ଫେସବୁକ ଷ୍ଟୋରି
ଫେସବୁକ ଷ୍ଟୋରି
ନୂଆ କରି ଫେସବୁକ ଶିଖୁଥିଲି ମୁଁ । ସାନ ଝିଅଟିର ଅନଲାଇନ କ୍ଲାସ ପାଈଁ ବାଧ୍ୟ ହୋଇ ବଡ଼ ଫୋନଟିଏ କିଣିବାକୁ ପଡ଼ିଲା।ଝିଅ କିନ୍ତୁ ମୋର ଅତି ଚାଲାକ୍ । ମୋତେ ଶିଖାଇଦେଲା ଫେସବୁକ । ଭାରି ଖୁସି ଲାଗୁଥାଏ ଯେ ପୁରୁଣା ବନ୍ଧୁ ମିଳିବେ ଏହି ଫେସବୁକରେ । ଝିଅର କ୍ଲାସ ସମୟ ପରେ ମୋର କିରାଣୀ ଦୋକାନ ବନ୍ଦ କରି ମୁଁ ଖୋଜି ଚାଲିଲି ମୋର ହାଇସ୍କୁଲ ବେଳର ବନ୍ଧୁ ମାନଙ୍କୁ । କିଛି କିଛିଙ୍କ ସହ ବନ୍ଧୁତା ବି ପୁଣିଥରେ ହେଲା । ସେଦିନ ସନ୍ଧ୍ୟାରେ ସଜେସନରେ ଦେଖିଲି ମୋର ପୁରୁଣା ବନ୍ଧୁ ବିକାଶକୁ। ମୋ ଗାଁ ପାଖ ଗାଁରେ ତା ଘର । ମଉସାଙ୍କ ସହ ଦେଖା ହୁଏ । ବିକାଶ କେଉଁଠି ଆଉ କେମିତି ଅଛି କହିଲେ ସବୁବେଳେ କୁହନ୍ତି ଏଇ ରବିବାର ଆସିଥିଲା, ତରତର ହୋଇ ପଳେଇଲା।
ମୋର ଏତେ ଭଲ ସାଙ୍ଗ କିନ୍ତୁ ଦୀର୍ଘବର୍ଷ ହେଲା କୌଣସି ଯୋଗାଯୋଗ ନାହିଁ। କଣ ଭାବି ରିକ୍ୱେଷ୍ଟଟିଏ ପଠେଇଲି। କିଛି ଦିନ ଧରି ଅପେକ୍ଷା ସତ୍ତ୍ୱେ ବନ୍ଧୁତା ହୋଇପାରିଲା ନାହିଁ । ଘଟଣାକୁ ଭୁଲିଯିବାକୁ ଚାହିଁଲି, କିନ୍ତୁ ହଠାତ ଦିନେ ମୋର ବନ୍ଧୁତାର ଅନୁରୋଧକୁ ଗ୍ରହଣ କରିନେଲା ବିକାଶ । ମେସେଜ ପରେ ମେସେଜ ପଠେଇବାରେ ଲାଗିଲି। ଏତେ ନିବିଡ଼ ବନ୍ଧୁତା ଥିଲା ରିପ୍ଲାଇ ବି ଦେଉନି କଣ ସତରେ ସେ ମୋତେ ଭୁଲିଯାଇଛି । ଫେସବୁକ ଦ୍ଵାରା ଅତି ନିଜର ବନ୍ଧୁର ଏପରି ନୀରବତା କଷ୍ଟ ଦେଉଥିଲା ।
ସେଦିନ ମଉସାଙ୍କୁ ଆମ ଗାଁ ଦାଣ୍ଡରେ ଯାଉଥିବା ଦେଖି ଦୌଡ଼ିଗଲି, ପାଦଛୁଇଁ ପ୍ରଣାମ କରି ଦୋକାନକୁ ଡ଼ାକିଲି ।ପରିଣତ ବୟସରେ ନିଜର ସମସ୍ତ କାମ ସେ ନିଜ କରୁଥିଲେ, ସହରରେ ରହିବାକୁ କାଳେ ତାଙ୍କର ଇଚ୍ଛା ନୁହେଁ। "ମଉସା ଟିକେ ବିକାଶର ନମ୍ବର ଦେବ, ପୁରୁଣା ନମ୍ବର କାଇଁ ଲାଗୁନି।"
"ହଁ "କହି ସେ ନିଜ କୁର୍ତ୍ତା ପକେଟରୁ ଛୋଟ ଖାତାଟିଏ ବାହାର କରି ବଢ଼େଇଦେଲେ ନମ୍ବରଟି । ସବୁଥର ପରି ଏଇଥର ବି ମଉସା କହିଲେ ବିକାଶ ସବୁବେଳେ ତା ପାଖକୁ ଡାକୁଛି ,ତୋ ମାଉସୀ ତ ଗୋଡ଼ କାଢି ବସିଛି ଯିବାକୁ କିନ୍ତୁ ମୁଁ ଏଇ ଗାଁ ମୋହ ଛାଡିପାରୁନି। ମୋ ଅନ୍ତେ ହିଁ ତୁ ସେଠାକୁ ଯିବୁ ମୁଁ କହିଦେଇଛି । ମଉସାଙ୍କ କଥା ଭାରି ଅଦ୍ଭୁତ ଲାଗୁଥାଏ । ସତରେ ଏତେ ଜିଦିଆ ଏବେବି ମଉସା। ମଉସାଙ୍କ ଆଖି କୋଣରେ ଦୁଇ ବୁନ୍ଦା ଲୁହ ଚିକଚିକ କରୁଥିଲା। "ଆରେ ମଉସା କଣ ହେଲା, ପୁଅ ମାନେ ଯୋଉଠି ରହିବେ ସେଇଟା ଆପଣଙ୍କ ଘର ଭାବି ରହିଲେ ଏହି ଅବସ୍ଥାରେ ଭଲ । ଏବେ ସିନା ହାତଗୋଡ଼ ଚଳୁଛି ,ପର କଥା ଭାବିଛନ୍ତି।"
"ହଁ ମୁଁ ବି ଭାବେ କିନ୍ତୁ ଏବେ ତ ହାତ ଗୋଡ଼ ଚଳୁଛି ନା,"
ମଉସା ବିକାଶ ଆସିଥିଲା କି ? ସବୁଥର ପରି ଏଇଥର ମଉସା କିନ୍ତୁ ଏଇ ରବିବାର ଦେଖିବାକୁ ଆସିଥିଲା କହିଲେ ନାହିଁ।
ନାହିଁ, କହି ଫେରିଯାଉଥିଲେ କଣ ଭାବି ଫେରିଯାଉଥିଲେ ପୁଣି ଆସି ଦୋକାନ ପାଖେ ବସିଲେ।
"ଆରେ ତୁ ସେ ବଡ଼ ଫୋନ ରଖିଛୁ ??"
ସେଠି କାଳେ ସମସ୍ତଙ୍କୁ ଦେଖିହୁଏ। ଟିକେ ବିକାଶ କୁ ,ଆଉ ପିଲାମାନଙ୍କୁ ଦେଖାଇବୁ।
ଫେସବୁକ ରେ ସେଦିନ ବିକାଶ ଛାଡିଥିଲା ଅନେକ ଫୋଟୋ ଷ୍ଟୋରୀରେ।କୌଣସି ଏକ ପାହାଡିଆ ସ୍ଥାନରେ ପିକନିକ ସମୟର ଫୋଟୋ ସବୁ ଷ୍ଟୋରି ରେ ଥିଲା।ଶାଶୂ ,ଶଶୁର,ଶଳା, ଶାଳୀ ଙ୍କ ଗହଣରେ ଅତ୍ୟନ୍ତ ଆନନ୍ଦ ର ମୁହୂର୍ତ୍ତରେ କଏଦ ହୋଇଥିଲା ଫୋଟୋ ସବୁ।ଷ୍ଟୋରି ରେ ଲେଖାଥିଲା " happy moments with my family"
ମଉସା ଦେଖୁଥିଲେ ଫୋଟୋ ସବୁ।ନାତି ନାତୁଣୀ ଙ୍କୁ ଦେଖି ଖୁସି ର ଭାବ ତାଙ୍କ ମୁଁହ ରେ ଫୁଟି ଉଠିଲା।
"Family" ଏହି ପଦକୁ ଦୁଇଥର ମଉସା ଉଚ୍ଚାରଣ କରି କହିଲେ। ତୁ ଜାଣୁ ଆମର ଗହଳି କୁଟୁମ୍ବ ,ମାନେ ବଡ଼ ଫେମିଲି।ସେହି ଫେମିଲି ପାଇଁ ମୁଁ ମୋ ଶୈଶବ ,ଯୌବନ ଏବଂ ଅଦ୍ୟାବଧି ନିଜକୁ ସମର୍ପିତ କରିଛି । ଝିଅ ,ଝିଆଣିଆ,କୁଣିଆ ମୈତ୍ର ରେ ଗହଳି ଥାଏ ମୋ ଘର । ଏବେବି ସେଇମିତି । ଏହି ବିକାଶ ପାଠପଢ଼ିବ ବୋଲି ତାକୁ କଲେଜ ବେଳେ ହଷ୍ଟେଲରେ ରଖେଇଲି।ତୋ ମାଉସୀ ପ୍ରତି ରବିବାର ରାଣ ନିୟମ କରି ମୋତେ ପଠାଇ ଦିଏ ତା ପାଖକୁ। ବ୍ୟାଗରେ ଥାଏ କେବେ ବାରି ପିଜୁଳି ତ କେବେ ପୋଡ଼ ପିଠା ,ଏଣ୍ଡୁରି ପିଠା କେଇ ଖଣ୍ଡ। ସାଙ୍ଗସାଥିଙ୍କ ସହ ରହୁଛି ବୋଲି ଅଧିକ କରି ଦିଏ ଗୂଡ଼ ପାଗ କରି ଆରିଶା ପିଠା,ରାଶି ଲଡୁ, ବାଦାମ ଲଡୁ । ପେଟ କାଟି ଆମେ ପଇସା ଦେଉ ତାର ମାସିକ ଖର୍ଚ୍ଚ ପାଇଁ । ହଁ ଫେମିଲି ପାଇଁ ତ ସବୁ କଷ୍ଟ।ଏବେ କିନ୍ତୁ ପାଞ୍ଚ ବର୍ଷ ହେଲା ତାକୁ ସମୟ ହେଉନି ଟିକେ ଗାଁରେ କିଛି ସମୟ କାଟିବା ପାଇଁ । ଫୋନ୍ ରେ ହିଁ ସୀମିତ ତାର ସମ୍ପର୍କ । ହୋଉ ବାପା ଖୁସିରେ ରହୁ ,ଆମେ ବି ଖୁସିରେ ଅଛୁ । ତୁ ତ ଜାଣୁ ଏଇ ଗାଁ ମୋର ପରିବାର ପରି ଏଠିକାର ମୋହମାୟା ତୁଟେଇ ମୁଁ ସେଠି ରହିପାରିବିନି। ହଁ ବିକାଶ ଏବେ ବ୍ୟସ୍ତ ରୁହେ ତାର ପୁଅ ପାଇଁ । ତେଣୁ ପାଞ୍ଚ ବର୍ଷ ହେଲା ତାକୁ ସମୟ ନାହିଁ। ପୁଅ ର ଭବିଷ୍ୟତ ଗଢ଼ିବା ସମୟ ଏଇଟା ତାର । ଫୋନରେ କେବେ ନାତି ନାତୁଣୀ କଥା ହେଲେ ବି କାଳେ ପାଠପଢା ବ୍ୟାଘାତ ହୋଇଯିବ। ଛାଡ଼ ସେସବୁ ମୁଁ ଯାଏ ତୋ ମାଉସୀ ତେଣେ ନଖାଇ ମୋ ବାଟ ଚାହିଁ ବସିଥିବ ,ଆସନ୍ତା କାଲି ବାପାଙ୍କ ଦିନ, ତେଣୁ ଛଞ୍ଚା ଟିଏ ଦେବା ପାଇଁ ପୁରୋହିତଙ୍କୁ ଡାକିବାକୁ ଚାଲି ଆସିଲି । ଆଉ କେବେ ଘରକୁ ଆସିବୁ ତୋ ମାଉସୀଙ୍କୁ ଟିକେ ଦେଖେଇବୁ ଫୋଟୋ ଗୁଡ଼ିକ।
ଯିବା ପୂର୍ବରୁ ପୁଣିଥରେ ଫୋନ୍ ରେ ମଉସା ଦେଖିନେଲେ ବିକାଶକୁ ,ଆଉ ତା ପୁଅ ଝିଅଙ୍କୁ । ମଉସା ଚାଲିଯାଇଥିଲେ । ମନଟା କିନ୍ତୁ ଉଦାସ ହୋଇଗଲା ସତରେ କଣ ମଉସା କେବଳ ଗାଁ ମୋହ ଯୋଗୁ ସେଠାକୁ ଯାଇ ପାରୁନାହାନ୍ତି ? ଫେସବୁକ ଷ୍ଟୋରୀରେ ବିକାଶ ଅପଲୋଡ଼ କରିଥିବା ଗୋଟିଏ ପରେ ଗୋଟିଏ ଫୋଟୋ ଯାଉଥିଲା କିନ୍ତୁ ମୋ ଆଖି ସାମ୍ନାରେ ନାଚୁଥିଲା ମଉସାଙ୍କର ଉଦାସ, ଦାମ୍ଭିକ ମୁହଁ ଭିତରେ ଲୁଚେଇଥିବା କୋହର ଚିତ୍କାର।