Sabitri Mohapatra

Drama Classics Inspirational

3  

Sabitri Mohapatra

Drama Classics Inspirational

ହିସାବ

ହିସାବ

2 mins
206


ସମାଜରେ ବଞ୍ଚି ରହିବା ପାଇଁ ମଣିଷଟେ ମଣିଷକୁ ହିଁ ଖୋଜେ ।ସମାଜରୁ ସାଙ୍ଗସାଥି ,ବନ୍ଧୁବାନ୍ଧବ ଓ ଘରୁ ବାପ,ମା, ଭାଇଭଉଣୀଙ୍କ ସହିତ ମିଶି ଚଳିବାକୁ ଭଲପାଏ । ମାତ୍ର କେତେଜଣ ପଶୁପକ୍ଷୀଙ୍କ ଗହଣରେ ସୁଖଦୁଃଖ ଆଦାନପ୍ରଦାନ କରି ମଧ୍ୟ ବଞ୍ଚିବାକୁ ପଛାନ୍ତି ନାହିଁ ।ସେହିଭଳି ଏମାନେ ଦୁଇଜଣ ମାମୁଁ ଅଜା ଓ ମାଇଁ ଆଈ । ଗାଁର ସେଇ ମଧ୍ୟ ଭାଗରେ ଘରକରି ରହିଥାନ୍ତି । ବୟସରେ ସବୁଠାରୁ ବୟୋଜ୍ଯଷ୍ଠ ଓ ବୟୋଜ୍ଯଷ୍ଠା ହୋଇଥିବାରୁ କି ବୁଢା କି ପିଲା ସମସ୍ତେ ତାଙ୍କୁ ଏହି ନାମରେ ଡାକନ୍ତି.....ମାମୁଁଅଜା ଓ ମାଇଁଆଈ । ତାଙ୍କର କୌଣସି ପିଲାପିଲି ନଥିଲେ ଭି ସେମାନେ ବିଚଳିତ ନଥାନ୍ତି ।ବେଶ୍ ଭଲରେ ସମୟ କଟିଯାଏ ତାଙ୍କର ।


ମାଇଁଆଈ ଜଣେ ସରଳ ଓ ସତ୍ ପ୍ରକୃତିର ଲୋକ ଥିଲେ । ଘରେ ତାଙ୍କର ରଖିଥାନ୍ତି ବିଭିନ୍ନ ପ୍ରକାର ପୋଷାପ୍ରାଣୀ । ଗୋଟିଏ ବିଲେଇ-ଲୁସି ,ଗୋଟିଏ କୁକୁର -ମୋଗଲୀ, ଗୋଟିଏ ନେଉଳ-ଝୁମରି, ଗୋଟିଏ ଶୁଆ-ମିଠୁ ,ଆଉ ଗୋଟିଏ ଠେକୁଆ-ଧୋବଲୀ । ବିଭିନ୍ନ ପୋଷାପ୍ରାଣୀ ମାନଙ୍କର ସମାହାର କହିଲେ ଚଳେ । ସେମାନଙ୍କର ସେବାରେ ହିଁ ରାତିଦିନ ଲାଗିଥାନ୍ତି ମାଇଁଆଈ । ସେମାନଙ୍କର ଚଳଣି ଅତି ସାଧାରଣ ହୋଇଥିଲେ ଭି ପୋଷାପ୍ରାଣୀ ମାନଙ୍କର  ଖାଇବା ପିଇବାରେ କିଛି ତୃଟି ପରିଲକ୍ଷିତ ହୁଏ ନାହିଁ । ମୋଗଲୀ ପାଇଁ ସବୁଦିନ ମାଂସ ,ଚିକେନ ଆଣି ରାନ୍ଧିକି ଦିଅନ୍ତି ,ଗଉଡ ଠାରୁ ଖୀର ଆଣି ଦୁଧଭାତ କରି ବିଲେଇ ଲୁସିକୁ ଦିଅନ୍ତି । ଆଉ ରାତି ପାହିଲେ ମୋଗଲୀକୁ ନେଇ ସକାଳ ବୁଲାରେ ଯାଆନ୍ତି । ନଈକୁ ଗାଧୋଇବାକୁ ଗଲେ ମୋଗଲୀ ସାଙ୍ଗରେ ହିଁ ଯାଆ ନ୍ତି ମାଇଁଆଈ । ଲୁସିକୁ ଧରି ଶୁଅନ୍ତି ।ମିଠୁ ସାଙ୍ଗେ ସକାଳ ହେଲେ ଗପ କରନ୍ତି । ନେଉଳ ତାଙ୍କ ଘର ଜଗିଥାଏ ଓ ଠେକୁଆ ରାତିଦିନ ଡେଇଁ ଡେଇଁ ଘର ଚାରିପଟେ ବୁଲୁଥାଏ ।ସମୟ ତାଙ୍କର ଏମିତି ଭାବେ କଟିଯାଏ ।ଆହୁରି ମଧ୍ୟ ଘର ଆଗରେ ଓ ବାଡି ପଟରେ ବିଭିନ୍ନ ପ୍ରକାର ଫୁଲଗଛ ଲଗେଇଥାନ୍ତି ।କିଛି ପରିବା ଆଉ କୋଳିଗଛ ମଧ୍ୟ ଦେଖାଯାଏ । କୌଣସି ପୂଜାପୂଜି ଦିନ ହେଲେ ଫୁଲ ତୋଳି ଗାଁର ଝିଅ ବୋହୂମାନଙ୍କୁ ଦେଇଥାନ୍ତି । ଛୋଟ ଛୋଟ ପିଲାମାନେ ଆସି କୋଳି ନେବାପାଇଁ ଗୁହାରି କଲେ ସେମାନଙ୍କୁ ନିରାଶ ହେବାକୁ ପଡେନି।  କୋଳିତୋଳି ସେମାନଙ୍କୁ ମଧ୍ୟ ଦେଇଥାନ୍ତି ମାଇଁଆଈ ।ତେଣୁ ପିଲାମାନଙ୍କର ଅତି ପ୍ରିୟ ହୋଇପାରିଥାନ୍ତି ସେ ।


ମାମୁଁ ଅଜା ଥିଲେ ଜଣେ ସାଧାସିଧା ସାଧାରଣ ଲୋକ । ଗାଁର କିଛି ଦୂରରେ ଗୋଟିଏ ଛୋଟିଆ ମାର୍କେଟ ଥାଏ । ସେଇଠି ଛୋଟିଆ ତେଜରାତି ଦୋକାନଟିଏ କରିଥାନ୍ତି । ସେଥିରେ ଅଳ୍ପ ଅଳ୍ପ ତେଜରାତି ଜିନିଷ ରଖି ବିକ୍ରି କରନ୍ତି । ଆଉ ସେଥିରୁ ଯାହା ଲାଭ ଆସେ ,ସେଥିରେ ଘର ଚଳାନ୍ତି । ସେହି ବଜାରରେ ମାଛ, ମାଂସ ର ଦୋକାନ ଥାଏ । ଫଳ,ପନିପରିବାର ଦୋକାନ କେତୋଟି ମଧ୍ୟ ଥାଏ । ଗାଁ ଲୋକମାନଙ୍କର କିଛି ଦରକାର ହେଲେ ଫଳ ହେଉ କି ପରିବା ହେଉ ,ମାଛ ମାଂସ ମଧ୍ୟ ଦରକାର ପଡିଲେ ଆଉ ତେଜାରତୀ ଜିନିଷର ଦରକାର ହେଲେ ମାମୁଁ ଅଜାଙ୍କ ହାତରେ ମଗାନ୍ତି । ମାମୁଁ ଅଜା ବାକ୍ୟବୟରେ ଗାଁ ଲୋକମାନଙ୍କ ପାଇଁ ଆଣି ସେସବୁ ଦିଅନ୍ତି ।କିନ୍ତୁ ମାମୁଁ ଅଜାଙ୍କ ଚିନ୍ତାଧାରା ,ମନୋବୃତ୍ତି ଟିକେ ଅଲଗା ମାଇଁଆଈଙ୍କ ଠାରୁ । ମାମୁଁ ଅଜା ଯେତେବେଳେ ମାର୍କେଟରୁ ଫେରନ୍ତି, ସେ ଆଟୁଘର ତଳେ ଥିବା ଟିଣ ଛପର ଘରେ ବସି କଣ ସବୁ କରି ବାହାରକୁ ଆସନ୍ତି। ଗାଁ ଲୋକମାନେ ଯେଉଁ ସଉଦାସବୁ ମଗାନ୍ତି ,ସେ ଆଣନ୍ତି ସତ ହେଲେ ସେମାନଙ୍କ ଚାଉଳରୁ ଦୁଇମୁଠା, ଡାଲିରୁ ମୁଠାଏ,ଚିନିରୁ ଦୁଇ ମୁଠା ଆଣି ନିଜ ଘରେ ସାଇତି ରଖନ୍ତି । ଆଉ ମାଛ, ମାଂସ ଆଣିଥିଲେ ଆହୁରି ଭଲ । ମାଂସରୁ ତିନି ଖଣ୍ଡ , ମାଛରୁ ଦୁଇ ଖଣ୍ଡ ଆଣି ତାଙ୍କ ପାଇଁ ଆଣିଥିବା ମାଛ ମାଂସରେ ମିଶାଇ ଦିଅନ୍ତି । ଏସବୁ କରିସାରିଲା ପରେ ଲୋକମାନଙ୍କୁ ଆଣି ଦିଅନ୍ତି । ଏସବୁ ତାଙ୍କର ନିତି ଦିନିଆ କାମ ।କିନ୍ତୁ ମାଇଁଆଈଙ୍କ ଅଗୋଚରରେ ଏସବୁ କାମ ହୁଏ । ମାଇଁଆଈ କିଛି ଜାଣିପାରନ୍ତି ନାହିଁ ।


ଦିନେ ମାଇଁଆଈଙ୍କ ସନ୍ଦେହରେ ପଡିଗଲେ ମାମୁଁଅଜା । ମାଇଁଆଈ ଭାବିଲେ କଣ କରୁଛନ୍ତି ବସି ଏଠି ସେ ? ସେ ସନ୍ଦେହ ଘେରରୁ ମୁକୁଳି ଆସିବାକୁ ଚାହିଁଲେ । ସେ ଲୁଚି ଲୁଚି ବସି ସବୁ ନୀରିକ୍ଷଣ କଲେ । ଯାହା ଦେଖିଲେ ମାଇଁଆଈଙ୍କ ମୁଣ୍ଡଟା ଗରମ ହୋଇଗଲା । କଣ କରିପାରିବେ ସେ ଭାବିଲେ । ଏସବୁ ତାଙ୍କର ନୀତି ବିରୁଦ୍ଧ କାମ । ଯେତେ ଅଭାବରେ ପଡିଲେ ଭି ସେ ସତ୍ କର୍ମରୁ କେଭେ ଭି ପଛେଇ ନାହାଁନ୍ତି । ଧର୍ମକୁ ସାକ୍ଷୀ ରଖି ସଦାସର୍ବଦା ସତ୍ ବାଟରେ ହିଁ ଚାଲନ୍ତି ।ମାଇଁଆଈ  ଭାବି ଚାଲିଲେ କଣ ଏହାର ସମାଧାନ କରି ହେବ ?ବୟସ୍କ ଲୋକ ଜଣେ ,କିଛି କହି ତାଙ୍କୁ ଅପମାନ ଦେବାକୁ ତାଙ୍କର ଇଚ୍ଛା ହେଲାନି । ଚାହୁଁ ଚାହୁଁ ଗୋଟେ ଉପାୟ ଆସି ପହଞ୍ଚିଲା ମାଇଁଆଈଙ୍କ ମୁଣ୍ଡରେ । ଯେଉଁଁଥିରେ ସାପ ମରିବନି କି ବାଡି ଭାଙ୍ଗିବନି । ମାମୁଁ ଅଜା ଘର ପାଇଁ ରଖିଥିବା ମାଛ ମାଂସ ଆଉ ଫଳ ମୂଳ ପନିପରିବାକୁ ମାଇଁଆଈ  ପଡିଶା ଘର ଓ ଗାଁ ଲୋକମାନଙ୍କୁ ,ଯେଉଁ ମାନେ ମଗେଇଥାନ୍ତି ,ସେମାନଙ୍କୁ ଦେଇଦିଅନ୍ତି ଓ ସେମାନଙ୍କର ମାଛ ମାଂସ ଓ ଫଳ ପନିପରିବା ନିଜ ଘରେ ରଖି ଦିଅନ୍ତି । ଏଥିରେ ନିଜକୁ ଟିକେ କ୍ଷତି ସହିବାକୁ ପଡିଲେ ଭି ନୀତି ବିରୁଦ୍ଧ କି ଅସତ୍ କର୍ମରୁ ଟିକେ ରକ୍ଷା ହିଁ ମିଳିଲା ବୋଲି ଭାବିଲେ ।ଅନେକ ଲୋକ ଥାଆନ୍ତି, ଯେଉଁ ମାନେ ଅଭାବରେ ପଡିଲେ ଭି ଅସତ୍ କର୍ମରୁ ମଧ୍ୟ ଦୂରେଇ ରୁହନ୍ତି । ସତ୍ କର୍ମରେ ସବୁବେଳେ ଥାଆନ୍ତି । ସେହିଭଳି ଏକ ଚରିତ୍ର ଥିଲେ ମାଇଁଆଈ |


Rate this content
Log in

Similar oriya story from Drama