Prasanta Kumar Nath

Inspirational

4  

Prasanta Kumar Nath

Inspirational

କାଳିଆ ସବୁ ଦେଖୁଛି

କାଳିଆ ସବୁ ଦେଖୁଛି

4 mins
213


ରାତି ପାହିଲେ ରବିନ, ଭାଗନ, କରୁଣା, ଟୁଆଁ ଆଉ ସାଙ୍ଗରେ ଦି’ ଚାରି ଜଣଙ୍କୁ ଧରି ଆସି ପହଞ୍ଚିଯିବେ – ଦୁଆରେ । ହାତରେ ଖାତା ଧରି ଟଙ୍କା ମାଗିବେ । କୋଉ ହାତ ଉଧାରି କି ସୁଧିଆ ଟଙ୍କା ନୁହେଁ; ଏ ବର୍ଷର ରାମଲୀଳା ଚାନ୍ଦା । ଆଗରୁ ପ୍ରାୟ ଚାରି ଛ’ ଥର ‘ପରେ ଦେବି’ କହି ଫେରାଇ ଦେଇଛି ରତ୍ନାକର; ସେମାନଙ୍କୁ । ସେମାନେ ଫେରୁଥିଲେ ବାରମ୍ବାର – ହେଲେ ଶେଷଥର ଗଲାବେଳେ ତାଗିଦ କରି କହି ଯାଇଥିଲେ – ଆଉ ଚାରିଦିନ ବାକି; ରାମଲୀଳା ବହି ପଢ଼ା ସରିବ । ଟଙ୍କାଟା ଯେମିତି ତା ପୂର୍ବରୁ ମିଳିଯାଏ ।

ଗାଆଁ ସାହିଭାଇଙ୍କ କଥା; କେମିତି ବା କାଟି ଦେଇଥାଆନ୍ତା ରତ୍ନାକର । ଟଙ୍କା ଦେଇପାରିବନି ବୋଲି କହିଥାନ୍ତା! ତେଣୁ ଆଗକୁ ପଛକୁ କେତେ କ’ଣ ଭାବି-ଚିନ୍ତି ମୁଣ୍ଡ ଟୁଙ୍ଗାରି ‘ହଁ – ପରେ ଚାନ୍ଦା ଦେଇଦେବି’ ବୋଲି କହିଥିଲା ସେଦିନ ।

ପକେଟ୍‌ରେ କି ଘରେ ବେଶି ଟଙ୍କା ନାହିଁ । ଆଠ ଦିନ ହେଇଗଲା ଘରେ ବସିଛି ରତ୍ନାକର – କାମକୁ ଯାଇନି । କେମିତି ବା ଯାଇଥାଆନ୍ତା! ସରକାର ତ ୧୪ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି । ତା ସହିତ ପୁଣି ଶନିବାର ଓ ରବିବାର ସଟ୍‌ଡାଉନ । ଗାଆଁ ଭିତରେ ଓ ସାହିରେ ଯେଉଁ ଲୁଚା-ଛପା କାମ ବି ଚାଲିଥିଲା; ସିଏ ବି ବନ୍ଦ –ଗଲା ଆଠଦିନ ହେଲା । ପୁଣି ତାଙ୍କ ଗାଆଁ ଆର ସାହିରେ କରୋନାରେ ଦୁଇଜଣଙ୍କ ମୃତ୍ୟୁ ପରଠୁ ଲୁଚା-ଛପା କାମ ଉପରେ ବି ସଂପୂର୍ଣ୍ଣ କଟକଣା ଲାଗିଛି । ଆର.ଆଇ. ଓ ସରପଞ୍ଚ ଗାଆଁରେ ମାଇକ୍ ବଜାଇ ପ୍ରଚାର କରୁଛନ୍ତି; ଘରେ ରୁହ – ମାସ୍କ ପିନ୍ଧ – ଅତି ଜରୁରୀ ନହେଲେ ବାହାରକୁ ବାହାର ନାହିଁ । ଚିହ୍ନା ପରିଚିତ ଲୋକ ବି ତାକୁ ଘରକୁ ପୂରାଇବାକୁ ମନା କରୁଛନ୍ତି – କାଳେ ସିଏ କରୋନାରେ ଆକ୍ରାନ୍ତ ହୋଇଥିବ!

ଚିନ୍ତାରେ ରତ୍ନାକର । ଆଖି ପାଉନି ତା’ର ଆଗକୁ – କେମିତି ସଂସାର ଚଳାଇବ? ହୁ ହୁ ହେଇ ବଢ଼ି ଚାଲିଛି ବଜାର ଦର; ଡାଲିଠୁ ତେଲ ଯାଏଁ – ସତେଯେମିତି ଦର କଷାକଷି ଦୌଡ଼ ଚାଲିଛି ୟାଙ୍କ ଭିତରେ! କିଏ କେତେ ଉପରକୁ ଯାଇପାରିବ!

ଦିନସାରା ଚିନ୍ତାରେ ରତ୍ନାକର । ‘ବୋଝ ଉପରେ ଲଳିତା ବିଡ଼ା’ ପରି ଦିନକ ପରେ ଅକ୍ଷୟ ତୃତୀୟା । ବିଲ କାମ ବି ଆରମ୍ଭ କରିବାକୁ ହେବ! କିଛି ନହେଲେ ଅଖିମୁଠାକ ଛାଟିଦେଇ ବିଧିରକ୍ଷା କରିବାକୁ ତ ହେବ! ଘରେ ବିହନ ଯାହା ଅଛି ଅଳ୍ପ ବହୁତ ହେଇଯିବ । କିନ୍ତୁ ହଳୁଆ ଓ ମୁଲିଆକୁ ତ ବିଦାକି ଦେବାକୁ ହେବ! ଘରେ ପିଠାପଣା ଆଉ ନୂଆ ଲୁଗା ଗାମୁଛା କଥା କିଏ ପଚାରେ? ବଳଦ ବେକରେ ନାଲି ଛିଟ ଖଣ୍ଡିଏକୁ ଘଣ୍ଟିଘାଗୁଡ଼ି ହଳକ ବାନ୍ଧିବାକୁ ହେବ – ମନ୍ଦିରରେ ଭୋଗ ରାଗ ତ କରିବାକୁ ହେବ! ସବୁ କଥାକୁ ଭାବି ଭାବି ଚିନ୍ତାରେ ଝାଉଁଳି ଯାଇଥିଲା ରତ୍ନାକରର ମୁହଁ । ପାଖରେ ଏତେ ସବୁକୁ ସମ୍ବଳ କାହିଁ? ଟଙ୍କା ଯାହା ଘରେ ଥିଲା; ସକାଳୁ ହାଟ ସଉଦାରେ ସରିଛି । ଆଉ ଯେତିକି ଅଛି ଚାନ୍ଦା ବାବଦକୁ ହବନି । ଏ ବର୍ଷ ଚାନ୍ଦା ମୁଣ୍ଡପିଛା ଶହେ ଧାର୍ଯ୍ୟ ହୋଇଛି – କି ଗରିବ କି ଧନୀ – ସମସ୍ତଙ୍କୁ ଦେବାକୁ ହେବ । ଚାନ୍ଦା ଧାର୍ଯ୍ୟ ଦିନ ମିଟିଂରେ ରତ୍ନାକର ବି ଥିଲା । ନିଜର ସମ୍ମତି ଜଣାଇଥିଲା; ଚାନ୍ଦା ପ୍ରସ୍ତାବରେ ।

ରତ୍ନାକରର ଚାନ୍ଦା ତିନି ଶହ – ପୁଅ, ସ୍ତ୍ରୀ ଆଉ ତା ନିଜର ମିଶି । ଭାରି ସ୍ୱାଭିମାନି ରତ୍ନାକର – ହାତ ଉଧାର ବା କାହାଠୁ ନେଇ ଆସି ଚଳିଯିବା – ତା’ର ଜମାରୁ ପସନ୍ଦ ନୁହେଁ । ତେଣୁ ମନ ଦୁଃଖରେ ଏକଡ଼ ସେକଡ଼ ବୁଲୁଥାଏ; କେତେବେଳେ ବାରିପଟ ତ କେତେବେଳେ ଦାଣ୍ଡପଟ । କଥା ପଦୁଟେରେ ଗର ଗର ହେଉଥାଏ; ସ୍ତ୍ରୀ ପୁଅଙ୍କ ଉପରେ । ଖିଆପିଆ ବି ସକାଳୁ ଭଲରେ କରି ନଥିଲା । 

‘ଦିନ ଆସି ଗୋଟାଏ ପରେ ହେଲାଣି; ଖାଇବନି କି?’ – ପଚାରିଲା ସ୍ତ୍ରୀ ପାର ।

ରତ୍ନାକର ଶୁଣିଲା । ନିଜର ସ୍ୱଭାବକୁ ବଦଳାଇଲା – ଯାହାକୁ ସିଏ ସକାଳୁ ଦେଖେଇ ଆସିଥିଲା ଏଯାଏଁ । କ’ଣ ଉତ୍ତର ଦେବ ଭାବି ମୁରୁକି ହସିଲା । ନିଜକୁ ନିଜେ ମନକୁ ବୁଝାଇଲା । ମୁହୂର୍ତ୍ତକ ପାଇଁ ହେଲେ ବି ସବୁକୁ ଭୁଲି ଶାନ୍ତ ମନରେ ସମାଧାନର ବାଟ ଖୋଜିବାକୁ ଚେଷ୍ଟା କଲା । ଯାଇ ସ୍ତ୍ରୀ ପକାଇଥିବା ବରଡ଼ା ଚଟେଇଟା ଉପରେ ଚକା ପକେଇ ବସିପଡ଼ି ପଚାରିଲା – ପୁଅ କୁଆଡ଼େ ଗଲାକି? ସିଏ ଖାଇବନି କି?

ନଙ୍ଗଳା ପୁଅଟା ତା’ର ଗୋଟାଏ ହାତରେ ଆମ୍ବଟାକୁଟାକୁ ଧରି ଚାଟି ଚାଟି – ଆର ହାତରେ ଚଟେଇକୁ ତଳେ ଘୋଷାରି ଘୋଷାରି ଆସି ବସିଲା ରତ୍ନାକର ପାଖରେ ଚକା ଆସନ ଜମେଇ । 

ଚାହିଁଲା ରତ୍ନାକର ପୁଅକୁ । ମୁହଁଟା ଆମ୍ବ ରସ ଆଉ ସିଙ୍ଘାଣି ବାଲୁବାଲୁ ହେଇଛି । ହସିଲା ରତ୍ନାକର । ପଖାଳ କଂସାରେ ହାତ ପୁରାଇ ଭାତ ଗୁଣ୍ଡାଏ ଛାଣିଆଣି ପ୍ରଥମେ ପୁଅକୁ ଖୁଆଇ ପରେ ନିଜ ପାଟିକୁ ନେଲା । କଞ୍ଚାଲଙ୍କା ଲୁଣ ଚକଟାରେ ପିଆଜ ନୋଳାକୁ ମାଡ଼ି ଦାନ୍ତରେ କାମୁଡ଼ିଲା । ବଡ଼ି ଗୋଟାଏକୁ ତାଟିଆ କଡ଼କୁ ଆଉଜେଇ ଆଣି ଚୁନା କରି ପାଟିକୁ ନେଲା । 

ରତ୍ନାକର ଉପରେ ଉପରେ ସ୍ୱାଭାବିକ ଜଣାପଡ଼ୁଥିଲେ ବି ମନ ଭିତରେ ରାମଲିଳା ଚାନ୍ଦା ଟଙ୍କା କଥା ଭାବୁଥିଲା ।

ଖାଇସାରି କଂସାକଯାକ ତୋରାଣିକୁ ଚୁଁ ଚାଁ କରି ପିଇଗଲା ରତ୍ନାକର । ପେଟକୁ ଆଉଁସି ସ୍ତ୍ରୀ ପାରକୁ ଉଦ୍ଦେଶ୍ୟ କରି କହିଲା – ଆଜି ଖାଇବାଟା ଅଧିକ ହେଇଗଲା । ପାର ଶୁଣିଲା କି ନ ଶୁଣିଲା ଜଣା ନାହିଁ; ରତ୍ନାକର ହାତ ଧୋଇ ସଉପଟେ ପାରି ଗଡ଼ିଗଲା । ଚିତ୍ ହୋଇ ପେଟ ଉପରେ ହାତ ଦୁଇଟାକୁ ଥୋଇଦେଇ ଉପରକୁ ଚାହିଁ ଚାଳଛପର ବାଉଁଶ ଗଣ୍ଠିକୁ ଗଣୁଗଣୁ ମନେ ମନେ ଭାବିଲା – କଥାରେ ଅଛି ପରା ଯିଏ ଜନମ ଦେଇଛି, ସିଏ ଜୀବନ ଦେଇଛି! ମୁଁ କାହିଁକି ମିଛୁଟାରେ ଏତେ ଭାବୁଛି! ଠାକୁରେ ନିଶ୍ଚୟ ତାଙ୍କ ନିଜ ବ୍ୟବସ୍ଥା ନିଜେ କରିବେ! କାଲିଯାଏଁ ତ ସମୟ ଅଛି; ମଝିରେ ରାତିଟାଏ ବାକି – ଦେଖିବା କୋଉଟି ନା କୋଉଟି ବ୍ୟବସ୍ଥା ହେଇଯିବ! କାଳିଆ ନିଶ୍ଚୟ କିଛି କରିବ!

ଘୁଙ୍ଗୁଡ଼ି ଉପରେ ଘୁଙ୍ଗୁଡ଼ି ମାରି ଅଚିନ୍ତାରେ ଶୋଇପଡ଼ିଲା ରତ୍ନାକର ।

କେଇଘଡ଼ି ଯାଇଛି ସ୍ତ୍ରୀ ପାର ଆସି ରତ୍ନାକର ଦେହରେ ହାତମାରି ଡାକିଲା – ହେଇ ଶୁଣୁଛ... ଶୋଇଛ କ’ଣ ଉଠ ।

ରତ୍ନାକର ତର ତର ହୋଇ ଉଠିବସିଲା । ସତେ ଯେମିତି କିଛି ଅଘଟଣଟା ଘଟିଛି ଭାବି ସ୍ତ୍ରୀ ପାର ମୁହଁକୁ ଚାହିଁଲା ।

‘କାଲି କାଳିଆ ଟଙ୍କା ମିଳିବ; ଆମ ଆକାଉଣ୍ଟକୁ ଆସିବ; ଦୁଇ ହଜାର ଟଙ୍କା; ମୁଖ୍ୟମନ୍ତ୍ରୀ କହିଛନ୍ତି ଏଇ ଟଙ୍କା କୁଆଡ଼େ ଚାଷୀମାନଙ୍କୁ ସରକାରଙ୍କ ଅକ୍ଷୟ ତୃତୀୟା ଭେଟି । ଗାଆଁ ସାରା କୁହାକୁହି ହଉଚନ୍ତି...’ – ଗୋଟାଏ ନିଃଶ୍ୱାସରେ କହିଲା ଚାଲିଥିଲା ସ୍ତ୍ରୀ ପାର ।

ରତ୍ନାକର ବଲବଲ କରି ଚାହିଁଥିଲା ସ୍ତ୍ରୀ ମୁହଁକୁ । ଭିତରେ ଭିତରେ ଆଶ୍ଚର୍ଯ୍ୟ ହେଲା । ହାତ ପାପୁଲି ଦୁଇଟିକୁ ଯୋଡ଼ି ନମସ୍କାରଟିଏ କରି କହିଲା – କାଳିଆ ସବୁ ଦେଖୁଛି... ।



Rate this content
Log in

Similar oriya story from Inspirational