ଛିନ୍ନ ସମ୍ପର୍କ
ଛିନ୍ନ ସମ୍ପର୍କ


ବାସନ୍ତୀ ନାଁ ରେ ନିଶାପ ଚାଲିଛି ଗାଁରେ।
" ଶୁଣ ବାସନ୍ତୀ , ତୋ ସ୍ୱାମୀ ରଘୁଆ ଘର ଛାଡ଼ି ଯିବା ବାରବର୍ଷ ପୁରିଗଲା।ଏ ବାରବର୍ଷ ଭିତରେ କିଛି ଖୋଜ ଖବର ମିଳିଲାନି ତାର।ତେଣୁ ତୋତେ ଏଥର ତୋ ସ୍ୱାମୀକୁ ଶୁଦ୍ଧି ହେବାକୁ ପଡ଼ିବ।ତା ନାଁ ରେ ପଳାଶ ପତ୍ର ଦାହ କରି ଶୁଦ୍ଧି ହେବା ସହ ଗାଁ ଲୋକଙ୍କ ପାଇଁ ସାଧ୍ୟମତେ ଭୋଜନର ବ୍ୟବସ୍ଥା କରିବୁ।ଆଉ ତା ପର ଠାରୁ ଗୋଟେ ବିଧବାର ଜୀବନ ବଞ୍ଚିବୁ ତୁ।ଏଇଟା ହିଁ ସମାଜର ନିୟମ। "
ନିଜ ହାତର ପାଣି ଚୁଡିକୁ କରୁଣ ଦୃଷ୍ଟିରେ ଚାହିଁଲା ବାସନ୍ତୀ।ତା ପରେ ହାତ ଯୋଡ଼ି କହିଲା , " ନାଇଁ ଆଜ୍ଞା ପାରିବିନି ମୁଁ।ମୋ ସ୍ୱାମୀ ମରିଛନ୍ତି ବୋଲି କିଛି ପ୍ରମାଣ ନାହିଁ। କାମ ଆଶାରେ ରାଜ୍ୟ ବାହାରକୁ ଚାଲିଗଲେ।କହିଥିଲେ ଦୁଇ ମାସ ଭିତରେ ଫେରି ଆସିବେ ବୋଲି।ନିଶ୍ଚୟ କିଛି ଅସୁବିଧାରେ ପଡି ଯାଇଛନ୍ତି ସିଏ। ମୁଁ ତ ଗରିବ ମୂର୍ଖ ସ୍ତ୍ରୀ ଲୋକଟାଏ।କୁଆଡେ ଯାଇ ଖୋଜିବି ତାଙ୍କୁ। କିନ୍ତୁ ମୋ ମନ କହୁଛି ସିଏ ନିଶ୍ଚୟ ଦିନେ ଫେରି ଆସିବେ।ଗୋଟେ ବଞ୍ଚିଲା ମଣିଷକୁ ମୁଁ କେମିତି ଶୁଦ୍ଧି ହେବି ଆଜ୍ଞା।ଯଦି ସେ କୋଉଦିନ ଫେରିଆସି ମୋତେ ବିଧବା ରୂପରେ ଦେଖିବେ ବହୁତ କଷ୍ଟ ହେବ ତାଙ୍କୁ।ଏମିତି କରି ପାରିବିନି ମୁଁ ।"
ତାହେଲେ ଠିକ ଅଛି। ଆଜିଠାରୁ ତୋତେ ଗାଁରେ ନିଆଁ ପାଣି ବାସନ୍ଦ କରାଗଲା।ଗାଁର କୌଣସି ପର୍ବ ପର୍ବାଣି , ଭୋଜିଭାତ, ଭଲମନ୍ଦ ରେ ତୁ ସାମିଲ ହୋଇ ପାରିବୁ ନାହିଁ।ତୋ ମନ ଅନୁସାରେ ତ ଆଉ ଏ ସମାଜ ଚାଲିବନି ନା।
ହେ ମା ..ବୁଢ଼ୀ ଠାକୁରାଣୀ... ଆଜିକୁ ବାରବର୍ଷ ହୋଇଗଲା ତୋତେ ମୁଁ କେତେ ନେହୁରା ହୋଇକି ଡ଼ାକିଛି
ଦିନରାତି।କିନ୍ତୁ ସିଏ ଫେରିଲେନି। ଏବେ ଗାଁ ଲୋକେ ମୋତେ ନିଆଁ ପାଣି ବାସନ୍ଦ କରିଦେଲେ। କାଲିଠାରୁ ଆଉ ମୁଁ ତୋ ମନ୍ଦିର ବେଢାକୁ ବି ଉଠି ପାରିବିନି।କେମିତି ବଞ୍ଚିବି ମା...।ମୋ ସ୍ୱାମୀଙ୍କୁ ଭଲରେ ଭଲରେ ଫେରେଇ ଆଣେ ଲୋ ମା..।ତୋତେ ମୁଁ ହଳଦୀ ପାଣିରେ ଗାଧୋଇ ନୂଆବସ୍ତ୍ର ପିନ୍ଧେଇ ମାଜଣା କରିବି।ବାଡ଼ିରେ ଏ ବର୍ଷ ନୂଆ କରି ଯୋଉ ନଡ଼ିଆ ଫଳିଛି ଆଗ କରି ତୋତେ ଭୋଗ ଲଗେଇବି ଲୋ ମା.. । ଏ ନିଆଶ୍ରୀକୁ ଦୟା କର ଟିକେ।
ଗାଁରେ ଚହଳ ପଡିଛି।ତେରବର୍ଷ ପରେ ଫେରିଛି ରଘୁଆ।ସାଙ୍ଗରେ ଆଉ ଗୋଟାଏ ସ୍ତ୍ରୀ ଆଉ ଦଶ ବର୍ଷର ପୁଅ ଟିଏ।
ତାହେଲେ ସେଦିନ ଜାଣିଶୁଣି ଏ ପର ସ୍ତ୍ରୀ ପାଇଁ ମୋ ସହ ସବୁ ସଂପର୍କକୁ ଛିନ୍ନ କରି ଚାଲି ଯାଇଥିଲା ରଘୁଆ !! ଆଉ ମୁଁ ସେ ଛିନ୍ନ ସମ୍ପର୍କକୁ ଜାବୁଡି ଧରି ପଡିଛି ଏ ଗାଁରେ ନିଆଁ ପାଣି ବାସନ୍ଦ ହୋଇ
କ୍ଷୋଭ , ଅପମାନ ଆଉ ଦୁଃଖରେ ଜଳିଗଲା ବାସନ୍ତୀ।ସିଧା ଧାଇଁଲା ନଈ ପଠାକୁ।ନଈରେ ସାତ ଥର ବୁଡ ପକେଇ ଗାଧୋଇଲା।ମୁଣ୍ଡର ସିନ୍ଦୁରକୁ ଧୋଇ ଦେଲା ଭଲରେ।ହାତର ଚୁଡିକୁ ଭାଙ୍ଗିବାକୁ ଗଲାବେଳକୁ ଅଟକେଇ ଦେଲା ଜଣେ ସ୍ତ୍ରୀ ଲୋକ। କହିଲା , ଏ କି ଅଲକ୍ଷଣା କାମ କରୁଛୁ ତୁ ବାସନ୍ତୀ ?ସଧବା ହୋଇ ତୁ
ସଧବା କିଏ କହିଲା ମୁଁ ସଧବା ଆଜି ଠାରୁ ମୁଁ ଜଣେ ବିଧବା କହି ପଥରରେ ଛେଚି ଭାଙ୍ଗିଦେଲା ତାର ସବୁ ପାଣିଚୁଡିକୁ ବାସନ୍ତୀ।