Er. Suchismita Satpathy

Romance Inspirational

4.0  

Er. Suchismita Satpathy

Romance Inspirational

ଭୁଲ କାହାର

ଭୁଲ କାହାର

6 mins
353



    

 ଏକ ଖୁସି ଓ ଆତ୍ମସନ୍ତୋଷର କିଛି ସମୟ ଅତିବାହିତ କଲାପରେ ହରିଶ ଓ ଅବନୀ ଏକ ସଙ୍ଗେ ବାହାରିଗଲେ ଦୁଇ ତିନି ଦିନ ପାଇଁ କୌଣସି ଏକ କାର୍ଯ୍ୟକ୍ରମ ନିମନ୍ତେ । ସେମାନଙ୍କୁ ବାଟେଇ ଦେବାକୁ ଆସି ଅନି ଛିଡା ହୋଇ ରହିଲା ଚକ୍ଷୁ ଅନ୍ତରାଳରୁ ଦୂରେଇ ଯିବା ପର୍ଯ୍ୟନ୍ତ । ସେହି ମୁହୂର୍ତ୍ତରେ ଅତୀତର କିଛି ରୋମନ୍ଥକ ସମୟ ଦୃଷ୍ଟି ପଟରେ ଉଙ୍କି ମାରିବାକୁ ଲାଗିଲା । 


ଦୀର୍ଘ ଦିନ ଆମେରିକା ପରି ଐଶ୍ୱର୍ଯ୍ୟ ସମ୍ପନ୍ନ ଦେଶରେ ରହି ନିଜ ପୁଅ ଓ ସ୍ୱାମୀ ସହିତ ଫେରିବାର ଆଜିକୁ ଦଶ ବର୍ଷ ବିତିଗଲାଣି । ଆମେରିକାରୁ ଫେରିବାର ଦୀର୍ଘ ଛ'ମାସ ନିଜ ଶାଶୁ ଘରେ ଥିଲା ଓ ତାପରେ ସେହି ଘର ଠାରୁ ଅନତି ଦୂରରେ ଥିବା ଆଉ ଏକ ଘରକୁ ସ୍ଥାନାନ୍ତର ହେବାର କିଛି ସମୟ ବିତି ଯାଇଥାଏ । ନିଜର ଘରକୁ ସଜାଡିବା ଓ ପୁଅର ନୂତନ ସ୍କୁଲରେ ନାମ ଲେଖାଇବା ଇତ୍ୟାଦି କାମରେ ବ୍ୟସ୍ତ ରହି ସମୟ କେତେବେଳେ କଟି ଯାଉଥିଲା ଜାଣି ପାରୁ ନଥିଲା । ହଠାତ ଏକ ଫୋନ ଆସିଲା ବହୁ ପୁରାତନ ସ୍କୁଲ ସମୟର ବାନ୍ଧବୀ ପାଖରୁ । ବିଷୟ ବସ୍ତୁ ଥିଲା ସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ଓ ଛାତ୍ରୀ ମାନଙ୍କର ପୁନଃମିଳନ । ସମସ୍ତେ ଆସୁଛନ୍ତି, ଯେହେତୁ ସେ ଭୁବନେଶ୍ଵରରେ ଅଛି ଏଥର ନିହାତି ଯୋଗଦାନ କରିବାକୁ । 


ଏହା ଶୁଣି ପ୍ରଥମେ ବହୁତ ଖୁସି ହୋଇ ଯାଇଥିଲା ଅନି ମାତ୍ର ତାହା ଥିଲା କିଛି ମୁହୂର୍ତ୍ତ ପାଇଁ, କାରଣ ମନେ ପଡିଗଲା କିଛି ପୁରୁଣା ସ୍ମୃତି ।


ବିଦ୍ୟାଳୟ ସମୟ । ବାଳୁତ ମନ । କିଶୋର ଓ କିଶୋରୀ ମାନଙ୍କର ମନ ସବୁବେଳେ ଗଗନ ପବନରେ ଉଡିବାର ସମୟ । ବେଳେବେଳେ ନିଜକୁ ଚଳଚ୍ଚିତ୍ର ଓ ସିନେ ଜଗତର ସଲମାନ ଖାନ ଓ ଐଶ୍ଵର୍ଯ୍ୟା ରାୟ ଭାବିବାକୁ ମଧ୍ୟ ପଛାନ୍ତି ନାହିଁ । ତେଣୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାସନା ଭରା ଅତରରେ ସଜେଇ ହୋଇ ଆସନ୍ତି ବିଦ୍ୟାଳୟକୁ । ବହୁ ସମୟରେ ଗାଳି ମାଡ ବି ଖାଇବାକୁ ପଡେ ଏଥିପାଇଁ । ମାତ୍ର ସେଥିରେ ତିଳେମାତ୍ର ନିଘା ନଥାଏ ସେମାନଙ୍କର । 


ଏମିତି ଏକ ସମୟ ଆସିଥିଲା ଅନି ଜୀବନରେ । ଅବନୀ ସହ ତାର ଦେଖା ହୋଇଥିଲା ବିଦ୍ୟାଳୟ ପରିସରରେ । ଦେଖାହେଲା ସମୟରୁ ହିଁ ଅବନୀ ଓ ଅନି ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା ଉଭୟଙ୍କ ମଧ୍ୟରେ । କୋମଳ କିଶୋରୀ ମନ । ଶରୀରରେ କେତେ ଶିହରଣ ଖେଳିଯାଏ ଅବନୀକୁ ଦେଖିଦେଲେ ମାତ୍ର କିଛି କହିବାକୁ ବା ନିଜର ପ୍ରେମ ନିବେଦନ କରିବାକୁ ସାହସ ଯୋଗାଡ କରି ପାରେ ନାହିଁ ଅନି । ବୋଧହୁଏ ତାହା ହିଁ ଘଟିଥିଲା ଅବନୀ କ୍ଷେତ୍ରରେ।ମାତ୍ର ପ୍ରତ୍ୟେକ ଦିନ ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରନ୍ତି ନାହିଁ । କେତେବେଳେ ସାଙ୍ଗ ସାଥି ମେଳରେ ତ କେତେବେଳେ ନଈ କୂଳରେ, କେତେବେଳେ ଶ୍ରେଣୀ ଗୃହରେ ତ କେତେବେଳେ ଖେଳ ପଡିଆରେ । ଏକାଠି ହେବାର କୌଣସି ମୁହୂର୍ତ୍ତ ଓ ସୁଯୋଗ ସେମାନେ ଛାଡନ୍ତି ନାହିଁ । 


ଧିରେ ଧିରେ ସମୟ ଅତିକ୍ରାନ୍ତ ହେଲା । ବିଦ୍ୟାଳୟର ପାଠ ପଢା ସରିଲା । ଉଭୟେ ନିଜ ନିଜ ରାସ୍ତାରେ ଆଗକୁ ବଢିଲେ ମାତ୍ର ସେହି କୋମଳ ଓ କିଶୋର ମନ ମଧ୍ୟରେ ପ୍ରସ୍ଫୁଟିତ ହେବାକୁ ଥିବା ଫୁଲ ଅଫୁଟା ରହିଗଲା।ଅନିର ପାଠପଢା ସରିଲା ଓ ଚାକିରି କରିବା ନିମନ୍ତେ ଏକ ଦୂର ଓ ଅଜଣା ସ୍ଥାନକୁ ଯାତ୍ରା ଆରମ୍ଭ କଲା । ଅଚିନ୍ହା ଓ ଅଜଣା ସ୍ଥାନ ଓ ନୂତନ କର୍ମସ୍ଥଳୀ । ଧିରେ ଧିରେ ନିଜକୁ ଖାପ ଖୁଆଇ ଚଳିବା ପାଇଁ ଏକ ପ୍ରକାର ଚେଷ୍ଟାରେ ଲାଗି ପଡିଲା । ବୋଧ ହୁଏ ଭୁଲି ଯାଇଥିଲା ତାର ପ୍ରଥମ ପ୍ରେମକୁ ସେହି ପୁରୁଣା ସହରରେ । 


କିଛି ଦିନ ଧରି ତା କାର୍ଯ୍ୟସ୍ଥଳୀରେ ଜଣେ ବ୍ୟକ୍ତିଙ୍କୁ ତା ଉପରେ ନଜର ରଖୁଥିବାର ସେ ଲକ୍ଷ୍ୟ କରୁଥିଲା । ହଠାତ ଦିନେ ରାଗିଯାଇ ପଚାରିଲା “କଣ ଆପଣ ଝିଅ ଦେଖି ନାହାନ୍ତି ବୋଧହୁଏ, ଏମିତି କଣ ସର୍ବଦା ଚାହିଁ ରହୁଛନ୍ତି ?” ଏକ ବିରକ୍ତି ଭାବ ପ୍ରକାଶ କରି କହିଲା ଅନି । ହଠାତ ସାମନାରୁ ଉତ୍ତର ଆସିଲା "ମୁଁ ହରିଶ, ତୁମକୁ ଦେଖିଲା ଦିନରୁ ତୁମ ପ୍ରତି ଥିବା ମୋର ଭାବନାକୁ ବ୍ୟକ୍ତ କରିବାକୁ ଚେଷ୍ଟା କରୁଥିଲି, ମାତ୍ର ସାହସ ଏକାଠି କରି ପାରୁନଥିଲି । ତୁମର ଯଦି କୌଣସି ଆପତ୍ତି ଅଭିଯୋଗ ନଥାଏ, ମୁଁ ତୁମକୁ ବିବାହ କରିବାକୁ ଚାହେଁ ।“ ହଠାତ ଏକଥା ଶୁଣି ଅନି ସ୍ତବ୍ଧ ହୋଇଯାଇଥିଲା କିଛି ମୁହୂର୍ତ୍ତ ପାଇଁ ଓ ନିରୁତ୍ତର ହୋଇ ସେଠାରୁ ଚାଲିଯାଇଥିଲା।


ପ୍ରତ୍ୟେକ ଦିନ ହରିଶ ସହ ଦେଖା ହୁଏ ମାତ୍ର ହରିଶ କିଛି କୁହେ ନାହିଁ । ଅନି ମନରେ ଭାବିଲା କି ଅଦ୍ଭୁତ ଧରଣର ବ୍ୟକ୍ତି, ଅଫିସର ସମସ୍ତଙ୍କ ସାମ୍ନାରେ ପ୍ରେମ ନିବେଦନ କରି ତା ପରଠୁ ପୁରା ଚୁପ୍ । ଏସବୁ ଦେଖି ଆଉ ସହ୍ୟ କରି ରହିପାରିବା ନାହିଁ ଅନି । 


ପୁଣି ଦିନେ ଗମ୍ଭୀର ଭାବରେ ସାମ୍ନାରୁ ଯାଇ ପଚାରିଲା, ମୁଁ କଣ ଖେଳନା ଯେ ମନ ହେଲା ଦେଖିବାକୁ, ଦେଖିଦେଲ ତାପରେ ରଖି ପଳାଇଲ । କଣ ତୁମର ଚିନ୍ତାଧାରା ମୁଁ ବୁଝିପାରୁନାହିଁ । ପୁନର୍ବାର ସାମ୍ନାରେ ଛିଡା ହୋଇ ହରିଶ କହିଲା, ତା ମାନେ ତୁମେ ମୋ ସହିତ ବିବାହ କରିବାକୁ ରାଜି । ଏହା କହି ଖୁସିରେ ଆତ୍ମହରା ହୋଇ ଅନିକୁ ଦୁଇ ହାତରେ ଉଠାଇ ଦୁଇ ଚାରି ଘେରା ବୁଲିଗଲା । ଅନି ତାର ଅତି କୋମଳ ହୃଦୟ ଦେଖି ତାକୁ ଭଲ ପାଇ ବସିଲା।


ମାତ୍ର ଦୁଇ ଜଣଙ୍କ ମଧ୍ୟରେ ଫୁଟି ଉଠୁଥିବା ପ୍ରେମ ରୂପକ କୋମଳ ଫୁଲ ବଗିଚାରେ ବାଧକ ସାଜିଲା ସମାଜର ତଥାକଥିତ ଜାତି ପ୍ରଥା । ମାତ୍ର ଆବହମାନ କାଳରୁ ଓ ଅତୀତର ପୃଷ୍ଠା ପ୍ରକ୍ଷାଳନ କଲେ ଅନନ୍ତ ଓ ଶାଶ୍ଵତ ପ୍ରେମର ବହୁ ଉଦାହରଣ ଦେଖିବାକୁ ମିଳେ । ଅନି ଓ ହରିଶ ତାହାକୁ ହିଁ ଅନୁସରଣ କରି ବିବାହ ବନ୍ଧନରେ ଆବଦ୍ଧ ହେଲେ । 


ଇତି ମଧ୍ୟରେ ହରିଶ ଆମେରିକାର ଏକ ଉଚ୍ଚ ଆଇଟି କମ୍ପାନୀରେ ନିଯୁକ୍ତି ପାଇଁ ଚିଠି ପାଇ ସାରି ଥାଏ । ତେଣୁ ଉଭୟେ ସୁଦୂର ଆମେରିକାକୁ ଗସ୍ତ କଲେ । ବହୁ ଖୁସିରେ ସେଠାରେ ସେମାନେ ନିଜର ଜୀବନ ଅତିବାହିତ କରିବାକୁ ଲାଗିଲେ । ଅନି ତା ଜୀବନରେ ବହୁ ଖୁସିରେ ଥାଏ ନିଜର ସ୍ୱାମୀ ଓ ପୁଅକୁ ନେଇ । 


ଦୀର୍ଘ ଦଶ ବର୍ଷ ପରେ ହରିଶର ବାପାଙ୍କ ଦେହ ବହୁତ ଖରାପ ହେବାରୁ ଜାତି ପ୍ରଥା ଭୁଲି ଡକରା ପଡିଲା ପୁଅ ବୋହୁଙ୍କୁ । ଯାହାହେଲେ ବି ରକ୍ତ । ତେଣୁ ଅନି ଓ ହରିଶ ପୁଅକୁ ଧରି ଆସି ପହଞ୍ଚିଲେ । ହଠାତ୍ କଲିଂ ବେଲର ଶବ୍ଦରେ ବର୍ତ୍ତମାନକୁ ଫେରି ଆସିଲା ଅନି । 

ପୋଷ୍ଟ ପିଅନ ଦେଇଗଲା ଏକ ପାସ୍ । ତାହାକୁ ଖୋଲି ଦେଖେ ତ ସେଥିରେ ବନ୍ଧୁମିଳନର ସ୍ଥାନ ଓ ତାର ପାସ ସହିତ ଆସିବାକୁ ଥିବା ବନ୍ଧୁମାନଙ୍କର ତାଲିକା । ଆଗ୍ରହର ସହିତ ଅବନୀ ନାଆଁ ଖୋଜିବାକୁ ଲାଗିଲା । ନାଆଁଟି ଦେଖି ଅନିର ଛାତି ଭିତରେ କାହିଁକି ଏକ ଛନକା ପଶିଗଲା ପରି ଲାଗିଲା । ସତେ ଯେମିତି କରିଥିବା କିଛି ଚୋରି ଧରାପଡିଗଲା । 


ବନ୍ଧୁମିଳନ ଦିନ ପହଞ୍ଚିଲା । ଠିକଣା ସମୟରେ ପୁଅକୁ ଧରି ପହଞ୍ଚିଲା ଅନି । ବହୁ ପୂରାତନ ସାଙ୍ଗମାନଙ୍କ ସହ ଦେଖା ହେଉଥିବାରୁ ଖୁସିର ଆଉ କଳନା ନଥିଲା ଏମିତିକି ଆଖିରୁ ଦୁଃଖ ଓ ଖୁସି ମିଶା ଲୁହ ବହି ଯାଉଥିଲା । ସବୁ ସତ୍ତ୍ବେ ଆଖି ଯୋଡିକ କିନ୍ତୁ ଖୋଜି ବୁଲୁଥିଲା ଅବନୀକୁ । ଅନତି ଦୂରରେ ଦେଖିଲା ତାକୁ । 


ପୁଣି ଖୋଜିଲା ତା ସ୍ତ୍ରୀକୁ, (ମଣିଷ ମନ ନା, ପୁଣି ନାରୀ । ପ୍ରିୟ ପାଠକେ ବୁଝି ପାରୁଥିବେ।) ମାତ୍ର ପାଇଲା ନାହିଁ।ଅବନୀକୁ ତା ଆଡକୁ ଆସିବାର ଦେଖି ନ ଜାଣିବାର ଅଭିନୟ କରିବାକୁ ଲାଗିଲା । 

ଅବନୀ : କଣ ଚିହ୍ନି ପାରୁନ କି? 

ଅନି : ଆରେ ଅବନୀ ତୁମେ, ଏବେ ଆସିଲ, ଆଉ ସାଥିରେ କେହି ଆସିନାହାନ୍ତି? 

ଅବନୀ : ନା ମୋର ଆଉ କିଏ ଅଛି ଯେ ଆସିବ? 

ଏହା ଶୁଣି ଅନିକୁ କାହିଁକି ବ୍ୟସ୍ତ ଲାଗିଲା । 


ତାର ବ୍ୟସ୍ତତା ଦେଖି ଅବନୀ ବୁଝିଗଲା ଅନି କଣ ଭାବୁଛି, ତେଣୁ କହିଲା, ମୁଁ ଆଜି ପର୍ଯ୍ୟନ୍ତ କାହାକୁ ବି ମୋ ଜୀବନ ସାଥି କରିପାରିନି।ସତରେ କହିବାକୁ ଗଲେ, ମୁଁ ପାଠ ସାରି ପ୍ରଥମେ ନିଜ ଗୋଡରେ ନିଜେ ଛିଡା ହେବାକୁ ଚେଷ୍ଟା କଲି ଏବଂ ସେତେବେଳେ ଯାଇ ତୁମକୁ ପ୍ରେମ ନିବେଦନ ସହିତ ବିବାହ ପ୍ରସ୍ତାବ ଦେବାପାଇଁ ମନସ୍ଥ କରି ତୁମ ଘରକୁ ଆସିଥିଲି, ମାତ୍ର ସେଠି ପହଞ୍ଚି ତୁମ ବିଷୟରେ ସବୁ ଶୁଣି ସାରିଲା ପରେ ମୋର ପାଦ ତଳୁ ଭୂମି ଖସିଗଲା ପରି ଲାଗିଲା, ସେତେବେଳେ ଭାବିଲି ମୁଁ ବହୁତ ଡେରି କରିଦେଲି । ଅନ୍ତର ଦେଇ ଭଲ ପାଇଲି ମାତ୍ର ନିଜର କରି ପାରିଲି ନାହିଁ । 


ନିଜକୁ ସେଦିନ ବହୁ ଧିକ୍କାର କଲି ଏବଂ ନିଷ୍ପତ୍ତି ନେଲି ଏକା ରହିବି ସାରା ଜୀବନ ।ମୁଁ କରିଥିବା ଭୁଲ ପାଇଁ ଏହାହିଁ ପ୍ରାୟଶ୍ଚିତ୍ତ । ତେଣୁ ଭଲ ଅଛି ଏବଂ ଖୁସି ଅଛି । 


ସେତେବେଳକୁ ଅନି ଆଖିରୁ ଧାର ଧାର ଲୁହ ବହି ଯାଉଥାଏ । ଅବନୀ ତାକୁ ଦେଖି ନିଜକୁ ସମ୍ଭାଳି ନ ପାରି ଅନିକୁ ନିଜ ପାଖକୁ ଟାଣି ଆଣି ନିଜ ବୁକୁରେ ଚାପି ଧରିଲା । କିଛି ସମୟ ପାଇଁ ଯେମିତି ସାରା ପୃଥିବୀ ତାଙ୍କ ପାଇଁ ନିସ୍ତବ୍ଦ ହୋଇଯାଇଥିଲା । ଦୁହିଁଙ୍କ ମଧ୍ୟରେ ଥିବା ଦୂରତା ଓ କ୍ଷୋଭ ଦୂରୀଭୂତ ହେଲା ପରେ ଦୁହିଁଙ୍କର ମନେ ପଡିଲା ସେମାନେ କେଉଁ ସ୍ଥାନରେ ଅଛନ୍ତି । ତେଣୁ ପୁଣି ନିଜ ନିଜର ସ୍ଥାନକୁ ଫେରିଲେ । ମାତ୍ର ସେହି ମୁହୂର୍ତ୍ତରେ ଯେଉଁ ଶାନ୍ତି ଥିଲା ବୋଧହୁଏ ସାରା ଜୀବନ ତାଙ୍କ ବଞ୍ଚିବା ପାଇଁ ଯଥେଷ୍ଟ ଥିଲା।

ଭୁଲ କାହାର ଥିଲା ଜଣାନଥିଲା । ପଶ୍ଚାତ୍ତାପର ନିଆଁରେ ଅନି ଜଳୁଥିଲା କାରଣ ସେ ଯଦି ସାହସ ଜୁଟାଇ ସେତେବେଳେ ଅବନୀକୁ ନିଜର ପ୍ରେମ ବ୍ୟକ୍ତ କରିପାରିଥାନ୍ତା ତେବେ ଆଜି ପରିସ୍ଥିତି ଭିନ୍ନ ପ୍ରକାରର ହୋଇଥାନ୍ତା, ମାତ୍ର ଆଜି ସେ ନିଜ ଜୀବନରେ ଖୁସି ଏବଂ ନିଜ ସ୍ୱାମୀ ହରିଶର ଭଲ ପାଇବା ଓ ସ୍ନେହ ସବୁ ତା ପାଖରେ ଅଛି, ମାତ୍ର ଅବନୀ............. 


ଠିକ ସେତିକିବେଳେ ଅବନୀ ପଛରୁ ଆସି କହିଲା, ଦେଖ ଅନି, ମୁଁ ତୁମକୁ ପାଇପାରିଲିନି ସତ ମାତ୍ର ପ୍ରେମ ଯେ କେବଳ ପାଇବାର ନାମ ତା ନୁହେଁ, ମୋର ତିଳେ ମାତ୍ର ଦୁଃଖ ନାହିଁ, ତୁମେ ଖୁସିରେ ରହିଲେ ମୁଁ ଖୁସି।


ମାତ୍ର ମୋର ଏକ ଅନୁରୋଧ, କଣ ଜୀବନର ଯେ କୌଣସି ମୁହୂର୍ତ୍ତରେ ଓ ଯେ କୌଣସି ସ୍ଥାନରେ ମତେ ତୁମେ ଖୋଜିବ ମୁଁ ତୁମ ପାଖରେ ଥିବି ଏକ ଛାଇ ହୋଇ, ଏତିକି ଅଧିକାର ମତେ ଦେଇପାରିବ ଅନି......., କୁହ ଅନି କୁହ........? 


ଭୋ ଭୋ ହୋଇ କାନ୍ଦିବା ସହ ଅବନୀର ମସ୍ତକରେ ଏକ ସ୍ନେହ ଭରା ନାଲି ଲିପଷ୍ଟିକର ଚୁମ୍ବନଟିଏ ଆଙ୍କିଦେଇଥିଲା ଅନି ସେଦିନ।


ତାର କିଛି ମୁହୂର୍ତ୍ତ ପରେ ନିବିଡ ଭଲ ପାଇବା ଯେ ଏକ ନିବିଡ ନିଷ୍କଳଙ୍କ, ନିଃସ୍ୱାର୍ଥ ବନ୍ଧୁତ୍ୱର ପରିଣତ ହୋଇସାରିଥିଲା ତାହା କେବଳ ପ୍ରକୃତରେ ଯିଏ ଅଙ୍ଗେ ନିଭାଇ ଥିବ ସେ ହିଁ ବୁଝିପାରିବ । ହରିଶ ସହ ପରିଚିତ କରାଇଲା ଅବନୀକୁ । ହୃଦୟର ଗଭୀରତମ କୋଣରୁ ଅବନୀ ସ୍ୱୀକାର କରିସାରିଥିଲା ହରିଶକୁ ।ସତେ ଯେମିତି କେଉଁ ଯୁଗରୁ ଉଭୟଙ୍କର ସମ୍ପର୍କ ।


ସେବେଠାରୁ ଆଜିର ଦିନ ମଧ୍ୟରେ ଦୀର୍ଘ ବର୍ଷ ବିତିଗଲାଣି ଅନି ଓ ଅବନୀ ଦୁଇଜଣ ଭଲ ବନ୍ଧୁ ଭାବେ ସମାଜରେ ଚଳନଶୀଳ । ବାହାର ଦେଶରୁ ଆସିଥିବାରୁ ଅଜଣା ଓ ନ ପାରୁଥିବା କାର୍ଯ୍ୟରେ ହାରକୁ ସାହାଯ୍ୟ କରିବାରେ କୁଣ୍ଠା ବୋଧ କରେ ନାହିଁ ଅବନୀ । ସେଥିରେ ହିଁ ତାର ଜୀବନର ସତ୍ତା ପାଇଛି ଅବନୀ । ଅନି ମଧ୍ୟ ହରିଶ ସହ ଅବନୀର ଖୁସି ଦେଖି ନିଜର ଆତ୍ମ ସନ୍ତୋଷ ଲାଭ କରିଛି । 


ଏଥିରୁ ଜଣାପଡେ, ଭଲ ପାଇବା ଯେ ପାଇବାର ଅନ୍ୟନାମ ତା ନୁହେଁ କିଛି ଦେବାର ବି ଅନ୍ୟ ନାମ ହୋଇପାରେ । ସେଥିପାଇଁ ଏକ ବିଶାଳ ଓ ସ୍ୱଚ୍ଛ ହୃଦୟର ଆବଶ୍ୟକତା ରହିଛି ।



Rate this content
Log in

Similar oriya story from Romance