Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Prasanta Kumar Nath

Inspirational

4  

Prasanta Kumar Nath

Inspirational

ପୁଣି ଥରେ ରାମାୟଣ

ପୁଣି ଥରେ ରାମାୟଣ

7 mins
56


"ଜନତା କର୍ଫ୍ୟୁ' ଓ "ସମ୍ପୂର୍ଣ୍ଣ ତାଲାବନ୍ଦ' ଆଉ ମଝି ଦୁଇ ଦିନକୁ ମିଶାଇ ଛଅଦିନ ହେଲା ଗୃହବନ୍ଦୀ ମନୁବାବୁ । ଘରୁ ଗୋଡ଼ କାଢ଼ି ଜମାରୁ କୌଣସି କାମରେ ବାହାରକୁ ଯାଇନାହାନ୍ତି ମନୁବାବୁ । ଛଅଦିନ ହେଲା ବିନା ପରିଶ୍ରମରେ ଦେହଟା ତାଙ୍କର ସକାଳୁ ସକାଳୁ କାହିଁକି ଭାରି ଭାରି ଲାଗୁଥିଲା; କୌଣସି ଗୋଟିଏ ହେଲେ ଘର କାମରେ ମନ ଲାଗୁ ନଥିଲା – ଦିନସାରା ବସି ବସି କେତେ ଚା ପିଅନ୍ତେ; କେତେ ଆଉ ଶୁଅନ୍ତେ; ବାଲ୍‌କୋନିରେ ଠିଆ ହୋଇ ଦାଣ୍ଡକୁ ଚାହାନ୍ତେ; ଟିଭି ଦେଖନ୍ତେ; ବହି ପଢ଼ନ୍ତେ? ଯଦିଓ ଏହି ଛଅଦିନେ ଗୋଟେ-ଯୋଡ଼େ କବିତା ଲେଖିଛନ୍ତି; ଫେସ୍‌ବୁକ୍ ଘାଣ୍ଟିଛନ୍ତି ବାରମ୍ବାର – ଖାଲି ଘାଣ୍ଟି ନାହାନ୍ତି ତ ସେଥିରେ ନିଜର ମତାମତ ବି ଅପ୍‌ଲୋଡ କରିଛନ୍ତି; ସ୍ତ୍ରୀଙ୍କୁ ରୋଷେଇରେ ସାହାଯ୍ୟ କରିଛନ୍ତି; ବଗିଚାରୁ ଫୁଲ ତୋଳିଛନ୍ତି; ଗଛ ମୂଳେ ପାଣି ଦେଇଛନ୍ତି ତଥାପି ଆଉ ମନ ହେଉନି କବିତାଟିଏ ବି ଭାବିବାକୁ!

ସେ ଯାହା ହେଉ, ସରକାର ନିୟମ ମାନିବାକୁ ତ ହେବ; ତେଣୁ ଗୃହବନ୍ଦୀ ମନୁବାବୁ । ଦୀର୍ଘ ପଇଁଚାଳିଶ ବର୍ଷ ବୟସ ପରେ ବି ଏମିତି ଗୃହବନ୍ଦୀ ଯୋଗ କେବେ ଯୁଟିନି । କେବେ କେମିତି ଦେହ ଖରାପ ହେଲେ ଯଦିଓ ଘରେ ରହନ୍ତି, ତଥାପି ତା ଭିତରେ ବି ଥରେ ଅଧେ ହାଟ ବଜାରକୁ ବୁଲି ଯାଆନ୍ତି । ହେଲେ ଏମିତି ସମ୍ପୂର୍ଣ୍ଣ ଗୃହବନ୍ଦୀ; ଜୀବନରେ କେବେ ଭୋଗିନାହାନ୍ତି ।

କଥାରେ ଅଛି \"କର୍ମହୀନ ହୋଇ ବସି ରହିଲେ ମନରେ ବହୁ ଦୁଶ୍ଚିନ୍ତା ଘର କରେ!\' ତେଣୁ ମନୁବାବୁ ଇୟା ଭିତରେ ବହୁବାର ଚିନ୍ତାମଗ୍ନ ହୋଇ ଭାବିଛନ୍ତି: ତାଙ୍କର ଏଇ ଗୃହବନ୍ଦୀ ହେବାଟା ଦୁର୍ଭାଗ୍ୟ କି ସୌଭାଗ୍ୟ! କିନ୍ତୁ ଦ୍ୱନ୍ଦ୍ୱର ସୀମାରେ ପହଞ୍ଚିବାକୁ ଅସମର୍ଥ ହୁଅନ୍ତି । ତଥାପି ଏ ପରିସ୍ଥିତିରେ ସେ ଗୃହବନ୍ଦୀ ।

ହାତରେ ଚାହା କପ୍‌ଟା ଧରି ମହାମାରୀ \"କରୋନା ଭୂତାଣୁ\'ର ପ୍ରଭାବ ସମ୍ପର୍କରେ ଟିଭିରେ ଖବର ଶୁଣୁ ଶୁଣୁ ମନୁବାବୁ ହଠାତ୍ ବେଶ୍ ଖୁସି ଅନୁଭବ କଲେ । ସତେ ଯେମିତି ତାଙ୍କ ହୃଦୟ ମରୁଭୂମିଟା ମେଘର ସ୍ପର୍ଶରେ ମୟୂର ପରି ନାଚି ଉଠିଲା! ହୃଦୟ ତାଙ୍କ ହରଷି ଗଲା । ବିଳମ୍ବ ନକରି ପ୍ରସନ୍ନ ବଦନରେ ଯାଇ ସ୍ତ୍ରୀଙ୍କୁ କହିଲେ: କାଲିଠାରୁ ନ୍ୟାଶନାଲ ଟିଭିରେ ପୁଣି ଥରେ ରାମାୟଣ, ମହାଭାରତ, ବ୍ୟୋମକେଶ ବକ୍ସି ଓ ସର୍କସ ଆରମ୍ଭ ହେବ; ରବିବାର ରଙ୍ଗୋଲୀ ମଧ୍ୟ ପ୍ରସାରଣ ହେବ । ପ୍ରତ୍ୟାବର୍ତ୍ତନ କରିବ ଓଡ଼ିଆ ମେଗା ଧାରାବାହିକ ‘ଶ୍ରୀଜଗନ୍ନାଥ' । ଆଉ କେତେ କ'ଣ ପ୍ରସାରିତ ହେବ!

ମନୁବାବୁଙ୍କ କଥାକୁ ତାଙ୍କ ସ୍ତ୍ରୀ ଶୁଣି ନଶୁଣିଲା ଭଳି ନିଜ କାମରେ ବ୍ୟସ୍ତ ରହିଲେ; ଏ କଥାଟିରେ ସେମିତି କିଛି ବିଶେଷ ଗୁରୁତ୍ୱ ନ ଦେଲାଭଳି ମନେହେଲା, ତାଙ୍କ ସ୍ତ୍ରୀଙ୍କ ବ୍ୟବହାରରେ ।

ମନୁବାବୁ କିନ୍ତୁ ଫେରିଆସିଲେ ପ୍ରଫୁଲ୍ଲ ବଦନରେ । ତାଙ୍କ ସ୍ୱଭାବ ଥିଲା ବେଶ୍ ପ୍ରସନ୍ନ ଏବଂ ଉତ୍ସାହିତ: ସେଇ ରାମାୟଣ, ସେଇ ମହାଭାରତ, ସେଇ ବ୍ୟୋମକେଶ ବକ୍ସି ଓ ସର୍କସ ପୁଣି ଥରେ ଆରମ୍ଭ ହେବ ଜାଣି ।

ପୁରୁଣା ସ୍ମୃତି ସବୁ ଗୋେଇଟ ହେବ – ସତରେ କ'ଣ ପୁରୁଣା ଦିନଗୁଡ଼ାକ ଫେରିବ? ମନେ ମନେ ଉକୁଟି ଉଠିଲା କେତେ ପ୍ରଶ୍ନ, କିନ୍ତୁ ମୃଦୁ ହସିଲେ ମନୁବାବୁ । କେମିତି ଆଜିଟା କଟିବ; ଆସନ୍ତାକାଲି ସକାଳ ନଅଟା ହେବ? ସବୁ କାମଧନ୍ଦା ଛାଡ଼ି ଟିଭି ଆଗରେ ବସି ଧାରାବାହିକ ଦେଖାହେବ; ସେଥିପାଇଁ ମନେ ମନେ ନିଜକୁ ପ୍ରସ୍ତୁତ କଲେ ।

ରାତି ବାରଟା ପ୍ରାୟ! ବେଡ୍‌ରେ ଶୋଇ ମନୁବାବୁ ବାରମ୍ବାର କଡ଼ ଲେଉଟଉଥିଲେ । ଘର ଭିତରଟା ଅନ୍ଧାର – ତଥାପି ଅନ୍ଧାରୀ ଆଲୁଅରେ ମନୁବାବୁ ଚାହିଁଲେ ସ୍ତ୍ରୀଙ୍କୁ । ବିପରୀତ ଦିଗକୁ ମୁହଁ କରି ନିଘୋଡ଼ ନିଦରେ ଶୋଇଥିଲେ ସେ ।

ମନୁବାବୁଙ୍କ ଆଖିରେ ନିଦ ନାହିଁ । କଟମଟ କରି ଚାହିଁଥିଲେ ଅନ୍ଧାରୀ ଘରର ଧଳା ରଙ୍ଗବୋଳା ଛାତକୁ – ଅବିରାମ ଘୂରିବୁଲୁଥିବା ପଙ୍ଖାର ପରଗୁଡ଼ିକୁ – ପରକୁ ଗଣିବାରେ ଅସମ୍ଭବ ହେଉଥିଲେ ବି ପରମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବୃତ୍ତାକୃତିକୁ ଅନୁମାନ କରିପାରୁଥିଲେ ମନୁବାବୁ । ଉପରମୁହାଁ ଶୋଇ ନିଜ ମନ ଭିତରେ ଆସନ୍ତାକାଲିକୁ ନେଇ ଏକ ପ୍ଲାନ ତିଆରି କରୁଥିଲେ – ଆଖିକୁ ଅଧା ବନ୍ଦକରି ।

ସକାଳେ ଏକାଠି ରାମାୟଣ ଦେଖାହେବ; ସବୁ କାମଧନ୍ଦା ଛାଡ଼ି । ବାପା, ପୂଜା-ରାଜା, ସ୍ତ୍ରୀ ଆଉ ମୁଁ ସମସ୍ତେ ଏକାଠି ବସିବୁ! ରାମାୟଣ ଦେଖୁ ଦେଖୁ ଚାହା ପିଇବୁ ଆଉ ମୁଢ଼ି ବି ଖାଇବୁ! ମୁଢ଼ିରେ ବାଦାମ ମଞ୍ଜିରୁ ଯୋଡ଼େ ମିଶିଥିଲେ ଚଳିବ ନହେଲେ ସେଓ ଗାଣ୍ଠିଆରୁ ମୁଠାଏ ମିଶିଥିବ! ମଝିରେ ମଝିରେ ବିଜ୍ଞାପନ ଆରମ୍ଭ ହେଲେ ପରସ୍ପର ମଧ୍ୟରେ ଆଲୋଚନା କରିବୁ; କଥା ହେବୁ; ସାନପାସ୍ ଯିବୁ; ପୁଣି ବସି ଏକାଠି ରାମାୟଣ ଦେଖିବୁ! ରାମାୟଣ ଚାଲୁଥିଲା ବେଳେ କେହି କାହାରି ସହିତ କଥା ହେବୁନାହିଁ; ସମସ୍ତେ ଚୁପ୍‌ଚାପ୍ ବସି ଦେଖିବୁ!

ଆମ ଘରେ ଟିଭି ନଥିଲା; ଅତୀତରେ ଯେତେବେଳେ ଏହି ରାମାୟଣ ପ୍ରସାରିତ ହେଉଥିଲା – ପ୍ରାୟ ତେତ୍ରିଶ ବର୍ଷ ପୂର୍ବେ । କେବଳ ଆମର ନୁହେଁ, ଆମ କଲୋନୀର ପ୍ରାୟ ନବେଭାଗରୁ ବି ବେଶି ଲୋକଙ୍କ ଘରେ ଟିଭି ନଥିଲା ।

ଶୁଣାଯାଏ ଏହି ରାମାୟଣ ଓ ମହାଭାରତ ପ୍ରସାରଣ କାଳରେ ଭାରତରେ ଟିଭିର ବିକ୍ରୀ ପ୍ରାୟ ଷାଠିଏ ଶତାଂଶ ବୃଦ୍ଧି ଘଟିଥିଲା!

ଆମ କଲୋନୀରେ ସେତେବେଳେ କଳା-ଧଳା ଟିଭି ଥିଲା ଡାକ୍ତର ନାୟକବାବୁଙ୍କ ଘରେ; ମହ୍ଲବାବୁ, ଆପ୍ପା ରାଓ, ମଲ୍ଲିକବାବୁ, ପ୍ରମାଣିକବାବୁ, କୁଣ୍ଡୁବାବୁ ଓ ପଣ୍ଡାବାବୁଙ୍କ ଘରେ । ଏବେ ବି ମନେ ଅଛି ଏମାନେ ଭାରି ଭଲ ଲୋକ ଥିଲେ । ଟିଭିରେ ରାମାୟଣ ମହାଭାରତ ଆରମ୍ଭ ହେଲା ମାତ୍ରକେ ସେଠି ଅଳ୍ପ ବୟସର ପିଲାଙ୍କଠୁ ଆରମ୍ଭ କରି ଟୋକା, ବୟସ୍କ ଓ ବୁଢ଼ା ଭରି ଯାଉଥିଲେ । କିଛି ତଳେ ଆସନରେ ଚକାମାଡ଼ି ଆଉ କିଛି ଚୌକିରେ ଗୋଡ଼ ଲମ୍ବେଇ ବସିଯାଉଥିଲେ ଟିଭି ଦେଖି । ରାମାୟଣ ମଝିରେ ବେଳେବେଳେ ବଡ଼ମାନଙ୍କୁ ଚାହା ଆଉ ମୋ ବୟସର ପିଲାମାନଙ୍କୁ ଚକୋଲେଟ୍ ମଧ୍ୟ ବାଣ୍ଟୁଥିଲେ ସେମାନେ ଖୁସି ହୋଇ ।

ମୋ ବୟସ ପ୍ରାୟ ଦଶ କି ଏଗାର ହେବ – ଯେତେବେଳେ ପ୍ରଥମଥର ଏହି ରାମାୟଣ ପ୍ରସାରିତ ହେଉଥିଲା! ସେତେବେଳେ ହିନ୍ଦୀ ଭାଷା ବୁଝିବା ମୋ ପକ୍ଷରେ କଷ୍ଟକର ଥିଲା; କିନ୍ତୁ ଚିତ୍ର ଦେଖି କାହାଣୀ ବୁଝିବାରେ କୌଣସି ଅସୁବିଧା ହେଉ ନଥିଲା । ଯଦିବା କେତେବେଳେ କୌଣସି ଦୃଶ୍ୟ ଅବୁଝା ହୁଏ, ତେବେ ସେହି ମୁହୂର୍ତ୍ତରେ ଟିଭି ଦେଖୁଥିବା ଅନ୍ୟମାନଙ୍କ କଥାବାର୍ତ୍ତା ଏବଂ ଆଲୋଚନାରୁ ବୁଝିବାକୁ ଚେଷ୍ଟାକରେ ।

ଏବେ ଠିକ୍ ମନେପଡ଼ୁନି; ତଥାପି କହିପାରେ ରାମାୟଣ ଦେଖା ହିଁ ମୋର ପ୍ରଥମ ଟିଭି ଦେଖା । ସେତେବେଳେ ଟିଭି କ'ଣ – କେମିତିକା? ଦେଖିବାର ସୁଯୋଗ ନଥିଲା ମୋର । ଯଦିଓ ବହିରେ ଚିତ୍ର ଦେଖିଥିଲି ।

ସେତେବେଳେ ଜାଣିଛି, ରାମାୟଣ ଆରମ୍ଭ ହେବାପରେ ଧୀରେ ଧୀରେ ଆମ କଲୋନୀରେ ଟିଭିର ସଂଖ୍ୟା ବୃଦ୍ଧି ହେଲା । ଯେଉଁମାନଙ୍କର କଳା-ଧଳା ଟିଭି ଥିଲା ସେମାନେ ରଙ୍ଗୀନ ଟିଭି କିଣିଲେ; ଆଉ ନୂଆ ଲୋକ କଳା-ଧଳା କିଣିଲେ ।

ସେ ସମୟରେ ସବୁବେଳେ ଯାଇ ରଙ୍ଗୀନ ଟିଭିରେ ରାମାୟଣ ଦେଖିବାଟା ସମ୍ଭବ ନଥିଲା । ତେଣୁ ଘର ପାଖ ତ୍ରିପାଠୀ ମଉସାଙ୍କ ଘରେ ଏବଂ ପରେ ସାହୁ ମଉସାଙ୍କ ଘରେ କଳା-ଧଳା ଟିଭିରେ ରାମାୟଣ ଦେଖୁଥିଲୁ ।

ସେତେବେଳେ ରାମାୟଣ ପ୍ରସାରିତ ହେଉଥିଲା ପ୍ରତ୍ୟେକ ରବିବାର ସକାଳ ନଅଟାରେ; ମହାଭାରତ ଦିନ ଏଗାରଟାରେ । ଯଦିଓ ରାମାୟଣ ୧୯୮୭ ମସିହା ଜାନୁଆରୀ ୨୫ରୁ ଆରମ୍ଭ ହୋଇ ୧୯୮୮ ମସିହା ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ମହାଭାରତ ୧୯୮୮ ମସିହା ଅକ୍ଟୋବର ୨ ତାରିଖରେ ଆରମ୍ଭ ହୋଇ ୧୯୮୯ ମସହା ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ପ୍ରସାରଣ ହୋଇଥିଲା । 

ମନେପଡ଼େ, ସେତେବେଳେ ପାଠପଢ଼ା ଛାଡ଼ି ଚାଲିଯାଏ ରାମାୟଣ ଦେଖି । ଟିଭି ଦେଖି ଘରକୁ ଫେରି ବାପାଙ୍କ ହାବୁଡ଼ରେ ପଡ଼ି କେତେ ଗାଳି ଖାଇଛି; ମାଡ଼ ବି ଖାଇଛି । ତଥାପି ଟିଭି ଦେଖିଯାଏ; ଅନ୍ୟ ସମୟରେ ନହେଲେ ନାହିଁ କିନ୍ତୁ ଯାଏ ରାମାୟଣ ଦେଖି ।

ରାମାୟଣର କାହାଣୀ ଓ ଚିତ୍ର ଚରିତ୍ର ସେବେ ଯାହା ଥିଲା ଏବେ ବି ସେୟା; ଯୁଗେ ଯୁଗେ ସେୟା ହିଁ ଥିବ! ହେଲେ ମୋ ପାଇଁ ସେଦିନର ଅବୁଝା ରାମାୟଣ ଆଜି ଆଉ ଅବୁଝା ହୋଇ ରହିନାହିଁ । ସମୟ ଗଡ଼ିଛି ତଥା ମୋର ବୟସ ବି ବଢ଼ଛି । ବୟସ ବଢ଼ିବା ସଂଗେ ସଂଗେ କେତେବେଳେ କେମିତି ରାମାୟଣ ସମ୍ପର୍କରେ ବହୁ କଥା ଶୁଣିଛି; ସମ୍ପୂର୍ଣ୍ଣ ରାମାୟଣ ନ ହେଲେ ବି ଅଳ୍ପ-ବେଶି ରାମାୟଣ ପଢ଼ି ବୁଝିଛି ଜୀବନରେ ତା'ର ଗୁରୁତ୍ୱ କେତେ? ଏହାଛଡ଼ା ବୁଝିଛି: କାହିଁକି ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷ, ରାମରାଜ୍ୟ ଆଉ ରାମାୟଣ ଶ୍ରେଷ୍ଠ? ଅନୁଭବ କରିଛି: ରାମାୟଣରେ ସନ୍ନିବେଷିତ ସମସ୍ତ ଚରିତ୍ରଙ୍କ ଆଚାର ବ୍ୟବହାର ପ୍ରତ୍ୟେକ ମଣିଷ ପାଇଁ ଗୋଟିଏ ଗୋଟିଏ ଆଦର୍ଶ! ତେଣୁ ରାମାୟଣ କୌଣସି କଳ୍ପନାନିସୃତ କାହାଣୀ ନୁହେଁ କି ରାମଚନ୍ଦ୍ର ଏକ କାଳ୍ପନିକ ଚରିତ୍ର ନୁହେଁ; ଆଉ ରାମାରାଜ୍ୟ ତ କେବେ କାଳ୍ପନିକ ନୁହେଁ । ଧର୍ମ, ସତ୍ୟ, ନିଷ୍ଠା, ନ୍ୟାୟ, ନୀତି, ତ୍ୟାଗ, କର୍ତ୍ତବ୍ୟ ପାଳନ, ମର୍ଯ୍ୟାଦା, ଶିଷ୍ଟାଚାର, ଆଦର୍ଶ ଇତ୍ୟାଦି ଭଳି ଯେତେଗୁଡ଼ିଏ ମଣିଷର ଶାବ୍ଦିକ ଭଲ ଗୁଣ ଅଛି ସବୁଗୁଡ଼ିକର ପ୍ରୟୋଗ ଯଦି ରାମାୟଣ ଓ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ତେବେ ଶବ୍ଦର ଅଭାବ ଦେଖାଦେଇ ପାରେ! ସେଇଥିପାଇଁ ଯିଏ ଯେବେ ବି ରାମାୟଣ ପଢ଼ିଛି; ସିଏ ରାମଚନ୍ଦ୍ର ଭଳି ରାଜାକୁ ଖୋଜୁଛି; ରାମରାଜ୍ୟ ଭଳି ରାଜ୍ୟକୁ କଳ୍ପନା କରିଛି । ରାମ ଭଳି ନହେଲେ ନାହିଁ ନିଜ ଜୀବନକୁ ଆଦର୍ଶବନ୍ତ କରି ଗଢ଼ିତୋଳିବାକୁ ଚେଷ୍ଟା କରିଛି । ଗୋଟିଏ ଭାଷାରେ କହିଲେ ରାମାୟଣରେ ଆମ୍ଭମାନଙ୍କର "ଆଦର୍ଶ ଗୃହନୀତି' ପ୍ରତିଫଳିତ ହୋଇଛି, ତାହା ସମସ୍ତଙ୍କ ପାଇଁ ଏକ ଶିକ୍ଷାର ବିଷୟ ।

ଆଜି "ସମ୍ପୂର୍ଣ୍ଣ ତାଲାବନ୍ଦ'ର ଚତୁର୍ଥ ଦିନ ।

ମନୁବାବୁଙ୍କର ନିଦ ଭାଙ୍ଗୁ ଭାଙ୍ଗୁ ସକାଳ ଛଅଟା ।

ଅଳ୍ପ କିଛି ଭୁଲି ଯାଇଥିଲେ ବି ମନୁବାବୁଙ୍କର ମନେ ଅଛି ପୂର୍ବ ରାତ୍ରିର ନିର୍ଦ୍ଧାରିତ ସବୁ ଯୋଜନା!

ରାମାୟଣ ଆରମ୍ଭ ହେବ ସକାଳ ନଅଟାରେ । ସମସ୍ତେ ଏକାଠି ବସି ଟିଭିରେ ରାମାୟଣ ଦେଖିବୁ! ଆଜିଯାଏ ରାମାୟଣ ସମ୍ପର୍କରେ ଯେତିକି ଜାଣିଛି; ପଢ଼ିଛି; ଯାହା ଟିଭିରେ ଦେଖିବି – ତାକୁ ସବୁ ମିଶାମିଶି କରି ସ୍ତ୍ରୀ, ପୁଅ-ଝିଅକୁ ବୁଝାଇ କହିବି! ଏମିତି ଭାବି ପରିବାରର ସମସ୍ତଙ୍କୁ ପୂର୍ବରୁ ଜଣାଇଥିଲେ ମନୁବାବୁ– "ନଅଟାରେ ରାମାୟଣ ଆରମ୍ଭ ହେବ, ସମସ୍ତେ ଏକାଠି ଦେଖିବା!'

ବାରମ୍ବାର ଘଣ୍ଟା ଦେଖୁଥିଲେ ମନୁବାବୁ ।

ହାତରେ ଖବରକାଗଜଟା ଥିଲେ ବି ଟିଭିରେ ରାମାୟଣ ଦେଖିବାର ଇଚ୍ଛାଟା ଅନ୍ଧପୁଟୁଳି ସାଜୁଥିଲା ମନୁବାବୁଙ୍କର । ଆଖିରେ ଚଷମା ଥିଲେ ବି ଖବର କାଗଜର ଅକ୍ଷରଗୁଡ଼ିକୁ ପଢ଼ି ବୁଝିବାରେ ଅସମର୍ଥ ହେଉଥିଲା ତାଙ୍କ ମନ; କେବଳ ଅପେକ୍ଷା କରିଥିଲେ ସେ ସଠିକ୍ ସମୟକୁ ।

ରାମାୟଣ ଆରମ୍ଭ ହେଲା – ଠିକ୍ ସମୟରେ ଘଣ୍ଟାଧ୍ୱନି ଦେଇ ।

ଟିଭି ପରଦାରେ ଭାସିଉଠିଲା ହିନ୍ଦି ଚଳଚ୍ଚିତ୍ର ଅଭିନେତା ଅଶୋକ କୁମାରଙ୍କ ଛବି – ସେ ରାମାୟଣ ସଂପର୍କୀତ କିଛି ତଥ୍ୟ କହୁଥିଲେ – (ଛଦ୍ମ ଚରିତ୍ର)ରେ ତୁଳସୀଦାସ ରାମାୟଣ ଲେଖିବାର ଦୃଶ୍ୟ ବି ଦୃଶ୍ୟମାନ ହେଉଥିଲା – ପଛରୁ ବିଶିଷ୍ଟ ସଂଗୀତକାର ସ୍ୱର୍ଗତ ଜୟଦେବଙ୍କ ସୁନ୍ଦର ଗୀତ (ଟାଇଟେଲ୍ ସଂଗ୍‌) ।

ହଠାତ୍ ଆଶ୍ଚର୍ଯ୍ୟ ହେଲେ ମନୁବାବୁ; ଚାରିଆଡ଼କୁ ଚାହିଁଲେ; ପାଖରେ କେହି ନାହାନ୍ତି! ଏକୁଟିଆ ବସିଛନ୍ତି ସେ । ସ୍ତ୍ରୀ ତାଙ୍କ କାମରେ ରୋଷେଇ ଘରେ ବ୍ୟସ୍ତ, ପୂଜା ଓ ରାଜା ଲୁଡୁ ଖେଳରେ ବ୍ୟସ୍ତ, ଆଉ ବାପା ଠାକୁରଘରେ ।

ଆଜି \"ସମ୍ପୂର୍ଣ୍ଣ ତାଲାବନ୍ଦ\'ର ଦଶମ ଦିନ ।

ରାମାୟଣର ପଞ୍ଚମ ଏପିସୋଡ୍ ଶେଷ ହେବାକୁ ଆଉ ପାଞ୍ଚମିନିଟ୍ ବାକି, ମନୁବାବୁ ପ୍ରଥମ ଦିନ ଭଳି ଆଜି ବି ଏକାକୀ ବସି ଦେଖୁଛନ୍ତି – ସାଙ୍ଗରେ ରାମାୟଣ ଦେଖିବାକୁ କେହି ନାହାନ୍ତି! ସ୍ତ୍ରୀ ତାଙ୍କ କାମରେ ରୋଷେଇ ଘରେ ବ୍ୟସ୍ତ, ପୂଜା ଓ ରାଜା ଲୁଡୁ ଖେଳରେ ବ୍ୟସ୍ତ, ଆଉ ବାପା ଠାକୁରଘରେ ।

ମନୁବାବୁଙ୍କର ଇଚ୍ଛା ହେଉଥିଲା ଉଠିଯାଇ ସ୍ତ୍ରୀଙ୍କୁ କିଛି କହିବେ; ପୁଅ-ଝିଅଙ୍କୁ ରାଗିବେ; ବାପାଙ୍କୁ ଡାକିବେ; କିନ୍ତୁ ଅଟକିଗଲେ । 

ଟିଭିରେ ଦୃଶ୍ୟମାନ ହେଉଥିଲା ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କୁ କହୁଥିଲେ: କ୍ରୋଧ ଜୀବନଙ୍କୁ ବିଶୃଙ୍ଖଳିତ କରେ, ଧୈର୍ଯ୍ୟ ହିଁ ଜଣେ ଉତ୍ତମ ମଣିଷ ପରିଚୟ; ବିପଦ ହେଉ ଅବା ଖୁସି – ଧୈର୍ଯ୍ୟ ସହକାରେ କାର୍ଯ୍ୟକଲେ ସଫଳତା ଅର୍ଜିତ ହୁଏ ।

ସେଦିନ ମନୁବାବୁ ଏକା ଏକା ରାମାୟଣ ଦେଖିଲେ ।

ନିଜର ମାନସିକ ଅବସ୍ଥାକୁ ଧୈର୍ଯ୍ୟର ସୀମା ଭିତରେ ଆୟତ୍ତ ରଖିବାର ଫଳ ଯେ ପରବର୍ତ୍ତୀ ସମୟରେ ମିଳିଥାଏ; ତାହା ଏହି ରାମଙ୍କ କଥାରୁ ବୁଝିଥିଲେ, ସେଦିନ ମନୁବାବୁ । ତେଣୁ ସେଦିନଠାରୁ ରାମାୟଣ ଦେଖିବାକୁ କାହାକୁ ଡାକିନାହାନ୍ତି ଏବଂ ଆଉ ପରିବାରକୁ ଏକାଠି କରିବାକୁ ଚେଷ୍ଟା କରି ନାହାନ୍ତି ।

"ସମ୍ପୂର୍ଣ୍ଣ ତାଲାବନ୍ଦ'ର ନିଦ୍ଧାର୍ଯ୍ୟ ସମୟ ସୀମା ବୃଦ୍ଧି ଘଟିଛି । ସମ୍ପୂର୍ଣ୍ଣ ତାଲାବନ୍ଦର ଦ୍ୱିତୀୟ ପାଳି ଆଜିଠାରୁ ଆରମ୍ଭ! ଏହାପରେ ତୃତୀୟ ପାଳି, ଏଇମିତି କେତେ ପାଳିଯାଏ ଚାଲିବ ଜଣାନାହିଁ । ତଥାପି ଏହା ଭିତରେ ରାମାୟଣର ରାବଣ ମୃତ୍ୟୁ ଓ ରାମ ଅଯୋଧ୍ୟାର ରାଜା ହେବା ଦୃଶ୍ୟ ପରେ ରାମାୟଣ ଶେଷ ହୋଇଛି । ପୁଣି ଉତ୍ତରା ରାମାୟଣ ମଧ୍ୟ ଆରମ୍ଭ ହେବ କାଲିଠାରୁ । ଜଣାନାହିଁ ୟା ପରେ କ'ଣ ପ୍ରସାରିତ ହେବ....

ତଥାପି ଗୃହବନ୍ଦୀ ଓ ରାମାୟଣର ସମ୍ପୂର୍ଣ୍ଣ ପ୍ରସାରଣ ପରେ ଅନୁଭବ କଲି: ପ୍ରକୃତରେ ରାମ ରାଜ୍ୟର ଆଦର୍ଶ ଓ ରାମଙ୍କ ଚରିତ୍ର ଏକ ଅନୁସରଣୀୟ ଚରିତ୍ର ଅଟେ । ରାମାୟଣ କେବଳ ଏକ ସାଧାରଣ ଗ୍ରନ୍ଥ କେବଳ ନୁହେଁ; ଏହା ସମସ୍ତ ମଣିଷ ଜାତିର ଜୀବନଲିପି । ସେହି ଜୀବନଲିପି କେବଳ ଭାରତ ଭିତରେ ସୀମାବଦ୍ଧ ହୋଇ ରହି ନାହିଁ; କାଳ କ୍ରମେ ସଂକ୍ରମିତ ହୋଇଛି ସମଗ୍ର ବିଶ୍ୱକୁ । ଏହା ମନସ୍ତତ୍ତ୍ୱକୁ ନେଇଛି, ଦର୍ଶନକୁ ନେଇଛି, ସମାଜତତ୍ତ୍ୱକୁ ନେଇଛି, ଆଧ୍ୟାତ୍ମିକତାକୁ ନେଇଛି, ବିବିଧ ସମସ୍ୟାକୁ ନେଇଛି; ଏସବୁ ଭିତରେ ଦେଇଛି ଉତ୍ତମ ମଣିଷ ଗଠନକୁ ଗୁରୁତ୍ୱ । ଏପରି ଅସାଧାରଣ ଗ୍ରନ୍ଥ ବା ଜୀବନଲିପି ସମାଜକୁ ପ୍ରଭାବିତ କରିବାରେ ସମର୍ଥ; ଏହା କହିଲେ ବୋଧହୁଏ ଅସତ୍ୟ ବୋଧ ହେବ ନାହିଁ । ଏହାଛଡ଼ା ଇତିହାସକୁ ଦୃଷ୍ଟିପାତ କଲେ ବେଶି ଭାଗ ଭାରତୀୟ ହିନ୍ଦୁମାନେ ହିଁ ବିଭିନ୍ନ ପୁରାଣ-ବେଦ-ବେଦାନ୍ତ ପ୍ରତି ଆକୃଷ୍ଟ ହୋଇ ସେଥିରୁ ନାନା ଉପାଦାନ ଚୟନ କରି ତାହାକୁ ନୂତନ ଭାବରେ ରୂପ ଦେଇଛନ୍ତି! ଯାହା ଲୋକାନୁଷଙ୍ଗ ଓ ଲୋକ ତତ୍ତ୍ୱକୁ ଗୁରୁତ୍ୱ ଦେଇଛି ।

ରାମାୟଣରେ ଅଛି ଭକ୍ତି-ଭାବନା, ସମର୍ପଣ, ଦୃଢ଼ ବିଶ୍ୱାସ ଓ ସର୍ବୋପରି ମାନବାତ୍ମାର ଏକତ୍ୱ ପ୍ରତିଷ୍ଠା ମାଧ୍ୟମରେ ବିଶ୍ୱକୁ ମଧୁମୟ କରିବା ପାଇଁ ପ୍ରେରଣା ।

ଏହାରି ଭିତରେ ରଚିତ ହୋଇଗଲାଣି ଅନେକ ଧର୍ମୀୟ ଗ୍ରନ୍ଥ । ସବୁ ଗ୍ରନ୍ଥ ଯେ କାଳୋତ୍ତୀର୍ଣ୍ଣ ଓ ସମାଜ ଉପରେ ପ୍ରଭାବ ପକାଇଛି; ଏକଥା କୁହାଯାଇ ନପାରେ । ରାମାୟଣରେ ଆଧ୍ୟାତ୍ମିକ ଚେତନାକୁ ପ୍ରାଧାନ୍ୟ ଦିଆଯାଇଛି । ରାମାୟାଣ ଜାତି-ଧର୍ମ-ବର୍ଣ୍ଣ-ନିର୍ବିଶେଷରେ ଆଧ୍ୟାତ୍ମିକ ଚେତନା ଦ୍ୱାରା ଶୃଙ୍ଖଳିତ ଜୀବନ ଓ ଆଦର୍ଶ ହୋଇ ବଞ୍ôଚବାକୁ ବାଟ ଦେଖାଇଆସୁଛି ଯୁଗଯୁଗରୁ – ଦେଖାଉଥିବ ଯୁଗଯୁଗକୁ – ତେଣୁ \"ପୁଣି ଥରେ ରାମାୟଣ\' ।



Rate this content
Log in

More oriya story from Prasanta Kumar Nath

Similar oriya story from Inspirational