Dr Prateek Pahi

Romance Tragedy

4.6  

Dr Prateek Pahi

Romance Tragedy

ବଡ଼ବିଲ ଏକ୍ସପ୍ରେସ

ବଡ଼ବିଲ ଏକ୍ସପ୍ରେସ

10 mins
359



ସମୟ ସକାଳ 7:15 ହେବ, ଭୁବନେଶ୍ୱର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଗହଳି ହୋଇ ସାରିଥିଲା l 7:30ରେ ପୁରୀରୁ ଆସି ବଡ଼ବିଲ ଅଭିମୁଖେ ଯିବାକୁ ଥିବା 'ପୁରୀ-ବଡ଼ବିଲ ଇଣ୍ଟରସିଟି'କୁ ଅନେକ ଲୋକ ଚାହିଁ ବସିଥାନ୍ତି l ମାତ୍ର ସେ ଭିଡ ଭିତରେ ଗୋଟିଏ ଚେହେରା ବେଶ୍ ବାରି ହୋଇ ପଡୁଥିଲା, ଇଷତ ଗୋଲାପୀ ରଙ୍ଗର ଶାଢୀରେ 26-27 ବର୍ଷର ଗୋରା ଝିଅଟିଏ, ମୁହଁରେ ଅଦମ୍ୟ ଦମ୍ଭ ତଥା ଆଖିରେ ଭିନ୍ନ ଏକ ଚମକ ଦେଖିବାକୁ ମିଳୁଥିଲା ସେ ଝିଅଟିର, ଲାଗୁଥାଏ ସତେ ଯେମିତି ତା ମନ ଆଜି ବହୁତ ଖୁସି, ବ୍ୟସ୍ତତା ଏବଂ ଉତ୍କଣ୍ଠାର ମିଶ୍ରିତ ଭାବନା ସେ ଚେହେରାରୁ ସ୍ପଷ୍ଟ ଜଣା ପଡୁଥାଏ l ଚାହୁଁ ଚାହୁଁ ଠିକ୍ ସମୟରେ ବଡ଼ବିଲ ଇଣ୍ଟରସିଟି ଆସି ପହଞ୍ଚିଗଲା, ତରତର ହୋଇ ଲୋକ ସବୁ ଟ୍ରେନ୍ ଭିତରକୁ ଯିବା ଆରମ୍ଭ କଲେ l ସେ ଭିତରେ ସେ ଝିଅଟି ମଧ୍ୟ ଝରକା ପଟୁ ନିଜ ବ୍ୟାଗଟିକୁ ଗୋଟାଏ ସିଟ୍‌ ଉପରେ ଥୋଇ ନିଜ ବସିବା ସ୍ଥାନ ଅକ୍ତିଆର କରି ସାରିଥିଲା l କିନ୍ତୁ ସେ ଟ୍ରେନରେ ଚଢିବା ବେଳେ ପଛରୁ ଜଣେ ବୟସ୍କ ମହିଳା ତାକୁ କହିଲେ- ଝିଅ ଲୋ, ତୋ ପାଖରେ ମୋ ପାଇଁ ଟିକେ ଜାଗା ରଖିଦବୁ l ଆଜ୍ଞା ମାଉସୀ ଆସନ୍ତୁ- ବୋଲି କହି ସେ ନିଜ ଜାଗାରେ ବସିଲା, ସେ ମହିଳା ଜଣକ ମଧ୍ୟ ସଙ୍ଗେ ସଙ୍ଗେ ଆସି ତା ପାଖେ ବସିଗଲେ ଆଉ ସେ ଝିଅଟିର ମୁଣ୍ଡକୁ ଆଉଁସି କହିଲେ- ଧନ୍ୟବାଦ ଝିଅ, ତୋ ପାଇଁ ସୁବିଧାରେ ବସି ପାରିଲି l ନାଇଁ ମ ମାଉସୀ, ଏଥିରେ ଧନ୍ୟବାଦ କଣ ଦେଉଛନ୍ତି, ସେଇଟା ମୋର କର୍ତ୍ତବ୍ୟ ଥିଲା... ଆଉ ଆପଣ କଣ କେନ୍ଦୁଝର ଯିବେ?- ଝିଅଟି ପଚାରିଲା l ହଁ ଲୋ ଝିଅ, କେନ୍ଦୁଝରର ପୁରୁଣା ବଜାରରେ ମୋ ବାପଘର, ଗୋଟେ ବାହାଘର ଅଛି ତ ସେଥିପାଇଁ ଆସିଛି, ଆଉ ତୋ କଥା କିଛି କହ?-ଗୋଟିଏ ନିଃଶ୍ୱାସରେ ମହିଳା ଜଣକ କହିଗଲେ l ମୋ ନାଁ ଡା. ରଶ୍ମିତା.... କ୍ୟାପିଟାଲ ହସ୍ପିଟାଲରେ ଏଇ ବର୍ଷେ ହେଲା posting ହେଇଛି l 

ମାଉସୀ- ଆଲୋ ସାଙ୍ଗିଆଟା କହୁନୁ?

ରଶ୍ମିତା- Actually ମାଉସୀ, ମୁଁ ଗୋଟେ ଆଦିବାସୀ ଝିଅ, ପୁରା ନାଁ ହେଲା ଡା. ରଶ୍ମିତା ଜୁଆଙ୍ଗ, ଘର ଗୋନାସିକା l 

ମାଉସୀ- ସତରେ ନା କଣ! ଝିଅ ତୁ ବଣୁଆଁ ଜୁଆଙ୍ଗ ମୁଲକରୁ ଏତେ ବାଟରେ ଯାଇ ପହଞ୍ଚି ପାରିଛୁ... ସାବାସ୍...

ରଶ୍ମିତା- ଏତେ ସହଜ ନଥିଲା ମାଉସୀ, କେତେ ଯେ ତିକ୍ତ ମଧୁର ଅନୁଭୂତି ମଧ୍ୟରେ ମୁଁ ଏଠି ପହଞ୍ଚିଛି କହିଲେ ଗୋଟେ ପୋଥି ହେବ!

ମାଉସୀ- ତା ହେଲେ ଆଉ ଡେରି କାହିଁକି ଝିଅ, ଲମ୍ବା ରାସ୍ତା ପଡ଼ିଛି କହିଚାଲ୍ ସବୁ....

ଟ୍ରେନ୍ ଛୁକ୍‌ ଛୁକ୍‌ କରି ଆଗେଇ ଚାଲିଥାଏ.... 


ରଶ୍ମିତା ଆରମ୍ଭ କଲା ତା ଜୀବନର କାହାଣୀ- ମୋ ଜନ୍ମସ୍ଥାନ ଗୋନାସିକା ପାର୍ବତ୍ୟାଞ୍ଚଳ ଅଧୀନସ୍ଥ ନିଘଞ୍ଚ ବନାନୀ ମଧ୍ୟରେ ଥିବା ସୁନ୍ଦର ଉପତ୍ୟକା, ନାଁ ଟି ତା'ର ଜୁଆଙ୍ଗ ପୀଢ l ସେଠାରେ ପାଖାପାଖି ପଚାଶ ହଜାର ଜୁଆଙ୍ଗ ସମ୍ପ୍ରଦାୟର ଲୋକ ବସବାସ କରନ୍ତି l ସେମାନେ ନିଜର ଜୀବିକା ନିର୍ବାହ ପାଇଁ ମୁଖ୍ୟତଃ ଚାଷବାସ,ବାଉଁଶ ଡାଲା ତିଆରି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିର୍ଭର କରନ୍ତି l ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ହେଉଛି ଗୋନାସିକା ପର୍ବତ, ଯାହାକି ପୁରାଣରେ ଗୁପ୍ତଗଙ୍ଗା ନାମରେ ପ୍ରସିଦ୍ଧ ଏବଂ ସେହି ପର୍ବତର ପାଦ ଦେଶରେ ବ୍ରହ୍ମେଶ୍ୱର ମହାଦେବଙ୍କ ମନ୍ଦିର କାହିଁ କେଉଁ କାଳରୁ ବିଦ୍ୟମାନ l ଆମ ଜାତିରେ ଅଧିକାଂଶ ପୁରୁଷ ଚାଷ କରନ୍ତି ଆଉ ସ୍ତ୍ରୀ ଲୋକମାନେ ଘରେ ରହି ରୋଷେଇ ବାସ କରନ୍ତି l ସନ୍ଧ୍ୟା ହେଲେ ସଭିଏଁ ମଣ୍ଡଘରେ ବସି ପରସ୍ପର ଭିତରେ କଥା ହେବା ସହ ନିଆଁ ଜାଳି ରାତ୍ରିର ଶୀତଳତାକୁ ଉପଭୋଗ କରନ୍ତି l ପାଠପଢାରେ ସେମିତି ଏତେ ଗୁରୁତ୍ୱ ନଥାଏ l ମୋର ବାପା ମାଆ ଛୋଟ ବେଳୁ ଚାଲି ଯାଇଥିଲେ ତେଣୁ ମୁଁ ମୋ ମାମୁଁ ଘରେ ରହି ପାଠ ପଢୁଥିଲି l ପଢା ପଢି ଖର୍ଚ୍ଚ ସବୁ Juanga development agency (JDA) କରୁଥିଲା l ସବୁ ପିଲାଙ୍କ ଭିତରେ ମୁଁ ଭଲ ପଢୁଥିଲି ଆଉ ମୋର ଉଚ୍ଚଶିକ୍ଷାରେ ଅନେକ ଆଗ୍ରହ ଥିଲା l ସେ ବର୍ଷ ମୋର ଦଶମ ଶ୍ରେଣୀ ଥିଲା,ଚୈତ୍ର ମାସରେ ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ ହୋଇ ଯାଇଥାଏ l ଏହି ଯାତ୍ରାରେ ବୈତରଣୀ ଘାଟରେ ବୁଡ ଦେଲେ ସକଳ ପାପ ମୋଚନ ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି l ଏଇ ଅବସରରେ ବ୍ରହ୍ମେଶ୍ୱର ଶିବ ମନ୍ଦିର ପାଖରେ ଥିବା ବ୍ରହ୍ମାକୁଣ୍ଡ ଠାରେ ବଡ଼ ମେଳା ପଡେ l ମୁଁ ମୋର କିଛି ସାଙ୍ଗଙ୍କୁ ଧରି ମେଳା ବୁଲିବାକୁ ବାହାରିଲି l ଗଲାବେଳେ ଆମେ ଜୁଆଙ୍ଗ ଭାଷାରେ ଏମିତି କିଛି ଗୀତ ମନରୁ ଫାନ୍ଦି ବୋଲୁଥିଲୁ- 

"ବସୁମାତା ପାଦେ କୋଟିଏ ଜୁହାର 

 ଧର୍ମ ଦେବ ଆମ ରବି,

 ପାହାଡ଼ୀ ମୁଲକେ ଆମରି ଜନମ 

 ସାହା ପୁଣି ଗ୍ରାମଦେବୀ....

 ଗୁପ୍ତଗଙ୍ଗା ତଟେ ଜୁଆଙ୍ଗ ବସତି 

 ଠାଏ ଠାଏ ଦିଶେ ଘର,

 ଘଞ୍ଚ ଶାଳବଣେ ଉଭା ଗ୍ରାମଶିରୀ 

 ନଡିଆ ରଙ୍କୁଣୀ ମୋର 

ଅଳ୍ପ ସମୟ ମଧ୍ୟରେ ଆମେ ଯାତ୍ରା ବୁଲି ବାରୁଣୀ ବୁଡ ପକେଇ ଘରକୁ ଆସିବାକୁ ପ୍ରସ୍ତୁତ ହେଲୁ l ଦେହ ମୋର ଓଦା ସରସର, ଚୁଟି ପୁରା ମୁକୁଳା l ତରତର ହୋଇ ଚାଲିକି ଆସିଲା ବେଳକୁ ଗୋଟେ ସହରୀ ଟୋକା ସହିତ ମୋର ଧକ୍କା ହେଇଗଲା, ହାଏ କି ଲାଜ କଥା.... ମୋ ଛୋପରୀ ସଖୀ ଦଳ ଦାନ୍ତ ଦେଖେଇ ଘୋଡ଼ୀ ପରି ହସୁଥିଲେ 



ସେ ଟୋକା ଦେହରୁ କିଛି ଗୋଟେ exotic perfumeର ବାସ୍ନା ଭାସି ଆସୁଥିଲା, ମୁଁ ଭଲକରି ତାକୁ ଦେଖିଲା ବେଳକୁ black T-shirtରେ ଚିକ୍କଣ ଗୋରା ପିଲାଟିଏ ବୟସ ସେମିତି 23-24 କଣ ହେବ l ତା ଆଖିରେ ମୋ ଆଖି ଚାହୁଁ ଚାହୁଁ ଲାଖିଗଲା ଯେ ଦୁନିଆଁରେ କଣ ଚାଲିଛି ମୁଁ ନିମିଷକ ପାଇଁ ପାସୋରି ଗଲି l ଏ ଭିତରେ ସେପଟୁ ଧିମା ଆବାଜ ଶୁଭିଲା- I'm really sorry, ମୁଁ ଟିକେ ଅନ୍ୟମନସ୍କ ହୋଇ ଆସୁଥିଲି... So... ସେ ପର୍ଯ୍ୟନ୍ତ ମୁଁ ଭାବନା ରାଜ୍ୟରେ ଥିଲି, ଏକଥା ଶୁଣି ମତେ ଏମିତି ଲାଜ ମାଡ଼ିଲା ଯେ ଏକମୁହାଁ ହେଇକି ସେ ଜାଗାରୁ ଧାଇଁଲି ସାଙ୍ଗମାନଙ୍କୁ ଧରି l ସେକଥା ମନେ ପଡ଼ିଗଲେ ଆଜି ବି ହସ ଲାଗେ, ଟୋକାଟା sorry କହିଲା ତାକୁ its okay ବୋଲି କହିବାର ଭଦ୍ରାମି ଏ ଜଙ୍ଗଲୀ ଝିଅ ପାଖେ ସେତେବେଳେ ନଥିଲା l ତହିଁ ଆରଦିନ ଦଶଟା ବାଜିଲା ଆମେ ସବୁ କ୍ଲାସ ଯିବାକୁ ବାହାରିଲୁ, ପ୍ରଥମ ପିରିୟଡ ବିଜ୍ଞାନ ଥିଲା ଆମେ ଶୁଣିବାକୁ ପାଇଲୁ ଯେ କିଏ ଜଣେ ନୂଆ ସାର୍ JDA ତରଫରୁ posting ପାଇଛନ୍ତି l ଠିକ୍ ଦଶଟା ବାଜି ଦଶ ମିନିଟ୍ରେ ସାର୍ ଆସି ପହଞ୍ଚିଗଲେ ଆଉ ସବୁ ପିଲା ଛିଡ଼ା ହୋଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ l ମୁଁ ଟିକେ ପଛ ଆଡ଼କୁ ବସିଥିଲି, ପ୍ରଥମେ ସାରଙ୍କ ମୁହଁ ଦେଖି ପାରିଲିନି l ସମସ୍ତେ ବସି ସାରିବା ପରେ ଯାହା ଦେଖିଲି ପୁରା ଆବାକାବା ହେଇଗଲି!!!... ସେ ସାର୍ ଆଉ କେହି ନୁହନ୍ତି ସେ ଥିଲେ ବାରୁଣୀ ଯାତ୍ରାରର ସେଇ ସହରୀ ଟୋକା!... ସେଦିନ କ୍ଲାସରେ ଆଉ କି ମୋର ମନ ଲାଗେ?... ସାର୍ ଜୈବ ବିବିଧତା ବିଷୟରେ ସୁନ୍ଦର ଭାବେ ଆଲୋଚନା କରୁଥିଲେ... କିନ୍ତୁ ମୁଁ ଲାଜେ ଲାଜେ ମରୁଥିଲି... ବିଲକୁଲ୍ ତାଙ୍କ ମୁହଁକୁ ଚାହିଁ ପାରୁ ନଥିଲି... କାଲିର ସେ ଘଟଣା ପରେ କଣ ଭାବିଥିବେ କେଜାଣି? ଏମିତି ଭାବୁ ଭାବୁ କ୍ଲାସ ଶେଷ ହୋଇଗଲା, ସାର୍ ମଧ୍ୟ ଚାଲିଗଲେ... ଧୀରେ ଧୀରେ ସବୁ କ୍ଲାସ ସରିଲା, ସ୍କୁଲ୍ ଛୁଟି ହେଲା ଆଉ ଆମେ ସବୁ hostelକୁ ଫେରିଲୁ l ରାତିରେ ଖାଇ ସାରିବା ପରେ ବିଛଣା ଧରିଲି... ସବୁଦିନ ଠିକ୍ ସମୟରେ ନିଦ ଆସିଯାଏ.. ହେଲେ ସେଦିନ ଏ ପୋଡ଼ାମୁହାଁ ନିଦ ବି କୁଆଡ଼େ ଉଭେଇ ଗଲା l ଭାରି ବିଚଳିତ ଲାଗିଲା, ଆଗରୁ କେବେ ଏମିତି ଲାଗିନି l ମନକୁ ଆସିଲା ମତେ ପ୍ରେମ ଫ୍ରେମ ହେଲାଣି ନା କିସ? ପୁଣି ମନେ ମନେ କହିଲି ଛି ଛି ମୋ ଭଳି ଗୋଟେ ଆଦିବାସୀ ଝିଅକୁ ସେ କିଆଁ ପସନ୍ଦ କରିବେ? ରାତି ଅଧରେ କଣ ମନ ହେଲା ଯେ ଆଇନା ଆଣି ମୁହଁ ଦେଖିଲି, ପୁଣି ସଭିଙ୍କୁ ଲୁଚେଇ ଚାପି ଚାପି ହସିଲି... ଏତିକି ବେଳେ ମୋର ଗୋଟେ ସାଙ୍ଗ ପାଖ ବିଛଣାରୁ ଥାଇ କହୁଛି- ଆଲୋ ସଇ,ରାତି ଅଧରେ ଆଇନା କିସ ପାଇଁ ଯେ ଦେଖୁଛୁ? ମନ ଚୁରେଇନେଲା କି ପରଦେଶୀ...?

ଧେତ୍‌.... କହି ମୁଁ ବିଛଣାରେ ଗଡି ପଡିଲି 



ଆଗାମୀ ଦିନ ବାଳୁତ ସୂର୍ଯ୍ୟଙ୍କ କୋମଳ କିରଣ ମୋ ମୁହଁକୁ ଛୁଇଁବାକୁ ଆରମ୍ଭ କଲା, ମୁଁ ଭିଡ଼ି ମୋଡି ହୋଇ ଉଠିଲି l ଝରକା ଖୋଲି ପଦାକୁ ଚାହିଁଲା ବେଳକୁ ସକାଳର ମତୁଆଲା ପବନ ସାଙ୍ଗକୁ ବାସନ୍ତିକ ଲୋଭନୀୟ ପରିବେଶ ମୋ ଅବଚେତନ ପ୍ରାଣରେ ସାତ ରଙ୍ଗ ଭରିଦେଲା l କୋଉ ଅଜଣା ଦେଶରୁ ଚିତ୍ରକରଟିଏ ଆସନ୍ତାନି... ମୋ ସୁଢ଼ଳ କାୟାରେ ପ୍ରୀତି ଫଗୁଣର ଲାସ୍ୟମୟୀ ରୂପ ସମ୍ଭାର ଆଙ୍କି ଦେଇ ଯାଆନ୍ତା ଅବା କେଉଁଠୁ ଆସନ୍ତା ସଙ୍ଗୀତଜ୍ଞଟିଏ... ମୋ ମନ ବୀଣା ତାରେ ପ୍ରେମର ମଧୁର ମୂର୍ଚ୍ଛନା ଭରି ସୃଷ୍ଟି କରନ୍ତା କୋକିଳର ପଞ୍ଚମ ସ୍ୱର l କିନ୍ତୁ ଆଖି ସାମ୍ନାରେ ମୋ ମନର ମଣିଷ ଥାଇ ମଧ୍ୟ ଆମ ଭିତରେ କେତେ ଯେ ଦୂରତା... କେବେ କଣ ସେ ଦୂରତାକୁ ଅତିକ୍ରମ କରି ପାରିବି ମୁଁ?... ଏମିତି ଭାବୁ ଭାବୁ ସ୍କୁଲ୍ ସମୟ କୁଆଡ଼େ ହେଇଗଲା ଜଣା ବି ପଡ଼ିଲାନି l ମୁଁ ସ୍କୁଲ୍ ଯାଇ ପିଅନ ପାଖରୁ ନୂଆ ସାରଙ୍କ ନାଆଁ ପଚାରିଲାରୁ ସେ କହିଲା- ଆଶିଷ ଛୋଟରାୟ,ଘର ଖୋର୍ଦ୍ଧାର କୋଉ ଗୋଟେ ଗାଆଁ, କିନ୍ତୁ ଭୁବନେଶ୍ୱରରେ ରହନ୍ତି l ସେଦିନ ମଧ୍ୟ ସେ କ୍ଲାସକୁ ଆସିଲେ ମାତ୍ର ମୋ ଉପରେ ଥରଟେ ନଜର ସୁଦ୍ଧା ପକେଇଲେନି l ମୋ ହୃଦୟଟା କିଛି ସମୟ ପାଇଁ ଭାଙ୍ଗିଲା ନିଶ୍ଚିତ,ହେଲେ ପରେ ନିଜକୁ ବୁଝେଇ ଦେଲି ଯେ ସେ ବଡ଼ ବଡ଼ିଆ ଲୋକ ବିଖ୍ୟାତ କଟକର ଧବଳ ଟଗର ଆଉ ମୁଁ ଅଖ୍ୟାତ ବଣମଲ୍ଲୀ... ଆମେ କେମିତି ସମାନ ହେବୁ? ତା ପର ଦିନ ରବିବାର ଥାଏ, ଆମକୁ ଖବର ମିଳିଲା କି JDAର ସବୁ staff ପିଲାମାନଙ୍କ ସହ ଗୁପ୍ତଗଙ୍ଗା ବୁଲିବାକୁ ଯିବେ ପୁରା ବଡି ସକାଳୁ l ତେଣୁ ରାତିରେ ଆମେ ଶୀଘ୍ର ଶୋଇ ପଡ଼ିଲୁ l ତା ପର ଦିନ ଭୋର ରୁ ଉଠି ଗାଧୁଆପାଧୁଆ ସାରି ଚାଲିଲୁ ଗୁପ୍ତଗଙ୍ଗା ଅଭିମୁଖେ l ଗୋନାସିକା ପର୍ବତର ପାଦ ଦେଶରେ ପହଞ୍ଚିବା ପରେ ଅଳ୍ପ କିଛି ପାହାଚ ଅତିକ୍ରମ କରି ସାରିଲେ ଆସିବ ମାଆ ବୈତରଣୀର ଉତ୍ପତ୍ତିସ୍ଥଳ l ଆମ ଆଦିବାସୀ ସଂସ୍କୃତିରେ ମାତୃ ଉପାସନାର ସ୍ୱାତନ୍ତ୍ର୍ୟ ରହିଛି,ଏହା ଭାରତ ବର୍ଷର ସର୍ବ ପ୍ରାଚୀନ ପରମ୍ପରା l ଯେପରି ତନ୍ତ୍ରରେ ଆଦିଶକ୍ତି ଙ୍କୁ ମହାଦେବଙ୍କ ଠାରୁ ଉର୍ଦ୍ଧ୍ୱ ସ୍ଥାନରେ ରଖାଯାଏ, ଠିକ୍ ସେମିତି ଆମ ବିଶ୍ୱାସରେ ପ୍ରସ୍ତର/ବୃକ୍ଷ ତଥା ନଦୀ ସମୂହର ଆରାଧନା ଉତ୍କଳୀୟ ଶାକ୍ତ ପ୍ରଭାବକୁ ସମୃଦ୍ଧ କରେ l ମୁଁ ମାଆ ପାଇଁ ଡାଲାରେ ଧୂପ,ଦୀପ କିଛି ଫୁଲ ଆଉ ଭୋଗ ସକାଶେ ଖଇ ଧରି ଉପରକୁ ଗଲି l ସମସ୍ତେ ଉତ୍ପତ୍ତିସ୍ଥଳ ଦେଖି ମାଆକୁ ମୁଣ୍ଡିଆ ମାରି ପର୍ବତ ମାଳାର ଭିନ୍ନ ଭିନ୍ନ ଅଂଶକୁ ଚାଲିଗଲେ l ମୁଁ ଭୋଗ କରିବାକୁ କିଛି ସମୟ ରହିଲି, ଦୀପ ଜାଳି ମାଆକୁ ଦଣ୍ଡବତ କଲି l ଏହି ସମୟରେ ପଛରୁ ଗୋଟେ ଚିହ୍ନା ସ୍ୱର ଶୁଭିଲା- ମାଆଙ୍କୁ କଣ ମାଗିଲ? ମତେ ମାଗିଲ ତ.... ମୁଁ ବୁଲିପଡି ଦେଖେ ତ ଆଶିଷ ସାର୍!!!... ହେଲେ ମୁଁ କିଛି କହିବା ଆଗରୁ ସେ କହିଦେଲେ- I luv u!!!!


ଏଭଳି ଅକସ୍ମାତ ପ୍ରେମ ପ୍ରସ୍ତାବ ଶୁଣି ମୁଁ ଆଶ୍ଚର୍ଯ୍ୟ ଚକିତ ହେଲି ସତ କିନ୍ତୁ ମନେ ମନେ କୁରୁଳି ଉଠିଲି l ଟିକେ ଭଲେଇ ଦେଖେଇ କହିଲି- ହେଲେ ସାର୍... ମୁଁ ଗୋଟେ ଜୁଆଙ୍ଗ ଝିଅ... ଆପଣଙ୍କ ଘରେ ରାଜି ହେବେ ତ? ସେସବୁ ମୋ ଉପରେ ଛାଡିଦିଅ... ତୁମେ ନିଶ୍ଚିନ୍ତ ରୁହ-ବୋଲି ଆଶିଷ ସାର୍ ମତେ ସାନ୍ତ୍ୱନା ଦେଲେ l ମୋ କାହାଣୀ କହୁ କହୁ ମୁଁ ଟିକେ ରହିଗଲି ଆଉ ମନ ଖୋଲି ହସିଲି l 

ମାଉସୀ- ଆଲୋ ତା ପରେ କଣ ହେଲା ବା,ଏମିତି ଅଧାରେ ଛାଡିବା ଠିକ୍ ନୁହଁ l ମୁଁ ପୁଣି ଆରମ୍ଭ କଲି- ଆଶିଷ ସାରଙ୍କ guidanceରେ ମୁଁ ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ୍ କଲି ତା ପରେ ଭୁବନେଶ୍ୱର ସ୍ଥିତ KISS କ୍ଯାମ୍ପସରେ 2 sc ପଢା ଶେଷ କଲି l KISSରେ ପଢିବା ବେଳେ ସାର୍ ତାଙ୍କ ଘରକୁ ଆସିଲେ ମତେ ଦେଖିବାକୁ ଆସନ୍ତି ଆଉ ଆମେ ଶିଖରଚଣ୍ଡୀ ପାହାଡ ଉପରେ ମାଆଙ୍କୁ ଦର୍ଶନ କରି ବେଶ୍ କିଛି ସମୟ ଅତିବାହିତ କରୁ l ଏହାପରେ କଟକ SCBରେ ମୋର MBBS ପାଇଁ admission ହେବା ସହ ସାରଙ୍କ posting ହୁଏ JKBK କଲେଜ କଟକରେ zoology ବିଭାଗରେ l ଏ ଭିତରେ ଆମ ସମ୍ପର୍କ ପାଇଁ ସାର୍ ତାଙ୍କ ଘରେ ରାଜି କରି ସାରିଥିଲେ ଆଉ ମୋ ମାମୁଁ ମାଇଁଙ୍କର ଅରାଜି ହେବାର ପ୍ରଶ୍ନ ହିଁ ନଥିଲା l ମୋ 2nd yrରେ ହିଁ ଆମର engagement ହୋଇଗଲା l କିନ୍ତୁ ବାହାଘର ପାଇଁ ମୋର internship ସମୟକୁ ଆମେ ଠିକ୍ ହେବ ବୋଲି ସ୍ଥିର କଲୁ l ମାତ୍ର ଏହି ବ୍ୟବଧାନରେ ପରସ୍ପର ମଧ୍ୟରେ କିଞ୍ଚିତ ଭାବ ଆଦାନପ୍ରଦାନ ସକାଶେ ଥରେ ଆମେ କୋଣାର୍କ-ପୁରୀ marine drive ଆଡ଼େ ବୁଲି ଯାଇଥିଲୁ ସନ୍ଧ୍ୟା ସମୟରେ l ଚନ୍ଦ୍ରଭାଗା,ବାଲୁଖଣ୍ଡ,ରାମଚଣ୍ଡୀ ଆଦି ବୁଲୁ ବୁଲୁ ରାତି ହେଇଗଲାl ତା ପରଦିନ ରବିବାର ଥାଏ ତେଣୁ ଆମେ ଆଉ ନ ଫେରି mayfair beach resortରେ ରାତ୍ରି ଯାପନ କଲୁ l ଆମ ରୁମ୍ ଭିତରୁ ସମୁଦ୍ରର ରାତ୍ରି କାଳୀନ ଭୀମ ଭୈରବ ରୂପ ଦେଖି ମୁଁ ଅଭିଭୂତ ହୋଇ ପଡିଲି l ଆକାଶରୁ ଫୁଲେଇ ଜହ୍ନ ସତେ ଅବା ଅମୃତ ଢ଼ାଳୁଚି,ତାରାଗଣ ସତେ କି ଚାହିଁ ବସିଛନ୍ତି ମୋ ପ୍ରେମ ଗଳ୍ପରେ ସାମିଲ୍ ହେବାକୁ l scented candlesର ମହମହ ବାସ ତନ ମନକୁ ଚଗଲା କଲାଣି, ମଧୁଶେଯର ପ୍ରତିଟି ଗୋଲାପ ପାଖୁଡ଼ା ମତେ ହାତ ଠାରି ଡାକିଲେଣି l ଏ ଅନ୍ତରଙ୍ଗ ମୁହୂର୍ତ୍ତରେ ଯେତେବେଳେ ମୋ ତୃଷାର୍ତ୍ତ ଓଠରେ ତାଙ୍କ ଓଠ ମିଶିଲା, ମୋ ଶିରା ପ୍ରଶିରାରେ ଖେଳିଗଲା ଉତ୍ତପ୍ତ ଶିହରଣ l ମୋର ଅଙ୍ଗ ଅଙ୍ଗ ତାଙ୍କରି ନାମକୁ ଜପୁଥିଲା l ମିଶିଗଲି ତାଙ୍କ ପ୍ରାଣ ସହ, ମିଶିଗଲି ତାଙ୍କ ସତ୍ତା ସହ, ମିଶିଗଲି ତାଙ୍କ ଚିନ୍ତା ସହ,ମିଶିଗଲି ତାଙ୍କ ଆତ୍ମା ସହ.... ସମର୍ପି ଦେଲି ଏ ଦେହ ଦେଉଳ!




ମାଉସୀ ଛିଗୁଲେଇ କହିଲେ- ଆଲୋ ଆଲୋ!!!... ବାହାଘର ଆଗରୁ ସବୁ ଶେଷ... ରଶ୍ମିତା ଲାଜରେ ଚୁପ୍ ରହିଗଲା l ଏହା ଦେଖି ମାଉସୀ ପୁଣି କହିଲେ- ଆଲୋ ନାଇଁ ବା,କଥା କଣ କି ଆମ ସମୟରେ ଥିଲା ଡିବିରି ଆଲୁଅ,ସିଏ ମିଞ୍ଜି ମିଞ୍ଜି ହେଇ ଜଳିବ... ଆଲୋ ସେଥିରେ ତ ମୁହଁ ଦିଶିବନି ଆଉ romance କଥା ଦୂରେ ଥାଉ,ତଥାପି ମୁଁ ଚାରିଟି ଛୁଆ କରି ଦେଇଛି ନା... (କହି ହସି ହସି ଗଡିଗଲେ ସେ) ହଉ ସେ କଥା ଛାଡ ତା ପରେ କଣ ହେଲା କହ? ରଶ୍ମିତା କହିଲା- କିଛି ଦିନରେ ମୋର internship ଆରମ୍ଭ ହୋଇଗଲା... ଆଉ ଆମ ବାହାଘର ପାଇଁ ତିଥି ଠିକ୍ ହୋଇ ସାରିଥିଲା l ମୁଁ ଗୋଟାଏ ସପ୍ତାହ ଛୁଟି ନେଇ ମୋ ଗାଆଁକୁ ଗଲି l ଆଶିଷ ସାର୍ ମୋ ଘର ଅବସ୍ଥା ଜାଣିଥିଲେ,ତେଣୁ ସେ ଯଥେଷ୍ଟ ଆଗରୁ କହି ଦେଇଥିଲେ କି ବରଯାତ୍ରୀ ସେମିତି କେହି ଆସିବେନି ତାଙ୍କ ପରିବାର ଲୋକଙ୍କୁ ଛାଡି... ଆଉ ବାହାଘର ଘରେ ନକରି ଗ୍ରାମଦେବୀ ମାତାଙ୍କ ମନ୍ଦିରରେ କରିବା ପାଇଁ l ବାହାଘର ଦିନ ସକାଳୁ ଉଠି ଆମ ପରମ୍ପରା ଅନୁସାରେ ମୁଁ ହଳଦୀ ମାଖି ଗାଧେଇ ପଡିଲି ଆଉ ତା ପରେ ଆଶିଷ ଭିକ୍ଷା ପାଇଁ ଶାଳ ଠାକୁରାଣୀ ଆସ୍ଥାନ ଆଡ଼େ ଗଲି l ସେଠାରେ ଦେହୁରୀ ମୋର ମଙ୍ଗଳକୃତ୍ୟ ସମ୍ପନ୍ନ କଲେ l ବାହା ବେଳାକୁ ଆଉ ମାତ୍ର ଦୁଇ ଘଣ୍ଟା ବାକି ଥାଏ,ପୂଜାରୀ କହିଲେ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇ ଆସିବାକୁ l ତରତର ହୋଇ ସଖୀ ମାନଙ୍କ ସହିତ ମୁଁ ଘରକୁ ଆସୁଥିଲି... ବାଟରେ ଗୋଟେ call ଆସିଲା ମୋ ଫୋନରେ ଯାହାକି ମୋ ହସ ଖୁସିର ଦୁନିଆଁକୁ ଛାରଖାର କରିଦେଲା l ରଶ୍ମିତାର ଆଖି ଛଳ ଛଳ ହେଇଗଲା,ସେ ଆଉ କିଛି କହି ପାରିଲାନି.... ମାଉସୀ ତା ପାଖକୁ ଗଲେ ତାକୁ କୁଣ୍ଢେଇ ଧରି ପଚାରିଲେ- କାନ୍ଦେନି ଝିଅ, ତୋର ଇଚ୍ଛା ଯଦି ଅଛି ତା ହେଲେ ତୋ ଜୀବନର ଦୁଃଖକୁ ମୋ ଆଗରେ କହ... ମୁଁ ବାଧ୍ୟ କରିବିନି... ଆଖି ଲୁହକୁ କାନିରେ ପୋଛି ସେ ପୁଣି ଆରମ୍ଭ କଲା- ଆଶିଷ ସାର୍ ତାଙ୍କ familyର କିଛି ଲୋକଙ୍କୁ ଧରି ବାହାଘର ପାଇଁ ଆସୁଥିଲେ, କେନ୍ଦୁଝର town ସୀମା ଟପିଲା ପରେ ଜୁଡ଼ିଆ ଘାଟି ଉପରେ ଗୋଟେ ଦଶ ଚକିଆ ଟ୍ରକ ସହ ତାଙ୍କ ଗାଡି ଧକ୍କା ହେଇ ପାହାଡ ତଳକୁ ଖସି ପଡ଼ିଲା l ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା l ଖବର୍ ପାଇ ମୁଁ ମୋ ମାମୁଁ ମାଇଁଙ୍କ ସାଥେ ତୁରନ୍ତ ସେଠାକୁ ଗଲି l 

ହେଲେ ସେଠାରେ ପହଞ୍ଚିବା ବେଳକୁ ସବୁ ଶେଷ ହୋଇଯାଇଥିଲା, ସେ ମତେ ଏକା କରି ସବୁଦିନ ପାଇଁ ସେପାରିକୁ ଚାଲିଗଲେ, ମୋ ଗର୍ଭରେ ତାଙ୍କ ପ୍ରେମର ସନ୍ତକ ରଖି...



ତା ପରେ ତୁ କଣ କଲୁରେ ମା' ତୋ ଛୁଆ???!!!- ମାଉସୀ ବ୍ୟସ୍ତ ହୋଇ ରଶ୍ମିତାକୁ ପଚାରିଲେ l ରଶ୍ମିତା ଉତ୍ତର ଦେଲା- କଣ ଆଉ ହବ ମାଉସୀ... ସାରଙ୍କ ଘର ଲୋକେ ସବୁ ଜାଣିଲା ପରେ ବି ମତେ ବିଲକୁଲ୍ accept କଲେନି କହିଲେ abortion କରି ଆଉ କୋଉଠି ବାହା ହେଇଯା l ଆହୁରି ବହୁତ ଲୋକ ବହୁତ କଥା ମତେ ଶୁଣେଇ ଦେଲେ,କେତେ ଯେ ନିନ୍ଦା ଅପବାଦ ମତେ ଶୁଣିବାକୁ ପଡ଼ିଲା ତା'ର ସୀମା ନାହିଁ l କିନ୍ତୁ ମୁଁ କାହା କଥା କିଛି ନ ଶୁଣି ମୋ ପିଲାକୁ ଜନ୍ମ ଦେଲି... ଯଦି ମୁଁ ପାପ କରିଛି ତେବେ ପ୍ରାୟଶ୍ଚିତ ବି ମୁଁ ହିଁ କରିବି, ସେ ନିଷ୍ପାପ କାହିଁକି ଶାସ୍ତି ଭୋଗିବ l ଏସବୁ କରିବାରେ ମୋ ମାମୁଁ ମାଇଁଙ୍କ ସହଯୋଗ ମୁଁ ଜୀବନରେ କେବେ ଭୁଲିବିନି ମାଉସୀ, ହୁଏତ ସେମାନେ ନଥିଲେ ମୁଁ କିଛି କରିପାରିନଥାନ୍ତି l ମୋର internship ସରିବା ବେଳକୁ ମୋ ପୁଅ ଜନ୍ମ ହେଲା,ମାଇଁ ଆସିକି ମୋ ପାଖରେ ରହିଲେ ଖାସ୍ ମୋ ପୁଅକୁ ଦେଖାଶୁଣା କରିବେ ବୋଲି l ତା ପରେ ମୁଁ PG କଲି,ଖାଲି ମାଇଁ ଥିଲେ ବୋଲି ସବୁ କାମ ସୁରୁଖୁରରେ ହେଇଗଲା l ପୁଅ ଯେମିତି ତିନି ବର୍ଷ ବୟସର ହେଇଗଲା ମାଇଁ ତାକୁ ଆମ ଜଙ୍ଗଲୀ ଗାଆଁ ବୁଲେଇ ନେବେ ବୋଲି କହି କିଛି ଦିନ ପାଇଁ ଗୋନାସିକା ନେଇକି ଗଲେ l ହେଲେ ସେ ଟୋକା ଏମିତି ସେ ଜାଗା ପ୍ରେମରେ ପଡ଼ିଲା ଯେ ଆସିବାକୁ ନାରାଜ, ମୁଁ ବି ଆଉ ବାଧ୍ୟ କଲିନି କିନ୍ତୁ ମାସକୁ ଥରେ ଯେମିତି ହେଲେ ଆସେ ମୋ ଧନକୁ ଦେଖିବା ପାଇଁ, ସେ ବି ମତେ ନଦେଖିଲେ ବ୍ୟସ୍ତ ହେଇଯାଏ l ଜାଣିଛନ୍ତି ମାଉସୀ ଏଥର ତା admission କରିଦେଲି JDA ରେ, ପାଞ୍ଚ ବର୍ଷର ହେଇଗଲାଣି ଧନ ମୋର l ସମସ୍ତେ କହୁଥିଲେ ନିଜେ ରାଜଧାନୀରେ ରହି ଛୁଆକୁ ଅପନ୍ତରାରେ ପଢ଼ଉଚୁ, ଧନ୍ୟ କହିବ ତତେ l ମୁଁ କହିଲି- ତା ଖୁସିରେ ମୋ ଖୁସି... ତାକୁ ଯଦି ସେ ଜାଗାରେ ଭଲ ଲାଗୁଛି ମୁଁ କାହିଁକି ମନା କରିବି l ଏତିକି ବେଳେ ଟ୍ରେନ୍ର ଗତି ଧୀରେ ଧୀରେ କମିଲା,ମାଉସୀ ଝରକା ପଟେ ବାହାରକୁ ଦେଖି କହିଲେ- ଝିଅ ଲୋ ଆସିଗଲା ଆମ କେନ୍ଦୁଝର,ଚାଲ୍ ଯିବା... ତୁ ଯାହା କରିଚୁ ସବୁ ଠିକ୍ କରିଚୁ ମୁଁ ତୋ ସାଥୀରେ ସଦାବେଳେ ଅଛି,ମୋ ଫୋନ ନମ୍ବର୍ ରଖ ଭୁବନେଶ୍ୱର ଗଲେ ପୁଅକୁ ନେଇ ମୋ ଘରକୁ ଆସିବୁ l ଏହାପରେ ମାଉସୀ ତାଙ୍କ ବାଟରେ ଚାଲିଲେ ଆଉ ରଶ୍ମିତା ଚାଲିଲା ଗୋନାସିକା ଅଭିମୁଖେ l ସେ ପ୍ରଥମେ ଗୁପ୍ତଗଙ୍ଗା ଯାଇ ମାଆକୁ ମୁଣ୍ଡିଆ ମାରି ଉଠୁଥିଲା,ପଛରୁ ଛୋଟ ଛୁଆର ଶବ୍ଦ ଶୁଭିଲା- ମାମା, କନ ମାଗିଲ ମାଆଙ୍କୁ? ମୋ ପାଇଁ କିଛି ମାଗିଚ ତ? ରଶ୍ମିତା ପଛକୁ ବୁଲି ଦେଖେ ତ ସେଇ ଆଖି,ସେଇ ନାକ,ସେଇ ପାଟି,ସେଇ ଓଠ... ସତେକି ଆଶିଷ ତା କୋଳକୁ ଫେରି ଆସିଛି... ମନେ ମନେ ହସିଲା ଆଉ କହିଲା- ଟୋକା ଗୋଟାପଣେ ବାପ ଗୁଣକୁ ଛିଣ୍ଡେଇ ଆଣିଛି (ସମାପ୍ତ)



Rate this content
Log in

Similar oriya story from Romance