ପୋଡପିଠା
ପୋଡପିଠା
ବସନ୍ତ ବାବୁ ନିଜ ଗାଁରୁ ଗ୍ରାଜୁଏସନ୍ ସାରି ଆସି ସହରରେ ଯୋଗ ଦେଲେ ଚାକିରୀରେ । ଚାକିରୀ ମାନେ କୌଣସି ବଡ ଚାକିରୀ ନୁହେଁ, ସ୍କୁଲରେ ଗୋଟେ ଇଂରାଜୀ ଶିକ୍ଷକ ରୂପେ ଯୋଗ ଦେଇଥାନ୍ତି । ନୂଆ ନୂଆ ସହରୀ ଜୀବନକୁ ଆପଣେଇ ଥାନ୍ତି । କିନ୍ତୁ ଗାଁ ର ପାଣି ପବନ, ପିଠା ପଣା, ପୂଜାପର୍ବକୁ ଭୁଲିନଥାନ୍ତି । ଗାଁରେ ହେଉଥିବା ପୋଡପିଠା, ମଣ୍ଡାପିଠା, ଆରିଷା ଆଉ ଶାଗବେସରରେ ତାଙ୍କର ବେଶି ଲୋଭ । ସହରୀ ଜୀବନ ତାଙ୍କୁ ଧିରେ ଧିରେ ଭଲ ଲାଗିବାକୁ ଆରମ୍ଭ କଲାଣି । ପଢା ପଢିରେ ଭଲ ଦଖଲ ଥିବାରୁ ସମସ୍ତଙ୍କର ପ୍ରିୟପାତ୍ର ହେବାକୁ ତାଙ୍କୁ ବେଶିଦିନ ଲାଗିନଥିଲା ।
ରଜ ଛୁଟି ପରେ ପରେ ସମସ୍ତେ ଆସି ସ୍କୁଲରେ ଯୋଗ ଦେଇଥାନ୍ତି । ଦିନେ ନମିତା ମିସ୍ ଗୋଟିଏ ପୋଡପିଠା ତିଆରି କରି ସ୍କୁଲ କୁ ଆଣିଥାନ୍ତି । ବସନ୍ତ ବାବୁଙ୍କର ତ ଏ ପୋଡପିଠାରେ ବହୁତ ଲୋଭ । ସମସ୍ତେ ଖଣ୍ଡେ ଖଣ୍ଡେ ଖାଇଲେ ଓ ବସନ୍ତ ବାବୁଙ୍କ ଭାଗରେ ମଧ୍ୟ ଖଣ୍ଡେ ପୋଡପିଠା ପଡିଲା ଖାଇବାକୁ । ପୋଡପିଠା ଖାଇ ବସନ୍ତ ବାବୁଙ୍କ ମନ ପୁରା ଖୁସ୍ । ସେ ପିଠା ଖାଇ କହିଲେ---- ବୁଝିଲେ ନମିତା ମିସ୍, ଆପଣଙ୍କ ପୋଡପିଠା ବହୁତ ଭଲ ହୋଇଛି । ଆପଣ ଆଉ ଦିନେ କରିକି ଆଣିଲେ, ମୋତେ ଦେବାକୁ ଭୁଲିବେନି।
ନମିତା ମିସ୍ ଆଉ ଦିନେ ପୋଡପିଠା କରିକି ଆଣିଲେ । ଏଥର ବସନ୍ତ ବାବୁଙ୍କର ଦୁଇ ଖଣ୍ଡ ପିଠା ଭାଗ ପଡିଲା । ବସନ୍ତ ବାବୁ ତାକୁ ଖାଇ ଆଉ ଲୋଭ ସମ୍ଭାଳି ନପାରି କହିଲେ---"ନମିତା ମିସ୍, ଏ ପିଠା କରିବା ଶୈଳୀଟା ମୋତେ ଶିଖାଇ ଦେଲେ ମୁଁ ନିଜେ କରିଦେବି "। ଆପଣଙ୍କୁ ଆଉ ହଇରାଣ ହେବାକୁ ପଡିବନି । ଆପଣ ପିଠାର ମୂଳ ମନ୍ତ୍ରଟା ମୋତେ ଶିଖାଇ ଦିଅନ୍ତୁ । ନମିତା ମିସ୍ କହିଲେ ହଉ ।
ପ୍ରଥମେ ବିରି ଚାଉଳ ଆଣି ବତୁରାଇବ । ତାପରେ ଧୋଇ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିବ । ସେଥିରେ ଲୁଣ, ଚିନି, ଗୁଜୁରାତି ଆଉ ଅମୁଲ, ନଡିଆ ପକେଇ ଗୋଳେଇବ। ସେ ମିଶ୍ରଣକୁ ନନ୍ ଷ୍ଟିକିଙ୍ଗ କରେଇରେ ରଖିବ ଆଉ ଗ୍ୟାସ ଚୂଲା ଅନ୍ କରି ବସେଇବ । ସିମରେ ରଖି ପୋଡପିଠା ବନେଇବ । ମଡର୍ଣ୍ଣ ଯୁଗରେ ଆମେ ଏହି ଉପାୟରେ ପୋଡପିଠା କରୁ । ପୁରୁଣା କାଳର ପୋଡପିଠା କରିବା ପ୍ରଣାଳୀ କିଛି ଅଲଗା ଥିଲା ।
ବସନ୍ତ ବାବୁ ଶୁଣି କହିଲେ---ହଉ,"ମୁଁ ଏହି ଉପାୟରେ ପୋଡପିଠା ତିଆରି କରି ସମସ୍ତଙ୍କ ପାଇଁ ଆଣିବି "। ତା ପରଦିନ ବସନ୍ତ ବାବୁ ବିରି ଚାଉଳ ଆଣି ବତୁରେଇ ବାଟିବାକୁ ପ୍ରସ୍ତୁତ ହେଲେ । ତାଙ୍କର ମନେ ପଡିଲା, ଘରେ ଗ୍ରାଇଣ୍ଡର ତ ନାହିଁ, ବାଟିବେ କେମିତି ? ଯେତେ ଚେଷ୍ଟା କଲେ ମୁଣ୍ଡ କୁ କିଛି ବୁଦ୍ଧିବାଟ ଦିଶିଲାନି । ମନଦୁଃଖରେ ତା ପରଦିନ ସ୍କୁଲକୁ ଯାଇ କହିଲେ, ବୁଝିଲେ ମାଡାମ---"ମୋର ତ ଘରେ ଗ୍ରାଇଣ୍ଡର ନାହିଁ, ମୁଁ ବିରି ଚାଉଳ ବାଟିବି କେମିତି ? "ତେଣୁ ପୋଡପିଠା ଅଧାରେ ରହିଗଲା ।
ପ୍ରଣତୀ ମିସ୍ ଏହାଶୁଣି କହିଲେ, ହଉ ମୋ ଘରେ ଗ୍ରାଇଣ୍ଡର ଅଛି, ମୁଁ ମୋ ଘରେ କାମ କରୁଥିବା ପିଲା ହାତରେ ଆଜି ଗ୍ରାଇଣ୍ଡର ପଠେଇଦେବି। ଆମ ଘରଠୁ ଆପଣଙ୍କ ଘର ତ ପନ୍ଦର ମିନିଟ୍ ର ବାଟ । ସେ ଆଣି ଦେଇଯିବ । ସେଇଆ ହିଁ ହେଲା । ପ୍ରଣତୀ ମିସ୍ ତାଙ୍କ ଘରେ କାମ କରୁଥିବା ପିଲା ହାତରେ ଗ୍ରାଇଣ୍ଡର ପଠେଇଦେଲେ । ବସନ୍ତ ବାବୁଙ୍କ ମନ ଖୁସି । ଏଥର ପୋଡପିଠା ହୋଇଯିବ ।
ଗ୍ରାଇଣ୍ଡର ସାହାଯ୍ୟରେ ସବୁ ବଟାବଟି କରିସାରିଲା ପରେ ବସନ୍ତ ବାବୁ, ମିସ୍ ଯାହା ଯାହା କହିଥିଲେ ସେଥିରେ ସବୁ ମିଶେଇଦେଲେ । ବସନ୍ତ ବାବୁଙ୍କ ମନ ଖୁସିରେ ଉଡୁଛି---ପୋଡପିଠା କରି ଖାଇବେ। ତାପରେ ମିସଙ୍କ କଥା ମନେ ପକେଇଲେ । ମିସ୍ କହିଥିଲେ ସେ ମିଶ୍ରଣକୁ ନନଷ୍ଟିକିଙ୍ଗରେ ରଖିବାକୁ । କିନ୍ତୁ ବସନ୍ତ ବାବୁଙ୍କର ମନେ ପଡିଲା ଯେ ଘରେ ନନ୍ ଷ୍ଟିକିଙ୍ଗ କରେଇ ନାହିଁ । ପିଠା କେମିତି ହବ ? କଣ କରିବେ ? ତା ପରଦିନ ମନଦୁଃଖରେ ପୁଣି ସ୍କୁଲକୁ ଗଲେ । ନମିତା ମିସ୍ ପଚାରିଲେ ---ପୋଡପିଠା କାହିଁ ? ସାରଙ୍କ ମନଦୁଃଖ ଯେ ତାଙ୍କ ପାଖେ ନନ୍ ଷ୍ଟିକିଙ୍ଗ କରେଇ ନାହିଁ । ତେଣୁ ପୋଡପିଠା ବନେଇ ପାରିଲେନି ।
ଏହିସବୁ କଥାବାର୍ତ୍ତା ଚାଲିଥିବା ବେଳେ ରବି, ସ୍କୁଲର ପିଅନ ସେହିବାଟ ଦେଇ ଯାଉଥିଲା। ସାରଙ୍କ କଥାଶୁଣି ସେ କହିଲା---ହଉ ହଉ ମୋ ପାଖରେ ଗୋଟିଏ ନନଷ୍ଟିକିଙ୍ଗ୍ କରେଇ ଅଛି । ପୂର୍ବତନ ପ୍ରିନସିପାଲ ସାର୍ ବଦଳି ହେଲା ବେଳେ ମୋତେ ଦେଇ ଯାଇଥିଲେ । ମୋର ସେଇଟା ସେତେ ଦରକାରରେ ଆସୁନି। ମୁଁ ଆଣି ଆଜି ହିଁ ଆପଣଙ୍କୁ ଦେଇଦେବି । ବସନ୍ତ ସାର୍ ଶୁଣି ବହୁତ ଖୁସି ହୋଇଗଲେ । ଭାବିଲେ ଏଥର ପୋଡପିଠାଟା ଜମିବ ନିଶ୍ଚୟ । ରବି ଆଣି ନନଷ୍ଟିକିଙ୍ଗ୍ କରେଇ ସାଙ୍କୁ ଦେଲା । ସାର୍ କରେଇଧରି ମନଖୁସିରେ ଘରକୁ ଆସିଲେ । ତାପରେ ସେ କରିଥିବା ମିଶ୍ରଣକୁ ନନଷ୍ଟିକିଙ୍ଗରେ ରଖିଲେ । ଏଥର ଚୂଲିରେ ବସାଇବା କଥା । ସାରଙ୍କର ମନେ ପଡିଲା---ଆରେ ଆରେ ଗ୍ୟାସ ଚୂଲା ତ ତାଙ୍କ ପାଖେ ନାହିଁ, କେଉଁଥିରେ ପୋଡପିଠା କରିବେ ? ସିଏ ଗୋଟିଏ ଛୋଟିଆ ହିଟର୍ ରଖି, ସେଥିରେ ଭାତ ଡାଲମା କରି ଖାଆନ୍ତି । ପୋଡପିଠା ପାଇଁ ଗ୍ୟାସ ଚୂଲା ଦରକାର ମିସ୍ କହୁଥିଲେ । କେମିତି ହବ ପୋଡପିଠା ?
ଏତେସବୁ ଯୋଗାଡ ହେଲା ପରେ ବି ଗ୍ୟାସ ଚୂଲା ବିନା ପୋଡପିଠା ହେବା କଷ୍ଟ କର ହୋଇ ପଡିଲା। ମନ ଦୁଃଖରେ ତା ପରଦିନ ସ୍କୁଲକୁ ଗଲେ । ସବୁ ଟିଚରମାନେ ମାଗିଲେ---ଆମକୁ ପୋଡପିଠା ଦିଅ ବସନ୍ତ ସାର୍ ।
ବସନ୍ତ ସାର୍ ତାଙ୍କ ଦୁଃଖ ଜଣାଇ କହିଲେ---ବୁଝିଲେ ମିସ୍ "ମୋ ଦ୍ୱାରା ଏ ପୋଡପିଠା ହେବନି । "କିନ୍ତୁ ମୋର ଏ ପୋଡପିଠାରେ ବହୁତ ଲୋଭ"। ତେଣୁ ଆପଣ ଯେତେବେଳେ ପୋଡପିଠା କରି ଆଣିବେ ନା, ମୋତେ ଖଣ୍ଡେ ଖଣ୍ଡେ ଖାଇବାକୁ ଦେଉଥିବେ। ଏହା ହିଁ ଏହାର ସମାଧାନ । କାରଣ ଏତେ ଯୋଗାଡରେ ମଧ୍ୟ ପୋଡପିଠା ହୋଇପାରିଲାନି....।
