Sabitri Mohapatra

Tragedy Inspirational

4.3  

Sabitri Mohapatra

Tragedy Inspirational

ମା ହବାର  ସପ୍ନ

ମା ହବାର  ସପ୍ନ

8 mins
297


ଜଣେ ଆଦର୍ଶ ଓ ପରୋପକାରୀ ଶିକ୍ଷକ ଭାବେ ଶିଶିର ମିଶ୍ର ପୁରୀ ସହରରେ ଜଣେ ପରିଚିତ ଲୋକ । ତାଙ୍କ ସ୍ତ୍ରୀ ସୁକାନ୍ତି ଦେବୀ ମଧ୍ୟ ଜଣେ ପରୋପକାରୀ ମହିଳା । ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର । ଦୁଇ ଝିଅ ଦେଖିବାକୁ ବହୁତ୍ ସୁନ୍ଦର ଓ ଗୁଣର ହୋଇଥିବାରୁ ବହୁତ ବାହାଘର ପ୍ରସ୍ତାବମାନ ଆସୁଥାଏ । ଏମିତି ଦିନେ ବିନା ଖୋଜାରେ ଗୋଟିଏ ବହୁତ ଭଲ ପ୍ରସ୍ତାବ ଆସି ପହଞ୍ଚିଲା ବଡଝିଅ ପାଇଁ । ଜମିଦାର ଘର,ପୁଅ ଡାକ୍ତର । ଘରଦ୍ବାର, ଜମିବାଡି, ଗାଡିଘୋଡା ଓ ପଇସା ପତ୍ର କେଉଁଁଥିରେ ଅଭାବ ନାହିଁ । ଏଭଳି ପ୍ରସ୍ତାବକୁ ମନା କରି ହେଉନି କି ଝିଅର ପଢା ମଧ୍ୟ ସରିନି। ଅତିକମରେ ଗ୍ରାଜୁଏଟ୍ ଟେ ଝିଅ ନହେଲେ ଭଲ ଲାଗିବନି କହି ଶିଶିର ବାବୁ ଚିନ୍ତା ଗ୍ରସ୍ତ ହୋଇପଡିଲେ । ମା ସୁକାନ୍ତି ଦେବୀ କହିଲେ ---ଝିଅର ପଢା ଦେଖିବ ନା ଏଭଳି ଏକ ଭଲ ପ୍ରସ୍ତାବକୁ ହାତଛଡା କରିବ?


କିଛି ଥଳକୂଳ ନପାଇ ଶିଶିର ବାବୁ ଚୁପ୍ ରହିଲେ । ଶେଷରେ ପନ୍ଦର ଦିନ ପରେ ପୁଅ ବାଲା ଆସି ହଁ କି ନାଁର ଜବାବ ଚାହିଁଲେ । ଶିଶିର ବାବୁ ଏଥିରେ ବହୁତ ବିବ୍ରତ ହୋଇ ଏ ଭଲ ପ୍ରସ୍ତାବକୁ ହାତଛଡା ନକରି ହଁ କରିଦେଲେ । ଝିଅ ତାଙ୍କର ରାଣୀ ହୋଇ ରହିବ, ତେଣୁ ଚିନ୍ତା କରିବାର ନାହିଁ । ହଁ, ନାହିଁ ଭିତରେ ବଡଝିଅର ବାହାଘର ସରିଗଲା । ବଡଝିଅ ଜିତା ଶାଶୁଘରେ ଖୁବ୍ ଭଲରେ ଓ ଆନନ୍ଦରେ ଅଛି । ରାନ୍ଧିବା ପାଇଁ ଲୋକ ଅଛି, ବୁଲି ଯିବାକୁ ଗାଡି ଅଛି, ଡ୍ରାଇଭର ଅଛି । ସବୁ ସୁବିଧା ଥିବାରୁ ସମସ୍ତେ ସମୟ ପାଇଲେ ଜିତା ଘରେ ଆସି ଗହଳି କରନ୍ତି । ଖାଇବା ପିଇବା, ମଉଜ ମଜଲିସ ସେଠି ଚାଲେ । ମଝିରେ ମଝିରେ ସିନେମା ଦେଖା ମଧ୍ୟ ହୁଏ, ବୁଲାବୁଲି ଭି ହୁଏ । ଏ ସୁବିଧାକୁ କେହି ହାତଛଡା କରନ୍ତିନି କହିଲେ ଚଳେ ।


ଏ ଭିତରେ ସାନ ଭଉଣୀ ରୀତାର ମଧ୍ୟ ବାହାଘର ହୋଇ ଯାଇଛି । ବାହାଘରର ଦୁଇ ବର୍ଷ ପରେ ରୀତା ଗୋଟିଏ ପୁତ୍ର ସନ୍ତାନର ଜନନୀ ହେଲା । ଏତେ ଦିନ ପରେ ଗୋଟେ ଛୋଟ ଛୁଆ ଘରକୁ ଆସିଲା,ତେଣୁ ଘରେ ବାପ, ମା,ମାଉସୀ ମଉସା,ମାମୁଁ ସମସ୍ତେ ଖୁସି । ସମୟ ସ୍ରୋତରେ ଗଡି ଚାଲିଲା ଅନେକ ଦିନ । ରୀତା ଆଉ ଗୋଟେ ଛୁଆର ମା ହବାକୁ ବସିଲା । ଜିତା ଶୁଣି ତା ମନରେ ଟିକେ ଭାବନା ଆସି ପହଞ୍ଚିଲା । ସିଏ ବି ମା ହବାର ସପ୍ନ ଦେଖିଲା । ସେ ଏବେ ଭାବନା ରାଜ୍ୟରେ ବୁଡି ଗଲା । ତା ଜୀବନରେ କଣ ମା ହବାର ସୌଭାଗ୍ୟ ନାହିଁ ? ସବୁବେଳେ ହସ ଖୁସିରେ, ମଉଜ ମଜଲିସରେ ଦିନ କଟେଇଦଉଥିବା ଝିଅ ଏବେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିବାର ମନେ ହେଲା । ସେମାନେ ସ୍ୱାମୀ ସ୍ତ୍ରୀ ମିଶି ଡାକ୍ତରଙ୍କ ପାଖକୁ ଯାଇ ଦେଖା ଦେଖି କରାଇଲେ । ଝିଅର ଟିକେ ଅସୁବିଧା ଅଛି ବୋଲି ଡାକ୍ତର କହିଲେ ଓ ସେ ମା ହୋଇ ପାରିବନି ବୋଲି ମଧ୍ୟ କହିଲେ । ଏହା ଶୁଣି ଜିତା ଆହୁରି ଦୁଃଖରେ ଭାଙ୍ଗି ପଡିଲା ।


ମନକଥା ମନରେ ରଖି ଦିନେ ସନ୍ଧ୍ୟା ସମୟରେ ଦୁଇ ଭଉଣୀ ଛାତ ଉପରେ ବସି ଗପସପ କରୁଛନ୍ତି, ଜିତା ତା ମନକଥା ରୀତାକୁ କହିଲା । ରୀତା ନାନୀର କଥା ଶୁଣି କିଛି ସମୟ ଚୁପ୍ ରହି କହିଲା--ଏଇ କଥା ତ! ମୋର ତ ଗୋଟିଏ ପୁଅ ଅଛି, ଆଉ ଯଦି ଗୋଟିଏ ପୁଅ ହେବ, ମୁଁ ତୋତେ ଦେଇଦେବି । ମାଆ କିଏ, ମାଉସି କିଏ ? ତୋ ପାଖେ ରହି ସେ ବଡ ହେବ । ଆଉ ଯଦି ଝିଅ ହେବ ସେତେବେଳେ ଚିନ୍ତା କରିବା । ଏଥିରେ ଜିତା ବହୁତ ଖୁସି ହୋଇଗଲା ଓ ସାନ ଭଉଣୀର ବହୁତ ଯତ୍ନ ନେଲା । ଛୁଆ ତ ତା ଘରକୁ ଆସିବ, ତେଣୁ ଜିତା ବହୁତ ଯତ୍ନ ନେଲା ସାନ ଭଉଣୀର । ଖାଇବା ପିଇବା ସବୁକଥା ଭଲ ଭାବରେ ବୁଝୁଥାଏ । କେଉଁଥିରେ ଯେମିତି କିଛି ଅସୁବିଧା ହେବନି । ଡେଲିଭରି ଦିନ ନିକଟତର ହୋଇଆସିଲା । ଡାକ୍ତର ପରୀକ୍ଷା କରି କହିଲେ ଯେ ଆସି ହସପିଟାଲରେ ଆଡମିସନ୍ ନେଇ ରହିବାକୁ । ତେଣୁ ସନ୍ଧ୍ୟା ସୁଦ୍ଧା ରୀତା ଯାଇ ହସପିଟାଲରେ ଆଡ୍ମିଟ୍ ହେଲା । ରୀତାର ବର ସିତେଶ ବାବୁ ବି ସାଙ୍ଗରେ ଥାଆନ୍ତି । ରାତି ଏଗାରଟା ବେଳକୁ ରୀତାର ଆଉ ଗୋଟିଏ ପୁଅ ଜନ୍ମ ହେଲା । ପୁଅ ହେବାର ଶୁଣି ଜିତା ଏକଦମ ଆନନ୍ଦରେ ଫାଟି ପଡିଲା । ଏତେ ଦିନର ସେବା ଯତ୍ନର ଫଳ ସେ ଏବେ ପାଇବାକୁ ଯାଉଛି । ଭଲ ଭଲ ମିଠା ଆଣି ସମସ୍ତଙ୍କୁ ବାଣ୍ଟି ପକାଇଲା । ତାର ଆଉ ଖୁସିର ସୀମା ରହିଲାନି ।


ଏମିତି ଦୁଇ ତିନି ଦିନ ହସପିଟାଲରେ କଟିଗଲା ଏବେ ଭଲ ହୋଇ ଘରକୁ ଫେରିବାର କଥା । କିନ୍ତୁ ଏ କଣ ?ହଠାତ୍ ରୀତାର ମନରେ ପରିବର୍ତ୍ତନ ଆସିଛି । ରୀତା କହିଲା ବୁଝିଲୁ ନାନୀ, ମୁଁ ସିନା ତୋତେ କଥା ଦେଇଥିଲେ, ହେଲେ ସିତେଶ ବାବୁଙ୍କର ଇଚ୍ଛା ନାହିଁ ତାଙ୍କ ଛୁଆକୁ ଆଉ କାହା ହାତରେ ଟେକି ଦବାକୁ। "ମୋ ହାତରେ ଥିଲେ ମୁଁ ନିଶ୍ଚେ ତୋ କଥା ବୁଝିଥାନ୍ତି । ମୁଁ କଣ କରିବି କହିଲୁ ?" ଏ କଥା ଶୁଣି ଜିତାକୁ ଆକାଶରୁ ଖସି ପଡିଲା ଭଳି ଲାଗିଲା । ଆଉ କଣ କରିବ ସେ ? ମନ କଥା ମନରେ ରହିଲା । ଲୁହ ଲୁଚେଇ ଲୁଚେଇ ସେ ହସପିଟାଲରୁ ଘରକୁ ପଳେଇ ଆସିଲା । ରୀତା ତାର ଛୁଆକୁ ନେଇ ତା ଘରକୁ ଫେରିଲେ । ଏଥିରେ ଜିତା ବହୁତ ଭାଙ୍ଗି ପଡିଲା । ମା ହବାର ସପ୍ନକୁ ଝୁରି ଝୁରି ଝଡି କଣ୍ଟା ହୋଇଗଲା । ଏମିତି କି ପ୍ରତିଦିନ ଚାରିଟା ବାଜିଗଲେ ସେ ତାର ଗେଟ୍ ପାଖକୁ ଅଲକ୍ଷ୍ୟରେ ପଳେଇଆସେ, ଆଉ ସେଠି କାହାକୁ ଅପେକ୍ଷା କରିବାକୁ ପଡିଲା ଭଳି ଅପେକ୍ଷା କରେ ।


ମାତ୍ର କାହାକୁ ଅପେକ୍ଷା କରିବାର ନଥାଏ । ଅପେକ୍ଷା କରେ କେବଳ ଛୋଟ ଛୋଟ ଛୁଆମାନଙ୍କର ସ୍କୁଲରୁ ଫେରିବା ବେଳେ ଦୃଶ୍ୟ ଦେଖିବା ପାଇଁ । ଏପଟେ ଖେଳପଡିଆରେ ପିଲାମାନେ ଖେଳୁଥିବାର ଦୃଶ୍ୟକୁ ବି ଏକଲୟରେ ଚାହିଁ ରହିଥାଏ । ପ୍ରତ୍ୟେକ ଦିନ ଏ ଗୋଟେ ରୁଟିନ୍ ବନ୍ଧା କାମରେ ପରିଣତ ହୋଇ ଯାଇଥିଲା ଯେମିତି ତାର । ତାର ସ୍ବାମୀ ଡାକ୍ତର ବାବୁ ଦିନେ ଲକ୍ଷ୍ୟ କରି ଜାଣି ପାରିଲେ ସବୁକିଛି । କଣ କରିବେ? ତାଙ୍କ ହାତରେ ତ କିଛି ନାହିଁ । ଡାକ୍ତର ବାବୁ ଦିନେ ଜିତାକୁ ଡାକି ପଚାରିଲେ-- ତୁମେ ପରା କହୁଥିଲ ଶିରିଡି ଦର୍ଶନ କରିବାକୁ ଯିବ ବୋଲି। ଚାଲ କୋଉ ଦିନ ସ୍ଥିର କର ଯାଇ ବୁଲି ଆସିବା ଜିତା କହିଲା ନା ଥାଉ । ପରେ  

ଯିବା,ଏବେ ନାହିଁ । ଡାକ୍ତର ବାବୁ କହିଲେ ପରେ କାହିଁକି? ଏବେ ତ ଯିବା । ତୁମେ ସବୁ ଲୁଗାପଟା ରେଡି ରଖ, ମୁଁ ଆସନ୍ତା ସୋମବାର ଦିନକୁ ଟିକେଟ କରିଦେଉଛି ପୁରୀ ଓଖା ଟ୍ରେନ୍ରେ । ଯାଇକି ଟିକେ ଦର୍ଶନ କରି ପଳେଇ ଆସିବା । ମନ ହାଲକା ହୋଇଯିବ । ଜିତା ମୁଣ୍ଡ ନୁଆଁଇ ସମ୍ମତି ଜଣାଇଲା। ଦିନ ସ୍ଥିର ହୋଇ ଟିକେଟ୍ କଟାହେଲା। ସେମାନେ ଦିଜଣ ଟ୍ରେନରେ ବସି ଶିରିଡି ଯାତ୍ରା କଲେ ।


ଟ୍ରେନ୍ ବଗିରେ ଆଉଜଣେ ଭଦ୍ରବ୍ୟକ୍ତି ପୁରୀ ସହରରୁ ବି ଶିରିଡି ଦର୍ଶନ କରିବାକୁ ଯାଉଥିଲେ । ଏମାନେ ଦିଜଣ ତାଙ୍କ ସାଥେ ମିଶି ଗପସପ ହୋଇ ସମୟ କଟେଇଦେଲେ। । ହଠାତ୍ ସେ ଭଦ୍ରବ୍ୟକ୍ତି ଜଣକ ଜିତାକୁ ପଚାରିଲେ, "ତୁମର ପିଲାଛୁଆ ସବୁ କେତେ? " ସେମାନଙ୍କର ଖବର କଣ? ଜିତା ଏ ପ୍ରଶ୍ନର କି ଉତ୍ତର ଦବ? ସବୁ ଶୁଣି ସେ ଚୁପ୍ ରହିଲା । ଶେଷରେ ସେ ଭଦ୍ରବ୍ୟକ୍ତି ଡାକ୍ତର ବାବୁଙ୍କ ଠାରୁ ସବୁକଥା ଶୁଣିଲେ । କିଛି ସମୟ ରହି ଯାଇ ଭଦ୍ରବ୍ୟକ୍ତି ଜଣକ କହିଲେ--କିଛି ଯଦି ନଭାବନ୍ତି, ମୁଁ ଗୋଟିଏ କଥା ଆପଣଙ୍କୁ କହିବି । କଣ କହୁ ନାହାଁନ୍ତି, ଆମେ ଭାବିବୁ କଣ ? ଡାକ୍ତର ବାବୁ କହିଲେ । ଭଦ୍ରବ୍ୟକ୍ତି କଥା ଆରମ୍ଭ କଲେ । ଆମ ଗାଁ ପାଖ ସହରରେ ଜଣେ ଭଦ୍ରବ୍ୟକ୍ତି ରୁହନ୍ତି । କିନ୍ତୁ ବହୁତ ଗରିବ ସେ । ତାଙ୍କର ଗୋଟିଏ ପୁଅ ଅଛି, ଆଉ ତାଙ୍କ ସ୍ତ୍ରୀଙ୍କର ଛୁଆ ହେବାର ଅଛି । ଦୁଇଟା ଝିଅ ମାନେ ଜାଆଁଳା ଝିଅ ଅଛି ବୋଲି ଡାକ୍ତର ଟେଷ୍ଟ କରି ଜାଣି ସାରିଛନ୍ତି । ଘରେ ପଇସା ପତ୍ରର ଅଭାବରେ ପଡି ସେମାନେ ସ୍ଥିର କରିଛନ୍ତି --ଗୋଟିଏ ଝିଅ ରଖିବେ, ଆଉ ଗୋଟେ ଝିଅକୁ ଗୋଟେ ଭଲ ଘର ଦେଖି ଦେଇଦେବେ ଯିଏକି ତାର ଯତ୍ନ ଭଲଭାବେ ନେଇ ପାରିବେ । ଝିଅ ଟି ତାଙ୍କର ଯେମିତି ଭଲରେ ରହିପାରିବ । ଜିତା ଏସବୁ କଥା ଶୁଣି ତା ନିଜ କାନକୁ ବିଶ୍ୱାସ କରିପାରିଲାନି । ଏ କଣ ସେ ଶୁଣୁଛି! ବାବା କଣ ସତରେ ଆସି ତା ଆଗରେ ତା ମନକଥା ଜାଣି ଉଭାହୋଇଛନ୍ତି ? ଏ ଅବିଶ୍ୱାସ ଘଟଣା କେମିତି ସମ୍ଭବପର ହେବ ? ସେ ଏ କଥାକୁ ବିଶ୍ୱାସ କରି ପାରିଲାନି ।


ଜିତା ନୀରବରେ ବାବାଙ୍କୁ ଡାକି ଚାଲିଲା । ବାବା !ମୋତେ ଉଦ୍ଧାର କର।ମୁଁ କେବଳ ମା ହେବାକୁ ଚାହେଁ । ସେ ଭଦ୍ରବ୍ୟକ୍ତି କହିଲେ,"ମୁଁ ତାଙ୍କ ଫୋନ ନମ୍ବର ଓ ମୋର ନମ୍ବର ମଧ୍ୟ ଦେଉଛି। "ତୁମେ ତାଙ୍କୁ ପଚାରି ଏ କଥାର ସତ୍ୟତା ବିଷୟରେ ବୁଝିପାରିବ । ଜିତା ନିଜ ଭଉଣୀ ଠାରୁ ଧୋକା ଖାଇବା ପରଠୁ ଅନ୍ୟ ଅଜଣା ଲୋକଙ୍କ କଥାକୁ କିପରି ବା ବିଶ୍ୱାସ କରିବ ? ବିଶ୍ୱାସ କରୁ ବା ନ କରୁ ଫୋନ ନମ୍ବର ଦି ଟା ନିଜ ଡାଏରୀରେ ଟିପି ରଖିଲା ସେ ଭଦ୍ରବ୍ୟକ୍ତିଙ୍କଠୁ । ଦିନ ଗଡି ଚାଲିଲା । ଏମାନେ ଦିଜଣ ବାବାଙ୍କୁ ଦର୍ଶନ କରି ଫେରି ଆସିଲେ । ଏ ଭିତରେ କିଛି ଦିନ ବିତି ଗଲା ପରେ ଜିତାର ସେ ଭଦ୍ରବ୍ୟକ୍ତିଙ୍କ ସଙ୍ଗେ କଥା ହେବାକୁ ମନ ହେଲା । ସବୁ କଥା ବୁଝିବାକୁ ଏକ କୌତୁହଳ ଜନ୍ମିଲା । ସେ ପଟରୁ ସେ ଭଦ୍ରବ୍ୟକ୍ତି ଜଣକ କହିଲେ, ହଁ କାଲି ରାତିରେ ତାଙ୍କର ଦୁଇ ଝିଅ ଜନ୍ମ ହୋଇଛନ୍ତି । ଯଦି ବିଶ୍ୱାସ ଆସୁଛି, ସେ କନ୍ୟାମାନଙ୍କର ମାଆଙ୍କ ସହିତ କଥା ହୋଇ ପାରିବ । ତେଣୁ ଜିତା ଆଉ ମୁହୂର୍ତ୍ତେ ଅପେକ୍ଷା ନକରି ଆର ଫୋନ ନମ୍ବରରେ ସେ ଝିଅମାନଙ୍କ ମାଆଙ୍କ ସହିତ କଥା ହେଲା । ସେପଟୁ ଉତ୍ତର ଆସିଲା---ହଁ ଆମେ ସେ ଭଦ୍ରବ୍ୟକ୍ତିଙ୍କୁ ଏ ବିଷୟରେ କହିଥିଲୁ । କେହି ମା କଣ ଏମିତି ଛୁଆମାନଙ୍କୁ କାହାକୁ ଦେଇ ଦେବାକୁ ଇଚ୍ଛା କରେ ? ମାତ୍ର ଆମର ଟିକେ ଘର ଚଳେଇବାରେ ଅସୁବିଧା ଲାଗି ରହିଛି । ତେଣୁ ଆମେ ତାର ବାପ ମାଆ ସ୍ଥିର କଲୁ ଯେ ଆମ ପାଖେ ଆମର ଦୁଇ ଛୁଆ ରହିବେ, ଆଉ ଗୋଟେ ଝିଅ ଆମେ ଜଣକୁ ଦେଇଦେବୁ, ଯିଏ ଆମ ଝିଅକୁ ଆଦର ଯତ୍ନ ଓ ସ୍ନେହ ଶ୍ରଦ୍ଧା ଦେଇ ରଖି ପାରିବ । ଏ କଥା ଶୁଣି ଜିତା ମନେ ମନେ ବହୁତ ଖୁସି ହୋଇଗଲା । କହିଲା ଭଉଣୀ---ଆପଣ ଏ ବିଷୟରେ ପୁରା ନିଶ୍ଚିନ୍ତ ରୁହନ୍ତୁ । ଆପଣଙ୍କ ଝିଅ କୌଣସିର ଅଭାବ ଆମ ପାଖେ ଦେଖିବନି। ଏସବୁ କଥାବାର୍ତ୍ତା ପରେ ଜିତାର ମୁଣ୍ଡ ଟିକେ ହାଲକା ହୋଇଗଲା । ସେ ସଙ୍ଗେ ସଙ୍ଗେ ଡାକ୍ତର ବାବୁଙ୍କୁ ଗାଡିରେ ଧରି ମାର୍କେଟ ଆଡେ ବାହାରି ଆସିଲା । ଦୁଇ ଝିଅଙ୍କ ପାଇଁ ଦୁଇଟି ସୁନାର ଖଡୁ ଓ ଦୁଇ ହଳ ଜାମା କିଣି ଆଣିଲା । ସବୁ ଧରି ତା ପରଦିନ ସକାଳୁ ସକାଳୁ ସେ ହସପିଟାଲରେ ଯାଇ ପହଞ୍ଚିଲା ଡାକ୍ତର ବାବୁଙ୍କ ସହିତ । ସେମାନେ ସାଙ୍ଗରେ ସେ ଭଦ୍ରବ୍ୟକ୍ତିଙ୍କୁ ମଧ୍ୟ ନେଇ ଯାଇଥିଲେ ।


ସେ ଝିଅମାନଙ୍କ ମା ଆଉ ବାପାଙ୍କ ସହିତ ଦେଖାସାକ୍ଷାତ ହେଲା । ନମସ୍କାର ଆଉ ପ୍ରତି ନମସ୍କାର ପରେ ଜିତା ସୁନାଖଡୁ ଆଉ ଆଣିଥିବା ଜାମା ସବୁ ଛୁଆଙ୍କ ମାଆଙ୍କୁ ଧରେଇ ଦେଲା। ଦୁଇ ଜଣ ଝିଅ ସୁନା ଖଡୁ ଆଉ ଜାମା ପିନ୍ଧିଲେ । ଝିଅଙ୍କ ମା ପଛକୁ ମୁହଁ ବୁଲାଇ କହିଲେ --ମୋର ଦୁଇ ଝିଅରୁ କାହାକୁ ପର କହିବି ଓ କାହାକୁ ନିଜର କହିବି । ତେଣୁ "ମୁଁ ପଛକୁ ମୁହଁ କରୁଛି, ତୁମେ ଜଣକୁ ବାଛିକି ନେଇଯାଅ। ମୁଁ ସେ ଦୃଶ୍ୟ ଦେଖିପାରିବି ନାହିଁ "। ଜିତା ଗୋଟିଏ ଝିଅକୁ ଅତି ଆନନ୍ଦରେ ଉଠାଇନେଲା । ଝିଅର ମାଆ ନିଜର ସୁନାଚୁଡି ଗୋଟେପଟ ଗୋଟେ ହାତରୁ କାଢି କହିଲେ--ହଁ! ଏ ଚୁଡିପଟଟା ନେଇଯାଅ । ତାର ବାହାଘର ହେଲେ ତାକୁ ଦେଇଦେବ। ଏ ଦୃଶ୍ୟରେ ଗୋଟିଏ ମାଆର ଆଖିରୁ ଆନନ୍ଦାଶ୍ରୃ ଓ ଆଉ ଗୋଟିଏ ମାଆର ଆଖିରୁ ଲୁହଧାର ବୋହି ଆସିଲା । ସେହି ଲୁହଧାର ଭିତରଦେଇ ଆଉ ଗୋଟେ ମାଆର ଆତ୍ମା ଶୀତଳ ହୋଇଗଲା । ଯାହା ନିଜ ଭଉଣୀ ଦିନେ କରିପାରିନଥିଲା, ଆଜି ପର ଭଉଣୀଟି ତାହା କରି ଦେଖେଇ ଦେଲା। ଏହା ସେହି ବାବାଙ୍କ ନିର୍ଦ୍ଦେଶ କି କଣ କହି ହବନି । ଏମାନେ ଦିଜଣ ଝିଅକୁ ଧରି ମନ ଖୁସିରେ ନିଜ ଘରକୁ ଫେରି ଆସିଲେ।

ସମୟ ଗଡି ଚାଲିଲା । ଚାହୁଁ ଚାହୁଁ ଏ ଭିତରେ ଏକ ବର୍ଷ ବିତିଗଲା । ଝିଅର ଜନ୍ମ ଦିନ ହେବ ବୋଲି ଜିତା ଓ ଡାକ୍ତର ବାବୁ ମାର୍କେଟ ଯାଇଛନ୍ତି । ତା ପାଇଁ ମନ ମୁତାବକ ଜିନିଷ ସବୁ କିଣା ଚାଲିଛି । ଏ ସମୟରେ ସେମାନେ ଦେଖିଲେ ଜଣେ ଭଦ୍ରବ୍ୟକ୍ତି ଆଗକୁ ପଛକୁ ଯାଇ ତାଙ୍କ ଝିଅ ଆଉ ଏ ବାପ ମାଆଙ୍କୁ ଲକ୍ଷ୍ୟ କରୁଛି । କଡା ନଜରରେ ସେମାନଙ୍କୁ ଦେଖୁଛି । ଜିତା ଦେଖି  ଡରିଗଲା। ଭାବିଲା ଏ ଲୋକଟି କାହିଁକି ଆମକୁ ଏମିତି ଦେଖୁଛି ? ବାଧ୍ୟ ହୋଇ ଡାକ୍ତର ବାବୁ ସେ ଭଦ୍ରବ୍ୟକ୍ତିଙ୍କୁ ଯାଇ ପଚାରିଲେ, ତାଙ୍କର ଉଦ୍ଦେଶ୍ୟ ବିଷୟରେ ଜାଣିବା ପାଇଁ । ସେ ଭଦ୍ରବ୍ୟକ୍ତି ହସି ହସି କହି ପକେଇଲେ --ନାଇଁ କିଛି ନାହିଁ । ସତ କଥା କହିବାକୁ ଗଲେ ସେ ଝିଅର ପ୍ରକୃତ ମାଆ ପଠେଇଛନ୍ତି ବୁଝିବାକୁ, ତାଙ୍କ ଝିଅ ଭଲରେ ଅଛି କି ନାହିଁ ? ତାର ପ୍ରକୃତ ଯତ୍ନ ନିଆଯାଉଛି କି ନାହିଁ ବୁଝିବା ପାଇଁ ।


"ମୁଁ ସେ ଝିଅର ମାମୁଁ ହେବି"। ଆପଣଙ୍କର ଏଥିରେ କିଛି ଡରିବାର ନାହିଁ । ଡାକ୍ତର ବାବୁ ଓ ଜିତା ଶୁଣି ଟିକେ ନିଶ୍ଚିନ୍ତ ହେଲେ । ସବୁ କିଣା କିଣି କରି ଘରକୁ ଫେରି ଆସିଲେ । କିନ୍ତୁ ସେହି ଏକା ସହରରେ ଆଉ ରହିବାକୁ ଇଚ୍ଛା କଲେନି। ଟ୍ରେନରେ ଚଢି ସେ ପୁରୁଣା ସହରରୁ ଚାଲିଗଲେ ଅନେକ ଦୂର । ଆଉ ତାଙ୍କ ଝିଅକୁ କେହି ନଜର ଉଠେଇ ଦେଖିବେ ନାହିଁ ଯେମିତି......।



Rate this content
Log in

Similar oriya story from Tragedy