ନଖିନାନୀ ପୁଅ ନଖିଆ
ନଖିନାନୀ ପୁଅ ନଖିଆ
ସେଦିନ ସକାଳୁ ସକାଳୁ ନଖିଆ ଜାକିଯୁକି ହୋଇ, ଶୁଖିଲା ମୁହଁକୁ ନୁଖୁରା ମୁଣ୍ଡ, ଚିରା କୋତରା ଲୁଗାକୁ ଖାଲି ପାଦରେ ଆସି ଠିଆହେଲା – କାଳିଆ ଚା ଦୋକାନ ସାମ୍ନାରେ ।
ହଠାତ୍ ମୂତୁରା ମୂତୁରା ବାସ୍ନାରେ ମହକିଲା ପବନ ।
କାଳିଆ କଣେଇ ଚାହିଁଲା ନଖିଆକୁ; ମୁହଁ ପୋତି ଗାରୁଗାରୁ ହେଲା – କିନ୍ତୁ ନଖିଆକୁ ନୁହେଁ । କେହିଜଣେ ସକାଳୁ ସକାଳୁ ଚା’ଟେ ପିଇଦେଇ ‘ପଇସା କାଲିକି ଦେବି’ କହି ଚାଲିଯାଇଛି – ସେତିକିବେଳଠୁ କାଳିଆର ମୁଡ୍ ଗରମ । ଖାଲି ଟିଙ୍ଗିଟିଙ୍ଗି ସିଙ୍ଗିସିଙ୍ଗି ହେଇ କଥା କହୁଛି, ସବୁ ଗରାଖଙ୍କୁ ।
ନଖିଆ ଆସିବା ପୂର୍ବରୁ କାଳିଆ ଦୋକାନ ଆଗରେ ଠିଆ ହୋଇଥିଲେ ଦୁଇ ଚାରି ଗରାଖ । ସେଠି ନଖିଆ ପହଞ୍ôଚବା ପରେ, ମହଲଟା ସଂପୂର୍ଣ୍ଣ ବଦଳିଗଲା । କାଳିଆ ବେଶି ବେଶୀ ଟିଙ୍ଗିଟିଙ୍ଗି ସିଙ୍ଗିସିଙ୍ଗି ହେଇ କଥା ହେଲା । ଗରାଖ କେଇଜଣ ବୁଲି ଚାହୁଁଥାନ୍ତି ନଖିଆକୁ, ଆଉ କିଏ କାଳିଆକୁ । ଭାବୁଥାନ୍ତି – କାଳିଆ ବୋଧହୁଏ ନଖିଆକୁ ଦେଖି ଏମିତି ଗାରୁଗାରୁ ହେଉଛି! ବିରକ୍ତ ହେଉଛି!
କାଳିଆ ହାତ କିନ୍ତୁ ଚା ତିଆରିରେ ବ୍ୟସ୍ତ । କେଟିଲରେ ମାପକରି କ୍ଷୀର ତା ପରେ ଅଳ୍ପ ସିଉଳିଲଗା ପ୍ଲାଷ୍ଟିକ୍ ମଗରେ ମାପକରି ପାଣି ଦେଇସାରି ଅଣ୍ଟାଭାଙ୍ଗି ନଇଁପଡ଼ିଲା ତଳକୁ । ଭାଡ଼ି ଭିତରୁ ଭିଡ଼ିଆଣିଲା କାଳିଆ, ସାଇତା ଚିନି ଚାହାପତିର ନାଲି ଡବାକୁ । ଏକା ଚାମଚ୍ରେ ଥର ଥର କରି ଚିନି ଆଉ ତାପରେ ଚାହାପତି ଓଜାଡ଼ିଲା କେଟିଲରେ । ଗ୍ୟାସ୍ ଚୁଲିର ନଭ୍ଟାକୁ ତେଜି ଦେଇ ଏଥର ଚାହିଁଲା କାଳିଆ, ଗରାଖଙ୍କୁ... ନଖିଆକୁ ।
ଗରାଖମାନେ ଯେଝା ଯେଝା କଥାବାର୍ତ୍ତାରେ ବ୍ୟସ୍ତ ।
ନଖିଆ ଏପାଖ ସେପାଖ ବୁଲୁଥାଏ; କାହାକୁ କ’ଣ କହିବ... ମାଗିବ (?) ଠିକ୍ କରିପାରୁ ନଥିଲା । ଖାଲି ୟା ତା ମୁହଁକୁ ଚାହୁଁଥିଲା । ମନକୁ ମନ ଚୁପି ଚୁପି ନିଜକୁ ନିଜେ ବକର ବକର ହେଉଥିଲା ।
ସଫାସୁତୁରା ପୋଷାକ ଆଉ ଅଚିହ୍ନା ମୁହଁର ଲୋକଟାକୁ ଦେଖି, ନଖିଆ ପାଖକୁ ମାଡ଼ିଗଲା । ବାମ ହାତଟାକୁ ପେଟ ଉପରେ ଜାକି ଡାହାଣ ହାତଟାକୁ ଓଠରେ ଛୁଇଁ ଛୁଇଁ (ଖାଇବାକୁ ମାଗିଲା ଭଳି) ଠାରିଲା ।
ଅଚିହ୍ନା ମୁହଁର ଲୋକଟି ସାମାଜିକ ଦୂରତା ରଖି ବୁଲି ଚାହିଁଲା – ନଖିଆକୁ ।
ନଖିଆ ସେଇମିତି ଆଗଭଳି ଗୋଟାଏ ହାତକୁ ପେଟ ଉପରେ ଜାକି ଅନ୍ୟଟିକୁ ଓଠରେ ଛୁଇଁ ଛୁଇଁ ଠାରିଲା ।
ଅଚିହ୍ନା ଲୋକ ବୁଝିଗଲେ – ‘କ’ଣ ଖାଇବୁ?’ ପଚାରିଦେଲେ ।
ନଖିଆ ପୁଣି ହାତକୁ ମୁହଁ ପାଖକୁ ନେଇ ପିଇବା ଢଙ୍ଗରେ ଠାରି କହିଲା – ଚାହା ପିଇବି ।
ଅଚିହ୍ନା ଲୋକ ଜଣକ ଚାହା ଦୋକାନି କାଳିଆକୁ ଆଦେଶ କି ଅନୁରୋଧ କଲେ କେଜାଣି; କିନ୍ତୁ କହିଲେ – ତାକୁ ଟିକେ ଚାହା ଦିଅ ।
କାଳିଆ ମୁଣ୍ଡ ଟୁଙ୍ଗାରି ‘ହଁ’ କଲା । ମୁରୁକି ହସିଲା । ହସି ହସି ନଖିଆକୁ ଶୁଣେଇ କହିଲା – ନଖିଆ! ଚାହା ପିଇବୁ... ହାତ ଧୋଇଛୁ?
ନଖିଆ ମୁଣ୍ଡ ଟୁଙ୍ଗାରିବା ସହିତ ବଡ଼ପାଟିରେ ‘ହଁ’ କହିଲା । ହାତ ଦୁଇଟାକୁ ତା’ର ଜିଭ ଦେଖେଇଲା ଭଳି ମୋଡ଼ିମାଡ଼ି ଦେଖେଇଗଲା ।
ନଖିଆ ଯେମିତି ବିରକ୍ତ ହେବ, ସେମିତି କାଳିଆ ମିଛରେ କହିଲା – ଏଇ ଟିକେ ଆଗରୁ ତୁ ପରା ଚାହା ପିଇଗଲୁ! ପୁଣି ଚା’ । ଚାହା ପିଇ ପିଇ ନଖିଆ ତୁ ମରିଜା... ।
ନଖିଆ ବିସ୍ଫୋରି ଉଠିଲା; କହିଲା; ଥରେ ନୁହେଁ ବାରମ୍ବାର – ମୁଁ କାହିଁକି ମରିବି ବା? ମୋ ବୋଉ କାନ୍ଦିବ!
କାଳିଆ ହସିଲା । ଗରାଖମାନେ ବି ହସିଲେ । କିନ୍ତୁ ନଖିଆ ଏପାଖ ସେପାଖ ବୁଲୁଥିଲା ଆଉ ବାରମ୍ବାର ଜପୁଥିଲା – ମୁଁ କାହିଁ ମରିବି? ମୁଁ ମରିଲେ ମୋ ବୋଉ କାନ୍ଦିବ...!
ସମସ୍ତେ ଏକାଠି ହସୁଥିଲେ ନଖିଆ କଥା ଶୁଣି । ପୁଣି ସେଇ ଗରାଖମାନଙ୍କ ଭିତରୁ କେହିଜଣେ ଯିଏ ନଖିଆକୁ ଆଗରୁ ଜାଣେ, କହିଲା – ତୋ ବୋଉ ପରା ସକାଳୁ ମଲାଣି! ଏଇନେ ଶଙ୍କରା ଆସି କହିଗଲା!
ହଠାତ୍ ନଖିଆ ମୁହଁର ଗଢ଼ଣ ବଦଳିଲା । ଜମାରୁ ବିରକ୍ତ ନ ହୋଇ ମୁହଁଚିରି ନଖିଆ କହିଲା – ମୋ ବୋଉ କାଇଁ ମରିବ... ତୋ ବୋଉ ମରୁନି! ମୋ ବୋଉ ମଲେ ମୋତେ କିଏ ଖାଇବାକୁ ଦେବ... ମୋ ମୁଣ୍ଡ କୁଣ୍ଡେଇଦବ!
ଯେତେସବୁଙ୍କ କାନରେ ନଖିଆ କଥା ବାଜିଲା ସମସ୍ତେ ଅଳ୍ପ ବହୁତେ ହସିଲେ; ପରସ୍ପରକୁ ଚହାଁଚୁହିଁ ହେଇ । କିନ୍ତୁ ମୁଁ ନୁହେଁ... ଚୁପ୍ଚାପ୍ ସବୁ ଶୁଣୁଥିଲି; ସମସ୍ତଙ୍କ କଥା ଆଉ ନଖିଆର ଉତ୍ତରକୁ । ସାମାନ୍ୟ ଦୂରେ ଥାଇ ।
ସେତେବେଳ ଯାଏଁ କାଳିଆ ଚିନିଛଡ଼ା ଚାହା ତିଆରିରେ ଡେରି କରୁଥିଲା । କିନ୍ତୁ, ଯେହେତୁ ସେ ମୋତେ କହିଥିଲା – ଟିକେ ଅପେକ୍ଷା କରିବାକୁ । ତେଣୁ ଦୂରେ ଠିଆହେଇ ଅପେକ୍ଷା କରିଥିଲି ମୁଁ । ଦେଖୁଥିଲି ଘଟୁଥିବା ସବୁ ଘଟଣାକୁ ।
ନଖିଆ ଚାହା ପିଇଲା ନାହିଁ – କି ଆଉ ଥରେ ଚାହା ମାଗିଲା ନାହିଁ । ମୁହଁମୋଡ଼ି ଫେରିଗଲା ନୀରବରେ... ଦୁଇ ପାଦ ଆଗକୁ ଯାଇଛିକି ନାହିଁ ‘ଧାଇଁ କିଡ଼ି କିଡ଼ି...’ ଗୀତ (ଯାହାକୁ ସେ ପ୍ରାୟ ସବୁବେଳେ ଗାଇ ବୁଲିବା ଅନେକେ ଜାଣନ୍ତି) ଗାଇ ଚାଲିଲା ନଖିଆ । ତା ଘର ଆଡ଼କୁ ।
ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହେଲି ନଖିଆର ଉତ୍ତରରେ । ମନକୁ ମନ ଭାବିଲି –କେଡ଼େ ବଡ଼ କଥାଟେ ନକହିଲା ନଖିଆ । ପାଗଳ ପ୍ରାୟ ପରିଚିତ ନଖିଆ ଆଜି ଅଜଣା ଚାପୁଡ଼ାଟେ ମାଇଲା, ଥଟ୍ଟା କରୁଥିବା ମଣିଷଗୁଡ଼ାଙ୍କ ଗାଲରେ । କିନ୍ତୁ ‘ତା ପାଇଁ ଚାହା ନୁହେଁ – ମା’ ଦରକାର’ ବୋଲି ସ୍ପଷ୍ଟ ଜଣେଇ ଦେଇଗଲା ପରେ ବି ଅବୁଝାମାନେ ହସୁଥିଲେ ।
କାଳିଆ ଚାହା ଗିଲାସଟା ମୋ ଆଡ଼କୁ ବଢ଼ାଇଦେଲା । ଚିନିଛଡ଼ା ଚା’ ।
କାଳିଆ ହାତରୁ ଚାହା ଗିଲାସକୁ ନେଇ ଓଠରେ ଚୁଚୁମିଲା ବେଳକୁ ଚାହିଁଲି: ନଖିଆ ଚାଲି ଯାଇଥିଲା କେତେ ଦୂରକୁ... ଆସ୍ତେ ଆସ୍ତେ କେତେ ଦୂରକୁ... ଦେଖାଗଲାନି ଆଉ ନଖିଆ ।
କାଳିଆକୁ ପଚାରି ବୁଝିଲି; ନଖିଆର ପୂରା ନାଁ – ଲକ୍ଷ୍ମୀକାନ୍ତ । କେହି କେହି ଲୋକେ ତାକୁ ନଖିନାନୀ ପୁଅ ନଖିଆ ବୋଲି ବି ଡାକନ୍ତି । ଜନ୍ମରୁ ସିଏ ଏମିତି; କିନ୍ତୁ ସିଏ ତା ବୋଉକୁ ଭାରି ଭଲପାଏ । ହାଟ ବଜାରରୁ ମାଗିଯାଚି ଯାହା ପାଏ, ତା ବୋଉକୁ ନେଇ ଦିଏ । ତା ବୋଉ ତାକୁ ଦଣ୍ଡେ ନ ଦେଖିଲେ ଆଉ ସିଏ ତା ବୋଉକୁ ନଦେଖିଲେ.... ଖୁବ୍ କାନ୍ଦନ୍ତି । ସତେଯେମିତି ‘ବୋଉ ତା’ର ଜୀବନ – ତା ବୋଉର ସିଏ ଜୀବନ’ ।