ଚତୁର୍ଥ ସୁନ୍ଦରୀ
ଚତୁର୍ଥ ସୁନ୍ଦରୀ
ଝିଅଟି ପ୍ରାୟ ଅଧିକାଂଶ ସମୟରେ ଜୋର୍ ଜବରଦସ୍ତି ମୋ ଅଫିସ୍ ଚ୍ୟାମ୍ବର ଭିତକୁ ପ୍ରବେଶ କରେ । ଝିଅଟିଏ କହିବି, ନା ତାକୁ ମଧ୍ୟବୟସ୍କା ମହିଳା କହିବି – ଭାବିପାରୁନି! ତା କେଶବିନ୍ୟାଶରୁ ବେଶ ପୋଷାକ, ସୁଢଳ ଶରୀରକୁ ଦେଖିଲେ କିନ୍ତୁ ବେଶ୍ ଆଧୁନିକା ଭଳି ଜଣାଯାଏ । ପୁଣି ବହଳେ ମେକପ୍ କରା ମୁହଁ... । ସେ ଯାହା ହେଉ । ସିଏ କିନ୍ତୁ ଆସୁଥିଲା, ବ୍ୟାଙ୍କର ଜଣେ କଷ୍ଟମର ହିସାବରେ । ବିନା ଅନୁମତିରେ ମୋ ସାମ୍ନା ଚେୟାରରେ ବସିପଡ଼ି ବୁଲେଇ ବଙ୍କାଇ ଶହେ ପ୍ରଶ୍ନ ପଚାରୁଥିଲା । ସତେ ଯେମିତି... ସିଏ ମୋତେ ଜେରାକରୁଥିଲା! ଉତ୍ତର ପାଇ ଫେରିଯାଏ, ପୁଣି ପରଦିନ ଅନ୍ୟଗୁଡ଼ାଏ ପ୍ରଶ୍ନ ନେଇ ଆସୁଥିଲା ।
ଝିଅଟିର ଆଖିର ଇଙ୍ଗିତ, ଦେହର ଭାଷା ଓ ବ୍ୟବହାରରୁ ଜଣାଯାଉଥିଲା ସେ ଯେଉଁ କଥା କହିବାକୁ ଚାହୁଁଛି ତାହା କହିପାରୁନି । ସତେ ଯେମିତି ସେ ସେକଥା କହିବାକୁ ସାହାସ ଓ ମଉକା ଉଣ୍ଡୁଥିଲା! ସେଥିପାଇଁ ବାରମ୍ବାର ଆସୁଥିଲା – ମୋ ଚ୍ୟାମ୍ବର, ମୋ ସାମ୍ନାରେ ବସି ୟାଡ଼ୁ ସିୟାଡ଼ୁ ଅଦରକାରୀ ପ୍ରଶ୍ନ ପଚାରି ସୁଯୋଗ ଖୋଜୁଥିଲା ।
ଏମିତି ପ୍ରାୟ ସେ କିଛିଦିନ ଲଗାତର ଆସିଲା ।
ଝିଅଟି ବ୍ୟାଙ୍କ ଗେଟ୍ ଖୋଲି ଭିତରକୁ ପସିଲା ମାତ୍ରକେ ଅନ୍ୟାନ୍ୟ ସମସ୍ତ କର୍ମଚାରୀ, କ୍ୟାସିୟର ଠାରୁ ପିଅନ ସମସ୍ତେ ପରସ୍ପରକୁ ଚହାଁଚୁହିଁ ହୁଅନ୍ତି; ଠରାଠରି ହେଇ ଆଖିରେ ଆଖିରେ କଥା ହୁଅନ୍ତି ।
ମୁଁ ବି ଧୀରେ ଧୀରେ ବୁଝୁଥିଲି – କିନ୍ତୁ ଅବୁଝା ହେଇ ରହୁଥିଲି; ଝିଅଟିକୁ ସାମ୍ନାରେ ଦେଖିଲେ ।
କିନ୍ତୁ, ଆକସ୍ମିକ ଦୁର୍ଘଟଣା ଯୋଗୁଁ ଗୋଡ଼ ଦୁଇଟି ହରାଇବା ପରେ ମୋତେ ପ୍ରଥମ ସେଦିନ ସିଏ ଦେଖିଲା ପରଠୁ, ମୋ ସହିତ ବାରମ୍ବାର କଥାହେବା ଇଚ୍ଛାଟା ତାର ବୋଧହୁଏ ଅକାଳରେ ମରିଗଲା!
ସିଏ ଆଉ ମୋ ଚ୍ୟାମ୍ବରକୁ ଆସିଲା ନାହିଁ ।
ମୋ ମୁହଁ ଆଉ ଶରୀର ସୁଠାମ ଗଢ଼ଣ, ପୋଷାକ-ପରିପାଟି, ଅପୂର୍ବ କଣ୍ଠ ଏବଂ ବ୍ୟବହାର, ସୁନ୍ଦର ଚାକିରିର ପ୍ରେମରେ ପଡ଼ିଥିବା ସେହି ଝିଅକୁ ସେଦିନଠୁ ଆଉ ମୁଁ ଦେଖିଲିନି, ମୋ ଚ୍ୟାମ୍ବର ଭିତରେ । ଏମିତି ବି କିଛି ଦିନପରେ ଜାଣିଲି: ସିଏ ବ୍ୟାଙ୍କର କଷ୍ଟମର ହୋଇ ରହିନାହିଁ ।
ସତରେ – ବଡ଼ ଅଦ୍ଭୁତ କଥା – ସେ ମୋର ଏହି ଉର୍ଦ୍ଧାଂଶ ପ୍ରେମରେ ପଡ଼ି ହଜିଯିବା ଚତୁର୍ଥ ସୁନ୍ଦରୀ ଥିଲା ।