Bidyut lata Mishra

Tragedy Inspirational Others

2  

Bidyut lata Mishra

Tragedy Inspirational Others

ଟିକେଟ୍

ଟିକେଟ୍

3 mins
433



   ଚାରୁ ଦେଖୁଥିଲା ଉମେଶ ଙ୍କ ହସ ହସ ମୁଁହ କୁ।ସେହି ନିର୍ଲିପ୍ତ ହସ ର ପ୍ରେମରେ ସେ ପୁଣି ଭିଜି ଯାଉଥିଲା।

ହାତରେ ଥିଲା ଦୁଇଟି ଟିକେଟ ଭାରତର ସ୍ୱର୍ଗ କାଶ୍ମୀର ର।୩୦ ବର୍ଷ ର ଦାମ୍ପତ୍ୟ ର ପ୍ରଥମ ଥର ଏତେ ଦୂରକୁ ଟିକେଟ। ମନେ ପଡୁଥିଲା ଅତୀତ ର ସ୍ମୃତି।ବିବାହ ବେଳେ ଚାରୁର ବୟସ ୧୯। ବିବାହ ହେଲାଦିନୁ ସ୍ୱାମୀ ଙ୍କର ପରିବାର ପାଇଁ ନିଜର ପରିଚୟ କୁ ଭୁଲିଯାଇଛି ସେ।

ବାପା ,ମା ଙ୍କର ଏକମାତ୍ର ଝିଅ ହୋଇଥିଲେ ବି ଉମେଶ ଙ୍କୁ ବିବାହ କଲା ପରେ ଉମେଶ ଙ୍କର ଭାଇ ,ଭଉଣୀ ଓ ଶାଶୂ ଶଶୁର ଙ୍କୁ ଅତି ଆନନ୍ଦରେ ସ୍ନେହ,ସମ୍ମାନ ଦେଇ ଗ୍ରହଣ କରିନେଇଛି।ସାରା ଦିନର ଖଟଣୀ ଶେଷରେ ଉମେଶ ଙ୍କର ହସ ହସ ମୁଁହଟି ଦେଖି ସେ ନିମିଷକେ ଭୁଲିଯାଇଛି ସବୁ କ୍ଲାନ୍ତିକୁ।ଉମେଶ ଙ୍କ ଆତ୍ମ ତୃପ୍ତି ର ହସ ଟି ତାକୁ ପ୍ରେରଣା ଦେଇଛି ସବୁ ପରିସ୍ଥିତିରେ ଏଇମିତି ହସି ହସି ସାମ୍ନା କରିବାକୁ।

 ଉମେଶ କିନ୍ତୁ ଚାରୁ ମୁଁହରେ ନକହିଲେ ବି ବୁଝିପାରନ୍ତି ତାର କଷ୍ଟ କୁ।ତାର କ୍ଲାନ୍ତ ଓ ଦୁର୍ବଳ ଶରୀର ଦେଖି ଭିଜି ଯାଏ ତାଙ୍କ ଦୁଇ ଆଖି।ଟ୍ରାନ୍ସଫର ହେଲା ପରେ ଅନେକ ଥର ଚାରୁ କୁ ବୁଝେଇଥିଲେ ତାଙ୍କ ସହ ସହର ଆସିବା ପାଈଁ କିନ୍ତୁ ଚାରୁ ରୋକଠୋକ ମନା କରିଦେଇଥିଲା।ଏହି ଘଟଣା କିନ୍ତୁ ବଦଲେଇ ଦେଇଥିଲା ଉମେଶ ଙ୍କ ପରିବାର ଲୋକଙ୍କୁ ।ଯେଉଁଠି ଜନକ ନନ୍ଦିନୀ ସୀତା ସ୍ୱାମୀସେବା ରୁ ବଂଚିତା ହେବେନି ବୋଲି ବନବାସ ର କଷ୍ଟ ସହିନେଇଥିଲେ ସେଇଠି ନବ ବିବାହିତା ଚାରୁ ଶାଶୂଘରୁ ପାଦ କାଢ଼ି ,ସ୍ୱାମୀ ଙ୍କ ସହ ଅୟସ ଆରାମ ରେ ରହିବା ପାଇଁ ସ୍ପଷ୍ଟ ମନା କରିଦେଇଥିଲା।ଆଦ୍ୟଯୌବନ ରେ ସ୍ୱାମୀ ଙ୍କ ଠାରୁ ଦୂରରେ ରହିବାର ଅନ୍ତର୍ଦାହ କୁ ହସି ହସି ବରଣ କରିନେଇଥିଲା ଚାରୁ।ଉମେଶ ଙ୍କ ଆଖିରେ ସେଦିନ ପତ୍ନୀ ରୁ ଦେବୀ ପାଲଟି ଯାଇଥିଲା।

  ଉମେଶ ନିଜ ନିଃସଙ୍ଗ ଜୀବନରେ ପୁସ୍ତକମନସ୍କ ହୋଇ ଆଂଶିକ ଭାବେ ପ୍ରାଣପ୍ରିୟା ପତ୍ନୀ ଠାରୁ ବିରହ ଜନିତ କଷ୍ଟ କୁ ଭୁଲିବାକୁ ଚେଷ୍ଟା କରିଥିଲେ।ଜୀବନ ର ସମସ୍ତ ସ୍ୱପ୍ନ ସାକାର ହେଲା ଯେବେ ସେ ରାଜ୍ୟସରକାର ଙ୍କ ଅଧୀନରେ ଏକ ସମ୍ମାନସ୍ପଦ ଚାକିରୀ ରେ ଅବସ୍ଥାପିତ ହେଲେ।ଚାରୁ ଯେପରି ସାକ୍ଷାତ ଲକ୍ଷ୍ମୀ ,ସରସ୍ୱତୀ ଙ୍କ ଆଶୀର୍ବାଦ ନେଇ ଆସିଥିଲେ ଉମେଶ ଙ୍କ ଜୀବନରେ।

  ଶାଶୂ ଶ୍ୱଶୁର ଙ୍କ ଅନ୍ତର ଦୁଃଖ ରେ ଫାଟି ପଡେ ଚାରୁକୁ ଦେଖି।ଯେତେ ବୁଝେଇଲେ ସୁଦ୍ଧା ଚାରୁ ରାଜି ହୋଇନଥିଲା ରୋଗିଣା ଶାଶୂ ଶ୍ୱଶୁର ଙ୍କୁ ଛାଡି ଯିବା ପାଇଁ।ଶେଷରେ ଶାଶୂ ,ଶଶୁର ହାରି ଯାଇଥିଲେ ବୋହୁଟିର ଜିଦ ଆଗେ ଭିଟା ମାଟି ର ମୋହ ଛାଡି ସହରକୁ ଆସିଥିଲେ ପୁଅ ପାଖକୁ।ଚାରୁ ,ଉମେଶ ଙ୍କର ମିଳନରେ ସେଦିନ ଖୁସିରେ ଆତ୍ମହରା ହୋଇ ଉଠିଥିଲେ ଶାଶୂ ଶଶୁର।ଚାରୁ ,ଉମେଶ ଙ୍କ ସୁଖମୟ ଦାମ୍ପତ୍ୟ ଦେଖିଓ ଅତି ଆଦରର ନାତି ,ନାତୁଣୀ ଇରା ଓ ସୌମ୍ୟ କୁ ପାଇ ସତେ ଯେପରି କୋଟିନିଧି ପାଇଥିଲେ ଶାଶୂ ,ଶଶୁର।ଏହି ସୁଖ ବେଶି ଦିନ ଦେଖିପାରିଲେନି ଦିହେଁ ,ଡକାଡକି ହୋଇ ଚାଲିଗଲେ ବର୍ଷେ ଅନ୍ତର ରେ।

   ପୁଅ ଝିଅକୁ ନିଜ ଆଦର୍ଶ ରେ ଗଢି ତୋଳିଥିଲେ ଦିହେଁ।ଝିଅଟି ଡାକ୍ତରାଣୀ ହୋଇ ନିଜ ଶାଶୂଘରେ ,ପୁଅ ଟି ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀରେ ରହୁଥିଲା।ପୁରୁଣା ସ୍ମୃତି କୁ ମନେପକାଇ ଭିଜି ଯାଇଥିଲା ଚାରୁ ର ଆଖି।ସେତେବେଳୁ ସେଇମିତି ହସୁଥାନ୍ତି ଉମେଶ।ଉମେଶ ଙ୍କ ଆଗରେ ଚାରୁ କହିଦେବାକୁ ଚାଁହୁଥିଲା ମନ ତଳର ଅବ୍ୟକ୍ତ କଥାକୁ ,ଜୀବନ ଜଞ୍ଜାଳ ରେ ବୁଡି ରହି ସେମାନେ ଅନ୍ୟ ମାନଙ୍କ ଭଳି ବୁଲି ପାରି ନାହାନ୍ତି ଏକାନ୍ତରେ।ସବୁଜ ବନାନୀ ର ଚୁପଚାପ କଥା କୁ ଶୁଣିଥାନ୍ତେ ଦିହେଁ ।ସମୁଦ୍ରରେ ଅଧାଭିଜା ହୋଇ ଦେଖିଥାନ୍ତେ ସୂର୍ଯ୍ୟାସ୍ତ ଅବା କେଉଁ ହିଲଷ୍ଟେସନ ରେ ବିତାଇଥାନ୍ତେ କିଛି ମୁହୁର୍ତ୍ତ। ଏଇମିତି ହିଁ ତ ସ୍ୱପ୍ନ ଥିଲା ଚାରୁଙ୍କର।ଉମେଶ କିନ୍ତୁ ଅବସର ପରେ ଚାରୁ କୁ ନେଇ କାଶ୍ମୀର ବୁଲେଇବା ପାଇଁ ପ୍ଲାନିଂ କରିଛନ୍ତି ଏଇକଥା ଚାରୁ କୁ ବାପା ପୁଅ ଦିହେଁ ଜଣେଇ ନଥିଲେ।


ହଠାତ ପୁଅ ସୌମ୍ୟର ମାମା!! ଡାକରେ ସମ୍ବିତ ଫେରିପାଇଲା ଚାରୁ।ମାମା ହାତରୁ ବାବାଙ୍କ ଫୁଲମାଳ ଦିଆ ଫୋଟ କୁ ନେଇ କାଂଥ ରେ ଟାଙ୍ଗିଦେଲା।


ହଠାତ କୋହ ଉଠେଇ କାନ୍ଦି ଉଠିଲେ ଚାରୁ ,ହାତ ଓ ମଥା ରେ ହାତ ବୁଲେଇ ଭାବି ବସିଲେ ସତରେ କଣ ସେ ଚାଲିଯିବାର ଏକ ମାସ ହୋଇଗଲା।ଏଇ ମିତି ତ ଶୋଇଥିଲେ ସେଦିନ କାନ୍ଧ ରେ ମୁଣ୍ଡ ରଖି।ଏକ ମାସ ତଳ ର ଦାରୁଣ ମୁହୁର୍ତ୍ତ ପୁଣି ନାଚି ଉଠିଲା ଚଳଚିତ୍ର ଭଳି ଆଖି ସାମ୍ନାରେ।ଦୁଇଦିନ ଜ୍ଵର ଲାଗିରହିଥିଲା ,ଝିଅ ର ଔଷଧ ଓ ଚାରୁଙ୍କ ସେବା ଯତ୍ନ ରେ ସୁସ୍ଥ ହୋଇଉଠିଥିଲେ ଉମେଶ। ଅବସର ନେବାର ଏକମାସ ବିତିଯାଇଥିଲା ।ଆଉ ଏକ ମାସ ପରେ କାଶ୍ମୀର ଯିବା ପାଇଁ ଟିକେଟ କାଟିସାରିଥିଲେ ।ହୋଟେଲ ରେ ରୁମ ମଧ୍ୟ ଅନଲାଇନ ରେ ବୁକ ହୋଇସାରିଥିଲା।ଆଜି କାଶ୍ମୀରରେ ଦିହେଁ ପାଳନ କରନ୍ତେ ୩୧ତମ ବିବାହ ବାର୍ଷିକୀ।ପିନ୍ଧିଥାନ୍ତେ ଉମେଶ ଙ୍କ ପ୍ରିୟ ନୀଳରଙ୍ଗର ପାଟଟିକୁ,କିନ୍ତୁ ନିମିଷକେ ସବୁ ଓଲଟପାଲଟ ହୋଇଗଲା।


ହଠାତ ସେଦିନ ମଧ୍ୟ ରାତ୍ରରେ ପ୍ରବଳ ଭୋକ ଲାଗୁଚି କହି ଚାରୁଙ୍କୁ ଉଠେଇଲେ।ଚାରୁ କଫି ଓ ବିସ୍କୁଟ ଆଣି ଉମେଶଙ୍କ ହାତକୁ ଦେଇଥିଲେ କିନ୍ତୁ ଚାରୁଙ୍କ ହାତରୁ ଖାଇବାକୁ ଜିଦ ଧରିଥିଲେ ସେ ପ୍ରଥମ ଥର ପାଇଁ।ଖାଇ ସାରି ହଠାତ ସବୁ କିଛି ବାନ୍ତି କରିଦେଲେ ଚାରୁଙ୍କ ହାତ ଆଞ୍ଜୁଳାରେ। ହାତକୁ ବେସିନ ରେ ଧୋଇ ଡେଟଲ ରେ ପୋଛିଦେଇଥିଲେ ଉମେଶଙ୍କୁ ଚାରୁ ।ଚାରୁଙ୍କ କାନ୍ଧରେ ମୁଣ୍ଡରଖି ନିଘୋଡ଼ ନିଦ୍ରା ରେ ଶୋଇଯାଇଥିଲେ ।ଏକଘଣ୍ଟା ପରେ ଚାରୁ ଅନୁଭବ କଲେ କାନ୍ଧଟି ଭାରି ଲାଗୁଛି।ତକିଆ ସଜାଡି ଶୁଆଇଦେବେ ଭାବିଲା ବେଳକୁ ସବୁ ସାରିଯାଇଥିଲା।


  ଏକମାସ ଧରି ଏଇମିତି ବାୟାଣୀ ଭଳି ପୁରୁଣା କଥା ମନେ ପକେଇ ଗୁମୁରି କାନ୍ଦୁଥିଲେ ଚାରୁ।ପୁଅ ସୌମ୍ୟ ନିଦ ହେବା ପାଇଁ ମେଡ଼ିସିନ ଦେଇ ଶୁଆଇଦେଲା ମାମାକୁ।ଚାରୁଙ୍କ ଉପରେ ଚଦରଟି ଘୋଡେଇ ଦେବା ବେଳେ ମାମାର ହାତ ମୁଠାରେ କିଛି କାଗଜ ମୋଡି ହୋଇ ଥିଲା।ଖୋଲି ଦେଖେ ତ ଦୁଇଟି ଟିକେଟ!!  କାଶ୍ମୀର ଟୁର ର।ଆଜିର ତାରିଖରେ।

ମାମା ଆଗରେ କାନ୍ଦିଲେ ମାମା ଅଧିକ ଅଧର୍ଯ୍ୟ ହେବ ବୋଲି କାନ୍ଦି ପାରେନା ସୌମ୍ୟ।ଆଜି କିନ୍ତୁ ମାମାର ହାତମୁଠାକୁ ଜାବୁଡି ଧରି କାନ୍ଦିଉଠିଲା ଭୋ ଭୋ କରି ।ସୌମ୍ୟ ର ଆଖିଲୁହରେ ଭିଜି ଯାଇଥିଲା ଟିକେଟ।ଅସ୍ପଷ୍ଟ ଦିଶୁଥିଲା ଟିକେଟରେ ଦୁଇଟି ନାମ,


ଚାରୁବାଳା ପଟ୍ଟନାୟକ

ଉମେଶ ପଟ୍ଟନାୟକ।   ।


Rate this content
Log in

Similar oriya story from Tragedy