ପ୍ରତିବାଦ
ପ୍ରତିବାଦ
**ପ୍ରତିବାଦ**
ଭାରି ଅସ୍ତ ବ୍ୟସ୍ତ ହେଉଥିଲା ସିପ୍ରା । କିଛି ଗୋଟାଏ ଯେମିତି ତାକୁ ରୁନ୍ଧି ପକାଉଥିଲା ଗଳା ଯାଏଁ। ଭାବିପାରୁନଥିଲା ସେ କଣ ପାଇଁ ସେ ଏମିତି ଅନୁଭବ କରୁଛି। ଆଜି ଅଫିସ ରେ ଘଟିଥିବା ଘଟଣା ତାର ଆଖି ସାମ୍ନା ରେ ନାଚି ଯାଉଥିଲା। ଅଫିସିଆଲ୍ whatsapp group ରେ share ହୋଇଥିବା ଫୋଟ ଯାହା ଅଫିସ ବିଶ୍ଵକର୍ମା ପୂଜା ର ପ୍ରସ୍ତୁତି ସମୟ ରେ ନିଆଯାଇଥିଲା।ଫୋଟ ଗୁଡ଼ିକ ମଧ୍ଯ ରେ ସିପ୍ରା ର ମଧ୍ଯ କିଛି ଫୋଟ ଥିଲା ଯାହା ସିପ୍ରା ତଳେ ବସି ପ୍ରସାଦ ପ୍ରସ୍ତୁତି ସମୟରେ ନିଆଯାଇଥିଲା।ଅଫିସ ର ମାଲିକାଣୀ ପ୍ରଶାନ୍ତି ମ୍ୟାମ ଙ୍କ ପ୍ରିୟ କର୍ମଚାରି ଶୋଭନ କୁ ସେ ଏହି କାମ ଦେଇଥିଲେ।ସିପ୍ରା ଡାଲମା ପାଇଁ ପରିବା କାଟିବା ବେଳେ ତାର ଶାଢ଼ୀ ର କାନି ଅସାବଧାନତା ବଶତଃ କାନ୍ଧରୁ ସାମାନ୍ୟ ଖସି ଯାଇଥାଏ। ସେହି ସମୟରେ ମାଲିକାଣୀ ସାମ୍ନା ରେ ଛିଡ଼ା ହୋଇ କାମ ତଦାରଖ କରୁଥାନ୍ତି। ମାଲିକାଣୀ ଷ୍ଟାଇଲ ଓ ଅନ୍ଦାଜ ଦେଖାଇ ଛିଡ଼ା ହୋଇଥିବା ବେଳେ ଇଶାରା ଦେଉଥାନ୍ତି ଫୋଟ ଉଠାଇବାକୁ।ସେହିସମୟରେ ସିପ୍ରା ର ପଶ୍ଚାତ ଭାଗରୁ ଫୋଟ ଉଠାଇ ଚାଲେ ଶୋଭନ।ସିପ୍ରା କାମ ରେ ବ୍ୟସ୍ତ ଥାଏ କାରଣ ପିଲାଟି ବେଳୁ ବାପା ଙ୍କ ଠୁ ସେ ଶିଖିଚି କର୍ମ ହିଁ ଭଗବାନ। କିଛି ସମୟ ପରେ ସିପ୍ରା ଅନୁଭବ କଲା ପୁରୁଷ ସହକର୍ମୀ ଙ୍କ ଚକ୍ଷୁ ଯେମିତି ତା ଉପରେ ଘୁରି ବୁଲୁଛି।
ସିପ୍ରା ପୂଜା ସରିଲା ପରେ ଘରକୁ ଆସି ଘର ର ଯାବତିୟ କାମ ସରିବା ପରେ ମୋବାଇଲ୍ WhatsApp ଖୋଲିବା ମାତ୍ରେ ମୁଣ୍ଡ ଘୁରାଇଦେଲା ତାର। ଏ କଣ ଏମିତି ଭାବେ ତାର ଅଗୋଚର ରେ ପଛ ପଟୁ ଜୁମ୍ କରି ,ପିଠି , ଅଣ୍ଟା ସବୁ ର ଫୋଟ ଉଠାଇବାର କାରଣ କଣ?ହଠାତ୍ ସିପ୍ରା ମାଲିକାଣୀ ଙ୍କୁ ଫୋନ୍ କରି ଅନୁରୋଧ କରେ ଫୋଟ ଗୁଡ଼ିକୁ delete କରିବା ପାଇଁ।କିନ୍ତୁ ସେ ସନ୍ତୋଷ ଜନକ ଭାବେ କିଛି ନ କହି ଫୋନ୍ କାଟିଦିଅନ୍ତି। ବାଧ୍ୟ ହୋଇ ସିପ୍ରା ଗ୍ରୁପ ରେ ମେସେଜ ଦିଏ।
ଅନେକ ପ୍ରଶ୍ନ ଆନ୍ଦୋଳିତ କରେ ସିପ୍ରା ର ମନକୁ କଣ ସେ ଅଫିସ ରେ ଚାକିରି କରିଛି ବୋଲି ଯେ କେହି ବି ତାର ଯେ କୌଣସି ଅବସ୍ଥା ର ଫୋଟ ନେଇପାରିବ।ପିଠି ,ପେଟ , ବେକ ସବୁ ଯୁମ୍ କରି କଣ ଅସାବଧାନତା ରେ ଫୋଟ ଉଠା ଯାଇପାରେ। ଜୀବନ ରେ ପ୍ରତ୍ୟକ କ୍ଷେତ୍ର ରେ ଆଦର୍ଶ ଓ ଶୃଙ୍ଖଳା କୁ ଧ୍ୟାନ ଦେଇ ଆସିଥିବା ଝିଅ ,ସେ ଦୁହିତା ଭାବେ ଦୁଇ କୂଳ କୁ ହିତା ହେବା ନିମନ୍ତେ ଚେଷ୍ଟା କରି ଆସୁଛି।ପିଲାଟି ଦିନରୁ ନନା ଶିଖେଇ ଥିଲେ କେହି ତତେ ଆଘାତ ଦେଲା ,ତୋ ସ୍ୱାଭିମାନ ରେ ଆଞ୍ଚ ଆଣିଲେ ଚୁପ୍ ନରହି ଚିତ୍କାର କରିବାକୁ ପ୍ରତିବାଦ କରିବାକୁ।ଅନ୍ୟାୟ ,ଅନିତୀ କୁ ସେ ଘୋର ବିରୋଧ କରୁଥିଲେ।ପିଲାଦିନରୁ ନନାଙ୍କର କଠୋର ଅନୁଶାସନ ମଧ୍ୟରେ ସିପ୍ରା ବଢିଥିଲା ଏବଂ ଧୀରେ ଧୀରେ ସେ ନନା ଙ୍କ ଭଳି ହୋଇ ଯାଉଥିଲା ଯେମିତି।କଲେଜ ରେ କେହି କମେଣ୍ଟ ମାରିଲେ ସେ ଚୁପ୍ ରହିବା ବଦଳରେ ଜୋତା ରେ ସେକୁଥିଲା।ତାର ବିପ୍ଳବୀ ମନ ତାକୁ ମୁଣ୍ଡ ପୋତି ସବୁ ସହିନେବାର ଅନୁମତି କେବେ ଦେଉନଥିଲା।ନିଜର ଆତ୍ମ ସମ୍ମାନ ଓ ସ୍ୱାଭିମାନ ସର୍ବୋପରି ।
ଆଜି ଏହି ପରି ଭାବେ ତାର ଅଗୋଚର ରେ ଏହିପରି ପିଠି ପଟରୁ ୧୦,୧୨ ଫୋଟ group ରେ ପଠାଇ ତା ସମ୍ମାନ ହାନି ହୋଇଥିବା ସେ ଜାଣିପାରିଥିଲା। ପୁରୁଷ ସହକର୍ମୀ ମାନେ କହିପାରିଲେନି ଠିକ୍ ଅଛି କିନ୍ତୁ ତା ବାନ୍ଧବୀ ମାନେ ଫୋଟ ଦେଖି ଦାନ୍ତ ଦେଖାଉଥିଲେ। ତାର କାରଣ ଏବେ ଖୋଜିପାଇ ପ୍ରତିବାଦ ରେ msg ଟିଏ ଗ୍ରୁପ୍ ରେ ପକାଇଦିଏ ଓ ନିଜ କାମରେ ଲାଗିପଡିଥାଏ। ହଠାତ୍ ସେ ଦେଖେ ଶୋଭନ ର କିଛି ବନ୍ଧୁ ଗ୍ରୁପ୍ ରେ ତାଙ୍କ ବନ୍ଧୁ ସପକ୍ଷ ରେ ଯୁକ୍ତି କରିବା ଆରମ୍ଭ କରନ୍ତି ।ନିଜେ ଶୋଭନ ଅନେକ କଥା ସିପ୍ରା ର ବ୍ୟକ୍ତିତ୍ଵ ରେ ହାନି କରି msg କରେ।ହଠାତ୍ ଏକ କଥା ଆନ୍ଦୋଳିତ କରେ ସିପ୍ରା କୁ ଆଖି ରୁ ଦୁଇ ବୁନ୍ଦା ଲୁହ ସହ ହୃଦୟ ର ଭିତରୁ କୋହ ଚାଲିଆସେ। ସ୍ବାମୀ ଙ୍କୁ ସବୁ ଜଣାଇଦିଏ କିନ୍ତୁ ସ୍ବାମୀ ଚୁପ୍ ରହିବାକୁ ପରାମର୍ଶ ଦିଅନ୍ତି।କୁହନ୍ତି ଘର ର ସମ୍ମାନ ହାନି ହେବ। ଘର ଭଳି ନିର୍ଜୀବ ବସ୍ତୁ ର ମୂଲ୍ୟ ଅଛି କିନ୍ତୁ ତାର ଆତ୍ମ ସମ୍ମାନ ର କିଛି ମୂଲ୍ୟ ନାହିଁ।
Madam ସେପଟୁ ଫୋନ୍ କରି ସିପ୍ରା କୁ କୁହନ୍ତି ଶୋଭନ ବିଷୟରେ ଯାହା ଲେଖିଥିଲା delete ପାଈଁ।
ଏ କଣ ମାଲିକାଣୀ ଙ୍କ ଉଦାରତା,ନାରୀ ଉପରେ ଅସଂଖ୍ୟ କବିତା ଲେଖି ,ନାରୀ ଙ୍କୁ ଦୂର୍ଗା କହୁଥିବା madam ଙ୍କୁ ଏସବୁ ସାଧାରଣ ଲାଗିଲା। ଆଜି କାହିଁକି ଗୋଟିଏ ଗୀତ ଭାରି ମନେପଡୁଥିଲା ସିପ୍ରା ର "କସ୍ ମେ ୱାଦେ ପ୍ୟାର ୱାଫା ସବ୍ ବାତେ ହେ ବାତୋ କା କ୍ୟା,କୋଇ କିସିକା ନେହିଁ ହେ ଝୁଟେ ୱାଦେ ହେଁ ୱାଦୋ କା କ୍ୟା? "
ହଠାତ୍ ଦେବୀ ଜାଗା ରେ ବସିଥିବା ମାଲିକାଣୀ ଙ୍କୁ ସେ ସେହି ସ୍ଥାନରୁ ତଳେ ପଡ଼ିଯିବା ଦେଖେ।ବନ୍ଧୁ ମୁଖା ଧାରି ସହକର୍ମୀ ମାନଂକ ବିକୃତ ମୃଦୁ ହାସ ଏବଂ ତା ସପକ୍ଷ ରେ ଗ୍ରୁପ୍ ରେ ପଦଟିଏ ନ କହିବା ରୁ ସିପ୍ରା ବୁଝିଯାଏ ଏଠି କେହି କାହାର ନୁହେଁ ।ସବୁ ନିଜ ନିଜ ଧୂନ୍ ରେ ମଗ୍ନ।
ସିପ୍ରା ଦେଖୁଥିଲା ପର୍ସ ଭିତରେ ଥିବା ନନାଙ୍କ ଫୋଟ କୁ କେତେ ଦମ୍ଭ ରେ ସେ ଶିଖାଇ ଥିଲେ ଝିଅ ଇଟା ର ଜୱାବ ,ପଥରରେ ଦେବୁ। ଭୁଲ ର ପ୍ରତିବାଦ କରିବୁ।
ଅନ୍ୟାୟ ସହିବୁନି କି ଅନ୍ୟାୟ କରିବୁନି।
ଆଜି କିନ୍ତୁ ପରିବେଶ ପରିସ୍ଥିତି ତାକୁ ବାଧ୍ୟ କରୁଥିଲା ଚୁପ୍ ରହିବା ପାଇଁ।ଅନେକ ପ୍ରଶ୍ନ ଆନ୍ଦୋଳିତ କରୁଥିଲା ସିପ୍ରା ମନରେ ମାଲିକାଣୀ ଙ୍କ ପୁରୁଷ କର୍ମଚାରୀ ପ୍ରତି ଅହେତୁକ ଅନୁକମ୍ପା ର କାରଣ କଣ ।ହୋଇପାରେ ନିଜକୁ ପ୍ରତି ମୁହୂର୍ତ୍ତ ରେ କ୍ୟାମେରା ସାମ୍ନା ରେ ରଖିବା ତାଙ୍କର ସଉକ କିନ୍ତୁ ସବୁ ନାରୀ ସମାନ ନୁହନ୍ତି ପ୍ରତ୍ୟେକ ଙ୍କ କିଛି ପ୍ରାଇଭେଶି ଥାଏ।ଗୋଟିଏ ଜାଗାରେ ଚାକିରୀ କରିଛେ ବୋଲି କଣ ସମସ୍ତଙ୍କୁ ଅଧିକାର ଅଛି ଯାହାର ବି ଫୋଟ ନେବା ପାଇଁ। କେତେ ନୀଚ୍ଚ ମାନସିକତା ସେ ବ୍ୟକ୍ତି ଶୋଭନ ର ଯିଏ ଗ୍ରୁପ ରେ ଲେଖି ପଠାଇଥିଲା ତାର ଫୋଟଗ୍ରାଫି ରେ ଭୁଲ ନାହିଁ ଭୁଲ ସିପ୍ରା ର। ବାଃ ବାଃ ରେ ଦୁନିଆ ଏଠି ଯେଉଁ ନାରୀ ପ୍ରେମ ଗୀତ ଲେଖେ ତାକୁ ବାଃ ବାଃ ମିଳେ ଆଊ ବିପ୍ଲବ ର କବିତା ଲେଖୁଥିବା ନାରୀ ପାଇଁ ଭ୍ରୁ କୁଞ୍ଚନ ସୃଷ୍ଟି ହୁଏ।
ସିପ୍ରା ଆଶ୍ଚର୍ଯ୍ୟ ହେଉଥିଲା ସେହି ଅଫିସ ବାନ୍ଧବୀ ମାନଙ୍କ ଉପରେ ଯେଉଁମାନେ ସବୁ ଦେଖି ସିପ୍ରା ଓ ଶୋଭନ ର whatsapp ଝଗଡ଼ା ର ମଜା ନେଉଥିଲେ। ବାସ୍ ଆଊ କଣ ବାକି ରହିଲା । ଏହି ଦୁନିଆରେ କଣ ଖାଲି ବଳାତ୍କାର କରୁଥିବା ପୁରୁଷ ପାପି ଆଊ ଏଇମିତି ପ୍ରତି ମୁହୁର୍ତ୍ତ ରେ ନାରୀ ର ଫୋଟ କୁ ନିଜ ଫୋଟଗ୍ରାଫି ର ଦ୍ୱାହି ଦେଇ ନିଜର କଦର୍ଯ୍ୟ ,ଋଗ୍ନ ମାନସିକତା ର ପରିଚୟ ଦେଉଥିବା ବ୍ୟକ୍ତି ମାନେ ପୁଣି ନିଜକୁ କର୍ତ୍ତବ୍ୟନିଷ୍ଠ ଓ ସମ୍ମାନସ୍ପଦ କୁହନ୍ତି।ଧିକ ସେହି ପ୍ରକାର ବ୍ୟକ୍ତି କୁ ।
ସିପ୍ରା ଅଣ୍ଟା ଭିଡୁଥିଲା ଏହାର ପ୍ରତିବାଦ ପାଇଁ ,ଖାଲି ନିଜ ପାଇଁ ନୁହେଁ ଅନେକଙ୍କ ପାଇଁ ।ତାକୁ ଶୁଭୁ ନଥିଲା ଆଉ ଘର ଲୋକଙ୍କ ଚୁପ୍ ରହିବାର ନିର୍ଦ୍ଦେଶ ,ଲୋକ ଲଜ୍ଜା ର ଭୟ କିମ୍ବା ଆଉ କିଛି ତାକୁ ଶୁଭୁଥିଲା ନନା କହିଥିବା ଗୋଟିଏ କଥା "ଝିଅ !ଏଠି ନାରୀ କୁ ରାଣୀ ଲକ୍ଷ୍ମିବାଇ ଭଳି ହେବାର ଆବଶ୍ୟକତା ରହିଛି , ଭଦ୍ର ମୁଖା ଧାରୀ ଅଭଦ୍ର ଙ୍କ ମୁଖା ଖୋଲିବା ପାଇଁ।"
ସେହି ମାନଙ୍କ ପ୍ରତିବାଦ ପାଇଁ ଯେଉଁମାନେ ନିଜେ ନାରୀ ହୋଇ ସୁଦ୍ଧା ନାରୀ ଟିଏ ର କଥାକୁ ,ପ୍ରତିବାଦ କୁ କର୍ଣ୍ଣପାତ ନକରି ସେଇ ମାନଙ୍କୁ ମୁଣ୍ଡରେ ବସାନ୍ତି ଯେଉଁ ମାନେ ନିଜର ବିକୃତ ମାନସିକତା ପ୍ରଦର୍ଶନ ପାଇଁ ଅଫିସ , ମିଟିଂ ଭଳି ସ୍ଥାନକୁ ବାଛି ନିଅନ୍ତି।
ସିପ୍ରା ପ୍ରତିବାଦ ସ୍ବରୂପ ଲେଖାଟିଏ ଅଫିସ ମାର୍କେଟିଂ ମ୍ୟାନେଜର ଓ women rights cell କୁ ପଠାଇ ଶାନ୍ତି ରେ ଟିକେ ନିଃଶ୍ୱାସ ମାରିବାକୁ ଚେଷ୍ଟା କରୁଥାଏ, ସେଇପଟେ ସେଇ ବ୍ୟକ୍ତି ସିପ୍ରାର ବ୍ୟକ୍ତିତ୍ଵ ,ମର୍ଯ୍ୟାଦା ଓ ନାରିତ୍ଵ ଉପରେ କାଳି ଲଗାଇ ପୋଷ୍ଟ କରୁଥାଏ। କିନ୍ତୁ ସିପ୍ରା ସେ ସବୁ ପ୍ରତି ଧ୍ୟାନ ନ ଦେଇ ତାର ନିର୍ଦ୍ଧାରିତ ପଥ ରେ ଆଗେଇ ଚାଲୁଥିଲା , ପର୍ସ ଭିତରେ ଫୋଟ ଭିତରେ ଥାଇ ନନା ଯେମିତି କହୁଥିଲେ ,"ମାଆ ରେ ଡରେ ନାହିଁ ତୋ କର୍ତ୍ତବ୍ୟ କରିଚାଲେ ,ମୁଁ ସବୁବେଳେ ,ସବୁ ପରିସ୍ଥିତି ରେ ତୋ ସହ ଅଛି।"
ଅସ୍ଥିରତା ମଧ୍ୟ ରେ ନନାଙ୍କ ଫଟୋ ଟିକୁ ଦେଖିଲା ମାତ୍ରେ ସିପ୍ରା କୁ ଲାଗିଥିଲା ଅଦ୍ଭୁତ ଶାନ୍ତି। ଶୋଭନ ବିରୁଦ୍ଧ ରେ ଧୀରେ ଧୀରେ ଅନ୍ୟ ମହିଳା କର୍ମୀମାନେ ମଧ୍ୟ ମୁଁହ ଖୋଲିବା ଆରମ୍ଭ କରିଥିଲେ। ମାଲିକାଣୀ ଙ୍କ ପାଟି ଏକବାର୍ ଚୁପ୍ ହୋଇଯାଇଥିଲା ଏତେଗୁଡିଏ ଅଭିଯୋଗ ଶୁଣି । ଶେଷରେ ଉଭୟ ମାଲିକାଣୀ ଓ ଶୋଭନ ନିଜ ଭୁଲ କୁ ସ୍ଵୀକାର କରିଥିଲେ ।ଅଫିସ ରେ ଷ୍ଟାଫ ମିଟିଂ ଡକା ହୋଇଥିଲା ସେଠି ସମସ୍ତେ ନିଜ ପୁଞ୍ଜିଭୂତ ଅସନ୍ତୋଷ ଜାହିର କରିଥିଲେ ଏବଂ ଏହାର ସମାଧାନ ଯଥାଶୀଘ୍ର ନହେଲେ ଚାକିରୀ ତ୍ୟାଗ କରିବେ ବୋଲି କହିଥିଲେ। ଏହି ଭିତରେ ଶୋଭନ ର କଦର୍ଯ୍ୟ ଫୋଟଗ୍ରାଫି ବିରୁଦ୍ଧରେ କିଛି ଅଭିଯୋଗ ସାଇବର କ୍ରାଇମ୍ ରେ ମଧ୍ୟ ପଞ୍ଜୀକୃତ ହୋଇଥିଲା ଏବଂ ଆରେଷ୍ଟ ମଧ୍ୟ ହୋଇଥିଲା।
ସେ ଦିନ ସିପ୍ରା ଘର ସଫା କଲା ବେଳେ ଦେଖେ ତ ଗେଟ୍ ସାମ୍ନା ରେ କେହି ଜଣେ ବୃଦ୍ଧା ଛିଡ଼ା ହୋଇଛନ୍ତି। ଭିତରକୁ ଡ଼ାକି ତାଙ୍କ ପରିଚୟ ପଚାରିଲା ପରେ ସେ ଜାଣିବାକୁ ପାଇଲା ଏ ଶୋଭନ ର ମାଆ।ସେ ଜଣେ ସ୍ଵାମୀ ପରିତ୍ୟକ୍ତା । ଏକା ଏକା ତାକୁ ବଡ କଲା ଭିତରେ ହୁଏତ ସେ କେଉଁଠି ଭୁଲ କରିଦେଲେ ବୋଲି ଧିକ୍କାର କରୁଥିଲେ। ତାଙ୍କ ଆଖିର ଲୁହ ଦେଖି ସିପ୍ରା ବାଧ୍ୟ ହୋଇଥିଲା ଆପୋଷ ସମାଧାନ ପାଇଁ ଏବଂ ଅଫିସ ରେ ମଧ୍ୟ ନିୟମ ହୋଇଥିଲା ବିନା ଅନୁମତି ରେ କେହି ବି କାହାର ଫୋଟ ଉଠାଇପାରିବେନି। ଶୋଭନ ସେହି ଅଫିସ ଛାଡିଦେଲା ।ସିପ୍ରା କିନ୍ତୁ ଶୋଭନ ର ମୁଁହ ଦେଖି ଚିନ୍ତା କରୁଥିଲା ,"ଶୋଭନ ଭଳି ବ୍ୟକ୍ତି ମାନେ କଣ ଏତେ ଶୀଘ୍ର ନିଜର କଦର୍ଯ୍ୟ ମାନସିକତା କୁ ପରିବର୍ତ୍ତନ କରିପାରିବେ ????
