Sabitri Mohapatra

Drama Tragedy Inspirational

3.9  

Sabitri Mohapatra

Drama Tragedy Inspirational

ପ୍ରତୀକ୍ଷା

ପ୍ରତୀକ୍ଷା

4 mins
194


ଅନେକ ଦିନର ସ୍ଵପ୍ନ ଆଜି ସାର୍ଥକ ହବାକୁ ଯାଉଛି ସୌରଭ ର । ଆଜି ତାର ଚାକିରୀ ର ପ୍ରଥମ ଦିନ । ଅର୍ଥ ଶାସ୍ତ୍ରର ଅଧ୍ୟାପକ ଭାବେ ଯୋଗ ଦେବ ଆଜି ରେଭେନ୍ସା କଲେଜ ରେ । ତେଣୁ ସକାଳୁ ଉଠି ମନ୍ଦିର ଦର୍ଶନ ସାରି,ଗୁରୁଜନଙ୍କୁ ମୁଣ୍ଡିଆ ମାରି କଲେଜ ହତା ଭିତରେ ଆସି ପଦାର୍ପଣ କରିଛି । ଆଜି ଅତି ଆନନ୍ଦର ଦିନକୁ ସେ ଉପଭୋଗ କରିବାକୁ ଚାହିଁଛି । ମାତ୍ର  କଲେଜର ହତା ଭିତରେ  ପ୍ରବେଶ କଲାମାତ୍ରେ, ଗେଟ୍ ପାଖରେ ଥିବା ଆମ୍ବ ଗଛ ମୂଳରେ ଆଖି ପଡିବାକ୍ଷଣି ତାର ହୃଦୟ ଭିତରେ ଏକ ତୀକ୍ଷ୍ଣ ଖଣ୍ଡାଧାର ଚାଲିଗଲା ଭଳି ଲାଗିଲା । ହଠାତ୍ ତାର ଭାବବିହ୍ବଳତା କ୍ଷଣିକ ମଧ୍ୟରେ ନିଷ୍ପ୍ରଭ ହୋଇ ପଡିଲା । ଏକି ବେଦନା ତାକୁ ଘେରି ଯାଇଛି , ସେ ନିଜେ ମଧ୍ୟ ଜାଣି ପାରିଲାନି। କ୍ଷଣିକ ବେଗରେ ସେ କଲେଜ ହତା ଡେଇଁ କଲେଜ୍ ର କମନ୍ ରୁମ୍ ଭିତରକୁ ପଶି ଗଲା।

  

 ସେଦିନ ର କଥା ସବୁ ଆଜି ଭଳି ମନେ ହେଉଛି । କଲେଜରେ ଛାତ୍ର ଥିବା ବେଳର କଥା । ମନ ଭିତରେ ସବୁକଥା ଗୋଳିଆମିଶା ହୋଇ ଫେଣ୍ଟା ଫେଣ୍ଟି ହୋଇଯାଉଛି ଯେମିତି । ଅନେକ ସ୍ମୃତି ର ସମାହାର ତାର ମୁଣ୍ଡ କୁ ବିଚଳିତ କରି ପକୋଉଛି । ଆଜି ପୂଜା କେଉଁଠି ଥିବ ? କେଉଁ ଭାଗ୍ୟବାନ୍ ପୁରୁଷର ଜୀବନ ସଙ୍ଗିନୀ ହୋଇ ରାତି କାଟୁଥିବ । ହଁ ସେଇ ପୂଜା ! ଦିନେ ତାକୁ ଭଲ ପାଇଥିଲା ମନଭରି । ମାତ୍ର ମନକଥା ଖୋଲି କହିପାରିଲାନି ଦିନେ । ସୁଯୋଗ କୁ ହାତଛଡା କରିବସିଲା ସେ । କଲେଜ ର ପ୍ରଥମ ଦିନରେ ଏ କଣ ସବୁ ଭାବୁଛି ? ମନକୁ ବୁଝାଇ ସ୍ଥିର କରିବାକୁ ଚେଷ୍ଟା କଲା ।

  

 ଅନେକ ଦିନ ପୂର୍ବର କଥା । ସେଦିନ ପୂଜା, ଲିଲି, ଆଉ ସୋମା କୁ ରାତିରେ ନିଦ ନାହିଁ । ରାତି ପାହିଲେ ପିକ୍ ନିକ୍ ଯିବେ । ଏଟା ସେମାନଙ୍କର କଲେଜ୍ ର ଶେଷ ବର୍ଷ । ଏ ମଜା ଆଉ ଆରବର୍ଷ କୁ ନଥିବ । ସକାଳ ହେଲା,ସମସ୍ତେ ନିଜେ ନିଜେ ସଜବାଜ ହୋଇ ବାହାରି ପଡିଲେ କଲେଜ୍ ଆଡକୁ ଯିବାପାଇଁ ।ବସ୍ ଆସି କଲେଜ୍ ଆଗରେ ଠିଆ ହୋଇସାରିଥିଲା। ସମସ୍ତେ କାଳବିଳଂବ ନକରି ବସ୍‌ରେ ଚଢି ଗୋଟେ ଗୋଟେ ସିଟ୍ ବାଛି ବସିପଡିଲେ । ପୂଜା, ଲିଲି ଆଉ ସୋମା ପାଖାପାଖି ସିଟ୍ ଦେଖି ବସିଲେ, ଗପସପ ଟା ଜମିବ ଯେମିତି । ଗପସପ ସହିତ ବସ୍ ଭିତରେ ନାଚଗୀତ ର ଆସର ମଧ୍ୟ ବେଶ୍ ଜମିଯାଇଥିଲା।

  

 ଭଲଗୀତ ବୋଲୁଥିବା ସୌରଭ କୁ ସେଦିନ ଫୁରସତ ନଥିଲା । ସେ ଗୋଟେ ପରେ ଗୋଟେ ଗୀତ ଗାଇ ଚାଲିଥାଏ ।ତା ଗୀତର ବହୁତ୍ ଡିମାଂଡ ଥିଲା ସେଦିନ । ଏମିତି ଗୀତନାଚ ହଉ ହଉ କେତେ ବେଳେ ବସ୍ ଯାଇ ତାରାତାରିଣୀ ମନ୍ଦିର ପାଖରେ,ତାର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଜାଗାରେ ପହଞ୍ଚି ସାରିଥିଲା ।

  

 ସମସ୍ତେ ବସ୍ ରୁ ଓହ୍ଲାଇ ପଡିଲେ। ରନ୍ଧା ରନ୍ଧି ଚାର୍ଜରେ ଥିବା ପିଲାମାନେ ମନ୍ଦିର ର ତଳ ଭାଗରେ ରହିଗଲେ । ସେଠାରେ ଜାଗା ନିରୂପଣ କରି ରନ୍ଧା ରନ୍ଧି କାମ ଆରମ୍ଭ କରିଦେଲେ । ଅରୁଆ ଭାତ ,ଚିକେନ ଝୋଳ,ପାମ୍ପଡ,ଭଜା ଆଉ ସାଲାଡ୍ ହେବାର ସ୍ଥିର ହୋଇଥିଲା । କିଛି ଝିଅ ରହିଗଲେ ସାଲାଡ୍ କାଟିବା ପାଇଁ । ସୁବ୍ରତ, ରାମୁ ଆଉ ଦେବୁ ରହିଗଲେ ରନ୍ଧାରନ୍ଧି ପାଇଁ ।

  

 ସେମାନେ ସ୍ଥିର କଲେ ପରେ ଯାଇ ମନ୍ଦିର ଦର୍ଶନ କରି ଆସିବେ । ପାଖାପାଖି ନଅଶହ ଶିଡି ଅତିକ୍ରମ କରି ସମସ୍ତେ ମନ୍ଦିର ବେଢାରେ ଯାଇ ପହଞ୍ଚିଲେ । ଏତେଗୁଡେ ଶିଡି ଚଢିଆସି ହାଲିଆ ଲାଗୁଥିଲା ସମସ୍ତ ଙ୍କୁ । ମୋଟା ମୋଟି ମନ୍ଦିର ଦର୍ଶନ ସାରି ଟିକେ ହାଲିଆ ମେଣ୍ଟାଇବା ପାଇଁ ଗୋଟେ କଣିକିଆ ଜାଗା ଦେଖି ସମସ୍ତେ ବସି ପଡିଲେ । ବସୁ ବସୁ ସୌରଭ ର ଗୀତ ବୋଲିବା ଆରମ୍ଭ ହୋଇଗଲା । ପୁଅ ମାନଙ୍କ ଭିତରୁ ମାନବ କହିଲା-- ଖାଲି ପୁଅ ମାନେ କଣ ଗାଉଥିବେ? ଝିଅମାନଙ୍କ ତରଫରୁ କିଛି ହଉ ।ବହୁତ କଷ୍ଟ ରେ ସାଙ୍ଗ ମାନଙ୍କ ଅନୁରୋଧ ରେ ପୂଜା କଂଠ ରୁ ଗୋଟେ ଗୀତ ଶୁଣିବାକୁ ମିଳିଲା । ପୂଜା କଂଠ ରେ "ନୀଦ ଭରା ରାତି  " ଗୀତ ଟି ବେଶ୍ ଲୋଭନୀଯ ଲାଗୁଥିଲା

  

 ପୂଜା ଏତେ ଭଲ ଗୀତ ଗାଏ,କେହି ଜାଣି ନଥିଲେ ।ସୌରଭ ଭି ସ୍ତବଧ ହୋଇଗଲା ପୂଜା କଂଠ ରୁ ଗୀତ ଟି ଶୁଣି । ସୌରଭ ଭାବିଥିଲା---ତାଠୁ ବଳି ଆଉ କେହି ଗୀତ ବୋଲିଲା ବାଲା କ୍ଲାସ ରେ ନାହାଁନ୍ତି । ମାତ୍ର ପୂଜା କଂଠ ର ଗୀତ ରେ ସେ ପୁରା ମୁଗ୍ଧ। ବାର୍ ବାର୍ ତାକଂଠ ରୁ ଗୀତ ଶୁଣିବାକୁ ଇଛା ହେଲା ତାର । ସମସ୍ତଙ୍କ ଅନୁରୋଧ ରେ ପୂଜା ଆଉ ତିନି ଚାରିଟା ଗୀତ ଗାଇ ଶୁଣାଇଲା । ଏବେ ଆସର ସେତିକି ରେ ସରିଲା । ଆଉ ତଳକୁ ଓହ୍ଲାଇବାର ବେଳ ଆସି ଗଲା ସମସ୍ତଙ୍କର ।ସମସ୍ତେ ଗୋଟେ ପରେ ଗୋଟେ ଶିଡି ଅତିକ୍ରମ କରି ତଳକୁ ଆସିଲେ । ବାଟ ମଝିରେ ପୂଜା ଥକା ମାରି ଟିକେ ଧିମେଇ ଗଲା ।ପଛରେ ଆସୁଥିବା ସୌରଭ କହି ପକେଇଲା---କଣ ଥକି ଗଲକି ? କିଛି ସାହାଯ୍ୟ କରିବି ? ପୂଜା ଟିକେ ଲାଜେଇ ଯାଇ କହିଲା --ଦୁଷ୍ଟ "ମୁଁ କାହିଁକି ଥକିବି "?

  

 ସମସ୍ତେ ଆସି ରନ୍ଧା ଜାଗାରେ ପହଞ୍ଚିଲେ । ରନ୍ଧା ପ୍ରାୟ ଶେଷ ହୋଇଯାଇଥିଲା । ଏହି ସମୟରେ ପୂଜା ର ସାଙ୍ଗ ଲିଲି ବେସ୍ତ ହୋଇ ସୋମା କୁ କହିଲା---ଆରେ ପୂଜା ଟା ଗଲା କୁଆଡେ? ଆମ ସାଙ୍ଗ ରେ ତ ଆସୁଥିଲା?

  

 ହସି ହସି ଆସୁଥିବା ସୌରଭ ର ପାଦ ଦୁଇଟା ହଠାତ୍ ସେଠି ଅଟକିଗଲା ଓ ସେ ଫେରିଗଲା ପଛକୁ ।ବୋଧହୁଏ ପୂଜାକୁ ଖୋଜି ଆଣିବା ପାଇଁ । ଏ ଭିତରେ ପୂଜା ପ୍ରତି ଟିକେ ଦୁର୍ବଳତା ତ ଆସିଯାଇଛି ସୌରଭ ର। କିଛି ସମୟ ପରେ ଲିଲି ଓ ସୋମା ଦେଖିଲେ---ଆଗେ ଆଗେ ପୂଜା ଓ ପଛେ ପଛେ ସୌରଭ ଫେରୁଛନ୍ତି । ଖାଇବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇଗଲେ ।ବିବେକ, ସୌରଭ ଓ ହିମାଂଶୁ ବଢା ବଢି ରେ ସାହାଯ୍ୟ କଲେ । ବାଢିବା ସମୟରେ ସୌରଭ ଟିକେ ପୂଜାର ଖାଇବା ଜାଗାରେ ଅଟକି ଯାଇ ତାକୁ ବଳକେଇ ବଳକେଇ ବାଢି ଦଉଥିଲା। ପୂଜା ନାହିଁ ନାହିଁ କଲେ ବି ସୌରଭ ମାନିବାକୁ ପ୍ରସ୍ତୁତ ନଥିଲା । ସେ ଆଉ ଟିକେ ଚିକେନ, ଆଉ ଟିକେ ପାମ୍ପଡ କହି ବଳକେଇ ଦେଇ ଦେଉଥିଲା । ଏସବୁ ଦେଖି ଲିଲି ଓ ସୋମା ମୁରୁକି ହସା ମାରୁଥିଲେ।  ଲିଲି କହିଲା--ବୁଝିଲୁ ସୋମା ,ଏ ହେଉଛି ଗୀତ ବୋଲିବାର ଫାଇଦା । ପୂଜା ରାଗିଯାଇ କହିଲା --"ମୁଁ ତୁମ ମାନଙ୍କ ସାଙ୍ଗେ ଆଉ କଥା ହେବିନି "। ତାପରେ ଖାଇବା ପିଇବା ତ ସରିଲା ।ଏବେ ଘରକୁ ଫେରିବା କଥା ।


 ଘରେ ପୂଜା କହି ଆସିଥିଲା --ଘରେ ପହଞ୍ଚୁ ପହଞ୍ଚୁ  ଦଶଟା କି ଏଗାରଟା ହୋଇଯିବ ।ମାତ୍ର ବାହାରିବା ଜାଗାରୁ ହିଁ ଏଗାରଟା ବାଜିଗଲାଣି। ପହଞ୍ଚୁ ପହଞ୍ଚୁ ଘରେ ରାତି ଦୁଇଟା ତିନିଟା ହୋଇଯିବ । ଘରେ ବାପା ଙ୍କୁ ଭୀଷଣ ଡର ପୂଜା ର ।


 ରାତି ଦଶଟା ବାଜିବା କ୍ଷଣି ପୂଜାକୁ ନିଦ ଘୋଟିଆସେ ।ଯୋଉଠି ବି ସେ ଥାଏ ,ଢୁଳେଇ ପଡେ । ରାତି ଏତେ ହେଲାଣି, ବାପା କଣ କହିବେ,ଏହା ଭାବୁ ଭାବୁ ପୂଜା ନିଦରେ ଢୁଳେଇବାକୁ ଆରମ୍ଭ କଲା । ସିଟ୍ ର ସେପଟେ ବସି ବସି ସୌରଭ ସବୁ ନିରୀକ୍ଷଣ କରୁଥାଏ । ଏମିତି ପୂଜା ଢୁଳୋଉ ଢୁଳୋଉ ବସ୍ ର ରଡ୍ ରେ ମୁଣ୍ଡ ମାଡ ହୋଇଯାଇଥାନ୍ତା । ମାତ୍ର ସାମନାରେ ହାତ ଦେଇ ଅଟକେଇ ଦେବାରୁ ସୌରଭ, ପୂଜା ର ମୁଣ୍ଡ ମାଡ ହଉ ହଉ ରକ୍ଷା ପାଇଗଲା ।ନିଦ୍ରା ତାର ଭାଂଗି ଗଲା । ମାତ୍ର କେତେଜଣ ଫିକ୍ କିନା ହସି ଦେଲେ । ଏଥିରେ ପୂଜା ଟିକେ ଲାଜେଇ ଗଲା ।ଏଥର ନିଜକୁ ଦମ୍ଭ କରି ବସିବାକୁ ଆରମ୍ଭ କଲା ।


ରାତି ପ୍ରାୟ ଦୁଇଟା ତିରିଶ ବେଳକୁ ବସ୍ ଆସି କଲେଜ୍ ଗେଟ୍ ପାଖରେ ପହଞ୍ଚିଲା । ରାତି ଅଧରେ ଝିଅ ମାନଙ୍କୁ ଛାଡିବାର ବନ୍ଦୋବସ୍ତ କରାଗଲା । ଦୁଇଜଣ ପୁଅ ପ୍ରତି ଝିଅ ମାନଙ୍କ ସାଙ୍ଗରେ ଯାଇ ସେମାନଙ୍କୁ ତାଙ୍କ ଘରେ ନେଇ ଛାଡିଲେ । ସମସ୍ତେ ଗୋଟି ଗୋଟି ହୋଇ ଘରକୁ ଫେରିଲେ । ପୂଜା ଯିବାର ପାଳି ଆସିଲାରୁ, ସୌରଭ ବାହାରିଲା ପୂଜାକୁ ଛାଡିବାକୁ । ସେଇଆ ହିଁ ହେଲା । ସୌରଭ ଆଉ ବିବେକ ନେଇ ପୂଜାକୁ ତାଙ୍କ ଘରେ ଛାଡ଼ି ଆସିଲେ ।


ସେଦିନଠୁ ସୌରଭ ର ମନରେ କିଛି ଟା ପରିବର୍ତ୍ତନ ଆସିଛି । କ୍ଲାସ ର ପଢା ମଝିରେ ସୌରଭ ଘଣ୍ଟା ଘଣ୍ଟା ପୂଜା ର ସିଟ୍ ଆଡକୁ ଅନେଇ ରହେ । ଭାବନାରେ ନିମଗ୍ନ ହୋଇଯାଏ । ପୂଜା ମଧ୍ୟ ସମୟେ ସମୟ ସୌରଭ ର ସିଟ୍ ଆଡକୁ ଚାହିଁ ରହେ ।ବେଳେ ବେଳେ ଦୁହିଁଙ୍କର ଆଖି ମିଶିଗଲେ ପରସ୍ପର ଲାଜେଇ ଯାଆନ୍ତି । ମନର କଥା କେହି କାହାକୁ କହି ପାରନ୍ତିନି ।


ସୌରଭ ର ଆଖି ଦୁଇଟା ସବୁବେଳେ ଘୁରିବୁଲୁଥିଲା ପୂଜା ର ଅନୁସନ୍ଧାନ ରେ । ତାର ଗତିବିଧି କୁ ପ୍ରତକ୍ଷଣ ରେ ସେ ଖୋଜି  ବୁଲୁଥିଲା । ଆହୁରି ମଧ୍ୟ ସେ ଆମ୍ବ ଗଛ ମୂଳରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲା ପୂଜା ର ସେହି ଘରକୁ ଫେରିବା ସମୟ କୁ । ପୂଜା ଯେତେବେଳେ ଗେଟ୍ ରୁ ବାହାରି ଘରକୁ ଚାଲିଯାଏ, ସୌରଭ ତାପରେ ସାଇକେଲ ଘଣ୍ଟି ବଜେଇ ତା ନିଜ ଘରକୁ ଫେରି ଆସେ। ମନ ଭିତରେ ତାର ଅନେକ ଭାବାନ୍ତର ଉଙ୍କି ମାରେ। ଅପେକ୍ଷା ତାର ନିତି ଦିନିଆ କାର୍ଯ୍ୟ ରେ ପରିଣତ ହୋଇଗଲା ।ଏମିତି ଦିନେ ଅପେକ୍ଷା କରି କରି ଘରକୁ ଫେରିଛି ମାତ୍ର ପୂଜା କୁ ଆଉ ପାଏନି ସେ ।


ପୂଜା ଆଉ କଲେଜ୍ ଆସୁନି। କଣ ହୋଇଛି ତାର ?ହଠାତ୍ ଏ ପରିବର୍ତ୍ତନ କଣ ପାଇଁ ? ଦେଖୁ ଦେଖୁ ଗୋଟେ ଦିନ ଗଲା,ଦୁଇ ଦିନ ଗଲା,ଏମିତି ଗଡି ଗଡି ପାଂଚ ଦିନ ବିତିଗଲା , ତଥାପି ପୂଜା ର ଦେଖା ନାହିଁ । ହଠାତ୍ ଦିନେ ପୂଜା ର ସାଙ୍ଗ ଲିଲି କହିଲା----ପୂଜାର ବାହାଘର ଠିକ୍ ହୋଇଯାଇଛି । ଆସନ୍ତା ଫେବୃୟାରୀ ମାସ ସରସ୍ବତୀ ପୂଜା ଦିନ ତାର ବାହାଘର ହେବ । ଏହାଶୁଣି ସୌରଭ ର ମୁଣ୍ଡ ଓଲଟ ପାଲଟ ହୋଇଗଲା ।ସେ କଣ ଶୁଣୁଛି, ତା ନିଜ କାନକୁ ମଧ୍ୟ ବିଶ୍ବାସ କରି ପାରିଲାନି । ତା ମନ ଭିତରେ ଧିରେ ଧିରେ ଗଢିଉଠୁଥିବା ସ୍ୱପନ ର ମହଲ ଟି ହଠାତ୍ ଧୂମାଳ ହୋଇ ଉଠିଲା । ସେ କଣ ପୂଜା ବିନା ବଞ୍ଚି ପାରିବ? ତାର ଭଲ ପାଇବା କଣ ଏମିତି ଶେଷ ହୋଇଯିବ ? ସେ ମନେ ମନେ ନିଜକୁ ବହୁତ ଅବଶ ମନେ କଲା। ସେ ତ ଦିନେ ମନଖୋଲି ତାର ମନର କଥା ଖୋଲି କରିପାରିଲାନି ପୂଜାକୁ । ଏମିତି ଖାଲି ପ୍ରତୀକ୍ଷା କରିବାର ମାନେ ତାକୁ ପୂଜା ର ଜୀବନ ଠୁ ଦୂରେଇ ରହିବାକୁ ଦେଲା ।


କେବଳ ପ୍ରତୀକ୍ଷା ହିଁ ତା ଜୀବନର ଶେଷ ସ୍ୱର ହୋଇ ରହିଗଲା ? ଆଜି ତାର ଚାକିରୀ ର ପ୍ରଥମ ଦିନ । ସେ ଏ କଣ ସବୁ ଭାବୁଛି? ସେ ସ୍ଥିର କଲା,ଏସବୁ ଭାବନା ରୁ ଦୂରେଇ ରହିବ । ଜୀବନ କୁ ନୂଆ ରୂପରେ  ଗଢି ତୋଳିବ ।କେବଳ ପ୍ରତୀକ୍ଷା ରେ ଜୀବନ କୁ ଶେଷ ହେବାକୁ ଦେବନି। ପ୍ରତୀକ୍ଷା ଏବେ ଶେଷ ହୋଇଛି । ତାକୁ ଜୀବନରେ ଅନେକ ବାଟ ଆଗେଇ ବାକୁ ପଡିବ .....।.


Rate this content
Log in

Similar oriya story from Drama