ସେହି ରାତି
ସେହି ରାତି
ପ୍ରକାଶ ବାବୁ ସେଦିନ ଷ୍ଟେସନ ରେ ପହଞ୍ଚୁ ପହଞ୍ଚୁ ରାତି ବେଶି ହୋଇଯାଇଥିଲ । ଗାଁ ର ରାସ୍ତା । କିଟି କିଟି ଅନ୍ଧାର । କାଁ ଭାଁ ମିଞ୍ଜି ମିଞ୍ଜି ହୋଇ ରାସ୍ତାରେ ବତୀଖୁଣ୍ଟରେ ଲାଇଟ୍ ଗୋଟେ ଗୋଟେ ଜଳୁଛି । ସେଥିରେ ଅନ୍ଧାର ଯାଉନି କି ଆଲୁଅ ଆସୁନି। କଣ କରିବେ ? ଘରକୁ ଯିବାପାଇଁ ପ୍ରାୟ ଏକ ଘଣ୍ଟା ଲାଗିଯାଏ ଚାଲି ଚାଲି ଗଲେ । ରାତି ବେଶି ହୋଇଗଲେ ରିକ୍ସା ବା ଅଟୋ ରିକ୍ସା କିଛି ମିଳେନି ଷ୍ଟେସନରେ ସେ ଗୁଡିକ ପ୍ରାୟ ଦିନ ବେଳେ କାଁ ଭାଁ ମିଳେ । ପ୍ରକାଶ ବାବୁ ଚିନ୍ତା କରୁଥିଲେ କେମିତି ଯିବେ ? ସେଥିରେ ପୁଣି କିଛି ଲଗେଜ୍ ଅଛି । ସେ ପ୍ରତି ଶନିବାର ଗାଁ କୁ ଯାଆନ୍ତି ଆଉ ରବିବାର ରହି ସୋମବାର ସକାଳୁ ଗାଁ ରୁ ଫେରିଆସନ୍ତି ସହରକୁ । କଟକ ସହରରେ ଚାକିରୀ କରୁଥିଲେ ହେଁ ଗାଁ ରେ ରହୁଥିଲେ ତାଙ୍କର ମା ଆଉ ନବ ବିବାହିତା ସ୍ତୀ । ତେଣୁ ସେ ସମୟ ପାଇଲେ ଗାଁ କୁ ଛୁଟି ଆସନ୍ତି ଆଉ ସମୟ ବିତେଇ ପୁଣି ଫେରିଯାଆନ୍ତି ସହରକୁ । ଏମିତି ସେହି ଅନ୍ଧାର ରାତିରେ ଷ୍ଟେସନରେ ପାଦ ଦେବାକ୍ଷଣି ଜଣେ ଆସି ତାଙ୍କ ହାତରୁ ଲଗେଜ୍ ଗୁଡିକ ଭିଡିନେଇ ଆଗେ ଆଗେ ଚାଲିବାକୁ ଲାଗିଲା । ଅନ୍ଧାରରେ ମୁହଁ ଦିଶୁନି। ବତୀଲାଇଟ୍ ରେ ଦେଖିଲାବେଳକୁ ଆଗରେ ମଳୟ ଚାଲିଛି ଲଗେଜ୍ ଧରି । ପ୍ରକାଶ ବାବୁ ଦେଖି ଖୁସି ହୋଇ ଆଗକୁ ଆଗକୁ ଚାଲିଲେ ମଳୟ ପଛେ ପଛେ । ଘର ଆସି ପହଞ୍ଚିଲା ପ୍ରକାଶ ବାବୁଙ୍କର । ଘରେ କବାଟ ଖୋଲିବାକୁ ବୋଉକୁ କହିଲେ । ବୋଉ ତାଙ୍କର କବାଟ ଖୋଲିବା ପରେ ପ୍ରକାଶ ବାବୁ ଘର ଭିତରକୁ ପଶି ଆସିଲେ । ବୋଉ ମଳୟ କୁ ଅନ୍ଧାରରେ ଦେଖି ଧଡ୍ କରି କବାଟ ବନ୍ଦ କରି ଦେଲେ ।ପ୍ରକାଶ ବାବୁ ବୋଉ ଉପରେ ବିରକ୍ତ ହୋଇ କହିଲେ, "ଏ କଣ କରୁଛୁ ବୋଉ ,"?ଏମିତି କାହା ଆଗରେ କବାଟ ବନ୍ଦ କରିବା ଅଭଦ୍ରାମୀ । ବୋଉ କିନ୍ତୁ ନିଜର ମୁଣ୍ଡରେ ହାତ ଦେଇ ବସିପଡିଲେ । କହିଲେ ତୁ କଣ କରିଥିଲୁ ଆଜି? ସେ ମଳୟ ଗୋଟେ ବିରାଟ ଗୁଂଡା ଆଉ ବହୁତ ବଡ
ଡକାୟତ । ଏ ଚାରି ପାଞ୍ଚ ଗାଁ ଭିତରେ ପ୍ରସିଦ୍ଧ । ସମସ୍ତେ ତାର ନାଁ ନେବାକୁ ଡରନ୍ତି । ତୁ ତା ସାଥିରେ ସାଙ୍ଗ ହୋଇ ରାତି ଅଧରେ ଆସିଛୁ ? ତୋତେ କୋଉଠି ବାଟରେ ନମାରିକି ଛାଡିଲା କେମିତି ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ପ୍ରକାଶ ବାବୁ ଶୁଣି ସବୁ ହସରେ ଉଡେଇ ଦେଲେ । କହିଲେ ଧିର ସ୍ଥିର ହୋଇ ଶୁଣ ମୋ କଥା ପ୍ରକାଶ ବାବୁ କହିଲେ ,ଦିନେ ସକାଳୁ ସକାଳୁ ଏ ଗାଁ ଦାଣ୍ଡରୁ ବାହାରି ଯାଉଥିବା ବେଳେ ଏଇ ମଳୟ ସାଙ୍ଗରେ ମୋର ଦେଖା ହୋଇଥିଲା । ମୁଁ ତାକୁ ଆଦୌ ଚିହ୍ନି ନ ଥିଲି। ଆମେ ଦିଜଣ ପରସ୍ପର କଥାବାର୍ତ୍ତା ହୋଇ ହୋଇ ଷ୍ଟେସନ ରେ ଯାଇ ପହଞ୍ଚିଲୁ। ବ୍ରାହ୍ମଣ ଶାସନରୁ ଆସିଥାଏ ବୋଲି ଷ୍ଟେସନ ରେ ବସି ମୋତେ ପଚାରିଲା ସାଆନ୍ତେ,ଆପଣ ହାତ ଦେଖି ଜାଣନ୍ତି ବୋଲି ମୁଁ ଶୁଣିଛି ।ଆଛା କହିଲେ ମୋର ଆଜି ରୋଜଗାର କେମିତି ଅଛି ? ପ୍ରକାଶ ବାବୁ ଟିକେ ଚିନ୍ତା କରି ମିଛଟାରେ ହାତକୁ ଦେଖି ଗଣନା କଲେ ।
ତାପରେ କହିଲେ ଆରେ ଆଜି ତ ତୋର ପଞ୍ଚମ ରେ ବୃହଷ୍ପତି ଆଜି ତୋର ବହୁତ ଭଲ ଦିନ ଅଛି । ରୋଜଗାର ବହୁତ ଭଲ ହେବ । ଏହି ଚୋରି ଡକାୟତି କାମରେ ଯାଉଥିଲା ବୋଲି ପ୍ରକାଶ ବାବୁ ଜାଣି ନଥିଲେ । ତାର ମନରକ୍ଷା ହେବା ପାଇଁ ଏମିତି କହିଦେଇଥିଲେ। ମାତ୍ର ସତକୁ ସତ ସେଦିନ ମଳୟର ଭଲ ରୋଜଗାର ହୋଇଥିଲା । ସେଥିଲାଗି ସେଦିନଠୁ ମଳୟ, ପ୍ରକାଶ ବାବୁ ଙ୍କୁ ଦେବତା ଭଳି ପୂଜା କରେ । ଥରେ ଜଣକର ଅନ୍ୟ ଜଣଙ୍କ ପ୍ରତି ବିଶ୍ୱାସ ଆସିଗଲା ସେ ତାର କ୍ଷତି କରିବା ଭୁଲିଯାଏ। । ସେ ଦିନଠୁଁ ମଳୟ ଯେତେବେଳେ ବାଟରେ ଘାଟରେ ପ୍ରକାଶ ବାବୁଙ୍କୁ ଦେଖେ ସେତେବେଳେ ଆପେ ଆପେ ତାର ସାହାଯ୍ୟର ହାତ ବଢିଯାଏ ତାଙ୍କ ପ୍ରତି ଏସବୁ ପ୍ରକାଶ ବାବୁ ତାଙ୍କ ବୋଉଙ୍କୁ କହି ସାରିଲା ପରେ କହିଲେ"ଏଥିରେ ମୋର ଭୁଲ ରହିଲା କୋଉଠି କହିଲୁ ତେଣୁ କୁହନ୍ତି ବିଶ୍ୱାସ ମୂଳେ ଭଗବାନ ।