ବଉଳ ଗଛ ମୂଳ
ବଉଳ ଗଛ ମୂଳ


ସେଦିନ ବାହାହୋଇ ବୋହୂ ହୋଇ ରେଣୁ ଆସିଥିଲା ସେହି ଗାଁ କୁ, - ଗାଁର ନାଁ ଖଇରାପଡା | ଗାଁରେ ସେତେବେଳେ ଶାଶୁ, ଶ୍ୱଶ୍ୱର, ଜା ଓ ଦେଢଶୁରଙ୍କ ଗହଣରେ ମିଶି ଦିନ ଯେ କାଟିବାକୁ ପଡିବ, ସେ ଜାଣିଥିଲା | ବହୁଦିନ ପୂର୍ବର ଘଟଣା | ସେତେବେଳେ ପୁରା ପରିବାର ମିଶିକି ରହୁଥିଲେ | ସେଦିନ ବଡ ଜା ମିତୁ କଥାଛଳରେ କହୁକହୁ କହିଦେଲେ :- ସେହି ବାଡିଆଡରେ ଥିବା ବଉଳଗଛ ମୂଳକୁ ବେଶି ଯିବୁନି | କଥାଟା ଉହ୍ୟ ରଖି କହିଥିଲେ | ଶାଶୁ ମଧ୍ୟ ଦିନେ କଥାର ପେଡି ଖୋଲିବସିଲା ବେଳକୁ କହୁ କହୁ କହିଦେଲେ - ରାତିରୁ ଉଠି ଗାଧୋଇଗଲା ବେଳକୁ ବାଡିଆଡରେ ଥିବା ସେହି ବଉଳ ଗଛମୂଳକୁ ହୁସିଆର ଥିବୁ | କଣ ଅଛି ସେ ବଉଳ ଗଛ ମୂଳେ ? କଣ ସେ ଗଛର ରହସ୍ୟ, ସମସ୍ତେ ଗୋଟେ କଥା କାହିଁକି କହୁଛନ୍ତି?ରେଣୁର ବହୁତ କୌତୁହଳ ବଢିଲା ।ସେ ବାଡିଆଡକୁ ଗଲାବେଳେ ଅଲଖ୍ୟରେ ଟିକେ ଟିକେ ସେ ବଉଳଗଛ ମୂଳରେ ଆଖି ପଡିଗଲେ,ଆଖିକୁ ଫେରେଇ ଆଣେ ଅତି ସଂତର୍ପଣରେ ।
ଦିନକର କଥା, ଜହ୍ନ ଆଲୁଅଟା ତୋଫା ହୋଇ ଅଗଣାରେ ପଡିଥିଲା । ଚାରିଆଡ ନିଶ୍ଚଳ ଆଉ ନିସ୍ତବ୍ଧ ଜଣାଯାଉଥିଲେ ବି ଲାଗୁଥିଲା ସତେ ଯେମିତି ରାତି ପାହି ପାହି ଆସିଲାଣି | ତେଣୁ ରେଣୁ ଭାବିଲା ରାତି ପାହିଯିବ,ଗାଧୁଆ ନିତ୍ୟକର୍ମ ସବୁ ଡେରି ହୋଇଯିବ ।ସେହି ପୁରାତନ ଯୁଗର ଘଟଣା । ସକାଳ ପାହିଲା ବେଳକୁ ନୂଆବୋହୂମାନେ ଗାଧୁଆ ପାଧୁଆ ସାରି ରୋଷେଇ ଘରେ ଆସି ରୋଷେଇର ବ୍ୟବସ୍ଥା କରିବା କଥା ।ତେଣୁ ତରବର ହୋଇ ଗରାବାଲଟି ଧରି ବାଡିଆଡକୁ ରେଣୁ ପଳାଇଗଲା ।ପାଣିଗରା ଧରି ପାଣି କାଢିଲା ।ସେ ଯେତେ ପାଣି କାଢୁଥାଏ,କୂଅଟା ସେତିକି ଗଭୀର ହୋଇ ହୋଇ ଯାଉଥାଏ ।କିଛି ବୁଝି ପାରିଲାନି ସେ ।ବହୁତ କଷ୍ଟରେ ପାଣି ଗରାଏ କାଢି ବାଲଟି ଭରିଲା ଓ ଆଉ ଗୋଟେ ଗରା ପାଣି ଭରିଲା ।ନିତ୍ୟକର୍ମ ସାରି ଗାଧୋଇବା କଥା । ଗାଧୁଆ ସାରିଲା ବେଳକୁ କୋଉଠୁଥିଲା କେଜାଣି ଗୋଡି,ବାଲି,ମାଟି ସବୁ ଆସି ଦେହ ମୁହଁରେ ଲଦି ହୋଇ ପଡିଲା । ଆରେ ଏ କଣ! ରେଣୁ ଭାବୁ ଭାବୁ ପୁଣି ଆସି ଗୋଡି,ମାଟି ଗଦା ହୋଇ ପଡିଲା | ଏଥରକ କିଛି ନ ବିଚାରି ଆଉ ଯାହା ପାଣି ଥିଲା,ସେଥିରେ ଧୁଆ ଧୋଇ ହୋଇ ଘରକୁ ଏକମୁହାଁ ହୋଇ ପଳେଇ ଆସିଲା । ଘରେ ଆସି ଘଣ୍ଟାକୁ ଦେଖିଲା,ରାତି ଦୁଇଟା ବାଜିଛି ।ଆରେ ଏତେ ରାତିରେ ମୁଁ ଗାଧୋଇବାକୁ ପଳେଇଥିଲି?
ରେଣୁ କିଛି ବୁଝିପାରିଲାନି । ଏ ସବୁ ଘଟଣାରେ ରେଣୁର ଛାତି ଭିତରଟା ଦାଉଁକିନା ହୋଇଗଲା ଆଉ ମୁଣ୍ଡଟା ଭାରାକ୍ରାନ୍ତ ହୋଇଗଲା | ନିଜେ ନିଜେ ସେସବୁ ଘଟଣାକୁ ଭୁଲିବାକୁ ଚେଷ୍ଟା କରି ଶୋଇବାକୁ ନିଦରେ ଚେଷ୍ଟା କଲା । କେତେବେଳେ ତାକୁ ନିଦ ହୋଇଯାଇଛି, ତାକୁ ଜଣା ନାହିଁ । ସକାଳ ଛଅଟା ପର୍ଯ୍ୟନ୍ତ ସେ ଶୋଇଯାଇଛି । ଏଇ ସମୟରେ ଶାଶୁ ଆସି ଥିରକିରି ଉଠେଇବସିଲେ ରେଣୁକୁ । ଆଲୋ ବୋହୂ ଉଠ ଉଠ,ରାତି ପାହିଗଲାଣି ,ତୁ ନିତ୍ୟକର୍ମ ସବୁ ସାରିବୁନି କି? ଧଡକିନା ନିଦରୁ ଉଠି ରେଣୁ ବିଛଣାରେ ବସିପଡିଲା । ଗତ ରାତିର ଘଟଣାକୁ ମନେ ପକାଇଲା । ସେ ଘଟଣା ସବୁ ସତ ନା ସପ୍ନ ଥିଲା? ସେ କହିଲା ନା ନା ମୁଁ ମୋର ନିତ୍ୟକର୍ମ ଉଠି ସାରିଦେଇଛି । କିନ୍ତୁ ସେ ଘଟଣାକୁ ଦିନତମାମ୍ ଘାରିହୋଇ ବସିଲା । ଆଜି କୌଣସି କାମରେ ମନ ଲାଗୁନି ତାର । କିଛି ଖାଇବାକୁ ବି ଇଛା ହେଉନି । ରେଣୁ କିଛି ନ ବୁଝିପାରି ସବୁ ଘଟଣାକୁ ସଂଧ୍ୟା ବେଳେ ଜା ଆଗରେ ବଖାଣି ବସିଲା ।ବଡ ଜା ସବୁ ଶୁଣି ମୁଣ୍ଡରେ ହାତ ଦେଇ ବସିଲେ ।ତୁ ଏତେ ରାତିରେ ସେ ବାଡିଆଡକୁ ଯାଇଥିଲୁ? ସେ ସମୟଟା ତ ଭୂତ ପ୍ରେତଙ୍କର ବୁଲିବା ସମୟ । ତୋତେ କହିଥିଲି ନା ସେହି ବଉଳ ଗଛ ମୂଳକୁ ସାବଧାନ ଥିବୁ ।ସେଠି ଗୋଟେ ଭୂତ ବସବାସ କରେ । ସେ ଉପଯୁକ୍ତ ସମୟ ପାଇଲେ ଓ ଏକୁଟିଆ କାହାକୁ ପାଇଲେ ତାର କାମ ସେ ଦେଖାଇଦିଏ । ହଉ ହଉ ତୁ ଆଉ ସେ ରାତିରୁ ଉଠି ଏକୁଟିଆ ଗାଧୋଇବାକୁ ଯିବୁନି । ମୁଁ ତୋ ସାଙ୍ଗରେ ଯିବି । ସେ ଦିନଠୁ ରେଣୁ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରେ ଓ ବଡ ଜା ମିତୁକୁ ସାଙ୍ଗରେ ନେଇ ବାଡିଆଡକୁ ଗାଧୋଇବାକୁ ଯାଏ ।
ଏ ଭିତରେ ଦୀର୍ଘ ପନ୍ଦର ବର୍ଷ ବିତିଗଲାଣି । ରେଣୁ ତାର ପରିବାରକୁ ନେଇ ଗାଁରେ ଶେଷ ଭାଗରେ ଘରତୋଳି ଆସି ରହିଲେଣି । ସ୍ୱାମୀଙ୍କର ବ୍ୟବସାୟ ଥିଲା,ସେଥିରୁ ଭଲ ପଇସା ଆସୁଥିଲା । ପିଲା ମାନେ ଭଲ ପାଠ ପଢି ନାଁ କରୁଥିଲେ । ଦୁଇଟି ପୁଅଆଉ ଦୁଇଟି ଝିଅକୁ ନେଇ ତାର ସଂସାର । ରେଣୁର ସ୍ୱାମୀଙ୍କର ସହରରେ ବ୍ୟବସାୟ ଥିବାରୁ ଏକୁଟିଆ ସହରରେ ରହି ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ତେଣୁ ମାଆ ଛୁଆମାନେ ସମସ୍ତେ ଆସି ସହରରେ ଭଡାଘରେ ଆସି ରହିଲେ । ସହରରେ ଥିବା ସ୍କୁଲରେ ଛୁଆମାନେ ପଢା ପଢି କଲେ । ଛୁଟିଦିନମାନଙ୍କରେ ଚାରି ପାଞ୍ଚ ଦିନ ପାଇଁ ଗାଁକୁ ଯାଇ ବୁଲାବୁଲି କରି ଫେର ଫେରିଆସନ୍ତି ସହରକୁ । ସହରର ଚାକଚକ୍ୟରେ ବୁଡି ରହି ମଧ୍ୟ ଗାଁର ସରଳ ଓ ଶାନ୍ତି ପରିବେଶକୁ ଭୁଲିନଥିଲ ସେମାନେ । ଗାଁକୁ ଗଲେ ଗାଁ ଝିଅମାନଙ୍କ ସାଙ୍ଗରେ ଦୁଇ ଝିଅ କୁନୁ ଓ ମୁନୁ ବହୁତ ମଜାରେ ଦିନ କଟାଇଦିଅନ୍ତି | ବାଡିଆଡେ ଥିବା ଆମ୍ବ ତୋଟାକୁ ଗାଁ ଝିଅମାନଙ୍କ ସାଙ୍ଗରେ ଆମ୍ବ ଗୋଟେଇ ଯିବାକୁ ସେମାନେ ଭୁଲନ୍ତି ନାହିଁ । ସେହି ସମୟଟାକୁ ସେ ଦିଜଣ ବହୁତ ଉପଭୋଗ କରନ୍ତି । ଦିନକର ଘଟଣା ଗାଁ ଝିଅ ମାନେ କେହି ଉପସ୍ଥିତ ନଥିଲା ବେଳେ ଏମାନେ ଦିଜଣ ଗାଁ ଝିଅ ମାନଙ୍କୁ ସାଙ୍ଗରେ ନ ନେଇ ଆମ୍ବ ତୋଟାକୁ ପଳାଇଛନ୍ତି ସକାଳୁ ସକାଳୁ । ଆମ୍ବ ତୋଟାଟି ଠିକ୍ ସେହି ବଉଳଗଛ ମୂଳର ଖଣ୍ଡେ ଦୂର ଛାଡିକି । ସେମାନେ ଦୁଇଭଉଣୀ ମନଆନନ୍ଦରେ ଆମ୍ବ ଗୋଟାଉ ଗୋଟାଉ କୁନୁର ଆଖି ସେହି ବରଗଛ ମୂଳରେ ପଡି ଗଲା । ଏ କି ଦୃଶ୍ୟ? ଦୁଇଟି ସ୍ତ୍ରୀଲୋକ ସେହି ଗଛ ମୂଳରେ ଠିଆହୋଇଛନ୍ତି | ଏତେ ସକାଳୁ ଏ ସ୍ତ୍ରୀ ଲୋକ ଦିଜଣ ଏଠି କଣ କରୁଛନ୍ତି? କିନ୍ତୁ ଯାହା ଦେଖିଲା ସେଥିରେ ମୁଣ୍ଡ ଦେହ ଘାଇଁ ଘାଇଁ ହୋଇଗଲା ।
ଜଣଙ୍କର ମୁଣ୍ଡ ପୁରା ଆକାଶକୁ ଲାଗିଛି । ପୁରା ଧଳା ଶାଢୀରେ ସେ ନିଜକୁ ଆବୃତ କରିଛି ଦେହ । ଆର ଜଣକ ପୁରା ଅଧା ଓ ସେ ଗୋଟେ କଳାଶାଢୀରେ ନିଜକୁ ଆବୃତ କରିଛି ପୁରା ପାଦରୁ ମୁଣ୍ଡ ୟର୍ଯ୍ୟନ୍ତ | କୁନୁକୁ ଟିକେ କୌତୁହଳ ଲାଗିଲା । ସେ ବାର ବାର ସେହି ଗଛ ଆଡକୁ ଚାହିଁ ରହୁଥିଲା ।ଆରେ ଏ କଣ!ସେ ଦୁଇଜଣ ସ୍ତ୍ରୀଲୋକ ଆଗକୁ ଆଗକୁ ମାଡି ଆସୁଛନ୍ତି ଧିରେ ଧିରେ । ଆଉ ବୋଧେ ଅଳ୍ପ ସମୟ ଭିତରେ ଏମାନଙ୍କ ପାଖକୁ ମାଡି ଆସିବେ । ସେ ସ୍ତ୍ରୀଲୋକଙ୍କ ଚାଲିଚଳଣ ତାକୁ ଟିକେ ଅଜୀବ ଲାଗିଲା । ସେ ମୁନୁକୁ ଡାକ ପକାଇଲା ଆଲୋ ଏ ଅପା :- ଧାଇଁ ଆ | ସେ ଆମ୍ବ ଗୋଟାଏ ସେତିକି ଥାଉ । ମୁନୁ କଣଭାବି ଦଉଡି ଆସିଲା । ସେମାନେ ଦିଜଣ ସେ ବଉଳଗଛ ମୂଳକୁ ଏକଲୟରେ ଚାହିଁ ରହିଲେ । ସେମାନେ ଦେଖି ପାରିଲେ ସେ ଦୁଇ ସ୍ତ୍ରୀ ଲୋକ ଆଗକୁ ଆଗକୁ ତାଙ୍କ ଆଡକୁ ମାଡି ମାଡି ଆସୁଛନ୍ତି । ଆଉ ଅଳ୍ପ ସମୟ ଭିତରେ ତାଙ୍କ ପାଖରେ ପହଞ୍ଚି ଯିବେ ଯେମିତି । କିଛି ନବିଚାରି ଦୁଇଜଣ ଯାକ ଏକମୁହାଁ ହୋଇ ଦଉଡ଼ି ଆସିଲେ ଘରକୁ । ଏକ ନିଶ୍ବାସରେ ଘରେ ଆସି ପହଞ୍ଚି ଦୀର୍ଘ ଶ୍ୱାସ ଛାଡିଲେ । ଆଉ ଜୀବନରେ ଦିନେ ସେ ବାଡିଆଡକୁ ଆଉ ସେ ବଉଳଗଛ ମୂଳକୁ ଯିବାକୁ ମନ କରି ନାହାଁନ୍ତି ସେ ଦିଜଣ । ତା ପରଦିନ ସହରକୁ ସେମାନେ ସମସ୍ତେ ଫେରି ଆସିଲେ । ବଉଳଗଛ ମୂଳ ଗୋଟେ ସ୍ମୃତି ହୋଇ ତାଙ୍କ ମାନସପଟରେ ରହିଗଲା ଯେମିତି ।