Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Prasanta Kumar Nath

Children Stories Inspirational Children

4  

Prasanta Kumar Nath

Children Stories Inspirational Children

ରଥଯାତ୍ରାର କୁନି ଝିଅଟି

ରଥଯାତ୍ରାର କୁନି ଝିଅଟି

7 mins
361


ସେଦିନ ଥିଲା ଶ୍ରୀଗୁଣ୍ଡିଚା । ସମୟ ପ୍ରାୟ ଅପରାହ୍ନ । ଆକାଶର ସୂର୍ଯ୍ୟ ଅଳ୍ପ ଚାହିଁଦେଇ ବେଳେବେଳେ ଢୋଳେଇ ପଡ଼ୁଥିଲା ମେଘ ପଛରେ । ଯେତିକି କ୍ଷଣ ବି ଚାହୁଁଥିଲା ତା କୋମଳ ତେଜ ରଶ୍ମି କିନ୍ତୁ ଗଛ ଉପର ଦେଇ ଠାଇଁ ଠାଇଁକା ହୋଇ ପଡ଼ୁଥିଲା; କଳାମୁଗୁନିର ଚଟ୍ଟାଣ ସ୍ୱରୂପ ପିଚୁ ରାସ୍ତା ଛାତିରେ । ସେଇ ତେଜ ରଶ୍ମିଗୁଡ଼ାକ ଝୋଟି ମୁରୁଜ ଚିତ୍ରର ଭ୍ରମ ସୃଷ୍ଟି କରୁଥିଲା ମୋ ଭଳି ଲୋକଙ୍କ ଆଖିରେ । ଭାବନାରୁ ଭାବିଲେ ଅନୁମାନ ହେଉଥିଲା: ବୋଧହୁଏ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ୱାଗତରେ ତିଆରି ଏହି ଚିତ୍ରସମୂହ! କିନ୍ତୁ ରଥଯାତ୍ରାରେ ସାମିଲ ଭକ୍ତ, ସଂକୀର୍ତ୍ତନ ମଣ୍ଡଳୀ, ପାରମ୍ପରିକ ନୃତ୍ୟଦଳ, ବୁଲାବିକାଳୀ, ଗାଡ଼ି-ମଟର ଓ ଅନ୍ୟମାନେ ପାଦରେ ଦଳିମକଚି ଆଗେଇ ଚାଲିଥିଲେ ସୂର୍ଯ୍ୟଦେବଙ୍କ ସେଇ ଝୋଟି ମୁରୁଜ ଚିତ୍ରଗୁଡ଼ାକୁ । ନିଘା ନଥିଲା କାହାର ସେଥି ପ୍ରତି । ସଚେତନ ନଥିଲେ କେହି । ଯଦିଓ ବେଳେ ବେଳେ ଜଣେ ଅଧେ ଆଡ଼େଇ ଚାଲିଥିଲେ ତେଜ ରଶ୍ମିଠାରୁ; ଜେବ୍ରା ପିଠି ପରି ପଟାପଟା ରଙ୍ଗବୋଳା ରାସ୍ତାବନ୍ଧ ଧାରେ ଧାରେ । ପ୍ରବଳ ଗୁଳୁଗୁଳି ହେଉଥିଲା । ଗଜୁରି ଉଠୁଥିବା ଦେହର ବୁନ୍ଦା ବୁନ୍ଦା ଝାଳଗୁଡ଼ାକ ଝରି ଯାଇ ଭିଜାଉଥିଲା ଗୋଟା ଦେହକୁ; ପୋଷାକ ଭିତରୁ । ଧୀରେ ଧୀରେ ଝାଳୁଆ ଝାଳୁଆ ଗନ୍ଧେଇ ଆସୁଥିବା ଦେହଟା ଖୁବ୍ ସନ୍ତୋଷ ଅନୁଭବ କରୁଥିଲା ଯେତେବେଳେ ଧାଡ଼ିଧାଡ଼ିକା କୃଷ୍ଣଚୁଡ଼ା ଗଛର ପତ୍ରଗୁଡ଼ାକ ଚଅଁର ଭଳି ହଲିଯାଉଥିଲା ମୃଦୁ ପବନରେ ।

ରଣପା ନାଚ, ଷେଣ୍ଢ-ଘୋଡ଼ା ନାଚ, ଯୋଡ଼ି ଶଂଖ ନାଚ, ଶିଂଘ ବାଜା, ଘଣ୍ଟଘଣ୍ଟା ସାଙ୍ଗକୁ ଜୟ ଜୟ ଜଗନ୍ନାଥର ଊର୍ଦ୍ଧ୍ୱ ସ୍ୱରରେ ପ୍ରକମ୍ପିତ ବିରାଟ ପଟୁଆର ଧୀରେ ଧୀରେ ମାଡ଼ି ଚାଲିଥିଲା ମହାନଗରୀୟ ବ୍ୟବସ୍ଥାନୁମତି ମାନି ଲକ୍ଷ୍ୟାଭିମୁଖେ । ପଟୁଆରରେ ଥିଲେ କିଛି ନୃତ୍ୟଶିଳ୍ପୀ ମଧ୍ୟ; ଯିଏ ଓଡ଼ିଶୀ ଭଙ୍ଗିମାରେ ନାଚି ଚାଲିଥିଲେ ଧାରେ ଅଳତାନେଷା ଖାଲିପାଦରେ । ଉଦଣ୍ଡ ନାଚରେ ନିମଗ୍ନ ସଂକୀର୍ତ୍ତନ ମଣ୍ଡଳୀ; ଘଣ୍ଟୁଆମାନେ ମଧ୍ୟ । କର୍ମକର୍ତ୍ତାଏ ବେକରେ ପରିଚୟପତ୍ର ଆଉ କାନ୍ଧରେ ଓଡ଼ିଶୀ ଗାମୁଛା ଖଣ୍ଡେ ପକେଇ ଛାତି ଫୁଲେଇ ଚାଲିଥିଲେ ପଟୁଆର ଆଗରେ, ମଝିରେ ଆଉ କେତେଜଣ ରଥ ପଛରେ । ରଥ ଦଉଡ଼ି ଟଣା ଚାଲିଥିଲା ଏକ ଅଙ୍କାବଙ୍କା ସରଳରେଖାରେ । କିଏ ଦୌଡ଼ି ଯାଉଥିଲା ରଥ ଦଉଡ଼ି ଧରି; କିଏ ଭିଡ଼ରେ ପଶି ଥକି ଯାଉଥିଲା; କିଏ ପୁଣି ସାହସ ବାନ୍ଧି ଜାବୁଡ଼ି ଧରିପକଉଥିଲା ରଥ ଦଉଡ଼ି । ମଝିରେ ମଝିରେ ଭକ୍ତିସ୍ୱର ‘ଜୟ ଜଗନ୍ନାଥ’ରେ ଗୁଞ୍ଜରି ଉଠୁଥିଲା ପୂରା ପଟୁଆର । ପୁଣି ଡାକବାଜି ଯନ୍ତ୍ରର ଉଦ୍‌ଘୋଷ ‘ହରିନାମ’ରେ ପାଳି ଧରୁଥିଲେ ଭକ୍ତ । ରଥ ବି ମୁଣ୍ଡ ହଲାଇ ବାମ ଡାହାଣକୁ ଗଡ଼ୁଥିଲା ପୁଣି ଠିଆ ହେଉଥିଲା; ଆଗକୁ ସଳଖି ପିଚୁ ରାସ୍ତାରେ ଗଡ଼ି ଚାଲିଥିଲା ରଥ । ଶିଂଘ ବାଜାର ତାଳେ ତାଳେ ନୃତ୍ୟରତ କିଛି ନାବାଳକଙ୍କୁ ଛାଡ଼ିଦେଲେ ବୟସ୍କମାନେ ଆଶାବାଡ଼ି ଧରି ତ କୁନି ପିଲାଏ ଆପଣା ଲୋକଙ୍କ ହାତଧରି ଆନନ୍ଦରେ ଚାଲିଥିଲେ ପଟୁଆର ମଝିରେ । ବୁଲାବିକାଳୀ ବି ଚାଲିଥିଲେ ଠିକ୍ ପଟୁଆରର କଡ଼େ କଡ଼େ । 

ରଥ ଚକାର ଆସ୍ତରଣ ଥିଲା ରବର ତିଆରି ଟାୟାର । ସ୍ପ୍ରିଂ ବି ଲାଗିଥିଲା ରଥରେ । ତଥାପି ଦୋହଲି ଯାଉଥିଲା ରଥ, ହେଲେ ଶ୍ରୀଠାକୁର ଚାରିହେଁ ସଳଖି ଚାହିଁଥିଲେ ସାମ୍ନାକୁ । ଆଖି ତରାଟି ନଜର ରଖିଥିଲେ ଭକ୍ତଙ୍କୁ । ଗୋଟି ଗୋଟି କରି ସବୁ ଭକ୍ତଙ୍କ ଗୁହାରୀ ଅଭିଯୋଗ ଶୁଣୁଥିଲେ ଅନ୍ତରେ ଅନ୍ତରେ । ସମାଧାନର ନିର୍ଦ୍ଦେଶ ବି ଦେଉଥିଲେ ବୋଧେ ଚୁପି ଚୁପି! ଆଉ କିଛି ପ୍ରଶ୍ନ ଓ ଗୁହାରୀରେ ବିସ୍ମିତ ହୋଇ ମଝିରେ ମଝିରେ ଖୁବ୍ ଜୋରରେ ହଲିଯାଉଥିଲେ ଚତୁର୍ଦ୍ଧା ମୂର୍ତ୍ତିମାନେ!

ଆରେ! ୟେ କ’ଣ? ଏତେ ଆନନ୍ଦ, ଏତେ ଖୁସି ଭିତରେ ବି କୁନି ଝିଅଟି କାନ୍ଦି କାନ୍ଦି ଚାଲିଛି! ଚତୁର୍ଦ୍ଧାମୂର୍ତ୍ତି କ’ଣ ତା କଥା ଶୁଣିଲେନି? ତାକୁ ସମାଧାନର ବାଟ ଦେଖାଇଲେନି? ତେବେ କାହିଁକି ସେ କାନ୍ଦୁଛି? କାହିଁ ଫଟିଯାଇଥିବା ବା ଫୁସୁରି ଯାଇଥିବା ବେଲୁନ୍ ସୂତା ତା ହାତରେ ଲାଗିନି? ଚିରିଯାଇଥିବା କାଗଜ ତିଆରି ଚକ୍ରିର ଖାଲି କାଠି ସେ ଧରିନି? ତଳେ ପଡ଼ିଯାଇଥିବା ଲଜେନ୍‌ସର ଫୁଙ୍ଗୁଳା ଜରିଟା ବି ତା ହାତରେ ନାହିଁ? ତେବେ କୁନି ଝିଅଟି କାହିଁକି କାନ୍ଦୁଛି? 

କିଛି ନ ଜାଣିଲା ପରି କୁନି ଝିଅଟିକୁ ବାପା ତା’ର ହାତକୁ ଧରି ଚଲାଇ ନେଉଥିଲେ ପଟୁଆର ମଝିରେ । ପାଖରେ ତା’ର ମାଆ ବି ଥିଲା । କାହିଁ ସେମାନେ ବି ହସୁ ନଥିଲେ; ପରସ୍ପରକୁ ଚାହିଁ? ଯଦିଓ ସେମାନଙ୍କ ଚାଲିର ଗତିଟା ପଟୁଆର ଗତିଠାରୁ ସାମାନ୍ୟ ଅଳ୍ପ ବେଶି ଜଣାପଡ଼ୁଥିଲା । ତଥାପି ଅଳ୍ପ ଦୌଡ଼ି ଦୌଡ଼ି ଚାଲିଥିଲା କୁନି ଝିଅଟି ତା ବାପାର ହାତ ଧରି । ବେଳେବେଳେ ଟାଣି ଝିଙ୍କି ହେଉଥିଲେ ବି କୁନି ଝିଅ ତା’ର ଗତିକୁ ସମାନ ରଖିବାକୁ ଚେଷ୍ଟା କରୁଥିଲା; ବାପାମାଆଙ୍କ ଚାଲିରେ ।

ଏହା ସତ୍ୟ ଯେ ମୁଁ କୌଣସି ମନସ୍ତତ୍ୱବିତ୍ ନୁହେଁ, ମୁହଁ ଦେଖି ମନର ଅନ୍ଧାରି ମୂଲକକୁ ଆବିଷ୍କାର କରିବି ଆଉ ସବୁ ବୁଝିଯିବି । କିନ୍ତୁ ଭାବନାରେ ମନସ୍ତାତ୍ତ୍ୱିକ ସ୍ପର୍ଶ ଲଗେଇ କଳ୍ପନା କରିବାରେ କୌଣସି ଅସୁବିଧା ନଥିଲା ମୋ ପାଇଁ । ତେଣୁ ମନେ ମନେ ଭାବିଲି: ଯନ୍ତ୍ରଣା ଅନୁଭବ କରୁଛି କି କୁନି ଝିଅଟି; ତା ହାତରେ? କଅଁଳିଆ ହାତର ଆଙ୍ଗୁଳିଗୁଡ଼ାକ ଚାପି ହେଇ ଯାଉନି ତ ତା ବାପାର ପାପୁଲି ଭିତରେ? ଭୋକ ଲାଗୁନି ତ ତାକୁ?

କଳ୍ପନାରୁ ବାସ୍ତବତାକୁ ଫେରିବା ପରେ ହଠାତ୍ କୁନି ଝିଅର ସୁନ୍ଦର ଗୁଲୁଗୁଲିଆ ମୁହଁଟା ଭାରି ଅସନା ଅସନା ଦେଖାଗଲା; ମୋ ଆଖିକୁ । ବିଲେଇ କାନ ପରି ଦୁଇ ସୁନ୍ଦର ଜଟ ଅଲରା-ଉଲୁରି ହୋଇ ଝୁଲିଆସିଥିଲା ତା ମୁହଁ ଉପରକୁ, ଠିକ୍ ଝାଲର ପରି । କପାଳର ବୁନ୍ଦା ବୁନ୍ଦା ଝାଳ ସହିତ କୁନି ଝିଅଟିର ନାକରୁ କଞ୍ଚା ପାଣିଗୁଡ଼ା ତଳକୁ ଗଡ଼ି ଆସୁଥିଲା; ନିଗିଡ଼ି ଯାଉଥିଲା ଆଖିର ଲୁହ ବି । ବୁନ୍ଦା ବୁନ୍ଦା ଝାଳର ତ ସ୍ରୋତ ନଥିଲା, କିନ୍ତୁ ଶିଙ୍ଘାଣି ଓ ଲୁହ ସତେ ଯେମିତି ଚାରି ନଈ ଏକାଠି ମିଶୁଥିଲା ଝିଅଟିର ଓଠ ଡେଇଁ ପାଟି ଭିତରେ । ବେଳେବେଳେ କୁନି ଝିଅଟି ନିଜ ପାପୁଲି ପଛ ନେଡ଼ିଟାକୁ ଘଷିଆଣୁଥିଲା ନାକତଳେ; ଆଉ ପୁଣି ସେହି ଶିଙ୍ଘାଣିଲଗା ହାତଟାକୁ ପଛଆଡ଼କୁ ବୁଲାଇ ନେଇ ପୋଛି ପକଉଥିଲା ନିଜ ପିଚାପଟ ଫ୍ରକ୍‌ରେ । ଅତି ସତର୍କତାର ସହ । ବାପାମାଆଙ୍କର ଓ ଅନ୍ୟ କାହାର ନଜର ପଡ଼ିବା ପୂର୍ବରୁ ମଝିରେ ମଝିରେ ସାପଟି ଭଳି ଜିଭ କାଢ଼ି ସଫା କରି ପକଉଥିଲା ନିଜ ଓଠକୁ । ଏସବୁ କଲା ପୂର୍ବରୁ ବେଳେବେଳେ ଚାହିଁଦେଉଥିଲା ତା ବାପା ଆଉ ମାଆକୁ । ସେମାନଙ୍କର କିନ୍ତୁ ନିଘା ନଥିଲା ତା ଆଡ଼କୁ । ବାପାମାଆ ଦୁହେଁ ପରସ୍ପର ବିପରୀତ ବ୍ୟବହାର ସହ ଫଣ ଫଣେଇ ମୁହଁ କରି ଚାଲିଥିଲେ ପଟୁଆରରେ । ଝିଅଟି ବି ଭିଡ଼ି ଭିଡ଼ି ହୋଇ ଅଳ୍ପ ଦୌଡ଼ୁଥିଲା, ସେମାନଙ୍କ ସାଙ୍ଗରେ । ମୁଁ ବି ଚାଲୁଥିଲି ତା ପଛେ ପଛେ; ଲମ୍ବା ପାଦ ବଢ଼େଇ ।

ହେଲେ କାହିଁକି କାନ୍ଦୁଛି କୁନି ଝିଅଟି?

କ’ଣ ହେଇଛି ତା’ର?

ସବୁ ଜାଣି ବି ଏମିତିକା ସମାନ ପ୍ରଶ୍ନଗୁଡ଼ାକ ବଡ଼ ଉଦ୍‌ବେଗ ଓ ଉତ୍କଣ୍ଠାରେ ବାରମ୍ବାର ପଚାରି ଚାଲିଥିଲି ମୁଁ ନିଜକୁ ନିଜେ; ହଜାରେ ଥର ।

ତେଣୁ ଏବେ ପ୍ରଶ୍ନର ଉତ୍ତର ବା କୁନି ଝିଅଟିର କାନ୍ଦିବାର କାରଣ ଜାଣିବାକୁ ହେଲେ ଫେରିଯିବାକୁ ହେବ କେଇ ମିନିଟ୍ ପୂର୍ବକୁ । ମୁଁ ଯାହା ଦେଖିଥିଲି:

କଣ୍ଢେଇ ଭଳି ଦେଖାଯାଉଥିବା କୁନି ଝିଅଟିକୁ ସାଙ୍ଗରେ ଧରି ଦୁହେଁ ସ୍ୱାମୀ-ସ୍ତ୍ରୀ ଆଗେଇ ଚାଲିଥିଲେ ରଥଖଳା ଆଡ଼କୁ । ଠିକ୍ ମୋ ସାମ୍ନାଦେଇ ଚାଲିଗଲେ; ଯେଉଁଠୁ ରଥଟଣା ଆରମ୍ଭ ହେବ ସେଇଠିକୁ । ସେତେବେଳକୁ ଠାକୁର ପହଣ୍ଡି ସରିଥିଲା; ଚତୁର୍ଦ୍ଧା ମୂର୍ତ୍ତି ରଥରେ ବସି ସାରିଥିଲେ । ପୂରା ବଙ୍ଗଶୈଳୀରେ ନିର୍ମିତ ଗୋଟିଏ ବୋଲି ରଥ; ଚାରି ମୂର୍ତ୍ତି ଏକା ସାଙ୍ଗରେ ବସାହୋଇଥାନ୍ତି । ଆରପଟେ ବାଜାବାଲା, ସଂକୀର୍ତ୍ତନ ମଣ୍ଡଳୀ, ପାରମ୍ପରିକ ନୃତ୍ୟଦଳ ଇତ୍ୟାଦି ରଙ୍ଗବେରଙ୍ଗୀ ପୋଷାକ ପିନ୍ଧି ତାଙ୍କ ସାଜ-ସଜା ସହିତ ପ୍ରସ୍ତୁତ ପ୍ରାୟ ହୋଇସାରିଥିଲେ । ସେମାନଙ୍କ ଭିତରୁ ଜଣେ ଅଧେ ପରିବେଷଣ ମଧ୍ୟ ଆରମ୍ଭ କରିଦେଇଥିଲେ । ହାତ ଗଣତି ଭକ୍ତଙ୍କୁ ଛାଡ଼ି ଦେଲେ କିଛି କର୍ମକର୍ତ୍ତା ବି ପହଞ୍ôଚ ସାରିଥିଲେ । ବଡ଼ନନା ଓ ସାନନନା ଦୁହେଁଯାକ ରଥରେ ବସି ସାରିଥିଲେ । କେତେଜଣ କର୍ମକର୍ତ୍ତା ବି ସେମାନଙ୍କ ପାଖରେ ବସିଥିଲେ; ତାଙ୍କୁ ପୂଜାଆଦି କାର୍ଯ୍ୟରେ ସାହାଯ୍ୟ କରିବାକୁ । ପ୍ରାୟ ଚାରି କି ପାଞ୍ଚଜଣ ହେବେ!

କୁନି ଝିଅଟିକୁ ଠିଆ କରେଇ ସ୍ୱାମୀ-ସ୍ତ୍ରୀ ଦୁହେଁ ପାଦେ ଆଗକୁ ଯାଇ ହାତଯୋଡ଼ି ଏବଂ ଆଖିବୁଜି ଦିଅଁକୁ ନମସ୍କାର କରୁଥାନ୍ତି । ହଠାତ୍ ଏତିକିବେଳେ ରଣପା ଦଳ ନାଚ ଆରମ୍ଭ କଲେ ଆଉ ପଟୁଆରର ସାମ୍ନାକୁ ଚାଲିଲେ । ତାଙ୍କ ପଛେ ପଛେ ଧାଡ଼ିକରି ଶିଂଘବାଜା ଦଳ, ସଂକୀର୍ତ୍ତନ ମଣ୍ଡଳୀ ଇତ୍ୟାଦି ଆଗକୁ ଚାଲି ପୂର୍ଣ୍ଣ ପଟୁଆରଟିଏ ତିଆରି କଲେ । ଏମାନଙ୍କର ଏହି ଆଗକୁ ଚାଲିକରି ଯିବା ଆଉ ପଟୁଆର ତିଆରି କରିବା ଭିତରେ କୁନିଝିଅଟି ବି ଅଜାଣତରେ ସାମାନ୍ୟ ଆଗକୁ ଚାଲିଯାଇ ପଟୁଆରରେ ସାମିଲ ହେଇଯାଇଥିଲା । ବାପାମାଆ ଦୁହେଁ ଦିଅଁ ନମସ୍କାର ପରେ ଝିଅକୁ ପାଖରେ ନପାଇ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲେ । ଚାରିଆଡ଼କୁ ବୁଲି ବୁଲି ଚାହିଁଥିଲେ; ହେଲେ ଝିଅ କୋଉଠି ବି ଦେଖାଗଲା ନାହିଁ ସେମାନଙ୍କୁ । ମାଆ ତା’ର ଦୌଡ଼ି ଯାଇଥିଲେ ପଟୁଆର ସାମ୍ନାକୁ । ବାପା ଖେଦି ଯାଇଥିଲେ ରଥ ପଛ ଆଡ଼େ; ପୂରା ରଥଖଳା । କିଛି ସମୟ ଖୋଜାଖୋଜି ପରେ ବାପାଙ୍କ ନଜରରେ ଆସିଥିଲା ଝିଅ । ହାତ ଧରି ପକେଇଥିଲେ ବାପା ଝିଅର । ତଳୁ ଟେକି କାଖେଇ ନେଇଥିଲେ ବାପା କିଛି ସମୟ ଯାଏଁ । ଗେଲ କରିଥିଲେ । ଝିଅର ମୁହଁରୁ କଣ୍ଟି ଆସୁଥିବା ଝାଳକୁ ନିଜ ହାତରେ ପୋଛି ପକାଇଥିଲେ । ହେଲେ ଆକଟ କଲେ ନାହିଁ । ବରଂ ମୁରୁକି ହସିଥିଲେ ଝିଅ ମୁହଁକୁ ଚାହିଁ । ଝିଅ ବି ବେଶ୍ ହସିଥିଲା ବାପାଙ୍କ କୋଳରେ ।

ଅନେକ ଖୋଜାଖୋଜି ପରେ ମାଆ ଫେରିଥିଲେ । ସେତେବେଳକୁ ବାପାଙ୍କ ହାତଧରି କୁନି ଝିଅଟି ବେଶ୍ ଆନନ୍ଦରେ ଚାଲିଥିଲା; ହାତକୁ ହଲେଇ ହଲେଇ । ସ୍ୱାମୀଙ୍କ ସହ ଝିଅକୁ ଦେଖି ଆଶ୍ୱସ୍ତ ହୋଇ ବି ତା ମାଆ ଏକ ଭୟଙ୍କର ବ୍ୟବହାର କରି ଝିଅକୁ ଭିଡ଼ିନେଲେ ନିଜ ଆଡ଼କୁ । ସ୍ୱାମୀ ଯଦିଓ ହାତରେ ଠେଲି ଆଢ଼ୁଆଳ କରୁଥିଲେ ଝିଅକୁ । ହେଲେ କୁନି ଝିଅଟିର ମାଆ ଖୁବ୍ ରାଗିଯାଇଥିଲେ । ମାଆର ରାଗିବା ଦେଖି ଡରିଯାଇଥିଲା କୁନି ଝିଅ । ହେଲେ ମାଆ ତା’ର ରାଗ ତମ୍‌ତମ୍ ହୋଇ କଅଁଳିଆ ଗାଲକୁ ଚାପୁଡ଼ାଟିଏ ମାରିଦେଇଥିଲେ । ଭେଁ ଭେଁ ହୋଇ କାନ୍ଦି ପକାଇଥିଲା କୁନି ଝିଅ । ଆହୁରି ଜୋର୍‌ରେ କାନ୍ଦିଥାନ୍ତା କି କ’ଣ? ମାଆ ପୁଣି ରାଗିଲେ । ଆଉ ଗୋଟିଏ ଚାପୁଡ଼ା ମାରିଦେଲେ କୁନି ଝିଅର ଗାଲକୁ । ଏଥର କୁନି ଝଅଟି ଭେଁ ଭେଁ ଶବ୍ଦ କଲାନି କିନ୍ତୁ ଶକ୍ ଶକ୍ ହୋଇ କାନ୍ଦି ନିଜ ଆଖି ମଳିଲା । ବାପାଙ୍କୁ ଚାହିଁଲା କୁନି ଝିଅ ଅତି ଆକୁଳ-ବ୍ୟକୁଳ ଦୃଷ୍ଟିରେ । ବାପା ମାଆକୁ ବି ବିରକ୍ତ ହେଉଥିଲେ; ଏମିତି ନ କରିବାକୁ । 

କୁନି ଝିଅ ବୋଧହୁଏ ମନେ ମନେ ଭାବିଥିଲା, ‘ବାପା ମୋର କେତେ ଭଲ! ମାଆ କିନ୍ତୁ ନୁହେଁ । ମାଆ ବୁଝିପାରିଲା ନାହିଁ ମୋର ମନକଥା! ଏତେ ଲୋକ ଗହଳିରେ ବି ମୋତେ ଆକଟ କଲା; ମୋ ଗାଲକୁ ମାରିଲା । ମାଆର ଏହି ମାରିବାରେ ଯେ ମୁଁ କେତେ ଅପମାନିତ ହେବି ମୋ ସମବୟସୀଙ୍କ ଆଖିରେ! ଏକଥା ଭାବିଲା ନାହିଁ ମାଆ!’

ଆଖି ମଳି ମଳି କାନ୍ଦୁଥିଲା କୁନି ଝିଅ । ତଳକୁ ଚାହିଁ ଚାଲିଥିଲା । ନାଚ କି ଲୋକ ଗହଳି କାହାକୁ ବି ଅନଉ ନଥିଲା ସେ । ଆନନ୍ଦର ମନଟା ତା’ର ଭାଙ୍ଗି ଯାଇଥିଲା ସେତେବେଳଠୁ ।

ରଥ ଅଟକି ସାରିଥିଲା ମାଉସୀ ମାଆ ମନ୍ଦିର ସାମ୍ନାରେ । ଗୋଟି ପହଣ୍ଡି ବି ଶେଷ ହେବା ଉପରେ । ମନେପଡ଼ିଲା କୁନି ଝିଅଟି । ଶେଷ ହେଇଆସୁଥିବା ଉତ୍ସବ ଭିତରେ ଖୋଜିଲି ମୁଁ ତାକୁ । ଏକଡ଼ ସେକଡ଼ କେତେ ଆଡ଼େ ଚାହିଁଲି । ରାସ୍ତା ଉପରକୁ ଆସି ଦେଖେ କୁନି ଝିଅଟି ସେତେବେଳକୁ ଟ୍ୟାକ୍ସିରେ ବସିବାକୁ ଯାଉଛି । ତା ମାଆ ତାକୁ କାଖରେ କାଖେଇ ଟ୍ୟାକ୍ସିରେ ବସଉଥିଲା । ହଠାତ୍ ପଛକୁ ବୁଲିପଡ଼ି ଚାହିଁଦେଲା କୁନିଝିଅଟି ମୋ ଆଡ଼େ । ହାତ ହଲେଇ ଟା ଟା କଲା । ମୁରୁକି ହସି ଟ୍ୟାକ୍ସି ଭିତରକୁ ଗଲା ।

ମୁଁ ଠିଆ ହେଇ ରହିଲି । ଟ୍ୟାକ୍ସିକୁ ପଛରୁ ଚାହିଁଲି । ମୁହଁ ଅନ୍ଧାର ଭିତରେ ଟ୍ୟାକ୍ସି ଆଗକୁ ଗଡ଼ିଲା; ପୂରା ଅନ୍ଧାର ଆଡ଼କୁ ।



Rate this content
Log in