Sabitri Mohapatra

Children Stories Comedy Drama

4.0  

Sabitri Mohapatra

Children Stories Comedy Drama

ମା ଓ ନାତୁଣୀ

ମା ଓ ନାତୁଣୀ

3 mins
311


ଅଦିନିଆ ବର୍ଷା ଟା କୋଉଠିଥିଲା ଆସି ଅଜାଡି ପକେଇଲା । ବର୍ଷା ସହିତ ପବନର ଗତି ମଧ୍ୟ ଭୟଙ୍କର ଥିଲା । ପବନରେ ବାଲକୋନି ରେ ଲାଗିଥିବା ଫୁଲଗଛ ଗୁଡିକ ଯେମିତି ଲହଡି ଭାଙ୍ଗୁଥାଂତି । ସେଥିରେ ଗୋଲାପ ଫୁଲର ପାଖୁଡା ଗୁଡିକ ଛିଣ୍ଡି ଏଣେତେଣେ ପଡୁଥାଏ । କିନ୍ତୁ ମଲ୍ଲିଫୁଲ ର ବାସ୍ନା ଆସି ନାକରେ ବାଜୁଥାଏ ଲିଜାର। ଲିଜା ସେମିତି ଚେୟାର ଉପରେ ବସି ବର୍ଷା କୁ ଉପଭୋଗ କରୁଥାଏ । ଟିକିଏ ବି ସେଠାରୁ ହଲିବାକୁ ତାର ଇଚ୍ଛା ହଉନଥାଏ । ଟିକେ ଟିକେ ବର୍ଷା ପାଣିର ଛିଟା ମଧ୍ୟ ତା ଉପରେ ପଡୁଥାଏ। ଏମିତି ଦିନେ ସେ ଶୋଇ ଶୋଇ ବର୍ଷା ସମୟରେ ମା ଙ୍କ ଠାରୁ ଗପ ଶୁଣୁଥିଲା। ପୁରୁଣା ଦିନର କଥା ସବୁ ଆଜି ମନେ ପଡି ଯାଉଛି ତାର । କି ମଜା ଥିଲା ସେ ଦିନ ଗୁଡିକ ?

ହଁ ଲିଜାର ଆଜି ମନେପଡିଯାଏ ସେହି ପୁରୁଣା ଦିନ  ଗୁଡିକ ଯାହା ଜେଜେ ମା  ଙ୍କ ସାଥେ କଟେଇଥିଲା। ମା ଙ୍କ ସାଥେ ଲୁଡୁ ଖେଳିବା,ଖାଇବା ଆଉ ଗପଶୁଣିବା ର ମଜା କିଛି ଅଲଗା ଥିଲା । ତାର ଜେଜେ ମା ଥିଲେ ଏମିତି ଏକ ଚରିତ୍ର, ଯିଏ ସମସ୍ତଙ୍କୁ ହସେଇବାକୁ ଭଲ ପାଉଥିଲେ । ଆଉ ତାଙ୍କ ନାତୁଣୀ କୁ ବହୁତ ସ୍ନେହ ଆଦର କରୁଥିଲେ । ଅନ୍ୟ ମାନଙ୍କୁ ଭଲ ଭଲ ଉପଦେଶ ମଧ୍ୟ ଦେଉଥିଲେ । ଆଉ ତାର ମା ଯେତେବେଳେ ତାଙ୍କ ଘର ପୁରୀ କୁ ଯାଉଥିଲେ ନା,ସେତେବେଳେ ମାର୍କେଟ ରୁ ଦଶଟଙ୍କିଆ ଚେନ୍,ପାଂଚ  ଟଙ୍କିଆ ମୁଦି ସବୁ ଆଣୁଥିଲେ ଲିଜା ପାଇଁ । ମା କେବେ ଫେରିବେ ଆଉ ତା ପାଇଁ ଗିଫ୍ଟ ସବୁ ଆଣିବେ ,ସେ ଆଗ୍ରହ ରେ ସେଦିନକୁ ଚାହିଁ ରହିଥାଏ । ଏବେ ରୋଜଗାର ତ କଲାଣି, ବଡ ବଡ ଗିଫ୍ଟ ସବୁ ମିଳିଲେ ଭି ମା ଙ୍କ ଗିଫ୍ଟ ସହିତ ତୁଳନୀୟ ନଥିଲା । ଛୁଟି ଦିନ ଦେଖି ଥରେଅଧେ ମା ଙ୍କ ସାଥେ ଡାଡି ମମି ଙ୍କୁ ନେଇ ପୁରୀ ଯାଇ ବୁଲି ଆସିଛି କେତେଥର ଲିଜା।

ପୁରୀର ସମୁଦ୍ର କୂଳ ଜଗନ୍ନାଥ ମନ୍ଦିର ସବୁ ବୁଲିବାକୁ ଭାରି ଭଲ ଲାଗୁଥିଲା ତାକୁ । ଏମିତି ଦିନେ ପୁରୀରୁ ଖବର ଆସିଲା ମା ଙ୍କ ପାଖକୁ ଯେ ତାଙ୍କୁ ପୁରୀ ଯିବାକୁ ପଡିବ । ଲିଜା ମଧ୍ୟ ବାହାରିଲା ଯିବାକୁ ମା ଙ୍କ ସାଥେ । କିନ୍ତୁ ଏଥର ମା ଲିଜାକୁ ସାଥିରେ ନେବାକୁ ଅମଙ୍ଗ ହେଲେ । ମାତ୍ର ଲିଜା ର ଏକା ଜିଦି ସେ ମା ଙ୍କ ସାଥେ ପୁରୀ ଯିବ । ମା କିଛି ଉପାୟ ନପାଇ  ସେ,ଲିଜା ଆଉ  ତାର ଡାଡି ମମି ଙ୍କୁ ସାଙ୍ଗରେ ନେଇ ପୁରୀ ବାହାରି ପଡିଲେ । ସେଠାରେ ଯାହା ଦେଖିଲେ ,ଲିଜାର ମନ ଟା ବହୁତ ଦୁଃଖ ହୋଇଗଲା । ଜେଜେ ମା ଙ୍କ ବୋଉ ସେଠି ଚିତ୍ ହୋଇ ଶୋଇଛଂତି, ଧଳାଚାଦର ଟେ ତାଙ୍କ ଉପରେ ଘୋଡା ହୋଇଛି ମୁଣ୍ଡ ରୁ ଗୋଡ ପର୍ଯନ୍ତ । 

କିନ୍ତୁ ତାଙ୍କର ଧଳାଚୁଟି ସବୁ ଫର୍ ଫର୍ ହୋଇ ଉଡୁଛି । ଲିଜା କିଛି କିଛି ବୁଝିଲାମାତ୍ର ଆଉ କିଛି କିଛି ତାର ଅବୁଝା ରହିଗଲା ଯେମିତି । ସମସ୍ତେ ବସି କାନ୍ଦୁଥାନ୍ତି । ତାର ଜେଜେ ମା ମଧ୍ୟ କାନ୍ଦି କାନ୍ଦି ଆସି ଲିଜାକୁ କହିଲେ ଆଉ ପୁରୀ ଆସିବା ହେବନି । ତାଙ୍କର ବୋଉ ଆଉ ନାହାନ୍ତି। ସେ ଆକାଶର ତାରା ହୋଇ ଯାଇଛନ୍ତି ।

ଲିଜା ସବୁ ବୁଝିଗଲା ସତ କିନ୍ତୁ ଜେଜେ ମା ଙ୍କ ବୋଉ ଙ୍କର ସେହି ଧଳାଚୁଟି କି ଖାଲି ନିରୀକ୍ଷଣ କରୁଥାଏ। ତାର ମନେ ମନେ ଧାରଣା ହେଲା ଯେ ମଣିଷର ଧଳାଚୁଟି ହୋଇଗଲେ, ସେମାନେ ମରିଯାନ୍ତି । ସେ ତାର ପ୍ରିୟ ଜେଜେ ମା ଙ୍କ କଥା ଚିନ୍ତା କରି ଭାବିଲା ଯେ ସେ ତାର ଜେଜେ ମା ଙ୍କର ଧଳାଚୁଟି କେଭେ ଭି ରଖେଇ ଦବନି ଏ ଥର । ସବୁ ଛିଣ୍ଡାଇ ଦବ। ଜେଜେ ମା,ଲିଜା ଆଉ ତା ଡାଡି ମମି ଘରକୁ ଫେରିଲେ । ଲିଜା ମାଙ୍କ ଚୁଟି ସହିତ ଖେଳିବାକୁ ବହୁତ ଭଲପାଏ । ସେ ମା ଙ୍କ ଚୁଟିରେ ସରୁ ସରୁ ବେଣୀ ପକାଏ , ତାଙ୍କ ଓଠରେ ଲିପ୍ଷଟିକ ଲଗେଇ ଦିଏ,ନଖରେ ନେଲ୍ପଲିସ୍ ଲଗେଇ ଦିଏ। ମା କିଛି କୁହନ୍ତିନି ତାକୁ । ମାତ୍ର ମା ଙ୍କର ଧଳାଚୁଟି ଉପରେ ସଦାସର୍ବଦା ନଜର ଥାଏ ତାର । ଗୋଟିଏ ଧଳାଚୁଟି ଦେଖିଲେ ତତକ୍ଷଣାତ ଛିଣ୍ଡେଇ ଦିଏ ତାକୁ । ଲିଜା ର ମନ ସର୍ବଦା ଖୁସି ରହୁଥାଏ । କାରଣ ମା ଙ୍କ ର ଧଳାଚୁଟି ଆଉ ନାହିଁ ।ସେ ତେଣୁ ତାଙ୍କ ମାନଙ୍କୁ ଛାଡି ଆଉ ମରିପାରିବେନି । ଲିଜା ଯାହାକରେ ମା କିଛି କୁହନ୍ତିନି ତାକୁ । କିଛି ବି ପ୍ରତିବାଦ କରନ୍ତିନି । ସେ ତାଙ୍କର ପ୍ରିୟ ନାତୁଣୀ।

କାଳକ୍ରମେ ଲିଜାର ସମୟ ଜେଜେ ମା ଙ୍କ ସାଥେ ଖୁସି ରେ କଟିଯାଏ । ଦିନେ ମା ବହୁତ ଅସୁସ୍ଥ ହୋଇ ପଡିଲେ ।ତାଙ୍କୁ ହସପିଟାଲ୍ ନିଆ ଗଲା ।ସେ ହସପିଟାଲ୍ ରେ ଅଳ୍ପଦିନ ରହି ଭଲହୋଇ ଘରକୁ ଫେରି ଆସିଲେ । ମା ଙ୍କୁ ଦେଖି ଲିଜା ମନ ବହୁତ୍ ଖୁସି । ସେ ତ ସବୁ ଧଳାଚୁଟି ମା ଙ୍କର ଛିଣ୍ଡାଇ ଦେଇଥିଲା । ତେଣୁ ମା ଙ୍କର ଦେହ ଭଲ ହୋଇଗଲା । କିଛି ମାସ ଏମିତି ଭଲରେ କଟିଗଲା । ଗୋଟେ ଦିନ ରାତିରେ ମା ଙ୍କୁ ନିଶ୍ବାସ ନେବାରେ ବହୁତ ଅସୁବିଧା ହେଲା । ମୋଟା ଦେହ ସାଥେ ବୟସ ମଧ୍ୟ ଅଧିକ ହେ ଲାଣି । ବାର୍ଦ୍ଧକ୍ୟ ଜନିତ ରୋଗରେ ମା ଅଣନିଶ୍ବାସୀ ହୋଇପଡିଲେ । ଲିଜାର ଡାଡି  ମମି ପୁନର୍ବାର ମା ଙ୍କୁ ନେଇ ହସପିଟାଲରେ ଭର୍ତ୍ତି କଲେ ।ଏଥର କିନ୍ତୁ ମା ଙ୍କର ଦେହ ଟିକେ ଅଧିକ ଖରାପ ହୋଇଯାଇଥିଲା । ଲିଜାର ଡାଡି ମମି ଟିକେ ବ୍ୟସ୍ତ ହୋଇ ପଡିଲେ ।ମାତ୍ର ଲିଜା କିଛି ଜାଣି ନଥାଏ । ହସପିଟାଲରେ ପାଂଚ ଛଅ ଦିନ ରହିଲା ପରେ ମା ଶେଷ ନିଶ୍ବାସ ତ୍ୟାଗ କଲେ ସେହି ହସପିଟାଲରେ । ସେମାନେ ସମସ୍ତେ ଘରକୁ ଫେରି ଆସିଲେ । ସକାଳୁ ସକାଳୁ ମମି ଲିଜାକୁ ଡାକି କହିଲେ, ଆରେ ଉଠ୍ ଉଠ୍ ମା ଆଉ ନାହାନ୍ତି ।ମା ଙ୍କୁ ଶେଷ ଦର୍ଶନ କରିଦିଅ । ଲିଜା କିଛି ବୁଝିପାରି ଲାନି ଯେମିତି । ମମି ତାର ଏମିତି କଣ କହୁଛନ୍ତି? ଏହା କିପରି ସମ୍ଭବ ? ଲିଜା ଧଡକିନା ଖଟରୁ ଉଠି ଆସି ଦେଖେ ତ ମା ସେମିତି ଧଳାଚାଦର ଘୋଡେଇ ହୋଇ ମୁଣ୍ଡ ରୁ ଗୋଡ ପର୍ଯ୍ୟନ୍ତ ଶୋଇଛଂତି । ଲିଜା ର ମା ଙ୍କ ବୋଉ ଙ୍କ କଥା ମନେ ପଡିଲା । ସତରେ ମା କଣ ଆଉ ନାହାଁନ୍ତି? ଲିଜା ର ମା ଙ୍କ ଚୁଟି ଉପରେ ନଜର ପଡିଲା । କିନ୍ତୁ ମା ଙ୍କର କଳାଚୁଟି ସାଥେ ମାତ୍ର ଗୋଟିଏ ଗୋଟିଏ ଧଳାଚୁଟି ଫର୍ ଫର୍ ହୋଇ ଉଡୁଛି । ଧଳାଚୁଟି ତ ବହୁତ ଅଳ୍ପ ଅଛି।  କାରଣ ମା ହସପିଟାଲ୍ ଯିବା ପୂର୍ବରୁ ଲିଜା ସବୁ ଧଳାଚୁଟି ତାଙ୍କର ଛିଣ୍ଡାଇ ଦେଇଥିଲା। ଏମିତି କେମିତି ସମ୍ଭବ ହେଲା ? ଲିଜା କିଛି ବୁଝିପାରିଲାନି । ଲିଜା ମନରେ ଉଙ୍କି ମାରୁଥିବା ଏ ପ୍ରଶ୍ନର ଉତ୍ତର କେବଳ ପ୍ରଶ୍ନବାଚୀ ହୋଇ ରହିଗଲା ଯେମିତି !


Rate this content
Log in