Padmalaya Padhy

Romance

4  

Padmalaya Padhy

Romance

ଚଷମା

ଚଷମା

4 mins
362



କୋଉଠି ନା ରଖି ଦେଇଛନ୍ତି ଜିନିଷଟା ସେତେବେଳୁ ମିଳୁନାହିଁ ଶହେରୁ ଅନେଶ୍ୱତ ଭାଗ ମୁଣ୍ଡରେ ଟେନସନ ଏଇ ଚଷମା ଲାଗି ନହେଲେ ବୈଦେହୀ ଓରଫ ବିଦୁଙ୍କର ଟେନସନ ବୋଲି ଏବେ କିଛି ନାହିଁ l ଖୋଜୁ ଖୋଜୁ ଚଷମାଟା ତକିଆ ଖୋଳ ଭିତରେ ଅଧା ପଶିକି ରହିଛି l ଶୋଇ ନାହାନ୍ତି ରକ୍ଷା ନହେଲେ ଭାଙ୍ଗି ଯାଇଥାନ୍ତା l ପଢ଼ା ପଢ଼ିରେ ସଉକ ଥିଲା ଏବେ ବି ଅଛି l ଟିଭି ଦେଖା ବି ପ୍ରବଳ ଚାଲିଛି l କିନ୍ତୁ ବାରମ୍ବାର ଗ୍ଳାସର ପାୱାର ବଢ଼ିବା ପରେ ଏସବୁ କମେଇବା ପାଇଁ ବାଧ୍ୟ ହୋଇଛନ୍ତି l କଣ କରିଥାନ୍ତେ ଆଉ l ନିଜ ଲୋକଙ୍କ ପାଖରେ ରହିଲେ ସିନା କଣ ହେଇଥାନ୍ତା l କିନ୍ତୁ ଏଇ ଜାଗାରେ ଯିଏ ଯାହାର ଟେନସନକୁ ନେଇ ବ୍ୟସ୍ତ l ବିଦୁଙ୍କର ଚଷମା ଗ୍ଲାସ ବର୍ଷକୁ ଦଶ ଥର କିଏ ଯାଇ ବଦଳାଇ ପାରିବ l

ଏଇ ଚଷମା ଦିନେ ତାଙ୍କୁ ସମସ୍ତଙ୍କର ନଜରର କେନ୍ଦ୍ର ବିନ୍ଦୁ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା l ନାଇନ୍ତ କ୍ଲାସରେ ପଢ଼ିଲା ବେଳେ ସେ ଚଷମା ବ୍ୟବହାର କରିବା ଆରମ୍ଭ କରିଥିଲେ l ବ୍ଲାକ ବୋର୍ଡ ନଦିଶିବାରୁ ଚଷମା ପିନ୍ଧିବାକୁ ପଡ଼ିଲା l ଯେଉଁ ଦିନ ପ୍ରଥମ ଥର ଚଷମା ପିନ୍ଧି ସ୍କୁଲ ଗଲେ ମନେ ମନେ ଖାଲି ଉଲ୍ଲସିତ ହେଉଥିଲେ ଯେ ଏବେ ସାଙ୍ଗମାନେ ତାଙ୍କୁ ଘେରି ଯିବେ ଏବଂ ସମସ୍ତେ ଟିକେ ଟିକେ ପିନ୍ଧିବା ପାଇଁ ମାଗିବେ l ମା କହିଥିଲା କେହି ମାଗିଲେ ଦେବୁନାହିଁ l ହାତରୁ ହାତ ହୋଇ ଭାଙ୍ଗି ଗଲେ ପୁଣି ବହୁତ ଖର୍ଚ୍ଚ ହେବ l

ସିଏ କିନ୍ତୁ କାହାକୁ ମନା କରି ପାରି ନଥିଲେ l ସାଙ୍ଗ ମାନେ ଅତି ଯତ୍ନରେ ନେଇ ଥରେ ପିନ୍ଧି ସାରିବା ପରେ ଓହୋ ମୁଣ୍ଡ ବୁଲେଇ ହେଉଛି କହି ସାଙ୍ଗେ ସାଙ୍ଗେ ଫେରାଇ ଦେଉଥିଲେ l ମୋଟା ମୋଟି ସେ ଗୋଟିଏ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲେ ସେଦିନ l ନିଜକୁ ନିଜେ ଦର୍ପଣରେ ହଜାରେ ଥର ଦେଖୁଥାନ୍ତି l ନିଜ ଚେହେରାରେ ବି ସେ ଅନେକ ଫରକ ଲକ୍ଷ୍ୟ କରୁଥିଲେ l ତାଙ୍କ ଚଷମା ପିନ୍ଧା ମୁହଁଟା ଦର୍ପଣରେ ଗୋଟିଏ ଗମ୍ଭୀର ମେଧାବୀ ଛାତ୍ରୀର ମୁହଁ ଭଳି ଦିଶୁଥିଲା l କ୍ରମଶଃ ସେ ନିଜେ ନିଜକୁ ଭଲ ପଢ଼ୁଥିବା ଛାତ୍ରୀ ମାନଙ୍କ ଗୋଷ୍ଠୀର ବୋଲି ଭାବିବାକୁ ଲାଗିଲେ l ବାଲ୍ୟ ଚପଳାମୀ ବି ଧୀରେ ଧୀରେ କମି ଯାଉଥିଲା l ଜଣେ ସାଧାରଣ ଛାତ୍ରୀରୁ ସେ ଅତି ଭଲ ଛାତ୍ରୀର ସୁନାମ ଅର୍ଜନ କରି ପାରିଥିଲେ କେବଳ ଏଇ ଚଷମାଟି ପାଇଁ l ଦର୍ପଣରେ ଦିଶୁଥିବା ମୁହଁ ଭଳି ସେ ସତରେ ନିଜକୁ ଗଢ଼ି ତୋଳିଥିଲେ l

ସ୍କୁଲ ପଢ଼ା ସାରି କଲେଜ ଆଡ଼ମିସନ ବେଳକୁ ଚୁଟି କଟା ସାଙ୍ଗେ ତାଳ ଦେଇ ଚଷମା ଫ୍ରେମର ଷ୍ଟାଇଲ ବଦଳା ହେଲା ସତ କିନ୍ତୁ ଏବେ ଆଉ ଦର୍ପଣ ଦେଖିବାକୁ ପଡ଼ୁ ନଥିଲା l ସତସତିକା ସେ ଗୋଟେ ଭଲ ଛାତ୍ରୀ ହୋଇ ଯାଇଥିଲେ ଏବଂ ସବୁ ପରୀକ୍ଷାରେ ଭଲ ନମ୍ବର ବି ରଖୁଥିଲେ l କଲେଜରେ ଚଷମାଟିର ଆଉ ଗୋଟିଏ ବଡ଼ ଅବଦାନ ରହିଥିଲା l ଚଷମା ହିଁ ତାଙ୍କୁ ପ୍ରେମର ଦୁନିଆ ସହିତ ପରିଚିତ କରାଇ ଥିଲା l ଚଷମାରୁ ହିଁ ପ୍ରେମ ଆରମ୍ଭ ହୋଇଥିଲା ତାଙ୍କର ବୈଦେହୀଙ୍କର ଦୀପକ ସହିତ ପ୍ରେମର ମୂଳଦୁଆ ଏଇ ଚଷମା ଯୋଗୁଁ ହିଁ ସମ୍ଭବପର ହୋଇଥିଲା l ଏଇ ଚଷମା ଦେଖି ଦୀପକ ତାଙ୍କର ପ୍ରେମରେ ପଡ଼ିଥିଲା l ଦୀପକ କହେ  " ଚଷମା ତଳୁ ତୁମର ସେ ଆଖି ଦୁଇଟି ଯେମିତି ମୋତେ ଭିତରକୁ ଟାଣି ନେଉଛି l ସତର୍କ ହୋଇ ଚଳିବାକୁ ପଡ଼ିବ l "

ଦୀପକ କୁଆଡେ ଗଲା ତ ଗଲା ଉଭେଇ ଗଲା ଯେ ଆଉ ଆଖିରେ ପଡ଼ିଲା ନାହିଁ l କାଜଲ ଲଗାଇବାକୁ ବିଦୁଙ୍କର ବହୁତ ଇଚ୍ଛା ଥାଏ l ଚଷମା ପିନ୍ଧା ଲୋକର ଆଖି ତ ଚଷମା ବାହାରୁ ଭଲ ଭାବେ ଦିଶେ ନାହିଁ କଜ୍ଵଳ ପୁଣି ଦେଖିବ କିଏ ? ହେଲେ ଦୀପକ କହିଥିଲା " କାଜଲ ଟ୍ରାଇ କର ବିଦୁ l ଭଲ ମାନିବ ତୁମକୁ l ସେ ଗ୍ୟାରେଣ୍ଟି ମୁଁ ଦେଉଛି l " କେବେ ବି କଜ୍ଵଳ ଲଗାଇ ନଥିବା ବୈଦେହୀ ସେଇଠୁ ଆଖିରେ କଜ୍ଵଳ ଲଗାଇବା ଆରମ୍ଭ କରିଥିଲେ ଖାସ ତାଙ୍କର ସେଇ ଖାସ ଲୋକଟି ପାଇଁ l ଦୀପକ କହେ ତାଙ୍କର ଏଇ କଜ୍ଵଳ ଲଗା ଆଖି ଦୁଇଟି ସତେ ଯେପରି କଥା କହୁଛନ୍ତି l ଦୀପକ ଯୋଉଠି ଥାଉ ଯାହା କରୁଥାଉ ଚଷମା ତଳର ଏଇ ଆଖି ଦୁଇଟି ଚୁମ୍ବକ ପରି ତାକୁ ଟାଣି ଆଣୁଛନ୍ତି l କୋଉ ଦିନ ଯଦି ସିଏ ଚଷମାଟିକୁ ବାହାର କରିଦେଇ ବସିଥିବେ ତେବେ ଦୀପକର ରାଗ ଦେଖିବ କଣ l ଚଷମା ତଳୁ ଆଖି ଦୁଇଟିର ଚୁମ୍ବକୀୟ ଶକ୍ତି ଚଷମା ବାହାର କରିଦେଲେ ପୁଣି ଚାଲି ଯାଉଛି l ଦୀପକର ଏଇପରି ପାଗଳାମି ଦେଖି ବୈଦେହୀ ଖୁବ ହସୁଥିଲେ l

ପବନ ଭଳି କୁଆଡେ ଉଭେଇ ଗଲା ଦୀପକ l ଅନେକ ବର୍ଷ ତଳର ଟ୍ରେନ ଦୁର୍ଘଟଣାରେ ଶତାଧିକ ଯାତ୍ରୀ ମୃତାହତ ହୋଇଥିଲେ ହେଲେ ଦୀପକର ଶବ ମିଳି ନଥିଲା l ଦୀପକର ଘରଲୋକେ ଅନେକ ଦିନ ଅପେକ୍ଷା କରି ଶେଷରେ ଶୁଦ୍ଧି ହୋଇ ଯାଇଥିଲେ କିନ୍ତୁ ଆଜିଯାଏଁ ବୈଦେହୀ ବିଶ୍ୱାସ କରି ପାରୁ ନାହାନ୍ତି ଯେ ଦୀପକ ମୃତ ବୋଲି l ତେଣୁ ଯଦି କେବେ ଦେହ ଭଲ ନଲାଗେ ଗାଧେଇବା ବନ୍ଦ କରିଦେବେ ପଛକେ ମୁଣ୍ଡ ନକୁଣ୍ଡାଇଲେ ହେବ ସିନା କଜ୍ଵଳ ଲଗାଇବା ବନ୍ଦ ହୁଏନା କି ଚଷମା କାଢ଼ି ରଖନ୍ତି ନାହିଁ l ଖାଲି ଶୋଇଲା ବେଳେ ଭାଙ୍ଗି ଯିବ ବୋଲି ବାହାର କରାହୁଏ ନହେଲେ ଚଷମା ତାଙ୍କର ସବୁବେଳେ ଆଖିରେ ଥାଏ l ହୁଏତ ଏଇ ଚଷମା ତଳର ଆଖିରେ ଥିବା ଚୁମ୍ବକୀୟ ଶକ୍ତି ଦୀପକକୁ ଟାଣି ନେଇ ଆସିବ ମୃତ୍ୟୁର କେଉଁ ଅତଳ ଗହ୍ୱରରୁ l

ସେମାନଙ୍କର ସମ୍ପର୍କ କିଛି ଗୋଟାଏ ପରିଣତ ରୂପରେଖ ନେବା ପୂର୍ବରୁ ହିଁ ଦୀପକର ଟ୍ରେନ ଦୁର୍ଘଟଣା ହୋଇଥିଲା l ଆଗକୁ ବୈଦେହୀଙ୍କର ଭାବିବାକୁ କି କରିବାକୁ ଆଉ କିଛି ନଥିଲା l ଆଜୀବନ ବିବାହ ନକରିବାକୁ ନିଷ୍ପତ୍ତି ନେଇ ଥିଲେ ସେ l ଚାକିରୀ କରିଥିଲେ ସୁତରାଂ କାହା ଉପରେ ବୋଝ ହେବାର ନଥିଲା l ଅବସର ଗ୍ରହଣ ପରେ ଭାଇ ଭଉଣୀ ମାନଙ୍କର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ କାହାରି ପାଖରେ ନରହି ସହରର ଗୋଟିଏ ନାମଜାଦା ବୃଦ୍ଧାଶ୍ରମରେ ଆସି ରହିଲେ l ଭାଇ ଭଉଣୀଙ୍କ ପାଖରେ ରହିଲେ ତ ଦୀପକର ରାସ୍ତା ଦେଖି ହେବନାହିଁ l ଏଠାରେ ହିଁ କିଛି କାମ ନାହିଁ l କରିବା ପାଇଁ ତାହା ହିଁ ଗୋଟିଏ କାମ ଯାହାକୁ ସେ ମନ ଧ୍ୟାନ ଦେଇ କରି

ଚାଲିଛନ୍ତି l 

ସମ୍ପର୍କରେ ଯଦି ଆବିଳତା ନଥିଲା ତେବେ ଦୀପକ ନିଶ୍ଚୟ ଆସିବ l ସେଦିନ ସେ ଯେତେବେଳେ ଦିଲ୍ଲୀ ବାହାରି ଯାଇଥିଲା ବୈଦେହୀଙ୍କ ଠାରୁ ବିଦାୟ ନେବାକୁ ବି ତା ପାଖରେ ସମୟ ନଥିଲା l କିଛି ନହେଲେ ଅନ୍ତତଃ ବିଦାୟ ନେବାକୁ ଯେମିତି ହେଲେ ଆସିବ ସିଏ l କିନ୍ତୁ ଆସିବ ନିଶ୍ଚୟ l ତାଙ୍କର ଏଇ ଚଷମା ତଳର କଜ୍ଵଳ ପିନ୍ଧା ଆଖିରେ ଟାଣି ହୋଇ ଆସିବ l କିନ୍ତୁ ଆସିବ ନିଶ୍ଚୟ l ବିଦାୟ ନନେଇ କେହି କେବେ ଯାଏ ? ଯିଏ ବିଦାୟ ନେଇ ନଥାଏ ସେ ନିଶ୍ଚୟ ଫେରି ଆସେ l ଫେରି ଆସି ଗୁଡ଼ାଏ କୈଫିୟତ ଦେବ ଯେ ଏଇ ସବୁ ଅସୁବିଧା ପାଇଁ ସିଏ ବିଦାୟ ନ ମାଗି ଚାଲି ଯାଇଥିଲା l


Rate this content
Log in

Similar oriya story from Romance