ଚୋରା ଚାହାଁଣି
ଚୋରା ଚାହାଁଣି
ସେଇ ବର୍ଷାର ଵୁନ୍ଦା ବି ଭଲ ଲାଗୁଥିଲା, ସେହି ଶୀତ ର କୁହୁଡି ବି ଭଲ ଲାଗୁଥିଲା। ସେହି ନଟ ଦୋକାନର ଵରା ଘୁଗୁନି ବି ଭଲ ଲାଗୁଥିଲା, ସେହି କଲେଜ୍ ଛକ ରାମ ଭାଈନା ଙ୍କ ଗୁପ୍ ଚୁପ୍ ର ଖଟା ପାଣି ଵି ଭଲ ଲାଗୁଥିଲା। କଲେଜ କ୍ଲାସ୍ ଵନ୍ଦ କରିକି ସାଙ୍ଗ ମାନଙ୍କ ସହ ଖଟି ରେ ବସିବା ଵି ଭଲ ଲାଗୁଥିଲା, ଆଉ ତାର ଚୋରା ଚାହାଣି ଵି ଭଲ ଲାଗୁଥିଲା।
ମୁଁ ଆଜିକାଲିର ସୋସିଆଲ ମିଡ଼ିଆ ଜୁଗର କଥା କହୁନି, ଯେଉଠି ଅନ୍ ଲାଇନ୍ ଲଭ୍ ଆଉ ଅଫ୍ ଲାଇନ୍ ଵ୍ରେକ୍ ଅଫ୍ ହୁଏ। ମୁଁ ସେହି ଜୁଗ ର କଥା କହୁଛି, ଯେଉଁ ସମୟରେ ପ୍ରେମ କୁ ପବିତ୍ର ମାନୁଥିଲେ, ଆଉ ପ୍ରେମ ର ମାନେ ଵିଵାହ ହି ହେଉଥିଲା।
୨୦୦୪ ମୋ କଲେଜ୍ ର ପ୍ରଥମ ବର୍ଷର କାହାଣୀ କହୁଛି। ଆଜି ମଧ୍ୟ ଯେତେବେଳେ ପ୍ରଥମ ପ୍ରେମର ଆଲୋଚନା ହୁଏ। ମୋର ଆଖି ସାମ୍ନାରେ ସେ ଆଉ ତାର ଚୋରା ଚାହାଣି ଆସେ। ଠିକ୍ ସେହି ସମୟରେ ଜଦି ମୁଁ ମେଘୁଆ କଳା ଆକାଶ କୁ ଦେଖେ, ସେତେବେଳେ ଵିଜୁଳି ତାର ଆଲୋକ ରେ ତାର ଛବି ଆଙ୍କି ଦିଏ।
ସ୍ମିତ ହସଟିଏ ହସି ଆଖି ବନ୍ଦ କରିଦିଏ। ଆଉ ପୁଣିଥରେ ଫେରିଯାଏ ୨୦୦୪ ର ସେହି ଶୀତୁଆ କୁହୁଡି ର ସକାଳ କୁ।ମୋ କାହାଣୀ ଆରମ୍ଭ ହୁଏ ମୋ ପରିବାର ଠାରୁ। ମୋ ଵାପା ଜଣେ କଡା ମିଜାଜ୍ ର ଗଣିତ ଶିକ୍ଷକ। ଗଣିତର ସବୁ ସଂଖ୍ୟା ହିସାବ ଯେମିତି ତାଙ୍କ ପାଖରେ ରହୁଥିଲା, ଠିକ୍ ସେହିପରି ଆମ ମାନଙ୍କ ସମୟ ର ହିସାବ ଭି ତାଙ୍କ ପାଖରେ ଥିଲା। ଏଣୁ ତାଙ୍କ ନିର୍ଧାରିତ ସମୟ ଵାହାରେ ଆମେ ଅତିକ୍ରମ କରି ପାରୁ ନଥିଲୁ। ସେ ଏକାଧାରରେ ଜଣେ କବି, ସମାଜସେବୀ ଆଉ ଶିକ୍ଷକ ଥିଲେ। ଆହୁରି କିଛି ଭିତିରିଆ ଜ୍ଞାନ ତାଙ୍କ ପାଖରେ ଥିଲା, ଯାହା କେବଳ ଆମ ପରିବାରର ସଦସ୍ୟ ମାନଙ୍କ ପାଇଁ ଥିଲା। ମୋ ଵାପା ଵେଲା ହେୟାର୍ କଟ୍ ରେ ମାଷ୍ଟର ଥିଲା। ଛୋଟରୁ କଲେଜ୍ ଯାଏଁ ଵାପା ହିଁ ଆମର ଚୁଟି କାଟୁଥିଲେ। ଆମେ କହିଲେ ମୁଁ ଆଉ ମୋ ବଡ ଭାଈ ଆଉ ସାନ ଭଉଣୀ ର। ମୋ ଵୋଉ ତାର ରୋଷେଇ ଆଉ ଘର କାମ ସହିତ ସିଲେଇ ଉପରେ ମଧ୍ୟ ଗ୍ୟାନ ଥିଲା। ଆଉ ଵୋଉ ଵି ଗୋଟିଏ ଷ୍ଟାଇଲର ସାଲୁଆର୍ ବନେଇ ଜାଣିଥିଲା। ଏଇଥିରୁ ଆପଣ ମାନେ ଅନୁମାନ କରି ପାରୁଥିଵେ, ମୁଁ କଲେଜ ଟାଇମ୍ ରେ କେମିତି ଦିଶୁଥିଵି।
ଘରର ଶକ୍ତ ଚାରିକାନ୍ଥ ଭିତରେ ରହି ରହି କଲେଜ ର ଖୋଲା ପଵନ ମୋ ମନକୁ ଆକର୍ଷିତ କରୁଥିଲା। କିଛି ସମୟ ପାଇଁ ନିଜକୁ ଖୋଲା ଆକାଶର ପରି ମାନଙ୍କ ସହ ତୁଳନା କରୁଥିଲି। ଆଉ ଵେଳେ ଵେଳେ ସୈନ୍ୟ ବାହିନୀ ସହିତ ବାହ୍ୟ ପରିବେଶକୁ ଭ୍ରମଣ କରୁଥିବା ରାଜକୁମାରୀ ସହିତ । ଆଉ ଯେତେବେଳେ କଲେଜ୍ କ୍ୟାମ୍ପସ୍ ଭିତରେ କେଉଁ ପ୍ରେମ ଜୁଗଳକୁ ଗପୁଥିଵାର ଦେଖୁଥିଲି, ମତେ ଲାଗୁଥିଲା, ମୁଁ ଵି କେଉଁଠି ମୋ ମନ ର ମଣିଷ ସହ ଏମିତି ଗପିଵି।
ଆଉ ସେତେବେଳେ କଲେଜ୍ କ୍ୟାମ୍ପସ୍ ର ଆଇନା ,ମୋ ସ୍ୱପ୍ନରେ ପୁନର୍ଛେଦ ପକାଇ ଦେଉଥିଲା। କଲେଜର ସୁନ୍ଦରୀ ରମଣୀ ମାନଙ୍କ ଭିତରେ ମୁଁ କେଉଁଠି ହଜି ଯାଉଥିଲି।
,କଲେଜ ଟାଇମ୍ ରେ ମୋର ତିନି ସାଙ୍ଗ ମିତା, ସୋନା ଆଉ ମୀରା ସହ ମୁଁ ସବୁଦିନ କଲେଜ ସାଇକେଲ ରେ ଯାଉଥିଲି। ଆମ ବନ୍ଧୁତ୍ୱରର ଗଭୀରତା ବହୁତ ଅଧିକା ଥିଲା, ଵୋଧହୁଏ ସେଇଥିପାଇଁ ଆଜି ମଧ୍ୟ ମୋର ସମସ୍ତ ସମୟ ରେ ସେମାନେ ମୋ ସହ ଠିଆ ହୋଇଛନ୍ତି। ସେତେବେଳେ ମୁଁ ଏକୁଟିଆ କଲେଜ ଯିବାକୁ ଡରୁଥିଲି, ଦୂର ରୁ ଏକ ଟ୍ରକ୍ କି ବସ୍ ଆସିଗଲେ, ମୁଁ ସାଇକେଲ ଧରି ସେଇଠି ରହି ଯାଉଥିଲି। ଯାନ ଟି ଯିବା ପରେ ପୁଣି ସାଇକେଲ ଚଳାଇ ଯାଉଥିଲି। ଏଥି ନିମନ୍ତେ ସେମାନେ ମତେ ଯେତିକି ରହସ୍ୟ କରୁଥିଲେ, ସେତିକି ଵିରକ୍ତ ମଧ୍ୟ ହେଉଥିଲେ। ଏମିତି ଵି ଵେଳେ ଵେଳେ ହୁଏ ସେମାନେ ମୋ ପାଇଁ ଅପେକ୍ଷା ନକରି ଚାଲି ଯାଉଥିଲେ।
ସେତେବେଳେ ମୁଁ ତାଙ୍କ ଉପରେ ରାଗୁଥିଲି ସତ କିନ୍ତୁ ଆଜି ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ସେମାନେ ଚାହୁଁଥିଲେ ମୁଁ ଟିକିଏ ସାହାସୀ ହୁଏ। ଆଉ ଵୋଧହୁଏ ସେଇଥିପାଇଁ ଆଜି ପୃଥିବୀର ଯେକୌଣସି କୋଣ କୁ ଏକୁଟିଆ ଯିବାର ସାହାସ ରଖି ପାରିଛି।
୨୦୦୪ ଡିସେମ୍ବର ୧୪ ତାରିଖ ର ଘଟଣା। କୁହୁଡିଆ ସକାଳ । ରାସ୍ତା ଠିକ୍ ସେ ଦେଖା ଯାଉ ନଥାଏ। ସାଙ୍ଗମାନେ ମଧ୍ୟ ମୋର ସେଦିନ ମୋ ସହ ମିଶି କଲେଜ୍ ଯାଇ ନଥିଲେ। ମୁଁ କଳା ରଙ୍ଗର ଏକ ସାଲୁଆର୍ ସୁଟ୍ ସହିତ ନାଲି ରଙ୍ଗର ଓଢଣୀ ପକାଇ କଲେଜ ଅଭିମୁଖେ ଯାଉଥିଲି। ଏକୁଟିଆ ଯାଉଥିବା କାରଣ ରୁ ମୋର ଦେହ ଗୋଟାପଣ ଥରୁଥିଲା। ଅଜାଣତରେ ମୋ ସାଇକେଲ ଚେନ୍ ଭିତରେ ମୋ ନାଲ୍ ଓଢଣୀ ଟି ଅଟକି ଗଲା। କେତେବେଳେ ମୋ ନିରୀହ ଆଖି ଭୟ ର ପାହାଚ ଅତିକ୍ରମ କରି ଲୁହ ରାସ୍ତା କୁ ପଦାର୍ପଣ କରିଥିଲା ମୁଁ ଯାଣି ନଥିଲି। ସେ ଲୁହ ଭିତରେ ମୁଁ ଖୋଜୁଥିଲି ମୋ ସାଙ୍ଗ ମାନଙ୍କୁ। ଠିକ୍ ସେହି ସମୟରେ କେହିଜଣେ ମୋ ଓଢଣୀ ମୋ ହାତରେ ମୋ ଧରାଇ କହିଲେ, ଏଵେ ସବୁ ଠିକ୍ ହେଇଗଲା, ଏଵେ ତମେ ଯାଇପାର ସେତେବେଳେ ତାଙ୍କ ପାଇଁ ମୋ ମୁହଁ ରେ ଧନ୍ୟବାଦ ର ଶଦ୍ଦ ଵି ନଥିଲା। ମୁଁ ପଛକୁ ବୁଲି ଚାହିଁଥିଲି ତାଙ୍କୁ। ଆଉ ସେ ଏକ ସ୍ମିତ ହସଟିଏ ଦେଇ ମତେ ଚାହିଁଥିଲେ। ଆଉ ସେହିଦିନ ମୋର ଏକ ଭ୍ରାନ୍ତ ଧାରଣା ଦୂର ହୋଇଥିଲା, କି ଆମ ସହର ରେ କେହି ଭି ହ୍ୟାଣ୍ଡସମ ପିଲା ନାହାନ୍ତି ଵୋଲି। ପ୍ରଥମ ଥର ପାଇଁ ମୋ ହୃଦୟ କିଛି ଅନୁଭବ କରିଥିଲା। କିନ୍ତୁ କାହିଁ ସେ ରାମଚନ୍ଦ୍ର ଆଉ ମୁଁ ଫିମେଲ୍ ରାମିଆ ଭଣ୍ଡାରି।। କିଛି ସ୍ୱପ୍ନ ଆଖି ଖୋଲିଵା ପୂର୍ବରୁ ଭୁଲିଯିବା ଉଚିତ୍ ଭାଵି ମୁଁ ସେ ଘଟଣା ଭୁଲି ଯାଇଥିଲି।
ଆଉ ସେ କଥା କୁ କାହା ଆଗରେ ପ୍ରକାଶ କରି ନଥିଲି, କାଳେ ପୁଣି କେହି ମତେ ରହସ୍ୟ କରିବ କିଛି ଦିନ ପରେ ମୁଁ ଯାଣିଵାକୁ ପାଇଲି, ସେ ଆମ କଲେଜ ର ଛାତ୍ର। ପ୍ରାୟ କଲେଜ କ୍ୟାମ୍ପସରେ ତାଙ୍କ ସହିତ ମୋର ଦେଖାହୁଏ। ଦୁହେଁ ଦୁହିଁଙ୍କୁ ଅତିକ୍ରମ କଲା ପରେ ସେ ମତେ ଵୁଲିକି ଚାହାନ୍ତି, ଆଉ ମୁଁ ମଧ୍ୟ । ତାଙ୍କ ନଜର ମତେ ଆକର୍ଷିତ କରୁଥିଲା। ମୋ ଆଖି କେବଳ ତାଙ୍କୁ ହିଁ ଦେଖିବାକୁ ଚାହୁଁଥିଲା। କିନ୍ତୁ ନିଜକୁ ମୁଁ ତାଙ୍କ ସହ ଯୋଡି, ତାଙ୍କର ଅପମାନ କରିଵାକୁ ଚାହୁଁ ନଥିଲି।
ନିଜକୁ ତାଙ୍କଠାରୁ ଦୂରେଇ ରଖିଵା ମୋ ପରି କଷ୍ଟକର ଥିଲା। ଦେହ ଖରାପ ର ଵାହାନା କରି କିଛିଦିନ ଆଉ କଲେଜ ଗଲିନାହିଁ। କିନ୍ତୁ ଵାପା ଙ୍କ ସମ୍ମୁଖରେ ଵେଶିଦିନ ଅଭିନୟ କରି ରହି ପାରିଲିନି। ଆଇନା ଆଗରେ ନିଜକୁ ସଜାଇଵାକୁ ଚେଷ୍ଟା କରୁଥିଲି। ବାପାଙ୍କ ପକେଟ୍ ରୁ ପାଞ୍ଚ ଟଙ୍କା ଚୋରାଇ ଜୀବନର ପ୍ରଥମ ଲିପଷ୍ଟିକ୍ କିଣିଥିଲି ।ଆଉ ସେହି ଦିନର ଖୁସି ଆଜି ର ଵ୍ରାନଡେଡ୍ ଲିପଷ୍ଟିକ୍ ଵି ଦେଇ ପାରିନି। ଵାପା ଙ୍କ କଇଁଚିକୁ ଛାଡି ମୁଁ ପାର୍ଲର ଯିଵା ଆରମ୍ଭ କରି ଦେଇଥିଲି। ସେହି ଦିନ ଯାଣିଥିଲି ଝିଅ ମାନେ ଆଇଵ୍ରୋ ମଧ୍ୟ ସେଭ୍ କରନ୍ତି। ଆଉ ମୁଁ ମଧ୍ୟ ପ୍ରଥମ ଥର ପାଇଁ କରିଥିଲି ଟିକିଏ ସୁନ୍ଦର ଦେଖାଯିବା ପାଇଁ । ଆଉ ସେଇଟା ଥିଲା ମୋ ପ୍ରଥମ ପ୍ରେମ ର ପ୍ରଥମ ଯନ୍ତ୍ରଣା। ସେଦିନ ଥିଲା 2005 ଜାନୁଆରୀ 23 ତାରିଖ। କିଛିଦିନ ର ଵ୍ୟଵଧାନ ପରେ ପୁଣି କଲେଜ ନିମନ୍ତେ ସାଙ୍ଗ ମାନଙ୍କୁ ଅପେକ୍ଷା କରିଥାଏ। ଲିପଷ୍ଟିକ୍ ଟି ପ୍ରଥମ ଥର ପାଇଁ ପାଇଁ ଲଗାଇ ଥାଏ, ତାଙ୍କ ନଜର ରେ ଥରେ ଆସିଵା ପାଇଁ। କିନ୍ତୁ ସେ ଦେଖିଵା ପୂର୍ବରୁ ମୋ ଵାପା ଦେଖି ଦେଇଥିଲେ। ଆଉ ସେଇଠାରେ ହିଁ ମୋ ଜୀବନ ର ପ୍ରଥମ ଲିପଷ୍ଟିକ୍ କୁ ମୁଁ ଵାପା ଙ୍କ ହାତ କୁ ଦେଇଥିଲି। ଆଉ ଵାପା ଫୋପାଡିଥିଲେ ଵୋଉ ର ଚୁହ୍ଲି କୁ। ମତେ ମୋର ହୃଦୟ ପୋଡି ପାଉଁଶ ହେଲା ପରି ଲାଗୁଥିଲା। ସେହିଦିନ ଲାଗିଥିଲା ଵାପା ଜଦି ଆମ ଦେଶର କ୍ରିକେଟ୍ ଟିମ୍ ରେ ଖେଳିଥାନ୍ତେ, ବହୁତ ଜଣ କୁ ଖୁସି ରେ ଵୋଲ୍ଡ କରି ପାରିଥାନ୍ତେ। ଆଉ ପୁଣିଥରେ ମୁଁ ମୋ ପୁରୁଣା ଵେଶ ଧରି କଲେଜ୍ ଗଲି। ଅବଶ୍ୟ ପାଲର୍ ର ଦୟାରୁ ଟିକିଏ ଭିନ୍ନ ଲାଗୁଥିଲି। ତଥାପି ସକାଳ ର ଘଟଣା କାରଣ ରୁ ମନରେ କୌଣସି ପ୍ରକାରର ସତେଜତା ନଥିଲା। ନିଜ ଭିତରୁ ନିଜ ହସ ଟିକିକ ଖୋଜୁଥିଲି। ଠିକ୍ ସେହି ସମୟରେ ତାଙ୍କ ନଜର ସହ ମୋ ନଜର ପୁଣି ମିଶିଗଲା। ସତେ ଯେମିତି ସେ ମତେ କହିବାକୁ ଚାହୁଁଥିଲେ ବହୁତ୍ କିଛି। କିନ୍ତୁ ମୋ ସାଙ୍ଗମାନେ ସେ ନଜର ଭିତରକୁ ଆସିଗଲେ। ଆଉ ସେହିଠାରୁ ଦୁହେଁ ଦୁହିଁଙ୍କ ଗତି ଵଦଳେଇ ଦେଲୁ। ଏହା ଭିତରେ ପହଂଚି ସାରିଥାଏ 2005 ଫେବୃଆରୀ 14 , ପ୍ରେମ ର ଦିବସ। ସେହିଦିନ ଆମ କଲେଜ ପୁରା ରୋମାଣ୍ଟିକ ରୋମାଣ୍ଟିକ ଲାଗୁଥିଲା। ଆମ ଗ୍ରୁଫ ପିଲାଙ୍କୁ ପ୍ରେମ ନିବେଦନ କରିଵାର ସାହାସ କାହା ପାଖରେ ନଥାଏ। ସେଥିପାଇଁ ଆମେ ପାଗଳ ପ୍ରେମୀ ମାନଙ୍କୁ ଵହୁତ୍ ଚିଡାଉ। ଆଉ ଦିନଟା ହସ ରେ ହସରେ କଟିଯାଏ। ସେଦିନ ମଧ୍ୟ କିଛି ସେମିତି ଚାଲିଥିଲା। ଆମେ ରାମ ଭାଈନା ଙ୍କ ଗୁପ୍ ଚୁପ୍ ଠେଲା ଆଗରେ ଗୁପ୍ ଚୁପ୍ ଖାଉଥୁଲୁ। ହଠାତ୍ ତାଙ୍କୁ ଦେଖି ଅଜାଣତରେ ଲଙ୍କା ଟେ ଖାଇଦେଲି, ମୁଁ ଚିତ୍କାର କରି ଉଠିଲି। ଆଉ ସେ ମତେ ପାଣି ଵୋତଲ୍ ଟେ ଧରାଇଦେଲେ। ଆଉ ସେଠାରୁ ଚାଲିଗଲେ। ଆଉ ସେହି ପାଣି ଵୋତଲ୍ ଟା ଥିଲା ମୋ ପ୍ରଥମ ପ୍ରେମର ପ୍ରଥମ ଗିଫ୍ଟ। ଆଉ ତା ପରଦିନ ମୁଁ କ୍ଲାସ୍ ରେ ଵସିଥାଏ, ଅଧ୍ୟାପକ ଆସି ନଥାନ୍ତି। ତାଙ୍କର ଜଣେ ବନ୍ଧୁ ଆସି କହିଲେ, ସେ ମୋ ସହ କଥା ହେବାକୁ ଚାହାନ୍ତି। ଆଉ ତା ଭିତରେ ଅଧ୍ୟାପକ ଆସିଗଲେ। ଆଉ ସେଦିନ ମୁଁ ପୁରା ଡରି ଯାଇଥିଲି। ଆଉ ମୋ ସାଙ୍ଗ ମାନେ ମୋ ପାଇଁ ବ୍ୟସ୍ତ ହୋଇ ପଡିଲେ। କ୍ଲାସ୍ ସଲା। କିନ୍ତୁ ମୁଁ ସେମିତି ବସି ଥରୁଥାଏ। ମୋର ସାହସ ନଥିଲା ତାଙ୍କ ସମ୍ମୁଖରେ ରେ ଯାଇ ତାଙ୍କ ସହ ଦୁଇ ପଦ କଥା ହେବା ପାଇଁ। ମୋ ସହିତ ମୋର ସାଙ୍ଗମାନେ ଥାଆନ୍ତି। ତା ପରେ ସେ କ୍ଲାସ୍ ଭିତରକୁ ପ୍ରବେଶ କରି କହିଲେ ମୁଁ ମୋହିତ , ଏହି କିଛିଦିନ ହେଲା ତମେ ମୋ ହୃଦୟ ରେ ଜାଗା କରି ସାରିଛି। ମୁଁ ତମକୁ ଭଲ ପାଏ। ମୁଁ କିଛି ଉତ୍ତର ଦେବା ପୂର୍ବରୁ ମୋ ସାଙ୍ଗ ମାନେ ତାଙ୍କୁ ଵହୁତ୍ ଵାଧିଲା ପରି କଥା କହି ଵାହାର କରି ଦେଲେ। ଆଉ ସେ ସେହି ସ୍ଥାନରୁ ଚାଲିଗଲେ।
ମୋର ସବୁଠାରୁ ବଡ ଭୁଲ ଥିଲା ମୁଁ ସେଠାରେ ନୀରବ ଥିଲି। ମତେ ଲାଗୁଥିଲା ତା ପରଦିନ ଯାଇ ଏହି କାରଣ ଯୋଗୁ ତାଙ୍କୁ କ୍ଷମା ମାଗିନେଵି। କିନ୍ତୁ ମୁଁ ଯାଣି ନଥିଲି ସେ ଆଉ ଫେରିଵେନି। ସେହି ଦିନଠାରୁ ମୁଁ ତାଙ୍କୁ ଖୋଜି ବୁଲୁଥିଲି। ସେହି ଚୋରା ଚାହାଣି ମତେ ଏତେ ମନେ ପଡିବ କେଵେ ମଧ୍ୟ ଭାଵି ନଥିଲି। କିନ୍ତୁ ସେଇଟା ଯେ ମୋ ପ୍ରେମ ଥିଲା ମୁଁ ଜାଣି ନଥିଲି।
ଏମିତି ପାଞ୍ଚ ବର୍ଷ ଵିତି ଯାଇଥିଲା। ସେତେବେଳେ ସୋସିଆଲ ମିଡ଼ିଆ ଟିକେ ଟିକେ ଆରମ୍ଭ ହୋଇସାରି ଥିଲା। ନିଜର ଏକ ପ୍ରୋଫାଇଲ ଟିଏ ଖୋଲିଲି , କେବଳ ତାଙ୍କୁ ଖୋଜିବା ଆଶା ରେ। କିନ୍ତୁ ତାଙ୍କ ଶେଷ ନାମ ଯେହେତୁ ଜାଣି ନଥିଲି, ଖୋଜିବାରେ ଅସମର୍ଥ ହୋଇଥିଲି।
ଏହାପରେ ମୋର ଵାନ୍ଗାଲୋର୍ ରେ ପ୍ରଥମ ଜଵ୍ ହୋଇଗଲା। ନୂତନ ସାଙ୍ଗ ନୂତନ ଜୀବନ ସହିତ ମୁଁ ବହୁତ ଖୁସି ଥିଲି। ନିଜ ପସନ୍ଦର ପୋଷକ, ନିଜ ପସନ୍ଦର ସାଜସଜ୍ଜା ସହିତ ବାହାର ଦୁନିଆ ସହିତ ପାଦ ମିଶାଇଵା ର ମଜା କିଛି ଅଲଗା ଥିଲା। ଵାପା ଙ୍କ ଦାଢ ନଜର ମୋ ଠାରୁ ଦୂର ରେ ଥିଲା। ଏହିପରି ଭାବରେ ମୋର ପୁଣି ଥରେ ଭେଟ ହୋଇଥିଲା ମୋହିତ୍ ଙ୍କ ସହିତ। ପାଖ ରେଷ୍ଟୁରାଣ୍ଟ ରେ ଯାଇକି ଦୁହେଁ ମନ ଖୋଲି ଗପିଥିଲୁ। ଆଉ ସେଇଠି ତାଙ୍କୁ ମୁଁ କହିଥିଲି, ମୁଁ କେତେ ତାଙ୍କୁ ଖୋଜୁଥିଲି। ଆଉ ସେ ସେଇଠି ସେ କହିଥିଲେ ସେ ସୋସିଆଲ ମିଡିଆରେ ନାହାନ୍ତି। କିନ୍ତୁ ଆଜି ମୋ ପାଇଁ ଆକାଉଣ୍ଟ ଟିଏ ଖୋଲିଵେ। କାରଣ ସେ ଚାହୁଁ ନଥିଲେ ମୁଁ ପୁଣି ତାଙ୍କୁ ଖୋଜି ନିଜକୁ କଷ୍ଟ ଦିଏ।
ଆଉ ଧିରେ ଧିରେ ତାଙ୍କ ସହ ବନ୍ଧୁତା ହେଲା। ମତେ ସେ ଅଧିକ ରୁ ଅଧିକତର ଭଲ ଲାଗୁଥିଲେ। ଏହି ଭିତରେ ମୋ ପରିବାର ରେ ଗୋଟିଏ ଘଟଣା ଘଟିଥିଲା। ମୋ ଭାଇ ଅନ୍ୟ ଜାତି ର ଏକ ନାରୀ ସହିତ ଵାପା ଙ୍କ ଵିରୋଧ ରେ ଯାଇ ଵିଵାହ କରିଥିଲେ । ଯେଉଁ କାରଣ ରୁ ବାପା ଆଉ ଆମ ପରିବାର ଙ୍କୁ ବହୁତ କିଛି ଶୁଣିବାକୁ ପଡିଥିଲା। ଵାପା ମଧ୍ୟ ଭାଇ ଆଉ ଭାଉଜ ଙ୍କ ସହିତ ସମସ୍ତ ସମ୍ପର୍କ କାଟି ଦେଇଥିଲେ।
ଯଦିଓ ଜାତି ଧର୍ମ ବର୍ଣ୍ଣ ମୋ ପାଇଁ ସମାନ ଥିଲା। ତଥାପି ବାପା ଙ୍କ ଵିରୋଧ ରେ ଯାଇ ଭାଇ ଆଉ ଭାଉଜ ଙ୍କ ସହ କଥା ହୋଇ ପାରୁ ନଥିଲି। ଵ୍ରାହ୍ମଣ ହୋଇ ଥିବାରୁ ଵାପା ଙ୍କ ଵହୁତ୍ ଗର୍ବ ଅଭିମାନ ଥିଲା। ଭାଈ ତାଙ୍କ ଅଭିମାନ ଙ୍କୁ ଭାଙ୍ଗି ଦେଇଥିଲା।
ସେହି ପରିସ୍ଥିତି ରେ ମୋହିତ୍ ଙ୍କ ଵିଷୟ ରେ ଭାଵିଵା ମୋ ପାଇଁ କଷ୍ଟଦାୟକ ଥିଲା। କାରଣ ମୋହିତ୍ ମଧ୍ୟ ଆମ ଜାତିର କି ଧର୍ମ ର ନଥିଲେ। ମୁଁ ଥିଲି ହିନ୍ଦୁ ଆଉ ସେ ଖ୍ରୀଷ୍ଟ ଧର୍ମ ର। ଯାହା କି ମୁଁ ଵହୁତ୍ ପଛରେ ଜାଣିଥିଲି। ମୋ ପ୍ରେମ ଏସବୁ ଵୁଝେ ନାହିଁ। ମୋ ପାଇଁ ତ ସେ ଏକ ଭଦ୍ର ମାନବ ଥିଲେ। ଯଦି ମଣିଷ ର ଚେହେରା ରେ ଲେଖା ହୋଇଥାନ୍ତା , ଏହି ପୁରୁଷ ଏହି ଜାତି ର ,ଏହି ଧର୍ମ ର, ତାହା ହେଲେ ଵୋଧହୁଏ କେହି ପ୍ରେମ କରିଵା ପୂର୍ବରୁ ଭାଵିଥାନ୍ତା। ଏହି ଜାତି ଧର୍ମ ତ ମନୁଷ୍ୟକୃତ , ତଥାପି କାହିଁକି କେଜାଣି ଏତେ ଭେଦଭାବ ?
ସେଦିନ କଥା ମନେଅଛି ମୁଁ କ୍ୟାଵ୍ କୁ ଅପେକ୍ଷା କରିଥାଏ। ମୋହିତ୍ ମତେ ତାଙ୍କ ସହ ଯିବାକୁ କହିଲେ। ମୋ ହଷ୍ଟେଲ ଆଉ ତାଙ୍କ ଆପାର୍ଟମେନ୍ଟ ପାଖାପାଖି ଥିଲା। କିନ୍ତୁ ସେଦିନ ମୁଁ ତାଙ୍କ ସହ ଯିବାକୁ ମନା କରିଦେଲି। ଠିକ୍ ସେହି ସମୟରେ ବର୍ଷା ପ୍ରବଳ ବେଗରେ ଆରମ୍ଭ ହୋଇଥିଲା। ଆଉ କ୍ୟାଵ୍ କ୍ୟାନ୍ସେଲ୍ ହୋଇଗଲା। ଏଣୁ ବାଧ୍ଯ ହୋଇ ତାଙ୍କ ସହ ଯିବାକୁ ଵାହାରିଲି। ଆଉ ସେତେବେଳେ ତାଙ୍କ କାର୍ ରେ ଏଫ୍ ଏମ୍ ୯୨-୭ ରେ ଗୀତ ଚାଲିଥିଲା -
ଛୁପାନା ଭି ନେହିଁ ଆତା,
ଯତାନା ଭି ନେହିଁ ଆତା
ହମେ ତୁମ୍ ସେ ପ୍ୟାର୍ ହୈ
ଵତାନା ଭି ନେହିଁ ଆତା....
ସେତେବେଳେ ହୃଦୟ ର ସ୍ପନ୍ଦନ ର ମାତ୍ରା ଵଢି ଵଢି ଚାଲିଥିଲା। ମୋ ଅମାନିଆ ହାତ ତାଙ୍କ ହାତ କୁ ପ୍ରଥମ ଥର ପାଇଁ ସ୍ପର୍ଶ କରିଵାକୁ ଚାହୁଁଥିଲା। ଫର୍ମାଲ୍ ପୋଷକ ରେ ସେ ଵହୁତ୍ ହ୍ୟାଣ୍ଡସମ ଲାଗୁଥିଲେ। ପ୍ରଥମ ଥର ପାଇଁ ତାଙ୍କୁ ନେଇକି ମୁଣ୍ଡ କୁ ଭିନ୍ନ ଭିନ୍ନ ପ୍ରକାରର ଭାବନା ଆସୁଥିଲା। ନିଜ ଉପରେ ରାଗୁଥିଲି କାହିଁକି ତାଙ୍କ ସହ ଆସୁଥିଲି। ସେ ନୀରବ ଥିଲେ ସତ, ତଥାପି କାର୍ ଭିତରେ ତାଙ୍କ ଚୋରା ଚାହାଣି ମତେ ଅଧିକା ଆକୃଷ୍ଟ କରୁଥିଲା। ନିଜେ ନିଜେ ଭାବନା କୁ ପ୍ରଶ୍ନ କରୁଥିଲି, ଏତେ ଦୁଷ୍ଟାମି ସବୁ ଶିଖିଗଲୁ କେତେବେଳେ? ଆଉ ଭାବନା ମତେ କହୁଥାଏ ଏଇ ଅଦିନିଆ ବର୍ଷା ଆଉ ଆଉ ଏ ଅମାନିଆ ଗୀତ ମତେ ଵାଧ୍ୟ କରୁଛି ଏହି ସବୁ ଭାଵିଵା ପାଇଁ।
ହଠାତ୍ ମୋ ପାଟିରୁ ବାହାରି ଗଲା ମୋହିତ୍ କାର୍ ରଖାଅ। ମତେ କିଛି ଭଲ ଲାଗୁନି। ମୋହିତ୍ ମଧ୍ୟ କାର୍ ରଖାଇଦେଲେ, ଆଉ କହିଲେ କଣ ହେଲା ତମର? ରୋଡ୍ ସାଇଡ୍ ରେ ଚାହା ଦୋକାନ ଟିଏ ଥିଲା। ଆଉ ତାକୁ ଦେଖି କହିଦେଲି, ଚାହା ଗୋଟିଏ କପ୍ ଦରକାର। ମୁଁ ଵି ପାଗଳୀ କଣ ବା କହିଥାନ୍ତି ,ମୋହିତ୍ ମତେ ତମ ପାଇଁ ଲଭ୍ ୱାଲା ଫିଲିନ୍ଗ୍ସ ଆସୁଛି।
ଚାହା ଦୋକାନ ପାଖରେ ଠିଆ ହୋଇ ଦୁହେଁ ଚାହା ପିଉଥିଲୁ, ମୁଁ ପଚାରିଲି ଏତେ ବର୍ଷ ବିତିଗଲାଣି, ତମ ଲାଇଫ୍ ରେ କଣ କେହି ଆସିନାହାନ୍ତି ? ସେ କହିଲେ ମୋ ପ୍ରଥମ ପ୍ରେମ ଆଜି ମଧ୍ୟ ସେମିତି ତମର ଅପେକ୍ଷା କରିଛି, କେମିତି ଆଉ କାହା ଵିଷୟରେ ଭାବିଵି?
ହାତ ରୁ ଚାହା କପ୍ ଟି ଖସିଗଲା। ତାଙ୍କୁ ଆଲିଙ୍ଗନ ପାଇଁ ତାଙ୍କ ଆଗକୁ ଅଗ୍ରସର ହେଲି, ହଠାତ୍ ଘଡଘଡି ର ଶବ୍ଦ ମତେ ରୋକିଦେଲା। ମୋ ସାମ୍ନାରେ ଆସିଗଲା ମୋ ଵାପା ଙ୍କ କରୁଣ ଚେହେରା। ଯିଏ କି ଭାଈ କୁ ନା ଭୁଲି ପାରୁଛନ୍ତି ନା କ୍ଷମା କରି ପାରୁଛନ୍ତି।
ମୁଁ ପାଦ ପଛକୁ ଘୁଞ୍ଚାଇ ନେଲି। ଅଶୃଭରା କଣ୍ଠ ରେ କହୁଥିଲି, ମତେ କ୍ଷମା କର । ମୁଁ ଭାଗ୍ୟ ନିର୍ଦ୍ଧାରଣ ର ହକ୍ ମୋ ଉପରେ ନାହିଁ। ଆଉ ଠିକ୍ ସହି ସମୟରେ ବସ୍ ଟିଏ ଆସିଲା। ଆଉ ମୁଁ ଚାଲିଗଲି।କଥା ରେ ଅଛି ବର୍ଷା ପ୍ରେମ ସହ ପ୍ରେମ କୁ ମିଶାଏ। କିନ୍ତୁ ସେହି ବର୍ଷା ମତେ ମୋ ପ୍ରେମ ଠାରୁ ଦୁରେଇ ନେଇଥିଲା।
ନିଜ କୁ ସେହି ସହରରେ ଆବଦ୍ଧ ରଖି ପାରି ନଥିଲି। ଫ୍ଲାଇଟ ଟିକେଟ କରି ଘର କୁ ଚାଲି ଆସିଲି। ଵାପା ଙ୍କ ଅବସ୍ଥା ସେମିତି ଥିଲା। ଚେଷ୍ଟା କରୁଥିଲି ଵାପା ଆଉ ଵୋଉ ଙ୍କ ମୁହଁ ରେ ଆଉଥରେ ହସ ଭରିବା ପାଇଁ। ସେଦିନ ମୁଁ ଵାପା ଙ୍କ କାନ୍ଧରେ ମୁଣ୍ଡ ଆଉଜି ବସିଥାଏ। ବାପା କହିଲେ ଝିଅ ତୁ ଯଦି କେଵେ କାହାକୁ ଭଲପାଉ ମତେ କହିଵୁ, କିନ୍ତୁ ପଳାଇ ଯାଇ ଵାହା ହୋଇ ଯିଵୁନାହିଁ। ସେହିଦିନ ମୁଁ ଵାପା ଙ୍କୁ ପ୍ରତିଶ୍ରୁତି ଦେଇଥିଲି ମୁଁ ସେଠାରେ ଵିଵାହ କରିଵି ଯେଉଁ ସ୍ଥାନରେ ଆପଣ ମୋର ଵିଵାହ ସ୍ଥିର କରିଵେ ସେହିଦିନ ହୃଦୟର ପୁସ୍ତକରୁ ମୋହିତ୍ ର ପୃଷ୍ଠା ଟି ଚିରି କାଢି ଦେଇଥିଲି। ମୋ ପ୍ରେମ ଓ ଵାପା ଙ୍କ ସମ୍ମାନ ମଧ୍ୟରୁ ଵାପାଙ୍କ ସମ୍ମାନ କୁ ଵାଛିଥିଲି। ଯଦିଓ ପ୍ରେମ ରେ ମୁ ହାରି ଯାଇଥିଲି, କିନ୍ତୁ ଏକ ଝିଅ ହିସାବରେ ବାପା ଙ୍କ ହୃଦୟ ଜିତି ସାରିଥିଲି।
କିଛିଦିନ ପରେ ଵାପା ତାଙ୍କ ବନ୍ଧୁଙ୍କ ପୁଅ ସହିତ ମୋ ଵାହାର ଠିକ୍ କରିଦେଲେ, ଆଉ ମୁଁ ସୁନା ଝିଅ ପରି ତାଙ୍କ ପ୍ରସ୍ତାବ ରେ ରାଜି ହୋଇଗଲି। ପିଲା କୁ ଦେଖିଵା ଜରୁରୀ ଭାଵିଲି ନାହିଁ। ନିଜ କୁ ପ୍ରସ୍ତୁତ କରି ସାରିଥିଲି ଏକ ଅଜଣା ମନ ସହ ମୋ ମନ କୁ ଯୋଡିଵାକୁ।
ଝଟକା ସେତେବେଳେ ଲାଗିଥିଲା, ଵିଵାହ ଵେଦିରେ ମୋ ବର ଵେଶରେ ମୋହିତ୍ ଙ୍କୁ ଦେଖିଥିଲି। ସେତେବେଳେ ପରିବାର, ବନ୍ଧୁ ପରିଜନ କେହି ମଧ୍ୟ ମତେ ନଜର ଆସି ନଥିଲେ, ଆଉ ମୁଁ ଖୁସିରେ ଆତ୍ମହରା ହୋଇ ମୋହିତ୍ ଙ୍କୁ ଵିଵାହ ଵେଦି ରେ ଆଲିଙ୍ଗନ କରିଥିଲି। ଆଜି ବି ମୋ ଵିଵାହ ର ଭିଡିଓ ଦେଖିଲେ ସେହି ଦୃଶ୍ୟ ଦେଖି ଯେତିକି ଲାଜ ଲାଗେ, ସେତିକି ହସ ଲାଗେ।
ଆପଣମାନେ ଭାଵୁଥିଵେ ଏ ସବୁ ସମ୍ଭବ ହେଲା କିପରି? ମୋ ଵାପା, ମୋହିତ ଙ୍କ ନିଜ ଵାପା ମିଶ୍ର ଅନ୍କଲ୍ ଆଉ ଡିସୋଜା ଅନ୍କଲ୍ ଏମାନେ ଵାଲ୍ୟ ଵନ୍ଧୁ। ମୋହିତ୍ ଙ୍କ ମା ଵାପା ଙ୍କ ଦେହାନ୍ତ ପରେ ଡିସୋଜା ଅନ୍କଲ୍ ତାଙ୍କୁ ପୁଅ କରି ନେଇଥିଲେ। ଛୋଟ ଵେଳୁ କୁଆଡ଼େ ଆମ ଵିଵାହ ସ୍ଥିର ହୋଇ ସାରିଥିଲା।
ପ୍ରଥମ ପ୍ରେମ ସବୁବେଳେ ପବିତ୍ର। ଭାଗ୍ୟବାନ ସେହିମାନେ, ଯେଉଁ ମାନଙ୍କ ପ୍ରଥମ ପ୍ରେମ ହିଁ ତାଙ୍କର ଶେଷ ପ୍ରେମ ହୋଇଥାଏ। ଆଜି ଵିଵାହ ର ସାତ ବର୍ଷ ପରେ ମଧ୍ୟ ଆମ ଭିତରେ ପ୍ରେମ ର ମାତ୍ରା କମି ନାହିଁ ,ବରଂ ଆମ ପ୍ରେମ ର ପ୍ରତୀକ ରୂପରେ ଆମ ପୁଅ ଆମ ଜୀବନ କୁ ଆସି ଯାଇଛି। ଵାପା ମଧ୍ୟ ଭାଇ ଙ୍କୁ କ୍ଷମା କରି ଭାଉଜ ଆଉ ତାଙ୍କ ପୁଅ ଡୁଡୁଲ୍ କୁ ଘରକୁ ନେଇ ଆସିଛନ୍ତି। ମୋ ସାଙ୍ଗ ମାନେ ମୋହିତ୍ ଙ୍କ ସହ ବନ୍ଧୁତା ସ୍ଥାପନ କରି ସାରିଲେଣି। ମୋହିତ୍ ମଧ୍ୟ ଭୁଲି ଯାଇଛନ୍ତି ଦିନେ ସେମାନେ ମୋ ପାଇଁ ତାଙ୍କ ସହ ଝଗଡା କରିଥିଲେ। ସେଦିନ ଆଉ ଆଜି ଭିତରେ ଵହୁତ୍ କିଛି ବଦଳି ସାରିଛି। ବଦଳିନି ତ କେବଳ ମୋହିତ୍ ଙ୍କ ମୋ ପ୍ରତି ଥିବା ଭଲପାଇଵା ଆଉ ତାଙ୍କ ଚୋରା ଚାହାଣି ମତେ ଆକୃଷ୍ଟ କରିଵା ।

