ବିକ୍ଷୋଭ
ବିକ୍ଷୋଭ


ଗଣତନ୍ତ୍ରରେ ବିକ୍ଷୋଭ ନିହାତି ମାମୁଲି କଥା। ଜନସାଧାରଣଙ୍କ ସାମ୍ବିଧାନିକ ଅଧିକାର! ଆଜିକାଲି ସଭିଏଁ ନିଜ ନିଜର ହକ୍ ଦାବିରେ ରାସ୍ତାରୋକ କରୁଛନ୍ତି। ଏଇଟା ସବୁଠାରୁ ସହଜ ଉପାୟ ଯାହା ଦ୍ବାରା ଶୀଘ୍ର ସଭିଙ୍କର ଦୃଷ୍ଟି ଆକର୍ଷଣ କରିହେବ। ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିଲେ ପ୍ରଶାସନ ଦାବି ମାନିବାକୁ ବାଧ୍ୟ। ଏଇ ବଦ୍ଧମୂଳ ଧାରଣା ସବୁ ବିକ୍ଷୋଭ ଆୟୋଜନକାରୀଙ୍କ ମଗଜରେ ଥାଏ।
ଏମିତି ଏକ ଦୃଢ଼ ଧାରଣା ମକରନ୍ଦ ବେହେରା ଓରଫ ମକରା ଭାଇଙ୍କ ମନରେ ଥାଏ। ଏଇଟା କାଳେ ସେ ରାଜ୍ୟ ବାହାରର ୟୁନିଭରସିଟିରେ ପଢୁଥିବା ବେଳେ ତାଙ୍କର ବିପ୍ଳବୀ ଗୁରୁମାନଙ୍କ ଠାରୁ ଶିଖିଥିଲେ। କିଛି ଗୋଟାଏ ହେଲେ ରାସ୍ତାରୋକ। ଚାରି ପାଞ୍ଚ ଟୋକା ଏକାଠି ହୋଇ ପିଚୁ ଡ୍ରମ୍ ଆଉ ଟାୟାର୍ ଜାଳିଦେଲେ ସବୁ କିଛି ଠପ୍।! ଭୁବନେଶ୍ବର କଟକ ମଝିରେ ଫୁଲନଖରା ଛକରେ ମକରା ଭାଇଙ୍କ ଖଟି। ଗାଁ ଟୋକା କିଛି ତାଙ୍କ ହାତମୁଠାରେ ଥାଆନ୍ତି ସବୁବେଳେ। ଯେତେବେଳେ ଯାହାର ବି କିଛି କାମ ଦରକାର ହୁଏ ଏଇ ମକରା ଭାଇକୁ ଧରିଲେ ସବୁ ସୁରୁଖୁରରେ ହୋଇଯାଏ ସରକାରୀ ଅବା ବେସରକାରୀ।
ନେତା ମନ୍ତ୍ରୀଙ୍କ ସହ ଭଲ ଭାବ ପରିଚୟ ତାଙ୍କର। ସେମାନଙ୍କର ଅନେକ କାମରେ ଆସନ୍ତି ଭାଇ ଆମର। ବିଶେଷ କରି ରାସ୍ତାରୋକ କି ବନ୍ଦ ହରତାଳ କରିବାର ଥିଲେ ରାଇଜର ସବୁ ଛାମୁଆ ନେତାମାନେ ଖୋଜନ୍ତି ତାଙ୍କୁ। କାରଣ କଟକ ଭୁବନେଶ୍ବର ମଝିରେ ରାସ୍ତା ବନ୍ଦ ହୋଇଗଲେ ରାଜ୍ୟ ଅଚଳ ହୋଇଯିବ ଯେ! ବନ୍ଦ ପାଳନରେ ସଫଳତା ହାସଲ ପାଇଁ ଏଇଟା ଅନିବାର୍ଯ୍ୟ।
ସେଦିନ ମୁଁ ସକାଳୁ ସକାଳୁ ସାଇକେଲ ଧରି ବାହାରି ଥାଏ କଲେଜ୍, ସେମିଷ୍ଟାର୍ ପାଇଁ ତରବରିଆ ଭାବେ। କିଛି ବାଟ ଆସିଲା ପରେ ଜାତୀୟ ରାଜପଥ ନଂ - ୫। ପାରି ହୋଇ ଯିବାକୁ ହେବ କଲେଜ୍। କିନ୍ତୁ ଏ କଣ? ମକରା ଭାଇଙ୍କ ଚେଲା ଚାମୁଣ୍ଡାମାନେ ରାସ୍ତାର ଉଭୟ ପାର୍ଶ୍ବରେ ଚକାଜାମ୍ କରି କାହାକୁ ଯିବା ଆସିବା ପାଇଁ ଦେଉ ନାହାନ୍ତି। ବଡ ମୁସ୍କିଲ କଥା! ସେମିଷ୍ଟାର୍ ପାଇଁ ଡ଼େରି ହୋଇଯିବ। ସେମିଷ୍ଟାର୍ ଖରାପ ହେଲେ ସବୁ ବିଗିଡ଼ି ଯିବ। ଏମିତି ଅବାନ୍ତର କଥା ସବୁ ମୋ ମନରେ ଖେଳୁଥାଏ।
ଦୂରରୁ ଦେଖିଲି କୌଣସି ରାଜନୈତିକ ଦଳର ତ ଏଇ କାର୍ଯ୍ୟକ୍ରମ ନୁହେଁ। ତେବେ ଏମିତି ବିନା ଅଗ୍ରୀମ ସୂଚନାରେ କେଉଁ ସଂଗଠନ ଅବା ଅନୁଷ୍ଠାନର ଏଇ ବିକ୍ଷୋଭ? ଆସ୍ତେ ଆସ୍ତେ ସାଇକେଲ ପେଡାଲ ମାରି ଆଗକୁ ଚଳାଉଥାଏ। ଖଣ୍ଡେ ଦୂର ଗଲା ପରେ ଜଣାଗଲା ଦୁଗ୍ଧ ଉତ୍ପାଦକ ସଂଘର ବ୍ଯାନର ତଳେ ଆନ୍ଦୋଳନ। ଶହ ଶହ କ୍ଷୀର କେନ୍ ଗଦା ହୋଇଥାଏ ରାସ୍ତା ଉପରେ। କତିପୟ ଦୁଗ୍ଧ ଉତ୍ପାଦନକାରୀ ମଧ୍ୟ ଇତସ୍ତତଃ ବୁଲୁଥାନ୍ତି। ରାଜପଥର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥାନ୍ତି କିଛି ସମୟ ଧରି।
ଶାଗୁଣା ଯେପରିକି ମଢର ଗନ୍ଧ ବାରି ପାରି ଯୋଜନ ଯୋଜନ ଦୂରରୁ ଉଡ଼ି ଉଡ଼ି ଆସେ, ସେହିପରି ଏ ମିଡିଆବାଲାଏ କିଛି ହେବା ଆଗରୁ ଘଟଣା ସ୍ଥଳରେ ପହଞ୍ଚି ଯାଆନ୍ତି। ମକରା ଭାଇ ଫୋନ୍ କରିଥିବେ ନିଶ୍ଚୟ ସେମାନଙ୍କୁ। ନହେଲେ ଏତେ ସକାଳୁ ମିଡ଼ିଆ କ୍ଯାମେରା ଆସିବା ଟିକେ ଅସ୍ବାଭାବିକ କଥା ଲାଗୁଥାଏ। କାରଣ କାହାର ଏତେ ଦରଦ ଚାଷ ଆଉ ଚାଷୀଙ୍କ ପାଇଁ ପୁଣି ଏଇ ପାଣିମିଶା ଦୁଗ୍ଧ ଉତ୍ପାଦନକାରୀଙ୍କ ପାଇଁ? ମୁଁ ନିଶ୍ଚିତ ଥାଏ ଏ ମକରା ଭାଇଙ୍କ କରାମତି ବୋଲି। ଟିଭି ଚ୍ୟାନେଲ କ୍ଯାମେରାରେ ମୁହଁ ଦେଖାଇବା ପାଇଁ ସଭିଏଁ ଅଚାନକ ତତ୍ପର ହୋଇ ଉଠିଲେ।
ମୁଁ ଭାବୁଥାଏ ଯାହା ବି ହେଉ ମିଡିଆବାଲା ଆସିବା ପରେ ରାସ୍ତା ଅବରୋଧ ହଟିଯିବ। ସେମିଷ୍ଟାର୍ ପାଇଁ ଠିକ୍ ସମୟରେ ପହଞ୍ଚି ପାରିବି କଲେଜରେ। ହେଲେ ମୋ ଭାବନା ଭୁଲ୍ ପ୍ରମାଣିତ ହେଉଥାଏ ବାରମ୍ବାର। ସଂଗଠନର ନେତାମାନେ ଅଗ୍ନୀବର୍ଷୀ ଭାଷଣ ମାଧ୍ୟମରେ ଦୁଗ୍ଧ ଲିଟର ପିଛା ଅନ୍ଯୁନ କୋଡ଼ିଏ ଟଙ୍କା ବୃଦ୍ଧି କରିବା ପାଇଁ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରୁଥାନ୍ତି। ବେଳକୁ ବେଳ ଭୀଡ଼ ଜମୁଥାଏ, ଯାତ୍ରୀମାନେ ଅସ୍ତବ୍ଯସ୍ତ ଅତିଷ୍ଠ କିନ୍ତୁ ସରକାରୀ ଅଧିକାରୀଙ୍କ ଦର୍ଶନ ନଥାଏ। ଏମିତି ଛକାପଞ୍ଝାରେ ମୋ ସେମିଷ୍ଟାର୍ ବେଳ ଗଡ଼ିଗଲା। ବଡ଼ ରାଗ ଆସୁଥାଏ ମକରା ଭାଇଙ୍କ ଉପରେ। କିଛି ପଇସା ପାଇଁ ନିଜକୁ ସଖୀକଣ୍ଢେଇ ସଜେଇ ଦେଇଛି ନେତାଙ୍କ ହାତରେ। ଆଉ ୟାରି ପାଇଁ ଆମ ଭଳି ଛାତ୍ରଙ୍କ ଜୀବନ ମାଟି ହେଉଛି।
ବିଳମ୍ବରେ ହେଲେ ମଧ୍ୟ ସରକାରୀ ବାବୁମାନେ ଆସିଲେ ବିକ୍ଷୋଭ ସ୍ଥଳକୁ ଘଟଣାର ସମାଧାନ କରିବା ପାଇଁ। ଠିକ୍ ଏତିକି ବେଳେ ଭୁସ୍ ଭାସ୍ କ୍ଷୀର କେନ୍ ସବୁ ଖୋଲିଦେଲେ ବିକ୍ଷୋଭକାରୀ। ଡହ ଡହ ଖରାରେ ପିଚୁରାସ୍ତାରେ ଦୁଗ୍ଧର ବନ୍ୟା ଛୁଟିଲା ଆଖି ପିଛୁଳାକେ। ଏସବୁ ଦେଖି ମୁଁ ଆଉ ସହିପାରିଲି ନାହିଁ। ଅଗତ୍ୟା ଘରକୁ ଫେରି ଆସିଲି। ଫେରି ତ ଆସିଲି କଲେଜ ଯାଇନପାରି ହେଲେ ମୋ ମନ ଭିତରେ ପ୍ରଚଣ୍ଡ କ୍ରୋଧ ଜାତ ହେଉଥିଲା ସେଇ ଦୁଗ୍ଧ ଚାଷୀଙ୍କ ଉପରେ ଆଉ କାର୍ପଟଦାର ମକରା ଭାଇଙ୍କ ଉପରେ।
ସନ୍ଧ୍ୟା ବେଳେ ଛକରେ ଖଟି କରୁଥାଏ ମକରା ଭାଇ, ମୁହାମୁହିଁ ହେବା ଆଗରୁ ମୁଁ ବାଆଁରେଇ ହୋଇ ଚାଲିଯାଉଥିଲି ରାଗରେ। ମୋତେ ଦେଖିଦେଇ ପଛରୁ ଡାକିଲେ ସେ, "କିରେ, କଣ ହେଇଛି ତୋର? ଏତେ ଟେନସନ୍?"
ମୋର ତା ମୁହଁକୁ ଚାହିଁବାକୁ ଇଚ୍ଛା ନଥିଲା। ବାଧ୍ୟବାଧକତାରେ କହିଲି, "କିଛି ନାହିଁ ଭାଇ। ପରୀକ୍ଷା ଅଛିତ ସେଥିପାଇଁ ଟିକେ ଯାହା..."
ମୋତେ କଥା ପୁରା କରିବାକୁ ଦେଲେନି ସେ। କହିଲେ, "କ୍ଲବଘର ଆଡ଼କୁ ଆସ୍, ଟେନସନ୍ ଫ୍ରି ହୋଇଯିବୁ! "
ମୁଁ କ୍ରୋଧରେ ଅଗ୍ନିଶର୍ମା ହୋଇଗଲି। ଖେଙ୍କାରି ହୋଇ କହିଲି,"ଥାଉ, ଦରକାର ନାହିଁ ତମର ଏ ସୁଆଙ୍ଗ।"
ତାଙ୍କୁ ଅଛପା ନଥିଲା ଆଜି ଆମ ଇଂଜିନିୟରିଂ କଲେଜର ସେମିଷ୍ଟାର୍ ବାତିଲର କାରଣ ସେ ନିଜେ ବୋଲି। ଖଟିରୁ ଉଠି ଆସି ମୋ କାନ୍ଧରେ ହାତ ରଖି କହିଲେ,"ଏଇ ଗୋଟେ ସେମିଷ୍ଟାର୍ ପାଇଁ ଏତେ ରାଗ? "
: ନାଇଁ, ସେମିଷ୍ଟାର୍ ପାଇଁ ନୁହଁ। ତମେ ଏତେ ସବୁ ଅମୃତ ସମାନ କ୍ଷୀର କେନ୍ ରାସ୍ତାରେ ଢାଳିବା ପାଇଁ ମୁଁ ରାଗିଛି। ତମେ ଚାହିଁଥିଲେ ସେ କ୍ଷୀରକୁ ହସ୍ପିଟାଲ କି ବୃଦ୍ଧାଶ୍ରମ ଓ ବାଳାଶ୍ରମରେ ବାଣ୍ଟିପାରିଥାନ୍ତ। କେତେ ନିରାଶ୍ରିତ ଅଭାବୀ ଲୋକ ଉପକୃତ ହୋଇଥାନ୍ତେ ସେଥିରେ! କିଛି ନହେଲେ ମଠ ମନ୍ଦିରରେ ଦାନ କରିଦେଇଥିଲେ କେତେ ପୂଣ୍ୟ ଅର୍ଜନ ହୋଇଥାନ୍ତା? ହେଲେ ସବୁ କିଛି ପିଆଇ ଦେଲ ରାସ୍ତାକୁ। ଚଣ୍ଡି ଚାମୁଣ୍ଡାଙ୍କ ପରି ସେ ବି ପିଇଗଲା ସବୁ ଅନାୟାସରେ।
ମୋ କଥା ଶୁଣି ଠୋ ଠୋ ହସିଲେ ସେ। ହସ ତ ନୁହେଁ ଅଟ୍ଟହାସ୍ୟ! ତାଚ୍ଛଲ୍ୟ ଭରା କଣ୍ଠରେ କହିଲେ, "ଆରେ ବୋକା! ସବୁ ଚକ୍ ଚକ୍ କରୁଥିବା ଜିନିଷ ଯେମିତି ସୁନା ନୁହେଁ, ସେମିତି ସବୁ ଧଳା ରଙ୍ଗର ତରଳ କ୍ଷୀର ନୁହେଁ।"
ମୁଁ ସତସତିକା ବୁଦ୍ଦୁ ପାଲଟିଛି ଯାଇ ତାଙ୍କୁ ବଲବଲ କରି ଚାହିଁ ରହିଥିଲି। ସେ ସେମିତି ଠୋ ଠୋ ହସୁଥାନ୍ତି। ଆଉ ମୋ ଅବସ୍ଥା ଦେଖି ତାଙ୍କ ଚେଲା ଚାମୁଣ୍ଡାମାନେ ମଧ୍ୟ ହସିଉଠିଲେ। ମୋତେ ଆପମାନିତ ବୋଧ ହେଲା। ମୁଁ ବୋକା ବନିଥିବା ପାଇଁ ନୁହେଁ ବରଂ ଅମୃତର ହତାଦର ପାଇଁ ଓକିଲାତି କରୁଥିବା ମକରା ଭାଇଙ୍କ ଅଜବ ଯୁକ୍ତି ଶୁଣି।
ମକରା ଭାଇ ମୋତେ ବୁଝାଇ କହିଲେ,"ଆରେ ବାବୁ! କେହି କଣ କେବେ କ୍ଷୀରକୁ ଏମିତି ରାସ୍ତା ଘାଟ ନଦୀ ନାଳରେ ଢ଼ାଳି ପାରିବ? ଏସବୁ ବିକ୍ଷୋଭ ପ୍ରଦର୍ଶନ ପାଇଁ। ଚୁନପାଣି ଢାଳିଲେ ଯଦି ସରକାର ଦାବି ମାନି ନେଉଛନ୍ତି ଅକାରଣରେ କ୍ଷୀର କିଏ ନଷ୍ଟ କରିବ। କ୍ଷୀର ବିକ୍ରୀ ନହେଲେ ଛେନା ହେବ, ନହେଲେ ଦହି କି ଘିଅ ହେବ। କିନ୍ତୁ ନଷ୍ଟ ହେବନି କସ୍ମିନ୍ କାଳେ। ଆଉ ରହିଲା ଗରିବଗୁରୁବାଙ୍କୁ ମାଗଣାରେ ବାଣ୍ଟିବା କଥା। ଯେଉଁମାନେ ସଞ୍ଜ ସକାଳେ କ୍ଷୀରରେ ପାଣି ମିଶେଇକି ବିକୁଛନ୍ତି, ସେମାନେ ଦାନ କରି ପୂଣ୍ୟ କରିବେ ଭାବିଛୁ ତୁ??? "
ମୋ ମନର ସବୁ ଦ୍ବିଧା ଦୂରେଇ ଯାଇଥିଲା ମକରା ଭାଇଙ୍କ ଶେଷୋକ୍ତିରେ...