ଧର୍ମ
ଧର୍ମ




ଦିପୁନ ମନ ବହୁତ ଖୁସି ଆଜି ଫେରୁଛି ସେ ମୁମ୍ବାଇରୁ ଛୋଟ ହେଲେ ମଧ୍ୟ ଚାକିରି ଖଣ୍ଡେ ତ ମିଳିଗଲା ନା ଆଜିକାଲି ଚାକିରି ପାଇବା ଯାହା କଷ୍ଟକର ବ୍ୟାପାର ଖାସ୍ କରି ଏ ଉଚ୍ଚଜାତିର ପିଲାଙ୍କ ପାଇଁ ଓଃ ଏକ ବୋଝ ଉତରିଗଲା
ଅରିଫାନକୁ ନେଇ ସେ ଯେଉଁ ସ୍ବପ୍ନ ଦେଖିଥିଲା ଏଥର ଗୋଟି ଗୋଟି କରି ସବୁ ସତ ହୋଇଯିବ ଦୀର୍ଘ ଛଅ ବର୍ଷର ପ୍ରତୀକ୍ଷା ଆଉ ଅଳ୍ପ ସମୟ ପରେ ସମାପ୍ତ ହୋଇଯିବ । ଆଜି ଆକାଶଟା ଭାରି ସୁନ୍ଦର ଦେଖା ଯାଉଥିଲା । ସତେ ଯେପରି ଅରିଫାନର ମୁହଁଟା ଆକାଶରେ ଆଙ୍କି ହୋଇଯାଉଥିଲା। କେହି ନ ଦେଖି ପାରିଲା ପରି ଦୂର ଦିଗବଳୟକୁ ଏକ ଫ୍ଲାଇଙ୍ଗ କିସ୍ ଦେଇଦେଲା ଦୀପୁନ ଅଜଣା ପୁଲକରେ ତା ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା
ସ୍ବପ୍ନ ନାୟିକା ମନ ପଡିଲେ ଏଇୟା ହିଁ ହୁଏ ନା ଆଜିକୁ ଠିକ୍ ଛ ବର୍ଷ ତଳେ ଦୁଇଜଣଙ୍କର ଦେଖା ହୋଇଥିଲା କଲେଜ କ୍ୟାମ୍ପସ ରେ। ନୂଆ କଲେଜ ସାଙ୍ଗକୁ ନୂତନ ପ୍ରୀତି କି ଅପୂର୍ବ ସଂଯୋଗ ପ୍ରଥମ ଦେଖାରୁ ଅତି ଆପଣାର ଲାଗି ଆସିଥିଲା ଅରିଫାନ କେଜାଣି କଣ ଆକର୍ଷଣ ଥିଲା ସେ ଆଖି ଦୁଇଟିରେ ଦିପୂନ ନିଜକୁ ଭୁଲି ଯାଇଥିଲା ସେ ଚାହାଣୀରେ। କଥାବାର୍ତ୍ତା ହେଉ ହେଉ କେତେବେଳେ ଅରିଫାନ ତା ମନ ପ୍ରାଣରେ ନିଜ ଆଧିପତ୍ୟ ବିସ୍ତାର କରି ଦେଇଥିଲା କେହି ଜାଣି ପାରିଲେନି
ଅରିଫାନ ପାଇଁ ଦିପୂନ୍ ପାଗଳ ପ୍ରାୟ ହେଉଥିଲା । ଘରେ ବାହାରେ ଶୟନେ ସ୍ୱପ୍ନେ ଜାଗରଣେ କେବଳ ଅରିଫାନ ହିଁ ଅରିଫାନ ଭାରି ରହିଥିଲା। ତାକୁ ନିଜର କରିବା ପାଇଁ ବଦ୍ଧ ପରିକର ଥିବା ଦିପୁନ ଧୀରେ ଧୀରେ ଅଭ୍ୟାସ କରୁଥିଲା ଉର୍ଦ୍ଦୁ ଶିଖିବା ପାଇଁ। ଦିନକୁ ପାଞ୍ଚ ଥର ନମାଜ ପଢିବା ପାଇଁ ଆଉ ନିଜକୁ ବଦଳାଇ ସଲମାନ୍ କରି ଦେବା ପାଇଁ
ପ୍ରାଣପ୍ରୀୟା ଅରୀଫାନ ନିଜକୁ କେବେ ବଦଳାଇବା ଆବଶ୍ୟକ ନୁହେଁ। ନାରୀ ବୋଲି କଣ ସବୁ ତ୍ୟାଗ କେବଳ ସେ କରିବ ନା ନା..ଏଥର ନିୟମ ବଦଳିବ। ପ୍ରେମର ସାର୍ଥକତା ପାଇଁ ଦିପୁନ ସଲମାନ୍ ନାମ ନେଇ ଧର୍ମ ପରିବର୍ତ୍ତନ କରିବ ଓ ଏକ ନୂଆ ଜୀବନ ଆରମ୍ଭ କରିବ ଅରିଫାନ ତା ମା ବାପାଙ୍କ ବଡ଼ ଝିଅ ତା ତଳେ ପୁଣି ତାର ଏକ ଭଉଣୀ ଅଛି । ତେଣୁ ନିଜ ଘରର ଏକ ମାତ୍ର ପୁତ୍ର ହୋଇ ମଧ୍ୟ ମନ ଦୃଢ଼ କରିଥିଲା ଦିପୁନ ନିଜେ ଅରୀଫାନ ବାପାଙ୍କ ପୁଅ ହୋଇ ରହିବ ଆଉ ନିଜ ଜୀବନକୁ ଟେକି ଦେବ ନିଜ ପ୍ରେମ ହାତରେ
ପ୍ରେମନିଶା ଥରେ ଲାଗିଲେ ମଣିଷକୁ ଆଉ କିଛି ନିଶା ଭଲ ଲାଗେନାହିଁ ଦିନରାତି ଏଇ ଅମାନିଆ ନିଶାରେ ଚୁର ହୋଇ ରହି ପଢ଼ାପଢ଼ି ନ କରି ପରୀକ୍ଷାରେ ଖରାପ ପରିଣାମ ଆଣିବାରେ ଦିପୁନ କଣ ପ୍ରଥମ ବ୍ୟକ୍ତି ଥିଲା କି?
ଅରିଫାନର ପସନ୍ଦ ଅନୁସାରେ ଦିପୁନ ଆଜିକାଲି ଛେଳିମାଂସ ଭକ୍ଷଣ କରୁଛି । ଅବଶ୍ୟ ପୂର୍ବରୁ ସେ ଆମିଷ ନାମ ଶୁଣିଲେ ବାନ୍ତି ଆସେ କହୁଥିଲା । ହଁ..ଏସବୁ ପ୍ରେମର କରାମତି..ଏଇ ପ୍ରେମ ଟିକକ ପାଇଁ ତ ଦିପୁନ ଦୂରେଇ ଯାଇଛି ତା ପରିବାର ଠାରୁ। ତା ପସନ୍ଦର ବିଷୟବସ୍ତୁ ଠାରୁ। ତା ଜୀବନର ଲକ୍ଷ୍ୟ ଠାରୁ ତା ଧର୍ମରୁ..ଯେଉଁ ଧର୍ମ ତାକୁ କେବେ ପୁତ୍ର କେବେ ଭାଇ କିମ୍ବା କେବେ ପୁତୁରା..ନାତି..କି ବନ୍ଧୁ ସଜେଇଥିଲା..।ତାର ପ୍ରତ୍ୟେକ ମୁହୂର୍ତ୍ତ ଥିଲା ଅରିଫାନ ପାଇଁ ସମର୍ପିତ..ସେ ହିଁ ତା ଦେବଦୁତ..ତା ବର୍ତ୍ତମାନ..ତା ଭବିଷ୍ୟତ
ସାଙ୍ଗ ମାନଙ୍କ ଟାହି ଟାପରା କି ଘରେ ବାହାରେ କାହାରି ଯୁକ୍ତି ଆକଟ କିଛି ଦିପୁନକୁ ଅଟକାଇ ପାରି ନ ଥିଲା। କିନ୍ତୁ ପଢା ବ୍ୟାଘାତ ନିଶ୍ଚୟ ହେଉଥିଲା. ପ୍ରେମାନ୍ଧ ଦିପୁନ କିନ୍ତୁ ଏ ନେଇ କିଛି ଚିନ୍ତା କରୁନଥିଲା..ଯେଉଁ ଦିନ ତା ମା ହୃଦଘାତର ଶିକାର ହୋଇ ହସ୍ପିଟାଲ୍ ଯାଇଥିଲେ ସେ ସମୟରେ ଅରିଫାନର ପାଦରେ କଣ୍ଟା ଫୋଡି ହେବା କାରଣରୁ ସେ ମନ ଦୁଃଖରେ ବସିଥିଲା ଓ ଦିପୁନ ତା ପାଖରେ ବସି ତା ପାଦ ଆଉଁସୁଥିଲା ଅରିଫାନକୁ ନିଜର କରିବା ସିଦ୍ଧାନ୍ତ ନେବା ଯୋଗୁଁ ଏ ଘଟଣାର କିଛି ଦିନ ପରେ ଦିପୁନ୍ ତା ଘର ସବୁ ଦିନ ପାଇଁ ଛାଡ଼ି ଦେଇଥିଲା..ମୁଣ୍ଡ ପିଟି କାନ୍ଦୁଥିବା ମା ଆଉ ମୁହଁ ତଳକୁ କରି ବସି ରହିଥିବା ବାପା..ଭଲ ପାଉଥିବା ସବୁ ବନ୍ଧୁ ବାନ୍ଧବ.. ବଂଶ ପରମ୍ପରା..ଆବେଗ.. ସ୍ନେହ..ସବୁ କିଛି ପଛରେ ରହି ଯାଇଥିଲେ।।
ସମୟ ସ୍ରୋତରେ ବହି ଯାଉ ଯାଉ ପଢ଼ାପଢ଼ି ସରି ଯାଇଥିଲେ ମଧ୍ୟ ଦିପୁନକୁ ମନ ପସନ୍ଦର ଚାକିରି ଖଣ୍ଡେ ମିଳିପାରି ନ ଥିଲା। ପିଲାଟି ଦିନରୁ ଅତ୍ୟନ୍ତ ଉଚ୍ଚାଭିଲାଷ ରଖିଥିବା ଦିପୁନ ଶୂନ୍ୟ ହସ୍ତରେ ଜଣେ ସାଙ୍ଗର ମାମୁଁଙ୍କ ସହାୟତା ଖୋଜି ମୁମ୍ବାଇ ଆସି ଯାଇଥିଲା କର୍ମ ସନ୍ଧାନରେ.. । ଅରିଫାନ ଆଉ ସେ ସେଦିନ ଶପଥ ନେଇଥିଲେ ଚାକିରି ମିଳିବା ମାତ୍ରେ ଦୁହେଁ ବିବାହ କରିବେ ଆଉ ଆଜି ସେ ଶୁଭ ଦିନ ଶେଷରେ ଆସି ଯାଇଛି
ଟ୍ରେନ ଷ୍ଟେସନରେ ପହଞ୍ଚିବା ମାତ୍ରେ ଦିପୁନର ମନ ନାଚି ଉଠିଲା। ତିନି ମାସ ହେଲା ସେ ମୁମ୍ବାଇ ଯାଇଛି ଆଉ ସେଠାରୁ ସେମାନେ ଟିକେ ଭଲ ରୂପେ କଥା ହୋଇ ପାରି ନାହାଁନ୍ତି.. ଅରିଫାନକୁ ଯାଇ ଦେଖା କରି ସେ ତାଙ୍କ ଘରକୁ ଯିବ..। ତା ହାତ ଧରି ନିଜ ପ୍ରେମ ଧର୍ମ ନିଭେଇବ..। ସେ ସବୁ ବ୍ୟବସ୍ଥା କରି ଆସିଛି..ଏହା ଭାବି ଭାବି ଆଗକୁ ଚାହିଁଲା ବେଳେ ସାମ୍ନାରେ ଅରିଫାନକୁ ଦେଖି ଦିପୁନ ନିଜ ଆଖିକୁ ବିଶ୍ୱାସ କରିପାରୁ ନ ଥିଲା..ଏହା ତା ସ୍ବପ୍ନ ନୁହେଁ ତ ଆଖି ମଳି ପୁଣି ଚାହିଁଲା..ନା..ସତରେ ତା ମନର ମଲ୍ଲିକା ଅରିଫାନ ଆସିଛି "ଅରୁ"..ଆବେଗରେ ଡାକି ଉଠିଲା ଦିପୁନ..ପକେଟରୁ ଖୁସିରେ ବାହାର କରି ଦେଖାଇଲା ଦିପୁନ..ନିଜ ଧର୍ମ ଓ ନାମ ପରିବର୍ତ୍ତନ କରି ସଦ୍ୟ କରାଇ ଆଣିଥିବା ଆଫିଡେଭିଟକୁ..
"ସଲ୍ଲୁ"..(ନାମ ପରିବର୍ତ୍ତନ ପରେ ସଲମାନ୍ ହେବ ବୋଲି ଅରିଫାନ୍ ଦିପୁନକୁ ଏପରି ଡାକେ)
ଆଗେଇ ଆସିଲା ଅରିଫାନ ଆଉ କିଛି ଦୂରରେ ରହି ସେ କାଗଜକୁ ଦେଖି କହିଲା.."ଇଟ ଇଜ ଓକେ କିନ୍ତୁ କାଲି ଅହମଦ ସଙ୍ଗେ ମୋ ନିକାହ ଅଛି। ଆବ୍ବା କହିଛନ୍ତି ମୁଁ ତାଙ୍କ ଗୁରୁର..। ଖାନଦାନ ର ଇଜତ..। ଆମେ ପିଲା ଥିଲା ବେଳେ ଆମର ରିସ୍ତା ପକ୍କା ହୋଇ ସାରିଛି। ଅହମଦଙ୍କ ସାନ ଭାଇ ଅସଲମ ସହିତ ଆଉ ଦୁଇ ବର୍ଷ ପରେ ମୋ ସାନ ଭଉଣୀର ବି ନିକାହ ହେବ..ତୁମେ କାଳେ ଘରକୁ ଆସିଯିବ ତେଣୁ ମୁଁ ଆଗରୁ ଜଣେଇ ଦେବାକୁ ଆସିଲି..। ଯାହା ସବୁ ହୋଇଛି ତାକୁ ଭୁଲି ଯିବ ପ୍ଲିଜ..ମୋ ବିଶ୍ୱାସ ମୋ ଦୁନିଆକୁ ତୁମେ କେବେ ମଧ୍ୟ ଆସିବନି..ଟେକ୍ କ୍ୟାର ସଲ୍ଲୁ.. ଆଇ ୱିଲ୍ ମିସ୍ ୟୁ.."
କଣ କହିବ କଣ କରିବ କିଛି ବୁଝି ପାରୁନଥିବା ଦିପୁନ ଅସ୍ପଷ୍ଟ ଭାବରେ ବୋଧେ କହିଦେଲା.."ଏସବୁ କଣ ଅରୁ
"ମୋ ବେଟି ହେବାର ଫର୍ଜ..ଧର୍ମ..କର୍ତ୍ତବ୍ୟ କେବଳ ମୁଁ ନିଭାଉଛି.." କହି ପଛକୁ ନ ଚାହିଁ ଆଗକୁ ଚାଲି ଯାଉଥିଲା ଦିପୁନର ଦେବଡ଼ୁତ..ତା ସ୍ବପ୍ନର ମଲ୍ଲିକା..ତା ବର୍ତ୍ତମାନ..ତା ଭବିଷ୍ୟତ..
ଆଉ..ଆଉ..ତା ଅତୀତ..?ଦିପୁନ କୁମାର ଶର୍ମାରୁ ସଲମାନ୍ ହୋଇ କରାଇଥିବା ଆଫିଡେଭିଟଟି ଅଜାଣତରେ ତା ହାତରୁ ଖସି ଛେଉଣ୍ଡ ପରି ତଳେ ପଡିଥିଲା..