STORYMIRROR

Prasanta Kumar Nath

Drama Inspirational

3  

Prasanta Kumar Nath

Drama Inspirational

ଇନ୍‌ଭେଷ୍ଟିଗେସନ ଇଜ୍ ଓଭର

ଇନ୍‌ଭେଷ୍ଟିଗେସନ ଇଜ୍ ଓଭର

7 mins
176

ସମୟ ପ୍ରାୟ ଭୋର ପାଞ୍ଚଟା । ଗଭୀର ନିଦରେ ଶୋଇଥିଲା ଅନୁପମ । ଦୁଇ ବର୍ଷ କୋଚିଂ ନେଲାପରେ ମଧ୍ୟ ସରକାରୀ ମେଡିକାଲ୍ ସିଟ୍ ପାଇପାରି ନାହିଁ ଅନୁପମ । କାନରେ ପିଟି ହେଉଛି ବାପାଙ୍କ କଡ଼ା ତାଗିଦ୍‌, "ସରକାରୀ କଲେଜରେ ସିଟ୍ ପାଇଲେ ଯାଇ ଘରକୁ ଫେରିବୁ ।' ହଠାତ୍ ୟାଡ଼ୁ ସିଆକ୍ଷୁ ବିଳିବିଳେଇ ଠୋ' କିନା ନିଜେ ହିଁ ନିଜ କାନମୁଣ୍ଡାକୁ ଚାପୁଡ଼ାଟିଏ ପିଟିଦେଲା ଅନୁପମ । ବୋଧହୁଏ ମଶାଟିଏ ଗାଲକୁ କାମୁଡ଼ୁଥିଲା! ଏଥର ଆଖି ମଳି ମଳି ନିଦରୁ ଉଠିଲା ଅନୁପମ । ବାପାଙ୍କ ତାଗିଦକରା କଥାକୁ ପୁଣି ମନେପକାଇ ଭାରାକ୍ରାନ୍ତ ହେଲା ତା\'ମନ । କିନ୍ତୁ ନିଜକୁ ସମ୍ଭାଳି ନେବା ପ୍ରୟାସରେ ଶୀତୁଆ ସକାଳର ଅଳ୍ପ ଅନ୍ଧାର ଭିତରେ ଚାହିଁଲା ଚାରିଆଡ଼କୁ । ଅନୁଭବ କଲା ସେହି ପୁରୁଣା କଥାକୁ; ସହରୀ ଆବହାୱା ମଧ୍ୟରେ ଏଠି ବଡ଼ ବଡ଼ କୋଠାକୁ ଡେଇଁ ସୂର୍ଯ୍ୟ ଡେରିରେ ଦେଖାଯାଏ! ଅନୁପମର ନଜର ପଡ଼ିଲା, କାଉ ଚଢ଼େଇଙ୍କ କିଚିରି-ମିଚିରି ଶବ୍ଦକୁ ବେଖାତିର କରି କିଛି ମୋଟା-ପତଳା ଲୋକେ ଏପଟ ସେପଟ ଯା-ଆସ କରୁଛନ୍ତି... ମଣିଂୱାର୍କରେ । ଗୋଟେ ଯୋଡ଼େ ଛୋଟ ବଡ଼ ଗାଡ଼ି ବି ପୁଁ ପାଁ ଶବ୍ଦ କରି ଚାଲିଯାଉଥିଲା ସେମାନଙ୍କୁ ଟପି । ଆଉ କିଛି ସାଧାରଣ ଲୋକ ସବୁକିଛିକୁ ଅଣଦେଖା କରି ଚାଲିଥାନ୍ତି ନିଜ ନିଜ ଲକ୍ଷ୍ୟପଥରେ । ରାସ୍ତାର ଆରକଡ଼େ ଗୁଣୁଗୁଣୁ ଗୀତ ଗାଇ ଝାଡ଼ୁଦାରଟା ହାତରେ ପହଁରା ଗାଣ୍ଡୁଆ ଧରି ରାସ୍ତା ପହଁରାଇବାରେ ବ୍ୟସ୍ତ ଥାଏ । ପବନରେ ଉଡ଼ୁଥିବା ଝାଡ଼ୁଧୂଳିର ଧୂଆଁକୁ ଚିରି ଖବର କାଗଜବାଲାଟା ଜୋର୍ ଜୋର୍ ସାଇକେଲ୍‌ର ପେଡଲଟାକୁ ଚାପି ଗନ୍ତବ୍ୟପଥେ ମାଡ଼ିଚାଲିଥିଲା ରାସ୍ତା ମଝିରେ, ସାଇକେଲ୍‌ର ହେଣ୍ଡଲଟାକୁ ତେଡ଼ାତେଡ଼ି କରି । ଏତେସବୁକୁ ଦେଖୁ ଦେଖୁ ଅନୁପମ ହଠାତ୍ ଆଶ୍ଚର୍ଯ୍ୟ ହେଲା; ଭରା ଚଉତରାକୁ ଦେଖି । ଗୋଡ଼ଠାରୁ ମୁଣ୍ଡ ଯାଏ ରଙ୍ଗ-ବେରଙ୍ଗର ଚାଦର ଗାମୁଛା ଗୁଡ଼େଇ ତୁଡ଼େଇ ହୋଇ ଶୋଇଥିଲେ ଆଉ କିଛି ଲୋକ ।

– ଆରେ ଏ କ'ଣ? ରାତିରେ ଏ ଚଉତରା ଉପରେ ମୋ ଛଡ଼ା ଆଉ କେହି ନଥିଲେ! ଏତେ ଲୋକ ଆସିଲେ କୋଉଠୁ?

ଅନୁପମ ପାଖ ଚା' ଠେଲା ନିକଟକୁ ଯାଇ ମୁହଁ ହାତ ଧୋଇ ଚା' କପେ ପିଉ ପିଉ ଦେଖିଲା, ଚଉତରାଟା ଆସ୍ତ ଆସ୍ତେ ଖାଲି ହେବାରେ ଲାଗିଛି । ଜଣ ଜଣ କରି ସମସ୍ତେ ଚା' ଠେଲା ପାଖରେ ଭିଡ଼ ଜମାଉଛନ୍ତି । କିଏ ଚା' ତ ଆଉ କିଏ ଚା' ସାଙ୍ଗରେ ବିସ୍କୁଟ୍‌ଟିଏ ଧରି ଖାଉ ଖାଉ ପରସ୍ପର ମଧ୍ୟରେ କଥା ହେଉଛନ୍ତି: ଆଜି ଷ୍ଟ୍ରାକ୍‌ଟାକୁ ଜୋର୍‌ଦାର କରିବାକୁ ହେବ! ନହେଲେ ଏଠି ଆଉ ଏମିତି କେତେଦିନ ପଡ଼ିରହିବା? ପଇସା-ପତ୍ର ଧୀରେ ଧୀରେ ଶେଷ ହେଲାଣି । ଏପଟ ହେଉ ଅବା ସେପଟ ଆଜି କିଛି ଗୋଟାଏ ନିଷ୍ପତ୍ତି ହେବା ଦରକାର । ସେମାନଙ୍କ ମଧ୍ୟରେ ଜଣେ ଛ'ହାତ ଡେଙ୍ଗା ଚଉଡ଼ା ଜିନ୍ ପିନ୍ଧା ଟୋକାଟା ହଠାତ୍ ହାତ ହଲେଇ ଚିତ୍କାର କରି କହିଲା: ଆମର ଅନଶନ କରିବା । ଆଉ ଜଣେ କହିଲା: ନାହିଁ ସେଥିରେ କିଛି ଲାଭ ହବନି । ସରକାର ଶୁଣିବେନି ଆତ୍ମାହୁତିର ଧମକ ଦେବା... ।

ଅନୁପମ ଚା' ଢୋକଟାକୁ ଭିତରକୁ ନେଉ ନେଉ ହଠାତ୍ ଖୁଁ ଖୁଁ ହୋଇ କାଶି ଉଠିଲା । ତାଳୁକୁ ଉଠିଗଲା ପ୍ରାୟ ଚା'! ତା' ପାଟି ଭିତରର ସବୁ ଚା' ଗୁଡ଼ାକ ଆପଣାଛାଏଁ ବାହାରକୁ ବାହାରିଗଲା । ନିଜ ଛାତିରେ ହାତ ମାରିଲା ଅନୁପମ । ଦି' ଚାରିଥର ଆହୁରି ଖୁଁ ଖୁଁ ହେଲା । ଅନୁପମର ମୋବାଇଲ୍ ଫୋନ୍‌ଟା ଏତିକିବେଳେ ବାଜି ଉଠିଲା । ନିଜକୁ ସମ୍ଭାଳୁ ସମ୍ଭାଳୁ ଅନୁପମ ପକେଟ୍‌ରୁ ମୋବାଇଲ୍‌ଟିକୁ ବାହାର କରିଦେଖିଲା ବୋଉ ଫୋନ୍ କରିଚି ।

– ହାଲୋ... ବୋଉ କହ... କ'ଣ କହୁଛ?

– ଆରେ ଆଉ କେଇଦିନ ସେଠି ଏମିତି ପଡ଼ିରହିବୁ? ଆମର କିଛି ଦରକାର ନାହିଁ, ତୁ ଆଜିରେ ଘରକୁ ଚାଲିଆ... ଯାହା ହେବା କଥା ହେବ... ଆମର ସରକାରୀ କଲେଜରେ ପାଠ ପଢ଼ିବା ଦରକାର ନାହିଁ... ଗାଁ ପାଖ କଲେଜରେ ପାଠ ପଢ଼ି କ'ଣ ପିଲାଏ ମଣିଷ ହେଉ ନାହାନ୍ତି?

– ସେ କଥା ସତ ଯେ ବୋଉ... ହେଲେ ବାପା କ'ଣ କହିଛନ୍ତି ତୁ କ'ଣ ଶୁଣିନୁ?

– ଛାଡ଼୍ ତୋ ବାପାଙ୍କ କଥା । ମୁଁ ସେକଥା ବୁଝିବି । ତୁ ଆଜିରେ ଘରକୁ ଫେରିଆ...

– ନାଇଁ ବୋଉ! ଆଜି ନିଶ୍ଚୟ କିଛି ଗୋଟାଏ ଏହାର ସମାଧାନ ହେବ । ଆମେ ଆଜି ଷ୍ଟ୍ରାଇକ୍‌ଟାକୁ ଜୋର୍‌ଦାର କରିବାକୁ ନିଷ୍ପତ୍ତି ନେଇଛୁ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅନେକ ପିଲାଏ ଆସିଗଲେଣି... ଆଉ କିଛି ରାସ୍ତାରେ ଆସୁଛନ୍ତି । ଆଜି ଗୋଟା ସହର ଠପ୍ କରିବୁ । ନେତା ମନ୍ତ୍ରୀଙ୍କୁ କାହାକୁ ବିଧାନସଭାକୁ ଛାଡ଼ିବୁ ନାହିଁ । ରାସ୍ତାରେ ବସାଇ ସେମାନଙ୍କୁ ପ୍ରଶ୍ନ ପଚାରିବୁ ଆଉ ଏହାର ସମାଧାନ କରିବୁ ।

ବୋଉ ସାଙ୍ଗରେ କଥା ହେଉ ହେଉ ଅନୁପମ ଆସି କଲେ ପାଖାପାଖି ପହଞ୍ଚି ସାରିଥିଲା । ଦୂରରୁ ସେ ଦେଖିଲା କଲେଜ ଗେଟ୍ ରାସ୍ତାଟା ପୂରା ଲୋକ ଗହଳିରେ ପରିପୂର୍ଣ୍ଣ । ଯେମିତି ପିଲା ସେମିତି ପୁଲିସ୍ ବି ଜଗିଥିଲେ କେଲେଜ ଗେଟ୍‌କୁ । ମିଡିଆବାଲା ବି ଆସି ପହଞ୍ଚିସାରିଥିଲେ । ମନ୍ତ୍ରୀଙ୍କ ଗାଡ଼ି ବି ଅଟକା ହୋଇସାରିଥିଲା କେତେବେଳୁ ।

ହଠାତ୍ ଅନୁପମ ଏସବୁ ଦେଖି କହିଲା – ବୋଉ ରହୁଛି... ପରେ କଥା ହେବି । ପିଲାଏ ଆସି ପହଞ୍ଚିଗଲେଣି । ମନ୍ତ୍ରୀ ବି ଆସିଛନ୍ତି । ମୁଁ ପରେ ତୋ ସାଙ୍ଗରେ କଥା ହେବି । ଏତିକି କହି କଲ୍‌ଟାକୁ ଡିସ୍‌କନେକ୍ଟ କଲା ଅନୁପମ ।

ଜିନ୍ଦାବାଦ୍‌... ଜିନ୍ଦାବାଦ୍ ଶବ୍ଦରେ ଫାଟିପଡ଼ୁଥିଲା ପୂରା ରାସ୍ତାଟା । ମଝିରେ ମଝିରେ "ଆମର ଦାବୀ ପୂରଣ ହେଉ... ପୂରଣ ହେଉ – ନହେଲେ ନିଆଁ ଜଳିବ' ସ୍ଳୋଗାନ ବି ଶୁଭୁଥିଲା ଭିଡ଼ଭିତରୁ । କିଛି ପିଲାଏ ପୁଲିସ୍ ଆଉ କିଛି ପିଲା ମନ୍ତ୍ରୀଙ୍କ ସାଙ୍ଗରେ ଯୁକ୍ତିତର୍କ କରୁଥାନ୍ତି । ସମାଧାନର ବାଟ କିଛି ବାହାରୁ ନଥାଏ । ସକାଳୁ ଯାଇ ସନ୍ଧ୍ୟା ହେଲାଣି । ମନ୍ତ୍ରୀ ଅଛନ୍ତି ପୁଲିସ୍ ବି ଅଛନ୍ତି । ସମସ୍ତେ ଅଖିଆ-ଅପିଆ । ଚାଲିଛି ଯୁକ୍ତି ତର୍କ । ସମାଧାନ ପାଇଁ କେତେ ବୁଦ୍ଧିଜୀବୀ ମଧ୍ୟସ୍ତି ଆସି ଫେରିଗଲେଣି । ମୁଖ୍ୟମନ୍ତ୍ରୀ ବି ତାଙ୍କ ସଚିବଙ୍କୁ ପଠାଇଛନ୍ତି । ସମସ୍ତଙ୍କର ସେଇ ଗୋଟିଏ ଦାବୀ"କୋଟା ବା ରିଜର୍ଭେସନ ଉଚ୍ଛେଦ ହେଉ... ମେରିଟ୍ ଲିଷ୍ଟରେ ଆଡ୍‌ମିସନ ହେଉ' ।

କେହି କାହାରି କଥା ଶୁଣିବାରେ ବା ବୁଝିବା ଅବସ୍ଥାରେ ନଥାନ୍ତି । ସକରାରଙ୍କ ପ୍ରତିନିଧି ଓ ପିଲାଏ ସମସ୍ତେ ନିଜ ନିଜ ଜିଦ୍‌ରେ ଅଟଳ । ସଚିବ କ୍ରମଶଃ ଅଣଆୟତ୍ତ ପରିସ୍ଥିତି ଉପୁଜୁଥିବା ଦେଖି କହିଲେ– ଦେଖ ପିଲାଏ! ସରକାର କିଛିଦିନ ସମୟ ଚାହାଁନ୍ତି । ପନ୍ଦର ଦିନ ହେଲେ ଚଳିବ । ତା'ଛଡ଼ା ପ୍ରଥମ ସିଲେକ୍‌ସନ ଲିଷ୍ଟ୍‌ରେ ଯେଉଁମାନଙ୍କର ନାଁ ଆସିନି ସେଗୁଡ଼ିକ ଦ୍ୱିତୀୟ ଲିଷ୍ଟ୍‌ରେ ଆସିପାରେ, ତେଣୁ ଅପେକ୍ଷା କର, ଆଗାମୀ ଲିଷ୍ଟ୍ ବାହାରିବାଯାଏଁ । ପିଲାଏ କିନ୍ତୁ ନଛୋଡ଼ବନ୍ଧା । ମେରିଟ୍ ଲିଷ୍ଟ୍ ସିଲେକ୍‌ସନ ଏବଂ ଆଡ୍‌ମିସନ ଛଡ଼ା ଅନ୍ୟ କୌଣସି ବାହାନା ଆମେ ମାନିବୁ ନାହିଁ । ପୁଣି ଆରମ୍ଭ ହେଲା ଜିନ୍ଦାବାଦ୍ ଆଉ ସ୍ଳୋଗାନ୍ ।

ଏଥର ଅନୁପମ ପଛରେ ଥାଇ ଚିତ୍‌କାର କରି କହିଲା – ସାର୍‌! ଆମେ ତ ଜେନେରାଲ୍ କାଷ୍ଟ୍‌... ସବୁକିଛିକୁ ବାଦ୍ ଦେଲେ ଆମର ଭାଗ ଦଶ ପରସେଣ୍ଟ୍‌ରୁ ବି କମ୍ । କିନ୍ତୁ ଆମ ସଂଖ୍ୟା ଅଧିକ । ପ୍ରାଇଭେଟ୍‌କୁ ଗଲେ ଲକ୍ଷାଧିକ ଟଙ୍କା ମାଗୁଛନ୍ତି କଲେଜବାଲା ଆଉ ସରକାରୀ କଲେଜରେ ରିଜର୍ଭେସନ ସିଷ୍ଟମ୍ ଚାଲିଛି । ତେବେ ଏତେ ପିଲା କୁଆଡ଼େ ଯିବୁ ଆମେ?

ସଚିବ ବିରକ୍ତ ହୋଇ କହିଲେ – ଆମେ କ'ଣ କରିବୁ? ତୁମେ ଅନ୍ୟ ପାଠ ପଢ଼ୁନ... ସମସ୍ତେ ଡାକ୍ତର ହେବା କ'ଣ ଜରୁରୀ?

ସଚିବଙ୍କ ଏମିତି ଉତ୍ତର ଶୁଣି ଅନୁପମ କିଛି ଭାବିପାରିଲା ନାହିଁ । ସଚିବଙ୍କ କଥାର କି ଉତ୍ତର ଦେବ? ଅନିଶ୍ଚିତ ସମାଧାନ ପୁଣି ବାପାଙ୍କର କଡ଼ା ତାଗିଦଟା ବାରମ୍ବାର ତା\'ର କାନରେ ବାଡ଼େଇ ହେଉଥିଲା । ଏତିକିବେଳେ ହଠାତ୍ ଭିଡ଼ଭିତରୁ ଜଣେ ପିଲା ଭିଡ଼କୁ ଆଡ଼େଇ ଆଡ଼େଇ ଆଗକୁ ଆସିବାକୁ ଚେଷ୍ଟା କରୁଥିଲା । ଅନୁପମ ବି ତା' ସାଙ୍ଗରେ ଆଗକୁ ଆସିଲା । ପିଲାଟି ଚିତ୍କାର କରି କହିଲା – ଆପଣମାନେ ଯଦି ସମାଧାନ କରି ନପାରିବେ ତେବେ ଆମେ ଆଜି ଏଇଠି ନିଜକୁ ଆତ୍ମଦାହ କରିବୁ । ଆଉ କିଛି ଘଟିବା ବା ତର୍କ ବିତର୍କ ହେବା ପୂର୍ବରୁ ଅନୁପମ ପିଲାଟି ହାତରୁ କିରୋସିନ୍ ଭର୍ତ୍ତି ବୋତଲକୁ ଛଡ଼ାଇ ନେଇ ନିଜ ଦେହରେ ଓଜାଡ଼ିଦେଲା । ଅନୁପମର କିରୋସିନ୍ ଓଜାଡ଼ିହେବାର ଦେଖି ଆର ପିଲାଟି ପକେଟ୍‌ରୁ ଦିଆସିଲ୍ ବାହାରକରି ତା' ହାତକୁ ବଢ଼ାଇଦେଲା । ପୁଲିସ୍ ବା ଅନ୍ୟମାନେ ସମସ୍ତେ ନିରବଦ୍ରଷ୍ଟା ହୋଇ ଦେଖୁଥାନ୍ତି ଘଟୁଥିବା ଘଟଣାକୁ । ମିଡିଆବାଲା ବି ଘଟୁଥିବା ଘଟଣାଟିର ଲାଇଭ୍ ଟେଲିକାଷ୍ଟ ଜାରି ରଖିଥାନ୍ତି ସେତେବେଳକୁ । ସବୁକିଛି ଏତେ ଶୀଘ୍ର ଶୀଘ୍ର ଘଟୁଥିଲା ଯେ ଅନୁପମକୁ କେହି ଅଟକାଇବା ପୂର୍ବରୁ ସେ ଦିଆସିଲ୍‌ଟାକୁ ଜାଳି ନିଜ ଦେହରେ ଲଗାଇଦେଲା । ନିଆଁ ଦେହରେ ଲାଗିବା ମାତ୍ରକେ ଅନୁପମ ଚିତ୍କାର କରିଉଠିଲା । କ୍ଷଣିକରେ ଦାଉ ଦାଉ ହୋଇ ଜଳିଉଠିଲା ଅନୁପମର ଗୋଟା ଦେହ । ଶହ ଶହ କଳାମୁଣ୍ଡ ଭିତରେ ଲାଲ-ହଳଦିଆ ନିଆଁର ଲେଲିହାନ ଧାସ ବେଶ୍ ଉଜ୍ଜ୍ୱଳ ଦେଖା ଯାଉଥିଲା ଦୂରକୁ । କ୍ୟାମେରାବାଲା ବିଭିନ୍ନ ଅ୍ୟାଙ୍ଗେଲରୁ ଛବି ଉଠେଇ ଚାଲିଥିଲେ । କେହି କେହି ନିଜ ମୋବାଇଲ୍‌ରେ ଫଟୋ ଓ ଭିଡିଓ ତିଆରିରେ ବ୍ୟସ୍ତ ଥାନ୍ତି । ହଠାତ୍ ପୁଣି ପିଲାଏ ଜିନ୍ଦାବାଦ ଜିନ୍ଦାବାଦ ସ୍ୱରରେ ଗର୍ଜି ଉଠୁଥିଲେ । ସତେ ଯେମିତି ଅନୁପମ କୁସ୍ତି ଲଢ଼ୁଛି ଆଉ ବିଜୟ ପାଇଁ ସମସ୍ତେ ତାକୁ ଉତ୍ସାହିତ କରୁଛନ୍ତି! ଶହ ଶହ ସ୍ୱର ଭିତରେ ଅନୁପମର ଏକୁଟିଆ ଯନ୍ତ୍ରଣାର ସ୍ୱରଟା ଧୀରେ ଧୀରେ ମଉଳିଗଲା । ସେହି ମଝିରାସ୍ତାରେ କିଛିକ୍ଷଣ ପାଇଁ ଛାଟି-ପିଟି ହେଉଥିଲା ଅନୁପମ । ନିଆଁର ଧାପଟା ଏତେ ଥିଲା ଯେ, ପାଖକୁ ଯିବାକୁ କାହାର ସାହସ ହେଲା ନାହିଁ । ଦମକଳ ଆସି ଅନୁପମକୁ ଉଦ୍ଧାର କଲା । ସରକାରୀ ମେଡିକଲ୍‌କୁ ନେଇ ପୋଡ଼ା ବିଭାଗ "Burn Department'ରେ ଭର୍ତ୍ତି କଲା । ସେତେବେଳକୁ ଅନୁପମ ଶରୀରର ପ୍ରାୟ ଷାଠିଏ ଭାଗରୁ ଅଧିକ ପୋଡ଼ି ସାରିଥିଲା । ତମ୍ବା ଗୋରା ଚେହେରାଟା ତା'ର କଳା ଦେଖାଯାଉଥିଲା । ଆପଣାଏଁ ଉଲୁରି ପଡ଼ୁଥିଲା ଦେହର ଦରପୋଡ଼ା ଚମଡ଼ାଗୁଡ଼ାକ । ପୋଡ଼ା ରକ୍ତରେ ରକ୍ତାକ୍ତ ହୋଇଥିଲା ଗୋଟା ରାସ୍ତା । ଝୋଟ ଅଖା ଭିତରେ ଗୁଡ଼େଇ ନେଲେ ଦମକଳ ବାହିନୀର ଲୋକମାନେ । ସେମିତି ଛଟ୍‌ପଟ୍ ହେଉଥାଏ ଅନୁପମ । ପାଟିର ସ୍ୱର ଶୁଭୁନଥିଲା କିନ୍ତୁ ଅନୁପମର ନାକବାଟ ଦେଇ ନିଶ୍ୱାସ ଚାଲିଥିଲା ରହି ରହି ।

                                                            •  •  •

ଟିଭିରେ ଘନ ଘନ ଖବର ପଢ଼ାହେଲା, ଡାକ୍ତରୀ ପଢ଼ା ଆଶାୟୀ ଛାତ୍ର ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବାକୁ ଚେଷ୍ଟା ଏବଂ ପର ମୁହୂର୍ତ୍ତରେ ମେଡିକାଲ୍ ନେବା ରାସ୍ତାରେ ହିଁ ଛାତ୍ରଟିର ପ୍ରାଣବାୟୁ ଉଡ଼ିଯାଇଛି । ପିଲାଟିର ନାଁ ଅନୁପମ ଦଣ୍ଡପାଟ; ଇତ୍ୟାଦି ଇତ୍ୟାଦି । ସାମ୍ବାଦିକମାନେ ପୁଲିସ୍ ଓ ମନ୍ତ୍ରୀଙ୍କୁ ବୁଲେଇ ବଙ୍କେଇ କେତେ ପ୍ରଶ୍ନ ପଚାରିଲେ । ଏହି ଘଟଣାଟି ପାଇଁ ଦାୟୀ କିଏ? କାହାପାଇଁ ନିରୀହ ଛାତ୍ରଟିର ଜୀବନଗଲା? ତଦନ୍ତ ଚାଲିଛି... ତଦନ୍ତ ଶେଷ ହେଲେ ଜଣାପଡ଼ିବ ସବୁ ଘଟଣା ପଛର କଥା; କହିଲେ ମନ୍ତ୍ରୀ, କହିଲା ପୁଲିସ୍ ।

ଅନୁପମର ବାପା ମା' ଉଭୟ ଖବର ପାଇ ଛାତି ବାଡ଼େଇ ଖୁବ୍ କାନ୍ଦିଲେ । ଜଣେ ଅନ୍ୟ ଜଣକୁ ଦୋଷ ଲଦାଲଦି ହେଲେ କିନ୍ତୁ ଅନୁପମ ବାପା ନିଜକୁ ଅନୁପମର ହତ୍ୟାକାରୀ ଏବଂ ନିଜର ଅତି କଠୋର ମନୋଭାବ ଯୋଗୁଁ ପୁଅକୁ ହରାଇଛନ୍ତି ବୋଲି କହିଲେ । ଶେଷରେ ପୁଲିସ୍ ତଦନ୍ତରେ ଅନୁପମର ମା' କହିଲେ – ଦୁଇ ବର୍ଷ କୋଚିଂ ନେଲାପରେ ମଧ୍ୟ ସରକାରୀ ମେଡିକାଲ୍ କଲେଜରେ ସିଟ୍ ପାଇପାରି ନାହିଁ ଅନୁପମ । ତେଣୁ ତା ବାପା ତାଗିଦ୍ କରି କହିଥିଲେ,"ସରକାରୀ କଲେଜ୍‌ରେ ସିଟ୍ ପାଇଲେ ଯାଇ ଘରକୁ ଫେରିବୁ' । ପୁଣି କାନ୍ଦିବାକୁ ଲାଗିଲେ ଅନୁପମର ମା' । ପୁଲିସ୍ ପ୍ରଶ୍ନର ଉତ୍ତର ଦେଉ ଦେଉ ସ୍ୱାମୀଙ୍କ ପାଖକୁ ଗଲେ । ଦୁଇ ହାତର ମୁଥକୁ ତାଙ୍କ ଛାତିରେ ବାଡ଼େଇ ବାଡ଼େଇ କହିଲେ – ପୁଅକୁ ତ କହିଥିଲ ସରକାରୀ କଲେଜ୍‌ରେ ସିଟ୍ ପାଇଲେ ଘରକୁ ଫେରିବୁ... ତା'ହେଲେ ଏବେ ପୁଅ କ'ଣ ଘରକୁ ଫେରିପାରିବତ! ଏବେ ପୁଅ ତମର ସରକାରୀ ମେଡିକାଲ କଲେଜ୍‌ରେ ସିଟ୍ ପାଇସାରିଛି ।

                                                            •  •  •

ମାତ୍ର ଦିନକ ଭିତରେ ପୁଲିସ୍ ତଦନ୍ତ ଶେଷ ହେଲା । ପୁଲିସ୍ କାହାରିକୁ ବି ଦୋଷୀ ନ ଭାବି ଅନୁପମର ମୃତ୍ୟୁକୁ ଏକ ଦୁର୍ଘଟଣା ସହିତ ଆତ୍ମହତ୍ୟା ବୋଲି ଘୋଷଣା କଲା । ତଦନ୍ତ ଫାଇଲ ଉପରେ ସରକାରୀ ଜଉମୁଦ ସହ ଷ୍ଟାମ୍ପରେ ଲେଖାଗଲା, ଇନ୍‌ଭେଷ୍ଟିଗେସନ ଇଜ୍ ଓଭର (ତଦନ୍ତ ସରିଛି) ।


                                                                                                      


Rate this content
Log in

Similar oriya story from Drama