Panchanan Jena

Comedy

4.5  

Panchanan Jena

Comedy

ଚତୁର ବିନୋଦ

ଚତୁର ବିନୋଦ

11 mins
166


      ସପ୍ତାହରେ ଦୁଇଦିନ ଅର୍ଥାତ୍ ବୁଧବାର ଓ ଶନିବାର ପର୍ଶୁରାମ ବିଶ୍ଵାଳ ବାବୁଙ୍କୁ ଦେଖିବାର ଅଛି ନିହାରିବାର ଅଛି । ବାବୁ ଆମର କାଳି ଅନ୍ଧାରରୁ ସିନ୍ଦୁରା ଫାଟିବାର ବହୁ ପୂର୍ବରୁ ବିଛଣା ତ୍ୟାଗ ପୂର୍ବକ ବିଜୁଳି ବେଗରେ ନିତ୍ୟକର୍ମ ସଂପାଦନ କରି ସଫା ନୀଳବଡ଼ି କଷା ଧୋତି- ପଞ୍ଜାବୀ ପିନ୍ଧି କାନ୍ଧରେ ଧଳା ଇସ୍ତୀ କରା ଗାମୁଛା ଓହଲେଇ ଘରୁ- ବାହାର, ବାହାରୁ -ଘର ଖାଲି ଏପଟ ସେପଟ ହେଉଥିବେ ଦରାଣ୍ଡି ପକଉଥିବେ ଲଙ୍ଗଳରେ ଅନ୍ତର କାଟିଲା ପରି । 

ସ୍ୱାମୀଙ୍କର ଏପରି ରଙ୍ଗଢଙ୍ଗ ଦୀର୍ଘ ୧୮ ବର୍ଷ ହେଲା ଦେଖି ଦେଖି ଧର୍ମପନ୍ନୀ ଶକୁନ୍ତଳା ଦେବୀଙ୍କର ବି ଦେହସୁଆ ଆଇବାସ୍ ହୋଇଗଲାଣି । ସେଇ ଏକା ଭଳିଆ ନାଟକ କେତେ ଦେଖିବେ ସେଟ୍ ମ୍ୟାକ୍ସ୍ ବ୍ୟାନେଲରେ ସୂର୍ଯ୍ୟବଂଶମ୍ ସିନେମା ପରିକା । ସେ ବି ପାତ୍ର ଘରର ଝିଅ । ପାରିବା ପଣରେ ପଣେ ଆଗରେ ଜଣେ । ବାସି ପାଇଟି କରୁ କରୁ ସେ ବି ବେଳେ ବେଳେ ମୁଁହରେ ପଣତ କାନିକୁ ଚାପି ମୁରୁକି ମୁରୁକି ପ୍ରଶ୍ନବାଣ ବିନ୍ଧିବାକୁ ସମୀଚୀନ ମନେ କରନ୍ତି ।

" ଆଜି ଆମର ନୂଆଗାଁ ହାଟକୁ ଯିବାର ନାହିଁ । ଶୁଣୁଛ ଟି । ପରିବା ପଚୁଛି ସଢୁଛି ପାଚିଯାଉଛି । ଖାଲି ଟମାଟୋ ଓ କାଙ୍କଡ଼ ଦରକାର ଥିଲା । ମୁଁ ବରିଆ ଭାଇ ହାତରେ ମଗେଇ ଦେଇଛି ।"

ଶ୍ରୀମତୀଙ୍କ ବଙ୍କା ଅଧରରୁ ଏମିତିକା ବିକ୍ରୋକ୍ତି ଶୁଣିବା ମାତ୍ରେ ବିଶ୍ଵାଳ ବାବୁଙ୍କ ମନଟା ଫିକା ପଡ଼ିଯାଏ । ଯେମିତି କଳା ମେଘଟା ଘୋଟିଆସିଲେ ପୂର୍ବ।କାଶରେ ନାଲି ସିନ୍ଦୁରିତ ଚାନ୍ଦ୍ରୁଆଟି ପାଉଁଶିଆ ଦେଖାଯାଏ । ବିଶ୍ଵାଳ ବାବୁଙ୍କ ମନ ଆକାଶଟା ମନ ମଗଜଟା ବି ସେମିତି କା ପାଣିଚିଆ ଲାଗେ । ଏପଟ ସେପଟ ଘରୁ ଅଗଣା ଯିବା ଆସିବା ଗତି ପଥରେ ସ୍ଥାଣୁତା ଆସିଯାଏ ।

ମନ୍ଥରତାର ପରିବେଗରୁ ନୁହଁ ବିଶ୍ଵାଳ ବାବୁଙ୍କ ମନର ଭାଷା ଅନ୍ତରର ଅନନ୍ତ ପ୍ରଦେଶର ବ୍ୟଥା ବେଦନାକୁ ପଢ଼ି ନିଅନ୍ତି ପତ୍ନୀ ଶକୁନ୍ତଳା ଦେବୀ । ନାଟକୀୟ ଢଙ୍ଗରେ ଫ୍ରିଜ୍‌ ଧଢ଼ାସ୍ କି ଖୋଲି ଦିଅନ୍ତି । ଟିକେ ଇଷତ୍ ଉଚ୍ଚ ଆବାଜରେ କୁହନ୍ତି --- ବୁଧବାରଟା ପରା ବଡ଼ ପାଳି । ହୋମିଓପାଥି ଔଷଧ ଖାଉଛେ ଆମେ ଦୁଇ ପ୍ରାଣୀ ପରା । ସାଧା- ସିଝା- ସନ୍ତୁଳା- ଖାଡ଼ା ନୀରାମିଷ ଗିଳୁଛେ ପରା । ମୁଁ ବି ବୋକିଟା କେଉଁଠିକାର । କ'ଣ ନା ବରିଆ ଭାଇ ହାତରେ ମଗେଇ ଦେଉଛି ? କହୁ କହୁ ହାଟଝୁଲା ଧରେଇ ଦିଅନ୍ତି ଓ ଛାତି ପକେଟରେ ଚିଠା ପୁରଉ ପୁରଉ ଚାରି ଚକ୍ଷୁର ମିଳନ ବି ହୋଇଯାଏ ।

କଥା ସରି ନ ଥାଏ । "ବିଚରା ବରିଆ ଭାଇ ପାନପଟ ସାଇକେଲରେ ବାନ୍ଧିବା ଭଳିଆ କଷ୍ଟସାଧ୍ୟ କାମ କରିବା ଭିତରେ ଏହି ଗୋଟେ ଦି'ଟା ଜିନିଷ ଆଣିବାକୁ କହିବାରେ ମନ ବାରଣ କରେ ।

ଆଉ ତୁମେ ନୂଆଗାଁ ହାଟକୁ ନ ଗଲେ ତୁମର ତ ଭାତ ହଜମ ହେବନି । ସବୁ ପରିବା ଆଣିବାର ନାହିଁ ଝୁଲେ ଝୁଲେ । ଚିଠା ଅନୁସାରେ ଅଳ୍ପ ଅଳ୍ପ ଅଧାକେଜି - ପାଓକେଜି -ଦୁଇଶହ ଗ୍ରାମ୍ - ଦଶଟଙ୍କାର - ପନ୍ଦରଟଙ୍କାର ଗୁଡ଼ା ହିସାବରେ ଆଣିବ ।

ହଁ ! ସଅଳ ଯିବ - ସଅଳ ଆସିବ । ବେଳ କରିବ କିଆଁ ? ବରଗଛ ତଳେ ତୁମ କୋର୍ଟ କଚେରୀ କରିବନି । କଥା ପସରା ବସେଇବନି । ଆଗ ପରିବା କିଣା କାମଟା ସାରିଦେବ । ତୁମେ ହାଟ ଝଟା ବେଳକୁ ହଲି ଦୋହଲି ଗଲା ବେଳକୁ ତୁମକୁ ଚାହିଁ ବସିଥିବେ କଣା- ପୋକା- କେଂପା-କୂଜା - ପାଚିଲା ପରିବା ସବୁ । ତୁମେ ଆଣିବ କ'ଣ ନା ଝୋଟ- ସାରୁ ?

ମଟର ସାଇକେଲ ଷ୍ଟାର୍ଟରୁ ଶ୍ରୀମତୀ ସବୁ ବୁଝିପାରନ୍ତି । ମନେ ମନେ ହସି ପକାନ୍ତି । ଘର କାମରେ ମନ ଦିଅନ୍ତି ଚାରିଗୁଣା ସରାଗରେ । ଏଇ ତ ଜୀବନର ଫଲଗୁ ତେଲ ଲୁଣର ସଂସାର ଓଜାଣିରେ। ଶ୍ଳେଷୋକ୍ତିରେ ବଙ୍କା ବକ୍ରୋକ୍ତିରେ ସ୍ନେହ ପ୍ରେମ ଝରଣା କଳ କଳ କଲ୍ଲୋଳୀତ ମହ ମହ ମହକୀତ ଉତ୍ସର୍ଗୀକୃତ ଭାବନା ବାସନା ଯାତନା ଚିନ୍ତା ଚେତନା ।

ପର୍ଶୁରାମ ବିଶ୍ଵାଳ ବାବୁ ବଗଦା ଗ୍ରାମର ପୋଷ୍ଟମାଷ୍ଟର ଯୋଗୁଁ ଯେତେ ପରିଚିତ ନ ଥିଲେ , ତାଙ୍କର କଥା କହିବାର ଧୂରୀଣ ଶୈଳୀ ଅର୍ଥାତ୍ ବାକ୍ ଚାତୁରୀ ପାଇଁ ଖଣ୍ଡ ମଣ୍ଡଳରେ ନୁହଁ ବରଂ ପୂରା ବାଲିଆପାଳ ବ୍ଲକରେ ବେଶ୍ ଲୋକପ୍ରୀୟ । କୌଣସି ବିଷୟବସ୍ତୁ ଉପରେ ଏମିତି ଭାଷାଣବାଜି କରିବେ ଯେ, ଏମିତି ଚର୍ବିତ -ଚର୍ବଣର ଚ୍ୟବନପ୍ରାସ ତଥା ତର୍କ ବିତର୍କର ତଡ଼କା ଲଗେଇ ବଢେଇ ଚଢ଼େଇ ଅନର୍ଗଳ କହିବେ ଯେ , ଭୂତତ୍ତ୍ଵ ବିଜ୍ଞାନର ଜଟିଳ ପ୍ଲେଟ୍ ବିବର୍ତ୍ତନବାଦ ସିଦ୍ଧାନ୍ତ ପରି କେଉଁଠିକାର ଖବରକୁ ଆଉ କେଉଁଠୁ ଆଣି ଅନ୍ୟ କେଉଁଠାରେ ଲଗେଇ ଯୋଡ଼ି ଦେବେ ଯେ ଜାଣିହୁଏନା ।

 କଥା କୌଶଳ ଓ ଅନନ୍ୟ ବାକ୍ ପଟୁତା ପାଇଁ ଖାଲି ନିଜ ଜଗତପୁର ପଞ୍ଚାୟତ ନୁହଁ ଦଶଖଣ୍ଡ ପଞ୍ଚାୟତରେ ବିଭିନ୍ନ କଳି- ତକରାଳ , ମାଲି- ମକର୍ଦ୍ଦମା, ବିଚାର- ପଞ୍ଚାୟତ ଇତ୍ୟାଦିରେ ନୁହଁ ଖେଳ- ଟୁର୍ନାମେଣ୍ଟରେ ଧାରା ବୀବରଣୀ ପାଇଁ ବିଶ୍ଵାଳ ବାବୁଙ୍କୁ ଖୋଜା ପଡ଼େ । ଗାଁ ବରଗଛ ତଳେ ତାସ ଖେଳ ହେଉ ବା ସଧ୍ୟାର ଅବସର ବିନୋଦ ଗୁଲି ଖଟି ହେଉ ବା ବିକା ଗୁମୁଟି ଆଗରେ ସକାଳ- ସଞ୍ଜ ଚା' ପର୍ବର ଆସର ହେଉ ସବୁ ଯାଗାରେ ବିଶ୍ଵାଳ ବାବୁ ଥିବେ ହିଁ ଥିବେ । ତାଙ୍କର କଡ଼ା ପାନ ଖିଆ ପାଟିରେ ବକର ବକର ଚାଲିଥିବ ଓ କିଛି ଅଦେଖା ଦେଖଣାହାରୀ ଶ୍ରବଣକାରୀ ଶ୍ରୋତା ମଣ୍ଡଳୀ ଡ଼ର୍ଜନେ ଖଣ୍ଡେ ଲୋକେ ଗୁଡ଼- ଚିନି ଚାରିପଟେ ଜନ୍ଧା- ପିମ୍ପୁଡ଼ି ପରି ବେଢ଼ମାରି ଘେରି ରହିଥିବେ । ଆଉ ମଝିରେ ମଝିରେ ହସୁଥିବେ ମୁଣ୍ଡ ଟୁଙ୍ଗାରୁ ଥିବେ ବହୁରୁପିଆ ଏଣୁଅ ପରି ବିଶ୍ଵାଳ ବାବୁଙ୍କ ଚଟୁଳିତ କିମ୍ଭୁତ କିମ୍ଭାକାର ବାକ୍ୟ ବିନୋଦରେ ବଚନ ସରସତାରେ ଢଗ ଢମାଳୀରେ । ବିରାମ ନାହିଁ କି ବିଶ୍ରାମ ନାହିଁ । ଅନବରତ ଅନର୍ଗଳ ଚାଲିଥିବ କଥାର ଲହରୀ ପସରା ।

ମାତ୍ର ଅଧୁନା କରେ।ନା ମହାମାରୀ ର ସର୍ବ ଗ୍ରାସି ପ୍ରଭାବ ବିଶ୍ଵାଳ ବାବୁଙ୍କ ସଭକ ଓ ଦୀନଚର୍ଯ୍ୟା ଉପରେ ଯେମିତି ରୋକ୍ ଲଗେଇ ଲଗେଇ ଦେଉଛି ଯେମିତି ସରକାରୀ ଫାଇଲ ଉପରେ ନାଲି ପିତା । ଫଟଫଟିଆ ଚଳେଇ ଧୂଳି ଉଡ଼େଇ ହାଟକୁ ଯିବା , ଗାଁ ବରଗଛ ପିଣ୍ଡିରେ ତାସ୍ ଖେଳିବା , ଚା' ଦୋକାନ କାଠ ବେଞ୍ଚରେ ଖଟି ଜମେଇବା ହେଁ ହେଁ ହେବା ଇତ୍ୟାଦି ଅଭ୍ୟାସ ଉପରେ ଏକଦମ ଲଗାମ ପଡ଼ିଯାଇଛି । ପୋଲିସ୍ ଲାଠି ଧରି ଗାଣ୍ଡିଆ ମୁଣ୍ଡିଆ ଠୁକି ଦେଉଥିବାର ଭୟ ବି ଘାରୁଛି । ଖବରକାଗଜ ବି ଡ଼େରୀରେ ଆସୁଛି । ଗୁମ୍ ମାରି ଚକା ପାରି ବସୁଛନ୍ତି । ପୋଷ୍ଟ ଅଫିସରେ କେତେ ବା କାମ ଯେ ଆଜି କାଲି । ବାହାରେ ବୁଲିବା ଲୋକ ଘରେ ଚବିଶ ଘଣ୍ଟା ବନ୍ଧା ଗାଈ -ବଳଦ ପରିକା ହାମ୍ବୋଳି ହେଉଛନ୍ତି । କାନ୍ଥକୁ ବାଡ଼କୁ ଚାହିଁ ଆପେ ଆପେ ବକର୍ ବକର୍ ହେଉଛନ୍ତି । ତଥାପି ବେଳେ ବେଳେ ସଟ୍ ଡାଭନ୍ ଓ ଲକ୍ ଡାଉନ୍‌ କୋହଳ ସମୟରେ ମାଛ - ପରିବା କିଣିବାର ବାହାନାରେ ମୁଁହରେ ତୁଣ୍ଡି ଲଗେଇ ବାହାରି ପଡ଼ନ୍ତି ନିଜର ଦୈନିକ କର୍ମଶାଳା , ସକାଳ- ସଞ୍ଜ ଆସରର ପେଣ୍ଠସ୍ଥଳୀ ଅଦ୍ ଭୂତିଆ ମାର୍କେଟ - ବରଗଛ ତଳ ପିଣ୍ଡି ପାଖକୁ | ଅଭ୍ୟାସ ବଳେ ଏ ଜଗତ । 

ପାଖ ରାଣୀ ଖୁଡ଼ି ଗ୍ରାମର ୨୫ ବର୍ଷିଆ ଭେଣ୍ଡିଆ ବିକାଶ କୁମାର ଦାସ ବିଶ୍ଵାଳ ବାବୁଙ୍କର ଜଣେ ଜଣେ ଆଗଧାଡିର ସମର୍ଥକ । କେତେକ କୁହନ୍ତି ବିକାଶ ପ୍ରଶଂସକ ନା ଫ୍ୟାନ କିଛି ନୁହଁ। ସେ ମଝିରେ ମଝିରେ ମାଗଣାରେ ପାନ- ଚାହା ବିଶ୍ଵାଳ ବାବୁଙ୍କ ଦୟାରୁ ଖାଏ , ତେଣୁ ନୁସୁରୁ ପୁସୁରୁ ଚାମଚା ଗିରି ଟିକେ କରେ । ଯାହା ବି ହେଉ , ଥଟ୍ଟା- ମଜ୍ଜା ଚାଲେ ଗୁରୁ- ଚେହ୍ଲା ,କୁଜିନେତା- ଟାଉଟର, ରାନ୍ଧୁଣିଆ- ଟହଳିଆ ଭଳିଆ । ବେଳେ ବେଳେ କଥା ଆସର ମଝିରେ ଅଜା- ନାତିର କୌତୁକିଆ କପୋଥ- କଥନ , ମନମତଣିଆ ଟଣା- ଉଟରା ବାଦି ପାଲା - ଦାସ କାଠିଆ - ଦଣ୍ଡ ନାଚରେ ପାଟ୍ କରୁଥିବା ଚରିତ୍ର ମାନଙ୍କ ପରି ଲାଗନ୍ତି । ତାଳେ ତାଳେ ନାଚି ଉଠନ୍ତି ଝୁମି ଉଠନ୍ତି ଦେଖଣା ହାରୀ ଶ୍ରବଣକାରୀ ମଣିଷମାନେ ।

କିନ୍ତୁ କରୋନାର ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ଦିନରୁ ବିକାଶ କ'ଣ ଉଭାନ୍‌ । ଦାସ ପୁଅ ବସଭଥିବ ଫାସ ମଜାରେ କହନ୍ତି ଥଟ୍ଟା କରିନ୍ତି। ପଦୁଆ ବେହେରା କହୁଥିଲା ବିକାଶ ମାଇପ କାନିତଳେ ବିଶ୍ରାମ ନେଉଥିବ । ବେଳେ ବେଳେ ଇଦ୍ ର ଚନ୍ଦ୍ରମା ପରି ସକାଳିଆ ମାଛ ମାର୍କେଟରେ ତ ଧାନ କଟା ବିଲରେ ତ ତଳିପକା ବେଳେ ବିଲବନ୍ଧ କଡ଼ରେ ଦେଖା ହୋଇଯାଏ । ନୋହିଲେ ନାହିଁ କହିଲେ ଚଳେ ବିକାଶ ଦାସ ।

ଦୀର୍ଘ ଦିନ ପରେ ବିକାଶ ଦାସ ବିଶ୍ଵାଳ ବାବୁଙ୍କୁ ପୁରା ଫର୍ମରେ ଥିବାର ଦେଖିଲା । ମାଛ ମାର୍କେଟ ପାଖରେ ଥିବା ବରଗଛ ଚବୁତରା ଉପରେ ବସି ପାନଖିଆ ନାଲି ପାଟିରେ ବାକ୍ୟବାଣ ମାରି ଚାଲିଛନ୍ତି ଦାଗୀ ଚାଲିଛନ୍ତି ବିନ୍ଧି ଚାଲିଛନ୍ତି ଅନବରତ ଯେମିତି ବହୁତ ଦିନ ହେଲା ଗଚ୍ଛିତ ଥିଲା ଅଟକି ଯାଇଥିଲା ମନ ତୃଣୀରରେ। କିଛି ଚଟୁଳିତ କରେ।ନା

ସଂପର୍କିତ ଅର୍ଦ୍ଧ ନ-ଜାଣିତ ତଥ୍ୟସବୁ ବାଟୁଳି ଭଳିଆ ଫଟା ଫଟ୍ ସଟା ସଟ୍ ବାହାରି ଆସୁଛି ବିଶ୍ଵାଳ ବାବୁଙ୍କ ମୁଖାରବିନ୍ଦରୁ ନୁହଁ ମୁଖ ବଂଧୁକରୁ ।

ଭାଇମାନେ ! ଶୁଣିଲ କି ? ଟେଲିଭିଜନ ଓ ସାମାଜିକ ଗଣମାଧ୍ୟମ ଦେଖି ଜଣାପଡ଼ୁଛି କେବଳ ବଚ୍ଚନ ପରିବାରକୁ କରୋନା ପଜିଟିଭ ହୋଇଛି । ବାକି ସାଢ଼େ ନଅ ଲକ୍ଷ ଭାରତୀୟଙ୍କୁ ଓ ୨୫ ହଜାର ଓଡ଼ିଆଙ୍କୁ ମଶା କାମୁଡିଛି ।

ବୁଝିଗଲ ସବୁ । ସିନେମା ଜଗତର ମହାନାୟକ ଅମିତାଭ ବଚ୍ଚନ , ପୁଅ ଅଭିଷେକ ବଚ୍ଚନ, ବୋହୁ ଐଶ୍ୱର୍ଯ୍ୟା ବଚ୍ଚନ ଓ ଶେଷରେ ନାତୁଣୀ ଆରାଧ୍ୟା ବଚ୍ଚନ ଲୀଳାବତୀ ହସ୍‌ପିଟାଲରେ ଭର୍ତ୍ତି । କାରଣ ଜାଣିଛ ! ବିଗ୍ ବି କୌନ୍ ବନେଗା କରେ।ଡପତି ଖେଳରେ ପଇସା ଦେବେ, କଲ୍ୟାଣ ଜୁୟେଲାର୍ସରେ ଗହଣା କିଣି ସାରିବାକୁ କହିବ , ପୁଣି ମୁଥୁଟ୍ ଫାଇନାନ୍‌ସରୁ ସୁନାଋଣ ଦେବେ, ମଥା ବିନ୍ଧିବ ଆଉ କହିବ ନବରତ୍ନ ତେଲ ଲଗାଅ ମୁଣ୍ଡ ବିନ୍ଧା ଭଗାଅ । ଖାଲି ନାଟକ ପ୍ରହସନ ।

କିନ୍ତୁ ଭାଇମାନେ ଆମର ଶିଖିବାର ଅଛି । ଅମିତାଭ ବଚ୍ଚନ ଭଳିଆ ଦିୱାରକୁ ମଧ୍ଯ କରେ।ନା ହୋଇଗଲା ଆଉ ତୁମେ ସବୁ ହେରାଫେରି କରୁଛ । ୨୦ ଟଙ୍କିଆ ମାସ୍କ ପିନ୍ଧି ମର୍ଦପୁଅ ଭଳିଆ ବୁଲୁଛ । ଆରେ ଭାଇ ଆନନ୍ଦ ! କାଲିଆ ! ରାମ ବଳରାମ ! ଶକ୍ତି ! ଅମର ଆକବର ଆନ୍ଥୋନି ! ମିଲି ! ଗୁଡ଼ି ! ଛୋଟେ ମିଆଁ ବଡ଼େ ମିଆଁ ! ଏ ହେଉଛି ଅଗ୍ନିପଥ । ଯିଏ ଘରେ ରହିଲା ସେହି ହେଲା ଆଜ୍‌ କା ଅର୍ଜୁନ , ମୁକଦ୍ଦର କା ସିକନ୍ଦର , ସତସତିକା ସେହନ୍ ଶାହା ହେବ । ନୋହିଲେ ଡନ୍ ହେବାର ଚକ୍ରବ୍ୟୁହରେ ପଡ଼ି ଲାୱ୍ଵାରିସ୍‌ - ଅଜୁବା- ନମକହାରାମ୍ - ହେଇଯିବ ଭାଇ ! ଦେଖନ୍ତୁ ଆପଣ ମାନେ ! ଖୁଦା ଗବାହ ଅଛନ୍ତି । ଲାଞ୍ଵାରିସ୍ କୁ ସୂର୍ଯ୍ୟବଂଶମ୍ କେବେ କୋଳେଇ ନେବ କି ?

ଯଦି କରୋନା ଜଂଜିରକୁ କୋଭିଡ଼ର କାଲା ପଥ୍ଥରକୁ ଭାଂଗିବାର ଅଛି, ତେଣୁ ଆଖରୀ ରାସ୍ତା ଉପରେ ମଜବୁର୍ ଅକେଲେ ଅକେଲେ ତ୍ରିଶୁଳ ଧରି ଦମ୍ଭରେ ଚାଲିବାର ଅଛି । ପୁଣି କେବେ କହି ବନି - ମିଷ୍ଟର ନଟବରଲାଲ୍ କହି ନ ଥିଲା । ପୁଣି ପରେ ପଛେ ଆକ୍ଷେପ କରିବିନି ଦା ଗ୍ରେଟ ଗ୍ୟାମ୍ବଲାର୍ ସତର୍କ କରେଇ ନଥିଲା । ଅବଶ୍ୟ ଅନ୍ଧାକାନୁନ୍‌ କାଲାପାନି ପରି ନାମ ନେଉଛି, ଯେଉଁଥିରେ ଭାଗ୍ୟ ଲାଲ ବାଦଶାହା ଭଳିଆ ସପନୋ କୀ ସୌଦାଗର ନୁହଁ ବରଂ ଶରାବୀର ଆଖେଁ ଭଳିଆ ଲାଲ୍ ହେବାର ଅଛି । ନସିବରେ ଯଦି ବଂଚିବାର ଥିବ ତ ବରସାତ କୀ ଏକ ରାତ୍ ପରେ ବି ଦେଶପ୍ରେମୀ ସାତ୍ ହିନ୍ଧୁସ୍ଥାନୀ ବେସରମ୍ ଗଙ୍ଗା କୀ ସୌଗନ୍ଧ ନେବ ।

ଦଶଦିନ କି ବାରଦିନ ପୂର୍ବେ ବିଶ୍ଵାଳ ବାବୁଙ୍କ ସହ ବିକାଶର ଭେଟ ହୋଇଥିଲା ଟିମା ମଟର ବାଇଡିଙ୍ଗ ଦୋକାନ ଆଗରେ । ଦେଖୁ ଦେଖୁ ବିଶ୍ଵାଳବୁ ହୁରି ଛାଡ଼ିଲେ ଚିରାଚରିତ ଢଙ୍ଗରେ --- ହଇରେ ଦାସ ବିକାସ ! କୁଆଡ଼େ ତୁମର ନିକାସ । ତୁମର ବିକାଶ କେବେ ହେବ ଭାବିଛ କି ? ଦର୍ଶନ ନାହିଁ । ଭେଟ ନାହିଁ । ଛାଇ ବି ଉଭାନ୍ । 

ବିକାଶ ଦାସ ଶାନ୍ତ ମୁଦ୍ରାରେ ଖାଲି ଏତିକି କହନ୍ତେ --- ବିକାଶ କାନପୁର ବାଲାକୁ ପୁଲିସ୍‌ ଧରି ପକେଇବ । କାରଣ ବିକାଶ ପଛରେ ପୂରା ପୁଲିସ ଦଳ ବଳ ସହିତ ପଡିଛି ।

ଶୁଣିଲେ ଓ ଜୋର ଜୋରରେ ହସିଲେ ବିଶ୍ଵାଳବୁ । ପାନ ଛେପର ନାଲି ସରୁ ଧାର ଓଠ କୋଣରୁ ଅନ୍ତସଲିଳା ସ୍ରୋତସ୍ଵୀନୀ ପରି କୁତ୍ରା ପି ଦୁଷ୍ଟାମୀ କରୁଥାଏ । 

" ଯେମିତି ମୋଦି ସରକାର ବିକାଶ ପଛରେ ପଡ଼ିଛି - ସବ୍ କା ସାଥ୍, ସବକା ବିକାଶ , ସବକା ବିଶ୍ୱାସ । ଦୀର୍ଘ ୬ ବର୍ଷ ହେଲା ଖୋଜୁଛନ୍ତି କିନ୍ତୁ ବିକାଶ ଆସିବାର ନାହିଁ । ବଦଳରେ ମାଉସୀ କରେ।ନା ଆସିଛି ।--- ବିଶ୍ୱାଳବୁ କଂଗ୍ରେସ ଦଳର ପୁରୁଣା ପୁରୁଖା ନେତା । ତେଣୁ ଟିକେ ରାଜନୀତିଆ ଢ଼ଙ୍ଗରେ କଥାର ମଙ୍ଗ ବୁଲେଇ ଦେଲେ ।

ଚେହ୍ଲା ବିକାଶ ଦାସ ବି ଛାଡ଼ିବାର ନୁହଁ । ପାଳି ଧରିବା ଆଳରେ କହି ପକେଇଲା --- ପୋଲିସ୍‌ ଉପରେ ଆସ୍ଥା ରଖନ୍ତୁ ବିଶ୍ଵାସ ରଖନ୍ତୁ । ବାହୁବଳି ବିକାଶ ଦୁବେ ଧରା ପଡିଯିବ ଆଉ ଟିଭିରେ ଯେଉଁ ଗର୍ଜନ ତର୍ଜନ ଚାଲିଛି ବନ୍ଦ ହେଇଯିବ ଠପ୍ ପଡ଼ିଯିବ ଯୋକ ମୁଁହରେ ଲୁଣ ପଡ଼ିବା ପରି ।

ବିଶ୍ଵାଳବୁ ଟିକେ ମୁରୁକି ଦେଲେ । ପାନଖିଆ କଷରା ଦାନ୍ତସବୁ ସିନେମା ହଲ୍ ର ପରଦା ପରି ଖୋଲିବାକୁ ସଜବାଜ ହୋଇଗଲେ । ---ଡନ୍ ବିକାଶ ଦୁବେ ଓ ତାର ସାଥି ଏ.କେ.୪୭ ରାଇଫଲ ଗୁଳିରେ ଆଠ ପୋଲିସବାଲାଙ୍କ ଜୀବନ ଦୀପ ଲିଭେଇ ଦେଲା -- କହିଲେ କ'ଣ ନା ପୋଲିସ୍ କଠିନ ପରିଶ୍ରମ କରୁଛି । ହଁ ସତ କଥା ! ବିକାଶର ଘରକୁ ଜେସିପି - ବୋଲଡୋଜର - ପାଗଲା ହାତି ଲଗେଇ ଭାଙ୍ଗିଛି । ଆରେ ଜାଣିନିଅ ! ପୋଲିସ ବିକାଶକୁ ଧରିବାକୁ ଚାହୁଁନି । ଭାବିଲ ଦେଖି , ପୋଲିସର ଦେଶୀ କଲଙ୍କି ଲଗା ଥ୍ରୀ ନଟ୍ ଥ୍ରୀ କାଠ ବନ୍ଧୁକ ବିକାଶକୁ ଧରି ପାରିବ ? ବିଜୟ ମାଲ୍ୟା ହାତରେ ଧରାପଡ଼ିଲା କି ? ନୀରବ ମୋଦି ଆସିଲା କି ? ତେଣୁ ବିକାଶ ଦୁବେ ବି ନ୍ୟାୟାଳୟର କାଠଗଡ଼ାକୁ ଆସିବନି । ଆମର ୫୬ ଇଞ୍ଚ ଛାତି ବାଲା ସରକାର ଦେଶର ସୀମାନ୍ତ ଭୂମୀକୁ ଚୀନ ସରକାରକୁ ହାତଯୋଡି ଦେଇ ଦେଉ , ଆଉ କିଛି କହିବାର ନାହିଁ ।

ଦାସ ପୁଅ ବୁଝିପାରୁ ନ ଥିଲେ କି ବିକାଶ କଥାରୁ ବିକାଶ ଦୁବେ କଥା ଭିତରେ ଚୀନ କେମିତି ପଶିଗଲା ? 

ପୁଣି ଚାରି ଦିନ ପରେ ବିଶ୍ଵାଳବୁଙ୍କ ସହିତ ମୁଁହା ମୁଁହି ଭେଟ ହୋଇଗଲା ବିକା କେବିନ ସାମ୍ନାରେ । ଏଥର ସାରଙ୍କ ହାତରେ ଗରମ ବାମ୍ଫ ବାଲା ଚା' ଗ୍ଳାସ ଥିଲା । 

ବିକାଶ ଦାସ ଗତ କଥାର ଖିଅକୁ ଖୋଲି ଦେବାକୁ ଯାଇ କହିଲେ --- ଦେଖିଲେ ସାର୍ ! ବିକାଶ ଦୁବେ ଧରା ପଡିଲା । କରିତକର୍ମା ଉତ୍ତରପ୍ରଦେଶ ପୁଲିସ ବାହିନୀର ଧରପଗଡ଼ ଯୋଗୁଁ ଫଳ ମିଳିଲା । ଏଥିରେ ଆପଣ ଖୁସି ହେବାର କଥା କି ଜଣେ ହତ୍ୟାକାରୀ ବହୁକାଣ୍ଡର ମାଷ୍ଟରମାଇଣ୍ଡ ଧରା ପଡିଲା ।

ବିଶ୍ୱାଳବୁ ଆର ଥର ଠାରୁ ଆହୁରି ଜୋରରେ ହସିଲେ ଅଟ୍ଟହାସ୍ୟ କଲେ ଯାତ୍ରା ଜଗତର ପ୍ରଖ୍ୟାତ ଭିଲିୟାନ ଦୈତାରୀ ପଣ୍ଡା ଭଳିଆ । ହସେଭଲ ବଂଧୁ ! ଦାସେ ଆପଣେ ମିଛ କହିଲ ! ହା--- ହା-- ହା-- ହାହାହା । କଂପି ଉଠିଲା ଖଣ୍ଡ ମଣ୍ଡଳ ।

" ଧରା ପଡିନି ବେ ! ସରଣ୍ଡର କରିଛି ମହାକାଳ ମନ୍ଦିର ଶିବଶଙ୍କର ଭୋଳା ମହେଶ୍ଵର ପାଦପଦ୍ମରେ ଉଜ୍ଜୟିନୀରେ ମଧ୍ଯପ୍ରଦେଶରେ । ମୋତେ ଲାଗୁଛି ସବୁ ଭିତିରିଆ କାରସାଦି । ପୁଲିସ- ନେତା- ବିକାଶ ଦୁବେର ମନ୍ତ୍ରଣା । ଲେଖିନିଅ ଷ୍ଟାମ୍ପ ପେପରରେ ! ବିକାଶ ଆତ୍ମସମର୍ପଣ କରିଛି । ସବୁ ଦୋଷ ଦୁର୍ଗୁଣ ଉଡିଯିବ ଫାଇଲ- ଆଲମାରୀରୁ । ଜେଲ୍‌ ରେ ଭିଆଇପି କଏଦୀ ନୁହଁ ଜ୍ବାଇଁପୁଅ ଭଳିଆ ରହିବ ତଥା ମସ୍ତିରେ କଳା ସାମାଜ୍ୟ ପୂର୍ବବତ ଚଳେଇବ । 

ସରକାର ତ ଖାଲି ଅଛି ଗରିବ ଦାଦନ ଖଟିଖିଆ ମଜବୁର ଶ୍ରମିକମାନଙ୍କୁ ଜାତୀୟ ରାଜମାର୍ଗରେ ଚଲେଇବ । କାରଣ ଟ୍ରେନ୍‌ ବନ୍ଦ । ବସ୍ ବି ଗଡୁ ନି ।

ଦାସ ପୁଅର ପୁଣି ବୁଝି ପାରୁନଥିଲେ ବିକାଶ ଦୁବେର ଆତ୍ମସମର୍ପଣ ସହିତ ଶ୍ରମିକ ସର୍ବହରା କେମିତି ଆସିଗଲେ କେନ୍ଦ୍ରବିନ୍ଦୁ ହୋଇଗଲେ ।

ପୁଣି ଚା' ଢ଼ୋକେ ପିଇଦେଇ ବିଶ୍ଵାଳବୁ କହି ବସିଲେ --- ଆପଣ ମାନେ ଦେଖିବେ ! ବିକାଶ ନିର୍ବାଚନ ରଣାଙ୍ଗନରେ ଜେଲରୁ ହିଁ ଲଢିବ , ଜିତିବ ବିପୁଳ ସଂଖ୍ୟାରେ ଆଉ ୬ ମାସରେ ବିନା ସାକ୍ଷୀ- ପ୍ରମାଣରେ ବେକରେ ଗେଣ୍ଡୁ ମାଳ ପକେଇ ନିର୍ଦ୍ଦୋଶରେ ଖଲାସ ହୋଇ ଯିବ । କିନ୍ତୁ କହୁଥିବ ମର୍ଦ ପୁଅର ଦର୍ଦ କ'ଣ ?

ଗତ ତିନ ଦିନ ତଳେ ସକାଳୁ ସକାଳୁ ପ୍ରାତଃ ଭ୍ରମଣ ବେଳେ ଭେଟ ହୋଇଗଲା ପୁଣି ଗୁରୁ- ଚେହ୍ଲାଙ୍କର । ଦାସ ପୁଅ ଆଗୁଆ କହିଲେ --- ଦେଖିଲେ ! ବିକାଶର ଏକ କାଉଣ୍ଟର ହୋଇଗଲା । ଜୀବନରୁ ମାରି ଦିଆଗଲା । ଆପଣ ତ କହୁଥିଲେ , ବିକାଶକୁ ମାରିବା ପୁଲିସ ହାତରେ ନାହିଁ । ସେ ଆଗାମୀ ନିର୍ବାଚନ ଲଢିବ , ଭବିଷ୍ୟତରେ ନେତା ହେବ । କିନ୍ତୁ କାହିଁ ? ରକ୍ତରେ ହୁରି ଖେଳିବା , ଗୋଳି ବଂଧୁକର ସଂସ୍କୃତିରେ ଲିପ୍ତ ରହିଥିବା ଗ୍ୟାଙ୍ଗଷ୍ଟାର ଭାଗ୍ୟରେ ଶେଷ ପରିଣତି ଏମିତି ହେଲା ।

ଏଥିର କିନ୍ତୁ ସ୍ମିତ ହାସ୍ୟରେ ଚୁମ୍ବକୀୟ ନାଟକୀୟତାରେ ବିଶ୍ଵାଳ ବୁ କହିଲେ --- ଗଧ କେଉଁଠି କା'ର ? ବିକାଶକୁ ଏକ କାଉଣ୍ଟର କରିବା ପ୍ରି-ପ୍ଲାନ୍‌ଡ ଥିଲା । ଭେଜା ସବୁ ଉଡିଗଲାଗି । କୂପ ମଣ୍ଡୁକ ହୋଇ ଗାଡର ମେଣ୍ଡା ହୋଇ ଘର କୋଣରେ ଖାଲି ମୋବାଇଲ କେଞ୍ଚୁଥା । ଲାଙ୍ଗୁଏଜ୍‌ ନୁହଁ ବଡ଼ି ଲାଙ୍ଗୁଏଜ୍ ରୁ ଗୁମର କଥା ଶିଖିବାର ନାହିଁ । ବିକାଶକୁ ନ ମାରିଲେ ସବୁ ଗୁପ୍ତ ଗୁମର ନଥିପତ୍ର ପରା ଖୋଲି ଦେଇଥାନ୍ତା ସବୁ ଦଳର ଛାମୁଆଁ ନେତା ମାନଙ୍କର । ସରକାର ଢଳି ପଡନ୍ତା ଭାଙ୍ଗି ଯାଆନ୍ତା । ପୂରା ଯୋଯନାବଦ୍ଧ ଉପାୟରେ ଗାଡି ଭଳଟି ଦେଇ ଗୋଟେ ସିନେମାର ଦୃଶ୍ୟପଟ ପରି ଆମକୁ ଦେଖେଇଦେଲେ । ଆମେ ତ ଗାନ୍ଧୀ ବୁଢାର ସ୍ଵାଧୀନଚେତା ମା'ଙ୍କଡମାନେ କଳାପଟି ବାନ୍ଧି ସବୁ ବୁଝିଗଲେ ।

ବିକାଶ ଦାସ ପୁଣି ବୁଝି ପାରୁନଥିଲେ ବିଶ୍ଵାଳ ବାବୁଙ୍କ ତର୍କଶାସ୍ତ୍ରର ଗଭୀରତମ ଜ୍ଞାନରେ । ଗୋଟିଏ ବିନ୍ଦୁରେ ସ୍ଥିର ତ ହୁଅନ୍ତୁ । କକ୍ଷରେ ଆଉ ଅକ୍ଷରେ ଚକ୍ରୀ ପରିକା ଖାଲି ପରିକ୍ରମା କରୁଥିବେ ନା କ'ଣ ।

ଛକ ଜେନା ଟିଭି ଦୋକାନରେ ବିକାଶ ଦୁବେର ଏନ୍ କାଉଣ୍ଟରକୁ ନେଇ ତର୍କ ବିତର୍କ ଶୁଣି ବିଶ୍ୱାଳ ବାବୁ ଆହୁରି ହସୁଥିଲେ । ନିଉଜ ଏଙ୍କର ଚିଲ୍ଲଉଥିଲା ବେଳେ ଦୁଇ ପ୍ରମୁଖ ଦଳର ସମର୍ଥକ କୁକୁରିଆ ହେଣ୍ଟାଳ ମାରି କହୁଥିଲେ ବିକାଶ ତୁମ ଦଳର । ଗଣତନ୍ତ୍ରରଏମିତି ବିକସିତ ବିକାଶ ପର୍ବକୁ ସମବେତ ଜନତା ଦେଖୁଥିଲେ ଶ୍ରବଣ କରୁଥିଲେ ।

ବିକାଶ ଦୁବେ କାନପୁର ବାଲାକୁ ତ ଗୁଳିରେ ମରିବାର ଥିଲା । ଯେବେ ବିଦ୍ୟାଳୟ ଶିକ୍ଷକକୁ , ମନ୍ତ୍ରୀଙ୍କୁ ଗୁଳି ମାରି ଥିଲା ସେବେଠୁଁ ତା' ମଥାରେ ଲେଖା ହୋଇ ସାରିଥିଲା । ସେ କୁକୁର ଭଳିଆ ଥିଲା । ତେଣୁ କୁକୁର ଭଳିଆ ଧକେଁଇ ଧକେଁଇ ଗୋଡେଇ ଗୋଡେଇ ଗୁଳି ଫୁଟେଇ ମାରିଲେ ପୁଲିସ ଦଳ ପଳାତକ ବିକାଶକୁ ।

ଗୋଟିଏ କଥା କହିବ କି ? ବିକାଶକୁ ବାହୁବଳି ଅପରାଧ ଦୁନିଆର ବାଦ୍ ଶାହା କି'ଏ କଲା ? ସେ ବି ତ ମା' ପେଟରୁ ଜନ୍ମ ହେଉ ହେଉ ଡନ୍ ହେଇ ନ ଥିବ ? ସିଏ ବି ତ ପୁଅ ଭାଇ କାକା ବାପର ଭୂମିକାରେ ଅବର୍ତ୍ତିଣ୍ଣ ହେଇଥିବ ?

ରାଜନେତା ମାନେ ବିକାଶ ଭଳିଆ ଯୁବକ ମାନଙ୍କୁ ଅସ୍ତଶସ୍ତ୍ର ଦେଇ ହାତ ବାରିସି କରନ୍ତି, ଛୋଟ ଛୋଟ ଅପରାଧର ଭର୍ବରକ ଦେଇ ଓ ପ୍ରସଂଶାର ପାଣି ଦେଇ ଦେଇ ମହାଦ୍ରୁମର ଛତ୍ରଛାୟା ତଳେ ଆରାମରେ ରାଜନୈତିକ ପଶାପାଲିରେ ଗୋଟି ଚଳନ୍ତି ଏକଛତ୍ରବାଦୀ ଆଦିବ କାଇବାରେ ସିନେମା ଦୁନିଆର ଖଳନାୟକ ପରି ସୁରା- ସାକି- ମାତାଲ୍ ବୋବାଲ୍ । ଆଉ ଯେତେବେଳେ ନେଡ଼ି ଗୋଡ କହୁଣୀକୁ ବହିଯାଏ , ପୂର୍ବ ନିୟୋଯିତ କାର୍ଯ୍ୟାକ୍ରମ ପରି କାଟି ଦିଅନ୍ତି ଟିକ୍ ଟିକ୍ ଚତୁର ଚଟୁଳ ବିନୋଦରେ |

କିନ୍ତୁ ରାଜନୀତିର ଗନ୍ଧୁଆ ନର୍ଦ୍ଦମା ଆଉ କେତେ ବିକାଶ ଭଳିଆ ପୋକ- ଯୋକ ମାନଙ୍କୁ ପୁଣି ଜୀବନ୍ୟାସ କରିଦେବ । ପୁଣି ଚାଲିବ ଗୁଳି ଗୁଳା ର ସମର।ଭ୍ୟାସ । ରାଜନୈତିକ ତନ୍ଦୁରି ଚୁଲିରେ ସେକା ଚାଲିବ ଅପରାଧର ରକ୍ତ ରଂଜିତ ରୁଟି ଚତୁର କଳା କୌଶଳରେ। ଗନ୍ଧୁଆ ନାଳକୁ ସଫା କରିବାକୁ ହେବ । 

ହଠାତ୍‌ ପୋଲିସ୍ ଗାଡ଼ି ସାଇରନ୍ ଶୁଭିଲାରୁ ସମସ୍ତେ ଛତ୍ରଭଙ୍ଗ ଦେଲେ କିନ୍ତୁ ବିକାଶ ଭାବୁଥିଲା ବିକାଶ ଭଳି ଗନ୍ଧୁଆ ନିର୍ଦ୍ଦମାର ପୋକମାନେ ବାରମ୍ଵାର ବିଭିନ୍ନ ରୂପରେ ଜନ୍ମ ନେବା ପଛରେ ନେତା ମାନଙ୍କର ଚତୁର ବିନୋଦ ହିଁ ରାସାୟନିକ ଭର୍ବରକ ଭଳିଆ ବାହୁବଳି ବିପ୍ଳବକୁ ଜନ୍ମ ଦେଇଚାଲିଛି । 

ଅଳ୍ପ ଅଳ୍ପ ବୁଝି ପାରୁଥିଲା ଓ ଦୈଡୁଥିଲା । ହଠାତ୍‌ ଧକ୍କା ଖାଇଲା ତଥା ନାଳରେ ପଡ଼ିଗଲା । ଉଠିଲା ବେଳକୁ ସମବେତ ପିଲା ଦଳେ ହସୁଥିଲେ ଓ କହୁଥିଲେ ଗନ୍ଧୁଆ ନାଳର ପୋକ ।



Rate this content
Log in

Similar oriya story from Comedy