ଗଳ୍ପର ନାୟିକା
ଗଳ୍ପର ନାୟିକା
-ଝିଅ କେତେ ସୁନ୍ଦର ଗଳ୍ପ ଲେଖୁଛ।କମେଣ୍ଟ ନଦେଲେ ବି ମୁଁ ଲାଇକ ଟେ କରେ ତୁମ ସବୁ ଗପରେ।
ମେସେଞ୍ଜର ରେ ସେଦିନ ୨୦ ବର୍ଷ ପରେ ଜଣେ ଚିହ୍ନା ଅତି ପ୍ରିୟ ମଣିଷଙ୍କ ମେସେଜ ଆସିଥିଲା।'ଅପା' ତାଙ୍କ ନାଁ ସେତେବେଳେ ମୁଁ ଜାଣି ନଥିଲି।ଏବେ ଜାଣିଲି "କଳ୍ପନା ପଟନାୟକ"।ସଂଗେ ସଂଗେ ବନ୍ଧୁତ୍ବ ଅନୁରୋଧ ଗ୍ରହଣ କଲି।
-ଝିଅ କିଛିଦିନ ହେଲା ତୁମ ଗଳ୍ପ ଆସୁନି ,ଭାରି ଖୋଜେ ମୁଁ।ଏକା ଘରେ ରହି ଭାରି ବୋର ହୁଏ ତୁମ ଲେଖା ମୋର ସ୍ଲିପିଂ ଡୋଜ।
ଅପା ମୋତେ ଚିନ୍ହି ପାରିନଥିଲେ କାରଣ ୨୦ ବର୍ଷ ତଳର ସେଇ ୭,୮ ବର୍ଷର କୁନିଝିଅ ର ମୁଁହ ଓ ଆଜି ର ମୁଁହ ରେ ଅନେକ ପରିବର୍ତ୍ତନ।
ନିଜ ପରିଚୟ ଦେବା ପାଇଁ ମେସେଞ୍ଜର ରେ ଫୋନ କଲି।ଅତିଶୟ ଆନନ୍ଦିତ ହୋଇ ଉଠିଲେ ଅପା।ସେହି ଦିନଠୁ ମୋର ପ୍ରତ୍ୟକ ଗଳ୍ପର ପ୍ରଥମ ପାଠିକା ସେ।ପଢ଼ିସାରି ହ୍ଵାଟ୍ସଆପ ଅଥବା ମେସେଜ ରେ ଲମ୍ବା କମେଣ୍ଟ ଟିଏ ଲେଖିଦିଅନ୍ତି ।
କଳ୍ପନା ଅପା ମୋ' ଠାରୁ ୨୦ ବର୍ଷ ବଡ଼।ମୋ ଠାରୁ ବଡ଼ ତାଙ୍କର ଦୁଇ ପୁଅ ,ଝିଅ ,କିନ୍ତୁ ପିଲାଦିନେ ମୁଁ ତାଙ୍କୁ ଅପା ଡାକୁଥିଲି।ମାଉସୀ କି ଆଣ୍ଟି ନ ଡାକି ଅପା କାହିଁକି ଡ଼ାକିଲି ତାର କାରଣ ମୋତେ ଜଣାନାହିଁ।ସ୍କୁଲ ପାଖେ ତାଙ୍କ ଘର ଥିଲା।ତାଙ୍କ ଘରକୁ ମୁଁ ଯାଏ ପିଜୁଳି ଓ ବରକୋଳି ପାଇବା ର ଆଶା ନେଇ।ବ୍ୟାଗ ଭିତରେ ଭରି ଦିଅନ୍ତି ସେ ସଭିଙ୍କୁ ଲୁଚେଇ।ମୁଁ ବେଳେ ବେଳେ ତାଙ୍କ ପାଈଁ କିଣି ନିଏ ଦୋକାନରୁ ୫୦ ପାଇସି ରେ ମିଳୁଥିବା କଫି ଚକଲେଟ ,ମେଂଗୋ ଚକଲେଟ କିମ୍ବା ତେନ୍ତୁଳି ଆଚାର।ଅପା ଯେତେବେଳେ ସେଗୁଡିକୁ ଖାଆନ୍ତି ଭାରି ସୁନ୍ଦର ଲାଗନ୍ତି।ଆମ ଭିତରେ ବୟସର ପାର୍ଥକ୍ୟ ରୁହେନା।ସେତେବେଳେ ମୁଁ ଲକ୍ଷ କରୁଥିଲି ତାଙ୍କ ସ୍ୱାମୀ ଆସିବା ମାତ୍ରେ ସେ ମୋତେ ଚାଲିଯିବାକୁ କହୁଥିଲେ।ଏପରିକି ତାଙ୍କ ଶାଶୁ ଥିଲାବେଳେ ବି ସେ ଅତି ଧୀର ସ୍ୱରରେ କଥା ହେଉଥିଲେ ।
ଏବେ ଦିନେ ଫୋନରେ ମୁଁ ପଚାରିଲି ଅପା ତୁମେ ସେଇଠି ଡରି ଡରି ରହିଲା ଭଳି ମୋତେ ଲାଗୁଥିଲା କାହିଁକି?
ହସିଲେ ଅପା ,ଶାଶୁ ଓ ସ୍ୱାମୀ ଙ୍କ କଥା ପଦଟିଏ ବି କହିଲେ ନାହିଁ।
କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୱର ନରମି ଆସିଲା।କଣ ହେଲା କଇଁ କଇଁ ହୋଇ ସେ କାନ୍ଦି ଉଠିଲେ।
-ମୁଁ ଜାଣେ ଝିଅ ,ତୁମେ ମୋ ଝିଅ ବୟସର କିନ୍ତୁ ମୁଁ ଆଜି କହିଦେବାକୁ ଚାହେଁ ମୋ ଜୀବନର ସେହି ନିଷ୍ଠୁର ସତ୍ୟ ସବୁ କୁ।ଯାହା କାଳ ସର୍ପ ପରି ମୋତେ ଦଂଶନ କରେ।ଚେଷ୍ଟା କରି ବି ଭୁଲିପାରେନା।
ମୁଁ ଆଶ୍ଚର୍ଯ୍ୟ ହୋଉଥାଏ ।ଅପା ଖୋଲି ଚାଲିଲେ ଫର୍ଦ୍ଦ ପରେ ଫର୍ଦ୍ଦ।କେତେବେଳେ ହସିଲେ,କେତେବେଳେ କାନ୍ଦିଲେ ,କେତେବେଳେ ଭୟଭୀତ ହେଲେ ତ ଆଉ କେତେବେଳେ କରୁଣ ଭାବେ କାନ୍ଦି କାନ୍ଦି ଚୁପ ହୋଇଗଲେ।ସାନ୍ତ୍ବନା ଦେବା ପାଇଁ ଭାଷା ନଥିଲା ମୋ ପାଖରେ।
ମୋ ଗଳ୍ପ ର ନାୟିକା କଳ୍ପନା ଅପା ।ଶିକ୍ଷିତ ପରିବାରର ବଡ଼ଝିଅ ,ମା ହେଳା କରେନି ଝିଅକୁ ଷଣ୍ଠଣା ଶିଖେଇବାରେ।ଝିଅ ପାଠ ପଢେ,ଘର କରଣା ଶିଖେ,ଭାଗବତ ପଢେ।ବାପାଙ୍କ ନାଲି ଆଖି,ବୋଉ ର ଗାଳି ମାଡ଼ ଭିତରେ ଅପସରି ଯାଏ ଝିଅଟି ଭିତରୁ ଯେତେ ଚପଳାମି।ଯେତେସବୁ ପିଲାଳିଆମୀ ଭରପୁର ଥିଲା ତାଙ୍କ ପାଖେ ସାଙ୍ଗ ମାନଙ୍କ ସହ ଲୁଚିଛପି ଗାଁ ଅପେରା ଦେଖିବାକୁ ଯାଉଥିଲେ।ସେଠି ହିରୋଇନକୁ ଦେଖି ଭାବୁଥିଲେ କେତେ ଭାଗ୍ୟବତୀ ଏମାନେ।ଓଠରେ ଲିପ୍ସଟିକ ଲଗେଇବା ଗୋଟେ ଭାରି ଭାଗ୍ୟର କଥା ବୋଲି ତାଙ୍କର ଧାରଣା ଥିଲା।ବେଳେ ବେଳେ ବୋଉ ର ସିନ୍ଦୁରକୁ ଓଠରେ ମାରି ଦର୍ପଣ ରେ ନିଜ ମୁଁହ ଦେଖୁଥିଲେ।ନିଜ ରୂପ ଉପରେ ଇର୍ଷା ଲାଗୁଥିଲା ତାଙ୍କର।ମାଆ ଯେଉଁଦିନ ନିଜ ଆଖିରେ ଦେଖିଲେ ପିଠିରେ ଦୁମଦୁମ କରି ଲଦିଦେଇଥିଲେ।ସେହି ଦିନଠୁ ମୁଣ୍ଡରୁ ଉତୁରିଗଲା ସଜେଇ ହେବାର ନିଶା।
ଅପା କିନ୍ତୁ ଥିଲେ ପାଠପଢ଼ାରେ ବିଚକ୍ଷଣ।ସେ ବଡ଼ ହୋଇ ସୁନ ନାନୀ ଭଳି ହେବାକୁ ଚାହିଁଥିଲେ। "ସୁନ ନାନୀ"ତାଙ୍କ ପଡିଶା ଘର ଝିଅ ଯିଏ ସ୍ଥାନୀୟ ମେଡ଼ିକାଲ ରେ ଷ୍ଟାଫନର୍ସ ଥିଲେ।କାନ୍ଧରେ ବ୍ୟାଗ ଝୁଲାଇ,ଦୁଇ ବେଣୀ ଛାଟି,ହାତରେ ଘଣ୍ଟା ପିନ୍ଧି ଓଠରେ ଲିପ୍ସଟିକ ଲଗେଇ ,ଧଳା ଆପ୍ରୋନ ପିନ୍ଧି ସେ ଗଲା ବେଳେ ଅନେକ ଆଖି ତାଙ୍କ ଉପରେ ଘୁରି ବୁଲୁଥିଲା ,ସେ କିନ୍ତୁ ସାଇକେଲରେ ଫୁର କିନା ଚାଲିଯାଉଥିଲେ।ଗରିବ ବାପ ର ଏକମାତ୍ର ଚାକିରିଆ ଝିଅ।ଅପା ଙ୍କୁ ସୁନ ନାନୀ ଭଳି ହେବାର ନିଶା ଘାରିଲା।ପାଠପଢିବେ ,ସୁନ ନାନୀ ଭଳି ଚାକିରୀ କରିବେ ତେଣିକି ନିଜ ଇଚ୍ଛାରେ ଖୁସିରେ ବଂଚିବେ।ଏହି ଝୁଙ୍କରେ ସେ ପଢିଚାଲିଲେ।ମ୍ୟାଟ୍ରିକ ରେ ଫାଷ୍ଟ କ୍ଲାସ ରେ ପାସ କରିଥିବା ସେ ପ୍ରଥମ ଝିଅ।ସେଇଦିନ କିନ୍ତୁ ସୁନ ନାନୀ କୁ ଖୁସି ଖବର ଦେଲା ମାତ୍ରେ ସୁନ ନାନୀ ହାତରୁ କାଢି ଅପାଙ୍କ ହାତରେ ପିନ୍ଧାଇଦେଲେ ନିଜ ହାତଘଣ୍ଟା କୁ।ଖୁସି ମନରେ ନାଚି ନାଚି ତାଙ୍କ ଘରୁ ବାହାରିଲା ବେଳେ ଦେଖିନେଲା ବଡ଼ ଭାଇ।ପିଠିରେ ପୁଣି ବସିଲା ମାଡ଼।ସୁନ ନାନୀ କାଳେ ଦୋଚାରୁଣୀ,ଅସତୀ,ଘରବୁଢ଼ୀ ଏମିତି କେତେ କଣ କହିଚାଲିଲେ ଘର ଲୋକ।ତାଙ୍କ ଘରକୁ ନଯିବାକୁ ହେଲା ନିୟମ।
ମାତ୍ର ପନ୍ଦର ବର୍ଷ ବୟସରେ ତିରିଶି ବର୍ଷର ଉଚ୍ଚ ଶିକ୍ଷିତ ,ଚାକିରିଆ ବର ସହ ବିବାହ କଲେ ଅପା।ମନ ରେ ଭଉଁରୀ ଖେଳିଲା ସ୍ୱପ୍ନ ସବୁ।ବାପା ,ବୋଉ,ଭାଇ ଙ୍କ ନାଲି ଆଖି ରୁ ମୁକ୍ତି ପାଇବେ ବୋଲି ଅତି ଆନନ୍ଦିତ ହୋଇ ଉଠୁଥିଲେ।ସେ ସ୍ୱାମୀ ପାଖେ ରାଣୀ ହୋଇ ରହିବାର ସ୍ୱପ୍ନ ଦେଖିଚାଲିଲେ।ସେଇ ଚଉଠି ରାତି ରେ ହିଁ ଭାଙ୍ଗିଗଲା ସ୍ୱପ୍ନ ସବୁ।ଯେବେ ସଂସାର ବିଷୟରେ ଅପରିଚିତ କିଶୋରୀ କୁ ଜୋର ଜବରଦସ୍ତ ସ୍ତ୍ରୀ ର କର୍ତ୍ତବ୍ୟ କରିବାକୁ ହେଲା। ଅପାଙ୍କ କଷ୍ଟ ଦ୍ବିଗୁଣିତ ହୋଇଯାଉଥିଲା ଯେବେ ସାରା ଦିନ ଚାକରାଣୀ ଭଳି ଖଟି ରାତ୍ରିରେ ବିଶ୍ରାମ ନେବେ ଭାବିଲା ବେଳେ ତାଙ୍କୁ ରାତି ଅନିଦ୍ରା ହେବାକୁ ପଡୁଥିଲା।ସ୍ତ୍ରୀ ର ଦେହକୁ ଖିନଭିନ କଲା ପରେ ସ୍ବାମୀ ରୂପକ ମହାପୁରୁଷ ଶାନ୍ତି ର ନିଦ୍ରା ଯାଉଥିଲେ ଆଉ ୧୫ବର୍ଷ କୁନି ଝିଅଟି ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହୋଇ ଚିତ୍କାର ସୁଧା କରିପାରିନଥିଲା,କେବଳ ଅଶ୍ରୁ ଝରୁଥିଲା ଆଖିରୁ ସାରା ରାତି।
୧୬ ବର୍ଷ ରେ ଜନ୍ମ ନେଲା ପ୍ରଥମ ପୁତ୍ର ସନ୍ତାନ,ତାପରେ ୧୭ ବର୍ଷରେ ଝିଅ।ଅପା କହିଲା ବେଳେ ହୋଇଯାଉଥିଲେ ଭାବପ୍ରବଣ କାନ୍ଦି ଉଠୁଥିଲେ ନିରୀହ ଭାବେ।ଝିଅଟି ଜନ୍ମ ହେବାକୁ ଥାଏ ପାଟି କୁ ଅନ୍ନ ରୁଚି ହୁଏନି।ଦିନେ ଶାଶୂ ଙ୍କୁ ଲୁଚେଇ ଭାଜି ଦେଲେ ଟମାଟୋ ଟିଏ।ଶାଶୂ ଜାଣିପାରି,ରଖିଦେଲେ ଅପାଙ୍କୁ ଦୁଇଦିନ ଉପବାସ।ଅପା କିନ୍ତୁ ଶାଢ଼ୀ ପଣତ ରେ ଲୁଚେଇ ଆଣୁଥିଲେ କିଛି ବିସ୍କୁଟ ,ଲୁଗା ସୁଖେଇବା ବାହାନାରେ ଉପରକୁ ଆସି ସେତକ ଖାଉଥିଲେ।ଶାଶୂଘର ଲୋକ ଛୁଆ ଜନ୍ମବେଳେ ସୁଦ୍ଧା ଦିନୁଟିଏ ବାପଘରକୁ ଛାଡିନଥିଲେ।ତେଣେ ବାପଘର ଲୋକ ବି ବାହାଦୁରୀ ନେଉଥିଲେ ଝିଅ କୁ କ୍ଷଣେ ସୁଦ୍ଧା ଜ୍ବାଇଁ ଛାଡ଼ନ୍ତିନି ବୋଲି।ପ୍ରସବ ପରେ ଖାଇବା ପାଇଁ ଶାଶୂ ଦିଅନ୍ତି ।ଫୁଟିଆଣି ପିଇ କହି ଯେଉଁ ଗରମ ପେଜ ଦିଅନ୍ତି ସେଠି ପହଁରୁ ଥାଏ ଦୁଇ ଚାରୋଟି ଭାତ।ସତରେ ଭାରି ଆଶ୍ଚର୍ଯ୍ୟ ଲାଗୁଥିଲା ଶୁଣି ଏତେ ନିଷ୍ଠୁର ହୋଇପାରେ ନାରୀ ଟିଏ ପୁଣି ନାରୀ ପାଇଁ।
ଦୁଇଟି ସନ୍ତାନର ଜନ୍ମ ପରେ ସୁଦ୍ଧା ଉଚ୍ଚଶିକ୍ଷିତ ସ୍ୱାମୀ ବାରମ୍ବାର ଗର୍ଭପାତ କରାନ୍ତି ଅପାଙ୍କର।ଅପା କିନ୍ତୁ ସାହସ ସଞ୍ଚୟ କରି ସ୍ୱାମୀ ଙ୍କ ପାଦ ତଳେ ପଡ଼ନ୍ତି ,କାକୁତି ମିନତୀ ହୁଅନ୍ତି ।ପଥର ହୃଦୟ ଟିକେ ତରଳି ଯାଏ।ଡାକ୍ତର କିନ୍ତୁ ୧୮ ପୁରିବା ପରେ ଅପରେସନ କରିବା କହି ଫେରେଇଦିଅନ୍ତି।
ପୁଣି ଆରମ୍ଭ ହୁଏ ଅତ୍ୟାଚାର।ରୋଗୀ,ଦୁର୍ବଳ ଶରୀର ରେ ସୁଦ୍ଧା ଅପାଙ୍କୁ ନିସ୍ତାର ମିଳେନି।କଞ୍ଚା ଦେହ ଖିନଭିନ ହୁଏ।ଯେଉଁ ନାରୀତ୍ବ ପାଇଁ ନାରୀ ହୁଏ ଗର୍ବିତ।ଯେଉଁ ମାତୃତ୍ୱ ପାଇଁ ନାରୀ ସୌଭାଗ୍ୟବତୀ ହୁଏ ସେହି ମାତୃତ୍ୱ ଓ ନାରୀ ଜନ୍ମ ପାଇ ଅପା ମୁଣ୍ଡ ପିଟୁଥିଲେ।
ଆଉ ସହି ପାରନ୍ତିନି ଅପା।ନିଜର ଦୁଇ ପିଲାଙ୍କୁ କାଖେଇ ସମସ୍ତେ ଶୋଇଥିଲା ବେଳେ ବାହାରି ପଡ଼ନ୍ତି ବାପଘର।୧୫ କିମି ଚାଲିଲା ପରେ ପହଁଚନ୍ତି ଭୋର୍ ୫ଟାରେ ଘର ପାଖେ ।କବାଟ ପାଖେ ପିଟି ହୋଇ ପଡିଯା'ନ୍ତି।ପିଲା ଦୁଇଟିର ବିକଳ କାନ୍ଦ ରେ ଚେତା ଫେରେ ପୁଣି କବାଟ ବାଡ଼ାନ୍ତି।ଭୂତ ଦେଖିଲା ପରି ଚମକି ଯାଆନ୍ତି ପରିବାର ଲୋକେ।
ବାପା ମୁଣ୍ଡରେ ହାତ ଦେଇଦିଅନ୍ତି।ମାଆ " କେଡେ କଥା କଲୁ "ବୋଲି ବାହୁନି କାନ୍ଦନ୍ତି।କାହା ଆଗେ କହିବେ ମନର ବେଦନା। ତେଣେ ମଝିଆ ଭଉଣୀ ନିର୍ବନ୍ଧ ପାଇଁ ଅପାଙ୍କୁ ସୁନ ନାନୀ ଘରେ ଆତ୍ମଗୋପନ କରିବାକୁ କୁହାଯାଏ।ଅପା ଚାଲିଯାଆନ୍ତି ସୁନ ନାନୀ ଘରକୁ।ସୁନ ନାନୀ ଭୋ ଭୋ ହୋଇ କାନ୍ଦି ଉଠନ୍ତି,ଅପାଙ୍କ ରୂପ ଦେଖି।ମାଆ ଟିଏ ପରି ଗେଲ୍ହା କରନ୍ତି ସୁନ ନାନୀ।ଗୋପନରେ ଫେମିଲି ପ୍ଲାନିଂ କରେଇଦିଅନ୍ତି।ସେଇଠି କଟେଇଥିବା ପନ୍ଦର ଦିନ ହୁଏତ ସ୍ୱର୍ଗତୁଲ୍ୟ ଥିଲା ଅପାଙ୍କ ପାଇଁ।ଶେଷରେ କିନ୍ତୁ ସ୍ୱାମୀ ଓ ଶାଶୂ ,ବାପାଙ୍କ ଠୁ ଖବର ପାଇ ପହଞ୍ଚି ଯାଆନ୍ତି ।ଅପା ଙ୍କୁ ଜୋର ଜବରଦସ୍ତ ପଠାଯାଏ ଶାଶୂ ଘରକୁ।ଅପାଙ୍କ ଆକୁଳ ନିବେଦନ,ବାପାଙ୍କ ଚିତ୍କାର ଭିତରେ ଦବି ଯାଏ।
ବଦଲେନି ପରିବେଶ।କଟି ଚାଲେ ଯନ୍ତ୍ରଣା ର ବର୍ଷ ପରେ ବର୍ଷ।କର୍ମକୁ ଆଦରି ,ଭାଗ୍ୟକୁ ନିନ୍ଦି ପଡି ରୁହନ୍ତି ଅପା, ଜୀବନ ହାରିଦେବେ ଭାବିଲା ବେଳେ ନିରୀହ ଛୁଆ ଦୁଇଟି ପାଇଁ ପଡ଼ି ରୁହନ୍ତି।ପର ଆଗରେ ହସି ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି ସେ କେତେ ଖୁସି।ଛୋଟ ଝିଅ ମାନଙ୍କୁ ଦେଖିଲେ ନିଜକୁ ଖୋଜନ୍ତି ତାଙ୍କ ପାଖେ।ପୁଣି ଜୀଇଁବାକୁ ଚାଂହାନ୍ତି ଭୋଗୀ ପାରିନଥିବା ସମୟକୁ।
ଝିଅଟି କିନ୍ତୁ ବାପର ପରି ଉଗ୍ର ସ୍ୱଭାବ ଆଣେ ,ପିତା ମାତା ଙ୍କୁ ଜବାବ ଉତ୍ତର ଦିଏ।ଅପା କିନ୍ତୁ ଦୁଃଖୀ ନୁଁହ ଝିଅ ପାଇଁ, ବରଂ ଏଥିପାଇଁ ଖୁସି ଯେ ସେ ଏହି କଷ୍ଟ ପାଇବନି।ଝିଅ ଆଜି ବିଦେଶ ରେ ।ପିତା ଙ୍କ ବିନା ଅନୁମତି ରେ ଘର ଛାଡ଼ି ବିବାହ କରି ଏବେ ଲଣ୍ଡନରେ ରହୁଛି। ପୁଅଟି କିନ୍ତୁ ଠିକ୍ ଅପା ଙ୍କ ପରି ।ଝିଅ ର ଏହି କର୍ମ ପାଇଁ ସବୁ ଦୋଷ ଲଦା ହୁଏ ମାଆ ପୁଅଙ୍କ ମୁଣ୍ଡରେ।ପୁଅ ଶୁଣେ ଚୁପ ରୁହେ।ବାପା ସାମ୍ନା ରେ ପାଟି ଖୋଲେନା।ଅପା ଙ୍କ ସବୁ ଗୁଣ ଯେମିତି ଛଡେଇ ଆଣିଛି ସେ।ଅପା ଭୟରେ ଶିହରୀ ଉଠି ପ୍ରଶ୍ନ କଲେ,
"ଝିଅ ମୋତେ ଭାରି ଭୟ ଲାଗୁଛି ,ପୁଅ ମୋ ଭଳି କଷ୍ଟ ପାଇବ ନାହିଁ ତ?"
ଅପା ଙ୍କୁ କଣ ଉତ୍ତର ଦେବି ଜାଣିପାରୁନଥିଲି।ଅପା ଙ୍କ ନିଷ୍ଠୁର ସତ୍ୟ ସବୁ ଶୁଣି ଶିହରୀ ଉଠୁଥିଲା ସର୍ବାଙ୍ଗ।ଅପା ଯନ୍ତ୍ରଣା ରେ ଜର୍ଜରିତ ହୋଇ ମାନସିକ ରୋଗୀ ପାଲଟି ଯାଇଥିଲେ ଯେମିତି ,ସେହି ଦିନ ସବୁ କୁ ଏ ଯାଏଁ ଦିନେ ସୁଦ୍ଧା ଭୁଲି ପାରୁନାହାଁନ୍ତି।ଭାବୁଥିଲି ଗପ ଟିଏ ଲେଖିବି ।ଗପ ରେ ନାୟିକା କୁ ନ୍ୟାୟ ଦେବା ପାଇଁ ମୁଁ ଚେଷ୍ଟା କରେ କିନ୍ତୁ ଅଦ୍ୟାବଧି କଳ୍ପନା ଅପା ଙ୍କ ପରି କେତେଯେ ନାୟିକା ନିଷ୍ଠୁରତା ର ଚରମ ସୀମାରେ କାଳାତିପାତ କରୁଛନ୍ତି କିଏ ଜାଣେ????