ଧକ୍କା
ଧକ୍କା


ହଠାତ୍ ଇଶାନ ଭାଇ ମୋତେ ଏକୁଟିଆ ଦେଖି ମୋ ହାତ ଟାଣି ଧରିଲେ ଏବଂ କହିଲେ ସୁକନ୍ୟା ଶୁଣ୍;ତୁ ଆମ କିଷାନ ସଙ୍ଗେ ପଡୁଛୁ?ତୋର ଦଶମ ହେଲା ନା। ବହୁତ ଭଲ କୁଆଡେ ପଢ଼ୁଛୁ?କ୍ଲାସରେ ଫାଷ୍ଟ ହେଉଛୁ?ଭଲ।ମନ ଦେଇ ଏମିତି ପଢିଲେ ଦିନେ ତୋର ଭବିଷ୍ୟତ ଉଜ୍ଜ୍ୱଳ ହେବ।ମୋ ହାତ ତାଙ୍କ ହାତ ମୁଠାରୁ ମୁକୁଳିବାକୁ ଅସ୍ଥିର ହେଉଥିଲା।
ମୁଁ ଏପରି ଅଚାନକ ପରିସ୍ଥିତିରେ ହଡ଼ବଡେଇ ଯାଇ ମୋ ହାତ ତାଙ୍କ ହାତରୁ ଟାଣି ଆଣି ଏକମୁହାଁ ଧଇଁ ସଇଁ ହୋଇ ଦୌଡ଼ିଲି ଘରକୁ।ଛାତି ପଡୁଥିଲା ଧାଉଁ ଧାଉଁ।
ମା ପଚାରିଲା କ'ଣ ହେଲା?କିଲି ବିଲି ହୋଇ ଦୌଡୁଛୁ?
ମୁଁ କଥା କହି ପାରୁ ନଥାଏ।ତଣ୍ଟି ଶୁଖିଯାଉଥାଏ।ଭୟ ଓ ଲାଜରେ କହିଲି ନାଇଁ ମା ଲିଲି ମୋ ସାଙ୍ଗ ଘୋଷରୁଥିଲା ତାଙ୍କ ଘରେ ଖାଇବାକୁ।ସେ ଜବରଦସ୍ତ କଲାରୁ ତା ହାବୁଡ଼ରୁ ଖସି ଆସିବାକୁ ମାରିଲି ଡିଆଁ।
ଖାଇବାକୁ,କିନ୍ତୁ କାହିଁକି??
ତାଙ୍କ ଘରେ ଆଜି ଶ୍ରାଦ୍ଧ।ତାଙ୍କର ଆମର କଳି ହୋଇଛି ନା।ତୁ ତ ମନା କରିଥିଲୁ ତା ସଙ୍ଗେ ସାଙ୍ଗ ନ ହେବାକୁ।ଖାଇବାକୁ କେମିତି ଯାଇ ଥାଆନ୍ତି??
ଓହୋ।ତା ବୋଲି ଏମିତି ଦୌଡ଼ିବୁ!!ପଡି ଯାଇଥାନ୍ତୁ ଯଦି.....
ହେଲେ ମା କୁ କାହିଁକି ମିଛ କହିଲି??ମୋ ପାଟିରୁ ଏପରି ମିଛ କଥା ବାହାରିଲା କାହିଁକି?ଅବଶ୍ୟ ଲିଲି ଘରେ ଆଜି ଶ୍ରାଦ୍ଧ।କିନ୍ତୁ ସେ ତ ମୋତେ ଖାଇବାକୁ ଡାକି ନଥିଲା!!
ସତ କଥାଟା କହିବାକୁ କିଏ ମୋତେ ଅଟକାଇଲା?ମୁଁ ଆଶ୍ଚର୍ଯ୍ୟ ହେଲି।ନିଜେ ନିଜ ପାଖରେ ଏଇ ପ୍ରଥମ ଥର ଅଚିହ୍ନା ଲାଗିଲି।ମୁଁ ତ ମିଛ ପସନ୍ଦ କରେନି।ମିଛ କହିଲି କାହିଁକି?କାହିଁକି କହି ପାରିଲି ନାହିଁ ଇଶାନ ଭାଇ ମୋତେ ଏକୁଟିଆ ଦେଖି ମୋ ହାତ ଟାଣି ଧରି କ'ଣ କହିଲେ!!
ତାପରେ ଯେବେ ଇଶାନ ଭାଇ ସହ ଦେଖା ହେଲା ମୋ ଛାତି ଭୟରେ ପଡିଲା ଉଠିଲା।ଇଶାନ ଭାଇ କିନ୍ତୁ ମୂର୍କି ମୂର୍କି ହସିଲେ।
ମୋତେ ରାଗ ହେଲା।ଇଶାନ ଭାଇ ସହରରେ ରୁହେ।ସେ କୁଆଡେ ବହୁତ ପଢ଼ିଛନ୍ତି।ସେ ଏବେ ଗୋଟେ ବଡ଼ ପୋଷ୍ଟ ରେ ଚାକିରି କରିବେ।ସମସ୍ତେ କୁହନ୍ତି ସେ କାଳେ ଭାରି ସୁଧାର ପିଲା।ପାଠ ଭଲ ତ ସେ ଭଲ।ସେଇଥି ପାଇଁ ତ ସତେଇଶି ବର୍ଷ ନ ହେଉଣୁ ଗୋଟେ ବଡ଼ ଅଫିସର ହେବେ।କିନ୍ତୁ ତା ସହ ଏମିତି କାହିଁକି କଲେ! ଯାହା ପଚାରିଲେ ଭଲ କଥା।କିନ୍ତୁ ଆମ ଘରକୁ ଆସି କହି ପାରିଥାଆନ୍ତେ।ସମସ୍ତେ ଥିଲା ବେଳେ କହି ପାରିଥାନ୍ତେ।କିନ୍ତୁ ଏକୁଟିଆ ବେଳେ ପଚାରିବାଟା ଭଲ ହେଲା ନାହିଁ। ଏହା ପରେ ସେ କ'ଣ ସମସ୍ତଙ୍କ ପରି କହିବକି ଇଶାନ ଭାଇ ଗୋଟେ ଭଲ ପିଲା!!
ଇଶାନ ଭାଇ ଟ୍ରେନିଂ ନେଇ ଆସଛନ୍ତି ଘରକୁ।ତା ଭାଇ କିଷାନ ମୋ ସାଙ୍ଗ ଏକଥା କହୁଥିଲା କି ତା ଇଶାନ ଭାଇ ଆଉ ଆଠ ଦିନ ପରେ ଚାକିରୀରେ ଯୋଗ ଦେବାକୁ ଯିବ ଗୋଆ।କିଷାନ ଓ ମୋର ଏବର୍ଷ ଦଶମ ଶ୍ରେଣୀ।
ଏହା ଭିତରେ ଜାଣି ଜାଣି ଇଶାନ ଭାଇ ମୋ ସାମାନା କୁ ଆସିଛନ୍ତି ବାରମ୍ବାର।ଯେତେ ଥର ଦେଖିଛି ତାଙ୍କୁ ମୋ ଛାତି ପଡିଛି ଦମ୍ ଦମ୍।ମୁଣ୍ଡ ତଳକୁ ହୋଇଯାଇଛି
ଆପେ ଆପେ।ଘରୁ ବାହାରକୁ ବାହାରିବାକୁ କି ସ୍କୁଲ ଯିବାକୁ ମୋତେ ଡର ଲାଗିଛି ଖୁବ୍।ମୁଁ ଦିନ ଗଣୁଥିଲି କେଉଁ ଦିନ ଆଠ ଦିନ ପୁରିବ ଓ ଇଶାନ ଭାଇ ଗାଁରୁ ଯିବ।
କିନ୍ତୁ ଆଶ୍ଚର୍ଯ୍ୟ!!ଇଶାନ ଭାଇ ତାଙ୍କ ଚାକିରିରେ ଯୋଗ ଦେବାକୁ ଗଲା ପରେ ସେ ମୋର କାହିଁକି ବେଶୀ ବେଶୀ ମନ ପଡିଲେ।ବହି ଖୋଲିଲେ ତାଙ୍କ ମୁହଁ ଦେଖା ଗଲା।ମୁଁ ଆଖି ବୁଜି ଇଶାନ ଭାଇଙ୍କୁ ମନେ ପକାଇବାରେ ଏକ ଅହେତୁକ ଆନନ୍ଦ ଅନୁଭବ କଲି। ସବୁବେଳେ ଅନ୍ୟ ମନସ୍କ ହେଲି।ପାଠରେ ମନ ଲାଗିଲା ନାହିଁ।ଫଳତଃ ନବମ ଶ୍ରେଣୀ ଶେଷ ପରୀକ୍ଷା ଖରାପ ହେଲା।
କିଷାନ ମୋର ଭାରି ଭଲ ସାଙ୍ଗ।ତାକୁ ପଚାରିଲି "ତୁ ଜାଣିଛୁ କି ବାରମ୍ବାର କେହି ମନେ ପଡେ କାହିଁକି?କାହିଁକି ଜଣକ କଥା ମନେ ପକାଇବାକୁ ଭଲ ଲାଗେ?ଡରୁଥିବା ଲୋକଟି ଆସ୍ତେ ଆସ୍ତେ କାହିଁକି ଆପାଣାର ହୋଇଯାଏ?ତାର ଅନୁପସ୍ଥିତ କଣ ପାଇଁ ବ୍ୟସ୍ତ କରି। ପକାଏ?
କିଷାନ ତା ଭାଇ ପରି ମୂର୍କି ହସିଲା।କାହିଁକି ତୁ କାହାକୁ ଭଲ ପାଉଛୁ ନ କ'ଣ? ଗୋଟେ ରହସ୍ୟମୟ ହସ ହସି ପଚାରିଲା।
ମୁଁ କଥାଟି ଗୋପନ ରଖି କହିଲି ଭଲ ପାଇବା...!
ତୁ କେମିତି ଜାଣିଲୁ?ତୋର କ'ଣ ଏମିତି ହେଉଛି ନା କ'ଣ?
ହଁ ହେ
ଉଛି ସେ ଟିକେ ଲାଜେଇ ଯାଇ କହିଲା।ଆଉ ମୋ ଇଶାନ ଭାଇ କହୁଥିଲା ଏଇ ତେରରୁ ଉଣେଇଶି ବର୍ଷ କୁଆଡେ ଟିନ୍ ଏଜ୍।ଏଇ ବୟସ ଭାରି ଖତରନାକ।ପ୍ରେମ ଫ୍ରେମ ଏଇ ବୟସରେ ବେଶୀ ହୋଇଥାଏ।
ଓହୋ ତୋ ଭାଇ ଆଉ କଣ କଣ କହିଥିଲା??
ମୋ ଭାଇ...!କହିଥିଲା ଏଇ ବୟସରେ ବେଶୀ ପୁଅଙ୍କୁ ଝିଅ ଓ ଝିଅଙ୍କୁ ପୁଅ ଭଲ ଲାଗନ୍ତି।ପାଖେ ପାଖେ ରହିବା,ମିଛି ମିଛିକା କଳି ଗୋଳ କରିବାକୁ ମନ କୁହେ।ଭଲ ଭଲ ପୋଷାକ,ହେୟାର୍ ଷ୍ଟାଇଲ କରି ହିରୋ ହେବାକୁ ଭିତରେ କେହି ଉସ୍କାଏ।ବହୁତ କିଛି ପରିବର୍ତ୍ତନ ଆସେ ଶରୀର ଓ ମନରେ।ସିନେମା ଦେଖିବାକୁ,ଗୀତ ଶୁଣିବାକୁ ଭଲ ଲାଗେ।
ତୋ ଭାଇ ଏସବୁ ତୋତେ କୁହେ??
ହଁ ମୋ ଭାଇ ବା ମୋର ସବୁଠାରୁ ଭଲ ସାଙ୍ଗ।ଦେଖୁନ ମୋ ନିଶ,ଦାଢ଼ି ଗଜୁରୁଲା ବେଳେ ମୁଁ କାନ୍ଦିଲି।ଭାରି ଅଖାଡୁଆ ଲାଗିଲା।କିନ୍ତୁ ମୋ ଭାଇ ବୁଝେଇ ଦେଲା ଏ ନିଶ ଦାଢ଼ି କୁଆଡେ ପୁଅ ପିଲାକୁ ପୁରୁଷ ପୁଅ କରିଦିଏ।ସେ ବଡ଼ ହେଲାଣି ବୋଲି ସୂଚେଇ ଦିଏ।ନିଶ ଦାଢ଼ି ନ ଉଠିଲେ ଲୋକେ ମାଇଚିଆ କହିବେ।ହଁ ପ୍ରଥମେ ପ୍ରଥମେ ଟିକେ ଲାଜ ଲାଗିବ।କିନ୍ତୁ ପରେ ବଡ଼ ହୋଇଗଲୁଣି ଭାବି ବହୁତ ଖୁସି ଲାଗିବ।ଏ କଥା ବି ମୋ ଇଶାନ ଭାଇ କହିଥିଲା।
ଆହୁରି ଗୋଟେ ଗୁପ୍ତ କଥା ବି ମୋର ମୋ ଭାଇ ଜାଣିଛି।
କ'ଣ?ମୁଁ ଆଗ୍ରହ ସହ ପଚାରିଲି।
ମୁଁ ଯାହାକୁ ଭଲ ପାଏ,ତା ନାଁ.......
ମୁଁ ମୁହଁରେ ହାତ ଦେଇ ହସି ଦେଲି ଫେଁ କିନା।ତୁ ପୁଣି ଭଲ ପାଇବା!!କାହାର ଗରଜ ନାହିଁ ତୋ ପରି ନିର୍ବୁଦ୍ଧିଆ ଟାକୁ ଭଲ ପାଇବ।ହଁ ତୋ ଭାଇକୁ ଯେ କେହି ଭଲ ପାଇ ପାରନ୍ତି।
କିଷାନ ମୁହଁ ଶୁଖିଗଲା।ମୁହଁ ଫୁଲେଇ କହିଲା ଯା ମୁଁ ତୋ ସାଙ୍ଗ ହେବି ନାହିଁ।କିଷାନ ମନ ଦୁଃଖ କରି ଚାଲିଗଲା।
ଇଶାନ ଭାଇ କିଷାନକୁ ଯାହା କହିଛନ୍ତି ପୁରା ଠିକ୍।ସତରେ ଭାରି ବଦମାସ ଏଇ ତେର ରୁ ଉଣେଇଶ ବର୍ଷ ବୟସ।ଦେଖୁନ ମୁଁ କେମିତି ମିଛ କହି ଶିଖିଲେଣି।ମୋତେ କେମିତି ଇଶାନ ଭାଇ ପୁରା ଗିଳି ପକେଇଛନ୍ତି।ବସିଲେ,ଉଠିଲେ,ଶୋଇଲେ,କି ପଢିଲେ ;ସବୁ କଥାରେ ଇଶାନ ଭାଇଙ୍କ ମୁହଁ ଦିଶୁଛି।
ବାବା ମୋ ନବମ ଶ୍ରେଣୀ ପରୀକ୍ଷା ଖରାପ ହେବାରୁ ସବୁ ବିଷୟରେ ଟିଉସନ ଦେଲେ।ଯେତେବେଳେ ଯାଏ ମୁଁ ପଢାରେ ବ୍ୟସ୍ତ ଥାଏ ଠିକ୍।ମାତ୍ର ଟିକେ ଫୁରୁସତ ପାଇଲେ ମୋ ଆଗରେ ଇଶାନ ଭାଇ ଠିଆ ହୋଇ ଯାଆନ୍ତି।ଚେଷ୍ଟା କରି ବି ମୁକୁଳି ପାରେନି ତାଙ୍କ ଭାବନାରୁ।ନିଜକୁ ବୁଝେଇଲି।ଇଶାନ ଭାଇଙ୍କୁ ଭଲ ପାଇବାକୁ ହେଲେ ଇଶାନ ଭାଇ ପରି ଭଲ ପଢିବାକୁ ପଡିବ।
ଏମିତିରେ ଦଶମ ପରୀକ୍ଷା ସରିଗଲା।ବାବା ମୋତେ ସମର କୋର୍ସରେ ନାଁ ଲେଖାଇଦେଲେ ଭୁବନେଶ୍ୱର ଆକାଶ କୋଚିଂ ସେଣ୍ଟରରେ।ସେଇଠି ଦିନେ ଇଶାନ ଭାଇ ସଙ୍ଗେ ଦେଖା ହୋଇଗଲା ଚକାଡୋଳା ଧାମ,ନୀଳାଦ୍ରି ବିହାର ଜଗନ୍ନାଥ ମନ୍ଦିରରେ।ତାଙ୍କୁ ଦେଖି ମୁଁ ବହୁତ ଖୁସି ହୋଇଗଲି।ସେ ମୋତେ ଦେଖି ମୋ ପାଖକୁ ଆସିଲେ ଓ ତାଙ୍କ ସାଙ୍ଗରେ ଥିବା ଝିଅକୁ ଦେଖାଇ କହିଲେ "ଦେଖ ଏ ସୁକନ୍ୟା।ଆମ ଗାଁ ଝିଅ।ଖୁବ୍ ଭଲ ପଢେ।ତୁମ ପସନ୍ଦ ହେଉଛି ନା"।ଝିଅଟି କହିଲା ଅତି ସୁନ୍ଦର ଝିଅଟି।ଗୋଟିଏ ଚାଉଳରେ ଗଢ଼ା।ଏପରି ଝିଅକୁ କେହି ବାରି ପାରେ...।
ତାଙ୍କ ମୁହଁରୁ ମୋ ପ୍ରଶଂସା ଶୁଣି ମୋତେ ଖୁବ୍ ଲାଜ ଲାଗୁଥାଏ।ଦୁଇ ଜଣଙ୍କ ପାଦ ଧୂଳି ନେଲି।
ଇଶାନ ଭାଇ କହିଲେ ଏଠି ଆକାଶରେ କୋଚିଂ ନେଉଛୁ ନା।ମନ ଦେଇ ପଢିବୁ।କଣ ହେବାକୁ ଇଚ୍ଛା ତୋର ସୁକନ୍ୟା?
ଡାକ୍ତର।ଥିଲା ମୋ ସଂକ୍ଷିପ୍ତ ଉତ୍ତର।କାରଣ ମୋ ଭିତରେ ଖୁ ଝଡ଼ ବହୁଥିଲା ଇଶାନ ଭାଇଙ୍କୁ ଦେଖି।ପୁଣି ମୋ ପ୍ରଶଂସା ତଥା ଭବିଷ୍ୟତ ପାଇଁ ଇଶାନ ଭାଇଙ୍କ ଜିଜ୍ଞାସା ବେଶୀ ଆମୋଦିତ କଲା।
ଇଶାନ ଭାଇ ଝିଅଟିକୁ କ'ଣ ନିମ୍ନ ସ୍ୱରରେ କ'ଣ କହି ହସି ଉଠିଲେ।
ଝିଅଟି ଖିଲି ଖିଲି ହସି କହିଦେଲା କିଷାନ ପୁଣି ଏତେ ସୁନ୍ଦର ଝିଅକୁ ଭଲ ପାଉଛି?ବାଃ ମାନିବାକୁ ପଡିବ କିଷାନର ଚଏସ୍।
ଝିଅଟି କଥା ଶୁଣି ମୁଁ ସିଧା ସିଧା ଆକାଶରୁ ଖସି ପଡିଲି ଓ ମୋର "ଧକ୍କା "ହେଲା ଗୋଟେ ଅବିଶ୍ୱାସ ପାହାଡରେ।
ତା ମାନେ......ଇଶାନ ଭାଇ ନୁହନ୍ତି!କି... ଷା... ନ...
ସେ ଧକ୍କା ପରଠାରୁ ମୋ ମୁଣ୍ଡରୁ ଭଲ ପାଇବା ଭୂତଟା ଛାଡ଼ିଗଲା।