sumita behera

Romance Inspirational

4.1  

sumita behera

Romance Inspirational

ବୀଥିକା

ବୀଥିକା

3 mins
1.0K



   ଦୁଃଖରେ ଛାତି ଭିତରଟା କେମିତି କେମିତି ହେଇଯାଏ ବୀଥିକାର ଯେତେବେଳେ ସେ ଲୁଚି ଲୁଚି ଅର୍ଣ୍ଣବଙ୍କ କବିତା ସବୁକୁ ପଢେ। ପ୍ରେମିକା ପାଇଁ ତାଙ୍କର ପ୍ରଗାଢ ଅନୁରାଗ ଯେମିତି ପ୍ରତ୍ୟେକ ଶବ୍ଦରେ ଫୁଟି ବାହାରି ଆସିଛି। ଅଜାଣତରେ କୋହ ସବୁ ଲୁହ ହୋଇ ବୋହି ଆସେ।କେମିତି ଗୋଟେ କଷ୍ଟ, ଶ୍ୱାସରୁଦ୍ଧ ହେଇଗଲା ପରି ଲାଗେ।ବେଳେବେଳେ ଭାବେ କବିର ପତ୍ନୀ ହେବାଠୁ ପ୍ରେମିକା ହେବା ଶତଗୁଣେ ଭଲ। କବି ମନରେ,କବି ଲେଖନୀରେ ପ୍ରେମିକା ରହେ ଚିର ଅମର।


   ଏମିତି ନୁହେଁ ଯେ ଅର୍ଣ୍ଣବ ବୀଥିକାକୁ କିଛି ଜଣେଇ ନାହାନ୍ତି।ବାହାଘରର ଦ୍ଵିତୀୟ ରାତିରେ ହିଁ ସେ କହିଛନ୍ତି ତାଙ୍କ ପ୍ରେମର କାହାଣୀ।ବିଫଳତାର କାହାଣୀ। ସେ ବି ଦୁଃଖୀ ହୁଏ। ଭାବେ ସେତେବେଳେ ସେ ଯଦି କିଛି କରି ପାରିଥାନ୍ତା ଅର୍ଣ୍ଣବଙ୍କ ପାଇଁ.....କିନ୍ତୁ ତଥାପି ଭିତରଟା କେମିତି କୋରି ହେଇଯାଏ। ମନରେ ଏଥିପାଇଁ ତା'ର ରାଗ କେବେ ବି ଆସେନି। ଏତେ ସରଳ ଏତେ ନୀରିହ ଅର୍ଣ୍ଣବ ଯେ ତାଙ୍କ ବ୍ୟକ୍ତିତ୍ବ ସାମ୍ନାରେ ମୁଣ୍ଡ ନଇଁଯାଏ। ସେ ନିଜକୁ ଭାଗ୍ୟବତୀ ମନେ କରେ ଅର୍ଣ୍ଣବଙ୍କୁ ପାଇ। ମନେ ମନେ ଭାବେ କେତେ ଭାଗ୍ୟହୀନା ତାଙ୍କ ପ୍ରେମିକା , ଯିଏ ଅର୍ଣ୍ଣବଙ୍କ ପରି ବ୍ୟକ୍ତିତ୍ବର ପ୍ରେମକୁ ବୁଝି ପାରିଲାନି। ଆଉ ଭାବେ ସେ ଯଦି ଅର୍ଣ୍ଣବଙ୍କ ପ୍ରେମିକା ହେଇଥାନ୍ତା........

    

   ଅଭିମାନରେ କୁହେ " ଅର୍ଣ୍ଣବ ତୁମେ ପ୍ରେମିକା ପାଇଁ ତ ଏତେ କବିତା ଲେଖିଛ ମୋ ପାଇଁ ବି କିଛି ଲେଖ ନା ! " ନୀରବ ରହିଯାଆନ୍ତି ଅର୍ଣ୍ଣବ। ସୁଖରେ ସଂସାର ଗଢିଛନ୍ତି ଦୁହେଁ।କେହି ବି କାହାରି କର୍ତ୍ତବ୍ୟରେ କେବେ ତ୍ରୁଟି ରଖି ନାହାନ୍ତି। ମଜାରେ ବୀଥିକା କୁହନ୍ତି, "ପତ୍ନୀ ପାଇଁ ଲେଖନୀ ଶୁଖି ଯାଇଛି ବୋଧେ।ସେଥିପାଇଁ ଆଉ ମଧୁ ଝରୁନି "।

   ପଚିଶ ବର୍ଷ ବିତିଗଲାଣି। ଜଞ୍ଜାଳ ବି କମି କମି ଆସିଲାଣି।ଘରେ ଏବେ ଦୁଇ ପ୍ରାଣୀ। ଏବେ ଦେହର କଳକବ୍ଜା ବି ଧୀରେ ଧୀରେ ଧୋକା ଦେବାକୁ ଆରମ୍ଭ କଲାଣି। ବୀଥିକା ସମୟ ସମୟରେ ଅର୍ଣ୍ଣବଙ୍କୁ ତାଙ୍କ ପ୍ରେମିକା କଥା କହି ଚିଡ଼େଇବାକୁ ଭୁଲେନି। ସେତେବେଳେ ସେ ତାଙ୍କ ମୁହଁରେ ଗୋଟେ ଅଲଗା ପ୍ରକାର ଖୁସିର ହସ ଦେଖିପାରେ। କହେ "ଚାଲ ଫେସବୁକରେ ଖୋଜିବା। ହୁଏତ ମିଳିଯାଇ ପରେ । ଚାହିଁଲେ କଥା ବି ହେଇ ପାରିବ। ଏମିତି କହେ ସିନା କିନ୍ତୁ ..........


   ଏବେ ଏତେ ବର୍ଷ ପରେ ଅର୍ଣ୍ଣବ ଲେଖିବା ଅରମ୍ଭ କଲେଣି।ବହୁତ ଖୁସି ହୁଏ ବୀଥିକା ।ବହୁତ ଉଚ୍ଚକୋଟିର ଲେଖା ତାଙ୍କର।ଲେଖାରେ ପ୍ରେମିକା ପାଇଁ ବି ଆବେଗ ଝରି ଆସେ ମଝିରେ ମଝିରେ। କଷ୍ଟ ହୁଏ।କିନ୍ତୁ ଚାପି ରଖେ।କାଳେ ତା ମୂର୍ଖାମୀ ଯୋଗୁଁ ଅର୍ଣ୍ଣବ ଲେଖା ବନ୍ଦ କରିଦେବେ। ଯାହାକି ସେ ଜମାରୁ ଚାହେଁନି।ସେ ଚାହେଁ ତା ସ୍ୱାମୀଙ୍କର ବହୁତ ନାଁ ହଉ।ସେ ଖୁସି ରୁହନ୍ତୁ। ସାଙ୍ଗମାନେ କୁହନ୍ତି ଅର୍ଣ୍ଣବଙ୍କ ଆଖିରେ କୁଆଡେ ବୀଥିକା ପାଇଁ ଥିବା ଗଭୀର ପ୍ରେମ ବାରି ହେଇ ପଡେ।ସେ ନିଜେ ଯେ ତାହା ଅନୁଭବ ନ କରେ ତା ବି ନୁହେଁ। କିନ୍ତୁ ପ୍ରେମିକା ପାଇଁ ଯେଉଁ ଆବେଗ ତାଙ୍କ କବିତାରେ ପଢ଼ିଛି ବୀଥିକା ପାଇଁ ପାଏନି। 

    

    ଅପେକ୍ଷାରେ ଥାଏ କେବେ ଅର୍ଣ୍ଣବ ତା ମନ ବୁଝିବେ।କେବେ ଆସି କହିବେ" ବୀଥି ! ପ୍ରେମିକା ମୋର ଅତୀତ।ତୁମକୁ ପାଇବା ପରେ ସେ ମୋ ମନକୁ କେବେ ବି ଆସିନି। ମୋର ସବୁ ଆବେଗ ତୁମ ପାଇଁ। ମୋର ସବୁ କବିତା ତୁମ ପାଇଁ। ତୁମେ ହିଁ ମୋ ସ୍ୱପ୍ନର ନାୟିକା। ତୁମକୁ ଛାଡି ବଂଚିବା ମୁଁ ଚିନ୍ତା ବି କରି ପାରେନି।"


   ବଗିଚାରେ ବୀଥିକା ଏକା ବସିଛି ଦୂର ଦିଗ୍ବଳୟକୁ ଚାହିଁ।କେମିତି ଟିକେ ଅନ୍ୟମନସ୍କ ହେଇ ପଡିଛି।ଭାବୁଛି ଥରେ ଯଦି ଅର୍ଣ୍ଣବଙ୍କୁ ତାଙ୍କ ପ୍ରେମିକା ସହ କଥା କୁହାଇ ପାରନ୍ତା!!! ଅର୍ଣ୍ଣବଙ୍କ ଆଖି ସେତେବେଳେ କ'ଣ କହୁଛି ପଢି ପାରନ୍ତା!! ହଠାତ କାହାର ମୃଦୁ ସ୍ପର୍ଶରେ ଚମକି ଚାହିଁଲା। ଅର୍ଣ୍ଣବ ମୃଦୁ ମୃଦୁ ହସୁଥିଲେ।କହିଲେ ," ତୁମେ କ'ଣ ଭାବୁଛ ମୁଁ କିଛି ଜାଣି ପାରୁନି ତୁମ ମନରେ କ'ଣ ଚାଲିଛି? ଆରେ ହୁଣ୍ଡି ! କବିତାର ନାୟିକା କବିର ସ୍ୱପ୍ନର ନାୟିକା। ସେଥିରେ ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ। ତୁମେ ଜାଣିଛ ! ବଙ୍ଗଳାର ସୁନ୍ଦରୀ ଅଭିନେତ୍ରୀ ଶତାବ୍ଦୀ ରାୟଙ୍କୁ ? ମୋତେ ସେ ବହୁତ ଭଲ ଲାଗନ୍ତି। ତାଙ୍କ ସୌନ୍ଦର୍ଯ୍ୟରେ ଏକ ସରଳତା ଅଛି। ମୋର କବିତାର ପ୍ରେରଣା ସିଏ। ବିବାହ ପୂର୍ବରୁ ତାଙ୍କୁ କଳ୍ପନା କରି କାହାଣୀ, କବିତା ଲେଖେ। କିନ୍ତୁ ତୁମେ ହିଁ ମୋର ବାସ୍ତବତା। ସ୍ୱପ୍ନ ନ ଥିଲେ କ'ଣ କବିତା ଲେଖି ହୁଏ?" ଲାଜେଇ ଗଲା ବୀଥିକା । ଭାବି ପାରି ନ ଥିଲା ଅର୍ଣ୍ଣବ ତା ମନକୁ ଏତେ ବୁଝି ପାରୁଥିବେ ବୋଲି। ଯେଉଁ ଆବେଗକୁ ଦେଖି ବି ଦେଖି ପାରୁ ନଥିଲା ଆଜି ଅର୍ଣ୍ଣବଙ୍କ ଆଖିରେ ସ୍ପଷ୍ଟ ଦେଖି ପାରିଲା। ଆସ୍ତେ କରି ଅର୍ଣ୍ଣବଙ୍କ କାନ୍ଧରେ ମୁଣ୍ଡ ରଖିଦେଲା। ସଂତୃପ୍ତିରେ ଆଖି ବୁଜି ହେଇ ଆସିଲା। ଏକ ନୈସର୍ଗିକ ସତ୍ତାର ଉପଲବ୍ଧି ହେଲା।

   

    


    


    

    

    

    


Rate this content
Log in

Similar oriya story from Romance