Satyabati Swain

Romance

4.5  

Satyabati Swain

Romance

ବର୍ଷାରେ ନିଆଁ !

ବର୍ଷାରେ ନିଆଁ !

6 mins
17



ବର୍ଷାରେ ନିଆଁ ଲାଗେ !


   ହଁ ସେଦିନ ବର୍ଷାରେ ନିଆଁ ଲାଗିଗଲା। ଯେଉଁ ନିଆଁ ମୋ କଅଁଳ ବୟସର କୋମଳ ମନକୁ ପୋଡି ଘା କରି ଦେଲା। ଯେଉଁ ଘାଆ ଆଜିଯାଏ ଦଲଦଲ ହୋଇ ରହିଛି ଶୁଖିବା ନାଁ ନ ନେଇ। ଅନେକ ଡାକ୍ତରଙ୍କୁ ଦେଖେଇଲି। କେତେ ଔଷଧ ଖାଇଲି। କିନ୍ତୁ ବର୍ଷା ନିଆଁରେ ଆକ୍ରାନ୍ତ ହୋଇଥିବା ମୋ ମନ ଘାଆ ଶୁଖିଲାନି ଆଜିଯାଏ । ମାଆ ମୋର ପ୍ରଥମ ବନ୍ଧୁ। ତାକୁ ଏ ଘାଆ କଥା କହିଲେ ସେ କୁହେ ତୁ ଚାହିଁନୁ ଯେତେବେଳେ ସେ ଘାଆ କଣ ଶୁଖିବ !


  କାହିଁକି ଏ ମନର ଘାଆ ଶୁଖିବାକୁ ଦେଉନି ! ଏ ମିଠା ଯନ୍ତ୍ରଣା କଣ ମୋର ନିହାତି କାମ୍ୟ ! ଯିଏ ନିଆଁ ଲଗେଇ ବର୍ଷାରେ ମୋ ମନ ପୋଡି ଦେଇ ଚାଲିଗଲା ସେ କଣ ଅବସୋସ କରୁଥିବ !


   ପାଣି ପଡିଲେ ନିଆଁ ଲିଭେ।କିନ୍ତୁ ଏ ବର୍ଷା ପାଣି ପଡିଲେ ନିଆଁ କାହିଁକି ଲାଗେ ? କାହିଁକି ବର୍ଷା ଟୋପା ଆନମନା କରେ ହୃଦୟ ? ନିଜ ଠାରୁ ନିଜକୁ ଛଡେଇ ନିଏ? ଦେହ ମନ କିଛି କିଛି ଖୋଜନ୍ତି।କାହିଁକି ଧୋଇ ହୋଇଯାଏ ନିର୍ଘାତ ବର୍ଷା କାଚି ଦେଇ ଗଲା ପରେ ମନ ଦର୍ପଣ।ଏଇତ ଦିଶି ଯାଇଛି ଆଜି ଅସରାଏ ବର୍ଷା ହୋଇଗଲା ପରେ ମୋତେ ..

     

    ମୋର ବୟସ ତେର।ମାଇଁଙ୍କ ସଂଗେ ଯାଇଥାଏ ତାଙ୍କ ଘରକୁ ରାକ୍ଷୀ ପୁନେଇଁରେ।ତାଙ୍କର ପୁଅ ନାହିଁ ବୋଲି ମୋତେ ଭାରି ଆଦର କରନ୍ତି।ଗୋଟିଏ ଦିନ ସ୍କୁଲ ଛୁଟି ହେଲେ ଦଉଡେ ମାଇଁ ପାଖକୁ।ମାଇଁ ଯୁଆଡେ ଯାଆନ୍ତି ମୋତେ ସାଙ୍ଗରେ ନେବା ଥୟ।ମାଇଁ ସହ ତାଙ୍କ ଘରକୁ ଯିବାର ଆଉ ଗୋଟିଏ ଗୁପ୍ତ ରହସ୍ୟ ଥାଏ।ସେ ହେଲା ' ଲିପ୍ସା' ମାଇଁଙ୍କ ଭାଇ ଝିଅ।ମୋରି ସାଙ୍ଗର।ଏକା ଶ୍ରେଣୀରେ ପଢୁ।ସେ ମୋତେ ଭାରି ଭଲ ଲାଗେ।

    

   ଲିପ୍ସାଟା ସୁଦୁ ଡରକୁଳିଟା।ଟିକିଏ ଟିକିଏ କଥାକୁ ଭାରି ଡର ତାର।ମେଘ ଉଠେଇ ଯଦି ଘଡ଼ ଘଡି ମାରିଲା ଲିପ୍ସା ଯାଇ ଲୁଚିବ ଘର କୋଣେ। କାନରେ ହାତ ଦେଇ ଛିନ୍ ଛିନ୍ ବାଜିବ ଆଖି ବୁଜି।ତା ଭାଇ ବାପୁ ଆଉ ମୁଁ ତାଳି ମାରି ଆହୁରି ଚିଡ଼େଇବୁ ତାକୁ।ହେଇ ହେଇ ମାଇଲା ଘଡଘଡି.. ।ଆଇଲା ଆଇଲା ଲୋ ବୋପା ମେଘ..।ସେ କାନ୍ଦି କାନ୍ଦି ଯାଇ ଫେରାଦ ହୋଇ ମୋ ମାଇଁ ପାଖେ କହିବ" ପିଉସୀ ନାନୀ ଦେଖିଲ ତୁମ ଅଭିକୁ ମୋ ଭାଇକୁ ସାଙ୍ଗ କରି ମୋତେ କେମିତି ଡରାଉଛି।ନାନୀ ତୁମେ ତ ଆସୁଛ ତୁମ ସହ କାଇଁକି ଆଣୁଛ ଏ ମାଙ୍କଡ଼ ଅଭିଟାକୁ? ସେ ଭାରି ଦୁଷ୍ଟ ପିଲା।ଯେତେବେଳେ ଆସିଲା ମୋତେ ଖାଲି ଚିଡ଼ଉଛି।

    

    କଣ କହିଲୁ ଡରକୁଳି, 'ଛେଳି ' ମୁଁ ମାଙ୍କଡ,ନାଇଁ ନାଇଁ ..ମୁଁ ମାଙ୍କଡ଼ କହି ତା ବାଗୁଲି ଛୁଟି ଧରି ଟାଣିଦିଏ।ସେ ମାଇଁ ଚାରି ପଡେ ବୁଲି ବୁଲି ଦଉଡେ ମୁଁ ତା ପଛେ ପଛେ।ମାଇଁ ହସି ହସି ଗଡି ଯାଆନ୍ତି।କୁହନ୍ତି, " ଅଭି ଏଇ ତାମସା କରିବ ବୋଲି ଆମ ଘରକୁ ଆସିବାକୁ ଅଳିତା ଲଗେଇ ବସ ! ଆରେ କାହିଁକି ଲାଗୁଛୁ ତା ସହ।ଘଡ଼ ଘଡିକୁ ସେ ଡରୁଛି,ପିଲା ଲୋକ ତୁମର ସେଥିରେ କଣ ଗଲା?"

     

    ମାଇଁ ! ପଚାର ତ ସେ କାହିଁକି ମୋତେ ମାଙ୍କଡ଼ କହୁଛି? ସେ ନିଜେ ଗୋଟେ ଛେଳି।ଘଡ଼ ଘଡିକୁ ଡର ପାଣିକୁ ବି ଡର। ଛେଳି ଯେମିତି ପାଣିକୁ ଡରେ ଲିପ୍ସା ସେମିତି ମେ...ଏଁ ମେ.. ଏଁ ଡରକୁଳି ଛେଳି। ଏହେ ଏହେ ଛେଳି ଟେ ଆମ ମାଇଁ ଘରେ ଅଛି ଜାଣିଛ।

   

    ଲିପ୍ସା ମୁହଁଟା ଉଷୁନା ହାଣ୍ଡି ପରି କୁହେ" ନାନୀ ଦେଖ୍ ଦେଖ୍ ଅଭି ମୋତେ ପୁଣି ଛେଳି କହୁଛି"। ସେ ଗୋଟେ ଖରାପ ପିଲା। ଆର ଥରକ ଆସିଲେ ୟାକୁ ଆଣିବ ନାହିଁ। ଦୁଷ୍ଟ... ମାଙ୍କଡ।


     ଆଉ ତୁ ଛେଳି ନୁହଁ କି ? କହି ମୁଁ ଟିକେ ଖତେଇ ହୁଏ।ଲିପ୍ସା ଆହୁରି ରାଗିଯାଏ।ଗୋଡ଼ କଚାଡି କାନ୍ଦେ।ସେ କାନ୍ଦିଲେ ବାପୁ ଆଉ ମୁଁ ଖୁବ୍ ମଜା ପାଉ।ମାଇଁ କୁହନ୍ତି ମୋ ଗେଲ୍ଲୀଟା କାଇଁ ଛେଳି ହେବ!!ସେ ବାଘ ହେବ ବାଘ।

     

    ବ୍"ବାଘ ନା ଫାଗ।ଦେଖିଆ ଛାତକୁ ଗଲୁ ବର୍ଷା ହେଉଛି ଓଦା ହେବୁ। ମାଈ ଛେଳିଟା।ବର୍ଷାରେ ଓଦା ହେବାକୁ ସବୁ ଛୁଆଙ୍କୁ ଭଲ ଲାଗେ।ଏଇ ମାଈ ଛେଳିଟାକୁ ଖାଲି ଡର।ବାଘ ହୋଇଥିଲେ ତ ବର୍ଷାରେ ଓଦା ହୁଅନ୍ତା, ନାଚନ୍ତା, ଗୀତ ଗାଆନ୍ତା,ଡରିକି ଘର କୋଣେ ଲୁଚନ୍ତା କି"?ଏତକ କହି ବାପୁ ଓ ମୁଁ ଛାତ ଉପରକୁ ଚାଲି ଗଲୁ ବର୍ଷାରେ ଓଦା ହେଲୁ।ଓଃ ବର୍ଷାରେ ଓଦା ହେଲେ କି ମଜା ଲାଗେ ! କୈଶୋରର ଶେଷ ପାହାଚ ମୋର।କେଜାଣି ସେଦିନ ବର୍ଷା କିଛି ଅଲଗା ଲାଗୁଥିଲା। ଅୟୁତେ କୋମଳ ଜିଜ୍ଞାସା ମୋ ମନ ଉପରେ ମୋତେ ଅନିସନ୍ଧିତ୍ସୁ କରୁଥିଲେ। ଲିପ୍ସା ପ୍ରତି ଅନୁରାଗ ଓ ଦୁର୍ବଳତା ଢେର୍ ଥିଲା । ତାକୁ ଚିଡେଇବାରେ ନାଁ ରେ ତା ପାଖେ ପାଖେ ରହିବାର ତୀବ୍ର ଇଛା ମୋତେ କାବୁ କରୁଥିଲା।


     ଛାତ ଉପରେ ମୁଁ ଦୁଇ ହାତ ମେଲି ଓଦା ହୋଇ ଖେଳିଲି ଓ ଗାଇଲି ହୁ ଉଁ..ହୁ ହୁ ହୁ ଉଁ,ଲା ଲା ଲାଲାଲା ଲା,ଏହେ ଏହେହେ ଏ।ବାପୁ ଗୋଡ଼ କଚାଡି ଓଦା ହେଉଥିଲା ଓ ବାରମ୍ବାର ମୁଣ୍ଡ ପାଣି ମୁହଁ ଆଖିରୁ ପୋଛୁଥିଲା।ମୁଁ କିନ୍ତୁ ମଜି ଯାଇଥିଲି ଏକବାରେ ବର୍ଷାରେ।ଲିପ୍ସା ଆସି ଚୁପି ଚୁପି ଆମକୁ ଶିଡି ଉପରେ ଥାଇ ଦେଖୁଥିଲା।ମୋ ଆଖି ଯେମିତି ତା ଉପରେ ପଡିଛି ଦଉଡ଼ି ଯାଉଥିଲା ତ ମୁଁ ଯାଇ ଖାପୁ କିନା ମାଡି ବସିଲି ତାକୁ। ରହ ଯାଉଛୁ କୁଆଡେ।ଘଡ଼ ଘଡି ତ ନାହିଁ।କେବଳ ବର୍ଷା।ଥରେ ଓଦା ହୋଇ ଦେଖ୍ କେତେ ମଜା ଏ ବର୍ଷାରେ ଭିଜିବା।

     

     ସେ ଛାଟି ପଟି ହେଉଥିଲା।ବାପୁ ଓ ମୁଁ ତାକୁ ଶୁନ୍ୟେ ଶୁନ୍ୟେ ଟେକି ଆଣି ଛାତ ମଝିରେ ଠିଆ କରିଦେଲୁ।ସେ ଭୟରେ ହାଉଳି ଖାଇଲା।ମୁଁ ତାକୁ କହିଲି ଦେଖ୍ ତୁ ଯଦି ଛେଳି ହେବାକୁ ଚାହୁଁନୁ ତ ଓଦା ହୋଇ ଦେଖା ଯେ ତୁ ବାଘ।ଥରେ ଓଦା ହଅ।ଏହା ପରେ ବର୍ଷା ତୋତେ ଆଉ ଡରେଇବ ନାହିଁ।ତୋ ସାଙ୍ଗ ହୋଇଯିବ।ତୋତେ ଖୁବ୍ ଭଲ ପାଇବ।

     

    ବର୍ଷା କାଚୁଥିଲା ଜୋର୍ ଜୋର୍।ମୁଁ ଓ ବାପୁ ହାତ ମେଲି ଚକା ଚକା ଭଉଁରୀ ଖେଳ ଖେଳିଲା ପରି ଖେଳୁଥିଲୁ।ଲିପ୍ସା କିଛି ସମୟ ଚୁପ୍ ଚାପ୍ ଓଦା ହେଲା।ତାପରେ ସେ ବି ଆମ ପରି ହାତ ମେଲି ନାଚିଲା।ଖୁସିରେ ମୋତେ ଆସି କୁଣ୍ଢାଇ ପକାଇଲା।ତା ଓଦା ଦେହରେ ତା ଫ୍ରକଟି ପୁରା ଲାଗି ଯାଇଥିଲା।ମୁଁ କେବଳ ହ୍ୟାପ ପ୍ୟାଣ୍ଟଟି ପିନ୍ଧିଥିଲି।ଖାଲି ଦେହରେ ଲିପ୍ସା ଯେପରି ଚିପି ହୋଇ ଯାଇଥିଲା ମୋ ଦେହରେ।ମୁଁ ବି ଖୁସିରେ ତାକୁ ଜାବୁଡି ଧରିଲି।ତା ଛାତି ମୋ ଛାତିରେ ଲାଗିବାରୁ ଏକ ଅଦ୍ଭୁତ , ବିଚିତ୍ର ଅନୁଭବ ମୋତେ କଲା।ତା ଛାତିରେ ଯେମିତି ନିଆଁ ଜଳୁଥିଲା।ମୋ ଛାତିରେ ସେ ନିଆଁ ପାଏଁ କରି ଗଳିଗଲା।ମୁଁ ଆହୁରି ଜୋରେ ତାକୁ ଚାପି ଧରିଲି।ସେ ଖିଲି ଖିଲି ହସୁଥିଲା।ତା ପିଠି ରେ ମୋ ହାତ ଛକି ପଡିଥିଲା।ତା ହାତ ମୋ ଅଣ୍ଟା ଚାରିପଡ଼େ ଗୁଡେଇ ହୋଇଥିଲା।

   

    ବାପୁ ତାଳି ମାରି ନାଚୁଥିଲା।ବଢିଆ ହୋଇଛି ଦି ଆଜି ଓଦା ହେଲା।ଏ... ଏ..

    

    ମୁଁ ଜାଣି ପାରୁ ନଥିଲି କିଛି; ଲିପ୍ସାକୁ ନିଜ ଛାତିରେ ଜଡାଇ ଧରିବାରେ ମୋତେ ଏମିତି ଗୋଟେ ନୂଆ ଅନୁଭବ ଲାଗୁଛି କାହିଁକି।ଯେଉଁଟା କି ମୋତେ ଅତି ମାତ୍ରାରେ ଭଲ ଲାଗୁଛି।ସେଇ ଓଦା ସର ସର ଗାଲରେ ତାକୁ ଗୋଟେ ଚୁମା ଦେଇ ଦେଲି। ତା ଅଣ୍ଟା ପାଖରୁ ଧରି ଟିକେ ଉପରକୁ ଟେକି ଦେଲି।ସେ ଆକାଶକୁ ଚାହିଁ,ହାତ ମେଲାଇ ଖୁବ୍ ଖୁସିରେ କହୁଥିଲା ମୁଁ ଛେଳି ନୁହେଁ ଆଜିଠୁ ବାଘ।ନାନୀ, ମାଆ ଦେଖିବ ଆସ।ମୋତେ ବର୍ଷା ଆଉ ଡରେଇବ ନାହିଁ।ହେ ହେ।ମୁଁ ଦେଖୁଥିଲି ଲିପ୍ସାର ଖୁସି।ମୋତେ ଲାଗୁଥିଲା ଏମିତି ଦିନ ସାରା ବର୍ଷା ହୁଅନ୍ତାକି ମୁଁ ଲିପ୍ସାକୁ ଉପରକୁ ଟେକି ବୁଲୁଥାନ୍ତି।

    

    ମୋ ହାତ କଣ ହୋଇଗଲା।ଲିପ୍ସାକୁ ଧୀରେ ତଳେ ଠିଆ କରାଇଲି।ଆଉ କେଉଁ ଦିନ ହୋଇଥିଲେ ତଳେ ଧାଲୁ କିନା କଚାଡି ଦେଇ ଥାଆନ୍ତି।ସେଦିନ ଲିପ୍ସା ମୋ ଛାତିରେ ତା ଛାତିର ନିଆଁ ଭରିଦେଲା ପରେ ତାକୁ କିଛି ବି କଷ୍ଟ ଦେବାକୁ ଇଛା ହେଲା ନାଇଁ।ଆଉ ଥରେ ତାକୁ କୋଳେଇ ନେଇ କହିଲି ଭଲ ଲାଗିଲା ନା ବର୍ଷା!!

     

    ସେ ଟିକେ ଗମ୍ଭୀର ହୋଇ କହିଲା ନା ,ବର୍ଷା କେବଳ ପୋଡିଲା।କିନ୍ତୁ ଭଲ ଲାଗିଲା ତୋ ଜାବୁଡି ଧରିବା,ତୋ ଚୁମା ଦେବା, ମୋତେ ଉପରକୁ ଟେକି ମୋ ଫ୍ରକରେ ତୋ ମୁହଁ ଗୁଞ୍ଜିବା।ମୋତେ ଭଲ ଲାଗିଲୁ ତୁ ଓ ତୋ ଖୋଲା ଓଦା ଦେହ।କଣ ଅଛି ତୋ ପାଖରେ କି ଏମିତି ଭଲ ଲାଗିଲା! ଲିପ୍ସା ଅବୁଝା ଆଖିରେ ତାରା ଭର୍ତ୍ତୀ ପ୍ରଶ୍ନ।

    

    ତାପରେ ଲିପ୍ସା ମୋଠୁ ଅଲଗା ହୋଇ ଚକା ଚକା ଭଉଁରୀ ଖେଳି ଖିଲି ଖିଲି ହସି" ବୋଲୁଥିଲା ଚକା ଚକା ଭଉଁରୀ ବର୍ଷାରେ ନିଆଁ ଅଛି ମୁଁ ତୁଚ୍ଛା ଟାରେ ଡରିଲି।ଛେଳି ନୁହେଁ ବାଘ ମୁଁ ଶିକାରଟେ ପାଇଲି"।

     

     ବାପୁ ରଡି ଛାଡିଲା ମାଆ, ନାନୀ ଦେଖିବ ଆସ ଦି ବର୍ଷାରେ ଓଦା ହୋଇ ଗୀତ ଗାଉଛି।ମାଇଁ ଓ ଲିପ୍ସା ମାଆ ଦଉଡ଼ି ଆସିଲେ ଛାତ ଉପରକୁ।ଲିପ୍ସାକୁ ଏତେ ଖୁସି ହେବା ଦେଖି ତାଜୁବ୍ ହୋଇ ଗଲେ।ବର୍ଷା ଠୋପେ ଦେହରେ ପଡ଼ିଲେ ଯେ କାନ୍ଦି ଉଠେ,ଘରେ କୋଣେ ଲୁଚେ,ସେ ଆଜି ଚକା ଚକା ଭଉଁରୀ ଖେଳି ଗୀତ ଗାଉଛି ବର୍ଷାରେ!!!

    

   ଲିପ୍ସା ମାଆ ଟାଣି ନେଲେ ତାକୁ।ଆଲୋ ଏତେ ଓଦା ହେଲେ ଜର ହୋଇଯିବ ମା।ସେ କିନ୍ତୁ ଗାଉଥିଲା ବର୍ଷାରେ ନିଆଁ ଅଛି,ମୁଁ ଛେଳି ନୁହେଁ ବାଘ।।ମୁଁ ବି ଆଶ୍ଚର୍ଯ୍ୟ ହେଲି କଣ ହେଲା ହଠାତ୍ ଲିପ୍ସାର! ତା ଡର କୁଆଡେ ଗଲେ! ତାର ହାତ ମେଲେଇ ଉପରକୁ ମୁହଁ ଟେକି ଧୀରେ ଧୀରେ ବୁଲିବା ମୋତେ ଏତେ ଖୁସି ଦେଉଛି କାହିଁକି !

 

    ସତକୁ ସତ ସେଦିନ ଲିପ୍ସାକୁ ଜର ହୋଇଗଲା।ମାଇଁ ଚିଡିଲେ ମୋତେ।ଲିପ୍ସା ଜରରେ ବିଳି ବିଳଉଥିଲା ବର୍ଷାରେ ନିଆଁ ଅଛି।ମୁଁ ଛେଳି ନୁହେଁ ବାଘ।ବାପୁ ବି ଗାଳି ଖାଇଲା।ଆମେ ଦୁହେଁ ଚିଡାଇ ଲିପ୍ସାର ଏପରି ଅବସ୍ଥା କରିଛୁ ବୋଲି।ମୁଁ ରାତି ସାରା ଜଗି ବସି ଥିଲି ଆଖି ପିଛଡ଼ା ନପକାଇ।ତା କପାଳ ଆଉଁସୁଥିଲି।ସତ ତ ଆମ ପାଇଁ ଲିପ୍ସାର ଏ ଅବସ୍ଥା।ତାପର ଦିନ ମୁଁ ମାଇଁ ସାଙ୍ଗରେ ଘରକୁ ଫେରିଲି।କିନ୍ତୁ ମନଟି ବନ୍ଧା ପକେଇ ଦେଇ ଆସିଲି ଲିପ୍ସା ପାଖେ।

   

   ଜର ପନ୍ଦର ଦିନ ଯାଏ ଲାଗି ରହିଲା ଲିପ୍ସାକୁ। ଥଣ୍ଡା ଦେହଟା ତାର।ଟାଇଫଏଡ୍ ହୋଇଗଲା ତାକୁ। ତାକୁ ଜର ହେବା ଭୟରେ ଆଉ ମାଇଁ ସଙ୍ଗେ ତାଙ୍କ ଘରକୁ ଯାଇନି କେବେ ବି।

 

     ଏବେ କିନ୍ତୁ ମୋତେ ଚୌରାଳିଶ ବର୍ଷ ଛୁଇଁଲାଣି । ଘର ସଂସାର ବି କଲେଣି।ଦିଟା ପୁଅ ଓ ଝିଅର ବାପା ।କେତେ ବର୍ଷା ଋତୁ ଓଦା କଲାଣି, କରୁଛି ଏବେ ବି।କିନ୍ତୁ ଲିପ୍ସାକୁ ଜାବୁଡି ଧରି ଓଦା ହେବା ଆନନ୍ଦ କେବେ ବି ମିଳିନି ଏଯାଏ।ସେ କଥା ମନେ ପଡ଼ିଲେ ବର୍ଷା ନ ଥିଲେ ବି ମୋ ଉପରେ ବର୍ଷି ଯାଏ ଅସରାଏ ବର୍ଷା।ମନେ ପଡେ ଲିପ୍ସା ଛେଳି କଥା।ବହେ ହସେ ମନେ ସେ କୋମଳ କୈଶୋର ପ୍ରାଣର ପାଗଲାମୀ କଥା ଭାବି।ହା ହା ଲିପ୍ସା ପୁଣି ଛେଳି!!! 

    

    ସେଇ ଛେଳିଟା ଏବେ ସତସତିକା ଜଣେ ବାଘ ପୋଲିସ୍ ଅଫିସର,ଲିପ୍ସା ଚୌଧୁରୀ।ସେ ମୋ ପରି କଣ ମନେ ପକାଉଥିବ ସେଇ ବର୍ଷାର ନିଆଁ କଥା !ମନେ ଥିବ ତାର ସେ ଛେଳିରୁ କେମିତି ବାଘ ହେଲା!

     ଜୀବନରେ ଅନେକ ବର୍ଷା ଆସି ଗଲେଣି।କିନ୍ତୁ ଲିପ୍ସା ସହ ଓଦା ହୋଇଥିବା ସେଦିନର ବର୍ଷା ନିଆଁ ଡହକ ଏବେ ବି ମୋତେ ପୋଡ଼ି ଛଟପଟ କରେ । ମୋ ପୌଢ଼ ମନ ହଲଚଲ ହୋଇଯାଏ ସେ ସ୍ମୃତି ବାସ୍ନାକୁ ଆଖି ବୁଜି ଆଘ୍ରାଣ କରି। ଆଁ ବର୍ଷା ନିଆଁର କି ଶିହରଣ ।।


Rate this content
Log in

Similar oriya story from Romance