ବାପାଙ୍କ ଶଗଡ଼ଗାଡ଼ି
ବାପାଙ୍କ ଶଗଡ଼ଗାଡ଼ି
ଅନେକ ଦିନ ପରେ ବିଦେଶ ରୁ ଗାଁ କୁ ଫେରୁଥିଲା ଆଲୋକ।ଏହି ଦୁଇବର୍ଷ ରେ ସେ ଚେଷ୍ଟା କରି ସୁଧା ଆସିପାରି ନାହିଁ।ଏବେ କିନ୍ତୁ ସେ ସବୁଦିନ ଭାରତ ରେ ରହିବ ସବୁ ବ୍ୟବସ୍ଥା ହୋଇଯାଇଛି।ନିଳିମା ଏହି ନିଷ୍ପତ୍ତି ରେ ଖୁସି ନଥିଲା କିନ୍ତୁ ଆଲୋକ ର ନିଷ୍ପତ୍ତି ସେ ମାନିବାକୁ ବାଧ୍ୟ ହୋଇଥିଲା। କାର୍ ରେ ବସି ଗାଁ କୁ ଫେରୁଥାନ୍ତି ସେମାନେ ,ନିଳିମା ଗୋଡ଼ ରେ ବସିଥାଏ ୧୪ମାସ ର ପୁଅ କୌସ୍ତଭ।ଗାଁ ରାସ୍ତା ରେ ଗଲା ବେଳେ ଖୁସି ରେ ଉଲ୍ଲସି ଉଠୁଥିଲା ଆଲୋକ ।ମନେ ମନେ ଭାବୁଥାଏ ବୋଉ ପ୍ରଥମେ କୌସ୍ତଭ କୁ ଦେଖି କେମିତି ଅନୁଭଵ କରିବ।ବିଦେଶ ରେ ସେ ବହୁତ ଖୋଜିଛି ବୋଉ କୁ କିନ୍ତୁ କିଛି ଅସୁବିଧା ବଶତଃ ବୋଉ ଯାଇପାରିନି।
ବାପାଙ୍କ ସ୍ୱାଭିମାନ ଥିଲା ଏହି ଘର।ୟାକୁ ଛାଡ଼ି ବୋଉ ମୁହୂର୍ତ୍ତେ ସୁଧା ରହିପାରିନି।ନିଳିମା କୁହେ ବାପାତ ନାହାଁନ୍ତି ସେଠି ରହି ବୋଉ କରିବେ କଣ ?ବରଂ ଏଠି ଛୋଟ ଘରଟେ କିଣିଦେବା।ଏଠିକା ସୁବିଧା ସେଠି ମିଳିବ କି?ନିଳିମା କଥା ରେ ବାଧ୍ୟ ହୋଇ ଅନେକ୍ ସାହାସ ସଞ୍ଚୟ କରି ଆଲୋକ ବୋଉ କୁ କହିଲା ,
"ବୋଉ ସେଠି ଏକୁଟିଆ ଟା ରହୁଛୁ,ଏଠି କିଛି ଦିନ ରହିଲେ ହୁଅନ୍ତାନି?"
ନାଁ ରେ ପୁଅ ,ମୁଁ ଏଠୁ କୁଆଡ଼େ ଯିବି ?ତୋ ବାପାଙ୍କ ସ୍ମୃତି ସବୁ ଏଠି ମୁଁ ଆଉ କୋଉଠି ରହିପାରିବି।
ବୋଉ ଦୃଢ଼ତା ର ସହ କହିଲା, ଆଲୋକ ର ଆଉ ସାହାସ ନଥିଲା ଆଗକୁ କିଛି କହିବାକୁ।
କାର୍ ଘର ସାମ୍ନା ରେ ରହିଥିଲା ।ବୋଉ ନିଜ ଆଖିକୁ ଵିଶ୍ଵାସ କରିପାରିନଥିଲା।ଆଲୋକ କୁ ଛାତି ରେ ଜାକି ଧରି ଦୁଇବୁନ୍ଦା ଲୁହ ଢାଳିଦେଲା।ପୁଅ କୁ କୋଳେଇବା ପୂର୍ବରୁ ଦଉଡ଼ି ଗଲା ଘର ଭିତରକୁ।ଭାତ ମୁଠାଏ ଆଣି ନାତି ଚାରିପଟେ ସାତ ଥର ବୁଲାଇ ବାହାରେ ଫିଙ୍ଗିଦେଲା।ଏତେ ସମୟ ଧରି କାନ୍ଦୁଥିବା କୌସ୍ତଭ ଆଖି ତରାଟି ଚାରି ଆଡ଼େ ଦେଖୁଥିଲା।ବୋଉ ତାକୁ କୋଳ ରେ ଧରି ଘରକୁ ଚାଲିଗଲା।ନୂଆ ଜାଗା ରେ ଜଇନିଂ ପୂର୍ବରୁ ଦୁଇ ମାସ ର ଛୁଟି ନେଇ ଆଲୋକ ଆସିଥାଏ।ବୋଉ କୁ ବୁଝାଇ ସୁଝାଇ ବାଙ୍ଗାଲୋର କୁ ନେବାକୁ ନିଳିମା ଆଉ ଆଲୋକ ସ୍ଥିର କରିଥାନ୍ତି,କିନ୍ତୁ ଆଲୋକ ନିଜେ ବୁଝିପାରୁନଥାଏ ବୋଉ କୁ କେମିତି ବୁଝେଇବ।
ଘର ର ପ୍ରତ୍ୟକ ଜିନିଷ ଠିକ୍ ସେଇମିତି ଥିଲା ଯେମିତି ବର୍ଷ ବର୍ଷ ଧରି ଥିଲା।ବାପାଙ୍କ ଯିବାର ଆଠ ବର୍ଷ ହୋଇଯାଇଥିଲା କିନ୍ତୁ ବାପାଙ୍କ ସାଇକେଲ ସେଇମିତି ଚିକଚିକ ଦିଶୁଥିଲା ,ଲାଗୁନଥିଲା ଯେ ଆଠ ବର୍ଷ ଧରି ଅବ୍ୟବହୃତ ଏକ ବସ୍ତୁ।ସାଇକେଲ ବାର ରେ ହାତ ବୁଲାଉ ବୁଲାଉ ଆଲୋକ ଫେରିଯାଉଥିଲା ୩୦ ବର୍ଷ ତଳକୁ।ଆଲୋକ ଜିଦି କରେ ପଛରେ ବସିବାକୁ କିନ୍ତୁ ବାପା ସେ ସପ୍ତମ ପଢିଲା ଯାଏଁ ନିଜ ଆଗରେ ସେଇ ବାର ଟିରେ ବସାଇ ସାଇକେଲ ଚଳାଉ ଥିଲେ। ବାପାଙ୍କ ସାଇକେଲ ରେ ବେଲ୍ ନଥିଲା କିନ୍ତୁ ବାପା ଅଫିସ ରୁ ଆସିଲା ମାତ୍ରେ ବୋଉ କେମିତି ଜାଣିଦେଉଥିଲା।ଏହି ସାଇକେଲ ରେ ବାପା ବୋହି ଆଣୁଥିଲେ ସିମେଣ୍ଟ ବସ୍ତା।ଛୋଟିଆ କିରାଣୀ ଚାକିରୀରେ ଘରଟିଏ ଏକାଥରେ କରିବା ସମ୍ଭବ ନଥିଲା।ତେଣୁ କିସ୍ତି ଅନୁସାରେ ହେଉଥିଲା ଘର ନିର୍ମାଣ।ପ୍ରଥମେ ରୋଷେଇ ଘର ଓ ଠାକୁର ଘର ହୋଇଥିଲା ତାପରେ ଧୀରେ ଧୀରେ ବାକି ଘର ସବୁ।ମୂଲିଆ ସହ ମୂଲିଆ ହୋଇ ବାପାଙ୍କୁ ଇଟା ବୋହିବାର ଦେଖିଛି ଆଲୋକ।ବସ୍ତା ବସ୍ତା ସିମେଣ୍ଟ କୁ ଲାଉ କରି ବୋହି ଆଣିଛନ୍ତି ଏଘର ରୁ ସେ ଘର।ରୋଷେଇ ଘର ହେବା ବେଳେ କଞ୍ଚା ସିମେଣ୍ଟ ରେ ଥିବା ଆଲୋକ ର ପାଦ ଚିନ୍ହ କୁ ବୋଉ ଦେଖାଇ ଆଲୋକ କୁ କୁହେ ,
"ଦେଖେ କେତେ ସୁନ୍ଦର ତୋ କୁନି ପାଦ।"
ଆଲୋକ ଧୀରେ ଧୀରେ ଫେରୁଥିଲା ନିଜ ପିଲାଦିନ କୁ। ପଢ଼ାଘର କାନ୍ଥ ରେ ଲଗାଇଥିବା ଠାକୁର ଙ୍କ ଫୋଟୋ, ଗ୍ରୀଟିଙ୍ଗସ କାର୍ଡ ସବୁ ନିଜ ସ୍ଥାନ ରେ ପୂର୍ବବତ ଥିଲେ ଖାଲି ବଦଳି ଯାଇଥିଲା ତ ଆଲୋକ।ଉଚ୍ଚତା,ବୟସ ସବୁ ରେ।କିନ୍ତୁ ବଦଳି ନଥିଲା ବୋଉ । ଲୁହ ଜକେଇ ଆସିଲା ଆଲୋକ ର ଆଖିରେ।
ନିଳିମା ଥକି ଶୋଇଯାଇଥିଲା। ବୋଉ କିନ୍ତୁ କୌସ୍ତଭ କୁ ନେଇ ଅଗଣା ରେ ବସିଯାଇଥିଲା। କୌସ୍ତଭ ଚଲାଉ ଥିଲା ଶଗଡ଼ ଗାଡ଼ି ଟିଏ। ଯେଉଁ ଶଗଡ଼ ଗାଡ଼ି କାଳେ ବାପା ତିଆରି କରିଥିଲେ ନିଜ ହାତରେ। ବିବାହ ର ଦଶ ବର୍ଷ ପରେ ମଧ୍ୟ ବୋଉ ର ଶୂନ୍ୟ କୋଳ ପୂର୍ଣ ହୋଇପାରିନଥିଲା।ବୋଉ ଉପରେ ଆଣ୍ଠୁକୁଡି ଗଞ୍ଜଣା କୁ ବାପା ସହ୍ୟ କରି ପାରିନଥିଲେ।ଗାଁ ଶେଷ ମୁଣ୍ଡରେ ଛୋଟିଆ ଜମିଟିଏ କିଣି ବଖରାଟେ ଘର କଲେ ଠିକ୍ ତା ପରେ ମୋର ଜନ୍ମ।ବାପା ନାଁ ଦେଲେ ଆଲୋକ ।ଦୁରେଇ ଯାଇଥିବା ବନ୍ଧୁ ବାନ୍ଧବ ପୁଣି ଯୋଡି ହେଲେ।
ଏ କାଖକୁ ସେ କାଖ ଭିତରେ ତଳେ ଚଲାଇ ଦେଉ ନଥିଲେ ଆଲୋକ କୁ।ବାପା ଆଲୋକ ଚାଲି
ଶିଖିବା ପାଇଁ କାଠ ପଟା ରେ ପ୍ରସ୍ତୁତ କଲେ ଏହି ଶଗଡ଼ଗାଡ଼ି।ବୋଉ କୁହେ ପାଖାପାଖି ତିନିରାତି ଅନିଦ୍ରା ରହି ବାପା ଏଇଟିକୁ ବନେଇଥିଲେ।
ଆଉ ଦୁଇ ମାସ ଭିତରେ ଚାଲି ଶିଖିଥିଲା ଏହି ଗାଡ଼ିରେ ଆଲୋକ ।ଅତି ମଜବୁତ ସାଗୁଆନ କାଠରେ ଏଇ ତିନି ଚକିଆ ଗାଡି ତିଆରି କରିଥିଲେ ବାପା।ଅନେକ ଜଣ ଏହି ଗାଡିକୁ ନକଲ କରି ନିଜ ପିଲାଙ୍କ ଚାଲି ଶିଖିବାକୁ ବନେଇ ଥିଲେ ବଢ଼େଇ ପାଖେ।ବାପାଙ୍କୁ ମାଗିଲେ କିନ୍ତୁ ବାପା କାହାକୁ ଏଇ ଗାଡିଟି ଦେଇନଥିଲେ , ଅଲୋକ ବଡ଼ ହେବା ପରେ ବୋଉ ଦିନେ ସେ ଗାଡିଟି ଭାଡ଼ି ଉପରକୁ ଟେକିଦେଲା କାଳେ ଉଇ ଲାଗିଯିବ ବୋଲି ବାପା ପ୍ରତି ସପ୍ତାହରେ ବାହାର କରି ଦେଖୁଥିଲେ ଆଉ ଶେଷରେ ଖଟ ତଳେ ରଖାଗଲା ସେହି ଗାଡିକୁ।
ଆଲୋକକୁ ଅଷ୍ଟମ ପଢିଲା ଯାଏଁ ସାଇକେଲ ଚଲାଇ ସ୍କୁଲ ଯିବାକୁ ଦେଇନଥିବା ବାପା ତାର ବିଦେଶ ଯିବା ନିଷ୍ପତ୍ତିକୁ କେମିତି ତ ଚୁପଚାପ ସମ୍ମତି ଦେଇଦେଲେ ,ଆଲୋକ ଭାବୁଥିଲା। ଆଖି ଆଗରେ ନାଚି ଯାଉଥିଲା ବାପାଙ୍କ ଲୁହ ସ୍ବେଦ ରେ ଜୁଡୁବୁଡୁ ମୁଁହ।ଜୀବନ ତମାମ ରକ୍ତ କୁ ପାଣି କରି ସେ କରିଥିବା ଘରଟି ଥିଲା ତାଙ୍କ ସ୍ୱାଭିମାନ।
ନିଜ ର କଷ୍ଟ ଅର୍ଜିତ ଧନ କୁ ପାଣି ଭଳି ବୁହେଇ ଚାଲିଲେ ଆଲୋକ ପାଇଁ ,ଆଜି ଗାଁ ର ପ୍ରଥମ ବିଦେଶ ଫେରନ୍ତା ଇଞ୍ଜିନିୟର ସେ।ଆଲୋକ ବିଦେଶରେ ଥିବା ଭିତରେ ହାର୍ଟଷ୍ଟ୍ରୋକ ରେ ଚାଲିଗଲେ ବାପା।ଶେଷ ଥର ପାଇଁ ଦେଖିପାରିଲାନି ଆଲୋକ।ଫେରିଲା ବେଳକୁ ବାପା ବାନ୍ଧି ହୋଇଯାଇଥିଲେ ଗୋଟେ ଛୋଟ ମାଟି କଳସୀରେ।ଲାଲ କପଡା ଟିଏ ବାନ୍ଧି ହୋଇଥିଲା ମୁଁହ ରେ ଯେମିତି କି ବାପା ବାଡ଼ି ବଗିଚାରେ କାମ କଲା ବେଳେ ନାଲି ଗାମୁଛାରେ ମୁଣ୍ଡ କୁ ବାନ୍ଧି ଦିଅନ୍ତି।ସାରା ଜୀବନ କଷ୍ଟ ରେ କଟିଥିଲା ସୁଖର ଦିନ ଆରମ୍ଭ ହେଉହେଉ ବାପ ଛେଉଣ୍ଡ କରି ଚାଲିଗଲେ ସେ ଆର ପାରିକୁ।ବୋଉ କିନ୍ତୁ ପଡ଼ି ରହିଲା ଏଯାବତ ବାପାଙ୍କ ସ୍ୱାଭିମାନ କୁ ଜାବୁଡ଼ି ଧରି।
କୌସ୍ତଭ କାଠ ଶଗଡ଼ ଗାଡ଼ି ଟି ଧରି ଅଗଣା ର ଏମୁଣ୍ଡ ରୁ ସେ ମୁଣ୍ଡ କୁ ଯାଉଥିଲା।କୌସ୍ତଭ ର ଖିଲି ଖିଲି ହସ ରେ ବୋଉ ବି ହସୁଥିଲା ,ଧୀରେ ଧୀରେ ତାଳି ମାରି ବୋଉ କହୁଥିଲା।
"ଚାଲି ଚାଲି ,ଚାଲି ଚାଲି ଗେଲୁନୁ ମୋର ଚାଲି ଚାଲି"
ଲାଗୁଥିଲା ଯେମିତି ଶଗଡ଼ ଗାଡ଼ି ନୁହେଁ ବାପା ହିଁ କୌସ୍ତଭ ର ହାତ ଧରି ଚାଲି ଶିଖାଉଛନ୍ତି।ହଠାତ ତିନି ଚକିଆ ଶଗଡ଼ ଗାଡ଼ି ଟି ତା କୁନି ହାତରୁ ଖସିଗଲା ଥୁକୁରୁ ଥୁକୁରୁ ଚାଲି ଚାଲି ବୋଉ ଲୁଗାରେ ମୁଁହ ଗୁଂଜିଦେଲା କୌସ୍ତଭ।
କୌସ୍ତଭ କୁ ଚାଲି ଶିଖେଇବା ପାଇଁ ନାକେଦମ ହୋଇଥିଲେ ନିଳିମା ଆଉ ଆଲୋକ ଦୁହେଁ କିନ୍ତୁ କେଇ ଘଣ୍ଟା ରେ ବୋଉ ଆଉ ବାପାଙ୍କ ଶଗଡ଼ ଗାଡ଼ି ସେ କାମ କରି ଦେଖାଇଦେଲେ।
ବୋଉ ଖୁସି ଥିଲା ,ବାପାଙ୍କ ଶଗଡ଼ ଗାଡ଼ି କୁ ନାତି ହାତରେ ଦେଖି।
କେତେ ଜଲଦି ଦୁଇମାସ ସରିଗଲା ଜଣା ପଡିଲାନି ।ବାଙ୍ଗାଲୋର ଯିବା ଦିନ ନିଳିମା ପଚାରୁଥାଏ
-ବୋଉ ଙ୍କୁ କହିଲକି ନାଇଁ ଏଇ ଘର ଛାଡ଼ି ଆମ ସହ ସେଠିକୁ ଯିବା କଥା,ଆଉ ଏହି ଘର..କୁ... ?
କିଛି ଉତ୍ତର ନଥିଲା ଆଲୋକ ପାଖେ ଖାଲି ଦୃଢ଼ ସ୍ୱର ରେ କହିଲା ,
-ନାଁ ଘର ବିକାଯିବନି।
-ତେବେ ବୋଉ କଣ ଏଇ ବୟସରେ ଏମିତି ଏକୁଟିଆ,ଲୋକ କଣ କହୁଛନ୍ତି ଶୁଣୁଛ?
ପକ୍ଷୀ ଯେତେ ଦୂରରେ ଉଡିଲେ ବି ଶେଷ ରେ ନିଡ଼ କୁ ଫେରେ,ମୋ ଫେରିବା ସମୟ ଯେବେ ହେବ ମୁଁ ବି ଫେରିବି ଆଉ.. ବୋଉ କଥା ତୁମେ ଚିନ୍ତା କରୁଛ ସତରେ?
ନିଳିମା ମୁଁହ ବୁଲାଇ ନେଲା ନାକ କୁ ଫୁଲେଇ ରାଗ ତମତମ ହୋଇ।
ଗାଡ଼ି ଡ଼ିକିରେ ବୋଉ ଆଣି ରଖୁଥାଏ ବାଡ଼ି କଦଳୀ,ମୁଗ,ଅମୃତ ଭଣ୍ଡା ଏଇମିତି ବହୁତ କିଛି ।ଶେଷରେ ଲୁହ ଛଳଛଳ ଆଖିରେ ଆଲୋକ ହାତ କୁ ଘର ଚାବି ସବୁ ବଢ଼େଇ ଦେଇ କୌସ୍ତଭ କୁ ଗେଲ କରି କରି କହିଉଠିଲା ୟାକୁ ଛାଡି କେମିତି ରହିବି ,ମୋତେ ନେଇଚାଲ।
କୌସ୍ତଭ ର ଚେହେରା ଚାଲି ସବୁ ବାପାଙ୍କ ଭଳି ,ବୋଉ କୁହେ ।
।ମିରର ରେ ଆଲୋକ ଦେଖୁଥିଲା ପଛ ସିଟ କୁ।ବୋଉ କାର୍ ପଛ ସିଟ ରେ ବସିଥିଲା,କୋଳ ରେ ପୁଅ।ପାଖରେ ଥାଏ ବାପାଙ୍କ ହାତ ତିଆରି ତିନି ଚକିଆ ଶଗଡ଼ ଗାଡ଼ି।ପଛ ଡ଼ିକି ରେ ରଖିଲେ କାଳେ ଭାଙ୍ଗିଯିବ ବୋଲି ବୋଉ ସିଟ ରେ ପାଖରେ ବସେଇ ଥାଏ ସେହି ଗାଡିକୁ।କୌସ୍ତଭ ପାଟିରେ ଭୃମ ଭୃମ କରି ଚକ ସହ ଖେଳୁଥାଏ ।ବୋଉ ଅପଲକ ନୟନରେ ଦେଖୁଥାଏ କୌସ୍ତଭ ର ଖେଳ।ହଠାତ ଲାଗିଲା ଯେମିତି ସେହି ଶଗଡ଼ ଗାଡ଼ି ଭିତରେ ବାପା ହିଁ ତାଙ୍କ ନାତି ସହ ଖେଳୁଛନ୍ତି ,ଆଉ ବୋଉ ମୁଗ୍ଧ ନୟନରେ ଦେଖୁଛି ଜେଜେ ନାତି ଙ୍କ ଖେଳ କୌତୁକ ।