ବିଗତ ପ୍ରିୟା ର ଗାଁ
ବିଗତ ପ୍ରିୟା ର ଗାଁ
ପାଖାପାଖି ୧୩ବର୍ଷ ପରେ ଯାଉଥିଲି ମଧୁସୂଦନପୁର,ମାଉସୀ ଘର ଗାଁ।ମଉସା ଥିଲେ ପାରାଲିସିସ ପେସେଣ୍ଟ ଗତ ବର୍ଷ ଦେହାନ୍ତ ହୋଇଗଲା,ସେତେବେଳକୁ ସାନ ପୁଅ ସ୍ମିଥ କୁ ୧୦ଦିନ ତେଣୁ ଦିଲ୍ଲୀ ରୁ ଆସିପାରିନଥିଲି।ବର୍ଷିକୀଆ କୁ ଆସିଥିଲି,ବହୁତ ଦିନ ପରେ ଭାଇ ଭଉଣୀ ମାନଙ୍କୁ ଦେଖି ଭାରି ଖୁସି ଲାଗୁଥିଲା।
ଦିନଥିଲା ମଧୁସୂଦନପୁର ଆସିବାକୁ ବାହାନା ଖୋଜୁଥିଲି ମୁଁ ଯେମିତି ବି ହେଉ ବୋଉ କୁ ମନାଇ ଖରା ଛୁଟି ରେ ଚାଲି ଆସୁଥିଲି ଏଠାକୁ।ମଧୁସୂଦନପୁର କୁ ଲାଗି ଛୋଟ ଗାଁ ଟେ ବେଲ ଗାଁ।ଲିଲି ର ସଙ୍ଗାତ ର ଗାଁ ମୋ ମିତା ର ଗାଁ।ମିତା ମୋ ମାଉସୀ ଝିଅ ଭଉଣି ଲିଲି ର ସଙ୍ଗାତ ଥିଲା।ଏଇ ଖରାଛୁଟି କୁ ଯେମିତି ବର୍ଷ ସାରା ଅପେକ୍ଷା କରିଥାଏ ମୁଁ।ମିତା ସବୁଦିନ ଲିଲି ପାଖକୁ ଆସେ ଦୁହେଁ ମିଶି ଟ୍ୟୁସନ ଯାଆନ୍ତି।କିଛି ହେଉ କି ନହେଉ କିନ୍ତୁ ଖରା ଛୁଟି ରେ ମାଉସୀ ଘରକୁ ଯିବା ଟା ଥୟ।
ସେ ବର୍ଷ MB A ର ଶେଷ ବର୍ଷ ଥିଲା ଆଉ ମୋର ଦିଲ୍ଲୀ ରେ ଗୋଟେ ଭଲ କମ୍ପାନୀ ରେ ଚାକିରୀ ହୋଇଯିବାର ଥିଲା।ଗତବର୍ଷ ଖରା ଛୁଟି ରେ ଲିଲି ର ବାହାଘର ହୋଇଯାଇଥିଲା।ତଥାପି କାହିଁକି କେଜାଣି ଖରା ଛୁଟି ରେ ଛୁଟି ଆସିଥିଲି ବୋଉ କୁ ନେଇ ଏଠାକୁ।ଜାଣିଥିଲି ମିତା ଆଉ ଆସିବ ନାହିଁ।ତା ସଙ୍ଗାତ ତ ନାହିଁ ଆଉ କାହିଁକି ଆସିବ??ଲିଲି ଯଦିଓ ସବୁ ଜାଣିଥିଲା କିନ୍ତୁ ମୋ ରାଣ ଯୋଗୁ କିଛି କହିନଥିଲା ମିତାକୁ।
ମୋର ଲାଜକୁଳା ସ୍ଵଭାଵ ଯୋଗୁଁ ମିତା ସହ ପଦୁ ଟିଏ ବି କଥା ହେବାକୁ ଡର ମାଡୁଥିଲା।ଇଛା ହେଉଥିଲା ଲିଲି ଟିକେ ଖରା ଛୁଟି ରେ ଆସନ୍ତାନି ମିତା ବି ଆସନ୍ତା ଅନ୍ତତଃ ଦିଲ୍ଲୀ ଯିବା ପୂର୍ବରୁ ମିତା କୁ କହିଦିଅନ୍ତା ମନ କଥା ସବୁ।ମନ ଦୁଃଖରେ ଛୁଟି ଟି କଟିଲା,ଫେରିବା ପୂର୍ବଦିନ ରାତିରେ କାହାର ଖିଲି ଖିଲି ହସ ରୋଷେଇଘରୁ ଶୁଭୁଥିଲା ମୋ ପରିଚିତ ହସ ମୋ ମିତା ର।କିନ୍ତୁ ରାତିରେ.....ଯାଇ ବୁଝେ ତ ତା ମା ବାପା ଭୁବନେଶ୍ୱର କାହା ଘରକୁ ଯାଇଛନ୍ତି ତେଣୁ ରାତିଟି ଏଇଠି ରହିବ।
ଠାକୁର ଯେମିତି ମୋ ମନକଥା ଶୁଣିଥିଲେ।ରାତିରେ ଲିଲି ରୁମ୍ ରେ ମିତା ବହି ପଢ଼ୁଥିବା ଦେଖି ପଶିଗଲି ଭିତରକୁ ଆଉ ପଚାରିଲି,
କଣ ପଢୁଛ?
ହଠାତ ଚମକି ଗଲା ମିତା ପୁଣି କହି ଉଠିଲା,
ଲଭ ଷ୍ଟୋରୀ ।
କାହାର?
ରାନୁ ଆଉ ମୋହିତ ର ,ପିଲାଦିନ ର ଭଲ ପାଇବା କୁ ବିବାହ ର ରୂପ ଦେଇଛନ୍ତି।happy ending।
କଣ ବିବାହ ହେଲେ ହିଁ ପ୍ରେମ ରେ ପୂର୍ଣ୍ଣତା ଆସେ?
ହଁ
କିନ୍ତୁ ମୁଁ ଭାବେ ପ୍ରେମ ରେ ପୂର୍ଣ୍ଣତା ତ ପ୍ରତୀକ୍ଷଣ ଥାଏ,ବିବାହ ନହେଲେ ପ୍ରେମ ମରିଯାଏନି।
କିନ୍ତୁ ପ୍ରେମ ଟି ବିବାହ ରୂପ ନେଲେ ସାର୍ଥକ ହୁଏ?
ତେବେ ତୁମେ କଣ ମୋତେ ବିବାହ କରିପାରିବ ମିତା?
ଏମିତି ସିଧାସଳଖ ମୁଁ ତାକୁ ପଚାରିଥିଲି ଭାବୁଥିଲି ସେ ରାଗିଯିବନି ତ?
କିନ୍ତୁ ସେ ଖିଲି ଖିଲି ହସି ଉଠି କହିଲା ଏଇ କେଇପଦ କଥା ପାଇଁ ଆଠ ବର୍ଷ ଲାଗିଲା ତୁମକୁ ସୁଜିତ ଭାଇ??
ତୁମେ କଣ ଆଗରୁ ଜାଣିଥିଲ ଯେ ମୁଁ ତୁମକୁ ଭଲ ପାଏ ବୋଲି?
ତୁମେ କହିବା ଆଗରୁ ମୁଁ ଜାଣିଥିଲି ବହୁତ ଆଗରୁ ଆମେ ଟ୍ୟୁସନ ଗଲା ବେଳେ ତୁମେ କଣେଇ ଦେଖିବା,ମୋତେ ଦେଖି ଅନ୍ୟମନସ୍କ ହୋଇଯିବା ,ମୁଁ ଆସିବା ମାତ୍ରେ ଓଠ ରେ ନହସି ଆଖିରେ ହସିବା ସବୁତ ଜଣେଇଦେଉଥିଲା ତୁମେ ମୋତେ ଭଲ ପାଅ କିନ୍ତୁ ତୁମେ ଏତେ ଭୟାଳୁ?ମୁଁ ସବୁଦିନ ପ୍ରସ୍ତୁତ ହୋଇ ଆସୁଥିଲି ତୁମେ ମୋତେ ଭଲ ପାଅ କହିଲେ ମୁଁ କି ଉତ୍ତର ଦେବି କିନ୍ତୁ ତୁମେ??
କଣ ଟିକେ ଚାହିଁବାକୁ ମଧ୍ୟ ଏତେ ଭୟ ତୁମର?
ଆଉ ଆଜି ଖାଲି ତୁମ ସହ ଟିକେ କଥା ହେବି ବୋଲି ଭୁବନେଶ୍ବର ଭୋଜି କୁ ଗଲିନାହିଁ।
ଏତେ ସବୁ ପ୍ରଶ୍ନ ର ଉତ୍ତର ମୋ ପାଖେ ନଥିଲା,ପ୍ରତିଥର ମିତା ପାଇଁ ଚିଠି ଟିଏ ଲେଖୁଥିଲି କିନ୍ତୁ ଦେବାକୁ ସାହାସ ନଥିଲା କିନ୍ତୁ ଆଜି ସାହାସ ସଞ୍ଚୟ କରି ସାଇତି ଥିବା ସବୁ ଚିଠି ତା ହାତରେ ଦେଲା ବେଳେ ଦେଖିଲି ତା ମୁଁହ ଟି କେମିତି ନାଲି ପଡିଯାଇଛି ମୁଁ ଚୁପଚାପ ସେଠାରୁ ଚାଲି ଆସିଲି।କଣ ବା ଉତ୍ତର ଦିଅନ୍ତି ତାକୁ ମୁଁ ତ ସବୁବେଳେ ସେଇମିତି।ଭୟାଳୁ ଏଥିପାଇଁ ବାବା ବୋଉ ଏପରିକି ମୋ ସାନ ଭାଇଠୁ ବି ଗାଳି ଶୁଣେ।
ରାତି ସାରା ଶୋଇ ପାରୁନଥିଲି।ସକାଳୁ ଘରୁ ବାହାରି ଗାଁ କୁ ବୋଉ ସହ ଆସିଲା ବେଳେ ଦେଖୁଥିଲି ତା ମୁଁହ ବି ନାଲି ଆଉ ଆଖି ଫୁଲି ରହିଛି ଜାଣିପାରିଲି ସେ ବି ରାତି ଶୋଇନି।
ବସ ରେ ମୋ ଉଦାସ ମୁଁହ ଦେଖି ବୋଉ ପଚାରୁଥିଲା?
କଣ ହୋଇଛି କିରେ ତୋର?
ବୋଉ ବାରମ୍ବାର ପଚାରିବା ପରେ ସବୁ କହିଦେଲି ବୋଉ ଭାରି ଖୁସି ହେଇଥିଲା ଆଉ କହିଲା
ଆରେ ସେ ତ ଆମ ଜାତିଝିଅ ,ତୋ ବାହାଘର ସେଠି ହିଁ ହେବ।
ମୋ ଚାକିରୀ ହେବା ମାତ୍ରେ ବାପା ପ୍ରସ୍ତାବ ନେଇ ଗଲେ ବେଲ ଗାଁ ।ମୋ ମିତାର ଗାଁ।
ବାବା କୁହନ୍ତି "ସର୍ବ ମଙ୍ଗଳ ଜଗନ୍ନାଥ" କିନ୍ତୁ ମିତାର ବାପା ଜୋର କରି ମୋ ଜାତକ ମାଗିଥିଲେ।ଏକମାତ୍ର ଝିଅକୁ ଜାତକ ମେଳକ ନକରି ବିବାହ ଦେବେନାହିଁ ବୋଲି ଦୃଢ କଣ୍ଠ ରେ କହିଲେ।ଆଉ ଜାତକ ଐରି ଷଡାଷ୍ଟକ ଆଉ ସେଥିରେ ପୁଣି ଦେବ ରାକ୍ଷସ ଗଣ ,ଆଉ ପୁଅର ମଙ୍ଗଳ ଦୋଷ ଵିଵାହ ଅସମ୍ଭବ।
ବିଫଳ ସୈନିକ ପରି ବାବା ମୋର ଫେରିଆସିଥିଲେ ମୋର ଆଉ ମିତା ର ସମ୍ପର୍କ ଯେମିତି ତାଳ ପତ୍ର ଦୁଇଟି ନିର୍ଦ୍ଧାରିତ କରୁଥିଲା।ଯେଉଁଠି ମନ ,ହୃଦୟ ,ଆତ୍ମା ମିଶିଛି ସେଇଠି ଜାତକ ହୋଇଯାଇଥିଲା ନିର୍ଣ୍ଣାୟକ ଆମ ସଂପର୍କ ର।ମିତା ହୁଏତ ତା ମନକୁ ବୁଝାଇଦେଇଥିଲା କାରଣ ତା ଘର ନମ୍ବର କୁ ଯେତେ ଫୋନ କଲେ ବି ସେ ଉଠାଇ ନଥିଲା।ପରେ ଲିଲି ଠୁ ଶୁଣିଲି ତାର କାଳେ ବିବାହ ହୋଇଯାଇଛି ,ଆଉ ରାଜଯୋଟକ କରି ହିଁ ତା'ବାବା ଜଣେ ଇଂଜିନିୟର ସହ ତାର ବିବାହ କରେଇଛନ୍ତି। ମୋତେ କଷ୍ଟ ହୋଇଥିଲେ ବି ଖୁସି ଥିଲି ସେ ଯେଉଁଠି ରହୁ ଭଲରେ ରହୁ।
ଆଜି ୧୩ ବର୍ଷ ପରେ ମୁଁ ମଧୁସୂଦନ ପୁର ରେ ବହୁତ ବଦଳିଛି ଗାଁ ଦାଣ୍ଡ।ମୋ ସହ ଆସିଛନ୍ତି ମିକି(ମୋ ଧର୍ମପତ୍ନୀ),୬ବର୍ଷ,ର ବଡ଼ ପୁଅ ରାଜ ଆଉ ୧ବର୍ଷ ର ସାନ ପୁଅ ସ୍ମିଥ।କିନ୍ତୁ ମୋ ଅମାନିଆଁ ପାଦ ଚାଲୁଥାଏ ବେଲ ଗାଁ ,ମୋ ମିତା ର ଗାଁ ,ମୋ ବିଗତ ପ୍ରିୟା ର ଗାଁ କିନ୍ତୁ ସେ ସେଠି ନଥିଲା ।କିଛି କ୍ଷଣ ପାଇଁ ବୋଧେ ମୁ ଭୁଲିଯାଇଥିଲି ସେ ବି ତା ପରିବାର ,ଶାଶୂ ଘରେ ବ୍ୟସ୍ତ ଥିବ ।ତା ଗାଁ ଆଉ ଘର ପାଖେ ମୁଁ କାହିଁକି ଯେ ଖୋଜୁଥିଲି ତାକୁ ନିଜେ ବି ଜାଣିନି।
ଘର କୁ ଫେରି ଦେଖେ ମିକି ପାଖେ କେହି ଜଣେ ସ୍ମିଥ କୁ କାଖେଇ କହୁଛି ପୁରା ସୁଜିତ ଭାଇ ଙ୍କ ପରି ହୋଇଛି ନା ଭାଉଜ।ପାଖକୁ ଯାଇ ଦେଖେ ତ ମିତା ଥିଲା.....
ମୋ ମିତା ,ଶୂନ୍ୟ ମଥା, ଲଙ୍ଗଳା ହାତ,ଘିଅ ରଙ୍ଗ ର ଶାଢ଼ୀ...ତପସ୍ୱିନୀ ଟେ ପରି ଦିଶୁଥିଲା,କେମିତି କୋହ ଟିଏ ଉଠିଲା ହୃଦୟରେ ପୁଣି ଥରେ ୧୩ ବର୍ଷ ପରେ ତାକୁ ଏହି ରୂପରେ ଦେଖି ବାକଶୂନ୍ୟ ହୋଇଯାଇଥିଲି ମୁଁ, ନିଜ ଲୁହକୁ ସମସ୍ତଙ୍କ ଠୁ ଲୁଚାଇବାକୁ ବାଡିପିଣ୍ଡା କୁ ଚାଲିଆସିଲି ।ଆସି ଦେଖେ ତ ମିତା ତା ଶାଢ଼ୀ ପଣତ ରେ ଲୁହଭିଜା ମୁଁହକୁ ପୋଛି ଚାଲି ଯାଉଛି ତା ଗାଁ କୁ ,ବେଲ ଗାଁ