STORYMIRROR

Siddhartha Sankar Tripathy

Romance Tragedy Inspirational

4  

Siddhartha Sankar Tripathy

Romance Tragedy Inspirational

ଛାଡ଼ପତ୍ର

ଛାଡ଼ପତ୍ର

7 mins
277


ଏ ଅଭିଜିତ ! ଜାଣିଛ ଏଇଟା ଏକବିଂଶ ଶତାବ୍ଦୀ। ମୁଁ ସେହି ଶତାବ୍ଦୀର ଝିଅ। ଆଜି ଆମ ବାସର ରାତି ମାନେ ସ୍ୱପ୍ନର ରାତି। ତମେ ମୋତେ ମୋ ଅତୀତ ପଚାରିଥିଲ ।

ଅଭିଜିତ କହିଲେ , ହୁଁ !

ମୋବାଇଲ ବାହାର କରି ଦେଖେଇଲେ ନିଳୀମା। ପଢୁଛି ଶୁଣ। କିଛି ଖରାପ ଭାବିବନି, କାରଣ ଏହା ସ୍ବପ୍ନିଳର ଶେଷ ମେସେଜ। ମୁଁ ତାକୁ ମୋ ଜୀବନ ପରିଧିରୁ ସବୁଦିନ ପାଇଁ ଅବରୋଧ ( ବ୍ଲକ ) କରିଦେଇଛି। ହୃଦୟର ସ୍ପନ୍ଦନ ବଢୁଥିଲା ଅଭିଜିତର । କାନଡେରି ନିଳୀମା କୋଳରେ ଶୋଇ ଶୁଣୁଥିଲା ସେ।

ପଢୁଥିଲେ ନିଳୀମା ସ୍ବପ୍ନିଳ ଲେଖା !

ହେ ନିଷ୍ଠୁର ପୁରାତନ ପ୍ରେମିକା ନିଳୀମା !

ମିଥ୍ୟାର ପ୍ରଲେପ ନଦେଲେ ଯେପରି ପ୍ରେମର ଗଙ୍ଗା ବୋହିବା ଅସମ୍ଭବ, ସେହିପରି ପ୍ରତାରିତ ନହେଲେ କୌଣସି ପୁରୁଷ ପ୍ରେମର ସ୍ଵାଦ ଅନୁଭବ କରିପାରେନା। ତମେ ଠକିଦେଲ ବୋଲି କୌଣସି ଅନୁଶୋଚନା ନାହିଁ। ଜୀବନକୁ ଠିକ୍ ଭାବରେ ବୁଝିବା ପାଇଁ ଠକିହେବା ନିତାନ୍ତ ଆବଶ୍ୟକ। ଯେଉଁମାନେ ଜୀବନରେ ପ୍ରେମକରି ପ୍ରତାରିତ ହୋଇନାହାନ୍ତି, ସେମାନଙ୍କ ଜୀବନ ଅନୁଭୁତି ରହିତ । ତଥାପି ବ୍ରହ୍ମପୁର ଷ୍ଟେସନର ସେହି ନିର୍ଜନ ଛାତହୀନ ସିମେଣ୍ଟ ବେଞ୍ଚ, ଗୋପାଳପୁର ସମୁଦ୍ରକୂଳ, ବିଜୁପଟ୍ଟନାୟକ ପାର୍କ, ରମଲିଙ୍ଗ ପୋଖରୀ କୁଳ ମୋର ବଡ ଅବିଶ୍ୱାସୀ ମନେ ହୁଏ। କାରଣ ଏହି ସବୁ ଆମ ମିଳନ - ବିରହର ଏକମାତ୍ର ସାକ୍ଷୀ।

ଆମ ଖେଳଘର ଭାଙ୍ଗିଗଲା। କେମିତି, କାହିଁକି ତାର ଅନୁଶୀଳନ କରି ଲାଭ କିଛିନାହିଁ। ଆମେ ଦୁହେଁ ରେଳଧାରଣା ପରି ଦୁଇଟି ସମନ୍ତର ରେଖାରେ ଚାଲିଗଲେ। ଯେଉଁ ରେଖା କେବେ କେଉଁଠି ପରସ୍ପର ସହିତ ଛକି କାଟିବାର ସମ୍ଭାବନା ନାହିଁ।

ଶୁଣ ନିଳୀମା !

ଅହଙ୍କାର ସୁନ୍ଦରୀ ନାରୀର ଅଳଙ୍କାର ପରି। ଆତ୍ମସମ୍ମାନର ଏହି ଅହଙ୍କାର ସୁନ୍ଦରୀ ନାରୀକୁ କୋହିନୂର ହୀରାଖଣ୍ଡ ପରି ମୂଲ୍ୟବାନ କରିଦିଏ। ସମସ୍ତେ ତାକୁ ପାଇବା ପାଇଁ ସାହସ କରନ୍ତିନି। କିନ୍ତୁ ଅକାରଣ ରୂପର ଅହଙ୍କାର ସୁନ୍ଦରୀ ନାରୀକୁ ଖୁଚୁରା ପଇସା କରିଦିଏ। ଯେକୌଣସି ଲୋକ ତାକୁ ଅଣ୍ଟାରେ ଖୋସିବାକୁ ହାତ ବଢ଼େଇ ଦିଅନ୍ତି। ତେଣୁ ତମେ ଆତ୍ମସମ୍ମାନକୁ ପ୍ରାଧାନ୍ୟ ଦେବ, ରୂପକୁ ନୁହଁ।

ବାହାଘର ପରେ ନାରୀର ଦେହକୁ ନିଲାମ କରି ଦିଆଯାଏ। ତମେ ଯାହାଙ୍କୁ ବିବାହ କରିଛ , ତାଙ୍କ ଠାରୁ ବେଶୀ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଚାହିଁଥିଲେ ତମେ ବି ତାଙ୍କରି ସ୍ତ୍ରୀ ହୋଇ ବେଦିରେ ବସିଥାନ୍ତ । ଆଜି ତମେ ତମ ସ୍ଵାମୀଙ୍କୁ ଯେତିକି ଭକ୍ତି କରୁଛ ; ଅନ୍ୟ ଜଣକୁ ବିବହ କରିଥିଲେ ବି ତମେ ସେତିକି ତାଙ୍କୁ ଭକ୍ତି ଓ ପ୍ରେମ କରିଥାନ୍ତ । ସତ ନା !

ହୃଦୟ ଯେଉଁଠି ପରିବାର ଦ୍ଵାରା ପରିଚାଳିତ ପରବାସୀ , ଭକ୍ତି, ପ୍ରେମ, ଆନୁଗତ୍ୟ ସେଇଠି ଜାଲ ନୋଟ୍ ପରି।

ବିଶ୍ବାସକର, କୌଣସି ଦିନ ମୁଁ ଆଉ ଚାହିଁନାହିଁ, ତମ ସହିତ କେବେ ଆଉ ଦେଖା ହେଉ। ତମକୁ ଦେଖା କରିବାକୁ ଭୟ କାରଣ ଯେତେ ଦାମୀ ଶାଢ଼ୀ ପିନ୍ଧିଥିଲେ ମଧ୍ଯ ମୋ ଆଖିର ଅନ୍ତର୍ଭେଦୀ ସ୍ୱଚ୍ଛ କାଚର ସମ୍ମୁଖୀନ ହେବାମାତ୍ରେ ତମର ଅନାବୃତ ଦେହର ପ୍ରତିଟି ଅଙ୍ଗରେଖା ମୋ ଆଖି ଆଗରେ ଚାହୁଁ ଚାହୁଁ ନଗ୍ନ ହୋଇଯିବ। 

ଇସ୍ କରି ପଢା ବନ୍ଦ କଲେ ନିଳୀମା।

ଚୁପଚାପ ଶୁଣୁଥିଲେ ଅଭିଜିତ। ବାତାବରଣକୁ ସହଜ କରିବାକୁ ଅଭିଜିତ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର " ନୂତନ ଦ୍ରୌପଦୀ" ଦେଖିବାକୁ ଈଶାରା କଲେ। ଶେଷରେ କୌତୁହଳରେ ଅଭିଜିତ ପଚାରିଲେ, ତମକୁ କେଉଁ ଚରିତ୍ର ଭଲ ଲାଗିଲା ?

ଗୋଟିଏ ମୁହୂର୍ତ୍ତ ବିଳମ୍ବ ନକରି ନିଳୀମା ଉତ୍ତର ଦେଲେ , ଯାଦୁକର ଅର୍ଜୁନ ଦାସ ଚରିତ୍ର। ଦ୍ରୌପଦୀ ଦାସର ପଞ୍ଚ - ପ୍ରେମିକମାନଙ୍କ ମଧ୍ୟରୁ ଆଇ . ଏ . ଏସ ଯୁଧିଷ୍ଟିର କପୁର ଚରିତ୍ର ବିଶେଷ ଆକର୍ଷଣୀୟ ନୁହେଁ। ଭୀମ ସିଂହ, ନକୁଳ ଖାନ୍ନା ଆଉ ସହଦେବ ପାଣ୍ଡବ ଚରିତ୍ର ସେମିତି କିଛି ଖାସ୍ ନୁହେଁ। କିନ୍ତୁ ଅର୍ଜୁନ ଦାସର ଇଚ୍ଛା ପୂରଣ ଶକ୍ତି ଅନନ୍ୟ। ଦ୍ରୌପଦୀ ଯାହା ଚାହୁଁଚି ନିଜ ମ୍ୟାଜିକବ୍ୟାଗ୍ ରୁ ସଙ୍ଗେ ସଙ୍ଗେ କାଢ଼ି ତାକୁ ବଢେଇ ଦେଉଛି। ପଚାରୁଛି ଆଉ କ'ଣ ଦରକାର। ମାଗି ମାଗି କ୍ଳାନ୍ତ ହେଇଯାଉଛି ଦ୍ରୌପଦୀ ଦାସ - ଶେଷରେ କହୁଛି - ମୁଁ କେବଳ ତୁମକୁ ଚାହେଁ - ଅନ୍ୟ ପୁରୁଷମାନେ ମୋର ଆଂଶିକ ଇଛା ପୂରଣ କରିଛନ୍ତି - ତେଣୁ ସେ ଚାରିଜଣ ମୋ ପ୍ରେମିକ କିନ୍ତୁ ତମେ ମୋ ସ୍ଵାମୀ।

ଏ। ଅଭିଜିତ ! ତମେ ବି ମୋ ଅର୍ଜୁନ ଦାସ ହୋଇ ଯାଅ ନା। ହସିଦେଇ ହଁ ଭରିଲେ ଅଭିଜିତ।

କିଛିମାସ ପରେ ...............

XXXXXXXXXXXXXXXXX

ଜୀବନର ଗାଡ଼ି ଉପରଲିଖିତ XXXX ପରି ଛକି କାଟି ଆଗକୁ ବଢୁଥିଲା। ରେଳରେ ବସି ଝରକାପଟେ ସମାନ୍ତର ରେଳଧାରଣା ଆଡ଼କୁ ଅନେଇ କିଛି ଭାବୁଥିଲେ ନିଳୀମା। 

ହଠାତ୍

ସାମ୍ନା ସିଟ୍ କୁ ଅନେଇ ଚମକି ଉଠିଲେ ନିଳୀମା। ଅଭିଜିତ ତା ସାମ୍ନାରେ ! ଅଭିଜିତ ତାକୁ ନଦେଖି ମୋବାଇଲରେ ବ୍ୟସ୍ତ ଥିଲେ। ରେଳ ଛାଡ଼ିଲା। ଅଭିଜିତର ନଜର ପଡ଼ିଲା ସାମ୍ନାରେ ବସିଥିବା ନିଳୀମା ଉପରେ।

ଅଭିଜିତ ପଚାରିବସିଲେ , କେମିତି ଅଛ ?

ଭଲ ! କହିଲେ ନିଳୀମା।

ଚାହା ପିଇବ ?

ମନାକଲେ ନିଳୀମା। 

ଖବରକାଗଜଟି ମୁହଁ ସାମ୍ନାରେ ରଖି ରେଳଧାରଣାକୁ ଅନେଇ ଭାବୁଥିଲା ନିଳୀମା। ଏହି ସମାନ୍ତର ରେଳଧାରଣା ପରି ସମାନ୍ତର ତାର ଓ ଅଭିଜିତର ଜୀବନ। ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ବାନ୍ଧି ହୋଇଥିଲେ ଦୁହେଁ। କେତେ ସ୍ୱପ୍ନ, କେତେ ଆନନ୍ଦରେ ବିତୁଥିଲା ଜୀବନ। 

ସମୟ ବଡ଼ ବଳବାନ।

ଆଜି କୋର୍ଟରେ ଦୁହିଁଙ୍କ ବିବାହ ବିଚ୍ଛେଦ ମାମଲା। ଫ୍ୟାମିଲିକୋର୍ଟ ଛଅମାସ ସମୟ ଦେଇଥିଲା। କିନ୍ତୁ ଫଳ କିଛିନାହିଁ। କାରଣ ସେ ବି ଚାକିରିଆ। ଯେଉଁଠି ମନ ନମିସେ ସେଇଠି ସମ୍ପର୍କର ମାନେ କିଛି ନଥାଏ। 

ଆସନ୍ତାକାଲି ବିବାହ ବିଚ୍ଛେଦଶୁଣାଣି।

ତେଣୁ ତ ଦୁହେଁ ଯାତ୍ରା କରୁଛନ୍ତି। ହେଲେ, ଗୋଟିଏ ବଗିରେ ତା ବି ସାମ୍ନାସାମ୍ନି। ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ନିଳୀମା। ନିଳୀମା ଅଣନିଶ୍ବାସୀ ହୋଇପଡ଼ିଥିଲା ନିଜ ଦାମ୍ପତ୍ୟ ଜୀବନକୁ ନେଇ।

ଅଭିଜିତଙ୍କ ପୁରୁଣାକାଳିଆ ଢଙ୍ଗ ଓ ନିଳୀମା ଉଗ୍ରାଧୁନିକା। ନିଳୀମା ଚାହୁଁଥିଲା ନିଜର ସହରରେ ସୁନ୍ଦର ଘର ଓ ସ୍ଵାମୀସହ ସୁନ୍ଦର ଦାମ୍ପତ୍ୟ ଜୀବନ। ଜିନ୍ତୁ ଅଭିଜିତ ବାପାମାଆଙ୍କୁ ପ୍ରାଧାନ୍ୟ ଦେଉଥିଲେ, ଯାହା ନିଳୀମାକୁ ପଶନ୍ଦ ନଥିଲା ।

ଏମିତି କିଛି କାରଣ ପାଇଁ ବିବାହ ବିଚ୍ଛେଦର ନିଷ୍ପତ୍ତି ନେଇଥିଲେ ଦୁହେଁ। ପରିବେଶକୁ ସହଜ କରିବାକୁ ଅଭିଜିତ ପଚାରିଲେ ଚାହା ପିଇବ ନିଳୀମା। ମନାକଲେ ନିଳୀମା। ଅଭିଜିତ କହିଲେ, ନିଳୀମା ! ଆଜି ଆମର ଦାମ୍ପତ୍ୟ ଜୀବନର ଶେଷ ରେଳଯାତ୍ରା। ମନେ ଅଛି ଆମେ ନୂଆଁ ବାହା ହୋଇ ଗୋଆ ଯିବା ସମୟରେ ରେଳ ଝରକା ପାଖରେ ତମେ ବସି ବାହାରର ଦୃଶ୍ୟ ଉପଭୋଗ କରିବା ସମୟରେ ମୁଁ ଶୀତତାପନିୟନ୍ତ୍ରିତ ବଗିରେ ଶୋଇଯାଉଥିଲି ଓ ତମେ ମୋ ହାତଟାକୁ ଚାପି କହୁଥିଲ , ବେରସିକ ସ୍ଵାମୀ ! ତମର ସେଇ ମାଦକଭରା ଖିଲି ଖିଲି ହସ ଆଜି ବି ମନେପଡୁଛି। ଜାଣିଛ ନିଳୀମା ! ଆଜି ମୁଁ ବାହାରିବା ସମୟରେ ମାଆ ତୁଳସୀ ଚଉରାମୂଳରେ ଘିଅଦୀପ ଜାଳି କହୁଥିଲା ମୋ ପୁଅ ବୋହୂର ସଂସାର ସଜାଡି ଦିଅ। କିନ୍ତୁ ଆମେ ଦୁହେଁ ଚାକିରିଆ। ନିଷ୍ପତ୍ତି ନେବାର କ୍ଷମତା ଆମର ଅଛି। ତେଣୁ ତ ଆମେ ନିଜ ନିଜର ନିଷ୍ପତ୍ତି ନେଇଛେ।

ନିଳୀମା ଦୀର୍ଘଶ୍ୱାସ ନେଇ କହିଲେ, ତାଳିପକା ସଂସାର ବେଶୀ ଦିନ ତିଷ୍ଠି ପାରେନା। ବସିବା ସ୍ଥାନରୁ ଉଠି ବାଥରୁମ ଆଡ଼କୁ ଅଗ୍ରସର ହେବା ସମୟରେ ନିଳୀମା ଭାବୁଥିଲା, ଘରୁ ବାହାରିବା ସମୟରେ ତା ମାଆ ବି ଅଭିଜିତ ଓ ତାର ସଂସାର ପାଇଁ ପ୍ରାର୍ଥନା କରୁଥିଲେ ଓ କହୁଥିଲେ ମାଆରେ ! ଛାଡ଼ପତ୍ର କ'ଣ ନିତାନ୍ତ ଜରୁରୀ ? ଅଭିଜିତ ଭଲ ପିଲା, ମିଶିକି ସଂସାର କର। ଟି ଟି ଇ କୁ ସ୍ଥାନ ପରିବର୍ତ୍ତନ ପାଇଁ ଅନୁରୋଧ କଲେ ନିଳୀମା। ସେ କହିଲେ ଆଜି ରେଳରେ ଗୋଟିଏ ବି ସ୍ଥାନ ଖାଲି ନାହିଁ। ତାଛଡ଼ା ଆଉ ଦୁଇ ଚାରି ଘଣ୍ଟା ଭିତରେ ଆପଣ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ।ଚୁପଚାପ୍ ଫେରିଆସିଲେ ନିଳୀମା। 

ହାତଘଣ୍ଟା ଦେଖିଲେ ନିଳୀମା। ସନ୍ଧ୍ୟା ସାତଟା। କହିଲେ, ଅଭିଜିତ ! ଆମେ ସ୍ବାମୀ ସ୍ତ୍ରୀ ହୋଇ ନପାରିଲେ ବି ଭଲ ବନ୍ଧୁ ତ ହୋଇପାରିବା। ଅଭିଜିତ କହିଲେ , ନିଳୀମା ! ଆମେ କ'ଣ ପୁଣି ସଂସାର କରିପାରିବାନି ? ସ୍ମିତହସି ନିଳୀମା କହିଲେ, ସବୁ ତ ସରିଛି, ଆସନ୍ତାକାଲି କୋର୍ଟ ବି ଆମର ବିବାହବିଚ୍ଛେଦ ଉପରେ ମୋହର ମାରିବ। ରାତି ଭିତରେ ଆଉ କ'ଣ ଚମତ୍କାର ହୋଇଯିବ ? ଚୁପ୍ ହୋଇଗଲେ ଅଭିଜିତ।

ଧଡ଼ ଧଡ ଧଡ୍ !

ହଠାତ୍ ବିକଟାଳ ଶବ୍ଦ ହେଲା। ରେଳସାରା ଆକୁଳ ଚିତ୍କାର। ବିଜୁଳି ବିଚ୍ଛିନ୍ନ। ଘୋର ଅନ୍ଧକାର। କିଛି ସମୟ ପରେ ନିଳୀମା ନିଜକୁ ଆବିଷ୍କାର କଲା ରେଳ ଭିତରେ। ଅଣ୍ଟାଠାରୁ ଗୋଡ ଯାଏଁ ଆସବାବପତ୍ର ଓ ରେଳର ଚୌକି ତଳେ ଚାପି ହୋଇ ରହିଛି ସେ। ମୁଣ୍ଡରୁ ଧାର ଧାର ରକ୍ତ। ପାଖରେ ମୁଣ୍ଡଗଣ୍ଡି ବିହୀନ କିଛି ମଣିଷ। ଧୀର କଣ୍ଠରେ ଡାକୁଥିଲେ ନିଳୀମା , ଅଭିଜିତ ! ଏ ଅଭିଜିତ ! ତମେ କେଉଁଠି ? ନା , ସବୁ ପୁରୁଷ ସେମିତି । ନିଜ ଜୀବନ ବଞ୍ଚେଇ ଚାଲିଯାଇଥିବେ ଅଭିଜିତ। ସେ କାହିଁକି ଧ୍ୟାନଦେବେ ନିଳୀମାକୁ ? ନିଳୀମା ସହ ଅଭିଜିତର ସମ୍ପର୍କ କ'ଣ ? ଚାଲି ଯାଇଥିବ ସେ। ନିଳୀମା ଶରୀରରେ ପ୍ରବଳ ଯନ୍ତ୍ରଣା। ଆଉ କିଛି ସମୟ ଏମିତି ରହିଲେ ମରିଯିବ ସେ।

ନିଳୀମା ! ଏ ନିଳୀମା ! ତମେ କେଉଁଠି ? ଏଇ ଦେଖ ! ମୁଁ ଖିଡ଼ିକି ବାହାରେ ଅଛି। ମୋବାଇଲ ଚାର୍ଜ ସରିଲାଣି । ଜଲଦି ହାତ ବାହାରକୁ ଦିଅ। ଆମ ବଗିରେ ନିଆଁ ଲାଗିସାରିଛି। କିଛି ସମୟ ଭିତରେ ସବୁ ସରିଯିବ। ଏ ନିଳୀମା ! କିଛି କହୁନ କାହିଁକି ? ତମେ ଜୀବିତ ତ ? କେଉଁଠି ତମେ ?

ନିଳୀମା କ୍ଷୀଣ କଣ୍ଠରେ କହିଲେ, ଅଭିଜିତ ମୁଁ ବାହାରି ପାରୁନାହିଁ , ତମେ ଚାଲିଯାଅ । ରେଳ ଜଳିଯିବ। ତମେ ଚାଲିଯାଅ ଅଭିଜିତ। ହଠାତ ଭଙ୍ଗା ଝରକା ପଟେ ଭିତରକୁ ପ୍ରଵେଶ କଲେ ଅଭିଜିତ। ଅଧାଘଣ୍ଟା ଲାଗି ନିଳୀମା ଉପରୁ ନିର୍ଜୀବ ଶରୀର ଓ ଆସବାବପତ୍ର, ରେଳର ଚୌକି ଉଠାଇ ନିଳୀମାକୁ ଟେକି ଧରିଲା ଅଭିଜିତ। ଠିଆ କରେଇଲେ ନିଳୀମାକୁ । ଠିଆ ହୋଇପାରୁନଥିଲେ ନିଳୀମା। ଅଭିଜିତ ସାହାସ ଦେଇ କହିଲେ, ମୁଁ ଉପରକୁ ଯାଇ ତମକୁ ଟାଣିବି। ଦୁହେଁ ଏକା ସାଙ୍ଗରେ ଝରକାପଟେ ବାହାରିବା ସମ୍ଭବ ନୁହେଁ।

ନିଳୀମା ହାତ ଧରି ଉପରକୁ ଟାଣିଲେ ଅଭିଜିତ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ନିଳୀମା। ଅଭିଜିତ ବଳ ସଞ୍ଚୟ କରି ନିଳୀମାକୁ ଝରକାପଟେ ଉପରକୁ ଉଠାଇ ବଗି ଉପରେ ବସେଇଲେ। ନିଳୀମାକୁ ଲାଗିଥିଲା ସେ ଯେମିତି ପୁନର୍ଜନ୍ମ ପାଇଛି। କିଛି ଲୋକ ସହାୟତା କରି ନିଳୀମାକୁ ବଗି ତଳକୁ ଆଣି ରେଳଧାରଣାରେ ବସେଇଲେ। 

ବଗିରେ ନିଆଁ ଭୟଙ୍କର ରୁପ ଧାରଣ କରିଥିଲା। ଲୋକମାନେ ଚିତ୍କାର କରି ଏପଟ ସେପଟ ଦୌଡୁଥିଲେ। ନିଳୀମାର ହାତ ଧରି ଅଭିଜିତ କହୁଥିଲେ, ନିଳୀମା, ଶୀଘ୍ର ଦୌଡ଼ି ଯିବାକୁ ହେବ। ଆଗରେ କୌଣସି ଗାଡ଼ିନେଇ ଡାକ୍ତରଖାନା ଯିବା। ନିଳୀମା ଯନ୍ତ୍ରଣାରେ ଶିହରୀ ଉଠି କହିଲା, ମୁଁ ଉଠି ପାରୁନି ଅଭିଜିତ। ମୋତେ ଏଇଠି ଛାଡ଼ି ତମେ ଚାଲିଯାଅ। ଏଇ ଆମ ଶେଷ ଦେଖା। ନିଳୀମା ଆଖିରେ ଯନ୍ତ୍ରଣା ଓ ନିଶ୍ଚିତ ମୃତ୍ୟୁର ଲୁହ।

ନିଳୀମାକୁ ଦୁଇହାତରେ ତୋଳିଧରି ଆଗେଇବାକୁ ଲାଗିଲେ ଅଭିଜିତ। ଚନ୍ଦ୍ର କିରଣରେ ନିଳୀମା ଦେଖୁଥିଲା ଅଭିଜିତ ର ମୁଣ୍ଡରୁ ରକ୍ତସ୍ରାବ। ତଥାପି ସେ ନିଳୀମାକୁ ବଞ୍ଚେଇଦେଲେ। କ'ଣ ପାଇଁ ? କାଲି ସକାଳୁ ତ ସେମାନଙ୍କ ଛାଡ଼ପତ୍ର। କି ସମ୍ପର୍କ ଅଭିଜିତର ? ପଚରିବସିଲେ ନିଳୀମା। ଅଭିଜିତର ସଂକ୍ଷିପ୍ତ ଉତ୍ତର , " ମାନବିକତା। " ନିଳୀମାର ଆଖି ବନ୍ଦ ହୋଇ ଆସୁଥିଲା। ଆଖି ଖୋଲିବା ସମୟରେ ନିଳୀମା ନିଜକୁ ଆବିଷ୍କାର କଲା ଡାକ୍ତରଖାନାରେ । ଦେଖିଲା ଅଭିଜିତ ଦୁହିଁଙ୍କ ପରିବାରକୁ ଫୋନରେ କହୁଥିଲେ ଉଭୟେ ସୁରକ୍ଷିତ। ମୁହଁରେ ଚେନାଏ ହସ ଖେଳିଗଲା ନିଳୀମାର।

ନିଳୀମା କହିଲା, ଅଭିଜିତ ତମ ଶରୀରରେ ବହୁତ୍ କ୍ଷତ। ନିଜର ଚିକିତ୍ସା କରେଇନିଅ, ମୁଁ ଠିକ୍ ଅଛି।

ନିଳୀମାର ଗୋଡ଼ ହାତ ଭାଙ୍ଗି ଯାଇଥିଲା। ପଟି ବନ୍ଧା ହୋଇଥିଲା। ପାଖ ବିଛଣାରେ ଅଭିଜିତ। ରାତିରେ ଦୁହିଁଙ୍କ ପରିବାର ପହଞ୍ଚିଗଲେ। ନିଳୀମାର ମାଆ କହିଲେ, ଦେଖ ଭଗବାନଙ୍କ ବିଚିତ୍ର ଲୀଳା। ଦୁହେଁ ପୁଣି ଏକାଠି। ସେ ନିଆଁଲଗା ଛାଡ଼ପତ୍ର କେସ ଉଠାଇଦିଅ। ଜ୍ବାଇଁ ଥିଲେ ବୋଲି ଆଜି ନିଳୀମା ବଞ୍ଚିଗଲା। କ୍ଷୀଣ କଣ୍ଠରେ ଅଭିଜିତ କହିଲେ, ମୁଁ କେବଳ ମାନବିକତା ପ୍ରଦର୍ଶିତ କରିଛି। ମୋ ସ୍ଥାନରେ କେହି ବି ଥିଲେ ସେୟା କରିଥାନ୍ତା। ନିଳୀମା ଛାଡ଼ପତ୍ର ନିଷ୍ପତ୍ତି କରିସାରିଛି। ମୁଁ ତା ନିଷ୍ପତ୍ତିକୁ ସମ୍ମାନ ଦିଏ।

ନିଳୀମାର ବାପା କହିଲେ, ତମେ ଦୁହେଁ ପିଲାଳିଆମି କରୁଛ। ଦେଖ ଏସବୁ ସଂଯୋଗ ଓ ଭଗବାନଙ୍କ ସଂକେତ। ବିବାହ ବିଚ୍ଛେଦ, ଛାଡ଼ପତ୍ର ସମସ୍ୟାର ସମାଧାନ ନୁହେଁ।

ରେଳଧାରଣା ସମାନ୍ତରାଳ ହେଲେ ବି ଲୁପ ଲାଇନରେ ଦୁହିଁଙ୍କ ମିଳନ ହୁଏ। ଦୁହେଁ ଚାକିରି କରୁଛ, ତାର ମାନେ ନୁହେଁ ଦୁହେଁ ଜୀବନରେଳକୁ ଏକା ଏକା ଆଗକୁ ବଢେଇ ପାରିବ।

ଅଭିଜିତର ବାପା କହିଲେ, ଝିଅ ଲୋ ! ଆମେ ଗାଆଁକୁ ଚାଲିଯିବୁ। ଅଭିଜିତ ତୋର। ତାକୁ ନେଇ ତୁ ତୋର ଇଛାନୁସାରେ ସଂସାର କରେ ଆମର ଆପତ୍ତି ନାହିଁ, କିନ୍ତୁ ଦୁହେଁ ମିଶି ସଂସାର କର। ଲୋତକଭରା ଆଖିରେ ନିଳୀମା କହିଲା, ବାପା ! ମୋତେ ଲଜ୍ଜିତ କରନ୍ତୁ ନାହିଁ। ଅଭିଜିତ ମୋତେ କ୍ଷମା କରିବ ନାହିଁ ? ରାତିରେ ସୁପରମ୍ୟାନ ପରି ଅନ୍ଧାରରେ ବଗି ଭିତରେ ପଶି ନିଜ ଜୀବନକୁ ବାଜି ଲଗେଇ ମୋତେ ବଞ୍ଚାଇଥିଲେ କାହିଁକି ? ଅଭିଜିତ କହିଲେ, ତମେ ପରା ଆଜିବି ମୋ ସ୍ତ୍ରୀ। ସ୍ତ୍ରୀର ରକ୍ଷା ସ୍ଵାମୀର କର୍ତ୍ତବ୍ୟ। ଅଭିଜିତ କୋଳରେ ଶୋଇ କଇଁ କଇଁ କାନ୍ଦୁଥିଲେ ନିଳୀମା। ଶାନ୍ତ୍ବନା ଦେଉଥିଲେ ଅଭିଜିତ। ଶାନ୍ତିର ହସ ହସୁଥିଲେ ପରିବାର।


Rate this content
Log in

Similar oriya story from Romance