Prasanta Kumar Nath

Drama Romance

3.4  

Prasanta Kumar Nath

Drama Romance

ସେଦିନ... ଆଉ ଏବେ ନାହିଁ

ସେଦିନ... ଆଉ ଏବେ ନାହିଁ

2 mins
187


ଆଜି ସକାଳୁ ସକାଳୁ ଗିରିଜାବାବୁ ବାଲ୍‌କୋନିରେ ଠିଆ ହୋଇ ଦେହଶୀତା ସକାଳରେ ସହରୀ ପ୍ରକୃତିର ମୁଗ୍ଧ ଦୃଶ୍ୟକୁ ଉପଭୋଗ କରୁଥିଲେ: କାଉ ଚଢ଼େଇଙ୍କର କ କା – ଚିଁ ଚା, ପେଁ ପଁ ଗାଡ଼ି ସାରଇନ୍‌, ରିକ୍ସାର ପୁଁ ପାଁ ଶବ୍ଦ ସାଙ୍ଗକୁ ଖବରକାଗଜବାଲା ଓ କ୍ଷୀରବଲାର ଟିଂ ଟିଂ ସାଇକେଲ ଘଣ୍ଟି ଶବ୍ଦ ସହିତ ଲମ୍ବାଠେଙ୍ଗା ଲଗା ଝାଡ଼ୁଟା ଧରି ସଖୀ ହାଡ଼ିଆଣୀର ଖର୍ ଖର୍ ଜାଡ଼ୁମରା ଶବ୍ଦକୁ; ଧୂଳିଧୂଆଁକୁ ଆଡ଼େଇ ଆଡ଼ଇ ଚାଲିଥିବା ସ୍କୁଲ ପିଲାଙ୍କୁ; ପେଟ-ପିଠି ପୋଷଣ ଲକ୍ଷ୍ୟ ନେଇ ଯା’ଆସ ଗହଳି କ୍ରମଶଃ ଘନ କରୁଥିବା ଲୋକମାନଙ୍କୁ ।

ସବୁଦିନ ଭଳି ଗିରିଜା ବାମରୁ ଡାହାଣ ଏବଂ ଡାହାଣରୁ ବାମ ପୁଣି ବେଳେ ବେଳେ ଅଙ୍କାବଙ୍କା ଧୀର ଚାଲିରେ ମୁଣ୍ଡ ନୁଆଁଇ ବୁଲୁଥିଲେ – ବାଲ୍‌କୋନିର ଛାତରେ ।

କହୁଥିଲେ: ତୁମ ବିନା ଏକା ବଞ୍ଚିବା ମୋ ପାଇଁ ଅସମ୍ଭବ – ତୁମେ ଯେଉଁଠି ବି ରହିବ ମୁଁ ସାଙ୍ଗରେ ଯିବି ତୁମ ଭଲ ମନ୍ଦ ବୁଝିବି! ତମକୁ ଖୁଆଇ ମୁଁ ଖାଇବି, ତୁମକୁ ଶୁଆଇ ମୁଁ ଶୋଇବି! ତୁମ ଆଖିରେ ଜହ୍ନ-ତାରା ଦେଖିବି, ନିଜ ଆଖିରେ ଅନ୍ଧପୁଟୁଳି ବାନ୍ଧି! ଏମିତି କେତେ ପ୍ରତିଜ୍ଞା ନ କରିଥିଲ ଗାୟତ୍ରୀ, ସେଦିନ ବିବାହ ର୍ପୂବ ରାତିର ଫୋନ୍ କଲ୍‌ରେ? ସେହି କଥାକୁ ଭରସା କରି ବାପା-ମାଆ, ନିଜ ଲୋକଙ୍କୁ ଛାଡ଼ି ସହରରେ ଏହି ଦୁଇମହଲା କୋଠା ।

ଗାୟତ୍ରୀ ଗିରିଜାଙ୍କ କଥାକୁ ଶୁଣି ନ ଶୁଣିଲାର ଅଭିନୟ କରି ନିଜ କାମରେ ବ୍ୟସ୍ତ ରହିଲେ । କାରଣ: ଗିରିଜା ମଝିରେ ମଝିରେ ୟାଡ଼ୁ ସୟାଡ଼ୁ ବିଳିବିଳେଇ ବହୁକଥା ମନକୁ ମନ କହିହୁଅନ୍ତି ।

ଆଜି ଗାୟତ୍ରୀ, ନାତି-ନାତୁଣୀ ପୁଅ ବୋହୂଙ୍କ ସେବାରେ ବ୍ୟସ୍ତ । ନିଜ ଖାଇବା ପିଇବା ବି ଭୁଲିଛ ପାଖରେ ପଦୁଟିଏ କଥା ହେବାକୁ ବି ସମୟ ନାହିଁ । ନିଜ ହାତଗଢ଼ା କଂକ୍ରିଟ୍ ଘରଟାକୁ କପଡ଼ା ଝାଡ଼ୁ ଦେଇ ବାରମ୍ବାର ପୋଛି ପରିଷ୍କାର କରୁଛ । ସତେ ଯେମିତି ଆଉ କେବେ ଏଥିରେ ଧୂଳିମଳି ଲାଗିବନି; ଅକ୍ଷତ ହେଇ ରହିବ ସବୁଦିନ – ଘର-କାନ୍ଥ-ରଙ୍ଗ-ପ୍ଲାଷ୍ଟର!

ଗରିଜାବାବୁ ନାଲି ଗୋଲାପ ଫୁଲ ଚିତ୍ରଥିବା ଚା’ କପ୍‌ଟିରେ ଚୁମ୍ପନ ଦେଇ ନାଲି ଚା’ରୁ ଢ଼ୋକେ ପାଟି ଭିତରକୁ ଶୋସାଡ଼ୁ ଶୋସାଡ଼ୁ ସ୍ତ୍ରୀ ଗାୟତ୍ରୀ ଉଦ୍ଦେଶ୍ୟ କରି କହିଲେ – ସେଦିନ... ଆଉ ଏବେ ନାହିଁ ।

ହଠାତ୍ ଗାୟତ୍ରୀ ନିଜ କପାଳରେ ଏକ ଅଜଣା ହାତର ମୃଦୁ ସ୍ପର୍ଶ ପାଇ ଚମକି ଉଠିବସିଲେ । ବ୍ୟତିବ୍ୟସ୍ତ ହୋଇ ଆଲୁଅ ଜାଳି ଚାହିଁଲେ, ଖୋଲା ବାଲ୍‌କୋନିକୁ । ଦୌଡ଼ିଗଲେ ବାଲ୍‌କୋନିର ଶେଷ ମୁଣ୍ଡକୁ । ଖୋଜିଗଲେ ଦୁଇଭେରା ବୁଲିବୁଲି । ବାହାରଟା ଅନ୍ଧାର, ହେଲେ ବାଲ୍‌କୋନିର ଆଲୁଅରେ ଖୋଜି ପାଇଲେ ଶୀତୁଆ ରାତିର ଘନ ଧଳା କୁହୁଡ଼ିକୁ । ଥରିଗଲା ଦେହଟା । ନିଜ ପଣତକାନିଟାକୁ ଭିଡ଼ି ଓଟାରି ସଜାଡ଼ୁ ସଜାଡ଼ୁ ଭାବିଲେ, ଅଶରୀର ମଣିଷଟା କ’ଣ କେବେ ପୁରୁଣା କଥାକୁ ମନେପକାଇ ଦେଇ ମୁଣ୍ଡ ଆଉଁସିପାରେ! ବୋଧହୁଏ ପାରେ ।

ସେଇଥିଲାଗି ଗିରିଜା ମତେ ସତର୍କ କରୁଛନ୍ତି – ମୁଁ ମୋ ପ୍ରତିଜ୍ଞାକୁ ଭୁଲିଛି, ବାଟ ହୁଡ଼ିଛି... । ଟେବୁଲ ଉପରେ ଫୁଲଦାନିକୁ ଲାଗି ଗିରିଜାର ଫଟୋଟାକୁ ଉଠାଇଆଣି ପୋଛି ପକାଇଲେ ନିଜ ପିନ୍ଧାକାନିରେ, ଗରିଜାଙ୍କ ଫଟୋରେ ବହଳେ ଧୂଳି ।



Rate this content
Log in

Similar oriya story from Drama