Prasanta Kumar Nath

Abstract Comedy Inspirational

3.6  

Prasanta Kumar Nath

Abstract Comedy Inspirational

‘କାଳିଆ’ର ସାଇଡ୍ ଇଫେକ୍ଟ

‘କାଳିଆ’ର ସାଇଡ୍ ଇଫେକ୍ଟ

7 mins
119


ମଇ ମାସ ମଧ୍ୟଭାଗର ଏକ ସକାଳ ଘଟଣା । ଅର୍ଥାତ୍‌, ମାସର ୧୭ କି ୧୮ ତାରିଖ ହେବ! ଦେଶରେ ଲୋଗୁ ହୋଇ ସାରିଥିଲା ସଂପୂର୍ଣ୍ଣ ଲକ୍‌ଡାଉନ୍ । ସକାଳୁ ସକାଳୁ ଫତେପୁର ଗାଁର ଶେଷମୁଣ୍ଡ ହାଡ଼ିଆ ଚାହା ଦୋକନ; ବସିଥିଲା ଏକ ବିରାଟ ଆସର । 

ପ୍ରାୟ ସବୁ ଦିନ ଏମିତି ଆସର ବସେ ଏଠି, ସକାଳୁଆ । ଦେଶରେ ଲକ୍‌ଡାଉନ୍ ଚାଲୁଥିଲେ ବି ଏଠି କିନ୍ତୁ ବୁଢ଼ାଠୁ ଟୋକାଯାଏଁ ବେଶ୍ ଭିଡ଼ ଜମେ, ଆସର ବସେ । ଆସର ଚାଲେ ମୋଟାମୋଟି ସକାଳ ଦଶୁଟା ଯାଏଁ । ଆରମ୍ଭ ହୁଏ କିନ୍ତୁ ବ୍ରାହ୍ମ ମୁହୂର୍ତ୍ତରୁ; ରାତି ଚାରିଟାରୁ । ଆଉ ଦିନସାରା ଖାଁ ଖାଁ ଦୋକନ । ହାଡ଼ିଆ ବି ଦୋକାନ ତାଟିକିଳି ଘରକୁ ଚାଲିଯାଏ, ଠିକ୍ ଦଶୁଟା ପରେ ପରେ । ଡେରି ହେଲେ ପୁଲିସି ଜୁଲୁମ୍‌... ଦୁଇ ଶହ କି ପାଁ ଶହ ହାତଗୁଞ୍ଜା ଗଣିବାକୁ ପଡ଼େ, ହାଡ଼ିଆକୁ ।

ଏହି ସକାଳ ଆସରର ଅଂଶଗ୍ରହଣକାରୀମାନେ ପ୍ରାୟ ଅଧିକାଂଶ ପରସ୍ପରର ମୁହଁ ଚିହ୍ନା । ସିଧାସଳଖ କହିଲେ, ଜଣେ ଦି’ଜଣ ନୂଆ ଲୋକଙ୍କୁ ଛାଡ଼ିଦେଲେ ସମସ୍ତେ ଏହି ଫତେପୁର ଗାଁର । ଏଠି ହାଡ଼ିଆ ଚାହା, ପାନ ଓ ବିଡ଼ି ସାଙ୍ଗକୁ ଆସର ଜମେ – ଗପସପରୁ ଆରମ୍ଭ ହେଇ ଆଲୋଚନା ତା’ପରକୁ ହଜାରେ ଚର୍ଚ୍ଚା ଓ କେତେ ତର୍କ-ବିତର୍କ ବି ହୁଏ ।

ସେଦିନ, ସକାଳୁ ସକାଳୁ ଚାଲିଥିଲା ଆଲୋଚନା । ବିଷୟବସ୍ତୁ ଥିଲା: କରୋନା କାଳ, କଣ୍ଟେନ୍‌ମେଣ୍ଟ ଜୋନ୍‌, ଲକ୍‌ଡାଉନ, ଭ୍ୟାକ୍‌ସିନ୍ ଓ ରାଜନୀତିଠୁ ସମାଜନୀତି – ବ୍ୟକ୍ତି ବିଶେଷଙ୍କଠୁ ସମୂହ – ବଜାର ଦରଠୁ ଚାଷବାସ ଏବଂ ପାଣିପାଗକୁ ନେଇ । ଏମିତିକା ବିଷୟଗୁଡ଼ାକ ପ୍ରାୟ କିଛିଦିନ ହେଲା ଆସର ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା; ବେଳେବେଳେ ଏଥିରୁ ଗୋଟିଏ ଦୁଇଟି ବିଷୟ ବାଦ୍‌ପଡ଼ୁଥିଲା ପୁଣି ନୂଆ ବି ଯୋଡ଼ି ହେଉଥିଲା । ମୋଟାମୋଟି କହିଲେ, ଆସରର ଏହା ଥିଲା ସବୁଦିନିଆ କାର୍ଯ୍ୟକ୍ରମ ।

ସେଦିନ ସକାଳୁ ଚାହା ପିଆ, ପାନ ଖିଆ ଓ ବିଡ଼ି ଟଣା ସାଙ୍ଗକୁ ଆଲୋଚନାଟା ପ୍ରାୟ ବେଶ୍ ଜମି ଆସୁଥିଲା – ସରଗରମ ତର୍କ-ବିତର୍କର ଲଢ଼େଇ ଆରମ୍ଭ ହୋଇସାରିଥିଲା । ଆସର ସମୟ ବି ସରି ସରି ଆସୁଥିଲା । ହଠାତ୍ ସେହି ଆସରରୁ ଦାମ ମଉସାଙ୍କ ପାଟି ଶୁଭିଲା । ସେ ରାଗିଯାଇ ତମ୍ ତମ୍ ହୋଇ ବେଶ୍ ଉଚ୍ଚ ଗଳାରେ ପାଟିକରୁଥିଲେ – ‘ତୁ ନିଜକୁ କ’ଣ ବୋଲି ଭାବୁଚୁ କି? ଶାଳା ରହ... ତତେ ଦେଖିନଉଛି! ତତେ କିଛି ନ କହିଲାରୁ ତୁ ବହୁତ ବଢ଼ି ବଢ଼ି ଚାଲିଛୁ! ମତେ ଚିହ୍ନିନୁ ପୁଅ... ଏଥର ଚିହ୍ନିବୁ!’ ସତେଯେମିତି ଦାମ ମଉସା ଶଗଡ଼ଗୁଳାକୁ ଭାଙ୍ଗି ଅନ୍ୟଆଡ଼କୁ ମାଡ଼ିଚାଲିଥିଲେ! କାହାକୁ ମାର-ମାର ହେଉଥିଲେ । ତାଙ୍କ ସାଙ୍ଗରେ ଆଉ ଜଣେ ଅଧେଙ୍କର ବି ପାଟି ଶୁଭୁଥିଲା । ସମସ୍ତେ ଏକାଠି କାହାକୁ ମାର-ନମାର ବ୍ୟବହାର ପରି ପରିସ୍ଥିତି ଉପୁଜିଥିଲା ।

ଦୂର ଘାସ ପଡ଼ିଆରେ ଯୋଗ କରୁଥିଲି ମୁଁ । ପାଟିଶୁଣି ପାଖକୁ ଆସି ଦେଖେ ତ ଦାମ ମଉସାଙ୍କ ସାଙ୍ଗରେ ଆଉ ଜଣେ ଦି’ଜଣ ମିଶି ରାଧୁଆଟାକୁ ମାର-ନମାର ବ୍ୟବହାର କରୁଛନ୍ତି । ରାଧୁଆ ସେମାନଙ୍କ ମଝିରେ ଥାଇ – ‘ଆରେ ମୋ କଥାଟା ଟିକେ ଶୁଣ, ତା ପରେ ପାଟି କରିବ; ଯାହା କହିବା କଥା କହିବ...,’ କହୁଥାଏ । ହାଡ଼ିଆ ମୋ ଯିବା ଆଗରୁ ମଝିରେ ପଶି ଅଟକା ଅଟକି କରି ଘଟଣାର ସମାଧାନ କରିବାକୁ ଚେଷ୍ଟା କରୁଥିଲା । ହେଲେ ଏକୁଟିଆ ପାରିଲା ନାହିଁ; ପରିସ୍ଥିତି ସେତେବେଳକୁ ଧୀରେ ଧୀରେ ଅଣଆୟତ ହେଉଥିଲା । ମୋ ପହଞ୍ଚିବା ଦେଖି ହାଡ଼ିଆ ଫେରିଆସିଲା; ଦୋକାନରେ ଅନ୍ୟ ଗରାଖଙ୍କ କଥା ବୁଝିଲା । ମୁଁ ଯାଇ ଦାମ ମଉସାଙ୍କୁ ବୁଝାସୁଝା ଅନେକ କଲି; ତାଙ୍କ ହାତକୁ ଧରି ସେଠାରୁ ଘରକୁ ତଡ଼ିବାକୁ ଚେଷ୍ଟା କଲି; ଅନ୍ୟମାନଙ୍କୁ ମଧ୍ୟ ବୁଝାଇଲି । କିଛି ସମୟର ଚେଷ୍ଟା ପରେ ସମସ୍ତେ ତୁନି ହେଲେ । ପରିସ୍ଥିତି ସୁଧୁରିବା ଦେଖି – ମୁଁ ମୋ ନିଜ ତରଫରୁ ସମସ୍ତଙ୍କ ପାଇଁ ହାଡ଼ିଆକୁ ଚାହା ଅର୍ଡ଼ର କଲି ।

ଦାମ ମଉସା କିନ୍ତୁ ରାଗି ଚାଲିଗଲେ, ଘରକୁ । ଗଲାବେଳେ କ’ଣ ମେଞ୍ଚାଏ ଗୁଣୁଗୁଣେଇ ଭାଷା ଅଭାଷା କହିଗଲେ... ହାଡ଼ିଆକୁ ଉଦ୍ଦେଶ୍ୟ କରି । ଠିକ୍ ଭାବେ ଶୁଣିହେଲାନି ।

ରାଧୁଆ! ଆମ ଆର ସାହିରେ ତା ଘର । ସାମାନ୍ୟ କୁହାଳିଆ ପ୍ରକୃତିର ପିଲାଟେ, କିନ୍ତୁ ବୁଝିଲା ଶୁଝିଲା ବୁଦ୍ଧିର । ଦି’ଅକ୍ଷର ପାଠ ବି ପଢ଼ିଥିଲା; ମେଟ୍ରିକ୍ ପାସ୍ କରିଛି କି ନାହିଁ ମୋର ଜଣା ନାହିଁ । କିନ୍ତୁ ତାକୁ କୁଜିନେତାଗିରି କରିବା ମୁଁ ଦେଖିଛି । ସରପଞ୍ଚଙ୍କଠୁ ଏମ୍‌.ଏଲ.ଏ. ସମସ୍ତଙ୍କ ପଛରେ ତାକୁ ଚାଲିବା ବି ମୁଁ ଦେଖିଥିଲି, ବହୁବାର । ହେଲେ ରାଧୁଆ ବ୍ୟବହାରରେ କେବେ ଶାସକ କିମ୍ବା ବିରୋଧୀ ଦଳର ପକ୍ଷପାତିତା ପ୍ରଦର୍ଶନ – ମୋ ନଜରକୁ ଆସିନି । ଚିରୁକୁଟି ବଣ୍ଟା ହେଉ ଅବା ରିଲିଫ୍ ଅବା ଭୋଟ ପ୍ରଚାର – ସବୁଥିରେ ସେ ଆଗୁଆ ଥାଏ ।

ହାଡ଼ିଆ ଚାହା ତିଆରି କରିସାରି ପାଖକୁ ଡାକିଲା । ଗୋଟି ଗୋଟି କରି ଚାହା ସମସ୍ତଙ୍କ ହାତକୁ ବଢ଼ାଇଲା । ଶେଷ ଚାହା ଗିଲାସଟିକୁ ମୋ ହାତକୁ ବଢ଼େଇ କହିଲା – ‘ଭାଇ ଏଇଟା ତୁମ ଚିନିଛଡ଼ା ଚାହା – ମୋଟ ଏଗାରଟା ହେଲା ।’

‘ହଉ... କେତେ ପଇସା ତୋର ହେଲା?’ – ପଚାରିଲି ।

‘ଭାଇ! ପଞ୍ଚାବନ ହଉଛି; ତମେ ପଚାଶ ଦିଅ ।’ – ହାଡ଼ିଆ କହିଲା ।

ରାଧୁଆ କିନ୍ତୁ ଚାହା ପିଉ ନଥାଏ । ତାକୁ ଦେଖି ପଚାରିଲି, ‘ଆରେ ରାଧୁଆ! ତୁ ଚାହା ନେଲୁନି କିରେ?’

‘ନାଁ ଭାଇ, ଏଇନେ ପାନଟେ ପାଟିରେ ପୂରେଇଛି ତ – ନଷ୍ଟ ହେଇଯିବ – ପୂରା ପାଞ୍ଚଟଙ୍କା ପାଣିରେ ପଡ଼ିବ ।’ – କହିଲା ରାଧୁଆ ।

ଅତି ବାଧ୍ୟ କରିବା ପରେ ପଟିରୁ ଅଧାଚୋବା ପାନକୁ ଥୁ ଥୁ କିର କାଢ଼ି ଫୋପାଡ଼ିଲା ରାଧୁଆ – ହାତରେ ଚାହା ଗିଲାସ ଧଇଲା ।

‘ଏଥର ପଚାଶ ନୁହେଁ କି ପଞ୍ଚାବନ ନୁହେଁ; ପୂରା ଷାଠିଏ ହେଲା ତ!’ – କହିଲି ।

‘ହଉ ଭାଇ, ଷାଠିଏ ଦିଅ’ – ହାଡ଼ିଆ କହିଲା ।

ଚାହା ଢ଼ୋକେ ପାଟି ଭିତରକୁ ନେଇ ହସି ହସି ପଚାରିଲି, ‘ଆରେ ରାଧୁଆ! କ’ଣ ହେଲା କିରେ? ଦାମ ମଉସା ଏମିତି ରାଗିଲେ କାହିଁକି; ତୋ ଉପରେ? ତୁ କ’ଣ କଲୁ କି?’

ହସିଲା ରାଧୁଆ – ତା ପାନଖିଆ ପାଟିର କଷରାଦାନ୍ତ ଦୁଇ ଧାଡ଼ିକୁ ଚିରି ହସିଲା । ‘ନାଇଁ ଭାଇ ମୁଁ କାହିଁ କ’ଣ କରିବି?’

‘ତୁ କରିନୁ – ଆଉ କିଏ କଲା?’ – ପଛରୁ କିଏ ଜ’ଣେ କହିଲା ।

ସେଇ ଲୋକଟାକୁ ଚିହ୍ନିବାକୁ, ବୁଲି ଚାହିଁଲି ପଛକୁ । ସିଏ ଆମ ଗାଁ ଭଗିଆନା । ମୁହଁକୁ ମୁହଁ ସାମ୍ନା ହେଲାରୁ ଅଳ୍ପ ହସିଲେ ଭଗିଆନା । ପୁଣି ରାଗିଲା ଭଳି କହିଲେ – ‘ଏଇ ଟୋକାଟା ସବୁ ନାଟର ମଞ୍ଜି; ୟାରି ପାଇଁ ସବୁ ଘଟଣା ଘଟିଛି ।’

ଏଥର ରାଧୁଆ ରାଗି ଚିତ୍କାର କଲା – ‘ହଁ... ହଁ ମୁଁ ଦାୟୀ... ନାଟର ଗୋବର୍ଦ୍ଧନ... ସେଇଠୁ କ’ଣ ହେଲା?’

‘ଦେଖୁନ ଦେଖୁନ ଟୋକାଟାର କେଡ଼େ ମୁହଁ? ଦାମର ଘରଟାକୁ ଭାଙ୍ଗି ଅଲଗା କରିଦେଇ ବହପ ଦେଖେଇ ହଉଚି, କେମିତି ଓଲଟା କହୁଚି... ନିଜ ଦୋଷ ନମାନି ।’ – ଭଗିଆନା କହିଲେ ।

ଭଗିଆନା ସାଙ୍ଗେ ଆଉ ଦି’ଚାରି ଜଣ ବି ପାଳି ଧରିଲେ । ପରିସ୍ଥିତି ପୁଣି ମୋଡ଼ ବଦଳାଇବାର ଆଶଙ୍କା କରି ସମସ୍ତଙ୍କୁ ତୁନି ହେବାକୁ ଅନୁରୋଧ କଲି । ଏଥର ସମସ୍ତେ ଚୁପ୍ ହେଲେ । 

କହିଲା ରାଧୁଆ – ସେଦିନ ଦାମ ମଉସାଙ୍କ ପୁଅ ପ୍ରକାଶ ମନ ଦୁଃଖ କରି ଚୁପ୍‌ଚାପ୍ ମଠ ପାହାଚରେ ବସିଥିଲା ।

‘ଦାମ ମଉସାଙ୍କ ପୁଅ ପ୍ରକାଶ! ସିଏ ପୁଣି କିଏ? ତାକୁ ମୁଁ ତ କେବେ ଗାଁରେ ଦେଖିନି?’ – ପଚାରିଲି ।

‘ସିଏ ପରା ବେଙ୍ଗାଲୁରୁରେ ରୁହେ । କୋଉ ଏକ କମ୍ପାନୀରେ ଆଜକୁ ପାଞ୍ଚ ସାତ ବର୍ଷ ହେଲା କାମକରୁଛି । ତାକୁ ତମେ ଦେଖିଥାନ୍ତ କେମିତି?’ – ରାଧୁଆ କହିଲା ।

‘ହଉ ଛାଡ଼ ସେକଥା । ଏବେ ତୁ କହ; କ’ଣ ହେଲା ତା’ପରେ?’ – କହିଲି ।

‘ପ୍ରକାଶ ବସିଥିଲା ମନ ଦୁଃଖରେ । ମୁଁ ସେଇବାଟେ ହାଟକୁ ଯାଉଥାଏ । ପ୍ରକାଶକୁ ଦେଖି ପଚାରିଲି – ‘ଆରେ ପ୍ରକାଶ ଏଠି କ’ଣ ଏକୁଟିଆ ବସିଛୁ?’ ସିଏ ମିଛହସଟେ ହସି କହିଲା – ‘ନାଇଁ ଏମିତି ବସିଛି ଭାଇ । ଘରେ ଆଉ କେତେ ବସିଥାନ୍ତି! ଭଲ ଲାଗୁନି ।’ କଥା ଶୁଣି ତା ପାଖରେ ଟିକିଏ ବସିପଡ଼ିଲି । ଭାବିଲି – ‘ପିଲାଟା ସାଙ୍ଗରେ ଟିକେ ଗପସପ କଲେ ତା ମନଟା ପରିବର୍ତ୍ତନ ହେଇଯିବ ।’ କଥାରେ କଥାରେ ତାକୁ ପଚାରିଲି –‘କେବେ ପୁଣି ବାଙ୍ଗାଲୁରୁ ଫେରିବୁ, ଭାବିଛୁ?’ ସିଏ କହିଲା – ‘ଏଇ ଲକ୍‌ଡାଉନଟା ଉଠିଲେ ଯାଇଁ ଯାହା ହେବ... ଭାବିବି... ସେଠି ଚାକିରି ରହୁଛି କି ନାହିଁ ଦେଖ! କମ୍ପାନୀ କଥା... କିଏ କ’ଣ କହିବ! ଦି’ମାସ ହେଲା ଦରମା ନାହିଁ... ଘରେ ବସିଛି ।’ ଏତିକି କହି ପ୍ରକାଶ ଚୁପ୍ ହୋଇ ମୁହଁକୁ ତଳକୁ ପୋତିଦେଲା । କିଛି ସମୟ ଯାଏଁ ବିଭିନ୍ନ କଥା କହି ପ୍ରକାଶର ମନକୁ ବଦଳାଇବାକୁ ଚେଷ୍ଟା କଲି ମୁଁ । ପଚାରିଲି – ‘ଟଙ୍କା ପଇସା ଅଛି କି ନାହିଁ? ଯଦି କହିବୁ ମୁଁ କିଛି ବ୍ୟବସ୍ଥା କରିଦେଇପାରେ... ।’ ସିଏ ଅରାଜି ହେଲା; କହିଲା – ‘ନାଁ ଯାହା ଅଛି ଆଉ କିଛିଦିନ ଚଳିଯିବ, ଯଦି ଦରକାର ହୁଏ କହିବି ନିଶ୍ଚୟ ।’ ପ୍ରକାଶଠାରୁ ଏମିତି ଉତ୍ତର ପାଇଲା ପରେ ପୁଣି ପଚାରିଲି – ‘ତେବେ, ଏମିତି ମନ ଦୁଃଖ କରି କାହିଁକି ଏଠି ବସୁଛୁ?’ ପୁଣି ମିଛହସ ହସିଲା ପ୍ରକାଶ । ମୁଣ୍ଡ ହଲାଇ ଇସାରା କରି କ’ଣ କହିଲା; ମୁଁ ବୁଝିପାରିଲି ନାହିଁ । ଏଥର ପ୍ରକାଶ ନିଜ ମୋବାଇଲଟିକୁ ପକେଟ୍‌ରୁ ବାହାର କରି ମ୍ୟାସେଜ୍ ବକ୍ସକୁ ଖୋଲି ଦେଖାଇ କହିଲା – ‘ଏବେ କରୋନା କାଳ; ରୋଜଗାର ନାହିଁ; ସଂସାର ଚଳାଇବାକୁ ପକେଟ୍‌ରୁ ଧୀରେ ଧୀରେ ଟଙ୍କା ସରି ସରି ଆସିଲାଣି; କେତେଦିନ ଏମିତି ଚାଲିବ – କ’ଣ ହେବ ଜଣାନାହିଁ! ତା’ଉପରେ ପୁଣି ଏହି ‘କାଳିଆ’ ଯୋଜନାର ଟଙ୍କା ଫେରସ୍ତ ମ୍ୟାସେଜ୍ ଦେଖି ମୁଣ୍ଡରେ ଚଡ଼କ ପଡ଼ିଛି । ମ୍ୟାସେଜ୍‌ରେ ଲେଖା ଅଛି: ମୁଁ ଟଙ୍କା ପାଇବାରେ ଅଯୋଗ୍ୟ; ସରକାର ଦେଇଥିବା ପାଞ୍ଚ ହଜାର ଟଙ୍କା ଫେରାଇବାକୁ ହେବ; ତେଣୁ ସରକାରୀ ଆକାଉଣ୍ଟ ନମ୍ବର(୩୮୪୭୪୫୦୦୭୬୨) ଓ ଆଇ.ଏଫ୍‌.ଏସ୍‌.ସି. ନମ୍ବର(ଏସ୍‌ବିଆଇଏନ୍‌୦୦୧୦୨୩୬)ରେ ଟଙ୍କା ଫେରସ୍ତ ଜମା କରିବାକୁ ହେବ; ନହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର ବୋଲି ଧମକ ବି ଲେଖାଅଛି ।’ ପ୍ରକାଶ ମନର କଥାକୁ ଶୁଣିଲା ପରେ ମୁଁ ହସିବି ନା କ’ଣ କହିବି କିଛି ବୁଝିପାରୁ ନଥିଲି । ତଥାପି ହସି କହିଲି – ‘ତୁ ଆଗ ଯାଇ ପଞ୍ଚାୟତରେ ବୁଝ, କାହିଁକି ତୁ ଯୋଗ୍ୟ ନୋହୁଁ । ତା’ପରେ ମୁଁ ଉପାୟଟା କହିବି ।’ 

ପରଦିନ ପ୍ରକାଶ ପଞ୍ଚାୟତରୁ ସବୁ ବିଷୟ ବୁଝି ପୁଣି ମୋତେ ଦେଖା କଲା ଆଉ କାରଣଟା କହିଲା – ‘ବାପାଙ୍କର ସରକାରୀ ପେନ୍‌ସନ ଅଛି, ସେଥିଲାଗି ମୁଁ ଅଯୋଗ୍ୟ । ଟଙ୍କା ଫେରସ୍ତ କରିବାକୁ ହେବ ।’

ମୁଁ କହିଲି – ‘ପ୍ରକାଶ! ତୁ ବାପାଙ୍କଠୁ ଅଲଗା ହେଇଯା; ଯେତେଦିନ ବାଙ୍ଗାଲୁରୁ ନ ଯାଇଛୁ ସେତେଦିନ ଯାଏଁ ଗାଁରେ ଅଲଗା ଘର ଭଡ଼ା ନେଇ ରହ – ସମସ୍ତେ ଜାଣନ୍ତୁ ତୁ ତୋ ବାପାଙ୍କଠାରୁ ଅଲଗା । ମସେ କି ଦି’ମାସ ଗଲାପରେ ତହସିଲ ଅଫିସ୍‌ରୁ ହେଉ କି ବିଡିଓ ଅଫିସ୍‌ରୁ ପ୍ରମାଣପତ୍ରଟିଏ ବାହାର କରି ଜମା କରିଦେବୁ ଯେ, ମୁଁ ମୋ ବାପାଙ୍କଠୁ ଅଲଗା । ଦେଖିବୁ ତତେ ଆଉ ଟଙ୍କା ଫେରାଇବାକୁ ହେବନି, ବରଂ ଆହୁରି କେତେ ଯୋଜନାରେ ତୋ ନାଁ ଯୋଡ଼ା ହେଇଯିବ!’

ପ୍ରକାଶ ମୋ କଥାମାନି ଦାମ ମଉସାଙ୍କଠୁ ଅଲଗା ହେଇ ଘର ଭଡ଼ାନେଇ ରହିବା ଆରମ୍ଭ କରିଛି, କାଲିଠାରୁ । ତେଣୁ ଦାମ ମଉସାଙ୍କର କହିବା କଥା – ‘ମୁଁ କୁଆଡ଼େ ତାଙ୍କ ଘର ଭାଙ୍ଗିଦେଇଛି!’

ଏକ ନିଶ୍ୱାସରେ ରାଧୁଆ ସବୁ କଥା କହିଗଲା ପରେ ଟିକେ ନିଶ୍ୱାସ ମାରିଲା । ଅନ୍ୟମାନେ ସମସ୍ତେ ଯିଏ କିଛି ସମୟ ଆଗରୁ ରାଧୁଆକୁ ମାର-ନମାର ହେଉଥିଲେ, ସେମାନେ ପରସ୍ପରକୁ ଚହାଁଚୁହିଁ ହେଲେ । ରାଧୁଆ ପ୍ରତି ସେମାନଙ୍କର ଧାରଣା ପରିବର୍ତ୍ତନ ହେଲା ପରି ଜଣାଗଲା ।

ବଡ଼ ଦାମ୍ଭୀକତାର ସହ ନିଜକୁ ନିର୍ଦ୍ଦୋଷ ପ୍ରମାଣୀତ କଲାପରେ ରାଧୁଆ ପୁଣି କହିଲା – ‘ଭାଇମାନେ ଏଥର କହିଲ ଦେଖି! ଦାମ ମଉସାଙ୍କ ଘର ଭାଙ୍ଗିବା ପଛରେ ମୁଁ ଦାୟୀ ନା ସରକାରୀ ଯୋଜନା! ସରକାରଙ୍କର ସବୁ ଯୋଜନା ତ ସେମିତି: ଘର ଦେବେ ଯେ ସବୁ ଭାଇଙ୍କୁ ଅଲଗା ଅଲଗା । ଚାଉଳ ବଣ୍ଟା ହେବଯେ ସବୁ ଭାଇଙ୍କୁ ଅଲଗା ଅଲଗା । ପାଇଖାନା ଦେବେଯେ ଅଲଗା ଅଲଗା । ସରକାରୀ ନୀତି ତ ‘ଛାଟ ପରିବାର ସୁଖୀ ପରିବାର’ । ତେବେ ଏଥିରେ ମୋର ଦୋଷ କ’ଣ କହିଲ ଭାଇ!’

ରାଧୁଆର ସବୁ କଥାକୁ ଧର୍ଯ୍ୟର ସହ ଶୁଣିଲାପରେ ବୁଝିଲି – ‘ରାଧୁଆ ତା ଜାଗାରେ ଠିକ୍‌, ଦାମ ମଉସା ବି ତାଙ୍କ ଜାଗାରେ ଠିକ୍ । ହେଲେ ଏ ଘଟଣା ଘଟିବାର ମୂଳ କାରଣ: ସରକାରୀ ଯୋଜନା ‘କାଳିଆ’ର ସାଇଡ୍ ଇଫେକ୍ଟ ।’

– – –

ହଠାତ୍ ପ୍ରକାଶ ବାଇକ୍ ଚଢ଼ି ଛକଆଡ଼ୁ ଆସି ପହଞ୍ôଚଲା । କହିଲା: ପୁଲିସ୍ ଗାଡ଼ି ଆସୁଛି, ମୁଁ ଛକରୁ ଗାଁକୁ ଗଡ଼ିବା ଦେଖିଛି । ଏଠୁ ଶୀଘ୍ର ମାସ୍କ ପିନ୍ଧି ଘରକୁ ଯାଅ – ନହେଲେ ଫାଇନ୍ ଲାଗୁ ହେବ!


Rate this content
Log in

Similar oriya story from Abstract