Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ବଣମଲ୍ଲିର ପ୍ରେମ

ବଣମଲ୍ଲିର ପ୍ରେମ

5 mins
170


ଆଜି ଏହି ଘଟଣାର ବର୍ଣ୍ଣନା କଲାବେଳେ ସୁନ୍ଦର ଢଗଟିଏ ମନେପଡ଼ିଲା :


ପୁଅକୁ ହେଲାଣି ସତର,

ବାପା କହେ ମୋତେ ଅଠର ।।

ଏହି କାହାଣୀ ସେମିତି ଏକ ଘଟଣା ଉପରେ ଆଧାରିତ। ପଚିଶ ବର୍ଷର ସଂସ୍କାରୀ ଝିଅ ସହ ପଞ୍ଚାଳିଶ ବର୍ଷର ପୁରୁଷର ପ୍ରେମ କାହାଣୀ।


ଯୁବତୀଟିଏ ଖୋଜେ ସୁନ୍ଦର ଯୁବକ। କିନ୍ତୁ ଆଶାନୁରୂପ ଗୁଣ ଥିବା ଯୁବକ ନପାଇ ଯୁବତୀଟି ଭାବିନିଏ ଏହି ପ୍ରେମ କ'ଣ, ବରଂ ବାପାମାଆ ଯାହାକୁ ବାଛିବେ ତା ସହ ସଂସାର କରି ସୁଖରେ ଜୀବନ ଅତିବାହିତ କରି ଦେବା ।


ସେହି ସମୟରେ ଝିଅଟିର ଜୀବନାକାଶରେ ଦେଖାଦିଏ ପଞ୍ଚାଳିଶବର୍ଷିୟ ପୁରୁଷ। ଝିଅଟି କ'ଣ ତାକୁ ଭଲ ପାଇଲା ? ଝିଅଟି କ'ଣ ତାକୁ ଜୀବନସାଥୀ କରିପାରିଲା ?

ଝିଅଟି କ'ଣ ପୂର୍ବରୁ ପ୍ରେମ କରିନଥିଲା ?


ବହୁତ ଅସମାହିତ ପ୍ରଶ୍ନର ଉତ୍ତର ଏହି କାହାଣୀରେ ।

ବଣମଲ୍ଲି ବଣରେ ବାସ ଚହଟାଇ ଝରିଯାଏ । କେହି ନଜର କରନ୍ତି ନାହିଁ। ସମବେଦନା ଜଣାନ୍ତି ନାହିଁ, ହଁ ମୋ ପରି କିଛି ଲେଖକ ଲେଖନୀର ଚାତୁରୀରେ ତା ଅବ୍ୟକ୍ତ ବେଦନାକୁ କାଗଜର ପୃଷ୍ଠାରେ ତୋଳିଧରନ୍ତି। ସେଥିରେ କ'ଣ ବଣମଲ୍ଲି ସତେଜ ହୋଇଉଠେ ? ବୋଧହୁଏ ନା । ଭଗବାନଙ୍କ ଅଦ୍ଭୁତ ସର୍ଜନା। ବଣସାରା ବାସ ଚହଟଉଥିବା ବଣମଲ୍ଲି ଅବହେଳିତ ଓ ନ୍ୟାୟ ଅପେକ୍ଷାରେ। ଚାଲନ୍ତୁନା ତାକୁ ନ୍ୟାୟ ଦେବାର ପ୍ରଚେଷ୍ଟା କରିବା।


ସହରତଳି ଅଞ୍ଚଳର ଝିଅ ଆଲିଶା। ଜାତୀୟରାଜପଥ କଡର ଗାଆଁ। ପାଠ ପଢ଼ା ସମୟରେ କେବଳ ସ୍କୁଲ, କଲେଜ ଯିବା ସମୟରେ ସୂର୍ଯ୍ୟାଲୋକ ଦେଖେ। ବାକି ସମୟ ଘରେ। ମୋବାଇଲ ଯୁଗରେ ବି ମୋବାଇଲ ଦେଖିବାର ସୁଯୋଗ ନାହିଁ।


ଧିରେ ଧିରେ ପ୍ରେମ ପରିବର୍ତ୍ତେ ମନଭିତରେ ସଂସାର ପ୍ରତି ବୈରାଗ୍ୟଭାବ ତା ମନରେ ।

ସେଦିନ.......


ଗାଆଁର ରାମିଆ ବୁଢୀ ମରିଗଲା। କୌଣସି ଲେଖକର ଲେଖା ମନେ ପକାଇ ଖାତାରେ ଲେଖୁଥିଲା ଆଲିଶା।

ବୁଢ଼ୀର ଶେଷ ଇଚ୍ଛା:-


ଏକ ମେଘାଚ୍ଛନ୍ନ ଶାନ୍ତ ସକାଳର କୋଳାହଳକୁ ଉପେକ୍ଷା କରି ଯେତେବେଳେ କେତେଟା କ୍ରନ୍ଦନରତ ନାରୀ କଣ୍ଠସ୍ୱର ବିକଳ ଭାବେ ଗ୍ରାମ୍ୟ ପରିବେଶରେ ଫୁଟି ଉଠିଲେ, ଆପେ ଆପେ ସାହି ପଡ଼ିଶା ଲୋକ ଘର ଭିତରୁ ବାହାରକୁ ବାହାରି ଆସିଲେ। ପ୍ରଚାର ହୋଇଗଲା ରାମିଆ ବୁଢ଼ୀ ଚାଲିଗଲା।


ଶୋକ ସନ୍ତପ୍ତ ପାରିବାର ଓ ଆତ୍ମୀୟ ସ୍ୱଜନ ସଭିଏଁ ରୁଣ୍ଡ ହୋଇଗଲେ। ବୁଢ଼ୀର ଜୀବନକାଳରେ ତା ଯନ୍ତ୍ରଣାସିକ୍ତ ଅଣ୍ଟାରେ ଆଶ୍ଵାସନାର ଭାରଟିଏ ଦେଇନଥିବା ସାହିଭାଇ ଏବେ ଛ' ଖଣ୍ଡ ବାଉଁଶରେ କୋକେଇ ସଜାଡ଼ିଲେ।


କେବେ ବି ତା ପେଜୁଆ ଆଖିର ଲୁହକୁ ସ୍ନେହର ଉଷୁମ ପାପୁଲିରେ ପୋଛି ନଥିବା ଭାଇମାନେ ଏବେ ପାଳରେ ଅଟା ବୋଳି ସେଥିରେ ନିଆଁ ଧରେଇଲେ। ଚିର ଦିନ ଚିରା ଫଟା ସାତଶିଆଁ ଲୁଗାରେ ଦେହ ଲୁଚାଉଥିବା ବୁଢ଼ୀକି ଏବେ ବୋହୁ ମାନେ ନୂଆଁ ଲୁଗା ପିନ୍ଧେଇଦେଲେ।


ବାର୍ଦ୍ଧକ୍ୟର ଧୂଳି ଧୂସରିତ ଦେହଟାକୁ ଧୋଇଧାଇ ହଳଦୀ, ଅଳତା ଲଗେଇ ସଜାଇ ଦେଲେ। ଜିଇଁ ଥିବା ବେଳେ ପେଟକୁ ମୁଠେ ଖାଇବାକୁ ଦେଇନଥିବା ପୁଅମାନେ ଏବେ ଆଟିକାରେ ଭାତ ସଜାଡିଲେ।


ବୁଢ଼ୀର କାନିରୁ ଭତ୍ତା ଟଙ୍କା ଭିଡ଼ି ନେଉଥିବା ନାତିମାନେ ଗାମୁଛା କାନିରେ ବାନ୍ଧିଦେଲେ ଖଇ, କଉଡ଼ିଓ ଖୁଚୁରା ପଇସା।


ରାମ ନାମ ସତ୍ୟ ହୈ, ହରି ନାମ ସତ୍ୟ ହୈ ଏହି ପବିତ୍ର ଶବ୍ଦ ଗୁଡ଼ିକୁ ବୁଣି ଦେଇ ବୁଢୀକୁ ବିନା ବଙ୍କୁଲି ବାଡ଼ିରେ ଶ୍ମଶାନକୁ ଟେକି ନେଲେ ଶବବାହକ ଯେଉଁମାନେ ଜିଇଁ ଥିଲା ବେଳେ ମିଠା ଶବ୍ଦ ପଦେ ବୁଢ଼ୀକୁ କହି ନଥିଲେ।


ଚିତା ଉପରେ ଶୁଆଇଦେଇ ମୁହଁ ଉପରେ ନିଆଁ ବଳିତା ଅଜାଡ଼ି ଦେଇ ପୁଅମାନେ ଏକମୁହାଁ ହୋଇ ଘରକୁ ଫେରିଗଲେ। ବୁଢ଼ୀ ଭୋଗିଥିବା ଯାବତୀୟ ଦୁଃଖ, ହତାଦର, ଅନାଦରର ମୋଟା ଚମଡା ଜଳିବା ପରିବର୍ତ୍ତେ ଅଙ୍ଗାର ହୋଇଗଲେ।


ସେଇ ଅଙ୍ଗାରକୁ ଝଡେଇବାପାଇଁ ମାଲ ଭାଇ ମାନେ ଅଙ୍ଗାର ଉପରେ ଲୁଣ ମାରିଲେ। ଏସବୁ ଦେଖି ହୁଏତ ସହି ପାରିଲାନି ପ୍ରକୃତି। ସେହି ବର୍ଷଣ ଆପେକ୍ଷିତ ମେଘମାନେ ବର୍ଷିଗଲେ ବୁଢୀର ଜଳନ୍ତା ଜୁଇରେ । ଅବସାନ ହେଲା ଗୋଟିଏ ଜୀବନ।


ଭାବୁଥିଲା ଆଲିଶା, ଯଦି ଏହା ଜୀବନ ତାହାଲେ ଭଲ ପାଇବା, ସ୍ୱାମୀ ସ୍ତ୍ରୀ, ପ୍ରେମିକ ପ୍ରେମିକା ଏସବୁର ମାନେ କ'ଣ ? ଏମିତି ହିଁ କିଛି ଘଟଣା ବୋଧହୁଏ ଆଲିଶାକୁ ଦୃଢ଼ କରିବା ସହ ପ୍ରେମ ଠାରୁ ଦୂରେଇ ରଖୁଥିଲା।




ସେଦିନ......

ପଡିଶାଘର ଭାଉଜ ଦେଖେଇଲା ମୋବାଇଲର ବ୍ୟବହାର। ଆକର୍ଷିତହେଲା ଆଲିଶା । ଧିରେ ଧିରେ ପ୍ରଵେଶ କଲା ଆଧୁନିକ ଦୁନିଆରେ । ମୋବାଇଲ ଜରିଆରେ ବହୁତ ପୁଅ ଝିଅଙ୍କ ସଂସ୍ପର୍ଶରେ ଆସିଲା ସେ।


ନଜର ରଖୁଥିଲେ ବାପାମାଆ। ଆକଟ କଲେ ମୋବାଇଲର ବହୁଳ ବ୍ୟବହାରକୁ ତା ପୁଣି ପଡ଼ିଶାଘରେ । ପାଦ ଫେରାଇଲା ଆଲିଶା ।


କିନ୍ତୁ.........


ସନ୍ଦୀପର ନମ୍ୱର ରଖିନେଇଥିଲା ସେ ତା ସାଧାସିଧା ମୋବାଇଲରେ। କେମିତି ଏକ ମୁହୂର୍ତ୍ତରେ ଭଲ ଲାଗୁଥିଲା ସନ୍ଦୀପ। ଅଜଣା ଅଶୁଣା ମଣିଷଟି ମନ ଜିଣି ନେଇଥିଲା ଆଲିଶାର।


ସେଦିନ.......


ଟେବୁଲ୍ ଫ୍ୟାନ ଲଗେଇବା ସମୟରେ ଝଟକା ଖାଇ ଛିଟିକି ପଡ଼ିଲା ସେ। ଖସିଗଲା ମୋବାଇଲ ଓ ସନ୍ଦୀପ ନମ୍ବର ଲାଗିଗଲା।

ବୋଧହୁଏ ପ୍ରେମ ଏକ ସଂଯୋଗ ! ପ୍ରେମର ସଂଜ୍ଞା ଅନେକ।


ସେପଟୁ ସନ୍ଦୀପର କଣ୍ଠସ୍ୱର :  

   " ହ୍ୟାଲୋ ! "


ଥର ଥର କଣ୍ଠରେ ଗପିଲା ଆଲିଶା ।

ଗପୁଗପୁ ଭୁଲିଗଲା ଟିକେ ଆଗରୁ ଖାଇଥିବା ଝଟକା। ବଢ଼ିଲା ସମ୍ପର୍କ, ମିଳିଲା ଆନନ୍ଦ। ପ୍ରେମର ନଈରେ ପହଁରି ସଂସାର ସମୁଦ୍ରରେ ସମ୍ମିଳିତ ହେବାକୁ ଆଗେଇଗଲା ଆଲିଶା ।


ତିନିବର୍ଷ ପରେ ପଢାସାରି ମୋବାଇଲ ପାଇଲା ଆଲିଶା । ଅନ୍ଧଟିଏ ଆଖି ପାଇଲେ ପ୍ରଥମେ ପ୍ରଶ୍ନ ହୁଏ କାହାକୁ ପ୍ରଥମେ ଦେଖିବ ? ସେମିତି ମୋବାଇଲ ପାଉ ପାଉ ତିନି ବର୍ଷର ପ୍ରେମିକ ସନ୍ଦୀପକୁ ଦେଖିବାକୁ ଚାହିଁଲା ଆଲିଶା ।


ପ୍ରେମର ବାରିଧାରରେ ପ୍ରବାହିତ ନଈଟି ଶୁଷ୍କ ହେଇଗଲା ଅଜଣା ତିନିବର୍ଷର ପ୍ରେମିକ ସନ୍ଦୀପକୁ ଦେଖି। ରୁକ୍ଷ ଚେହେରା, ପାଖରେ ଶସ୍ତା ମଦବୋତଲ। ଚମକି ଉଠିଲା ତିନିବର୍ଷର ପ୍ରେମିକ ଆଉ ତା କଳ୍ପନାର ଚିତ୍ରପଟ ଭାବି।


ମନ ମରିଗଲା ତଥାପି କଥାରେ ଅଛି ପ୍ରେମ ଅନ୍ଧୁଣୀନଈ । ମାନିଗଲା ସନ୍ଦୀପ ସେ ବେଳେବେଳେ ମଦ୍ୟପାନ କରେ। ନିଜକୁ ସହଜ କଲା ଆଲିଶା । ଧିରେଧିରେ ଅଶ୍ଳିଳ ହେବାସହ ରୁକ୍ଷ ବ୍ୟବହାର କରିବାକୁ ଲାଗିଲା ସନ୍ଦୀପ। ଅସହ୍ୟ ହେଇ ଉଠୁଥିଲା ତା ବ୍ୟବହାର ।



ଧିରେ ଧିରେ ଅବିଶ୍ୱାସର ଧୁଆଁ କୁହୁଳିବାରେ ଲାଗିଲା ଆଲିଶା ମନରେ। ପ୍ରେମପକ୍ଷୀର ପକ୍ଷ ଛେଦନ ହେଇସାରିଥିଲା। ସନ୍ଦୀପ ପ୍ରସ୍ତାବ ଦେଲା ମୁଁ ତମକୁ ଉଠେଇଆଣିବି ଅଥବା ତମେ ଘର ଛାଡ଼ି ଚାଲିଆସ।


ସନ୍ଦୀପର ଏତାଦୃଶ ପ୍ରସ୍ତାବରେ ଚମକି ଉଠିଲା ଆଲିଶା । ଛାତିରେ ପଥର ରଖି ଛିନ୍ନ କଲା ତିନିବର୍ଷର ପ୍ରେମ। ରାଗିଉଠିଲା ସନ୍ଦୀପ। ଆଲିଶାର ଭାଉଜକୁ ସମସ୍ତ ପ୍ରେମକାହାଣୀ ବର୍ଣ୍ଣନା କଲା ସନ୍ଦୀପ।



ବଦନାମର କଣ୍ଟକିତ ଶଯ୍ୟାରେ ଆଲିଶା । ସମୟର ମଲମର ପ୍ରଲେପ ଦେଇ କ୍ଷତ ଭରୁଥିଲା ଆଲିଶା ।ଭୁଲିବାକୁ ଚେଷ୍ଟା କରୁଥିଲା ସେଇ କାଳିମାମୟ ଅତୀତ।

କିନ୍ତୁ ଏବେବି ତା କୋମଳ ହୃଦୟରେ ସେଇ କ୍ଷତ ଚିହ୍ନ।


ଆଜି ଆଲିଶା ପଚିଶବର୍ଷର ଯୁବତୀ। ସୁନ୍ଦର ଚେହେରା ଦେଖି ବହୁ ଯୁବକଙ୍କ ପ୍ରେମନିବେଦନକୁ ହସି ହସି ଅତି ସହଜରେ ପ୍ରତ୍ୟାଖ୍ୟାନ କରେ ଆଲିଶା । ହେଲେ ସେଦିନ ପଞ୍ଚାଳିଶବର୍ଷିୟ ଅବିବାହିତ ମୃତ୍ୟୁଞ୍ଜୟଙ୍କ ବନ୍ଧୁତ୍ୱକୁ କେମିତି କେଜାଣି ସ୍ୱୀକାର କରିନେଲା ଆଲିଶା । ସୁନ୍ଦର, ମାର୍ଜିତ ଭଦ୍ର ବ୍ୟବହାର ତା ହୃଦୟରେ ଗଭୀର ରେଖାପାତ କରିଥିଲା । ସେ ତୁଳନା କରୁଥିଲା ସନ୍ଦୀପ ଓ ମୃତ୍ୟୁଞ୍ଜୟ ମଧ୍ୟରେ। ଗପିଗପି ଵିନିଦ୍ର ରଜନୀ ବିତେଇ ଦେଉଥିଲେ ଦୁହେଁ।


ଧିରେ ଧିରେ ବନ୍ଧୁତ୍ୱ ପ୍ରେମର ରୂପ ନେଲା। ବିଶ୍ଵାସ ଭରସାର ଅନ୍ୟନାମ ପ୍ରେମ। ମାନୁନଥିଲା ବନ୍ଧବାଡ, ମାନୁ ନଥିଲା ବୟସର ପରିସୀମା। ପ୍ରେମର ଫଗୁଣ ଦୁହିଁଙ୍କ ଶରୀରରେ।

କିନ୍ତୁ, ଆଲିଶା ବାରମ୍ବାର କହୁଥାଏ, ମୃତ୍ୟୁଞ୍ଜୟ ! ଆମ ପ୍ରେମର ବାଧକ ଆମ ବୟସ। ମୋର ବାହାଘର ବୟସ ଉପନୀତ। କେଉଁଠି ବାହାହେଲା ପରେ ଆମ ପ୍ରେମ ମୋ ସାଂସାରିକ ଜୀବନରେ ବାଧକ ହେବ ନାହିଁ ତ ?


ମୃତ୍ୟୁଞ୍ଜୟ କୁହେ ବର୍ତ୍ତମାନକୁ ନେଇ ବଞ୍ଚିବା ଶିଖ। ଭବିଷ୍ୟତ କିଏ ଦେଖିଛି ? ତାଛଡ଼ା ମୁଁ ବଣମଲ୍ଲି । ବୟସର ଅପରାହ୍ନରେ ପ୍ରେମ, ବଣର ମଲ୍ଲି ବଣରେ ବାସ ଚହଟାଇ ଝଡି ଯିବ।


ବଣର ମଲ୍ଲି ବଣରେ ବାସ ଚହଟାଇ ଚାଲୁଥିଲା। ହସୁଥିଲେ ପ୍ରେମୀ ଯୁଗଳ। ସବୁବେଳେ ମୃତ୍ୟୁଞ୍ଜୟ କହୁଥିଲା, ଏ ଆଲିଶା ତମ ଅଧର ଭାରୀ ସୁନ୍ଦର। ଥରେ ତମ ଅଧରରେ ନିଶ୍ଚୟ ଚୁମ୍ବନ ଦେବି। ଆଲିଶା କହୁଥାଏ ଅସମ୍ଭବ।


ହସି ହସି ମୃତ୍ୟୁଞ୍ଜୟ କୁହେ, ହଁ ମୁଁ ପରା ବଣମଲ୍ଲି ! ନା କୋଉ ଦେଵତା ମସ୍ତକରେ ଶୋଭା ପାଇବି, ନା ପ୍ରେମିକାର ଗଭାର ହାର ହୋଇ ତା ଗ୍ରୀବାରେ ଚୁମ୍ବନ ଦେବାର ସୌଭାଗ୍ୟ ପାଇବି।


ଆଲିଶା ! ମୁଁ ଯଦି ତମକୁ ବାହା ହୁଏ ? ହସିଦେଇ ଆଲିଶା କୁହେ ଦିବାସ୍ୱପ୍ନ ଦେଖିବାକୁ ଖୁସି ଲାଗେ କିନ୍ତୁ ଅସମ୍ଭବ।

ହଠାତ ଦିନେ ଆଲିଶାର ଘର ଲୋକେ କହିଲେ, ଆଜି ତତେ ପୁଅଘର ଦେଖିବାକୁ ଆସୁଛନ୍ତି, ସଜେଇ ହୋଇଯାଅ। ବିଳପି ଉଠିଲା ଆଲିଶାର ଅନ୍ତରାତ୍ମା। ମନର ଅଳିନ୍ଦରେ ଲହଡ଼ି ମାରୁଥିବା ପ୍ରେମ ନିରବୀ ଯାଇଥିଲା। ସମସ୍ତ କଥା ଫୋନରେ ବର୍ଣ୍ଣନା କଲା ସେ ମୃତ୍ୟୁଞ୍ଜୟକୁ ।


ନିର୍ଦ୍ଧାରିତ ସମୟରେ ପୁଅ ପହଞ୍ଚିଲା। ଓଢଣା ଦେଇ ଥିରି ଥିରି ଆସିଲା ଆଲିଶା । ମନରେ ସ୍ପୃହା ନାହିଁ । ଓଢଣୀ ଉଠେଇ ଦେଲେ ମାଆ।

ଏ କ'ଣ ? ସାମ୍ନାରେ ମୃତ୍ୟୁଞ୍ଜୟ !!


ସେ କହୁଥିଲା, ଆଶ୍ଚର୍ଯ୍ୟ ହୁଅନି ଆଲିଶା, ଆଜିକାଲି ବୃକ୍ଷ ଚ୍ଛେଦନ କରି ମନୁଷ୍ୟ ଜଙ୍ଗଲ ପଦା କରିସାରିଲାଣି। ତେଣୁ ପରା ବଣମଲ୍ଲି ବୃଥାରେ ନଝଡି ତମ ଗଭାମଣ୍ଡନ କରିବାକୁ ତମ ପାଖରେ।

ହସି ହସି ଆଲିଶା କହୁଥିଲା-


" ଧେତ୍ । "



Rate this content
Log in

Similar oriya story from Romance