Satyabati Swain

Romance

2  

Satyabati Swain

Romance

ଭଲ ପାଏ ବୋଲି

ଭଲ ପାଏ ବୋଲି

6 mins
548


'କୁମାରୀ 'ଦେଈ କୁମାର ପୂର୍ଣ୍ଣିମା ପାଇଁ ଘରକୁ ଆସିଛି। ଏବର୍ଷ ତାର ଶେଷ କୁମାର ପୂର୍ଣ୍ଣିମା। ପାଖାପାଖି ଏଗାର ମାସ ହୋଇଲାଣି ତାର ବାହା ଘର। ବାହା ହେଲା ପରେ ତା ବର ତାକୁ ହାଇଦ୍ରାବାଦ ନେଇ ଯାଇଥିଲା ସାଙ୍ଗରେ। ସେଠି ତା ବର ଜଣେ ଇଂଜିନିୟର। ବାହା ହେଲା ପରଠୁ ସେ ଆମ ଗାଁ କୁ ଆଦୌ ଆସି ନଥିଲା ଏଣୁ ତାକୁ ଦେଖିବାକୁ ତାଙ୍କ ଘରେ ଖୁବ ଭିଡ଼। ବେଶୀ କରି ମୋ ବୟସର ପିଲା ମାନେ କୁମାରୀ ଦେଈକୁ ଘେରି ଯାଇ ଖାଇ ଗଲା ପରି ଅନାଉଁ ଥାଉ। ଚହ ଚହ ଗୋରା ରଙ୍ଗ ତାର ଆହୁରି ଉଜ୍ଜ୍ବଳ ଦିଶୁଛି। ନହକା ବେତରୁ ସରୁ ବାଉଁଶ ପରି ହୋଇଯାଇଛି। ହାଇଦ୍ରାବାଦ ହାଇଦ୍ରାବାଦ ବାସୁଛି ଯେମିତି। କେଶ ଗୁଡା ଚିକି ମିକି କରୁଛନ୍ତି। ଟିକିଲି, ଚୁଡି,ମଙ୍ଗଳସୁତ୍ର,ନେଲପଲିସି,ଲିପିଷ୍ଟିକ, ଚପଲ ଓ ଶାଢ଼ୀ ସବୁ ଏକା କଲର୍। ରାନୀ କଲର୍ ଶାଢ଼ୀଟି ତା ଦେହକୁ ଆହୁରି ଝଲସଉଛି। ହାତରେ ଟାଟୁ ବି କରିଛି। ଆଖିରେ କାଜଲ ଦେବୀ ଆଖିରେ ଯେମିତି କାରିଗର ଆଙ୍କେ ସେମିତି ଆଙ୍କିଛି। ଭ୍ରୁଲତା ଦିଟା କଳା ଧନୁର ଭ୍ରମ ସୃଷ୍ଟି କରୁଛି     ଗୋଟିଏ ବାକ୍ୟରେ କହିଲେ କୁମାରୀ ଦେଈ ଗୋଟେ ଫିଲ୍ମ ହିରୋଇନ୍ ଠାରୁ ବଳି ସୁନ୍ଦର ଦିଶୁଛି।

     ମୁଁ କୁମାରୀ ଦେଈ କୁ ଦେଖି ବିମୋହିତ ହୋଇଗଲି। ଆଗରୁ କିନ୍ତୁ ଭାବିଥିଲି କୁମାରୀ ଦେଈ ସଂଗେ କେବେ ଦେଖା ହେଲେ କଥା ହେବିନି। ସେ ଭଲ ଝିଅଟି ନୁହେଁ। ବାହାରଟା ସିନା ତାର ଅତି ସୁନ୍ଦର;ଭିତରଟି କିନ୍ତୁ ଭାରି ଟାଣ,ପଥର ପରି। କାହିଁକି ନା ଏଇ କୁମାରୀ ଦେଈ ପାଇଁ ମୋ ରିଙ୍କୁ ଦାଦା କେତେ ମାଡ଼ ଖାଇଛି,କାନ୍ଦିଛି।

ଶେଷରେ ମୋ ଵାଵା ତାକୁ ସାଙ୍ଗରେ ନେଇ ଚାଲିଗଲେ ବାଙ୍ଗାଲୋର। ରିଙ୍କୁ ଦାଦା ମୋର ସବୁଠୁ ପ୍ରିୟ ଦାଦା। ନାଚ,ଗୀତ, ପାଠ ସବୁ ଶିଖାଉଥିଲେ।ଏଇ କୁମାରୀ ଦେଈ ପାଇଁ ଜେଜେ ପିଣ୍ଟଣାରେ ପକାଇଲେ ପାହାରେ ବାହୁକୁ ଯେ ଫାଟି ଆଁ କଲା। ତିନି ମାସ ଲାଗିଲା ସେ ଫଟା ଶୁଖିବାକୁ। ରିଙ୍କୁ ଦାଦା ଫଟା ଚିହ୍ନ ଦେଖିଲେ ମୋ ରାଗ ବଢିଯାଏ। କୁମାରୀ ଦେଇ ଟା ଏଡ଼େ ମିଛେଇ ଠିକ୍ ସମୟରେ ଚୁପ ରହିଲା। ଯେତେବେଳେ କୁମାରୀ ଦେଈକୁ ପଚରା ଗଲା ରିଙ୍କୁ କୁ ତୁ ଭଲ ପାଉ କିଛି କହିଲା ନାହିଁ। ସତେକି ତା ମୁହଁରେ ବେଙ୍ଗ ପଶିଛି। କିନ୍ତୁ ତଳକୁ ମୁହଁ ପୋତି କାନ୍ଦୁଥିଲା କେବଳ।     କୁମାରୀ ଦେଈ କହିଲେ "ଦେଖ,ଶୁଣ ସମସ୍ତେ ମୁଁ କହୁ ନଥିଲି ମୋ ଝିଅ 'ସେମିତି' ନୁହେଁ। ଏ ବଦମାସ ଟୋକା ରିଙ୍କୁ ର ସବୁ ଦୋଷ। ମୋ ଝିଅ ପିଛା ଲାଗିଛି। ଦେବି ଯେ ପୁଅ କେସ୍ କରି ଜେଲରେ ଠୁଙ୍କି। ପ୍ରେମ ବାହାରୁଥିବ। ହାରମ୍ ଜାଦା ଟୋକା। ତୋ ଗୋଡ଼ ହାତ ଭାଙ୍ଗି ପକାଇ ଦେବି, ଚିହ୍ନିଛୁ ମୋତେ। ଆରେ.. ମୁଁ ସୂର୍ଯ୍ୟ ମହାପାତ୍ର ପୋଲିସ୍ ଇନିସ୍ପେକ୍ଟର୍। ତୋ ପରି କେତେ ଲଫଙ୍ଗା ଟୋକାଙ୍କ ହାତ ଗୋଡ଼ ଚୁନା କରିଛି। ସାରା ଜୀବନ ପଙ୍ଗୁ କରି ଦେଇଛି। ତୋର ଯଦି ବଞ୍ଚିବାକୁ ଇଚ୍ଛା ସୁଧୁରୀ ଯା। ବୁଝିଲୁ 'ବିଭୁ' ତୋ ଗେଲ୍ହା ଓ ଆଉଁସା କଥା ପାଇଁ ତୋର ଏ ସାନ ପୁଅଟି ଆଜି ବେମୁରୁବା ହୋଇ ଯାଇଛି। ସାବଧାନ ରୁହ ନଚେତ୍ ଏ ରିଙ୍କୁ ତୋ ନାକ କାଟିବ। ତୁ ଗୋଟେ ଭଲ ମଣିଷ,ଗାଁ ଭାଇ,ସାଙ୍ଗ ବୋଲି ଏଇ ପ୍ରଥମ ଓ ଶେଷ ଥର ପାଇଁ ତୋ ପୁଅକୁ ଛାଡିଦେଲି। ତୁ ଜାଣିଛୁ ମୁଁ କେଡେ ଭୟଙ୍କର ମଣିଷ,ପୁଣି ପୋଲିସ୍। ଥରେ ହାଜତ ହାୱା ଖାଇଲେ ତୋ ପୁଅର ମଜା ବାହାରିଯିବ। ଚିରିତ୍ରରେ ଦାଗୀ ମୋହର ଲାଗିଯିବ। ଏଣୁ ପୁଅକୁ ବୁଝା ବାଘ ସଙ୍ଗେ ପଙ୍ଗା ନ ନେଉ। ଯଦି ମୋ ଝିଅ କହିଥାନ୍ତା ତୋ ପୁଅକୁ ଭଲ ପାଏ ବୋଲି ତେଣିକି କଥା ଦେଖା ଯାଇ ଥାନ୍ତା। ଏକ ତରଫା ପ୍ରେମ ତୋ ପୁଅର।

ସତର୍କ କରି ଦେଉଛି ନିଆଁ ସଂଗେ ଖେଳନା ସୀମାରେ ଲଙ୍ଘିବତ ବର୍ବାଦ କରିଦେବି ସାରା ପରିବାର। ଖୁବ୍ ସାବଧାନ।

      ମୋ ଜେଜେ ଗାଁର ସବୁଠାରୁ ନ୍ୟାୟ ପ୍ରିୟ ଲୋକ। ଲୋକେ ବିଭୁ ଦତ୍ତ ତାରେଣିଆଙ୍କୁ ବହୁତ ସମ୍ମାନ କରନ୍ତି। ଖାସ୍ ରିଙ୍କୁ ଦାଦା ପାଇଁ ମୁଣ୍ଡ ତଳକୁ ହୋଇଗଲା ଜେଜେ ଙ୍କର। ସେ ରାଗରେ ନିଆଁ ବାଣ ହୋଇ ଗଲେ। ଦେଲେ ପିଣ୍ଟଣାରେ ନିର୍ଧୁମ ପାହାରେ। ବାବାଙ୍କୁ ଡକାଇ ପଠାଇ ଦେଲେ ବାଙ୍ଗାଲୋର,ପଢା ବନ୍ଦ କରି। ମୋ ରିଙ୍କୁ ଦାଦା ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ସେଠୁ ଟ୍ରାନ୍ସଫର କରି ବାଙ୍ଗାଲୋର ନିଆ ଗଲା। ଦାଦା ଆଉ ବର୍ଷ ହେବ ଗାଁକୁ ଆସି ନାହାନ୍ତି। ମୋ ମନରେ ଗୋଟେ ଅବୁଝା ପ୍ରଶ୍ନ…...କୁମାରୀ ଦେଈ ଦାଦାଙ୍କୁ ଭଲ ପାଏ ମୁଁ ଜାଣିଛି,କିନ୍ତୁ କହିଲା ନି କାହିଁକି ଛିଃ କୁମାରୀ ଦେଈ ଟା ଭାରି ଖରାପ ଝିଅ।

    ମୋ ଦାଦା ଭୁବନେଶ୍ୱରରୁ ଗାଁକୁ ଆସିଲେ କୁମାରୀ ଦେଈ ଶୁଙ୍ଘି ଶୁଙ୍ଘି ଚାଲି ଆସିବ। କେତେ ବାହାନା କରିବ ମୋ ଦାଦା ସଂଗେ କଥା ହେବାକୁ। ମୋ ମାମା ହାତରୁ କାମ ଛଡାଇ ନେବ। ମୋ ଜେଜେଙ୍କୁ ମାମା ହାତରୁ ଚା ନେଇ ଦେବ। ମୋତେ ଭାରି ଗେହ୍ଲା କରିବ। ଚକୋଲେଟ୍ ଦେବ। ଆ ପଢ଼ାଇ ଦେବି କହିବ। ଶେଷରେ ମୋତେ ନେଇ ଦାଦା ରୁମ୍ କୁ ଯିବ। ଦାଦା ଡାଇରୀରେ କଣ ଗାରେଇବ। ତା କଲମ କାମୁଡିବ। "ହେ ରିଙ୍କୁ, ରିଙ୍କୁ, ଗୋଟେ ଗୀତ ଗା କହିବ। ମୋତେ ଟିକେ ଭାଓଲିନ୍ ଶିଖେଇ ଦେବୁ"ଏମିତି କେତେ ଲାଗିବ ମୋ ଦାଦା ସାଙ୍ଗେ। ମୋ ଦାଦା ତାକୁ କଡ଼ ମଡ଼ କରି ଅନେଇଁବ। କୁମାରୀ ଦେଈ କହିବ,ଖାଇବୁ ନା କଣ? ଏମିତି ଅନଉଁଚୁ। ଭୁବନେଶ୍ୱର ଯାଇ ଭାରି ଗୋଟେ ଦେଖେଇ ହେଉଛି। "ଏତକ କହି ହାଣ୍ଡି ମୁହଁ କରି ବସିବ। ରିଙ୍କୁ ଦାଦା କହିବ "ଆଲୋ ହୁଣ୍ଡି ମୁଁ ବଡ଼ ପିଲା ହେଲିଣି। ତୁ ବି। ଆମେ କଣ ଆଉ ଛୋଟ ଅଛେ। ତୁ ଯେମିତି ହେଉଛୁ ଯେ କେହି କହିବ ତୁ ମୋତେ ଭଲ ପାଉଛୁ। ପଳା ପଳା ଏଠୁ।ତୋ ବାଵା ପୋଲିସ ଵାଲା। କଣ ନାଇଁ କଣ କରିଦେବ। ସହଜେ ତୋ ବାବାର ରେକର୍ଡ ଅଛି। ଖାଇବା ଇନ୍ସପେକ୍ଟର୍ ଭିତରେ ସବୁଠୁ ଉପରେ। ତୁ ଯା ଲୋ କୁମାରୀ। ମୋର କାଦୁଅରେ ଗୋଡ଼ ପୁରାଇବାର ନାହିଁ କି ଧୋଇବାର ବି ନାହିଁ।"

      କୁମାରୀ ଦେଈ ମୋ ଦାଦା ବେକରେ ଓହଳି ପଡି କହିବ "ହଁ ତ ଭଲ ପାଏ ତୋତେ। ଦେଖିବା ମୋ ବାଵା କଣ କରିବ? ମୋ ମନ ମୁଁ ଯାହାକୁ ଭଲ ପାଇବି,ସେଥିରେ ବାପା କଣ କରିବେ। ମୁଁ ବାବା ଫାବା କାହାକୁ ଡରେନି। ବରଂ ତୁ କହ ଇଂଜିନିୟରିଂ କଲେଜରେ କାହାକୁ ଧରିଛୁ। ସେଥିପାଇଁ ମୁଁ ତୋର ପସନ୍ଦ ନୁହେଁ"।

        ଦାଦା କୁହେ ତୁ ଠିକ୍ କଥା କହିଲୁ। ହେ ଗୋଟେ ଲାଞ୍ଚୁଆ ପୋଲିସ ଝିଅକୁ କିଏ ଭଲ ପାଇବ ତୁ ଏମିତି କି ସୁନ୍ଦର କି? ତୋ ଠାରୁ ଢେର ସୁନ୍ଦର ଝିଅ ମୋ ପିଛା ପଡିଛନ୍ତି। ମୁଁ କୁଆଡେ ରଣଵୀର୍ କପୁର୍ ପରି ଦେଖିବାକୁ ମୋର ହଜାରେ ଗାର୍ଲଫ୍ରେଣ୍ଡ, ବୁଝିଲୁ।"

     ଓହୋ ଲୋ ମୋ ର.. ଣ.. ବୀ..ର.। ହେଉ ଯା କାଟ୍ରିନା କି ପ୍ରିୟଙ୍କା କି ଆଉ କାହାକୁ ରସ। ଚାଲେ ବା 'ଖୁସି' ତୋ ଦାଦା ଭାରି ରଙ୍ଗ ଦେଖଉଛି। ଦାଦା ଓ କୁମାରୀ ଦେଈ ଏପରି କୁହା କୁହିଁ ହୋଇ ଗୋଡ଼ା ଗୋଡି ହୁଅନ୍ତି। ମୁଁ ବିଚାରି ଖୁସି ତାଙ୍କ ମଝିରେ ଓକିଲ,ସାକ୍ଷୀ ଓ ବିଚାର ପତି ହୁଏ। କୁମାରୀ ଦେଇ ଗଲା ବେଳକୁ ମୋ ଦାଦାଙ୍କୁ ଗୋଟେ କିସ୍ କରିଦେଇ ଦୌଡ଼ି ପଳାଏ। ଦାଦା କୁହେ ଭାଉଜ! ମୋ ମାମାଙ୍କୁ ଡାକି "ସେ କୁମାରୀ ଚଣ୍ଡୀ ଟା ଆସିଲେ ମୋ ରୁମ୍ କୁ ଛାଡିବ ନାହିଁ,ଭାରି ହଇରାଣ କରୁଛି। ବାଜେ ବାପାର ଝିଅ ଟା…"

      ମୋ ମାମା ଟିକେ ହସେ । ଏପରି ସବୁଥର ଦାଦା ଆସିଲେ ହୁଏ। ଥରେ ଦାଦା ସାଂଗରେ ଫିଲ୍ମ ଚାଲି ଯାଇଥିଲା ବୋଲି କୁମାରୀ ଦେଈ ବାବା ମୋ ବାବାଙ୍କୁ ଡାକି ଯାଛା ତା କହିଲେ ସବୁ ଲୋକଙ୍କ ଆଗେ। ତାପରେ ତ ଦାଦା ବାଙ୍ଗାଲୋରରେ। ମୁଁ କିନ୍ତୁ ବୁଝି ପାରେନି କୁମାରୀ ଦେଈ ତାଙ୍କ ବାବାଙ୍କ ଆଗେ କିଛି ନ କହି ଚୁପ୍ ରହିଲେ କାହିଁକି? ସତରେ ଦାଦା ଯାହା କୁହନ୍ତି କୁମାରୀ ଦେଈ ଖରାପ ବାବାର ଖରାପ ଝିଅ ଏଇଟା କଣ ସତ!!

       ମାମା ମନା କରୁଥିଲା କୁମାରୀ ଦେଈ କୁ ଦେଖିବାକୁ ଯିବାକୁ। ମୁଁ କିନ୍ତୁ ଲୁଚି ପଳେଇ ଆସିଛି। ମୋର କୁମାରୀ ଦେଈକୁ ପଚାରିବାର ଥିଲା ସେ କାହିଁକି କିଛି କହିଲା ନାହିଁ? ଗହଳି ଆସ୍ତେ ଆସ୍ତେ ଭାଙ୍ଗୁଥିଲା। ମୁଁ ବି କୁମାରୀ ଦେଈ ଏତେ ସୁନ୍ଦର ଦିଶୁଛି,ଖୁସି ଅଛି ଭାବି କିଛି ନ ପଚାରି ଫେରି ଆସୁଥିଲି। ପଛରୁ ସେ ମୋ ହାତ ଟାଣି ଧରିଲେ।କହିଲେ "ରହ ଖୁସି ତୋ ପାଇଁ ଗୋଟେ ଜିନିଷ ଆଣିଛି"। ମୋ ମୁହଁ ଶୁଖି ଗଲା। ମୋ ଦାଦାଙ୍କୁ କନ୍ଦେଇ ମୋ ପାଇଁ ଯାହା ଆଣି ଦେଲେ ବି ମୁଁ କଣ ଖୁସି ହେବି,ମନେ ମନେ କହିଲି ମୁଁ।

         ସେ ମୋତେ ତାଙ୍କ ରୁମ୍ କୁ ଡାକିନେଲେ। ମୋ ହାତରେ ଗୋଟେ ଚକୋଲେଟ ସହ ଛୋଟ ଭାଓଲିନଟିଏ ଦେଲେ। ମୁଁ ଖୁସି ଷ୍ଟାଣ୍ଡର୍ଡ ଥ୍ରୀ କ୍ଲାସରେ ପଢେ। ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି ଏ ଭାଓଳଲିନ୍ ମୋ ଦାଦା ପାଇଁ ନା କୁହ କୁମାରୀ ଦେଈ ସେଦିନ କାହିଁକି କହିଲନି "ତୁମେ ମୋ ଦାଦାଙ୍କୁ ଭଲ ପାଅ ବୋଲି"??

        କୁମାରୀ ଦେଇ ଆଖିରେ ଲଘୁଚାପ ଜନିତ ବର୍ଷା। ସେ କହିଲେ କେମିତି କହି ଥାଆନ୍ତି... ମୋ ବାବା କହିଲେ ଯଦି ରିଙ୍କୁକୁ ଭଲ ପାଏ କୁହେ ତେବେ ସେ ଏମିତି କେସ୍ରେ ଫସେଇ ଦେବେ ଯେ ସାରା ଜୀବନ ରିଙ୍କୁ ଜେଲରେ ରହିବ ନଲେ ବଦନାମ ସହି ନପାରି ଆତ୍ମହତ୍ୟା କରିବ। ତୁ କହ ଖୁସି କେମିତି ପାରିଥାନ୍ତି ରିଙ୍କୁ କୁ ଆତଙ୍କ ବାଦୀ ସଜେଇ ଜେଲର କଳା କୋଠରୀକୁ ପଠାଇ କେବଳ ଆଜି ନୁହେଁ ମରିବା ଯାଏ ମୁଁ ରିଙ୍କୁକୁ ଭଲ ପାଉଥିବି। "ଭଲ ପାଏ ବୋଲି" ତ ନିଜ ପ୍ରେମକୁ ବଞ୍ଚାଇବାକୁ ଯାଇ ଆଉ କାହାକୁ ବିବାହ କଲି। ଖୁସି!ତୁ ତ ଛୋଟ ପିଲ,ବଡ଼ ହେଲେ ବୁଝି ପାରିବୁ ଭଲ ପାଉଥିବା ମଣିଷର ଭଲ ପାଇଁ,ତା ଜୀବନ ପାଇଁ ଦରକାର ପଡ଼ିଲେ ମରିବାକୁ ବି ପଡେ। ମୋତେ ଯେଉଁ ଦେଖୁଛୁ ସେ ଶହେ ମରଣଠାରୁ ଅଧିକ,ଖୁସି। ମନରେ ଜଣେ ଶରୀର ଉପରେ ଜଣେ ରହିଲେ ସେ କେଉଁ ମରଣ ଠାରୁ କମ୍ କି?"

         ମୋ ମୁଣ୍ଡରେ କିଛି ପଶୁ ନଥିଲା। ଏତିକି କିନ୍ତୁ ବୁଝି ପାରୁଥିଲି ଏବେ ବି କୁମାରୀ ଦେଈ ମୋ ଦାଦା ଙ୍କୁ ଭଲ ପାଏ।



Rate this content
Log in

Similar oriya story from Romance