ଛତା
ଛତା
ଅଫିସ ରୁ ଫେରିବା ସମୟ ହୋଇଯାଇଥିଲା।ବାହାରେ ଖୁବ ବର୍ଷା।ଆଜି ଵାଇକ୍ ଖରାପ ଥିବା ଯୋଗୁଁ ଟାଉନ ବସ୍ ରେ ଆସିଯାଇଥିଲି।ଅଫିସ ଠାରୁ ଘର ମାତ୍ର ୫କିମି କିନ୍ତୁ ଏଇ ବର୍ଷାରେ ଟାଉନ ବସ୍ କୁ ଅପେକ୍ଷା କରିବା ଭାରି କଷ୍ଟକର ଲାଗୁଥିଲା। ୧୦ମିନିଟ୍ ଅପେକ୍ଷା କରି ନିରାଶ ହୋଇଯିବା ପରେ ଅଟୋ କିମ୍ବା ଲିଫ୍ଟ ପାଇଁ ଚାରିପାଖରେ ନଜର ବୁଲାଇ ଆଣିଲି।କିଛି ଦୂରରେ କେବଳ ଗୋଟିଏ ପୁରୁଣା ପାଲଟଣା ରିକ୍ସା ଟିଏ ଥିଲା।ଡାକିବକି ନାହିଁ ଏହି ଦ୍ଵନ୍ଦ ରେ ବିତିଗଲା କିଛି ସମୟ।ଶେଷରେ ଛତା ଟି ମୁଣ୍ଡାଇ ରୋଡ଼ ଆର ପଟକୁ ଗଲି ଓ ବାଧ୍ୟ ହୋଇ ହାତ ଠାରି ପାଖକୁ ଆସିବାକୁ ଇସାରା ଦେଲି।ଏଇଥର ରିକ୍ସାଵାଲା ର ମୁଁହ ଉଜ୍ଜ୍ୱଳ ଦିଶିଲା। ସେଇମିତି ବର୍ଷା ରେ ରିକ୍ସା ଵାଲା ପେଡ଼େଲ ମାରି ରିକ୍ସାକୁ ଆଗକୁ ନେଉଥାଏ।
-ଏତେ ବର୍ଷାରେ ଭିଜି କି ରିକ୍ସା ଚଳାଉଛ। ରେଇନ କୋଟ ନାହିଁ କି?
ମୋର କଥାରେ ରିକ୍ସାଵାଲା କିଛି ସମୟ ନୀରବ ରହି କହିଲା।
-ଏଇ ବର୍ଷା ସହ ମୋ ସମ୍ପର୍କ ପୁରୁଣା ବାବୁ ସେ ଯେତେ ଚେଷ୍ଟା କଲେ ଯେତେ ବର୍ଷିଲେ ,ମୋତେ ଭିଜେଇଲେ ବି ମୋର କିଛି ହେବନି।ଆଉ ରେଇନ କୋଟ କିଣିବାକୁ ପଇସା ନିଅଣ୍ଟ ବାବୁ ପିଲାଟିକୁ ଦୁଇଦିନ ହେଲା ଜ୍ଵର। ଗରିବ ଘର ହେଲେ ବି ହୀରା ଟିଏ ଘରେ ଜନ୍ମିଛି ବାବୁ।ପାଠ ପଢ଼ାରେ ବିଚକ୍ଷଣ।କଥା ନ ମାନି ବର୍ଷା ରେ ସ୍କୁଲ ଗଲା।ବହି ସବୁ ମୋଟା ପଲିଥିନ ରେ ଗୁଡ଼ାଇ ।ଭିଜି ଭିଜି ଜ୍ଵର ହେଇଗଲା ବାବୁ। ଛତା କିଣିବାକୁ ଦୋକାନକୁ ଯାଇଥିଲି କିନ୍ତୁ ସବୁଠାରୁ ଶସ୍ତା ଛତା ବି ଦେଢ଼ଶହ ବାବୁ।ଯେଉଁଠି ଦୈନିକ ଶହେ ଜୁଟେଇବା କଷ୍ଟ ସେଇଠି ଦେଢ଼ଶହ ର ଛତା କିଣିପାରିଲିନି ବାବୁ।
ରିକ୍ସାବାଲା ର କଥା କାନରେ ବାଜୁଥିଲା ମୋର ମନ କିନ୍ତୁ ଫେରିଯାଉଥିଲା ଅତୀତକୁ।
ତିନି ଭଉଣୀରେ ଭାଇ ମୁଁ। ମୋର ହାଇସ୍କୁଲ ବେଳେ ଦୁଇ ଅପା କଲେଜ ପଢୁଥିଲେ।ବଡ଼ ଅପାର ବିବାହ ସରିଥିଲା।ଘରେ ସର୍ବମୋଟ ଦୁଇଟି ଛତା ଥିଲା ଗୋଟିଏ ଫୋଲଡିଂ ଛତା ଓ ଆଉ ଗୋଟିଏ ମରହଟ୍ଟା ଅମଳର ଗୋଟିଏ କାଠବେଣ୍ଟର ଛତା।ଅପା ମାନେ ତିନି କିମି ବାଟ ଚାଲି କଲେଜ ଯାଉଥିଲେ ସାଙ୍ଗରେ ନେଉଥିଲେ ସେଇ ପୁରୁଣା ଫୋଲଡିଂ ଛତା ।
ଆମର ଥିଲା ନିମ୍ନ ମଧ୍ୟବିତ୍ତ ପରିବାର ,ବାପା ଙ୍କ ଛୋଟିଆ ଦୋକାନ।ତଥାପି ଆମର ସ୍କୁଲ କଲେଜ ପଢ଼ା ଟିଉସନ ଏସବୁ ରେ ସେ କେବେ ଅଭାବ କରନ୍ତିନି। ମୋତେ ବର୍ଷା ଦିନେ ସେଇ ବଡ଼ ମରହଟ୍ଟା ଅମଳର କାଠବେଣ୍ଟ ଛତାକୁ ନେବାକୁ ବାଧ୍ୟ କରନ୍ତି। ଭାରି ରାଗ ଲାଗେ ବାପାଙ୍କ ଉପରେ।କଣ ଗୋଟିଏ ଛତା କିଣିପାରିବେନି।ହେ.. ଏତେ କଞ୍ଜୁସ....।ବେଳେ ବେଳେ କାନ ମୁଣ୍ଡ ଆଉଁସି ସେ ପୁରୁଣା ଛତା ନେଇ ଯାଏ।ସାଙ୍ଗ ମାନଙ୍କ ରଙ୍ଗ ବେରଙ୍ଗୀ ଚିକିମିକିଆ ଛତା ପାଖରେ ମୋର ଛତାଟି ସବୁଠାରୁ ଲମ୍ବା ହୋଇ ଗର୍ବରେ ଛିଡା ହୋଇଥିଲା ପରି ଲାଗେ।କି ଗର୍ବ ଦେଖ ସେ ଛତାର ସେଇମିତି ରହିଥିବ କାନ୍ଥକୁ ଲାଗି ସ୍କୁଲରେ ।କେତେ ଠାକୁରଙ୍କୁ ଡାକେ ଏଇ ଛତା ଟା ଚୋରି ହୋଇଯାଅନ୍ତା କି? କିନ୍ତୁ ନା ଏଇ ପୁରୁଣା ଛତା କୁ କିଏ କାହିଁ ନେବ।
ଦିନେ ତ ଜାଣିଶୁଣି ସ୍କୁଲ ବାରଣ୍ଡା ରେ ଛତା ଟି ରଖି ଚାଲିଆସିଲି,ଯେଇମିତି କିଏ ନେଇଯାଉ।ଘରକୁ ଆସି ବନେଇ ଚୁନେଇ ଏକ ମିଛ ଗପ କହିଲି ଯେ ଦୁଇ ଘଣ୍ଟା ଖୋଜିଲା ପରେ ବି ଛତା ଟି ମିଳିଲାନି।
ପରଦିନ ସ୍କୁଲ ଯିବା ପାଇଁ ବାହାରୁଛି ବାପା ଉଚ୍ଚ ସ୍ୱରରେ କହିଲେ ବର୍ଷା ହେଉଛି ଛତା ନେଇ ଯା'।ଭଗବାନଙ୍କୁ ଧନ୍ୟବାଦ ଦେଲି ଯାହାହେଉ ମୋ ଆଇଡ଼ିଆ କାମ ଦେଲା ।ନୂଆ ଛତା ନେବି ଭାବି ପୁରା ଉତ୍କଣ୍ଠିତ ହୋଇଗଲି।
ବାପା ମୋ ହାତରେ ଆଣି ଧରେଇଲେ ପୁଣି ସେଇ ଛତା। ବୋଉ ଲୁଗା କାନିରେ ମୋ ମୁଁହ ପୋଛି ଦେଉ ଦେଉ କହିଲା,"କାଲି ଯାଇ ବର୍ଷା ରେ ଭିଜି ଖୋଜି ଖୋଜି ଆଣିଲେ ଏଇ ଛତା। ଭାଗ୍ୟ ଭଲ କିଏ ନେଇଥିଲା ଚୁପ କି ଆଣି ସ୍କୁଲ ବାରଣ୍ଡା ରେ ରଖିଦେଇଥିଲା ନହେଲେ ବାପା କାଲି ଯାଇ ହେଡ଼ମାଷ୍ଟ୍ରେ ଙ୍କୁ ଛତା ଚୋରି କଥା କହିବେ କହୁଥିଲେ।"
ବାପା ମୋ ମୁଁହ କୁ ଦେଖୁଥିଲେ ଯେଇମିତି ସେ ମୋର କାମ ବୋଲି ଜାଣି ସାରିଛନ୍ତି। ମୁଁ କିନ୍ତୁ ଜାଣିଶୁଣି ନ ଜାଣିଲା ପରି ଅଭିନୟ କଲି କିଛି ନ ଜାଣିବାର ।ସେହିଦିନ ଠୁ ବର୍ଷା ଦିନେ ବାପା ସାଇକେଲରେ ନେଇ ସ୍କୁଲରେ ଛାଡ଼ନ୍ତି। ନିଜେ ବର୍ଷା ରେ ଗୋଟା ପଣେ ଭିଜିଥିବେ ସିନା ଛତାଟି ଖୋଲି ନଥିବେ। ନିଜେ ଭିଜି ମୋ ଦେହରେ ପାଣି ଟୋପାଏ ପଡ଼ିବାକୁ ଦେବେନି। କହିଲେ କହିବେ ,
-ମୋର କିଛି ହେବନି ଏଇ ବର୍ଷା ସହ ମୋର ପୁରୁଣା ସମ୍ପର୍କ।ତୁ ଠିକ୍ ରେ ଛତା ଧରି ସାଇକେଲ ପଛରେ ବସ।
କଲେଜ ପଢିବା ପରେ ମୁଁ ହଷ୍ଟେଲରେ ପଢ଼ିଲି।ବାପା ମୋ ପାଇଁ ନୂଆ ଛତା କିଣିଲେ।ସେତେବେଳେ ମୁଁ କିନ୍ତୁ ବାପା ପରିବାର କୁ ଚଳେଇବାକୁ କରୁଥିବା ହାଡ଼ଭଙ୍ଗା ପରିଶ୍ରମ ବିଷୟରେ ଅଳ୍ପେ ବହୁତେ ଜାଣି ସାରିଥିଲି।ମୋତେ ହଷ୍ଟେଲ ପିଲାଙ୍କ ଆଗରେ ଲଜ୍ଜିତ ହେବାକୁ ନ ପଡ଼ୁ ସେଠିପାଇଁ ବାପା ହୁଏତ କିଣିଥିବେ ଏହି ଛତା କିନ୍ତୁ ମୋତେ ଏହି ନୂଆ ଛତା ଠାରୁ ବାପାଙ୍କ ପୁରୁଣା ମରହଟ୍ଟା କାଠବେଣ୍ଟ ଛତା ସୁନ୍ଦର ଲାଗୁଥିଲା।
ବାପା ନିଜେ କିନ୍ତୁ ସେହି ପୁରୁଣା ଛତା ରେ ରଡ଼କୁ ପଇତା ସୂତାରେ ସିଲେଇ ଆଜି ଯାଏଁ ବ୍ୟବହାର କରୁଛନ୍ତି ଆଜି ପର୍ଯ୍ୟନ୍ତ।
ବାପାଙ୍କ ଆଶୀର୍ବାଦ ଯୋଗୁଁ ଚାରି ଭାଇଭଉଣୀ ବହୁତ ଭଲରେ ଅଛୁ।
ଅନ୍ୟମନସ୍କ ଭିତରେ ରିକ୍ସାବାଲା କହିଲା ବାବୁ ପଟିଆ ହୋଇଗଲା କୋଉପଟକୁ ଯିବେ?
ରିକ୍ସାବାଲାକୁ ବାଟ ବତେଇ ଘର ପାଖେ ପହଁଚି ସାରିଥିଲି।
ତାର ଟଙ୍କା ହିସାବ କରି ଦେଇଦେବା ପରେ ମନଟା ଭାରି ହୋଇଯାଇଥିଲା,କର୍ମ ବ୍ୟସ୍ତତା ଭିତରେ ବହୁତ ଦିନ ହେଲା ବାପାଙ୍କ ସହ ମନ ଖୋଲି କଥା ବି ହୋଇନି।
-ଆରେ ବିଟୁ ତୁ ପୁରା ଭିଜି ଯାଇଛୁ,ଛତା ଆଜିବି କୋଉଠି ଛାଡ଼ି ଦେଲୁନା ?
ବାପା ଏବେବି ବାରଣ୍ଡା ରେ ମୋ ବାଟ ଚାହିଁ ବସିଥିଲେ ଯେଇମିତି ସବୁଦିନ ବସନ୍ତି।
କାହିଁକି କେଜାଣି ଭାରି ଇଚ୍ଛା ହେଉଥିଲା ବାପାଙ୍କୁ ଟିକେ ଜାବୁଡି ଧରି କାନ୍ଦି ନେବାକୁ ,କିନ୍ତୁ କିଛି କହିବା ପୂର୍ବରୁ କଲିଂ ବେଲ୍ ବାଜି ଉଠିଲା।
ରିକ୍ସାବାଲା ଛିଡା ହୋଇଥିଲା ଛତା ଟି ଧରି।
-ବାବୁ ଆପଣ ଅଜାଣତରେ ରେ ଛତା ଟି ଛାଡ଼ି ଦେଇଥିଲେ।
-ନା ଅଜାଣତରେ ନୁହେଁ ।ଏଇ ଛତା ର ଆବଶ୍ୟକତା ମୋଠୁ ଅଧିକ ତୁମ ପୁଅ ପାଇଁ ଅଛି।
ରିକ୍ସାବାଲାଟିକୁ ଫେରେଇଲା ପରେ ବାପାଙ୍କ ମୁଁହରେ ଆତ୍ମ ସନ୍ତୋଷର ସ୍ମିତହାସ୍ୟଟିଏ ଦେଖିଲି।
ବାପା ଙ୍କୁ ଜାବୁଡି ଧରି କହି ଉଠିଲି ,
"ଏଇ ବର୍ଷା ମୋର କିଛି କରିପାରିବନି ବାପା ମୋତେ ଖରା ବରଷା ରୁ ରକ୍ଷା କରିବାକୁ ଆପଣ ଓ ଆପଣଙ୍କ ଆଶୀର୍ବାଦ ରହିଥିବ ଛତା ପରି।"