦେଇ ତନୁଶ୍ରୀର ମଥାରେ ସିନ୍ଦୁର ଲଗାଇ ଦେଲା । ସମୟ ଦେଖି ବନ୍ଧୁ ବାନ୍ଧବଙ୍କର ଉପସ୍ଥିତରେ ବିବାହ କରିବ ବୋଲି କହିଲା । ମନୁଷ୍ଯର ସ୍ୱପ୍ନ ବି ଗୋଟାଏ ନିଶା । ନିଶାଶକ୍ତଙ୍କ ପରି ମନ ବି ଖୁବ୍ ସ୍ବପ୍ନରେ ବିଭୋର ହୁଏ । ସେଇ ସ୍ୱପ୍ନରେ ଥାଏ କେବଳ ପାଇବା ହାତ ମୁଠାରେ ସବୁକିଛି ହାତେଇବା । ଆଉ ଏଇ ଖୋଜିବା ପାଇବା ତାପରେ ହରେଇବା ବୋଧହୁଏ ଜୀବନ। ତାପରେ ସ୍ବପ୍ନ ମାନେ ସବୁ ଧୀରେ ଧୀରେ ସେମାନଙ୍କର ରଙ୍ଗ ବଦଳେଇବା ଆରମ୍ଭ କରି ଦିଅନ୍ତି । ମନତଳେ ଥରେ ଯେବେ ମତୁଆଲା ଭାବନାର ଜହ୍ନ ଉଇଁ ଯାଏ ମନକୁ ମନ ସ୍ମୃତିର ପ୍ରତ୍ୟେକ ପାଖୁଡା ଚିକ୍ ମିକ୍ ତାରା ପରି ଫୁଲ ହୋଇ ଫୁଟି ଉଠନ୍ତି । ଯେଉଁଠି ବାକିଥିବା ଜୀବନର ଲମ୍ବା ରାସ୍ତା ବେଶ୍ ମନୋରମ ଲାଗେ । ଆଉ ଲାଗୁଥାଏ ଜୀବନ ଏଇନେ ସୁନ୍ଦର ସକାଳର କଡ ଲେଉଟା ଆରମ୍ଭ କରିବ ସମୁଦ୍ରର ନୀଳ ଢେଉରେ ଭାସି ଉଠେ ଭବିଷ୍ୟତର ବିଭିନ୍ନ ରଙ୍ଗୀନ ସ୍ବପ୍ନ । ସେମିତି ତନୁଶ୍ରୀ ଭାବନାର ନଈ ଗୁଡା ନିଜ ଅଜାଣତରେ ହଜି ଯାଉଥିଲେ ସୀମାହୀନ ସାଗରର ବିଶାଳ ବକ୍ଷରେ । ତନ୍ମୟ ମଧ୍ୟ ବେଳକୁ ବେଳ ସେଇ ନୀଳିମା କୁ ଡେଈଁ ଆଖିର ଗଭୀର ନୀଳ ରଙ୍ଗରେ ରେ ବୁଡି ଯିବା ନିଶାରେ ମତୁଆଲା ହୋଇ ଉଠୁଥିଲା । ଅଚାନକ ହୃତସ୍ପନ୍ଦନ ବଢ଼ି ଯାଇଥିଲା ତନୁଶ୍ରୀ ର, ଛାତି ତଳେ ଅଜଣା ବେପଥୁ ଥରି ଉଠୁଥିଲା ସାରା ଶରୀର । ଇଏ କଣ ସତରେ ତାର ପ୍ରିୟ ମଣିଷ ? ତନୁଶ୍ରୀର ହୃଦୟ ଭିତରଟା ଚମକି ପଡୁଥିଲା । ବଦଳି ଯାଉଥିଲା କଣ୍ଠ ସ୍ବରରେ ଆତ୍ମୀୟତାର ସମ୍ମୋହନ ମନ୍ତ୍ର । ଜୀବନ ତନ୍ତ୍ରୀ ସବୁ ଥରି ଉଠୁଥଲା । ମନର ଆତୁରତାରେ ପ୍ରଶ୍ନ କଲା ? ସତରେ ସେ ମୋତେ ବିବାହ କରିବ ତ ? ଜୀବନ ଝଡ ଝଞ୍ଜା ଭରା ଏକ ଲମ୍ବା ରାସ୍ତା । ତାକୁ ପାର ହେବା ପାଇଁ ଅନ୍ତତଃ ସାଥୀଟିଏ ମୋର ଆବଶ୍ୟକତା ତ ନିଶ୍ଚୟ । ଏ ଜୀବନରେ ଯାହାଙ୍କ ହୃଦୟରେ ସବୁ ଦୁଃଖ ସୁଖ ବୋହି ନେଇଯିବାର ଆଶା ରଖି ଥିଲି ସେ ଏକା କରି ଚାଲିଗଲେ ମୋ ହୃଦୟରେ ଜୀବନର ସବୁଠୁ ବଡ ଦୁଃଖ ହୋଇ ରିହିଗଲି ଆଜୀବନ । ତନ୍ମୟ କହିଲେ ! ଇଏ କେବଳ ମୋର ଶବ୍ଦର ପ୍ରତିଶ୍ରୁତି ନୁହେଁ ବରଂ ମୋ ହୃଦୟର ନିରୁତା ଅନୁରକ୍ତି । ତୁମ ପାଇଁ ମୋର ପ୍ରେମ ଆଉ ଦୀର୍ଘ ଅପେକ୍ଷାର ଦୃଢ଼ ସ୍ବୀକାରୋକ୍ତି l ଜୀବନର ଗଣିତକୁ ସମାଧାନ କରିବାର ଗୋଟିଏ ବି ସୂତ୍ର ଆଜିଯାଏ ଖୋଜିନି ତନୁଶ୍ରୀ l ତାର ପୁରା ଜୀବନଟା ପାଲଟିଯାଇଛି ଅସଜଡ଼ା l ତନ୍ମୟ କୁହେ ତୁମେ ଏତେ ଭାବୁଛ କାହିଁକି ? ପ୍ରେମ ମାନେ ପ୍ରଶଂସା ଭଲପାଇବା ଯାହା ମୁଁ ଅନୁଭବ କରିଛି । ପରସ୍ପର ପ୍ରତି ସେହି ପ୍ରଶଂସା ଆଉ ଭଲପାଇବା ରଖି ଆମେ ସଂସାର ଭିତରେ ହଜିଯିବା । ଏହା ହିଁ ଜୀବନ। ମୁଁ ତୁମ ପରି ଗୋଟେ ଜୀବନ ସାଥି ପାଇଛି । ମୋର କେଡେ ଭାଗ୍ୟ । ତୁମର ସେହି ଲାଜେଇ ସରଳି ମନକୁ ପ୍ରତିକ୍ଷଣ ଖୋଜୁଥିଲି । ବ୍ୟସ୍ତତା ଭିତରେ ତୁମକୁ ଖୋଜେ । ତୁମର ଭଲପାଇବାକୁ ଦେଖେ ଅନୁଭବ କରେ । ଏଭଳି କଥାରେ ବିମୋହିତ ହୋଇପଡେ ତନୁଶ୍ରୀ । ଅନେକ ଦିନ ଧରି ମନରେ ଜମାଟ ବାନ୍ଧିଥିବା ଦୁଃଖର ବରଫ ଧିରେ ଧିରେ ତରଳି ଯାଏ । ହାଲକା ଲାଗେ ତନୁର ଦେହ,ମନ,ପ୍ରାଣ। ମନକୁ ମନ କହି ପକାଏ ତନ୍ମୟ ! ସତରେ ତୁମେ କେତେ ମହାନ୍ । ମୁଁ ଅଭାଗିନୀ ତୁମକୁ ଆଜି ପର୍ଯ୍ୟନ୍ତ ନିଜର କରିପାରିଲିନି । ପ୍ରେମ ସମର୍ପଣ ଖୋଜେ କେବଳ ହୃଦୟର। ଦୁହିଙ୍କର ଦୁହିଙ୍କ ପ୍ରତି ଆକର୍ଷଣ । ଆକର୍ଷଣରୁ ଭାବ । ଭାବରୁ ଆବେଗ । ଆବେଗରୁ ପ୍ରେମ । ଧିରେ ଧିରେ ଦୁହିଙ୍କର ଭଲପାଇବା ବଢି ଚାଲିଲା। ତା ପ୍ରେମିକ ତାର ସ୍ବାମୀ , ସଂସାରର ସୁବୁଠୁ ଭଲ ମଣିଷ । ତାଙ୍କର ପ୍ରତି ଆନ୍ତରିକ ଭାବନା, ଅହେତୁକ ସ୍ନେହ, ଯତ୍ନଶୀଳତା ରକ୍ଷଣ ଶୀତଳତା । ତନୁଶ୍ରୀକୁ ବାନ୍ଧି ଦେଇଥିଲା । ତନ୍ମୟ କଣ୍ଢେଇଟିଏ ଭଳି ସଜାଇ ଆତ୍ମତୃପ୍ତି ଲାଭ କରୁଥିଲା । ମୁଁ ନିହାତି ପତିବ୍ରତା ସ୍ତ୍ରୀଟିଏ ପରି ନିଜର ଇଚ୍ଛା ଅନିଚ୍ଛାକୁ ମନତଳେ ଚାପିରଖି ତନ୍ମୟ ର ପ୍ରତ୍ୟେକ ଇଚ୍ଛା ଅନିଚ୍ଛାର ଦାସୀ ପାଲଟିଗଲି । ତାଙ୍କର ଅସରା ଅସରା ପ୍ରେମର ବର୍ଷାରେ ମୁଁ ଗୋଟା ସୁଦ୍ଧା ଭିଜି ଯାଉଥିଲି । ମୁଁ ଧିରେ ଧିରେ ଅନୁଭବ କରୁଥିଲି - ମୋ ମନର ଅଭାବ, ମୋ ଇଚ୍ଛା ଓ ଆବଶ୍ୟକତା ଅପେକ୍ଷା ତନ୍ମୟ ମୋର ରୂପ ଯୌବନ ଓ ସୌନ୍ଦର୍ଯ୍ୟ ପ୍ରତି ଅଧିକ ଯତ୍ନଶୀଳ ହୋଇ ପଡୁଥିଲେ । ଆମ ପ୍ରେମର ପ୍ରଥମ ଅଙ୍କୁର ମୋ ଗର୍ଭରେ ସ୍ଥାନ ପାଇଲା । ଯେତେବେଳେ ଏ କଥା ତନ୍ମୟଙ୍କୁ ଜଣାଇଲି, ସିଏ ଖୁସି ହେବା ପରିବର୍ତ୍ତେ ବିଚଳିତ ଏବଂ ବିବ୍ରତ ହୋଇ ପଡିଲେ । ସେ ମୋତେ ବୁଝାଇଲେ ଆମର ତ ଝିଅଟିଏ ଅଛି। ଆମେ ଏବେ ଜୀବନକୁ ମନଭରି ଉପଭୋଗ କରିବା। ଆଉ ସେ ଜଜ୍ଞାଳକୁ ଯିବା ନାହିଁ। ମୁଁ କହିଲି ଏ କ'ଣ କହୁଛ। ଝିଅ ତେଜୋବନ୍ତଙ୍କ ରକ୍ତର । ସନ୍ତାନ ପିତାମାତାଙ୍କ ପାଇଁ କ'ଣ ଜଜ୍ଞାଳ ? ସନ୍ତାନ ସୁଖଠାରୁ କ'ଣ ଅଧିକ ସୁଖ ଅଛି ଦାମ୍ପତ୍ୟ ଜୀବନରେ ? ସେ କିନ୍ତୁ ବୁଝିବା ଅବସ୍ଥାରେ ନ ଥିଲେ । ମୁଁ କିନ୍ତୁ ତାଙ୍କର ରକ୍ତକୁ ମୋର ଗର୍ଭରେ ବଢିବାକୁ ଦେଇଥିଲି । ଦିନେ ମୋତେ ଭୁବନେଶ୍ବର ଯିବାକୁ କହିଲେ ସେତେବେଳକୁ ଦୁଇ ତିନି ମାସ । କାର୍ ରେ ସାଥି ହୋଇ ଯାଇଥିଲୁ। ବାଟରେ ମୋତେ ଆବରସନ୍ କରିବା ପ୍ରସ୍ତାବ ରଖିଲେ। ମୁଁ ରୋକଠୋକ ଭ୍ରୁଣହତ୍ୟା କରିବାକୁ ମନା କରିଦେଲି । ତାଙ୍କର ଭୁବନେଶ୍ବର କାମ ସରିବା ପରେ ରାତିରେ ଘରକୁ ଫେରିଲୁ । ରାତିରେ କେଉଁଠି ସେ ମଦ୍ୟପାନ କରିଦେଲେ । କାର୍ କୁ ଏକ ସଟ୍ କଟ୍ ଆଣିଲେ । ସେ ରାସ୍ତା ଭଲ ନ ଥିଲା । ଖାଲି ଖାଲ ଢିପ । ଗାଡି ଖାଲି ଉଠୁଥାଏ ପଡୁଥାଏ । ଯେତେ ବାରଣ କଲି ଧିରେ ଚଲାଅ । ମୋର କଥାକୁ ସେ କର୍ଣ୍ଣପାତ କଲେ ନାହିଁ । ଶେଷରେ ସ୍ବତଃପ୍ରବୃତ ଭାବରେ ମାତୃତ୍ୱର କଅଁଳ କଳିଟି ନଷ୍ଟଭ୍ରଷ୍ଟ ହୋଇଗଲା । ସେଦିନ ପରାଜିତ ମାତୃତ୍ବ ମୋର ଗୁମୁରି ଗୁମୁରି କାନ୍ଦୁଥିଲା । ମୋ ଓଠରୁ ହସ ଲିଭିଗଲା। ଆଖିରୁ ନିଦ ହଜିଗଲା। ଏକ ଅସହ୍ୟ ବେଦନା ବୋଧ ମୋର ଚିନ୍ତା ଚେତନା ଓ ସମଗ୍ର ସତ୍ତାକୁ ଗ୍ରାସ କରିଗଲା । ବାଧ୍ୟବାଧକତାରେ ହେଉ କିମ୍ବା ପ୍ରେମର ଗଭୀରତା ଯୋଗୁଁ ହେଉ ଅଥବା ବିବାହ ବନ୍ଧନ ପ୍ରତିଶ୍ରୁତିର ନିବିଡତା ଯୋଗୁ ହେଉ ମୁଁ ତନ୍ମୟର ପ୍ରତ୍ୟେକ କଥାକୁ ସମ୍ମାନର ସହିତ ପାଳନ କରୁଥିଲି । ଏତେ ପ୍ରାଣପ୍ରାଚୁର୍ଯ୍ୟ, ଭୋଗବିଳାସରେ ଭିତରେ ବୁଡିରହି ମଧ୍ଯ ନିର୍ଜନ ମୁହୂର୍ତ୍ତରେ ମୋ ଭିତରର ନାରୀତ୍ବ ବିଳପି ଉଠୁଥିଲା । ନାରୀ ପ୍ରେମରେ ଯେମିତି ପବିତ୍ର । ଭଲ ପାଇବାରେ ମଧ୍ୟ ସେତିକି ଗଭୀର । ଆଉ ପ୍ରତିହିଂସା ଓ ପ୍ରତିଶୋଧ ପରାୟଣରେ ତା ଠାରୁ ଅଧିକ ବି ଭୟଙ୍କର ହୋଇପାରେ । ମୁଁ ସମ୍ବେଦନଶୀଳ ନାରୀଟିଏ । ଯେଉଁ ରୂପଯୌବନ ପାଇଁ ତନ୍ମୟ ମୋତେ କାଠ କଣ୍ଢେଇ ପରି ସର୍ବହରା କରିଦେଉଥିଲେ । ସେହି ରୂପଯୌବନରେ ମୁଁ ବି ଦିନେ ତାଙ୍କୁ ଜାଳିପୋଡ଼ି ଛାରଖାର କରିଦେବି । ସମାଜ ପାଖରେ ନାରୀ ନିଷ୍ପେସିତା କାହିଁକି ? କ'ଣ ପାଇଁ ସେ ଘୃଣ୍ୟ ? ଯେଉଁ ପୁରୁଷ ରାତ୍ରିର ଅନ୍ଧକାରରେ ତାଙ୍କର ଶରୀରକୁ ପରମ ଆନନ୍ଦରେ ଜଡାଇ ଧରେ, ସେ ଦିନର ଆଲୋକରେ ଛଳନା କରେ କାହିଁକି? ନାରୀ କ'ଣ ଏକ ଖେଳଣା ? ଯାହାକୁ ନେଇ ପୁରୁଷ ମନଇଛା ଖେଳିପାରେ ? ନାରୀର କ'ଣ ସ୍ବାଧୀନତା ବୋଲି କିଛି ନାହିଁ ? ସେ କ'ଣ ଖାଲି ପୁରୁଷର ଶଯ୍ୟାସଙ୍ଗିନୀ ? ଧିରେ ଧିରେ ଦୂରେଇ ବାକୁ ଚେଷ୍ଟା କଲେ ତନ୍ମୟ । ପ୍ରତିଶ୍ରୁତି ପ୍ରତିବଦ୍ଧତା ଖାଲି ପୋଥିଗତ ବିଦ୍ୟା ହୋଇ ରହିଗଲା । ମୋର ରୂପ ଯୌବନ ସୌନ୍ଦର୍ଯ୍ୟକୁ ଅକୁଣ୍ଠ ଚିତ୍ତରେ ସେ ଉପଭୋଗ କଲେ । ପ୍ରତିହିଂସାର ନିଆଁରେ ଜଳି ଜଳି ମୁଁ ଶୁଦ୍ଧ ସୁବର୍ଣ୍ଣ ତ ହେଲିନାହିଁ । ଏକ କଳଙ୍କଲଗା ପାହାଡ଼ ପାଲଟିଗଲି । ଜୀବନର ତ୍ରିଶଙ୍କୁରେ ଆଉ ପଛକୁ ଫେରିବାର ବାଟ ନ ଥିଲା । ମୋର ହୃଦୟର ଦୁଃଖ କିଏ ବୁଝିବାକୁ ଚେଷ୍ଟା କରି ନାହାଁନ୍ତି । ଦୀର୍ଘ ଦିନ ଧରି ବୁକୁତଳେ ଦୁଃଖ ଯନ୍ତ୍ରଣା ଲାଞ୍ଚ୍ଥନା ଓ କଳଙ୍କର ଗଦା ଗଦା ନିଆଁକୁ ଚାପିଧରି ମୁଁ କେମିତି ବଞ୍ଚିଛି ? ମନ ଭିତରେ ବିଶ୍ବାସ ଓ ଭରସା ଦୀପଟିଏ ଜାଳି ପ୍ରତୀକ୍ଷା କରିଥିଲି । ପ୍ରତିଟି ପଦକ୍ଷେପରେ ତାପାଇଁ ପରୀକ୍ଷାର କଠୋରତା, ଅଶେଷ ପ୍ରଶ୍ନର ସୀମାରେଖା l ଜୀବନଟା ଖୁଵ ଏକୁଟିଆ ଲାଗିବା ଆରମ୍ଭ କରିଛି ତାପାଇଁ l ଅନେକ ପ୍ରତିକୂଳ ପରିସ୍ଥିତି ସତ୍ବେ ଜୀବନର ସ୍ରୋତ ଗଡି ଚାଲେ l ଏଠି ପ୍ରତିବାଦ କରି ଆହତ ହେବା ପରିବର୍ତ୍ତେ, ସେ ଯେମିତି ତାକୁ ସେମିତି ଆଦରି ନେଲେ ଖୁସି l ସବୁ ସମୟରେ ତାଳି ପକାଇ ଜୀବନ ସହ ସାଲିସ କରିବାକୁ ପଡେ, ନହେଲେ ସାମାନ୍ୟ ଫାଟରୁ ପୁରା ଘାଇ ମେଲା ହୋଇ ଜୀବନର ଅନ୍ତସ୍ୱର ବି ବାହାରି ଆସେ l ବୋଧହୁଏ ଇପସିତ ଜିନିଷ ନ ପାଇବାଟା ହିଁ ଜୀବନ l ନ ପାଇଲେତ ପାଇବାର ଆଶା ନେଇ ବହି ଚାଲେ ଜୀବନ l ଜୀବନଟା ଖୁଵ ଏକୁଟିଆ ଲାଗିବା ଆରମ୍ଭ କରିଛି ତାପାଇଁ । ମୋର ଜୀବନ ତରଣୀ ଏବେ ଦିଗହରା ହୋଇପଡିଛି । ଝିଅକୁ ନେଇ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡିଛି । ସମାଜର ଟାହି ଟାପର ବ୍ୟଥିତ କରିଛି । ଭାଙ୍ଗି ପଡିଛି ସେ । ଜୀବନର ମୋହ ମାୟା ତୁଟିଯାଇଛି । ଶେଷରେ ଟ୍ରେନ୍ ଲାଇନ୍ ରେ ତୃତୀୟ ପନ୍ଥା ଆଦରି ନେବା ପାଇଁ ନିଷ୍ପତ୍ତି ନେଇଛି । ଟ୍ରେନ୍ ଆସିବାକୁ କିଛି ସମୟ ବାକି ଅଛି । ଜଣେ ଭଦ୍ର ଲୋକ ମଣିଂ ଓ୍ୱାକ୍ କରୁଛନ୍ତି । ହଠାତ୍ ତାଙ୍କର ନଜର ପଡିଲା ରେଳଧାରଣା ଆଡକୁ । କିଏ କୁଆଡେ ନାହାଁନ୍ତି । ସକାଳର ଉଷାଙ୍କ ଆଗମନର ଅବ୍ୟହୁତ ପୂର୍ବରୁ ଏ ଯୁବତୀ ଟି ଟ୍ରେନ୍ ଲାଇନ୍ ରେ ଏପଟ ସେପଟ କାହିଁକି ହେଉଛି । ଭଦ୍ର ଲୋକଙ୍କ ମନରେ ସନ୍ଦେହ ଆସିଲା । ସେ ଟ୍ରେନ୍ ଲାଇନ୍ ଆଡକୁ ଗତି କଲେ ଏକ ନିରୋଳା ସ୍ଥାନରେ ଅନୁଧ୍ୟାନ କଲେ । ଟ୍ରେନ ହର୍ଣ୍ଣ ଦେବା ମାତ୍ରକେ ଯୁବତୀଟି ଟ୍ରେନ୍ ପୋଇ ଉପରେ ଲୋଟି ପଡିଥିଲା । ସତୁରି ବୟସର ଭଦ୍ର ବ୍ଯକ୍ତି ପାଖକୁ ଯାଇ ତଳକୁ ଭିଡି ଆଣିଥିଲେ । ଟ୍ରେନ୍ ଯିବା ପରେ ଆତ୍ମ ହତ୍ୟାର କାରଣ ବୁଝିଥିଲେ । ସବୁ ଜାଣିବା ପରେ ଆଶ୍ବାସନା ଦେଇଥିଲେ । ତୁମ ସହିତ ଆଉ ଏକ ପ୍ରାଣର ସମ୍ପର୍କ ଅଛି ବୋଲି ବୁଝାଇଥିଲେ । ଭଦ୍ର ବ୍ଯକ୍ତି କହିଥିଲେ ଯଦି ଝିଅ ମନରେ କିଛି ଭାବିବୁ ନାହିଁ ଗୋଟିଏ କଥା କହିବି । ମୋର ସଂସାରରେ କେହି ନାହିଁ ପିଲାମାନେ ଯେ ଯାହାର ଜଜ୍ଞାଳ ସହିତ ବିଦେଶରେ । ସେମାନେ ଘରକୁ ଆସିବା ବା ମୋ କଥା ବୁଝିବା ଅବସ୍ଥାରେ ନାହାଁନ୍ତି। ବୁଢୀ ଅନେକ ଦିନ ଆଗରୁ ଚାଲି ଯାଇଛି । ଅପରିର୍ଯ୍ୟାପ୍ତ ସମ୍ପତ୍ତି । ଚାକର ବାକର ରଖି କାମ କରୁଛି । ବେଳକୁ ବେଳ ମୁଁ ଅବସ ହୋଇପଡିଲିଣି । ତୁ ମୋର ଝିଅ ସେ ନାତୁଣୀ ହୋଇ ରହିଲେ ତୁମର କିଛି ପ୍ରତିବାଦ ଅଛି କି ? ଏହା ଭିତରେ କେତେ ବର୍ଷ ବିତିଯାଇଛି । ନିଜ ସ୍ମୃତି ରୋମନ୍ଥନରେ ବିଭୋର ଥିବା ବେଳେ ପିଲାଟି ପକୋଡି ଆଣି ରଖି କହିଲା - ମେମ୍ ସାହେବ ! ଛଣା ମରିଚ ଦେବି କି ? ମନା କଲି ନାହିଁ। ପକୋଡି ଖାଇସାରିଲି । ଚା ପିଇ ସାରି ଗ୍ଲାସ ରଖି ଯିବାକୁ ପ୍ରସ୍ତୁତ ହେଲି । ଚେୟାର ଘୁଞ୍ଚାଇବାର ଶଦ୍ଦରେ ଲୋକଟି ବୁଲିପଡ଼ି ମୋତେ ଚାହିଁଲା । ମୋ ଦୃଷ୍ଟି ଗୋଚର ହେବା ମାତ୍ରକେ ମୁଁ ସ୍ଥିର ହୋଇଗଲି । ମନେ ହେଲା ସମଗ୍ର ବାୟୁମଣ୍ଡଳ ସ୍ଥିର । ଆକାଶ ଆହୁରି ଶୂନ୍ଯ । ପାଦତଳର ମାଟି ଠାରୁ ମୁଁ ବହୁ ଉଚ୍ଚରେ ଝୁଲୁଛି। ସମଗ୍ର ପୃଥିବୀ ଏବେ ନିସ୍ତବ୍ଧ। ନିଜକୁ ସମ୍ଭାଳି ନେବାର ସେ ମୁହୂର୍ତ୍ତଟି ମରଣାନ୍ତକ ଥିବାପରି ଅନୁଭବ କଲି। ବୁଲି ପଡି ଚାହୁଁଥିବା ଲୋକଟି ତନ୍ମୟ। କ୍ଷଣିକ ମଧ୍ୟରେ ମୋର ଅତୀତ ଓ ଅସ୍ଥିତ୍ବ ରୋକି ନେଲି । ମୁଁ ତାଙ୍କ ପାଖକୁ ଅଜାଣତରେ ଚାଲିଗଲି । ପ୍ରଶ୍ନ କଲି ମୋତେ ଚିହ୍ନି ପାରୁଛ ? ସେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହୁଁଥାନ୍ତି । ମୁଁ ସେହି ତନୁଶ୍ରୀ ? ମୋ କଣ୍ଠରେ ତାତ୍ସଲ୍ୟ ଫୁଟି ଉଠୁଥାଏ । ଓଃ ହଁ ହଁ ବସନ୍ତୁ ଚା ପିଇବା। କେତେ ବଦଳି ଯାଇଛନ୍ତି। ମୁଁ ବସିଲି। ଚା' ପିଇବାକୁ ନୁହେଁ ବରଂ ଅତୀତର ହିସାବ କିତାବ ପାଇଁ ଆଜିର ବର୍ତ୍ତମାନର ପୃଷ୍ଠାରେ । ତାଙ୍କର ମୁହଁକୁ ଦେଖୁଥାଏ । ଅନେକ ଦିନ ହେଲା ଦାଢି ଗୁଡିକ ବଢି କରି ଅଛି। ଆଖି ଦୁଇଟି ବିବର୍ଣ୍ଣ ଦିଶୁଛି। ସେ ଶରୀର ଆଉ ନାହିଁ । କେଶ ଗୁଡିକ ଧଳା ହୋଇଗଲାଣି। ସମଗ୍ର ଶରୀର ପାଣ୍ଡୁର ଅବସନ୍ନ। କେଉଁଠି ଥିଲ ଏତେ ଦିନ ? ନିରବତା ଭଙ୍ଗକରି ସେ ଗତାନୁଗତିକ ଭାବରେ ପ୍ରଶ୍ନ କଲେ ? ଯେଉଁଠି ଥାଏ ନା କାହିଁକି ? ତୁମ ଜୀବନ ପରିଧିରେ ନ ଥିଲି କିମ୍ବା ଏବେ ବି ନାହିଁ । ତନୁଶ୍ରୀ କଣ୍ଠରେ ବ୍ୟଙ୍ଗ ଭରା ବଚନ। ଓଃ ପୁରୁଣା କଥାକୁ ମନେ ରଖିଛ ? ପୁରୁଣା କେଉଁଟା ? ସମୟ ଅତିକ୍ରାନ୍ତ ହେଲେ ଭାବୁଛ କି ଛାତି ତଳର କ୍ଷତ ଚିହ୍ନ ଲିଭି ଯାଇଛି ? ଅତୀତ ମଣିଷର ବଡ ପରିଚୟ । ଆଜି ଭଗବାନଙ୍କ ଆଶୀର୍ବାଦରୁ ମୋର ଅପରିର୍ଯ୍ୟାପ୍ତ ଧନସମ୍ପତ୍ତି, ସାମାଜିକ ପ୍ରତିଷ୍ଠା ଓ ଆଭିଜାତ୍ୟ। ସବୁକଥା କହି ସାରିବା ପରେ ପଚାରିଲି ଏବେ କ'ଣ କରୁଛ ? ମୋର କଥା ନ ପଚାରିବା ଭଲ । ତୁମେ ଭଲରେ ଥିବା ଶୁଣି ଖୁସି ହେଲି। କେବେ ଆଶା କରି ନ ଥିଲି ତୁମ ସହିତ ଏ ଅଭାଗାର ଆଉ ସାକ୍ଷାତ ହେବ। ଜୀବନର ଶେଷ ମୁହୂର୍ତ୍ତରେ ଏ ପାପିଷ୍ଠକୁ କ୍ଷମା କରି ଦେବ ବୋଲି ଆଶା । ଦୁଇଜଣଙ୍କ ଆଖିରୁ ଅଜାଣତରେ ଲୁହ ଝରି ଯାଉଛି । ଏଠାରେ ଅହଂକାର ଗର୍ବ ପ୍ରତିପତ୍ତି କ୍ଷମତା ଚୁରମାର ହୋଇ ଯାଉଛି । କିଏ କାହାକୁ କେମିତି ଭାବରେ ବୁଝାଇବ, ଭାବିବାର ଅବକାଶ କିମ୍ବା ସେ ପରିବେଶ ଆଉ ନାହିଁ । ତଥାପି ତନୁଶ୍ରୀ କହିଲା କେଉଁଠିକୁ ଯିବାକୁ ଇଛା କରୁଛନ୍ତି ? ମୁଁ ଛାଡିଦେଇ ଯିବି ? ଉତ୍ତର ଦେଲେ ଅଶ୍ବିନୀ କିଡନୀ ହସ୍ପିଟାଲକୁ। ହଁ ମୁଁ ତ ସେଇ ରାସ୍ତା ଦେଇ ଯିବି । ଯଦି ଇଛା କରୁଅଛ ମୋ ସାଥିରେ ଆସିପାର ? ସେ ଅନିଛା ପ୍ରକାଶ ନ କରି ଗାଡିରେ ବସି ପଡିଲେ। ଭାବୁଥିଲି ମୋର ନିରାସକ୍ତତାକୁ ନିବୃତ୍ତ କରି ସେ ମୋର ସହଯାତ୍ରୀ ହେଲେ । ଯିଏ କି ମୋର ଅତୀତରେ ଗଭୀର କ୍ଷତାକ୍ତ ଦାଗ ଆଙ୍କି ଦେଇଛନ୍ତି । ପ୍ରତିମୁହୂର୍ତ୍ତରେ ମୋତେ ଲଜ୍ଜିତ ଓ ଉପହାସିତ କରିଛି ସମାଜ । ଗାଡିଟି ମେଡିକାଲ ସାମ୍ନାରେ ଅଟକିଗଲା । ସେ ତଳକୁ ଓହ୍ଲାଇ ଗଲେ । ମୁଁ ପଚାରିଲି ଏଠାରେ କାହାକୁ ଦେଖା କରିବାକୁ ଆସିଛନ୍ତି ? ସେ ମ୍ଳାନ ହସି କହିଲେ - କାହାକୁ ଆଉ ! ନିଜ ସହ ନିଜକୁ ଦେଖା କରିବାର ପାଳି ମୋର । ମୁହଁକୁ ରୁମାଲରେ ପୋଛି କହିଲେ ! ମାସେ ହେଲା ଏଠାରେ ଆଡମିଟ୍ ହୋଇଛି । ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି। ଜାଣେନା ଆସନ୍ତା କାଲିର ସୂର୍ଯ୍ୟ ଉଦୟ ଦେଖିବା ପାଇଁ ମୋ ଭାଗ୍ୟରେ ଅଛି କି ନାହିଁ ? ଏତକ କହି ସେ ଭିତରକୁ ଚାଲିଗଲେ । ଅବସନ୍ନ ପଦପାତରେ ଜୀବନ ପ୍ରଦୀପର ନଷ୍ଟ ସମୟକୁ ବାରି ପାରୁଥିଲି । ମେଡିକାଲର କାଉଣ୍ଟରରେ ଯାଇ ପଚାରିଲି ? ସେ କହିଲେ - ଆପଣ କ'ଣ ତାଙ୍କର ସମ୍ପର୍କୀୟ ? ହଁ ଭରିଲି । ସେ କହିଲେ - ଆପଣମାନେ କେତେ ଦାୟିତ୍ବହୀନ । ଲୋକଟି ଜୀବନ ମୃତ୍ୟୁର ସନ୍ଧିକ୍ଷଣରେ । ଅର୍ଥ ଅଭାବରୁ ଅପରେସନ୍ ହୋଇପାରୁନାହିଁ। ପଚାରିଲି - କେତେ ଅର୍ଥ ? ପାଞ୍ଚ ଲକ୍ଷ । ଭେନିଟ୍ ବ୍ୟାଗ୍ ରୁ ଚେକ୍ ବୁକ୍ କାଢି ପାଞ୍ଚ ଲକ୍ଷ ଟଙ୍କାର ଚେକ୍ ଟେ ବଢାଇ ଦେଲି । କହିଲି ଆଉ ଯଦି କ'ଣ ଦରକାର ଏହି ଫୋନ୍ ନମ୍ବରରେ ଫୋନ୍ କରିବେ । କହି ସିଧା ଗାଡିରେ ବସିଗଲି । ସନ୍ଧ୍ୟାର କାକକୃଷ୍ଣ କବରୀ ସେତେବେଳକୁ ପିଠିପଡିଥିଲା ସିଟ୍ ରେ । ଗାଡିର ଗତି ବଢ଼ିଚାଲିଥିଲା। ମୋତେ ଲାଗୁଥିଲା ମୋର ସେ ସମ୍ପର୍କ ପ୍ରେମର ନା ଘୃଣାର, ନା ପ୍ରତିଶୋଧର । ମୁଁ ଭାବି ହେଉଥିଲି ବୋଧହୁଏ ମୋର ସେ ସମ୍ପର୍କ ମାନବିକତାର ।


Rate this content
Log in

Similar oriya story from Romance